Unknown

କୋଟି ପ୍ରାଣର ମଣିଷ ପ୍ରାଣନାଥ

ଅବନୀ କୁମାର ବରାଳ

 

ମୁଖଶାଳା

ପ୍ରାଣନାଥ ପଟ୍ଟନାୟକ ଓଡ଼ିଶା ରାଜନୀତିରେ ଯେମିତି ସଶ୍ରଦ୍ଧ ସ୍ମରଣ ଓଡ଼ିଶା ସାରସ୍ଵତ ଜଗତରେ ସେମିତି ଏକ ପରିଚିତ ଉଚ୍ଚାରଣ । ସ୍ଵାଧୀନତା ସଂଗ୍ରାମ ଠାରୁ କୃଷକ ଓ ଶ୍ରମିକ ଆନ୍ଦୋଳନ ପର୍ଯ୍ୟନ୍ତ ପୁଣି ବାମପନ୍ଥୀ ପ୍ରଜା ଆନ୍ଦୋଳନ ଠାରୁ ସଂସଦୀୟ ରାଜନୀତି ପର୍ଯ୍ୟନ୍ତ ପ୍ରାଣନାଥଙ୍କ ଜୀବନଯାତ୍ରା ସୁଦୀର୍ଘ ଓ ଘଟନା ବହୁଳ । ସାରା ଜୀବନ ଜନସେବା ଓ ଜନ ସଂଘର୍ଷରେ ମଗ୍ନ ଥାଇ ମଧ୍ୟ ସେ ନିଜର ସାରସ୍ଵତ ସାଧନା ଅବ୍ୟାହତ ରଖିଥିଲେ । ଜଣେ ପ୍ରଜ୍ଞାଦୀପ୍ତ ପ୍ରାବନ୍ଧିକ ଭାବରେ ସେ ଓଡ଼ିଆ ସାହିତ୍ୟରେ ଆୟୁଷ୍ମାନ ହୋଇ ରହିଛନ୍ତି ।

 

ଓଡ଼ିଶାର ସାରସ୍ଵତ ସାଧକମାନଙ୍କ ସାଧନା ଓ ସିଦ୍ଧିକୁ ଭିତ୍ତିକରି କ୍ଷୁଦ୍ର ଜୀବନୀ ପୁସ୍ତକ ବା ମନୋଗ୍ରାଫ୍‍ ପ୍ରକାଶ କରିବା ଓଡ଼ିଶା ସାହିତ୍ୟ ଏକାଡେମୀର ନିୟମିତ କାର୍ଯ୍ୟକ୍ରମର ଅଂଶ ବିଶେଷ । ଏହି କ୍ରମରେ “କୋଟିପ୍ରାଣର ମଣିଷ : ପ୍ରାଣନାଥ” ପୁସ୍ତକଟି ପ୍ରକାଶ କରି ଓଡ଼ିଶା ସାହିତ୍ୟ ଏକାଡେମୀ ପରିବାର ନିଜକୁ ଗୌରବାନ୍ଵିତ ମନେ କରୁଛି ।

 

ପ୍ରବୀଣ ଅଧ୍ୟାପକ ତଥା ସୁଲେଖକ ସ୍ଵର୍ଗତ ଅବନୀ କୁମାର ବରାଳ ଓଡ଼ିଶା ସାହିତ୍ୟ ଏକାଡେମୀର ଅନୁରୋଧ କ୍ରମେ ଏହି ଜୀବନୀ ପୁସ୍ତକ ରଚନାକରି ସାହିତ୍ୟ ଏକାଡେମୀକୁ ତା’ର ପାଣ୍ଡୁଲିପି ପ୍ରଦାନ କରିଥିଲେ । ଏହାର କିଛି ଦିନ ପରେ ତାଙ୍କର ଦେହାବସାନ ଘଟିଥିଲା । ପୁସ୍ତକଟି ପ୍ରକାଶ ପାଇବା ଅବସରରେ ମୁଁ ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ସ୍ଵର୍ଗତ ବରାଳଙ୍କ ଅକୁଣ୍ଠ ସହଯୋଗକୁ ସଶ୍ରଦ୍ଧ ସ୍ମରଣ କରିବା ସଙ୍ଗେ ସଙ୍ଗେ ତାଙ୍କ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ।

ଏହି ଜୀବନୀ ଗ୍ରନ୍ଥ ଯେ ଅମିତ ପାଠକୀୟ ଆଦୃତି ଲାଭ କରିବ, ଏଥିରେ ସନ୍ଦେହ ନାହିଁ

 

 

ବିଜୟ କୁମାର ନାୟକ

୧୫ ଅଗଷ୍ଟ, ୨୦୧୪

ସଚିବ

ଭୁବନେଶ୍ୱର

ଓଡ଼ିଶା ସାହିତ୍ୟ ଏକାଡେମୀ

 

 

ଉପୋଦ୍‍ଘାତ

 

ମୋ’ ପକ୍ଷରେ ଅତ୍ୟନ୍ତ ଆନନ୍ଦପ୍ରଦ ଓ ଗୌରବର କଥା ଯେ, ଓଡ଼ିଶା ସାହିତ୍ୟ ଏକାଡେମୀ”, ମୋତେ ମୋର ଅତି ପ୍ରିୟ ନେତା ପ୍ରାଣନାଥ ପଟ୍ଟନାୟକଙ୍କ ଉପରେ ଏକ ସଂକ୍ଷିପ୍ତ ଜୀବନୀ ବ। ପ୍ରୋଫାଇଲ୍‍ଟିଏ ଲେଖିଦେବାକୁ ଆଦେଶ ଦେଇଛନ୍ତି ।

 

ସାହିତ୍ୟ ଏକାଡେମୀଙ୍କର ନିର୍ଦ୍ଧାରିତ ସମୟ ନିର୍ଦ୍ଧାରଣ ମୁଁ ରକ୍ଷା କରିପାରିନାହିଁ । ସେଥିପାଇଁ ବିନମ୍ର କ୍ଷମାପ୍ରାର୍ଥନା କରୁଛି । ନିର୍ଦ୍ଧାରିତ ତାରିଖ ଠାରୁ ଅନେକ ବିଳମ୍ବ ହୋଇଯାଇଛି ବୋଲି ।

 

ମୋ’ ନିୟନ୍ତ୍ରଣ ବାହାରେ ପ୍ରାଣନାଥଙ୍କ ଜୀବନ ଓ ଜୀବନୀ ମୋତେ ଗଭୀର ଭାବରେ ପ୍ରଭାବିତ କରିଛି । ପ୍ରାଣନାଥ ପଟ୍ଟନାୟକ ଏକ ବିଚିତ୍ର ଅନମନୀୟ ବ୍ୟକ୍ତିତ୍ଵ । ଅତ୍ୟନ୍ତ ଗ୍ରାମୀଣ - ମଫସଲି ଜୀବନ ବିତାଉଥିଲେ । ପାନ, ବିଡ଼ି, ଚା, ସିଗାରେଟ୍‍, ସ୍ପର୍ଶ କରୁନଥିଲେ । ବିଡ଼ିଖଣ୍ତେ ଭାଙ୍ଗି ତା’ ଭିତରେ ଥିବା ତମାଖୁତକ କାଢ଼ି ସେଥିରେ ଟିକେ ଚୂନ ବୋଳି, ଘଷିଦେଇ ଓଠତଳେ ଚିପି ରଖିବା ଏବଂ ଚାଷୀଙ୍କର ଖଇନୀ ଖାଇବା ପରି ତାକୁଇ ଖଇନୀ କରି ଖାଉଥିଲେ । ପ୍ରାଣନାଥ ନିଷ୍ପାପ ଶିଶୁ ପରି ସରଳ, କୋମଳ, ପୁଣି ସ୍ଵାଧୀନତା ସଂଗ୍ରାମରେ ପଶୁଭଳି ନିରଙ୍କୁଶ - ଅଦମନୀୟ - ବଜ୍ରଠାରୁ କଠୋର ।

 

ଆମ ରାଜ୍ୟରେ ବହୁ ବ୍ୟକ୍ତି ବ୍ୟକ୍ତିତ୍ଵଙ୍କ ମଧ୍ୟରେ ପ୍ରାଣନାଥ ଏକ ନିଆରା ମଣିଷ । ଭିନ୍ନ ବ୍ୟକ୍ତିତ୍ଵ ଯିଏ ରାଜ୍ୟର ସର୍ବୋଚ୍ଚ ଶିକ୍ଷିତ ବ୍ୟକ୍ତି, ତାଙ୍କର ଏକଦା ଗୁରୁ ଡକ୍ଟର ପ୍ରାଣକୃଷ୍ଣ ପରିଜା, ତାଙ୍କର ଶ୍ରେଣୀବନ୍ଧୁ ଡକ୍ଟର ସଦାଶିବ ମିଶ୍ର ହରିକାଙ୍କର ପ୍ରିୟବନ୍ଧୁ ଏବଂ ସେମାନଙ୍କ ସହିତ ତାଙ୍କ ସ୍ତରର ଆଲୋଚନା କରିପାରନ୍ତି; ପୁଣି ତାଙ୍କର ସଦା ସହଚର ତାଙ୍କ ମେସ୍‍ର, ଖୋର୍ଦ୍ଧାର ପୁରୁଣା ଦିନର ପିଲାରୁ ବୁଢ଼ା ସବୁରି ଅଜା “ଗୁଣଅଜା”, ଚନ୍ଦକାର ଫରେଷ୍ଟ ଗାର୍ଡ଼ ଅନନ୍ତ ଡେଙ୍ଗ, ଖୋର୍ଦ୍ଧା ବସ୍‍ଷ୍ଟାଣ୍ଡର ଚା’ ଜଳଖିଆ ଦୋକାନୀ/ସ୍ଵାଧୀନତା ସଂଗ୍ରାମୀ ଦୀନ ଭାଇନା ଓରଫ ଦୀନବନ୍ଧୁ ମିଶ୍ର କୁଦନ ରାମ, ଜ୍ୟୋତିଷ/ପୂଜକ ବଇଦା'ନ୍ନା, କେଉଁ ଅପନ୍ତରା ପଲ୍ଲୀ ଗାଁର ପାଣୁଆ ଭୋଇ, ଦନେଇ, ବାରିକ ସମସ୍ତଙ୍କର ପ୍ରିୟ ବନ୍ଧୁ ଓ ଆତ୍ମୀୟ ।

 

ବେଳେ ବେଳେ ଆମେ ପାଠୁଆ, ବୁର୍ଜୋୟାମାନେ ତାଙ୍କୁ ଗାଁ ଗହଳିରେ କାହା ଓଳି ପିଣ୍ତାତଳେ ବସି ଆଲୋଚନାରତ ଦେଖି ପରିହାସ କରୁ - ତାଙ୍କୁ ସଂସ୍କୃତି ସମ୍ପନ୍ନ, ବିଦ୍ଵାନ ବୋଲି ଗ୍ରହଣ କରିବାକୁ ନାକ ଟେକିଥାଉ । ମାତ୍ର ସେଥି ବି ତାଙ୍କର ଘେନା ନାହିଁ ।

 

ଆଜିକାଲି ସାଧାରଣ ୱାର୍ଡ଼ ମେମ୍ବର ନିର୍ବାଚନ କି ଗାଁ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ ଦାମିକା ଗାଡ଼ିରେ ନଗଲେ କେହି ପ୍ରତିଦ୍ୱନ୍ଦିତା କରିବେ ନାହିଁ । ସାଧାରଣ ନିର୍ବାଚନରେ ଖୋର୍ଦ୍ଧାରୁ ଛିଡ଼ା ହୋଇ ଗାଁ କୁ ଗାଁ, ଘରକୁ ଘର ତାଙ୍କର ସମଯୋଦ୍ଧା ସାଥୀ ଗୋକୁଳ ମୋହନ ରାୟଚୂଡ଼ାମଣୀ, କିମ୍ବା ପର୍ଶୁରାମ ପଦାତିକରାୟ ଅବା ଆଉ କାହା ସାଥୀରେ ପାଦରେ ଚାଲି ଚାଲି ଯାଉଥିବା ଆଉ କାହାରିକୁ ମୁଁ ଜୀବଦ୍ଦଶାରେ ମୁଁ ଦେଖିନାହିଁ । ଭୋଟରେ ଜିଣନ୍ତୁ କି ନଜିଣନ୍ତୁ ସେଥିରେ ନିରୁଦ୍‍ବିଘ୍ନ ଚିତ୍ତ ହୋଇ ଜନସେବା, ମଣିଷଙ୍କ ପାଇଁ ଯୁଝିବା, ହାରିବା ଜିତିବାକୁ ପୋଛିଦେଇ କାମ କରିବା ଏବର ନିର୍ବାଚନ ପଟ୍ଟଭୂମିରେ କେହି ବିଶ୍ଵାସ ହିଁ କରିବେ ନାହିଁ । ପ୍ରାଣନାଥ ତାଙ୍କର ସମସ।ମୟିକ ସମଧର୍ମୀ ବନ୍ଧୁମାନଙ୍କର ରାଜନୈତିକ, ସମାଜସ୍ଥିତି ସମ୍ପର୍କିତ ଆଲୋଚନା, ଆଜିକାଲି ସଭା ପଛକୁ “ଲଞ୍ଚ୍‍” “ଡ଼ିନର୍‍” ରଖାଯାଇ, ଶୀତତାପ ନିୟନ୍ତ୍ରିତ କୌଣସି ଦାମୀ ହୋଟେଲ କକ୍ଷରେ ହେଉନଥିଲା - ହେଉଥିଲା ଗାଁ ମୁଣ୍ଡର ଗହଳିଆ ଆମ୍ବତୋଟାରେ, ଭାଗବତ ଟୁଙ୍ଗୀରେ, ଅବା କାହା ଖଳାବାଡ଼ିରେ । ଖଣି ଚୋରଙ୍କଠାରୁ ବିତ୍ତ ସଂଗ୍ରହ କରି ନୁହଁ - ଗାଁ ଗହଳର ଖଟିଖିଆ, ଚାଷୀ, ମୂଲିଆ, ପାଖରୁ ଚାଉଳ, ଡାଲି, ଧାନ - ମୁଗ ପାଇଲିଏ/ମାଣେ ସଂଗ୍ରହ କରି କରି - କାହାର ବାହାଘର, ଶୁଦ୍ଧିଘର, ଭୋଜିବେଳେ ସେଇଠି ଖାଇଦେଇ, ସମାଜସେବା, ସ୍ଵାଧୀନତା ପାଇଁ ଲଢ଼େଇ, ରାଜନୀତି କରାଯାଉଥିଲା । ସମସ୍ତ ସୁଖ, ସଂଭୋଗକୁ ତ୍ୟାଗକରି -

 

ଏବେକାର ପ୍ରାଣନାଥ (ଅଟୋ) ମହାବିଦ୍ୟାଳୟ, ପ୍ରାଣନାଥ ଯାହାକୁ ସବୁବେଳେ ଖୋର୍ଦ୍ଧା ଜନଗଣଙ୍କର ନୟନ ପିତୁଳା ବୋଲି କହୁଥିଲେ/ଲେଖୁଥିଲେ ଯେଉଁଠାରେ ଏବେ ଅଚଳାଚଳ ସମ୍ପତ୍ତି, ବିଜ୍ଞାନାଗାର, ଆସବାବପତ୍ର, ବିଜ୍ଞାନାଗାର ଅଛି, କେହି ବର୍ତ୍ତମାନ ହୁଏତ ବିଶ୍ଵାସ କରିବେ ନାହିଁ, ଯେ ସେ କଲେଜ ପାଇଁ ପ୍ରାଣନାଥ ଓ ତାଙ୍କ ସାଥିମାନେ ଏପରିକି ଆମେମାନେ ମଧ୍ୟ ବାଣପୁର, ନୟାଗଡ଼, ଟାଙ୍ଗୀ, ରଣପୁର, ଚନ୍ଦକା, ଜଟଣୀ ଆଦିରେ ଚାନ୍ଦାଭେଦା ମାଗୁଥିଲୁ । ଏ ପର୍ଯ୍ୟନ୍ତ କଲେଜରେ ଖୋଜିଲେ ମିଳିବ, ପ୍ରାଥମିକ ମିଳିଥିବା ଚାନ୍ଦାର ମୁଦ୍ରିତ ବିବରଣୀରେ ଜଣେ ମାତ୍ର ଦାତା ସେ ଖାତାରେ ଦଶ ହଜାର ଟଙ୍କା ଦାନ ଦେଇଥିଲେ ବୋଲି ଉଲ୍ଲେଖ କରାଯାଇଛି - ପ୍ରାଣନାଥଙ୍କ ହାତରେ । ଅନେକ ବ୍ୟକ୍ତି ରାଜନୈତିକ ବିରୋଧୀତା ଯୋଗୁଁ ତାଙ୍କୁ ନିଜ ଦୋକାନ ବାରଣ୍ଡାକୁ ଚଢ଼ିବାକୁ ମନା କରିଦେଉଥିଲେ - ଭାଗଚାଷୀ ଆନ୍ଦୋଳନରେ ତାଙ୍କ ନାଁରେ ମଳିପଡ଼ାର ମଠର ଜମି ମାଲିକ ମହନ୍ତ, “ଲଙ୍ଗଳଚୋରୀ” ବେଶରେ ପକାଇଥିଲେ - ପ୍ରାଣନାଥଙ୍କର ତାହା ବହୁଳ ପ୍ରଚାରିତ “ଲଙ୍ଗଳଚୋର” ବୋଲି ନାଁ ହୋଇଗଲା ।

 

ସମଗ୍ର ଜୀବଦ୍ଦଶା ବିତାଇଥିବା ତାଙ୍କର ଖୋର୍ଦ୍ଧାର ଟାଉନହଲ ଛକ ଉପରେ ତାଙ୍କର ଜୀବନ - ପରିମାଣର ପ୍ରତିମୂର୍ତ୍ତି ପ୍ରାଣନାଥଙ୍କୁ ବିମୂର୍ତ୍ତି କରି ଏ ପୀଢ଼ିର ମଣିଷଙ୍କ ଆଗରେ ଉଭା କରାଇ ପାରିବ କି ନାହିଁ ସନ୍ଦେହ । କାରଣ ସ।ରାଜୀବନ ମଣିଷ ସେବାରେ ନିଜକୁ ବଳିଦାନ ଦେଇଥିବା ମଣିଷ, କୃଷକମାନଙ୍କ ସହିତ କାମ କରି ନିଜକୁ କୃଷକ ବନେଇ ଥିବା ମଣିଷଟି, ଏକ ତୃତୀୟାଂଶ ଜୀବନ ବ୍ରିଟିଶ ଜେଲ୍‍ ପୁଣି ସ୍ଵାଧୀନ ସରକାରଙ୍କ ଜେଲରେ ବିତାଇଥିବା ମଣିଷ, ପୁଣି ସମସ୍ତଙ୍କୁ ଶିକ୍ଷାଦାନ ଦିଆଇବା ପାଇଁ, ଜଟଣୀ ଷଣ୍ଢପୁରଠାରେ ବିଦ୍ୟାଳୟ, ଖୋର୍ଦ୍ଧାଠାରେ ମହାବିଦ୍ୟାଳୟ ଗଢ଼ିତୋଳାଇ ଥିବା ମଣିଷ ଜଣକୁ ଟିକିନିଖି ନଜାଣିଲେ ତାଙ୍କ କାହାଣୀ ନ ଆଉଡ଼ାଇଲେ କ’ଣ ସତରେ ବିମୂର୍ତ୍ତ କରିହେବ ମୂର୍ତ୍ତିଟିରେ ? ତାଙ୍କର ଜୀବନ ଚିତ୍ର ସମସ୍ତଙ୍କ ସମ୍ମୁଖରେ ତୋଳି ଧରାଯାଇପାରିବ ? ଉଭା କରାଯାଇପାରିବ ?

 

ସମଗ୍ର ଜୀବନ “ଲଙ୍ଗଳ ଚୋର” କୃଷକ ନେତା ଆଖ୍ୟାନ ପାଇଥିବା ମଣିଷଟିକୁ ପ୍ରଗତିଶୀଳ ସାହିତ୍ୟର ରୀତିନୀତି ବୁଝାଇବାକୁ ବସି “ଆସନ୍ତାକାଲିର ସାହିତ୍ୟ” ଲେଖକ ଏବଂ “ସାରଥି”, “ନବଭାରତୀ”, “ନୂଆ ଦୁନିଆ”, “ସମାବେଶ”, “ଆସନ୍ତା କଲି” ନବଜୀବନ ଆଦି ପତ୍ରପତ୍ରିକାରେ ଧାରାବାହିକ ଭାବରେ ଲେଖୁଥିବା ମଣିଷ ରୂପେ ପରିଚିତ କରାଇବା ବାସ୍ତବରେ ଦୁଃସାଧ୍ୟ ବ୍ୟାପାର । ସେଇଥିପାଇଁ ତାଙ୍କର ସାଥୀ, ସୋଦର, ସମଧର୍ମୀ ବନ୍ଧୁ ସମଯୋଦ୍ଧା ତାଙ୍କୁ ଭଲପାଉଥିବା ନାନା ସ୍ଥିତିରେ ମଣିଷମାନଙ୍କର ଲେଖା, ରେଖା, ପୋଲିସ୍‍ ଫାଇଲ୍‍ ଘାଣ୍ଟି ଘାଣ୍ଟି ତାଙ୍କ ଚିତ୍ର ସମସ୍ତଙ୍କ ସମକ୍ଷରେ ଠିଆ କରାଇବା ପାଇଁ ଉଦ୍ୟମରୁ ଏ ଲେଖା । ପ୍ରାଣନାଥ ବା ପ୍ରାଣନାଥଙ୍କ ପରି ପୁରୁଣା ଦିନରେ ସଂସାର ତ୍ୟାଗୀ ସ୍ଵାଧୀନତା ସଂଗ୍ରାମୀ/କମ୍ୟୁନିଷ୍ଟମାନଙ୍କର ବିଚିତ୍ରବର୍ଣ୍ଣ, ବିଚିତ୍ରକର୍ମା, ମଣିଷ ଯେଉଁମାନେ ଜୋତା ସିଲାଇ ଠାରୁ ଚଣ୍ଡୀପାଠ ସବୁଥିରେ ଦୋରସ୍ତ ମଣିଷ ପରି ମଣିଷଟିକୁ ସମସ୍ତଙ୍କ ସମ୍ମୁଖରେ ଠିଆ କରିପାରିଛି କି ନାହିଁ, ତାହାର ବିଚାରକ ଆପଣମାନେ । ପାଠକମାନେ, ଯଦି ପ୍ରାଣନାଥଙ୍କର ଚିତ୍ର ଆପଣ ମାନଙ୍କ ସମକ୍ଷରେ ବାଢ଼ିବାର ସମର୍ଥ ହୋଇଯାଏ, ତେବେ ମୋର ଶ୍ରମ ସାର୍ଥକ ମଣିବି ।

 

ସାହିତ୍ୟ ଏକାଡେମୀର କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ।

 

ସାହିତ୍ୟିକ ପ୍ରାଣନାଥ, ସ୍ଵାଧୀନତା ସଂଗ୍ରାମୀ ପ୍ରାଣନାଥ, ଶିକ୍ଷାବିତ୍‍ ପ୍ରାଣନାଥ, କୃଷକନେତା ପ୍ରାଣନାଥଙ୍କୁ ମୋର କୋଟି କୋଟି ପ୍ରଣାମ ।

 

 

୪୩, ଭୌମନଗର

 

ସଚିବାଳୟମାର୍ଗ, ଭୁବନେଶ୍ଵର - ୧

 

ସୂଚିପତ୍ର

ଅଧ୍ୟାୟ

 

ନାମ

ପ୍ରଥମ

-

ପ୍ରାଣନାଥଙ୍କ ନିଜ ତୁଣ୍ଡରେ ନିଜକଥା

ଦ୍ୱିତୀୟ

-

ସତ୍ୟାଗ୍ରହର ଆନ୍ଦୋଳନ ଓ ମୋର ଭୂମିକା

ତୃତୀୟ

-

ଖୋର୍ଦ୍ଧାରେ ଆନ୍ଦୋଳନ ଦାୟିତ୍ଵ

ଚତୁର୍ଥ

 

-

କଂଗ୍ରେସ ଭିତରେ କଂଗ୍ରେସ ସାମ୍ୟବାଦୀ କର୍ମୀ ସଂଘ ଓ କଂଗ୍ରେସ ସୋସାଲିଷ୍ଟ ପାର୍ଟି ଗଠନରେ ପ୍ରାଣନାଥଙ୍କ ଅବଦାନ

ପଞ୍ଚମ

-

ମହାନ ଜାତୀୟତବାଦୀ କବି କୃଷ୍ଣମୋହନ ପଟ୍ଟନାୟକଙ୍କର ସୁକନ୍ୟା ମଞ୍ଜରୀଙ୍କର ପାଣିଗ୍ରହଣ

ଷଷ୍ଠ

-

ଖୋର୍ଦ୍ଧାରୁ ଲାଟସଭାକୁ ନିର୍ବାଚନରେ ପ୍ରାଣନାଥଙ୍କର ବିପୁଳ ବିଜୟ

ସପ୍ତମ

-

ଓଡ଼ିଶାରେ କୃଷକ, ଚାଷୀ - ମୂଲିଆ ସଂଗଠନର ପଥୀକୃତ୍‍ ପ୍ରାଣନାଥ

ଅଷ୍ଟମ

-

ଗଡ଼ଜାତ ପ୍ରଜା ଆନ୍ଦୋଳନରେ ଅଂଶଗ୍ରହଣ, ଢେଙ୍କାନାଳର ବାଜିରାଉତ ନିଧନ ଏବଂ ରଣପୁରରେ ବେଜେଲଗେଟ୍‍ ହତ୍ୟା ।

ନବମ

-

ଦ୍ଵିତୀୟ ବିଶ୍ୱଯୁଦ୍ଧ ଆରମ୍ଭ : ରାଜଦ୍ରୋହ ମାମଲା ଓ ବନ୍ଦୀ ଜୀବନ

ଦଶମ

-

ସୁଦୀର୍ଘ ଜେଲ୍‍ ଜୀବନ ଓ ସେହି ଜେଲ୍‍ କୋଠରୀ ଭିତରେ ଶିକ୍ଷାପ୍ରାପ୍ତି ତଥା ଶିକ୍ଷାଦାନ

ଏକାଦଶ

-

ଲଙ୍ଗଳ ଚୋର ପ୍ରାଣନାଥ ଏବଂ ଭାଗଚାଷୀ ଆନ୍ଦୋଳନର ଜୁଆର

ଦ୍ଵାଦଶ

-

ସମାଜବାଦୀ : କର୍ମଯୋଗୀ ପ୍ରାଣନାଥ

ତ୍ରୟୋଦଶ

-

ନିର୍ବାଚନ ମକଦ୍ଧମାରେ ବିଜୟୀ ହୋଇ ୧୯୫୭ ନିର୍ବାଚନରେ ବିଧାନସଭାରେ ପ୍ରାଣନାଥ

ଚତୁର୍ଦ୍ଦଶ

-

ଓଡ଼ିଆ ପ୍ରଗତିଶୀଳ ସାହିତ୍ୟକୁ ପ୍ରାଣନାଥଙ୍କ ଅବଦାନ

ପଞ୍ଚଦଶ

-

ସାହିତ୍ୟର ମୂଲ୍ୟବୋଧ ମୂଲ୍ୟାୟନରେ ପ୍ରାଣନାଥ ଏବଂ ପ୍ରାଣନାଥଙ୍କର ସାହିତ୍ୟପ୍ରୀତି

ଷୋଡ଼ଶ

-

ପ୍ରାଣନାଥଙ୍କର ମାନସପୁତ୍ର ଖୋର୍ଦ୍ଧା ପ୍ରାଣନାଥ ମହାବିଦ୍ୟାଳୟ

ସପ୍ତଦଶ

-

ପ୍ରାଣନାଥଙ୍କର ରୁଷିଆ ଯାତ୍ରା

ଅନ୍ତିମ

-

ପ୍ରାଣନାଥଙ୍କ ଶେଷଯାତ୍ରା

 

ପ୍ରଥମ ଅଧ୍ୟାୟ

ପ୍ରାଣନାଥଙ୍କ ନିଜ ତୁଣ୍ଡରେ ନିଜକଥା

 

ମୋର ଜାଣିବାରେ ଓଡ଼ିଶାରେ ତଥା ଭାରତବର୍ଷରେ ବହୁ କମ୍‍ ବ୍ୟକ୍ତି ଅଛନ୍ତି, ଯେଉଁମାନେ ନିଜେ ନିଜର ମୂଲ୍ୟାୟନ କରି ସମାଜରେ ନିଜର ସ୍ଥାନ ନିରୂପିତ କରିଛନ୍ତି ଏବଂ ତାହା ଅକପଟ ଭାବରେ ସମସ୍ତଙ୍କ ପାଇଁ ପ୍ରକାଶ କରିଛନ୍ତି । ମହାତ୍ମାଗାନ୍ଧୀଙ୍କ ପରି କୋଟିକରେ ଗୋଟିଏ “ମୋ’ ଜୀବନରେ ସତ୍ୟର ପରୀକ୍ଷା” କରିଥା”ନ୍ତି ଓ କହିଥାଆନ୍ତି । ପ୍ରାଣନାଥ ପଟ୍ଟନାୟକ ଅତ୍ୟନ୍ତ ସରଳ ଓ ହୃଦୟସ୍ପର୍ଶୀ ଭାଷାରେ, ନିଜକୁ ବିଶ୍ଳେଷଣ କରି ଲେଖିଛନ୍ତି । ଚିକିତ୍ସା ପାଇଁ କଲିକତା ଯିବା ପୂର୍ବରୁ ପ୍ରାଣନାଥ ଖଣ୍ଡେ ଛୋଟ ଖାତାରେ ନିଜର ଆତ୍ମଜୀବନୀ ଲେଖିବାକୁ ଆରମ୍ଭ କରିଥିଲେ । ଦୁର୍ଭାଗ୍ୟଜନକ ଭାବରେ ତାଙ୍କ ହସ୍ତାକ୍ଷରରେ ଲେଖା ଖ।ତାଟିକୁ କବି ରବି ସିଂ କୌଣସି କାଗଜ ବିକିଲା ବାଲା ଠାରୁ ପାଇ ମୋତେ କହିବାରୁ ଯେତିକି ମିଳିଛି ସେତକ ଅବିକଳ ତାଙ୍କ ତୁଣ୍ଡରେ ନିଜ କଥା ଭାବରେ ଲିପିବଦ୍ଧ କରୁଛି ।

 

ସମାଜରେ ମୋର ସ୍ଥାନ :

“ସମାଜରେ ବିଭିନ୍ନ ଲୋକଙ୍କର ବିଭିନ୍ନ କାର୍ଯ୍ୟରେ ଶାନ୍ତି ଓ ସନ୍ତୋଷ । (ତେଣୁ) ଆମ ସମାଜରେ ବିଭିନ୍ନ ମନୋଭାବାପନ୍ନ ଲୋକ ଅଛନ୍ତି । ସାଧାରଣ ଲୋକେ ନିଜର ଜୀବନଧାରଣ ପାଇଁ, ଶ୍ରମ ବିକ୍ରିକରି ଉପାର୍ଜ୍ଜିତ ଅର୍ଥରେ ସୁଖ, ଦୁଃଖ ସହି ସଂସାର କ୍ଷେତ୍ରରେ ଯାତ୍ରା ଚଳାଇଛନ୍ତି । ଅନ୍ୟ ଏକ (ପ୍ରକାର) ମନୋଭାବାପନ୍ନ ଲୋକ ଅଛନ୍ତି, ଯେଉଁମାନେ ନ୍ୟାୟରେ ହେଉ ବା ଅନ୍ୟାୟରେ ହେଉ, ଲୋକ ପୀଡ଼ନ ଅଥବା ଲୋକ ଶୋଷଣରେ ହେଉ, କଳେ ବଳେ କୌଶଳେ ଧନ ଉପାର୍ଜ୍ଜନରେ ରତ ରହି ଧନ ସଞ୍ଚୟରେ ପରମ ଆନନ୍ଦ ଲାଭ କରନ୍ତି । ଆହୁରି ଦଳେ ଲୋକ ଅଛନ୍ତି, ଯେଉଁମାନେ ବଡ଼ ବଡ଼ ଚାକିରୀ କରି ବଡ଼ ବଡ଼ ହାକିମ ହୁକୁମା ହୋଇ ଲୋକଙ୍କଠାରୁ ନିଜକୁ ଯେତେ ଯେତେ ଦୂରରେ ରଖିପାରନ୍ତି ସେତେ ସେତେ ଆନନ୍ଦ ଅନୁଭବ କରନ୍ତି । ଆହୁରି କେତେକ ଲୋକ ଅଛନ୍ତି, ସେମାନେ ଲୋକଙ୍କୁ ଯେତିକି ଭଲ ପାଆନ୍ତି ଓ ଲୋକଙ୍କର ହାନିଲାଭ ବୁଝନ୍ତି ଓ ଲୋକସେବା କରନ୍ତି, ସେତିକି ଆନନ୍ଦ ଲାଭ କରନ୍ତି ।

 

ସମାଜରେ ଏହି ବିଭିନ୍ନ ମନୋଭାବାପନ୍ନ ଓ କାର୍ଯ୍ୟରତ ଲୋକଙ୍କ ଭିତରେ ମୋ’ ସ୍ଥାନ କେଉଁଠି ଓ କେଉଁ ଧରଣର ମନୋଭାବ ମୋ’ ଜିବନକୁ ଆଚ୍ଛାଦିତ ଓ ପରିଚାଳିତ କରିଛି, ସେହିକଥା ମୁଁ ଅନେକ ସମୟରେ ଭାବେ । ମୋତେ ମୁଁ ବାରମ୍ବାର ବିଶ୍ଳେଷଣ କରି ବୁଝିପାରିଛି ଯେ, ଏହି ଶେଷୋକ୍ତ ମନୋଭାବ ହିଁ ମୋତେ ପିଲାଦିନୁ ପରିଚାଳିତ କରିଆସିଛି । ବିଗତ ୫୦ ବର୍ଷର ମୋର କାର୍ଯ୍ୟାବଳୀ ପର୍ଯ୍ୟାଲୋଚନା କରି ମୁଁ ଏହି ସିଦ୍ଧାନ୍ତରେ ଉପନୀତ ହୋଇଛି । ଜୀବନରେ ଯଦିବା କୌଣସି ସମୟରେ ଏହି ନୀତିରୁ କ୍ଵଚିତ୍‍ ବିଚ୍ୟୁତ ହୋଇଛି ବା ପଛରେ ପଡ଼ିଯାଇଛି, ପୁଣି ଦୌଡ଼ିଧପଡ଼ି ଯଥା ସ୍ଥାନରେ ପହଞ୍ଚିଛି ।

 

“ମୋର ଅସୀମ ଆନନ୍ଦ ଓ ପରମ ଶାନ୍ତି ଯେ, ଜୀବନରେ ସୁବିଧାବାଦ ମୋତେ କଦାପି ଆକ୍ରମଣ କରିପାରିନାହିଁ ଅଥବା ବିପଥଗାମୀ କରାଇପାରିନାହିଁ । ଜନସାଧାରଣଙ୍କ ସୁବିଧା ଓ ସ୍ଵାର୍ଥ ଦୃଷ୍ଟିରୁ ଏବଂ ଏକ ସୁନ୍ଦର, ସୁସ୍ଥ, ସମୃଦ୍ଧିଶାଳୀ ସମାଜ ଗଠନ ଦିଗରେ ଯାହା ବୈଜ୍ଞାନିକ ରାସ୍ତା ଓ ବ୍ୟବସ୍ଥା ବୋଲି ମୋର ହୃଦ୍‍ବୋଧ ହୋଇଛି, ସେଥିପାଇଁ ଯେତେ କଷ୍ଟ ବା ଅସୁବିଧା ହେଉ ପଛେ, ଅବା ଯେତେ ତ୍ୟାଗ କରିବାକୁ ପଡ଼ୁ ପଛକେ, ତାହା କରିବାରେ ମୁଁ ତିଳେହେଲେ ପଛାଇଲା ପରି ମନେ ହେଉନାହିଁ । ଏହି କାର୍ଯ୍ୟରେ ଲାଗି ରହିବା ଓ ଆଗେଇବା ପାଇଁ ମୁଁ ସବୁବେଳେ ଚେଷ୍ଟା କରିଆସିଛି । ଲୋକଙ୍କ ସୁବିଧା ଓ ଉନ୍ନତି ପାଇଁ ବିଭିନ୍ନ ସମୟରେ, ସେମାନଙ୍କୁ ସଂଗ୍ରାମରତ କରାଇବା ଦ୍ଵାରା, ମୁଁ ନିଜେ ଜଣେ ସଂଗ୍ରାମୀ ଲୋକ ରୂପେ ନିଜକୁ ତିଆରିକରି ଆସିଛି-। କୌଣସି ଅସୁବିଧା, କୌଣସି ଲାଭ, ସ୍ଵାର୍ଥ ମୋତେ ଯେପରି କୌଣସି ସମୟରେ ଦୁର୍ବଳ ନକରେ, ସେଥିପାଇଁ ମୁଁ ସବୁବଳେ ସଚେତନ ରହିଆସିଛି ଓ ନିଜେ ନିଜର ଜଗୁଆଳ ରୂପେ କାର୍ଯ୍ୟ କରିଆସିଛି । ମୋର ଧାରଣା, ମୁଁ ନିଜେ ନିଜକୁ ସେତିକି ପରିମାଣରେ ଜଗିପ।ରିଛି ବୋଲି ଏବଂ ଦୁର୍ବଳ ମୁହୂର୍ତ୍ତରେ ଟାଣ ଧରିବାକୁ ଚେଷ୍ଟା କରିଛି ବୋଲି ୪୦ ବର୍ଷ କାଳ, ସ୍ଵାଧୀନତା ସଂଗ୍ରାମରେ ଏବଂ କମ୍ୟୁନିଷ୍ଟ ପାର୍ଟିଭଳି ଏକ କଷ୍ଟକର ଓ ସୁଶୃଙ୍ଖଳ ପାର୍ଟିରେ ସମାଜବାଦ ପ୍ରତିଷ୍ଠା ପାଇଁ କାର୍ଯ୍ୟ କରିଚାଲିଛି । ତାହା ନକରିଥିଲେ ହୁଏତ ଜୀବନରେ କେଉଁ ଦୁର୍ବଳ ମୁହୂର୍ତ୍ତରେ ଗୋଡ଼ ଖସିଯାଇଥାନ୍ତା ଏବଂ ମୁଁ କେଉଁ ଅତଳ ଗହ୍ଵରରେ, କେଉଁ ଶିବିରରେ ଥାଆନ୍ତି ତାହା କହିବା କଷ୍ଟକର । ମୋରି ଭଳି ଓ ମୋରି ଅବସ୍ଥାର ବହୁ ବିଜ୍ଞ ଓ ବିଚକ୍ଷଣ ରାଜନୈତିକ ଯୋଦ୍ଧାଙ୍କର ଏହି ୪୦ ବର୍ଷର ସଂଗ୍ରାମ ଭିତରେ ବାରମ୍ବାର ଗୋଡ଼ ଖସିଯାଇଛି ଏବଂ ଆଜି ସେମାନେ ଯେତେ ପରିମାଣରେ ଲୋକଙ୍କ ପାଖରେ ରହିବାର କଥା ସେପରି ରହିପାରିନାହାନ୍ତି । ଅତୀତରେ ଏହି ସମସ୍ତ ଘଟଣାବଳୀର ଆଲୋଚନା ଓ ବିଶ୍ଳେଷଣ ହିଁ ଗୋଟିଏ ମୂଳକଥା ଦର୍ଶାଉଛି ଯେ, ମୋର ଲୋକଙ୍କ ପ୍ରତି ଅସୀମ ଶ୍ରଦ୍ଧା ଏବଂ ଲୋକସ୍ୱାର୍ଥକୁ, ମୁଁ ମୋ’ ନିଜର ସ୍ଵାର୍ଥରୂପେ ଯାହା ଗ୍ରହଣ କରିଆସିଛି ତାହା ହିଁ ଆଜି ମୋତେ ଲୋକଙ୍କ ପାଖରେ ଠିଆ କରାଇଛି ଓ ଲୋକଙ୍କ ଅନ୍ତର ଭିତରେ ପୋଷିରଖିଛି । ତାହା ହିଁ ମୋ’ ଜୀବନରେ ମୋତେ ଅପର ଆନନ୍ଦ ଦେଇଆସିଛି - ଯାହା ଫଳରେ ମୁଁ ଦୁଃଖକୁ ଦୁଃଖ, ଦୁରବସ୍ଥାକୁ ଅସୁବିଧା ବୋଲି କେବେ ଭାବିନାହିଁ । ସବୁବେଳେ ହସହସ ବଦନରେ ସବୁକଥା ସହି ନେଇଛି ଓ କର୍ମକ୍ଷେତ୍ରରେ ଆଗେଇ ଚାଲିଛି ଏବଂ ଦେହରେ ଓ ମନରେ ବଳ ଓ ସାହସ ଥିବା ପର୍ଯ୍ୟନ୍ତ ଏହି ଶାନ୍ତିଦାୟକ ଓ ଆନନ୍ଦମୟ କାର୍ଯ୍ୟ ଚଳାଇଥିବି ବୋଲି ମନସ୍ଥ କରିଛି । ତେଣୁ ମୁଁ ଆଜି ୬୪ ବର୍ଷ ବୟସରେ ପଦାର୍ପଣ କଲେ ମଧ୍ୟ ମୋ’ ମନକୁ ସବୁବେଳେ ଆଚ୍ଛାଦନ କରି, ମୋତେ କାର୍ଯ୍ୟକ୍ଷେତ୍ରରେ ଅଗ୍ରସର କରାଉଛି ଓ କରାଇବ ବୋଲି ମୋର ଆଶା ।”

 

ସଂକ୍ଷିପ୍ତ ପରିଚୟ :

ପୁରୀ ଜିଲ୍ଲାର, ଏବର ସାକ୍ଷୀଗୋପାଳ ଥାନା, ପୂର୍ବର କଣାସ ଥାନାରେ ଗୋଟିଏ କ୍ଷୁଦ୍ରଗ୍ରାମ ଡିମିରିରେ ଏକ ମଧ୍ୟବିତ୍ତ ଶ୍ରେଣୀରେ ୧୯୦୫ ମସିହା ନଭେମ୍ବର ତା ୧୬ ତାରିଖରେ ମୋର ଜନ୍ମ । ମୋର ପିତା ମଦନ ମୋହନ ପଟ୍ଟନାୟକ ଖୁବ୍‍ ପରିଶ୍ରମୀ ଓ ଲୋକପ୍ରିୟ ଲୋକ ଥିଲେ । ଆମର ସେତେବେଳେ ବୋଧହୁଏ ପନ୍ଦର ଏକର ଜମି ଥିଲା । (ତହିଁରୁ ଅଧିକାଂଶ ଜମି ଖାଲ ଜମି ଓ ବେଳେବେଳେ ଧୋଇରେ ଯାଏ) । ତଥାପି ବାପାଙ୍କ ପରିଶ୍ରମ ଯୋଗୁଁ ସାଧାରଣ ସମୟରେ ବର୍ଷକ ଚଳିଯାଏ । ସେ ମଧ୍ୟ ପ୍ରତିବର୍ଷ ଚାରିମାସରୁ ୫ ମାସ ପର୍ଯ୍ୟନ୍ତ ଅନ୍ୟାନ୍ୟ କାର୍ଯ୍ୟକରି ଅଭାବ ପୂରଣ କରନ୍ତି । ବାକୀ ସମୟତକ ନିଜ ଜମି ଚାଷ କରାଇବାରେ ଲାଗିଯାଆନ୍ତି-

 

ସେତେବେଳେ ଶସ୍ତା କାଳ । ମୋ’ ଦେଖିବାରେ ପିଲାଦିନେ ଟଙ୍କାରେ ୨୪ ସେର ଧାନ । ୧୬ ସେର ଚାଉଳ, ୧୬ ସେର ମୁଗ, ୨୪/୨୬ ସେର କୋଳଥ, ୧୨ ସେର ହରଡ଼ ମିଳୁଥାଏ । ଟଙ୍କା ପଇସାର ଚଳଣୀ (ନ୍ତି) ଖୁବ୍‍ କମ୍‍ଥାଏ । ମୁଁ କଣାସ ସ୍କୁଲରେ ପ୍ରାଇମେରୀ ପାଠ ପଢ଼ିବା ସମୟରେ, ପ୍ରତିଦିନ ଦୁଇ ମାଇଲ ଚାଲିକରି ଯାଏ ଏବଂ ପଇସାଟିଏ ଜଳଖିଆ ପାଇଁ ସାଙ୍ଗରେ ନେଇଥାଏ । ସେହି ପଇସାକରେ ମୁଢ଼ି, ଉଖୁଡ଼ାରେ ମନବୋଧ ହୋଇଯାଏ । ଯଦି ପଇସାକର ମୁଢ଼ି ଓ ଅଧଲାକର ଉଖୁଡ଼ା କିଣେ, ତେବେ ପେଟ ପୂରିଯାଏ (ଭରିଯାଏ)

 

ଚୁନା ପଇସାତକ ଭାରି ସାହାଯ୍ୟକାରୀ ହୁଏ ।

 

ମୋର ମା’ ଚିତ୍ରାଦେବୀ ଖୁବ୍‍ ଭଲ ଲୋକ ଥିଲେ ବୋଲି ମୁଁ ଶୁଣିଛି । କାରଣ ମୁଁ ଅଢ଼େଇ ବର୍ଷର ହୋଇଥିଲି ମୋର ମା’ ମରିଛନ୍ତି । (ମୋର ପିତା ଦ୍ୱିତୀୟବାର ବିବାହ କରିଥିଲେ-।) ଆମେ ପାଞ୍ଚ ଭାଇ ଓ ଗୋଟିଏ ଭଉଣୀ । ସବା ବଡ଼ଭାଇ ବନବିହାରୀ, ଦ୍ୱିତୀୟ ବ୍ରଜବନ୍ଧୁ, ତୃତୀୟ ଉଦୟନାଥ, ଚତୁର୍ଥ ଶ୍ରୀନାଥ, ମୁଁ ସବାସାନ (ପ୍ରାଣନାଥ) । ମୋର ଭଉଣୀ ଧନମଣି । ମୋର ମା’ ମରିଗଲା ପରେ ସେଇ ମୋର ସମସ୍ତ ଯତ୍ନନେଇ ମୋତେ ପିଲାଦିନେ ଚଳାଇଛନ୍ତି । (ଏହି ନାମଗୁଡ଼ିକ ପରେ ମଝିରେ ମଝିରେ ଆସିବ - ତେଣୁ ସେହି ନାମଗୁଡ଼ିକ ସହିତ ପ୍ରଥମରୁ ପାଠକମାନଙ୍କୁ ପରିଚୟ କରାଇଦେବା ଶ୍ରେୟସ୍କର ମନେ କରୁଛି । ମୋରି ଦେଖିବାରେ ମୋର ବଡ଼ ଭାଇଙ୍କର ବିୟୋଗ ହୋଇଛି । ତେଣୁ ଅନ୍ୟ ତିନିଭାଇ ମୋର ପାଠପଢ଼ା ଓ ରକ୍ଷଣାବେକ୍ଷଣା ଭାର ବହନ କରି ଆସିଛନ୍ତି । ମୋର ଭାଇମାନେ, ମୁଁ ପାଠ ପଢ଼ିବାବେଳେ ଖୁବ୍‍ ଭଲପାଉଥିଲେ ଏବଂ ଆଶା କରିଥିଲେ ଯେ, ମୁଁ ଗୋଟିଏ ଭଲ ଚାକିରୀ କରିବି । ସେମାନଙ୍କୁ ସାହାଯ୍ୟ କରିବି । ତାହା ସଙ୍ଗେ ସଙ୍ଗେ ଘରର ନାମ ରଖିବି, ଯାହାକି ସାମନ୍ତବାଦୀ ଓ ପୁଞ୍ଜିବାଦୀ ସମାଜରେ ପରିବାର ସେମାନଙ୍କ ପିଲାଙ୍କଠାରେ ଆଶା କରିଆଥାନ୍ତି । ମାତ୍ର କାଳକ୍ରମେ ମୁଁ ସ୍ଵାଧୀନତା ଆନ୍ଦୋଳନରେ ଯୋଗଦେଇ ବାରମ୍ବାର ଜେଲ୍‍ଯିବା ଦ୍ଵାରା ଏବଂ ଚାକିରୀ ନକରିବା ଦ୍ଵାରା ସେମାନଙ୍କର ସେ ଆଶା ପାଣିରେ ମିଳାଇଗଲା । ତେଣୁ ସେମାନେ ମୋ’ ପ୍ରତି ଟିକିଏ ଅସନ୍ତୁଷ୍ଟ ହେବା ସ୍ଵାଭାବିକ । ବେଳେ ବେଳେ କେବେ କେବେ ଦେଖାହେଲେ ସେମାନେ ଏହିକଥା କହିବାର ମୁଁ ଶୁଣିଛି ।

 

 

ଭଗବତୀଙ୍କ ସଙ୍ଗେ ଭେଟ :

ଗାଁ ଚାହାଳୀରେ ପଢ଼ାସାରି, କଣାସ ସ୍କୁଲରେ ଅପର ପ୍ରାଇମେରୀ ପାଶ୍‍କରି, ପୁରୀ ଜିଲ୍ଲା ସ୍କୁଲରେ ପୂର୍ବରୁ ଇଂରାଜୀ ପଢ଼ିନଥିବାରୁ “ସପ୍ତମ କ” ଶ୍ରେଣୀରେ ନାମ ଲେଖାଇଲି । ଯାହାକି ବର୍ତ୍ତମାନର ପଞ୍ଚମଶ୍ରେଣୀ । ମାଟ୍ରିକ୍ୟୁଲେସନ ପାଶ କଲା ପର୍ଯ୍ୟନ୍ତ ସାତବର୍ଷ ସେଠାରେ ପଢ଼ିଲି । ସେତେବେଳକୁ ମୋର ବଡ଼ଭାଇ ଉଦୟନାଥ ମାଟ୍ରିକୁଲେସନ ଶେଷ ଶ୍ରେଣୀରେ ପଢ଼ୁଥାଆନ୍ତି । ଶ୍ରୀ କାଳିନ୍ଦୀଚରଣ ପାଣିଗ୍ରାହୀ ମଧ୍ୟ ସେହି ଶ୍ରେଣୀରେ ପଢ଼ୁଥାଆନ୍ତି । ସେମାନଙ୍କ ମଧ୍ୟରେ ଖୁବ୍‍ ଘନିଷ୍ଠତା ଥାଏ । ସେତେବେଳେ କାଳିନ୍ଦୀ ବାବୁଙ୍କର ସାନଭାଇ ଭଗବତୀ ଚରଣ ପାଣିଗ୍ରାହୀ ସେହି ପୁରୀ ଜିଲ୍ଲା ସ୍କୁଲରେ ୬ଷ୍ଠ ଶ୍ରେଣୀରେ ପଢ଼ୁଥାଆନ୍ତି । ମୁଁ ମଫସଲରୁ ଯାଇ ସହର ସ୍କୁଲରେ ପ୍ରଥମକରି ପାଠ ପଢ଼ିବାରେ ମୋର ସେଠାରେ ପରିଚିତ ବନ୍ଧୁ ନଥିଲେ । ତେଣୁ ମୋର ବଡ଼ ଭାଇ ପ୍ରଥମଦିନ ମୋତେ ସ୍କୁଲରେ କାଳିନ୍ଦୀବାବୁ ଓ ଭଗବତୀଙ୍କ ସଙ୍ଗେ ପରିଚୟ କରାଇଦେଲେ । ସେହିଦିନୁ ଭଗବତୀ ଓ ମୋ’ ମଧ୍ୟରେ ଖୁବ୍‍ ଘନିଷ୍ଠତା ବଢ଼ିଲା, ଯାହାକି ପରେ ରାଜନୈତିକ ବନ୍ଧୁତାରେ ପରିଣତ ହେଲା ।

 

ସେତେବେଳେ ଭଗବତୀ ପ୍ରସ୍ତୁଟିତ ଗୋଲାପ ଫୁଲ ଭଳି କୋମଳ, ସରଳ, ସୁନ୍ଦର ଓ ସୌରଭମୟ ଥିଲେ । ଉକ୍ତ ଜିଲ୍ଲାସ୍କୁଲର ଉଚ୍ଚଶ୍ରେଣୀ ଛାତ୍ରମାନଙ୍କଠାରୁ ଆରମ୍ଭ କରି ତଳ ଶ୍ରେଣୀର ଛାତ୍ର, ପ୍ରାୟ ସମସ୍ତେ ତାଙ୍କୁ ଭଲପାଉଥିଲେ । ସେ ଯେପରି ମିଷ୍ଟଭାଷୀ, ସେହିପରି ମେଳାପୀ ଛାତ୍ର ଥିଲେ । ଭଗବତୀ ଯେପରି ବୁଦ୍ଧିମାନ ଥିଲେ, ସେହିପରି ଭଲ ପାଠ ମଧ୍ୟ ପଢ଼ୁଥିଲେ ।

 

ତାଙ୍କ ବଡ଼ ଭାଇ ଓକିଲ ଦିବ୍ୟସିଂହ ପାଣିଗ୍ରାହୀ ପରେ ଅସହଯୋଗ ଆନ୍ଦୋଳନ ଯୋଗୁଁ ଓକିଲାତି ଛାଡ଼ିଦେଇ ଘରେ ଥାଆନ୍ତି । ଭଗବତୀଙ୍କ ଘରେ ଗୋଟିଏ ଛୋଟ ଲାଇବ୍ରେରୀ ଥାଏ । ମୁଁ ମଝିରେ ମଝିରେ ସେହି ଲାଇବ୍ରେରୀରୁ ବହି ଆଣିବା ପାଇଁ ଏବଂ ଭଗବତୀଙ୍କ ସଙ୍ଗେ ବନ୍ଧୁତା ବଢ଼ାଇବା ପାଇଁ ତାଙ୍କ ଘରକୁ ଯାଉଥାଏ ।

 

ତାହା ଆରବର୍ଷ ୧୯୨୦ରେ ଅସହଯୋଗ ଆନ୍ଦୋଳନ ବେଳେ ପୁରୀ ଜିଲ୍ଲା ସ୍କୁଲ ଛାତ୍ରମାନେ ଦିନେ ଧର୍ମଘଟ କରି ଜିଲ୍ଲା ସ୍କୁଲ ଛାଡ଼ି ପୁରୀରେ ସାମନ୍ତ ଚନ୍ଦ୍ରଶେଖର ହଲ୍‍ (ବ୍ରାହ୍ମଣ ସମିତି ହଲ୍‍) ଠାରେ ଗୋଟିଏ ସଭା କଲେ । କାଳିନ୍ଦୀବାବୁ ହୁଏତ ମାଟ୍ରିକ ପରୀକ୍ଷା ଦେଇ ସାରିଥିଲେ ବା ଦେବାକୁ ପ୍ରସ୍ତୁତ ହେଉଥିଲେ । ସେ ସେହି ସଭାକୁ ଆସି ଭାଷଣ ଦେଲେ । ଶ୍ରୀଧର ଦାସ, ଲୋକନାଥ ମିଶ୍ର (ପଙ୍କଜ ମିଶ୍ର) ପ୍ରଭୃତି ସେହିସଭାରେ ନେତୃତ୍ୟ ନେଇ ସ୍କୁଲ ବାସନ୍ଦ କରିବା ପାଇଁ ଭାଷଣମାନ ଦେଇଥିଲେ । ତାହା ପରେ ପରେ ଶ୍ରୀଧର ବାବୁ, ଲୋକନାଥ ବାବୁ ପ୍ରଭୃତି ସ୍କୁଲ ଛାଡ଼ି କେତେମାସ ପର୍ଯ୍ୟନ୍ତ ଘରେ ବସି, ପୁଣି ସ୍କୁଲକୁ ଫେରି ଆସିଲେ । ଭଗବତୀ ମଧ୍ୟ ସ୍କୁଲ ଛାଡ଼ି ବର୍ଷେ ଖଣ୍ଡେ ଘରେ ବସିବା ପରେ, ପରବର୍ଷ ସତ୍ୟବାଦୀ ଜାତୀୟ ହାଇସ୍କୁଲରେ ପଢ଼ିବା ପାଇଁ ସାକ୍ଷୀଗୋପାଳ ଗଲେ । ପରେ ତାହା ସାଧାରଣ ହାଇସ୍କୁଲରେ ପରିଣତ ହେଲା । ଭଗବତୀ ମାଟ୍ରିକୁଲେସନ ସେକେଣ୍ଡ କ୍ଲାସ, ଏବର ଦଶମଶ୍ରେଣୀ ପର୍ଯ୍ୟନ୍ତ ସେହିଠାରେ ପଢ଼ି ଶେଷବର୍ଷ ପୁରୀଜିଲ୍ଲା ସ୍କୁଲରେ ଆମ ସଙ୍ଗେ ପଢ଼ି ସେହିଠାରେ ପରୀକ୍ଷା ଦେଲେ । ମୁଁ ମଧ୍ୟ ସେହି ସଭା ପରେ ପରେ ସ୍କୁଲ ପଢ଼ାଛାଡ଼ି କେତେଦିନ ପାଇଁ ଘରକୁ ଚାଲିଗଲି । ମାତ୍ର ଘରେ ଗାଳିଗୁଲଜ ପାଇ ପୁଣି ପୁରୀ ଜିଲ୍ଲା ସ୍କୁଲକୁ ଫେରିଆସି ସେହିଠାରେ ପଢ଼ିଲି । ଆଉ କେତେକ ଛାତ୍ର ପାଠପଢ଼ା ଛାଡ଼ିଦେଇ ଏକାବେଳକେ ଘରକୁ ଚାଲିଗଲେ, ଆଉ ଫେରିଲେ ନାହିଁ ।

 

୧୯୨୦ରେ ନାଗପୁର କଂଗ୍ରେସରେ ଅସହଯୋଗ ଆନ୍ଦୋଳନର ସୂତ୍ରପାତ ସ୍ୱରୂପ ଯେଉଁ ଚାରୋଟି ବୟକଟ୍‍ ବା ବାସନ୍ଦ ପାଇଁ ଡାକରା ଦିଆଯାଇଥିଲା ତନ୍ମଧ୍ୟରୁ ସ୍କୁଲ, କଲେଜ ବର୍ଜନ, କୋର୍ଟ କଚେରୀ ବର୍ଜନ, ବିଦେଶୀ ଜିନିଷ ବର୍ଜନ ଏବଂ ଆସେମ୍ବ୍ଲି କାଉନ୍‍ସିଲ ବର୍ଜନ ପାଇଁ ମୁଖ୍ୟ ଡାକରା ରହିଥିଲା । ଆଜିର ଛାତ୍ରଛାତ୍ରୀମାନେ କଥାକଥାକେ ସ୍କୁଲ କଲେଜରେ ଧର୍ମଘଟ କରୁଛନ୍ତି ଓ କରିପାରୁଛନ୍ତି । ମାତ୍ର ସେତେବେଳେ ଏହି ଧର୍ମଘଟ ଅତୀବ କଷ୍ଟକର ହେଉଥିଲା । ବିଶେଷତଃ ଛୋଟ ଛୋଟ ଛାତ୍ର ଯେଉଁମାନେ ନିଜର ଭରଣପୋଷଣ ପାଇଁ ଓ ପାଠପଢ଼ା ସାହାଯ୍ୟ ପାଇଁ ପିତାମାତା ଓ ଅଭିଭାବକମାନଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କ ପକ୍ଷରେ ତାହା ଅତି ଭୟଙ୍କର କଷ୍ଟକର ଥିଲା । ଘରେ ପିତାମାତା ଓ ଅଭିଭାବକମାନଙ୍କ ତାଡ଼ନା ଓ ଲାଲଆଖି, ସ୍କୁଲର ଶିକ୍ଷକମାନଙ୍କର ତାଡ଼ନା ଓ ଲାଲଆଖିରେ ଛୋଟ ଛୋଟ ଛାତ୍ରମାନେ ପାଣି ହୋଇଯାଉଥିଲେ । ସେହି କଷ୍ଟକର ସମୟରୁ ମୋ’ ଭିତରେ ଜାତୀୟତା, ସ୍ଵ।ଧୀନତା ଓ ଦେଶପ୍ରେମର ବୀଜବପନ ହେଲା । ତେଣୁ ସେହି ସମୟରୁ ମୁଁ ସେହି ଦୁଷ୍ଟିରୁ ସମାଜ ଭିତରକୁ ପଶିବାକୁ ଚେଷ୍ଟାକଲି ଓ ସମାଜକୁ ଅଧିୟନ କରିବାକୁ ଲାଗିଲି ।

 

ମୋ’ ଉପରେ ଗାଁର ପ୍ରଭାବ ଓ ଛାତ୍ର ଜୀବନର (ଆଙ୍ଗିକ) ଗତି :

ପୂର୍ବରୁ କହିଛି ଯେ, ଆମ ଗାଁ ଗୋଟିଏ ଛୋଟିଆ ଗାଁ । ଛୋଟିଆ ଗାଁ ହେଲେ ବି ବ୍ରାହ୍ମଣ, କରଣଙ୍କଠାରୁ ଆରମ୍ଭକରି ସକାଳ ସମ୍ପ୍ରଦାୟର ଲୋକ ଆମ ଗାଁରେ ବାସ କରୁଥିଲେ । ମୁଁ ପିଲାଦିନେ ଆମ ଗାଁକୁ ଭାରି ଭଲପାଉଥିଲି । ମୋରି ବୟସର ପିଲା ଓ ମୋ’ ଉପର ବୟସର ପିଲାଙ୍କ ସଙ୍ଗେ ପ୍ରତ୍ୟହ ହା” ଡୁ ଡୁ ଖେଳ ଓ ବୋହୂଚୋରୀ, ପ୍ରଭୃତି ଖେଳ ଖେଳିବାକୁ ଭଲପାଉଥିଲି । ଗାଁ ଗହଳିରେ ଏବଭଳି ଫୁଟବଲ ଖେଳ ସେତେବେଳେ ପ୍ରବେଶ କରିନଥିଲା । ନାନା ପ୍ରକାରର ଦେଶୀୟ ଖେଳ ଯଥା ହା” ଡୁ ଡୁ, ବୋହୂଚୋରୀ, ଲବଣୀ ଚୋରୀ ଆଦି ଖେଳ ପ୍ରାଧାନ୍ୟ ଲାଭ କରିଥିଲା ଓ ବିଭିନ୍ନ ପ୍ରକାରର କୁସ୍ତି, କସରତ ପ୍ରଚଳିତ ଥିଲା ।

 

ଗାଁର ଗରିବ ଓ ଅପାରଗ ଲୋକଙ୍କ ଦୁଃଖ ଦେଖି ମୁଁ ଅନେକ ସମୟରେ ଘରୁ ଲୁଚାଇ ଚାଉଳ ଦେଉଥିଲି । ପୁରୀ ଜିଲ୍ଲା ସ୍କୁଲରେ ପଢ଼ିବା ସମୟରେ ଛୁଟିରେ ଗାଁକୁ ଗଲେ ସାଧାରଣ ଲୋକଙ୍କ ସାଙ୍ଗରେ ମିଳିମିଶି ଦୁଃଖସୁଖ ଆଲୋଚନା କରୁଥିଲି । ତେଣୁ ସାଧାରଣ ଗରିବ ଲୋକେ ଓ ହରିଜନ ଲୋକେ ମୋତେ ଖୁବ୍‍ ଭଲ ପାଉଥିଲେ । ମୁଁ ମଧ୍ୟ ସେମାନଙ୍କୁ ଖୁବ୍‍ ଭଲ ପାଉଥିଲି । ବୋଧହୁଏ ସେମାନେ ଗାଁର ଶିକ୍ଷିତ ଲୋକଙ୍କଠାରୁ ସେଭଳି ଭଲ ବ୍ୟବହାର ପାଉନଥିଲେ, ତେଣୁ ମୋ’ ଠାରୁ ଆଶା ଆଶ୍ଵାସନା ପାଇ ମୋ’ ପ୍ରତି ଆକୃଷ୍ଟ ହେଉଥିଲେ । କାରଣ ଗାଁର ସାଧାରଣ ବ୍ରାହ୍ମଣ, କରଣ ଲୋକଙ୍କର ହାମ୍‍ବଡ଼ା ସ୍ଵଭାବ ଥିବାର ମୁଁ ଲକ୍ଷ୍ୟ କରିଛି । ସେଭଳି ବ୍ୟବହାର ଉକ୍ତ ଗରିବ ଲୋକ ଓ ତଳଶ୍ରେଣୀର ଲୋକଙ୍କୁ ସୁଖ ଲାଗୁନଥାଏ । ସୁଖ ଲାଗୁ ନଲାଗୁ ସେମାନଙ୍କର ଅନ୍ୟ ଉପାୟ ନଥାଏ । ଗାଁରେ ତ ଘର କରି ରହିଛନ୍ତି - ବଡ଼ ବଡ଼ ଲୋକ ବା ଉଚ୍ଚବର୍ଣ୍ଣର ଲୋକଙ୍କୁ ତେଢ଼ିକରି ଚଳିବେ ବା କିପରି ? ମାଟ୍ରିକ୍ୟୁଲେସନ ପରୀକ୍ଷା ଦେଇ ଫଳ ବାହାରିବା ପର୍ଯ୍ୟନ୍ତ, ଏକକାଳୀନ କେତେମାସ ମୁଁ ଗାଁରେ ରହିଗଲି । ସେହି ସମୟ ମଧ୍ୟରେ ସେମାନଙ୍କ ସଙ୍ଗେ ଘନିଷ୍ଠତା ଖୁବ୍‍ ବଢ଼ିଗଲା ।

 

ଶ୍ରୀ ଜଗନ୍ନାଥ ମିଶ୍ର :

ମୋ’ ପ୍ରଭାବ ଯେପରି ଗାଁର ଲୋକଙ୍କ ଉପରେ ପଡ଼ିଥିଲା, ଗାଁର କେତେକ ବ୍ୟକ୍ତିଙ୍କର ପ୍ରଭାବ ମଧ୍ୟ ସେହିପରି ମୋ’ ଉପରେ ପଡ଼ିଛି । ଆମ ଗାଁରେ ଜଣେ ପଣ୍ଡିତ ଥିଲେ ଶ୍ରୀ ଜଗନ୍ନାଥ ମିଶ୍ର । ସେ ଜଣେ କବି, ସର୍ବଜ୍ଞ ପଣ୍ଡିତ । ପିଲାଦିନେ କୌଣସି ସ୍କୁଲରେ ଧାରାବାହିକ ଭାବେ ପାଠ ପଢ଼ିନଥିଲେ । ଯାହାକୁ ଗାଉଁଲୀ ଭାଷାରେ କୁହନ୍ତି ସ୍କୁଲକୁ ପୂଜା ନେଇନାହାନ୍ତି - ତଥାପି ଘରେ ଘରେ ପଢ଼ି ସଂସ୍କୃତରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଥିଲା । ଅମରଯୁମର ମୁଖସ୍ଥ ଥିଲା । ଭଟ୍ଟୀ, ଭାରବୀ, ମାଘ, କାଳିଦାସଙ୍କ ମେଘଦୂତ, କୁମାରସମ୍ଭବ, ଅଭିଜ୍ଞାନ ଶକୁନ୍ତଳା, ରଘୁବଂଶ ପ୍ରଭୃତି ଅଧ୍ୟୟନ କରିଥିଲେ । ଶ୍ରୀମଦ୍‍ ଭଗବତ୍‍ ଗୀତା ତ ପୁରା ମୁଖସ୍ଥ ଥିଲା । ପଣ୍ଡିତ ମାନଙ୍କର ପରୀକ୍ଷା ହୁଏ ସଂସ୍କୃତ “ଶ୍ରୀମଦ୍‍ଭାଗବତ”ରେ । ତାହା ମଧ୍ୟ ଖୁବ୍‍ ଭଲଭାବରେ ବୁଝାଇବାରେ ସେ ପାରଙ୍ଗମ ଥିଲେ । ଜ୍ୟୋତିଷ ଶାସ୍ତ୍ର ମଧ୍ୟ ବିନା ଗୁରୁରେ ଘରେ ଘରେ ପଢ଼ି ପଢ଼ି ଗଣନା କରୁଥିଲେ । ସଂସ୍କୃତରେ ଖୁବ୍‍ ଭଲ ଶ୍ଳୋକ ରଚନା କରିପାରୁଥିଲେ । ଓଡ଼ିଆ ସାହିତ୍ୟରେ ମଧ୍ୟ ଭଞ୍ଜକାବ୍ୟ, ଦୀନକୃଷ୍ଣ, ସାମନ୍ତସିଂହାର, ଯଦୁମଣିଙ୍କ କାବ୍ୟ, ଛାନ୍ଦ ସେ ପ୍ରାୟ ମୁଖସ୍ଥ କରିଥିଲେ । ନିଜେ ମଧ୍ୟ 'ଅ' ଅନୁପ୍ରାସରେ ୯୬ ଛାନ୍ଦରେ “ଅବ୍ଧିଜା ପରିଣୟ” ନାମକ ଖଣ୍ଡିଏ କାବ୍ୟ ପୁସ୍ତକ ଲେଖିଯାଇଛନ୍ତି-। ତାହା ଏ ପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ । ସେଥିରୁ ପଦେ ଅଧେ ଏବେ ବି ମନେ ପଡ଼ିଯାଏ-

 

“ଅବ୍ଧିସ୍ଥ ଅବ୍ଧିସ୍ଥ କରନ୍ତେ ବ୍ରହ୍ମ ବରବରଦ,

ଅବ୍‍ଧୃସ୍ଥ ଅବ୍‍ଧୃସ୍ତ କରନ୍ତେ ବ୍ରହ୍ମ ଦରଦରଦ

ଅର୍ଜୁନ ଅର୍ଜୁନ ବୃକ୍ଷକୁ ପର ପରଶୁରାମ,

ଅର୍ଜୁନ ଅର୍ଜୁନ ବୃକ୍ଷକୁ ପର ପରର୍ଶୁରାମ ।”

 

ପ୍ରତ୍ୟେକ ପଦର ଅନ୍ୟୁନ ଦୁଇଟି ଅର୍ଥ ରହିଛି । ଏହି ଛାନ୍ଦ ଲେଖିବା ସମୟରେ ସେ ପୀଡ଼ିତ ହେଲେ ଓ ପ୍ରାଣତ୍ୟାଗ କଲେ । ସ୍କୁଲ କଲେଜକୁ ନଯାଇ, ଏପରି ଅଗାଧ ପାଣ୍ଡିତ୍ୟର ଭଣ୍ଡାର ହେବାର କାରଣ ହେଉଛି, ତାଙ୍କର ସ୍ମୃତିଶକ୍ତି ଅଗାଧ । ଯାହା ଥରେ ଶୁଣିଯାନ୍ତି କି ପଢ଼ିଦିଅନ୍ତି, ତାହା ତାଙ୍କର ମନେ ରହିଯାଏ । ଗୋଟିଏ କାନ୍ଥରେ, ଏମୁଣ୍ଡରୁ ସେମୁଣ୍ଡ ପର୍ଯ୍ୟନ୍ତ କାନ୍ଥେ ଅଙ୍କ ଲେଖିଦେଲେ, ସେ ଥରେ ଦେଖିଦେଲେ ତାଙ୍କର ମନେ ରହିଯାଏ । ସ୍କୁଲ କଲେଜରେ ପଢ଼ିବା ସମୟରେ ଗାଁକୁ ଗଲେ, ସେ ମୋତେ ଡକାଇପଠାଇ ଛାନ୍ଦ ଆଲୋଚନା କରିବା ପାଇଁ ଖୁବ୍‍ ଭଲ ପାଆନ୍ତି । ରାତିରେ ସେ ଖୁବ୍‍ କମ ସମୟ ଶୁଅନ୍ତି । ୮ଠାରୁ ରାତି ୧୨ପର୍ଯ୍ୟନ୍ତ, ଖରାଦିନେ ପଙ୍ଖାଖଣ୍ଡିଏ ଧରି ବୁଲିବୁଲି, ଛାନ୍ଦଗ୍ରନ୍ଥ, ସାହିତ୍ୟ ଆଲୋଚନା ଚାଲିଥାଏ । ତେଣୁ ମୋ’ ପିଲାଦିନୁ ମୁଁ ଏହି ସମସ୍ତ ଓଡ଼ିଆ ପ୍ରାଚୀନ ସାହିତ୍ୟ ସଙ୍ଗେ ସମ୍ପର୍କ ରଖିଆସିଛି । ଆମ ଗାଁ ଗୋଟିଏ ସାହିତ୍ୟ ଚର୍ଚ୍ଚାର ଗାଁ ଥିଲା । ତାଙ୍କର ଆଉ ଜଣେ ଭାଇ ଶ୍ରୀ ବିଦ୍ୟାଧର ମିଶ୍ର ଓ ଅନ୍ୟନ୍ୟା ବହୁଲୋକ ବହୁ ସମୟରେ ସାହିତ୍ୟ ଓ ଛାନ୍ଦଚର୍ଚ୍ଚାରେ ନିପୁଣ ଥିଲେ । ତାଙ୍କର ପୁଅ ଶ୍ରୀ ବିମ୍ବାଧର ମିଶ୍ର ମଧ୍ୟ ଛାନ୍ଦ, ଗୀତରଚନା ଓ ଜ୍ୟୋତିଷ ଶାସ୍ତ୍ର ଚର୍ଚ୍ଚା କରନ୍ତି । ପଣ୍ଡିତ ଶ୍ରୀ ଜଗନ୍ନାଥ ମିଶ୍ର ଆଚାର ବ୍ୟବହାରରେ କେତେକ ପରିମାଣରେ ରକ୍ଷଣଶୀଳ ଥିଲେ । ତାଙ୍କଠାରେ ସାମନ୍ତବାଦୀ ପ୍ରଭାବରେ ଛିଟିକା ଥିଲା । ବ୍ୟକ୍ତିଗତ ଭାବରେ ମୋତେ ଖୁବ୍‍ ଭଲ ପାଉଥିଲେ ଓ ମୁଁ ମଧ୍ୟ ତାଙ୍କୁ ଶ୍ରଦ୍ଧା ଓ ସମ୍ମାନ କରୁଥିଲି ।

 

ବଣଫୁଲ ପରି ସେ ସୁବାସ ବିତରଣ କରିଯାଇଛନ୍ତି । ଯେଉଁ ବାଟୋଇ ସେ ସୁବାସ ଆସ୍ଵାଦନ କରିଛି,ସେ ତାହାର ମଜ୍ଜା ପାଇଛି । ତାଙ୍କର ପ୍ରଭାବ ମୋ’ ଉପରେ କିଛି ପଡ଼ିଛି ବୋଲି ମନେ ହୁଏ । ତାଙ୍କ ନାମରେ ଡିମିରିରେ ଗୋଟିଏ ଜଗନ୍ନାଥ କ୍ଲବ ଖୋଲାଯାଇଛି । ମାତ୍ର, ତାହା ଯଥେଷ୍ଟ ନୁହେଁ । ସେତେବେଳର ସମାଜ ମୁଖ୍ୟତଃ ସାମନ୍ତବାଦୀ ସମାଜ ଥିଲା । ଗାଁ ଲୋକଙ୍କର କଥାବାର୍ତ୍ତା, ଚାଲିଚଳଣୀ, ଆଚାର ବ୍ୟବହାର, ଚିନ୍ତା ଓ କାର୍ଯ୍ୟରେ ସାମନ୍ତବାଦୀ ପ୍ରଭାବ ଦେଖାଯାଉଥିଲା । ମୋ’ ଉପରେ ସେତେବେଳେ ସେହି ସାମନ୍ତବାଦୀ ସମାଜର କିଛି ପ୍ରଭାବ ପଡ଼ିଛି । ତାହା ଦୂର କରିବା ଦିଗରେ ମୁଁ ବିଶେଷ ଚେଷ୍ଠା କରିଛି ଓ ବହୁ ପରିମାଣରେ କୃତକାର୍ଯ୍ୟ ହୋଇଛି ବୋଲି ମୋର ଆଶା ।

 

 

 

ସ୍କୁଲ କଲେଜରେ ପଢ଼ିବା ସମୟର ଅବସ୍ଥା :

ମାଟ୍ରିକ୍ୟୁଲେସନ୍‍ ପାଶ୍ କଲାପରେ ମୁଁ ରେଭେନ୍ସା କଲେଜରେ ପଢ଼ିଲି । କଲେଜରେ ପଢ଼ିବା ସମୟରେ ମୋର ଦୃଷ୍ଟିକୋଣ ଓ ଚିନ୍ତାଧାରା ଅଧିକ ପ୍ରଶସ୍ତ ହୋଇଆସିଲା । ଦେଶପ୍ରେମ ଓ ଲୋକ ଉପକାର କାର୍ଯ୍ୟ ପ୍ରତି ମୋର ସ୍ୱାଭାବିକ ଇଚ୍ଛା ଓ ଆଗ୍ରହ ଅଧିକରୁ ଅଧିକ ହେବାକୁ ଲାଗିଲା । ଭବିଷ୍ୟତରେ ମୁଁ ଦେଶ ପାଇଁ କିଛି କାମ କରିବି ଏହି ଇଚ୍ଛା ଓ ବାସନା ମୋ’ ମନରେ ଅଧିକ ଜାଗ୍ରତ ଓ ପ୍ରବଳ ହେଲା । ତେଣୁ ରେଭେନ୍ସା କଲେଜରେ ପଢ଼ିବା ସମୟରେ ମୁଁ ସୁରେନ୍ଦ୍ରନାଥ ବାନାର୍ଜୀ, ଲାଲାଲଜପତ ରାୟ, ବାଳଗଙ୍ଗାଧର ତିଳକ ଓ ବିପିନ୍‍ଚନ୍ଦ୍ର ପାଲ, ଗାନ୍ଧିଜୀ ପ୍ରଭୃତିଙ୍କ ବକ୍ତୃତାମାଳା ପଢ଼ିବାକୁ ଆରମ୍ଭ କଲି । ତାହା ହିଁ ସେତେବେଳେ ସବୁଠାରୁ ବଡ଼ ରାଜନୀତି ପୁସ୍ତକ ଥିଲା । ଖାଲି ରାଜନୌତିକ ବହି ପଢ଼ୁନଥାଏ । ସେଥିପାଇଁ ଦୁଃଖ କଷ୍ଟ ସହିବା ଓ ସାଧନା ଆରମ୍ଭ କରିଦେଲି । ସେହି ସମୟରେ ଦେଶସେବା ଓ ଦେଶପ୍ରେମ ବିଷୟରେ ଛାତ୍ରମାନଙ୍କର କର୍ତ୍ତବ୍ୟ କ’ଣ, ସେହି ବିଷୟରେ ଗାନ୍ଧିଜୀଙ୍କ ନିକଟକୁ ଖଣ୍ଡିଏ ପତ୍ର ଲେଖିଥିଲି । ତାହାର ଉତ୍ତରରେ ଗାନ୍ଧିଜୀ ଲେଖିଲେ ଯେ, “ଦେଶସେବା ପାଇଁ ନିଜକୁ ପ୍ରସ୍ତୁତ କରିବା ହିଁ ପ୍ରତ୍ୟେକ ଛାତ୍ରର କର୍ତ୍ତବ୍ୟ”-। ତେଣୁ ସେହି ଆଡ଼କୁ ମୋ’ ମନ ଧୀରେ ଧୀରେ ଆକୃଷ୍ଟ ହେଲା ଏବଂ ଅଧିକରୁ ଅଧିକ ଦେଶସେବା ପାଇଁ ମୁଁ ନିଜକୁ ପ୍ରସ୍ତୁତ କରିବାରେ ଲାଗିଲି ।

 

ପୁରୀ ଜିଲ୍ଲା ସ୍କୁଲରେ ପଢ଼ିବା ବେଳେ ପଥୁରିଆ ସାହି ଗୋଲାଘର କୋଠାରେ, ପଣ୍ଡିତ ଗୋପବନ୍ଧୁ ଦାସ ରହୁଥାନ୍ତି । ସାପ୍ତାହିକ “ସମାଜ” ସେହିଠାରୁ ପ୍ରକାଶ ପାଉଥାଏ । ଚାରିଟା ବେଳେ ସ୍କୁଲ ଛୁଟିହେଲେ, ଆମେ ଜିଲ୍ଲା ସ୍କୁଲରୁ ମାର୍କେଟ ଯିବା ରାସ୍ତାରେ ସେହି ଘରେ ପହଞ୍ଚି ଦାସେ ଆପଣଙ୍କ ପାଖରେ ବସୁ ଓ ତାଙ୍କଠାରୁ ନାନା କଥା ଶୁଣୁ । ସେ ମଧ୍ୟ ଛ।ତ୍ରମାନଙ୍କୁ ଦେଖି ଖୁବ୍‍ ଖୁସି ହୁଅନ୍ତି । ଶ୍ରୀଯୁକ୍ତ ରାଧାନାଥ ରଥ ମଧ୍ୟ ଅନେକ ସମୟରେ ସେହିଠାରେ “ସମାଜ”ରେ କାମ କରିବାର ଦେଖିଛି । ଦାସେ ଅ।ପଣଙ୍କ ପାଖରେ ବସି ତାଙ୍କଠାରୁ ନାନା କଥା ଶୁଣିବାକୁ ଖୁବ୍‍ ଭଲ ଲାଗେ । ଲୋକଙ୍କୁ ଭଲ ପାଇବା ଓ ଦେଶକୁ ଭଲପାଇବାର ପ୍ରଥମ ପ୍ରେରଣା ସେହିଠାରୁ ମିଳିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

ପୁରୀ ଜିଲ୍ଲା ସ୍କୁଲରେ ପଢ଼ିବାବଳେ ଦାସେ ଆପଣଙ୍କ ସଂସ୍ପର୍ଶ ଯେପରି ଆନନ୍ଦଦାୟକ ଓ ପ୍ରେରଣାଦାୟକ ଥିଲା, ରେଭେନ୍ସା କଲେଜ ପଶ୍ଚିମ ହଷ୍ଟେଲରେ ରହି ପଢ଼ିବାବେଳେ, ଆନ୍ଧ୍ରର ଜଣେ ଛାତ୍ର ହନୁମନ୍ତ ରାଓଙ୍କ ସଂସ୍ପର୍ଶ ମଧ୍ୟ ସେହିପରି ଶିକ୍ଷାଦାୟକ ଥିଲା । ସେ ୧୯୨୦ରୁ ଅସହଯୋଗ ଆନ୍ଦୋଳନରେ କାମ କଲାପରେ, ସାତ ବର୍ଷ ପରେ ପୁଣି ରେଭେନ୍ସା କଲେଜରେ ଆଇନ ବିଷୟକ ପାଠ ପଢ଼ିବାକୁ ଆସି ସେହି ପଶ୍ଚିମ ହଷ୍ଟେଲରେ ରହି ପଢ଼ୁଥାନ୍ତି । ଭବିଷ୍ୟତରେ ଅଧିକ ଭଲ ଦେଶସେବା କରିବା ପାଇଁ ସେହି ପାଠପଢ଼ା ମାଧ୍ୟମରେ ସେ ନିଜକୁ ତୟାରି କରୁଥାନ୍ତି-। ପ୍ରତ୍ୟହ ବ୍ୟାୟାମ କରିବା, ରାତ୍ରି ଥାଉ ଥାଉ କେନାଲରେ ଗାଧୋଇବା, କାୟ ମନୋବାକ୍ୟରେ କାହାକୁ ଆଘାତ ନକରିବା, ଛୋଟ ଛୋଟ କଥାରେ ନିଜକୁ ସାମିଲ ନକରିବା, ତାଙ୍କର ଦୈନନ୍ଦିନ କାର୍ଯ୍ୟ ଥିଲା । ଭୋର ଘ.୪ଣ୍ଟାରୁ ପୁଣି ରାତି ଘ.୯.ଣ୍ଟା ପର୍ଯ୍ୟନ୍ତ ସେ ନିଜକୁ ଭଲ ଓ ସଂଯତ କାର୍ଯ୍ୟରେ ନିୟୋଜିତ କରି ରଖୁଥିଲେ । ତାଙ୍କ କାର୍ଯ୍ୟର ପରୋକ୍ଷ ପ୍ରଭାବ ମଧ୍ୟ ମୋ’ ଉପରେ ପଡ଼ିଥିଲା ବୋଲି କହିଲେ ଭଲ ହେବ । ଏହିପରି ଦେଶସେବା ପାଇଁ ଯାହାଠାରେ ଯେଉଁ ସଦ୍‍ଗୁଣ ଦେଖିଲି, ତାହା ମୁଁ ସଂଗ୍ରହ କରିବାରେ ଲାଗିଥାଏ ।

 

ସେହି ସମୟରେ ଉକ୍ତ ପଶ୍ଚିମ ହଷ୍ଟେଲରେ ମୋର ବହୁ ବନ୍ଧୁ ଥାଆନ୍ତି । ଶ୍ରୀ ଜଗତ୍‍ବନ୍ଧୁ ମହାପାତ୍ର, ଯିଏକି ପରେ ରେଭିନ୍ୟୁ କମିଶନର ହୋଇଥିଲେ, ସେ ମୋ’ ଉପର ଶ୍ରେଣୀରେ ପଢ଼ୁଥିଲେ ମଧ୍ୟ ପୁରୀ ଜିଲ୍ଲା ସ୍କୁଲ ହଷ୍ଟେଲରେ ଏକତ୍ର ଥିବା ସମୟରୁ ତାଙ୍କ ସହିତ ଘନିଷ୍ଠ ବନ୍ଧୁତା ଥିବାରୁ ରେଭେନ୍ସା କଲେଜ ହଷ୍ଟେଲରେ ଏକତ୍ର ରହିବା ସମୟରେ ତାହା ଅଧିକ ବୃଦ୍ଧି ପାଇଥିଲା । ସେ ଜଣେ ମେଧାବୀ ଛାତ୍ର ଥିଲେ । ସେହିପରି ଶ୍ରୀ ରତ୍ନାକର ଷଡ଼ଙ୍ଗୀଙ୍କ ସଙ୍ଗେ ପୁରୀ ଜିଲ୍ଲା ସ୍କୁଲ ହଷ୍ଟେଲରେ ଓ ରେଭେନ୍ସା କଲେଜ ହଷ୍ଟେଲରେ ଏକତ୍ର ରହିବା ଫଳରେ ଖୁବ୍‍ ବନ୍ଧୁତା ବଢ଼ିଯାଇଥିଲା । ସେ ମଧ୍ୟ ପରେ ରେଭିନ୍ୟୁ କମିଶନର ହୋଇ କାର୍ଯ୍ୟରୁ ଅବସର ନେଇଛନ୍ତି । ଡକ୍ଟର ସଦାଶିବ ମିଶ୍ର ଏବର ଉତ୍କଳ ବିଶ୍ୱବିଦ୍ୟାଳୟର ଭାଇସ୍‍ - ଚାନ୍ସେଲର, ଶ୍ରୀ ଶ୍ୟାମସୁନ୍ଦର ମିଶ୍ର, ଭାରତ ସେବକ ସମିତି ସଭ୍ୟ ପ୍ରଭୃତି ମୋର ସହାଧ୍ୟାୟୀ ଥିଲେ । ସାଥୀ ଭଗବତୀ ମଧ୍ୟ ସେହି ପଶ୍ଚିମ ହଷ୍ଟେଲରେ ରହି ତାଙ୍କର ସ୍ନେହସୁଲଭ ଗୁଣ ଓ ରସିକତାପୂର୍ଣ୍ଣ କଥାରେ ସମସ୍ତଙ୍କୁ ମୁଗ୍ଧ କରି ରଖିଥିଲେ । ତାହାଛଡ଼ା ଏବର ଶ୍ରୀ ଲିଙ୍ଗରାଜ ଦାସ, ଡାକ୍ତର ରଘୁନାଥ ସାହୁ, ଦୀନବନ୍ଧୁ ସାହୁ, ଡାକ୍ତର ରାମଚନ୍ଦ୍ର ମିଶ୍ର, ଡାକ୍ତର ମହେନ୍ଦ୍ର ଚନ୍ଦ୍ର ମିଶ୍ର ପ୍ରଭୃତି ଯେତେ ଯେତେ ଚିଫ୍‍ - ଇଞ୍ଜିନିୟର ବା ସିଭିଲ୍‍ସର୍ଜ୍ଜନ ଅବସର ନେଇଛନ୍ତି, ସେ ସମସ୍ତେ ମୋର ସହାଧ୍ୟାୟୀ ଥିଲେ । ଶ୍ରୀ ପ୍ରାଣନାଥ ମହାନ୍ତି ସେତେବେଳେ ରେଭେନ୍ସା କଲେଜ ଛାଡ଼ି ବାଙ୍କିପୁରରେ ପାଟନା କଲେଜରେ ପଢ଼ୁଥିଲେ ମଧ୍ୟ ତାଙ୍କ ସହିତ ଚିଠିପତ୍ରରେ ମୋର (ଖୁବ୍‍) ବିଶେଷ ସମ୍ପର୍କ ଥାଏ ଏବଂ ମଝିରେ ମଝିରେ ଛୁଟିରେ ଆସିଲେ ଦେଖାହୁଏ । ଶ୍ରୀ ମାୟାଧର ମାନସିଂ ଆମର ଉପର ଶ୍ରେଣୀରେ ପଢ଼ୁଥିଲେ ମଧ୍ୟ ତାଙ୍କ ସଙ୍ଗେ ଭଲ ସମ୍ପର୍କ ଥିଲା । ଏବର ଓଡ଼ିଶାରେ ଉଚ୍ଚଚାକିରୀରୁ ଯେତେଯେତେ ଲୋକ ଅବସର ନେଇଛନ୍ତି, ସେମାନେ ସମସ୍ତେ ପ୍ରାୟ ସେହି ସମୟର କଲେଜ ଛାତ୍ର ଓ ମୋର ପୁରାତନ ବନ୍ଧୁ । କିଏ ଗୋଟିଏ ବା ଦିଓଟି ଉପରେ ଶ୍ରେଣୀରେ କିଏ ବା ତଳ ଶ୍ରେଣୀରେ । ସେତେବେଳେ ରେଭେନ୍ସା କଲେଜ ଓଡ଼ିଶାର ଏକମାତ୍ର ଉଚ୍ଚ ଶିକ୍ଷାନୁଷ୍ଠାନ ଥିବାରୁ ଓଡ଼ିଶାର ଯେତେ ଯେତେ ଉଚ୍ଚଶିକ୍ଷିତ ଲୋକ, ସମସ୍ତେ ସେହି ଦ୍ଵାର ବାଟଦେଇ ଆସିଛନ୍ତି । ତାହାଛଡ଼ା ଅନ୍ୟ ବାଟ ନଥିଲା ।

 

ଲାଲାଜୀଙ୍କର ବିୟୋଗରେ ରେଭେନ୍ସା କଲେଜ ଧର୍ମଘଟ :

ରେଭେନ୍ସା କଲେଜରେ ପଢ଼ୁଥିବା ସମୟରେ ୧୯୨୮ ରେ ଗ୍ରୀଷ୍ମଛୁଟି ସମୟରେ, ଦାସେ ଆପଣଙ୍କ ମୃତ୍ୟୁ ଖୁବ୍‍ ଦୁଃଖ ଦେଇଥିଲା । ସେହି ସମୟରେ ଆଉ ଗୋଟିଏ ଅଭୂତପୂର୍ବ ଘଟଣା ରେଭେନ୍ସା କଲେଜରେ ଘଟିଥିଲା, ଯାହାକି ରେଭେନ୍ସା କଲେଜ ଇତିହାସରେ ପୂର୍ବରୁ ଘଟିଥିଲା କି ନାହିଁ କହିହେବ ନାହିଁ । ୧୯୨୮ରେ ଭାରତକୁ ଡୋମିନିୟନ ଷ୍ଟାଟସ୍‍ ଅର୍ଥାତ୍‍ ଔପନିବେଶିକ ଶାସନ ଅଧିକାର ଦେବା ବିଷୟରେ ଅନୁସନ୍ଧାନ କରି ରିପୋର୍ଟ ଦେବାପାଇଁ ଇଂଲଣ୍ଡରୁ ସାଇମନ କମିଶନ ଆସିଥିଲା । ତାହା ଭାରତର ସ୍ଵାଧୀନତା ହାସଲ ଲକ୍ଷ୍ୟ ପରିପୂରଣ କରିପାରିବ ନାହିଁ ଜାଣି ଭାରତରେ ଲାହୋର ଠାରୁ ଆରମ୍ଭ କରି ସମସ୍ତ ଛୋଟବଡ଼ ସହର ଯେଉଁଠିକୁ “ସାଇମନ ସାତଭାଇ” ଯାଉଥିଲେ, ସେଠାରେ ଅଗଣିତ ଲୋକ କଳାପତାକା ଦେଖାଇ ଘଉଡ଼ାଇ ଦେଉଥିଲେ । ଏଥିପାଇଁ ଲାହୋରରେ ଲାଲା ଲଜପତ ରାୟଙ୍କ ଠାରୁ ଆରମ୍ଭକରି, ଲକ୍ଷ୍ନୌରେ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ପର୍ଯ୍ୟନ୍ତ ସମସ୍ତେ ବ୍ରିଟିଶ ଗୋରା ସୈନ୍ୟ ଓ ଘୋଡ଼ସବାର ସୈନ୍ୟଙ୍କ ଦ୍ଵାରା ନିସ୍ତୁକ ମାଡ଼ ଖାଇଥିଲେ । ସେହି ମାଡ଼ରେ ଲାଲାଜୀଙ୍କର ମୃତ୍ୟୁ ଘଟିବାରୁ ଭାରତରେ ଘୋର ଦୁଃଖ ଓ ଉତ୍ତେଜନା ସୃଷ୍ଟି ହୋଇଥିଲା । ସେହି ସମୟରେ ଲାଲାଜୀଙ୍କର ଦଶାହ ଶ୍ରାଦ୍ଧ ଦିନ ରେଭେନ୍ସା କଲେଜ ଛାତ୍ରମାନେ ଦିନକ ପାଇଁ କଲେଜ ବର୍ଜ୍ଜନ କରିଥିଲେ ଓ ହଷ୍ଟେଲରେ ନଖାଇ ସେହି ପଇସା ଲାଲାଜୀଙ୍କର ସ୍ମୃତି ରକ୍ଷା ପାଇଁ ଦିଆଯାଇଥିଲା । ତାହା ହିଁ ରେଭେନ୍ସା କଲେଜ ଛାତ୍ରମାନଙ୍କ ପକ୍ଷରେ ଏକ ବିରାଟ ଗୌରବ ଓ ବିଜୟ ବୋଲି ଗଣ୍ୟ ହେଉଥାଏ । ସେତିକିରେ ମଧ୍ୟ ରେଭେନ୍ସା କଲେଜର ଗୋରା ପ୍ରିନ୍ସିପାଲ ହଷ୍ଟେଲକୁ ଆସି ଦ୍ଵାର ଦ୍ଵାର ବୁଲି କିଏ କିଏ ଏଥିରେ ଯୋଗ ଦେଇଛନ୍ତି, ତାହାର ତଦନ୍ତ କରୁଥାନ୍ତି । କେତେକ ଛାତ୍ର ଏହା ଫଳରେ ଛାନିଆ ହୋଇଥିବେ ନିଶ୍ଚୟ - ଯେଉଁମାନେ ଚାକିରୀ ସର୍ବସ୍ୱପ୍ରାଣ । ସେହିପରି ଅନ୍ୟ ଏକ ଘଟଣା ମଧ୍ୟ ସ୍ମୃତିର ପଡ଼େ ।

 

ବିପିନ ଚନ୍ଦ୍ର ପାଲଙ୍କ ଓଡ଼ିଶା ଆଗମନ :

ସେହି ସମୟରେ ବଙ୍ଗଳାର ମାନସିକ ରୁଗ୍‍ଣ, କ୍ଳାନ୍ତ, ଶ୍ରାନ୍ତ ସିଂହ-ବିପିନ ଚନ୍ଦ୍ର ପାଲ କଟକ ଆସି ଟାଉନ୍‍ ହଲ୍‍ରେ ଏକ ସାଧାରଣ ସଭାରେ ଭାଷଣ ଦେଉଥାନ୍ତି । ସେତେବେଳେ ରେଭେନ୍ସା କଲେଜ ହଷ୍ଟେଲ ଛାତ୍ରମାନେ ଏଭଳି ରାଜନୌତିକ ସଭାରେ ଯୋଗଦେବା ଏକ ପ୍ରକାର ନିଷିଦ୍ଧ । ତେବେ ଶ୍ରୀ ସତ୍ୟପ୍ରିୟ ମହାନ୍ତି ଓ ମୁଁ ହଷ୍ଟେଲରୁ ଲୁଚିକରି ଯାଇ ସେହି ସଭାରେ ଶ୍ରୀ ପାଲଙ୍କ ବକ୍ତୃତା ଶୁଣି, ପୁଣି ହଷ୍ଟେଲକୁ ଫେରିଆସିଥିଲୁ । ମୋର ମନେହୁଏ ସେତେବଳକୁ ଶ୍ରୀ ପାଲଙ୍କ ରାଜନୈତିକ ବାର୍ଦ୍ଧକ୍ୟ ଆସିଯାଇଥିଲା । ସେ ୧୯୨୦ ପରେ କଂଗ୍ରେସ ଛାଡ଼ିଦେଇ ରାଜନୀତିରୁ ଏକପ୍ରକାର ବିଦାୟ ନେଇସାରିଥିଲେ ।

 

ତେଣୁ ତାଙ୍କ ବକ୍ତୃତା ଆମକୁ ସୁଖ ଲାଗିଲା ନାହିଁ । ଭାରତ ସ୍ଵାଧିନତା ସଂଗ୍ରାମର ଅନ୍ୟତମ ସାଥି ଲାଲ୍‍-ବାଲ୍‍-ପାଲ୍‍ଙ୍କ ମଧ୍ୟରୁ ବାଲ୍‍ ଓ ଲାଲ୍‍ଙ୍କର ଶାରୀରିକ (ଭାବେ) ମୃତ୍ୟୁ ହୋଇଯାଇଥିଲେ ମଧ୍ୟ, ପାଲ୍‍ଙ୍କର ରାଜନୈତିକ ମୃତ୍ୟୁ ହୋଇସାରିଥିଲା ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ସେତେବେଳକୁ ଭାରତର ଜନୈକ ବିଶିଷ୍ଟ ଜାତୀୟ ଆନ୍ଦୋଳନର ନେତା ଓ ସୁବକ୍ତା ବଙ୍ଗଳାର ଶ୍ରୀ ସୁରେନ୍ଦ୍ର ନାଥ ବାନାର୍ଜୀ ମଧ୍ୟ କଂଗ୍ରେସରୁ ବିଦାୟ ନେଇସାରିଥାନ୍ତି । ଅନ୍ୟତମ ନେତା ଅରବିନ୍ଦ ମଧ୍ୟ ବଙ୍ଗଳା ଛାଡ଼ି ପଣ୍ଡିଚେରୀ ଯାଇ ଧ୍ୟାନରତ ଥାଆନ୍ତି । ଏହାର କାରଣ, କଂଗ୍ରେସର ଉଚ୍ଚ ମଧ୍ୟବିତ୍ତ ନେତୃତ୍ୱର ପରିବର୍ତ୍ତନ ହେଉଥାଏ ଏବଂ କଂଗ୍ରେସ ଜନସାଧାରଣଙ୍କ ମଧ୍ୟରେ ପ୍ରବେଶ କରୁଥାଏ । ନୀତି, ଆଦର୍ଶ ଓ କାର୍ଯ୍ୟକ୍ରମର ପରିବର୍ତ୍ତନ ହେବା ସଙ୍ଗେ ସଙ୍ଗେ ନେତୃତ୍ୱର ମଧ୍ୟ ପରିବର୍ତ୍ତନ ହେଲା । ପୁରୁଣା ରାଜନୈତିକ ରଥୀମାନେ ଚିନ୍ତାଧାରା ଓ କାର୍ଯ୍ୟଧାରାରେ ପଛରେ ପଡ଼ିଗଲେ ଓ ତାଙ୍କ ସ୍ଥାନରେ ନୂଆ କାର୍ଯ୍ୟଧାରାକୁ ଆଶ୍ରୟ କରି ନୂଆ ନେତୃତ୍ୱ ମୁଣ୍ଡ ଟେକିଲା । ଏହା ହିଁ ରାଜନୈତିକ କ୍ଷେତ୍ରରେ ବିଶେଷତ୍ୱ । ପୁରୁଣା ନେତୃତ୍ୱ ଯେତେ ଶକ୍ତିଶାଳୀ ଓ ଅଜେୟ ହେଲେ ମଧ୍ୟ ସମାଜ ଓ ଦେଶର ପାରିପାର୍ଶ୍ଵିକ ପରିବର୍ତ୍ତନ ସଙ୍ଗେ ପାଦକୁ ପାଦ ମିଳାଇ ଚାଲି ନପାରିଲେ ପଛରେ ପଡ଼ିଯାଆନ୍ତି । ଏହା ହିଁ ସର୍ବତ୍ର ଦେଖାଦେଇଛି ଏବଂ ଭାରତରେ ମଧ୍ୟ ତାହାର ପୁନରାବୃତ୍ତି ହୋଇଛି ।

 

କଟକ ଛାତ୍ର ସମ୍ମିଳନୀ : (୧୯୨୪)

ଛାତ୍ରଜୀବନର ୧୯୨୪ର ଆଉ ଗୋଟିଏ ଘଟଣା ମନେପଡ଼େ । ମୁଁ ସେତେବଳେ ପୁରୀ ଜିଲ୍ଲା ସ୍କୁଲରେ ପଢ଼ୁଥାଏ ଓ ହଷ୍ଟେଲରେ ରହୁଥାଏ । ଓଡ଼ିଶାର ଛାତ୍ରବନ୍ଧୁ ଭାରତ ସେବକ ସମାଜ ସଭ୍ୟ ସ୍ଵର୍ଗୀୟ ଲକ୍ଷ୍ମୀନାରାୟଣ ସାହୁ, ସେତେବେଳେ ଛାତ୍ରମାନଙ୍କ ସଙ୍ଗେ ମିଶୁଥାନ୍ତି ଓ ସେମାନଙ୍କୁ ଉତ୍ସାହିତ ଓ ସଙ୍ଗଠିତ କରୁଥାନ୍ତି । ଓଡ଼ିଶାର ଛାତ୍ରମାନଙ୍କର କଟକ ରେଭେନ୍ସା କଲେଜରେ ଗୋଟିଏ ସମ୍ମିଳନୀ ହୋଇଥାଏ । ସେହି ସମ୍ମିଳନୀକୁ ପ୍ରତିନିଧି ବା ଦର୍ଶକ ଭାବରେ ଯୋଗଦେବା ପାଇଁ ଆମ୍ଭମାନଙ୍କୁ କହିବାରୁ, ଆମେ ପୁରୀ ଜିଲ୍ଲା ସ୍କୁଲରୁ କେତେକ ଛାତ୍ର ଉକ୍ତ ଛାତ୍ର ସମ୍ମିଳନୀରେ ଯୋଗଦେବା ପାଇଁ କଟକ ଗଲୁ । ସେହି ସମ୍ମିଳନୀରେ ରେଭେନ୍ସା କଲେଜର ବଟାନୀ ବିଭାଗ ପ୍ରଫେସର ଡକ୍ଟର ପ୍ରାଣକୃଷ୍ଣ ପରିଜା ଆଇ.ଇ.ଏସ୍‍. ମୁଖ୍ୟ କାରପଟଦାର ଥାଆନ୍ତି-। ତହିଁରେ ୰ଗୋଦାବରୀଶ ମିଶ୍ର ସଭାପତି ହେବାର ଥାଏ । ଏମ୍‍ .ଏ କ୍ଲାସର ଛାତ୍ର ଶ୍ରୀ ହରିହର ମହାପାତ୍ର (ଏବେର ହାଇକୋର୍ଟ ଜଜ୍‍), ଶ୍ରୀ ଗୋପାଳ ଚନ୍ଦ୍ର ଦାସ (ଅବସରପ୍ରାପ୍ତ ହାଇକୋର୍ଟ ଜଜ୍‍) ପ୍ରଭୃତି ଉଦ୍ୟୋକ୍ତ ଥାଆନ୍ତି । ସମ୍ମିଳନୀ ବସିବାର ଠିକ୍‍ ଅବ୍ୟବହିତ ପୂର୍ବରୁ ରେଭେନ୍ସା କଲେଜ ଗୋରା ପ୍ରିନ୍ସିପାଲ ଲ।ମ୍ବର୍ଟ ସାହେବ ଜଣାଇଦେଲେ ଯେ, ଗୋଦାବରୀଶ ମିଶ୍ର ସମ୍ମିଳନୀର ସଭାପତି ହେଲେ ସେ ରେଭେନ୍ସା କଲେଜ ହଲ୍‍ରେ ଉକ୍ତ ସମ୍ମିଳନୀ କରିବା ପାଇଁ ଅନୁମତି ଦେବେ ନାହିଁ । ତେଣୁ ସମସ୍ତ ଉଦ୍ୟୋକ୍ତ, ପ୍ରତିନିଧି ଓ ଦର୍ଶକମାନଙ୍କ ମୁହଁ କଳା ପଡ଼ିଗଲା, ମନ ଫିକା ପଡ଼ିଗଲା । ଶେଷରେ ଡକ୍ଟର ପରିଜା ମାନିଜାମିନି ହେଲେ ଯେ,ଗୋଦାବରୀଶ ବାବୁ କୌଣସି ରାଜଦ୍ରୋହାତ୍ମକ ଓ ଆପତ୍ତିଜନକ ବକ୍ତୃତା ଦେବେନାହିଁ । ଏହି ସର୍ତ୍ତରେ ଉକ୍ତ ସମ୍ମିଳନୀ ପାଇଁ ଅନୁମତି ମିଳିଲା । ଏହା ହିଁ ସେତେବେଳର ବ୍ରିଟିଶ ସରକାରଙ୍କ ଶାସନ କଟକଣା ଓ ଛାତ୍ର ସମାଜର ଅବସ୍ଥା । ସ୍ୱାଧୀନତା ପ୍ରାପ୍ତିପର ଛାତ୍ରମାନେ ଯେଉଁ ଦମ୍ଭ ଓ ସାହାସ ଧରି ଆଗେଇ ଚାଲିଛନ୍ତି, ସ୍ୱାଧୀନତା ପୂର୍ବରୁ ଛାତ୍ରମାନଙ୍କର ସେ ଦମ୍ଭ ଓ ସାହାସ ନଥିଲା । ରହିବା ମଧ୍ୟ କଷ୍ଟକର--କାରଣ ଏଥିମଧ୍ୟରେ ହୋଇଥିବା ସମାଜର ପରିବର୍ତ୍ତନ ଏବଂ ତାହାର ଅନ୍ୟାନ୍ୟ କାରଣମାନଙ୍କ ମଧ୍ୟରେ ଏବର ଛାତ୍ରସଂଖ୍ୟା ବୃଦ୍ଧି, ଉତ୍କଟ ବେକାରୀ ସମସ୍ୟା ଓ ଲୋକମତ ଉପରେ ପ୍ରତିଷ୍ଠିତ ଜାତୀୟ ସରକାର, ଯେ କି ଆଜି ଛାତ୍ରଙ୍କ ଉପରେ ଗୁଳି ଚଳାଇଲା ପରେ କାଲି ପୁଣି ଲୋକମତ ପାଇଁ ତାଙ୍କରି ଦ୍ୱାରସ୍ଥ ହେବ । ଏବେ ହାଇସ୍କୁଲ ଲିଭିଙ୍ଗ ସାର୍ଟିଫିକେଟ୍‍ ପରୀକ୍ଷାରେ ଓଡ଼ିଶାରେ ପ୍ରତିବର୍ଷ ୩୦ହଜାର ଛାତ୍ର ଓ କଲେଜ କ୍ଷେତ୍ରରେ ପ୍ରତିବର୍ଷ ପାଞ୍ଚ ହଜାର ଛାତ୍ର ଉତ୍ତୀର୍ଣ୍ଣ ହେଉଛନ୍ତି । ସେତେବେଳେ ହାଇସ୍କୁଲ କ୍ଷେତ୍ରରେ ହୁଏତ ତିନି ହଜାର ଛାତ୍ର ଏବଂ କଲେଜ କ୍ଷେତ୍ରରେ ୫୦୦ ଛାତ୍ର ପରୀକ୍ଷା ଦେଉଥିଲେ । ତେଣୁ ପ୍ରତ୍ୟେକ କ୍ଷେତ୍ରରେ ପରିମାଣାତ୍ମକ ପରିବର୍ତ୍ତନରେ, ଗୁଣାତ୍ମକ ପରିବର୍ତ୍ତନ ହୋଇଥାଏ । ଏବେ ଏହି ଛାତ୍ରମାନଙ୍କ କ୍ଷେତ୍ରରେ ତାହା ହିଁ ହୋଇଛି । ଆଉ କେତେବର୍ଷ ପରେ ଅବସ୍ଥାର ପରିବର୍ତ୍ତନ ସଙ୍ଗେ ସଙ୍ଗେ, ପୁଣି ଘଟଣାର ମଧ୍ୟ ପରିବର୍ତ୍ତନ ହେବା ସ୍ୱାଭାବିକ । ତାହା ହିଁ ସାମାଜିକ ଦ୍ଵନ୍ଦରେ ଅନିବାର୍ଯ୍ୟ ଅଙ୍ଗ ।

 

ଭବିଷ୍ୟତରେ ଆମରି ଏହି ଓଡ଼ିଶାରେ ହୁଏତ ହାଇସ୍କୁଲ କ୍ଷେତ୍ରରେ ଦଶଲକ୍ଷ ଓ କଲେଜ କ୍ଷେତ୍ରରେ ତିନିଲକ୍ଷ ଛାତ୍ର ଉତ୍ତୀର୍ଣ୍ଣ ହେବେ । ସେତେବେଳେ ଆଜିର ସମାଜର ଅବସ୍ଥା ରହିବ ନାହିଁ । ସମାଜ ଆହୁରି ଅଧିକ ଆଗେଇଯିବ । ସମାଜ ଅଧିକ ଅଗ୍ରସର ନହେଲେ, ଆଜିର ଛାତ୍ର ଆନ୍ଦୋଳନକୁ ସମାଜର ଏହି ପରିପ୍ରେକ୍ଷୀରେ ବିଚାର କରି ଏହାର ପ୍ରତିକାର କରାଯିବା ଉଚିତ । ଅଯଥା ଅନ୍ଧାରରେ ବାଡ଼ିବୁଲାଇ କିଛି ଲାଭ ନାହିଁ । ଅର୍ଥାତ୍‍ ଅବସ୍ଥାକୁ ଚାହିଁ ସମାଜର ଆଶୁ ଓ ଆମୂଳଚୂଳ ପରିବର୍ତ୍ତନ ହେବା ଆବଶ୍ୟକ । ଅନ୍ୟଥା ମେରିରାୟ ନୀତିରେ ବିଷମୟ ଫଳ ଫଳିବା ସ୍ୱାଭାବିକ । ଆଜିର ପ୍ରତ୍ୟେକ ପ୍ରାନ୍ତର ପ୍ରତ୍ୟେକ ଘଟଣା ଉପରେ ଆର୍ନ୍ତଜାତିକ ଘଟଣାର ପ୍ରଭାବ ପଡ଼ୁଛି ଓ ପଡ଼ିବ । ତାକୁ କେହି ବନ୍ଦ କରିପାରିବେ ନାହିଁ କିମ୍ବା ଆଖି ବୁଜିଦେଇ ପାରିବେ ନାହିଁ ।

 

କଲେଜ ହଷ୍ଟେଲ ଉତ୍ସବ ପାଳନ :

ମୋର ମନେପଡ଼ୁଛି ଯେ, ଥରେ ପଶ୍ଚିମ ହଷ୍ଟେଲରେ ଏକ ବାର୍ଷିକ ଉତ୍ସବରୁ ମି. ଦାସ (ସ୍ଵର୍ଗୀୟ ମଧୁସୁଦନ ଦାସ)ଙ୍କୁ ପ୍ରଧାନ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଥିଲା । ସେ ପ୍ରଧାନ ଅତିଥି ହେ, ଅପରିମିତ ଶକ୍ତି ଓ ଅନୁପମ କାର୍ଯ୍ୟଦକ୍ଷତା ଥିଲା । ମାତ୍ର ବ୍ୟକ୍ତିବାଦୀତ୍ୱ, ଏକଜିଦିଆ ପଣିଆ ଏବଂ ବିଭିନ୍ନ ଜାତୀୟ ଘଟଣାରେ ସମୟର ଆହ୍ୱାନ ନଶୁଣିପାରିବା ଏବଂ ତଦନୁଯାୟୀ ନିଜକୁ ତୟାର ନକରିପାରିବା ଦ୍ୱାରା ସେ ସମୟର ବହୁପଛକୁ ପଡ଼ିଗଲା । ଅନ୍ୟଥା ଭାରତର ତୁଙ୍ଗ ରାଜନୌତିକ ନେତା ଓ ମନୀଷୀମାନଙ୍କ ମଧ୍ୟରେ ସେ ଉଚ୍ଚସ୍ଥାନ ଅଧିକାର କରିଥାନ୍ତେ । ମୋତିଲାଲ, (ନେହେରୁ) ଚିତ୍ତରଞ୍ଜନ, ଭି.ଯେ.ପଟେଲଙ୍କର ସ୍ଥାନ ଦାଖଲ କରିଥାନ୍ତେ, ଯଦି ୧୯୨୦ ସ୍ୱ।ଧୀନତା ଆନ୍ଦୋଳନର ଝାସ ଦେଇଥାନ୍ତେ । ତାଙ୍କର କେତେକ ବନ୍ଧୁ ଓ ଶିଷ୍ୟ, ପ୍ରଶିଷ୍ୟ କୁହନ୍ତି ଯେ, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ସେ ୧୯୨୦ ସ୍ୱାଧୀନତା ଆନ୍ଦୋଳନରେ ଯୋଗଦେଲେ ନାହିଁ । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କ’ଣ ବାକୀ ରହିଗଲା ? ସ୍ୱର୍ଗୀୟ ପଣ୍ଡିତ ଗୋପବନ୍ଧୁ ପୁଣି ସ୍ୱତନ୍ତ୍ର ଉତ୍କଳପ୍ରଦେଶ ଗଠନକୁ ନିଜର ପ୍ରାଣ ପ୍ରତିଷ୍ଠାଭଳି, ଭଲପାଉଥିଲେ ମଧ୍ୟ ଏକ ବୃହତ୍ତର କାର୍ଯ୍ୟ, ସ୍ୱ।ଧୀନତା ଲାଭ ଯାହାକି ସକଳ ଘରୋଇ ସମସ୍ୟା ସମାଧାନରେ ସହାୟକ ହୁଏ ଏବଂ ହେବ ମଣି ନିଜ ଜୀବନକୁ ଓ କାର୍ଯ୍ୟକୁ ପାଣିଛଡ଼ାଇ ସେ କାର୍ଯ୍ୟକୁ ଉଚ୍ଚ ଓ ପ୍ରଥମ ସ୍ଥାନ ଦେଇଥିଲେ ଏବଂ ତହିଁରେ ଝାସ ଦେଇଥିଲେ ?

 

ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଅଧିକ ସହଜ ଓ ସୁଗମ ହୋଇଥାନ୍ତା,ନାନା କାରଣରୁ ।

 

ତେଣୁ ତାଙ୍କର ଯେଉଁ ଅନ୍ତରଙ୍ଗ ବନ୍ଧୁମାନେ ତାଙ୍କର ଏହି ତ୍ରୁଟି ବା ଦୁର୍ବଳତାକୁ ସମର୍ଥନ କରନ୍ତି, ସେମାନେ ତାଙ୍କ ପ୍ରତି ନ୍ୟାୟ କରନ୍ତି ନାହିଁ ବୋଲି ମୋର ଧାରଣା । ଭଲ କାର୍ଯ୍ୟରେ ଜିଦ୍‍ ଯେତିକି ସହାୟକ ଖରାପ କାର୍ଯ୍ୟରେ ଜିଦ୍‍ ସେତିକି ବାଧକ ଓ ମାରାତ୍ମକ ।

 

ରେଳବାଇ ଅଫିସରଙ୍କ ଦୁର୍ବ୍ୟବହାର :

ଏଠାରେ ଆଉ ଗୋଟିଏ ଘଟଣା ଉଲ୍ଲେଖଯୋଗ୍ୟ । ସେହି ସମୟର ସରକାରୀ ଅଫିସର ଓ ରେଳବାଇ ଅଫିସରମାନଙ୍କର ଜାତୀୟନେତା ସର୍ବସାଧାରଣଙ୍କ ପ୍ରତି କିପରି ଦୁର୍ବ୍ୟବହାର ଥିଲା ତାହା ଏହି ଘଟଣାରୁ ବେଶ୍‍ ଅନୁମାନ କରିହେବ ।

 

୧୯୨୭ ମସିହା ଅଗଷ୍ଟ କିମ୍ବା ସେପ୍ଟେମ୍ବର ମାସ ରାତ୍ରିରେ ପ୍ରଥମ ପ୍ରହରରେ ମୁଁ ଟ୍ରେନ୍‍ରେ ପୁରୀ ଯିବା ପାଇଁ ରେଭେନ୍ସା କଲେଜ ହଷ୍ଟେଲରୁ କଟକ ଷ୍ଟେସନ୍‍କୁ ଆସିଲି । ଦାସେ ଆପଣେ ମଧ୍ୟ ସାକ୍ଷୀଗୋପାଳ କିମ୍ବା ପୁରୀ ଯିବା ପାଇଁ ସେହି ସମୟରେ କଟକ ଷ୍ଟେସନକୁ ଆସିଥାନ୍ତି । ସେତେବେଳେ କଟକ ଷ୍ଟେସନ ଏତେ ବଡ଼ ଷ୍ଟେସନ ହୋଇନଥାଏ । ତୃତୀୟଶ୍ରେଣୀ ଯାତ୍ରୀମାନେ, ଯେଉଁ ସାଧାରଣ (ଯିବା ଆସିବା)ରାସ୍ତାଟି ଅଛି ସେହିଠାରେ ବିଶ୍ରାମ ନିଅନ୍ତି । ଦ୍ଵିତୀୟ ଓ ପ୍ରଥମ ଶ୍ରେଣୀ ଯାତ୍ରୀମାନେ ପ୍ଲାଟ୍‍ଫର୍ମ ଭିତରକୁ ଯାଇ ତାହାର ଦକ୍ଷିଣ ପଟରେ ଥିବା ଗୋଟିଏ ଘରେ ବିଶ୍ରାମ କରନ୍ତି । ପ୍ଲାଟ୍‍ଫର୍ମ ଓ ତୃତୀୟଶ୍ରେଣୀ ୱେଟିଙ୍ଗ ରୁମ୍‍ ମଧ୍ୟରେ ଫାଟକଟିଏ ଥାଏ । ଗାଡ଼ି ଆସିବା ପୂର୍ବରୁ ଅଫିସରମାନେ ତାହାକୁ ତାଲା ପକାଇ ରଖିଥାନ୍ତି । ରେଳଗାଡ଼ି ଆସିବା ଠିକ୍‍ ପୂର୍ବରୁ ଖୋଲିଦିଅନ୍ତି କିମ୍ବା ପ୍ରଥମ ବା ଦ୍ଵିତୀୟ ଶ୍ରେଣୀ ଯାତ୍ରୀ ଆସିଲେ ଖୋଲନ୍ତି । ଅନ୍ୟ ସମୟରେ ତାହା ବନ୍ଦ ଥାଏ । ସେଦିନ ରେଳଗାଡ଼ି ଆସିବ ଆସିବ ବୋଲି ବହୁତ ଅପେକ୍ଷା କଲେ ମଧ୍ୟ ଗାଡ଼ି ଆସୁନଥାଏ । ବସିବାକୁ ମଧ୍ୟ ଜାଗାନାଥାଏ । ପ୍ଲାଟ୍‍ଫର୍ମ ଭିତରକୁ ଟିକେଟ କ୍ଲର୍କ ଛାଡ଼ୁନଥାଏ । ସେ କୁଆଡ଼େ ଆଡ଼େଇଗଲେ ଦାସେଆପଣେ ଓ ମୁଁ ତଥା ଅନ୍ୟ କେତେଜଣ ଯାତ୍ରୀ ଟିକିଏ ଭିତରକୁ ପଶିଯାଇ, ସେହି ଦ୍ଵିତୀୟ ଶ୍ରେଣୀ ବିଶ୍ରାମଗାରରେ ପଶିଯିବାକୁ ଚେଷ୍ଟା କଲାବେଳେ, ସେ ଟିକେଟ କ୍ଲର୍କ ଆମକୁ ପୁଣି ବାହାରକୁ ଯିବାକୁ ଏତେ ବ୍ୟସ୍ତ ଓ ବିବ୍ରତ କରେ ଯେ, ଆମେ ବାହାରକୁ ଚାଲିଆସୁଥାଉ । ଏହିପରି ରାତ୍ରିଯାକ ତାଙ୍କ ଆମ ଭିତରେ ବାରମ୍ବାର ବଚସା ଓ ତେଢ଼ାତେଢ଼ି ଚାଲିଥାଏ । ପ୍ଲାଟ୍‍ଫର୍ମ ଭିତରକୁ ପଶିବା ଓ ବାହାରିବା କାମ କରୁ କରୁ ଅଧରାତି ହୋଇଗଲା । ଏଥିମଧ୍ୟରେ ରାତ୍ରି ଘ.୧ଣ୍ଟା ବା ଘ. ୨ଣ୍ଟା ବେଳ ସେ ଟିକଟ କ୍ଲର୍କ ରାଗରେ କହିଲା ଯେ, ଯଦି ଦ୍ଵିତୀୟ ଶ୍ରେଣୀ ବିଶ୍ରାମ ଘରେ ବସିବାକୁ ଇଚ୍ଛା କରୁଛ, ତେବେ ଦ୍ଵିତୀୟ ଶ୍ରେଣୀ ଟିକଟ ନେଇକରି ଆସ । ମାତ୍ର ଗାଡ଼ି ଆସିବାର କିଛି ସଠିକତା ନଥିବାରୁ, କ୍ଲର୍କ ଟିକଟ ଦେଉନଥାଏ । ଉକ୍ତ ଟିକଟ କ୍ଲର୍କର ଏହି ଅସହ୍ୟ ଦୁର୍ବ୍ୟବହାରରେ ଦାସେ ଆପଣେ ଚିଡ଼ିଯାଇ କହିଲେ, ମୋତେ ଗୋଟିଏ ୨ୟ ଶ୍ରେଣୀ ଟିକଟ ଦିଅ, ମୁଁ ସେ ଭିତରେ ବସିବି । ସେ କ୍ଲର୍କ ସେହିଥିରେ ଚୁପ୍‍ ହୋଇଗଲା । କାରଣ ଟ୍ରେନ୍‍ ନଆସିବାରୁ ତ ଟିକଟ ମିଳୁନାହିଁ, ଏଣେ ଯାତ୍ରୀ ଦ୍ଵିତୀୟ ଶ୍ରେଣୀ ଟିକଟ ଦାବୀ କରୁଛି । ତେଣୁ ସେ ଚୁପ୍‍ ହୋଇଗଲା । ଆମେ ବାକୀତକ ସମୟ ସେହି ଦ୍ଵିତୀୟ ଶ୍ରେଣୀ ବିଶ୍ରାମାଗାରରେ ବସି ବସି ସକାଳୁ ମୁଁ ରେଭେନ୍ସା କଲେଜ ହଷ୍ଟେଲକୁ ଫେରିଲି ଓ ଦାସେ ଆପଣେ ସତ୍ୟବାଦୀ ପ୍ରେସକୁ ଫେରିଗଲେ । ଅନ୍ୟମାନେ ନିଜ ନିଜ ଘରକୁ ଗଲେ । ସେଦିନ ଟ୍ରେନ୍‍ ଆଦୌ ଅସିଲାନାହିଁ । ପରେ ବୁଝିଲୁ ଯେ, ବ୍ରାହ୍ମଣୀ କିମ୍ବା ବୈତରଣୀରେ ବନ୍ୟା ହୋଇ ରେଳଲାଇନ୍‍ ବୁଡ଼ିଯାଇଛି; ତେଣୁ ଟ୍ରେନ୍‍ ଆସିବ ନାହିଁ । ଏହା ହିଁ ସେ ସମୟର ସରକାରୀ ବା ରେଳବାଇ ଅଫିସରମାନଙ୍କର ଜାତୀୟନେତା, ସମାଜସେବୀ, ସର୍ବସାଧାରଣ ତଥା ଛାତ୍ରମାନଙ୍କ ପ୍ରତି ବ୍ୟବହାର ଥିଲା । ଏହା ଏକ ସ୍ଵତନ୍ତ୍ର ଘଟଣା ନୁହେଁ । ଘଟଣାବହୁଳ (ସମାଜର) ସାଧାରଣ ଘଟଣା । ସେମାନେ ବିଦେଶୀ ସରକାରର ଗୋଲାମ ଥିଲେ । ବିଦେଶୀ ସରକାର, ଜନସାଧାରଣ ତଥା ଦେଶସେବୀଙ୍କ ପ୍ରତି ଯେଉଁ ଦୁର୍ବ୍ୟବହାର ବା ଅପବ୍ୟବହାର କରିବାର କଳ୍ପନା ବା କାର୍ଯ୍ୟରେ ଥିଲା ଅଫିସରମାନଙ୍କଠାରେ ତାହାର ପ୍ରତିଫଳନ ହେଉଥାଏ ଏବଂ ସେମାନେ ସେହିପରି ବ୍ୟବହାର କରୁଥାନ୍ତି ପ୍ରଭୁ ହାଇମାରିଲେ, ସେମାନେ ଫୁଟୁକି ମାରୁଥାନ୍ତି । ଏହା ହିଁ ତାହାର ନଗ୍ନ ଉଦାହରଣ । ତେଣୁ ସେ ସମୟକୁ ଏବେର ସମୟ ମଧ୍ୟରେ କେତେ ପାର୍ଥକ୍ୟ ଓ କେତେ ବ୍ୟବଧାନ ତାହା ଖୁବ୍‍ ସହଜରେ ମପା ଯାଇପାରେ । ଏହି ଘଟଣା ଏବଂ ଏହିଭଳି ବହୁଘଟଣା ସେ ସମୟର ଅଫିସରମାନଙ୍କର ମନୋଭାବ ଓ କାର୍ଯ୍ୟଧାରାର ସ୍ପଷ୍ଟଚିତ୍ର । ୧୯୩୭ ପର୍ଯ୍ୟନ୍ତ ସେମାନଙ୍କଠାରେ ଏହି ମନୋଭାବ ପ୍ରାୟ ସ୍ପଷ୍ଟ ପ୍ରକାଶ ପାଉଥାଏ । ୧୯୩୭ରେ ଜନସାଧାରଣଙ୍କ ଭୋଟବଳରେ କଂଗ୍ରେସ କ୍ଷମତାକୁ ଆସିବା ପରେ ଅଫିସରମାନଙ୍କ ମନୋଭାବରେ କେତେକ ପରିବର୍ତ୍ତନ ଘଟିଲା । ତାହାପରେ ସ୍ଥଳ ବିଶେଷରେ ଓ ଆବଶ୍ୟକ ଘଟଣାରେ ଦର୍ଶାଇ ଦିଆଯିବ ।

 

କଲେଜ ପରୀକ୍ଷା ପରେ ଗାଁରେ ରହଣୀ :

୧୯୩୦ରେ କଲେଜରେ ଆଇ.ଏସ.ସି. ପରୀକ୍ଷା ପରେ ଗାଁକୁ ଫେରିଯାଇ, ପଲ୍ଲୀଜୀବନ ଉପଭୋଗ କରିବାରେ ଲାଗିଲି । ଛାତ୍ରାବସ୍ଥାରେ ମଝିରେ ମଝିରେ ଗାଁକୁ ଆସିଲେ, ଗାଁର କିଛି ନ କିଛି ଭଲକାମ କରିବା ପାଇଁ ଆମେ ଗାଁର ପ୍ରାୟ ୨୦ଜଣ ଯୁବକ ଏକ “ଯୁବ ସମିତି” ଗଢ଼ି ଗାଁ ପୋଖରୀରୁ ଦଳ କାଢ଼ିବା, ଗାଁ ସଡ଼କରେ ଶଙ୍ଖ ତୟାରୀ କରିବା, ଗାଁ ସଫା ରଖିବା, ପୋଖରୀ ପାଣି ପରିସ୍କାର ରଖିବା ପ୍ରଭୃତି ସାଧାରଣ ସେବା କାର୍ଯ୍ୟ କରୁଥାଉ । ମଝିରେ ମଝିରେ ଗାଁର ବିଭିନ୍ନ ସମସ୍ୟା ନେଇ ଗାଁର ସାଧାରଣ ବୈଠକ ବସି ବିଭିନ୍ନ ଲୋକ ହିତକର କାର୍ଯ୍ୟ ବିଷୟ ଆଲୋଚନା କରାଯାଏ । ଏଥର ପରୀକ୍ଷା ପରେ ବହୁଦିନ ପାଇବା ଯୋଗୁଁ ଏହି କାମ ଖୁବ୍‍ ଦ୍ରୁତଗତିରେ ଆଗେଇ ଚାଲିଲା । ଏହି ସମସ୍ତ କାର୍ଯ୍ୟ ଯୋଗୁଁ ଗାଁର ସାଧାରଣ ଲୋକଙ୍କର ଯେତିକି ପ୍ରିୟଭାଜନ ଓ ବିଶ୍ୱାସ ଭାଜନ ହେଲୁ, ଗାଁର ନ୍ୟସ୍ତସ୍ୱାର୍ଥ ଲୋକଙ୍କର ସୋତିକି ଚକ୍ଷୁଶୂଳ ହେଲୁ । କାରଣ ଆମ ଯୁବସମିତି କାର୍ଯ୍ୟ ଯୋଗୁଁ ସେମାନଙ୍କ ସ୍ୱାର୍ଥ ଓ ସମ୍ମାନରେ ଆଞ୍ଚ ଆସିଲା । ସେମାନଙ୍କୁ ସଭାରେ ସର୍ବସାଧାରଣଙ୍କ ସାମନାରେ ଭୁଲ୍‍ ସ୍ୱୀକାର କରିବା, ସେମାନଙ୍କ ପକ୍ଷରେ ଅସହ୍ୟ ହେଲା । ତେଣୁ ସେମାନେ ଉକ୍ତ ଯୁବସମିତିକୁ ଭାଙ୍ଗିବାକୁ ଭିତରେ ଭିତରେ ଚେଷ୍ଟା କରୁଥାନ୍ତି । ଅନ୍ୟମାନଙ୍କ ଦ୍ଵାରା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଭୁଲ୍‍ ଓ ବିଶୃଙ୍ଖଳା କାର୍ଯ୍ୟ କରାଇ, ସଭାକୁ ନଆସି ଭୁଲ୍‍ ସ୍ୱୀକାର ନକରିବା ଓ କ୍ଷମା ପ୍ରାର୍ଥନା ଯେପରି ନକରନ୍ତି ତାହାର ଭିତିରି ବ୍ୟବସ୍ଥା କରୁଥାନ୍ତି । ଏପରି ଚେଷ୍ଟା କରିବା ଅର୍ଥ ଉକ୍ତ ଯୁବସମିତି କ୍ଷମତା କମିଯାଉ, ତାହା ଭାଙ୍ଗିଯାଉ, ତେବେ ଯାଇ ସେମାନଙ୍କ କ୍ଷମତା ବଜାୟ ରହିବ - ଅନ୍ୟଥା ସେମାନଙ୍କ ସ୍ୱାର୍ଥ ଓ ପ୍ରଭାବ ଯାହାକି ସାଧାରଣତଃ ନ୍ୟସ୍ତସ୍ୱାର୍ଥ ଲୋକମାନେ ଓ ଗାଁର ସୁଦକ୍ଷ ଟାଉଟରମାନେ କରିଥାନ୍ତି-। ସେତେବେଳେ ଏହିଭଳି ଘଟଣା ଯାହା ଆମ ଗାଁରେ ଘଟିଥିଲା, ତାହା ସର୍ବତ୍ର ଘଟୁଥିଲା-। ଏହିପରି କେତେକ ଘଟଣା ପରେ ଯୁବସମାଜ ମନରେ ବଳ ଓ ସାହସ ଦେବା ପାଇଁ ଓ ନ୍ୟସ୍ତସ୍ୱାର୍ଥ ଲୋକଙ୍କ ଦୁର୍ଗୁଣ ପଦାରେ ପକାଇବା ପାଇଁ ମୁଁ ଗାଁରେ ଥରେ ଦୁଇଥର ଅନଶନ କରିବାର ମୋର ମନେ ଅଛି । ସେହି ସମୟରେ ଗାନ୍ଧିଜୀଙ୍କ ଲୁଣମରା ପାଇଁ ଦାଣ୍ତିଯାତ୍ରା ଚାଲିଥାଏ-। ପ୍ରତ୍ୟହ ସେ ବିଷୟରେ ସମ୍ଵାଦ ଓ ସମାଚାରରେ ଗାଁ ପୁରପଲ୍ଲୀ ଉଛୁଳୁ ଥାଏ । ପ୍ରତ୍ୟେକ ଲୋକ ଫଳାଫଳକୁ ଅପେକ୍ଷାକରି ଉଦ୍‍ବିଘ୍ନ ରହିଥାନ୍ତି । ମୁଁ ମଧ୍ୟ ସେହି ସମୟରେ ଉଦ୍‍ବିଘ୍ନ ହୋଇ ଘଟଣାବଳୀକୁ ଅଧ୍ୟୟନ କରୁଥାଏ । ଏଠାରେ ଗୋଟିଏ କଥା ଦର୍ଶାଇଲେ ଅବାନ୍ତର ହେବନାହିଁ । ପ୍ରଥମେ ପ୍ରଥମେ ଗାନ୍ଧିଜୀଙ୍କ ପ୍ରଭାବ କେତେକ ପରିମାଣରେ ମୋ’ ଉପରେ ପଡ଼ିଥିଲା । ମୁଁ ନିଜେ ନିଜକୁ ଶୁଦ୍ଧପୂତ କରି ଗଢ଼ିବା ପାଇଁ ଏବଂ ଦେଶସେବା ପାଇଁ ନିଜକୁ ଉପଯୁକ୍ତ କରି ତିଆରି କରିବା ପାଇଁ, ନିଜର ଦୋଷଗୁଣ ନିଜ ଭିତରେ ଆଲୋଚନା ଓ ବିଶ୍ଳେଷଣ କରିବା ପାଇଁ, ଦୋଷକୁ ଦୂରକରି ଗୁଣକୁ ବଢ଼ାଇବା ପାଇଁ, ଶରୀର ଓ ମନକୁ ଦୃଢ଼ ଓ ଟାଣ କରିବା ପାଇଁ, ଛାତ୍ର ଜୀବନରେ ମଝିରେ ମଝିରେ ମୌନ ଓ ଉପବାସ କରୁଥିଲି । ଜବାହାରଲାଲଙ୍କର ତ୍ୟାଗ ବେଳେବେଳେ ମୋତେ ଆକୃଷ୍ଟ କରୁଥିଲା । ମୁଁ ଅବଶ୍ୟ ସେତେବେଳେ ଦୂରରୁ ଯେତିକି ଦେଖୁଥିଲି ବା ଶୁଣିବାକୁ ପାଉଥିଲି, ତାହା ହିଁ ମୋର ପ୍ରଧାନ ମାପକାଠି ଥିଲା । ତେଣୁ ଗାଁର ପୂର୍ବୋକ୍ତ ଖଳ ଲୋକଙ୍କର କାର୍ଯ୍ୟକଳାପ ମୋତେ ଭଲ ଲାଗୁନଥାଏ ।

 

ତେଣୁ ମୁଁ ମୋର କାର୍ଯ୍ୟକ୍ଷେତ୍ରକୁ ଅଧିକ ବ୍ୟାପକ ଓ ଅଧିକ ଗଭୀର କରିବା ପାଇଁ ସ୍ୱାଧୀନତା ଆନ୍ଦୋଳନରେ ଯୋଗଦେବା ପାଇଁ ମନେ ମନେ ସ୍ଥିର କଲି । ଯାହାଦ୍ୱାରା ଅଧିକ ଲୋକସେବା ଓ ଲୋକ ଉପକାର କରିବାର (ଅଧିକ) ସୁଯୋଗ ଦେବ ଓ ବ୍ୟାପକ କ୍ଷେତ୍ର ମିଳିପାରିବ ।

 

ପ୍ରାଣନାଥ ତାଙ୍କ ଜୀବନର ଶୈଶବ, କୈଶୋରରୁ ଯୌବନାରମ୍ଭ ପର୍ଯ୍ୟନ୍ତ ନିଜ ଭାଷାରେ ନିଜ ଟିପାଖାତାରେ ଏଇ ପର୍ଯ୍ୟନ୍ତ ଲେଖିଛନ୍ତି । ଏହାପରେ ସେ ତାଙ୍କ ଟିପାଖାତାରେ ଆରମ୍ଭ କରିଥିଲେ,”ସତ୍ୟାଗ୍ରହ ଆନ୍ଦୋଳନ ଓ ମୋ’ ଭୂମିକା” : କିନ୍ତୁ ଆମ୍ଭମାନଙ୍କର ଦୁର୍ଭାଗ୍ୟ ଏହା ପରଠାରୁ ଆଉ ଲେଖିନାହାନ୍ତି ।

 

Unknown

ଦ୍ଵିତୀୟ ଅଧ୍ୟାୟ

ସତ୍ୟାଗ୍ରହର ଆନ୍ଦୋଳନ ଓ ମୋର ଭୂମିକା

 

ପ୍ରାଣନାଥଙ୍କର ନିଜ ଭାଷାରେ, ନିଜ ହସ୍ତାକ୍ଷରରେ ଲେଖିଥିବା ଛୋଟିଆ ଖାତାଟି ଏହିଠାରୁ ଏତିକିରେ ଶେଷ ହୋଇଛି । ପ୍ରାଣନାଥ ପଟ୍ଟନାୟକ ସମ୍ଭବତଃ ୧୯୬୭-୧୯୬୮ ମସିହା ବେଳକୁ ଏହି ପର୍ଯ୍ୟନ୍ତ ତାଙ୍କ ଜୀବନୀର ଆଦ୍ୟପର୍ବ “ସମାଜରେ ମୋର ସ୍ଥାନ” ରୁ ଆରମ୍ଭ କରିଛନ୍ତି ଏବଂ ୧୯୩୦ ବେଳକୁ ରେଭେନ୍ସା କଲେଜରୁ ପଢ଼ାସାରି ଏବଂ ପଢ଼ାଛାଡ଼ି ସତ୍ୟାଗ୍ରହ ଆନ୍ଦୋଳନରେ ଝାସ ଦେବା ପ୍ରାକ୍‍କାଳ ପର୍ଯ୍ୟନ୍ତ ଲିପିବଦ୍ଧ କରିପାରିଛନ୍ତି

 

ଏହା ପରବର୍ତ୍ତୀ ବର୍ଣ୍ଣନାଗୁଡ଼ିକ ତାଙ୍କ ଜୀବନର ଘଟଣାବହୁଳ ବର୍ଣ୍ଣନା ସମସାମୟିକ ସମୟର ଉଦ୍‍ବେଳନ ପରିପ୍ରେକ୍ଷୀରେ ମୋ’ ଭାଷାରେ ଲେଖୁଛି । ତାଙ୍କ ଜୀବନ ଏକ ଖୋଲା ବହି-। ଯାହାକୁ ଅନେକେ ଦେଖିଛନ୍ତି, ଜାଣିଛନ୍ତି-ଅଧ୍ୟୟନ କରିଛନ୍ତି ।

 

ତାଙ୍କର ସେ ସମୟ ଏକ ବିଚିତ୍ର ଉଦ୍‍ବେଳନର ଯୁଗ । ସମାଜରେ ପ୍ରତ୍ୟେକ ଶ୍ରେଣୀ, ପ୍ରତି ସମ୍ପ୍ରଦାୟ ଲୋକଙ୍କୁ ସେ ସମୟ, ସେ ଯୁଗ ଆଲୋଡ଼ିତ କରିଛି- ଉଦ୍‍ବେଳିତ କରିଛି ।

 

ମହାତ୍ମାଗାନ୍ଧୀ ୧୯୩୦ ଏପ୍ରିଲ ତା. ୦୬ ରିଖ ଦିନ ଦାଣ୍ଡିରେ ଲୁଣମରା ଆନ୍ଦୋଳନ ଆରମ୍ଭ କରିବେ । ଏଥିପୂର୍ବରୁ ୧୯୩୦ ଜାନୁୟାରୀ ୨୭ତାରିଖରେ ଆକୁମାରୀ ହିମାଳୟ ସମଗ୍ର ଭାରତ ଉପମହାଦେଶର ସହସ୍ର ସହସ୍ର ଜନତା ଜାତୀୟ ପତାକା ଉଡ଼ାଇ, ପୁର୍ଣ୍ଣସ୍ୱରାଜ ହାସଲ କରିବା ପାଇଁ ଶପଥ ନେଇଥିଲେ । ସେ ଶପଥର ଏକ ଅଂଶ ଥିଲା “ଭାରତରେ ବ୍ରିଟିଶ ସରକାର ଭାରତବାସୀଙ୍କୁ ରାଜନୈତିକ, ଆର୍ଥିକ ଓ ନୈତିକ ଭାବରେ ଧ୍ୱସ୍ତ ବିଧ୍ୱସ୍ତ କରିଦେଇଛି । ଆମେ ବିଶ୍ୱାସ କରୁ ଭାରତକୁ ବ୍ରିଟିଶ ସମ୍ପର୍କ ଚ୍ଛିନ୍ନ କରିବାକୁ ହେବ ଏବଂ ପୂର୍ଣ୍ଣ ସ୍ୱରାଜ ଅବା ପୂର୍ଣ୍ଣ ସ୍ୱାଧୀନତା ଲାଭ କରିବାକୁ ହେବ ।”

 

ପୂର୍ଣ୍ଣ ସ୍ୱରାଜ ଆହ୍ୱାନର ପ୍ରତିଧ୍ଵନିରେ ସାରାଦେଶରେ ଗଗନ, ପବନ ମୁଖରିତ ହୋଇଉଠିଲା । ବ୍ରିଟିଶ କ୍ଷମତା ପ୍ରତିରୋଧରେ ମହାତ୍ମାଗାନ୍ଧୀ ଆହ୍ୱାନ ଦେଲେ ଆଇନ ଅମାନ୍ୟକରି, ଭାରତବାସୀ ଆଗ “ଦରିଆ ଦଖଲ” କରିବେ । ଗାନ୍ଧିଜୀ ସାବରମତି ଆଶ୍ରମରୁ ୧୯୩୦ମାର୍ଚ୍ଚ ୧୨ ତାରିଖ ଦିନ ଦାଣ୍ଡୀଯାତ୍ରା ଆରମ୍ଭ କରିବେ ଏବଂ ୨୪୧ ମାଇଲ ପଥ ପଦଯାତ୍ରାରେ ଅତିକ୍ରମ କରିକରି, ସମୁଦ୍ରତଟସ୍ଥ ଦାଣ୍ଡୀରେ ପହଞ୍ଚି ଲୁଣ ମାରିବେ । ସ୍ଥିର ହେଲା ଗାନ୍ଧିଜୀ ଓ ତାଙ୍କ ପଟୁଆର ଦିନକୁ ୧୬ ମାଇଲ ପଥ ଅତିକ୍ରମ କରିବେ ।

 

ବିଜୁଳୀ ବେଗରେ ଏ ଖବର ଗାଏଁ ଗାଏଁ ପ୍ରଚାରିତ ହୋଇଗଲା ଏବଂ ଶିବିର, ସଭା ଶୋଭାଯାତ୍ରା ଆରମ୍ଭ ହୋଇଗଲା । ଆରମ୍ଭ ହୋଇଗଲା ଇତିହାସ ପ୍ରସିଦ୍ଧ ଲବଣ ସତ୍ୟାଗ୍ରହ ଏବଂ ଦାଣ୍ଡୀଯାତ୍ରା । ଶ୍ରୀମତୀ ସରୋଜିନୀ ନାଇଡ଼ୁଙ୍କର ନେତୃତ୍ୱରେ ସମୁଦ୍ର ଜଳରୁ ଲୁଣ ମାରିବାକୁ ସହସ୍ର ଲବଣ ସତ୍ୟାଗ୍ରହୀ ଲାଠି, ଗୁଳିକୁ ବେଖାତିର କରି ଆଗେଇ ଯାଉଥାନ୍ତି ।

 

ମହାତ୍ମାଗାନ୍ଧୀ ଡାକରାଦେଲେ, ମହିଳାମାନେ ଘରକୋଣ ଛାଡ଼ି, ବାହାରି ଆସିବାକୁ ଓ ସତ୍ୟାଗ୍ରହରେ ଝାସ ଦେବାକୁ । ଚାକିରୀଆମାନେ ଚାକିରୀ ଛାଡ଼ିବାକୁ । ଛାତ୍ରଛାତ୍ରୀମାନେ ସ୍କୁଲ କଲେଜ ବର୍ଜ୍ଜନ କରିବାକୁ । ଲକ୍ଷ ଲକ୍ଷ ଛାତ୍ର ଶ୍ରେଣୀ ବର୍ଜନ କରି ସ୍ୱାଧୀନତା ସଂଗ୍ରାମରେ ଝାସ ଦେଲେ - ଓକିଲ, ଡାକ୍ତର, ଅଧ୍ୟାପକ, ସାମ୍ବାଦିକ ନିଜ ନିଜ ପେଷା ଛାଡ଼ି ଆନ୍ଦୋଳନରେ ଝାସ ଦେଲେ । ବିଦେଶୀ ଜିନିଷ ବର୍ଜନ, ସୂତାକଟା, ବିଦେଶୀ ସାମଗ୍ରୀ ବିକ୍ରି କରୁଥିବା ଦୋକାନ ସମ୍ମୁଖରେ ପିକେଟିଂ, ସରକାରୀ ଦପ୍ତର ସାମନାରେ ପିକେଟିଂ, ମଦ-ଗଞ୍ଜାଇ ଦୋକାନ ଆଗରେ ପିକେଟିଂ ଆଦି ଚାଲିଲା ।

 

ମହାସାଗରର ଉତ୍ତାଳ ତରଙ୍ଗ ପରି, ଏ ମହାଆନ୍ଦୋଳନ ପ୍ରତି ଯୁବପ୍ରାଣକୁ ଭସାଇନେଲା । ବିହ୍ଵଳିତ କଲା-ଆଲୋଡ଼ିତ, ଉଦ୍‍ବେଳିତ କଲା ।

 

ପ୍ରାଣନାଥ, ରେଭେନ୍ସା କଲେଜରେ ଆଇ.ଏସ୍‍.ସି. ପରୀକ୍ଷା ଦେଇ ଗାଁକୁ ଯାଇ, କଲେଜ ପରିସରରେ ଜଣେ ଆଗ୍ରଣୀ ଛାତ୍ର ଭାବରେ ସ୍ୱାଧୀନତା ଆନ୍ଦୋଳନର ଘଟଣାବଳୀକୁ ତୀକ୍ଷ୍‍ଣ ଭାବରେ ଅନୁଧ୍ୟାନ କରିସାରି, ସଂକଳ୍ପ କଲେ, ନିଜର କର୍ମକ୍ଷେତ୍ରକୁ ସମ୍ପ୍ରସାରିତ କରିବାକୁ, ଅଧିକ ବ୍ୟାପକ ଓ ଗଭୀର କରିବାକୁ, ସ୍ୱାଧୀନତା ଆନ୍ଦୋଳନରେ ଝାସଦେବାକୁ ଏବଂ ସେତିକିରେ ପାଠପଢ଼ାରେ ଡୋରି ବାନ୍ଧିବାକୁ । ତାଙ୍କ ନିଜ ଭାଷାରେ, “ଅଧିକ ଲୋକସେବା କରିବାର ସୁଯୋଗ, ଲୋକ ଉପକାର କରିବାର ବ୍ୟାପକ ସୁଯୋଗ ଏବଂ କ୍ଷେତ୍ର ପାଇବାକୁ” -ଆନ୍ଦୋଳନକୁ ଡେଇଁ ପଡ଼ିଲି ।

 

ପ୍ରାଣନାଥଙ୍କର ଜୀବନରେ ଗତିଧାରାରେ ଏ ପରିବର୍ତ୍ତନ ଅଚାନକ ବା ଆକସ୍ମିକ ନୁହେଁ-। ସେ ସମୟରେ ଘଟଣାବଳୀର ଉଦ୍‍ବେଳନର ପ୍ରଚଣ୍ଡ ପ୍ରଭାବ ସାଙ୍ଗକୁ ପ୍ରାଣନାଥଙ୍କର ନିଜର ଗଭୀର ମନନଶୀଳତା ସହିତ, ଦୃଢ଼ ଅବିଚଳିତ ନିଷ୍ପତ୍ତି, ତାଙ୍କୁ ବାଟ କଢ଼ାଇ ସେଇ ୧୯୩୦ ମସିହାରେ କଟକ ସ୍ଵରାଜ୍ୟ ଆଶ୍ରମକୁ ନେଇଯାଇଥିଲା । ସେତେବେଳେ କଟକରେ କାଠଯୋଡ଼ିକୂଳେ ସନସାଇନ ପଡ଼ିଆ ସନ୍ନିକଟବର୍ତ୍ତୀ ନବକୃଷ୍ଣ ଚୌଧୁରୀ ପରିବାରଙ୍କର ଦୋତାଲା କୋଠାର ତଳ ମହଲାରେ ସ୍ଵରାଜ୍ୟ ଆଶ୍ରମ ବା ଗାନ୍ଧୀ ଆଶ୍ରମ ସ୍ଥାପିତ ହୋଇଥିଲା ।

 

ପ୍ରାଣନାଥ ସ୍ଵାଧୀନତା ସଂଗ୍ରାମରେ ଯୋଗଦାନ କରିବାକୁ ପାଦ ବଢ଼ାଇଲା ବେଳକୁ, ନିଜକୁ ଜଣେ ଆଦର୍ଶ ସ୍ଥାନୀୟ ତରୁଣ ରୂପରେ ପ୍ରତିଭାତ ହେବା ପାଇଁ, ତାଙ୍କ ନିଜ ଭାଷାରେ,“ମୁଁ ନିଜକୁ ନିଜେ ଶୁଦ୍ଧକରି ଗଢ଼ିବା, ଉପଯୁକ୍ତ ଦେଶସେବା ପାଇଁ ନିଜକୁ ତିଆରି କରିବା, ନିଜର ଦୋଷଗୁଣ ନିଜ ଭିତରେ ଆଲୋଚନା କରିବା, ଦୋଷକୁ ଦୂରକରି ଗୁଣକୁ ବଢ଼ାଇବା ଏବଂ ଶରୀର ଓ ମନକୁ ଦୃଢ଼ ଓ ଟାଣ କରିବା ପାଇଁ ଛାତ୍ର ଜୀବନରେ ମଝିରେ ମଝିରେ ମୌନବ୍ରତ ଓ ଉପବାସ କରୁଥିଲି ।” କେବଳ ସେତିକି ନୁହେଁ ବିଜ୍ଞାନର ଛାତ୍ର ପ୍ରାଣନାଥ ମୁଣ୍ତିତ ମସ୍ତକ ହୋଇ, ଗୈରିକ ବସ୍ତ୍ର ପରିଧାନ କରୁଥିଲେ ।

 

୧୯୩୦ମସିହା ଦଶହରା ବେଳେ, ବାଲେଶ୍ୱରରେ ଅଫିମ ମଦ ଗଞ୍ଜା ଦୋକାନ ଆଗରେ ପିକେଟିଂ ଚାଲୁଥାଏ । ବିଭିନ୍ନ ଅଞ୍ଚଳରେ ପିକେଟିଂ ଆଦି କରିବା ପାଇଁ ଯାଉଥିବା ସ୍ୱାଧୀନତା ସେନାନୀମାନଙ୍କୁ ପରିଚାଳିତ କରିବା ପାଇଁ, ନିର୍ଦ୍ଦେଶ ଦେବା ପାଇଁ ଜଣେ ଜଣେ ପରୀକ୍ଷିତ ସଂଗ୍ରାମୀଙ୍କୁ ଡିରେକ୍ଟର ବା ସର୍ଦ୍ଦାର ଭାବରେ ପଠାଯାଏ । ବାଲେଶ୍ୱରରେ ପହଞ୍ଚି ପିକେଟିଂ ଆଦି ଆନ୍ଦୋଳନ କରିବା ପାଇଁ ଯାଉଥିବା ଏବଂ ସେଠାରୁ ସ୍ଥାନୀୟ ଭାବରେ ଯୋଗଦେଇଥିବା ସେନାନୀ ମାନଙ୍କର ଡିରେକ୍ଟର ଥିଲେ ପଣ୍ଡିତ ଲିଙ୍ଗରାଜ ମିଶ୍ର ।

 

ପ୍ରାଣନାଥଙ୍କର ୧୯୩୦ ଅକ୍ଟୋବରରେ ବାଲେଶ୍ୱରଠାରେ ସତ୍ୟାଗ୍ରହରେ ଯୋଗଦାନର ପ୍ରତ୍ୟକ୍ଷ ଦିଅନ୍ତି, ପ୍ରାଣନାଥଙ୍କର ବରିଷ୍ଠ ସାଥୀ ଏବଂ ପ୍ରାଣନାଥଙ୍କ ଦ୍ୱାରା ପରବର୍ତ୍ତୀ କାଳରେ କମ୍ୟୁନିଷ୍ଠ ପାର୍ଟିରେ ଯୋଗଦେଇଥିବା, ଓଡ଼ିଶାର ପ୍ରଥମ କମ୍ୟୁନିଷ୍ଟ ଶ୍ରମିକ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ବିଧାୟକ ତଥା ରାଜ୍ୟସଭା ସଦସ୍ୟ ବୈଦ୍ୟନାଥ ରଥ ।

 

ତାଙ୍କର ବିବରଣୀ ହେଲା, “କଟକରୁ ଯାଇ ରହିଥାଏ ତତ୍‍କାଳୀନ ଡିରେକ୍ଟର ପଣ୍ଡିତ ଲିଙ୍ଗରାଜଙ୍କ ନିର୍ଦ୍ଦେଶରେ । ବଡ଼ ତ କେହି ନଥାନ୍ତି । ପିଲାଙ୍କୁ ଧରି ଆମେ କେତେଜଣ କାମ ଚଲାଇଥାଉ । ଜଣେ କିଏ ନୂଆ ଆସିଲେ ଅମୂଲ୍ୟ ନିଧି ମିଳିଯାଏ । ବେଶୀ କିଛି କାମ ନାହିଁ । ମୋତିଗଞ୍ଜ ଅଫିମ ଦୋକାନ ଓ ବେଶ୍ୟାପଡ଼ାରେ (କାରଣ ମଦ ଦୋକାନ ପିକେଟିଂ ଯୋଗୁଁ ଗରାଖଙ୍କ ଲାଗି ସେଠାରେ ମଦ କାରବାର ଚାଲିଥାଏ), ପିକେଟିଂ ଲାଗି ପହଞ୍ଚିବା ସାଙ୍ଗେ ସାଙ୍ଗେ ଥାନାବାବୁ ହମିଦ୍‍ ସାହେବ ଧରିଆଣି ନାଁ ଗାଁ ପଚରା ଉଚୁରା କରି ରାତି ଅଧଯାଏ ବସାଇ ଛାଡ଼ିଦିଅନ୍ତି । ସ୍ୱରାଜ ଲାଗି ଗିରଫ ହୋଇ ଜେଲ୍‍ ଯିବାକୁ ଯେଉଁ ପିଲେ ଆସିଥାନ୍ତି, ସେମାନେ ଏପରି ଛଡ଼ାଛଡ଼ି ଯୋଗୁଁ ୪/୬ ଦିନ ବାଦେ ଭଗ୍ନ ମନୋରଥ ହୋଇ ଚାଲିଯାନ୍ତି ।”

 

“ଏତିକିବେଳେ ଜଣେ ଲଣ୍ଡିତ ମୁଣ୍ଡ-ଆଣ୍ଠୁଲୁଚା ଲୁଗା ଓ କମିଜ ପିନ୍ଧା ଯୁବକ ଖଣ୍ଡେ ବ୍ୟାଗଧରି ଆସି ହାଜିର ହୋଇ କହିଲେ, ସେ କାମ କରିବେ । ପଚାରିବାରୁ କେଉଁଠୁ ଆସିଛନ୍ତି-କ’ଣ କରୁଥିଲ-ଇତ୍ୟାଦି-ସେ କ’ଣ କହିଲେ ଠିକ୍‍ ମନେନାହିଁ । ଯାହା ହଉ ଆମକୁ ନିଧି ମିଳିଗଲା-। କାରଣ ଆମ ସାଙ୍ଗକୁ ଜଣେ ଜୁଟିଗଲେ ପିକେଟିଂ କରିବାକୁ । ଗିରଫ ହେଲେ । ହମିଦ ସାହେବଙ୍କର ପୁଣି ନାଁ-ଗାଁ ପଚରା । କହିବୁ ନାହିଁ ବୋଲି ତାଙ୍କର ଉତ୍ତର । ମାତ୍ର ହମିଦ୍‍ ସାହେବ କହିଲେ-କହିବ ନାହିଁ ? ମୁଁ ଏଇଲେ ବାହାର କରିଦେଉଛି କହି ତାଙ୍କ ପକେଟ୍‍ରେ ହାତପୁରାଇ ଖଣ୍ଡେ ଚଟିଖାତା ବାହାର କରି କହିଲେ, ତମ ନାଁ ପ୍ରାଣନାଥ ପଟ୍ଟନାୟକ ନୁହେଁ ? ଏଇ ହେଉଛି ପ୍ରଥମ ସାକ୍ଷାତ ଓ ପରିଚୟ ।

 

ସରଳ ଓ ନିଷ୍କପଟ ହୃଦୟର ପ୍ରାଣନାଥ ନିଜ ଛାତି ପକେଟ୍‍ରେ ରଖିଥିବା ପକେଟ୍‍ ଡାଇରୀ ବା ଟିପାଖାତାରେ ନିଜର ନାଁ ଗାଁ, ଠିକଣା ଇତ୍ୟାଦି ଲେଖି ରଖିଥିଲେ । ପିକେଟିଂ କରିବାକୁ ଯିବା ପୂର୍ବରୁ ସେ ଖଣ୍ଡିକ ପକେଟରୁ କାଢ଼ିଦେଇ ଅନ୍ୟତ୍ର କେଉଁଠି ଗୁଞ୍ଜିଦେବାକୁ ଭାବି ମଧ୍ୟ ନଥିଲେ । ଯେଉଁଥିପାଇଁ, ତାଙ୍କ ଚେହେରାରୁ ତାଙ୍କର ସରଳତା ଓ ନିରୀହପଣ ଲକ୍ଷ୍ୟକରି ପୋଲିସ ଇନ୍ସପେକ୍ଟର ହମିଦ୍‍ ଖାଁ, ତାଙ୍କ ପକେଟ୍‍ରେ ହାତ ପୁରାଇ ଛୋଟ ଟିପଣା ଡ଼ାଇରୀଟିକୁ କାଢ଼ିନେଇ, ତାଙ୍କ ଠିକଣା ନାଁ, ଗାଁ ସବୁ ଜାଣିଗଲେ । ନାଁ ଗାଁ ଏବଂ ପିକେଟିଂ କରିବାକୁ ଆସିଛନ୍ତି ବୋଲି ଜଣାପଡ଼ିଯିବା ପରେ, ପ୍ରାଣନାଥ ବାବୁଙ୍କୁ ପୋଲିସ ନେଇଯାଇ ଅଟକ ରଖିଲେ । ଅଳ୍ପ କେଇଦିନ ପାଇଁ ହେଲେ ମଧ୍ୟ, ପ୍ରାଣନାଥ ପଟ୍ଟନାୟକଙ୍କର ଜେଲ୍‍ ଯିବାରେ ହାତଖଡ଼ି ହୋଇଗଲା-

 

୧୯୩୫/୩୬ ମସିହାରେ ପୁନଶ୍ଚ ପ୍ରାଣନାଥଙ୍କ ସହିତ ତାଙ୍କର ସାକ୍ଷାତରେ ବର୍ଣ୍ଣନା ଦେବାକୁ ଯାଇ ସେ ଲେଖିଛନ୍ତି-“ତାଙ୍କ ସାଙ୍ଗେ ତା’ ପରେ ଯେବେ ଖୋର୍ଦ୍ଧାରେ ଦେଖାହୁଏ, ସେତେବେଳେ ମୁଁ ଛାତ୍ର ଓ ସେ ପୁରାପୁରି କର୍ମୀ । ସେତେବେଳେ ଜାଣିଲି ସେ ବାଲେଶ୍ୱରରୁ ଚାଲିଆସି ପୁରୀରେ କାମ ଆରମ୍ଭ କଲେ ।”

 

ନିଜେ ପ୍ରାଣନାଥ ପଟ୍ଟନାୟକ କେବଳ ସଙ୍କେତରେ ନିଜ ସମ୍ପର୍କରେ ସୂଚାଇଛନ୍ତି ଯେ, “୧୯୩୦ ଜାତୀୟ ଆନ୍ଦୋଳନରେ ଲବଣ ସତ୍ୟାଗ୍ରହ ଓ ନିଶାଦ୍ରବ୍ୟ ସେବନ ବିରୁଦ୍ଧରେ ପିକେଟିଂ କରି ୩/୪ ଥର ଗିରଫ ହୋଇଥିଲେ ଏବଂ ୨ଥର ଜେଲ୍‍ ଯାଇଥିଲେ ।”

 

ପ୍ରାଣନାଥଙ୍କର ଅନ୍ତରଙ୍ଗ ସମଯୋଦ୍ଧା ସାଥି ଗତିକୃଷ୍ଣ ସ୍ୱାଇଁ ଲେଖିଛନ୍ତି, “କଂଗ୍ରସର ପ୍ରସ୍ତାବ ଅନୁସାରେ ଚୌକୀଦାରୀ ଟିକସ ବନ୍ଦ କରିବା, ଗଞ୍ଜେଇ ଅଫିମ ଦୋକାନ ଆଗରେ ପିକେଟିଂ କରିବା, ବିଦେଶୀ ଲୁଗା ବର୍ଜନ କରିବାଲାଗି, ବିଦେଶୀ ଲୁଗା ବିକୁଥିବା ଦୋକାନମାନଙ୍କ ସମ୍ମୁଖରେ ପିକେଟିଂ କରିବା ଲାଗି ସ୍ଥିର ହେଲା ।”ପୁରୀର ହରଚଣ୍ଡୀ ସାହିର ହରଚଣ୍ଡୀ ମନ୍ଦିର ମଣ୍ଡପରେ ଛାମୁଡ଼ିଆ ପକାଇ ସେଇଠାରେ ରହି ପିକେଟିଂ କରାଯାଉଥିଲା । ମନ୍ଦିର ବଗିଚାରେ ରୋଷେଇକରି ଖାଇ, ବଗିଚାର ଗଛଡ଼ାଳରେ ହାଣ୍ଡି ଓହଳାଇ ଦେଇ ପିକେଟିଂ କରିବାକୁ ଯାଉଥିଲୁ-। ପୁଲିସ ବାରମ୍ବାର ଆସି ସେ ହାଣ୍ଡି ଭାଙ୍ଗି ଦେଇଥାଏ ।”

 

ସତ୍ୟାଗ୍ରହୀ ଆନ୍ଦୋଳନକାରୀ ସଂଗ୍ରାମୀମାନେ ପ୍ରାୟ ସବୁସ୍ଥାନରେ ମନ୍ଦିର, ମଠଭଳି ସାର୍ବଜନୀନ ସ୍ଥାନମାନଙ୍କୁ ବାଛି ବାଛି ସେହିଠାରେ ଆଶ୍ରୟ ନେଉଥିଲେ । ଲୋକେ ପୋଲିସ ଭୟରେ ଏମାନଙ୍କୁ ନିଜ ଘରେ ଖୋଲା ଖୋଲି ରଖିବାକୁ ସାହସ କରୁନଥିଲେ ।

 

ସ୍ୱାଧୀନତା ସଂଗ୍ରାମୀ ଏବଂ ପରବର୍ତ୍ତୀ କାଳରେ ନିଷ୍ଠାପର କମ୍ୟୁନିଷ୍ଟ ଯୋଦ୍ଧା ପର୍ଶୁରାମ ପଦାତିକରାୟ ଲେଖିଛନ୍ତି, “ସେ ସମୟରେ ନେତା ହୁଅନ୍ତୁ ବା କର୍ମୀ ହୁଅନ୍ତୁ, ଆନ୍ଦୋଳନରେ ଯୋଗ ଦେଲେ ବାରଦୁଆର ଶୁଣ୍ଢିପିଣ୍ଡା ହେବାକୁ ପଡ଼ୁଥିଲା । ଆଶ୍ରୟସ୍ଥଳି ମିଳୁନଥିଲା, ଗଛମୂଳରେ ରହି ଆନ୍ଦୋଳନ ଚଳାଇବାକୁ ପଡ଼ୁଥିଲା ।”

 

ସ୍ୱାଧୀନତା ସଂଗ୍ରାମୀ ପର୍ଶୁରାମ ପଦାତିକରାୟ ପୁନଶ୍ଚ ଲେଖିଛନ୍ତି- “ପ୍ରାଣନାଥ ବାବୁ ଓ ଗତିବାବୁ (ଗତିକୃଷ୍ଣ ସ୍ୱାଇଁ) ଉଭୟେ ୭/୮ ଜଣ ସତ୍ୟାଗ୍ରହୀଙ୍କୁ ସାଙ୍ଗରେ ନେଇ, ବିଦେଶୀ ଲୁଗା ବର୍ଜ୍ଜନ ପାଇଁ ପୁରୀ ସହରର ତତ୍‍କାଳୀନ ଲୁଗା ବ୍ୟବସାୟୀମାନଙ୍କ ଦୋକାନ ଆଗରେ ପିକେଟିଂ କରିଥିଲେ । ପ୍ରାଣନାଥ ବାବୁ ଏପରି ପ୍ରଭାବଶାଳୀ ନେତା ଥିଲେ ଯେ, ସେହି ପିକେଟିଂ ସମୟରେ ପୋଲିସ ତାଙ୍କୁ ଓ ଅନ୍ୟମାନଙ୍କୁ ଗିରଫ କରିବାରୁ, ଲୁଗା ଦୋକାନୀମାନେ ନିଜ ତରଫରୁ ବିଦେଶୀ ଲୁଗା ବିକିବେ ନାହିଁ ବୋଲି ଲେଖିଦେଇଥିଲେ । ପରେ ପ୍ରାଣନାଥ ପଟ୍ଟନାୟକଙ୍କ ବିଚାର ବେଳେ କୋର୍ଟରେ ସେହି କାଗଜ ଦେଖାଇବାରୁ ଆମେ ସମସ୍ତେ ଛାଡ଼ ପାଇଥିଲୁ ।”

 

ଗତିକୃଷ୍ଣ ସ୍ୱାଇଁ ଓ ଅନ୍ୟ ସାଥିମାନଙ୍କ ସହିତ ପ୍ରାଣନାଥ ପଟ୍ଟନାୟକ ପୁରୀ ଜେଲରେ ତିନିମାସରୁ ଉର୍ଦ୍ଧ୍ୱ ସଶ୍ରମ କାରାଦଣ୍ଡ ପାଇ ରହିଲେ ଏବଂ ୧୯୩୧ ମସିହା ମାର୍ଚ୍ଚ ୫ ତାରିଖରେ ଗାନ୍ଧୀ-ଇରଉଇନ ଚୁକ୍ତି ସ୍ୱାକ୍ଷରିତ ହେବା ପରେ, ସାରା ଦେଶର ସ୍ୱାଧୀନତା ସଂଗ୍ରାମୀମାନେ ଜେଲ୍‍ରୁ ମୁକୁଳିଲା ବେଳେ ପ୍ରାଣନାଥ ପଟ୍ଟନାୟକ ମଧ୍ୟ ପୁରୀ ଜେଲ୍‍ରୁ ମୁକୁଳିଲେ ।

 

ପ୍ରାଣନାଥ ପଟ୍ଟନାୟକଙ୍କର ଜେଲ୍‍ରୁ ଖଲାସ ହେବା ଘଟଣା କିଛିଦିନ ପୂର୍ବରୁ ବନ୍ଦୀଶାଳାରୁ ମୁକ୍ତ ହୋଇଥିବା ଗତିକୃଷ୍ଣ ସ୍ୱାଇଁ, ଶ୍ରଦ୍ଧାର ସହିତ ସ୍ମରଣ କରି ଲେଖିଛନ୍ତି ଯେ- “ପ୍ରାଣନାଥ ପଟ୍ଟନାୟକ ପୁରୀ ଜେଲ୍‍ରୁ ଖଲାସ ହେଲାବେଳେ ମୁଁ ତାଙ୍କୁ ପାଛୋଟି ଆଣିଥିଲି ।”

 

ବ୍ରିଟିଶ ଜେଲରେ ଅବସ୍ଥା ସମ୍ପର୍କରେ ସମ୍ୟକ ଧାରଣା ନରହିଲେ, ଅନେକେ ବ୍ରିଟିଶ ଜେଲରେ ସେ ଯନ୍ତ୍ରଣା ଉପଲବ୍ଧି କରିପାରିବେ ନାହିଁ । ସର୍ଦ୍ଦାର ଗତିକୃଷ୍ଣ ସ୍ୱାଇଁ ନିଜ ଜେଲ୍ ଅଭିଜ୍ଞତା କହି, ସବୁ ବନ୍ଦୀ ସଂଗ୍ରାମୀଙ୍କର ଅବସ୍ଥାର ଚିତ୍ର ଦେଇଛନ୍ତି ।

 

“ଜେଲରେ ଆମକୁ ଝୋଟ ତିଆରି ଖଣ୍ଡିଏ ଚଟ, ଦୁଇଗୋଟି କମ୍ବଳ, ଦୁଇଗୋଟି ଲୁହାର ବାଟି ଦିଆଯାଇଥିଲା । ପିନ୍ଧିବା ପାଇଁ ଛୋଟ ଜଂଘିଆ ଖଣ୍ଡିଏ, ଗାମୁଛା ଖଣ୍ଡିଏ ଓ ଡୋରିଆ ଫତେଇ ଖଣ୍ଡିଏ, ମୁଣ୍ଡରେ ପିନ୍ଧିବା ପାଇଁ ଗୋଟିଏ ଟୋପି ।”

 

“ଆମେ ଲୁହାବାଟିକୁ ମାଜି ସେଥିରେ ଖାଉଥିଲୁ । ପ୍ରତିବାଦ କରିବାରୁ କଦଳୀପତ୍ର ଦେଲେ ଓ କିଛିଦିନ ପରେ ପିତଳ ଥାଳି ଏବଂ କଟରା ଦେଲେ । ଆମକୁ ପ୍ରଥମେ ଦିଆଯାଇଥିବା ଲୁହାବାଟି ମଧ୍ୟରୁ ଗୋଟିକରେ ପାଣିନେଇ ଝାଡ଼ା ଫେରିବାକୁ ଯାଉଥିଲୁ ଓ ତାହାକୁ ମାଜି ତହିଁରେ ଭାତ ଖାଉଥିଲୁ । ପ୍ରତିବାଦ ପରେ ଝାଡ଼ା ଫେରିବା ପାଇଁ, ପାଣି ନେବା ନିମନ୍ତେ ଟିଣର ମଗ ଯୋଗାଇ ଦିଆଗଲା ।”

 

“ଗୋଡ଼ିମିଶା ଚାଉଳ, ପୋକ ଡାଲି, ଜେଲ୍‍ଖାନା ବାଡ଼ି ପୋଖରୀର କଳମ ଶାଗ ଖାଇବାକୁ ଦିଆଯାଉଥିଲା । ଜେଲ୍‍ଖାନାରେ ଖାଦ୍ୟ ପରିବର୍ତ୍ତନ ପାଇଁ ଆନ୍ଦୋଳନ ହେଲା । ତା ପରେ କିଛି ପରିବର୍ତ୍ତନ ହେଲା । ଭଲ ଡାଲି, କିଛି ପରିବା ଦିଆଗଲା ।”

 

“ସୁପରିଟେଣ୍ଡେଣ୍ଟ ପ୍ରତି ରବିବାର ଦିନ ପରିଦର୍ଶନରେ ଆସିବା ସମୟେ ଧାଡ଼ି ହୋଇ ଛିଡ଼ା ହେବାକୁ ପଡ଼ୁଥିଲା । ସମ୍ମୁଖରେ ବିଛଣା, ବାସନ ରଖାଯାଉଥିଲା ଓ ନଖ, ଦାନ୍ତ ଦେଖାଇବାକୁ ହେଉଥିଲା । ସଲାମ କରିବାକୁ ପଡ଼ୁଥିଲା ।”

 

ସାରାବିଶ୍ୱର ଆଖି ଝଲସାଇ ସଂଘଟିତ ହୋଇଥିଲା ୧୯୧୭ ଅକ୍ଟୋବର ମାସର ରୁଷ ବିପ୍ଳବ । ପୃଥିବୀରେ ପ୍ରଥମ ଥର ପାଇଁ, ସର୍ବହରା, ଖଟିଖିଆ ମେହେନତି ମଣିଷ ରାଷ୍ଟ୍ର କ୍ଷମତା ଦଖଲ କଲା ଓ ପୃଥିବୀର ପ୍ରଥମ ସାମ୍ୟବାଦୀ ରାଷ୍ଟ୍ର ଗଠିତ ହେଲା । ସାମନ୍ତବାଦୀ-ପୁଞ୍ଜିବାଦୀ ଶାସନର ଅବସାନ ଘଟାଇ ଏହି ରୁଷ ବିପ୍ଳବ କେବଳ ଭାରତବର୍ଷରେ ନୁହେଁ, ବିଶ୍ୱର ସମସ୍ତ ପରାଧୀନ, ଔପନିବେଶିକ ଶାସନ କବଳିତ, ସାମ୍ରାଜ୍ୟବାଦୀ ଶାସନ କବଳରେ ଥିବା ଦେଶମାନଙ୍କରେ ଯୁବ ସମାଜରେ ଆଖି ଝଲସାଇ ଦେଲା । ଚିନ୍ତା, ଚେତନା ରାଜ୍ୟରେ ଅଭାବନୀୟ ପରିବର୍ତ୍ତନ ସଂଘଟିତ କରାଇ, ଚିରାୟତ୍ତ-ଗତାନୁଗତିକ ଚିନ୍ତା ଉପରେ ପ୍ରଚଣ୍ଡ ଆଘାତ ହାଣିଲା ।

 

ପ୍ରଥମେ ପ୍ରଥମେ ଏ ମହାନ୍‍ ଖବର ମନରେ କିଛି ଆଶଙ୍କା ଓ ଦ୍ଵନ୍ଦ୍ୱ ସୃଷ୍ଟି କଲେ ମଧ୍ୟ ମାତ୍ର ୫/୬ବର୍ଷ ବ୍ୟବଧାନରେ କବିଗୁରୁ ବିଶ୍ୱକବି ରବୀନ୍ଦ୍ରନାଥ, ରୁଷିଆ ବୁଲିଆସିଲା ପରେ ଏବଂ ତାଙ୍କର “ରୁଷିଆ ଚିଠି” ପ୍ରକାଶ ପାଇଲା ପରେ, ସୃଷ୍ଟ ମାନସିକ ଆଶଂକା/ଦ୍ଵନ୍ଦ ଅର୍ନ୍ତହିତ ହୋଇଯାଇଥିଲା ।

 

ଏପରିକି ଆମ ରାଜ୍ୟର ଜନଚେତନାର ମଉଡ଼ମଣି, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ୧୯୨୬ ମସିହା ଜାନୁୟାରୀ ତା.୨ରିଖ “ସମାଜ” ସଂସ୍କରଣର ଅଗ୍ରଲେଖରେ, ସାମ୍ୟବାଦକୁ ବୁଝାଇବାକୁ ଯାଇ ଲେଖିଥିଲେ-“ମୁଣ୍ଡଝାଳ ତୁଣ୍ଡରେ ମାରି ଦଳେ ସବୁବେଳେ ଖଟୁଛନ୍ତି, ଜୀବନକୁ ବିପଦଗ୍ରସ୍ତ କରୁଛନ୍ତି, କାରଖାନାରେ କାମ କରୁ କରୁ କିଏ କାଟଖାଇ ଯାଉଛି, ଖଣିରେ କିଏ ପୋତିହୋଇ ପୋଡ଼ି ମରୁଛି, ସନ୍ତସନ୍ତିଆ ଘରେ ମାଲେରିଆରେ ସଢ଼ୁଛି - ତଥାପି ଏହିମାନଙ୍କ ପରିଶ୍ରମରେ ଜଗତର ସମସ୍ତ ସମ୍ପଦର ଉତ୍ପତ୍ତି । ମାତ୍ର ଏ ସମ୍ପଦ ଭୋଗୁଛି କିଏ ? ଭୋଗିବା ଲୋକଙ୍କ ଦେହରେ ଧୂଳି ପଡ଼ୁନାହିଁ । ତାଙ୍କ ପାଦ ତଳେ ଲାଗୁନାହିଁ । ଷଡ଼ରସ ବ୍ୟଞ୍ଜନ ତାଙ୍କୁ ରୁଚୁ ନାହିଁ । ସେ କୋଟିପତି, ସେ ଲକ୍ଷପତି, ସେ ରାଜା, ସେ ଜମିଦାର ।”

 

“ଭିନ୍ନ ଭିନ୍ନ ଶ୍ରେଣୀର ଲୋକଙ୍କ ମନରେ ଅବସ୍ଥାର ଏହି ବିଷମ ବିଭେଦ ଘୁଞ୍ଚାଇ ସମସ୍ତଙ୍କୁ ସମାନ ସୁଖଶାନ୍ତି ଅଧିକାର ଦେବା କମ୍ୟୁନିଷ୍ଟ ବା କୋଠବାଦୀମାନଙ୍କର ଯେବେ ନୀତି ହୁଏ, ତାହା ଗରିବଙ୍କୁ ନିଶ୍ଚୟ ଭଲ ଲାଗିବ । ପ୍ରଜା ଓ ମଜୁରୀଦାରା ଏକଥା ଶୁଣି ମୁଣ୍ଡିଆ ମାରିବେ-

 

ତାହାର ପ୍ରାୟ ଏକବର୍ଷ ପରେ ତା.୧୯.୦୩.୧୯୨୭ ରିଖ ସମାଜରେ ଅଗ୍ରଲେଖରେ “ଗରିବ ଲୋକଙ୍କ ସହାୟ କିଏ ?” ଶୀର୍ଷକ ଲେଖାରେ ଉତ୍କଳମଣି ଗୋପବନ୍ଧୁ ପୁନଶ୍ଚ ଲେଖିଥିଲେ-- “କେବଳ ଓଡ଼ିଶା ବା ଭାରତରେ ଏ ଅବସ୍ଥା ନୁହେଁ, ପୃଥିବୀର ସବୁଦେଶରେ ଏହି ପ୍ରକାର ବିରୁଦ୍ଧ ସ୍ୱାର୍ଥ ମଧ୍ୟରେ ସଂଗ୍ରାମ ଚାଲିଛି । ପ୍ରଜା ନିଷ୍ପେସିତ ହେଉଛି, ମଜୁରୀଦାର ବହସତ ପାଉଛି, ଖାତକ ବିପଦରେ ପଡ଼ୁଛି । ମାତ୍ର ସବୁ ଦେଶରେ ଲୋକଙ୍କର ଆଖି ଫିଟିଲାଣି । ସେଠାରେ ଗରିବଙ୍କ ଦଶା ଫେରିଛି । ସେମାନଙ୍କ ଦଳବଦ୍ଧ ଉଦ୍ୟମ ଆଗରେ, ଧନସମ୍ପଦର ଖଣି, ମୁଣି ମୁଣ୍ଡ ନୁଆଁଉଛି । କେତେ ରାଜଶକ୍ତି ଲୋପ ପାଇଲେଣି । କେତେଠାରେ ରାଜଶକ୍ତି ଲୋକଙ୍କ କବଳରେ ରହିଲାଣି । ମାନବ ସଭ୍ୟତାର ସ୍ରୋତ ଆଜି ପ୍ରଜାଙ୍କ ଅନୁକୂଳରେ ଚାଲିଛି । ଭାରତରେ ଅବଶ୍ୟ ସେ ସ୍ରୋତ ପ୍ରବଳ ବେଗରେ ଚାଲି ନାହିଁ । ଓଡ଼ିଶାର କଥା ଛାଡ଼, ମାତ୍ର ଦିନ ଆସିଲାଣି ଭବିଷ୍ୟତ ଗରୀବ ପ୍ରଜାର; ଆଜି ଦିନ ମାଲିକର ହୋଇପାରେ; କିନ୍ତୁ କାଲି ଦିନ ଆସିବ ମଜୁରୀଦାର୍‍ର ।”

 

କେବଳ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ନୁହନ୍ତି । ସେତେବେଳେ ସାରା ବିଶ୍ୱ ଇତିହାସରେ ଏହି ମୋଡ଼ ପରିବର୍ତ୍ତନ, ସାମ୍ରାଜ୍ୟବାଦ, ଔପନିବେଶିକତାବାଦ, ରାଜା-ରାଜୁଡ଼ାଙ୍କର ସାମନ୍ତବାଦ ବିରୁଦ୍ଧରେ ଲଢ଼େଇ ସଂଘଟିତ ହୋଇ ସମସ୍ତ ଚିନ୍ତାଶୀଳ ବ୍ୟକ୍ତିଙ୍କୁ, ବିଶେଷକରି ନୂତନତାକୁ ଚାତକପରି ଚାହିଁ ରହିଥିବା ଯେତେବେଳର ଉଦ୍ଦାମ ଯୁବଗୋଷ୍ଠୀ ନୂଆ ସଂଗ୍ରାମର ପଥକୁ ବରଣ କରିବାକୁ ଆଗଭର ଥିଲେ ।

 

ପ୍ରାଣନାଥ ପଟ୍ଟନାୟକ ସେ ସମୟର ବର୍ଣ୍ଣନା କରି ତାଙ୍କ “ବିସ୍ମୃତିର ଗର୍ଭରୁ” ନିବନ୍ଧରେ ଲେଖିଛନ୍ତି, - “୧୯୩୦ର ସତ୍ୟାଗ୍ରହ ଆନ୍ଦୋଳନ ଯେତେବେଳେ ଗଣଆନ୍ଦୋଳନର ରୂପନେଲା, ଭାରତର ତତ୍‍କାଳୀନ ବଡ଼ଲାଟ ଲର୍ଡ଼ ଇର୍‍ଉଇନ୍‍ ଛାନିଆ ହୋଇ କଂଗ୍ରେସ ନେତୃତ୍ୱ ସଙ୍ଗେ ୧୯୩୧ର ପ୍ରଥମ ଭାଗରେ ଏକ ଶାନ୍ତିଚୁକ୍ତି କରିନେଲେ । ଗାନ୍ଧିଜୀ ପ୍ରଭୃତିଙ୍କୁ ଗୋଲଟେବୁଲ (ବୈଠକ)କୁ ଡକାଇନେଇ ବ୍ରିଟିଶ ସରକାର, ଲର୍ଡ଼ ଉଇନିଙ୍ଗଡନ୍‍ଙ୍କୁ ବଡ଼ଲାଟ କରି ପଠାଇ, ଏଣେ ବର୍ଷକ ମଧ୍ୟରେ ସମସ୍ତ ଦମନ ଅସ୍ତ୍ରକୁ ଶାଣିତ କରିରଖିନେଲା । ଗାନ୍ଧିଜୀ ଇଂଲଣ୍ଡରୁ ଫେରୁ ଫେରୁ ବମ୍ବେ ଉପକୂଳରେ ତାଙ୍କୁ ଗିରଫ କରିନେବା ସଙ୍ଗେ ସଙ୍ଗେ, କଂଗ୍ରେସ କାର୍ଯ୍ୟକାରୀ କମିଟିର ସମସ୍ତ ସଭ୍ୟଙ୍କୁ ବମ୍ବେରେ ଗିରଫ କରିନେଲା, ଏବଂ ଭାରତର ଜନସାଧାରଣଙ୍କ ଉପରେ ଅସୀମ ଓ ଅକଥନୀୟ ଅତ୍ୟାଚାର ଚଳାଇ ଲକ୍ଷ ଲକ୍ଷ କଂଗ୍ରେସ କର୍ମୀ, ଚାଷୀ, ଶ୍ରମିକ, ଯେ ମୁଣ୍ଡ ଟେକିଲା ଓ ଉଁ ଚୁଁ କଲା, ତାକୁ ଗିରଫକରି ଜେଲରେ ଭରିଦେଲା । ୧୯୩୨-୩୩ ମଧ୍ୟରେ ସମସ୍ତ ଜାତୀୟ ନେତା ଜେଲରେ ଆବଦ୍ଧ, ଲୋକେ ନିରୁପାୟ ଓ ଆନ୍ଦୋଳନ ମୃତବତ୍‍ । ଦେଶ ଯେତେବେଳେ ଅନ୍ଧକାରାଚ୍ଛନ୍ନ ଓ ଦୁଃଖ ବିହ୍ଵଳିତ, ସେତେବେଳେ ଏ ଦେଶର ବ୍ରିଟିଶ ଦଲାଲ ରାଜା, ଜମିଦାରମାନେ, ବ୍ରିଟିଶ ସରକାରଙ୍କୁ ଏହି ଅମାନୁଷିକ ଦମନ କାର୍ଯ୍ୟରେ ସାହାଯ୍ୟକରି ବିଜୟୋଲ୍ଲାସରେ ମତ୍ତ ।”

 

“ତେଣୁ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇଥିବା ଭାରତ ତଥା ଓଡ଼ିଶାର କେତେକ ଚିନ୍ତାଶୀଳ, ଦେଶପ୍ରେମୀ ଲୋକ ସ୍ଥିରକଲେ ଯେ, ଭାରତରୁ ବ୍ରିଟିଶ ସରକାରଙ୍କୁ ହଟାଇବାକୁ ହେଲେ, ତାହାର ଏଜେଣ୍ଟ ଏହି ରାଜା, ଜମିଦାରମାନଙ୍କର ପ୍ରଥମେ ଚେର ଓପାଡ଼ିବାକୁ ହେବ । ସେହିମାନଙ୍କ ବିରୁଦ୍ଧରେ ପ୍ରଥମେ ଆନ୍ଦୋଳନ କରିବା ପାଇଁ କୃଷକ ଶ୍ରେଣୀକୁ ସଜ୍ଜିତ ଓ ସଙ୍ଗଠିତ କରିବାକୁ ହେବ । ଯେଉଁ ଚାଷୀ, ତାହାର ନିକଟ ଓ ପ୍ରତ୍ୟକ୍ଷ ଶୋଷକ ରାଜା, ଜମିଦାରଙ୍କ ଶୋଷଣ ବିରୁଦ୍ଧରେ ମୁଣ୍ଡ ଟେକି ନପାରିବ ଓ ଆନ୍ଦୋଳନ କରିନପାରିବ ସେ ତାହାର ଦୂର ଓ ପରୋକ୍ଷ ଶୋଷକ ବ୍ରିଟିଶ ସରକାର ବିରୁଦ୍ଧରେ ଆନ୍ଦୋଳନ କରିବା କଷ୍ଟକର ।”

 

“ତେଣୁ ୧୯୩୪ରେ ଆଚାର୍ଯ୍ୟ ନରେନ୍ଦ୍ର ଦେବ, ସମ୍ପୂର୍ଣ୍ଣାନନ୍ଦ ଓ ଜୟପ୍ରକାଶଙ୍କ ନେତୃତ୍ୱରେ ଭାରତରେ କଂଗ୍ରେସ-ସୋସିଆଲିଷ୍ଟ ପାର୍ଟିର ଜନ୍ମ ଏବଂ ଓଡ଼ିଶାରେ ଶ୍ରୀ ନବକୃଷ୍ଣ ଚୌଧୁରୀ, ମାଳତୀ ଚୌଧୁରୀ ଓ ସ୍ୱର୍ଗୀୟ ସାଥୀ ଭଗବତୀଚରଣ ପାଣିଗ୍ରାହୀଙ୍କ ନେତୃତ୍ୱରେ, ଓଡ଼ିଶା କଂଗ୍ରେସ ସୋସିଆଲିଷ୍ଟ ପାର୍ଟିର ଜନ୍ମ ।

 

୧୯୩୪ ମସିହା ଫେବୃୟାରୀ ମାସରେ କଂଗ୍ରେସ ଭିତରେ ଥିବା ସାମ୍ୟବାଦୀ ଚିନ୍ତନର ଯୁବଗୋଷ୍ଠୀ, ଉତ୍କଳ କଂଗ୍ରେସ ସାମ୍ୟବାଦୀ କର୍ମୀସଂଘ (Orissa Congress Communist Workers League) ଗଠିତ ହୋଇଥିଲା ଏବଂ ତାହାର ମୁଖପାତ୍ର ରୂପେ ୧୯୩୪ ମାର୍ଚ୍ଚ ମାସରେ ନବକୃଷ୍ଣ ଚୌଧୁରୀଙ୍କର ସମ୍ପାଦକତ୍ୱରେ, “ସାରଥୀ” ସାପ୍ତାହିକ ପତ୍ରିକା ପ୍ରକାଶ ପାଇଥିଲା । ଉତ୍କଳ କଂଗ୍ରେସ ସାମ୍ୟବାଦୀ କର୍ମୀସଂଘ (Odisha Congress Commun।st League) ଗଠନ ସମ୍ପର୍କୀତ ବିବରଣୀ ପରବର୍ତ୍ତୀ ଅଧ୍ୟାୟରେ ବର୍ଣ୍ଣିତ ହୋଇଛି ।

 

ଏହା ପରବର୍ତ୍ତୀ କାଳର କଥା । ୧୯୩୧ ମସିହାରେ ଗାନ୍ଧୀ ଇରଉଇନ୍‍ ଚୁକ୍ତି ସ୍ଵାକ୍ଷରିତ ହେବା ପରେ ପରେ, ସାରା ଦେଶରେ ଉଦ୍‍ବେଳନ ସୃଷ୍ଟି କରୁଥିବା ଉତ୍ତାଳ ଜୁଆରରେ ଭଟ୍ଟା ପଡ଼ିଲା । ସହସ୍ର ସହସ୍ର ଯୁବ ଆନ୍ଦୋଳନକାରୀଙ୍କର ବିକ୍ଷୁବ୍ଧ, ଅଶାନ୍ତ ଚିତ୍ତ ଏହାକୁ ଗ୍ରହଣ କରିନେଇପାରିଲା ନାହିଁ । ସାରା ଦେଶରେ ନିସ୍ତରଙ୍ଗ ଅବସ୍ଥା, ଶାନ୍ତି ଅବସ୍ଥା ସୃଷ୍ଟି ହେଲା ।

 

ସମଗ୍ର ବିଶ୍ୱର ବିଭିନ୍ନ ବିଭିନ୍ନ ସମାଜବ୍ୟବସ୍ଥା, ରାଜନୀତି, ରାଜନୈତିକ ଆଦର୍ଶ, ସାମାଜିକ ବିପ୍ଳବ, ବିଶ୍ୱ ଇତିହାସର ନୂତନ ଦିଗଦର୍ଶନ ଆଦି ସବୁ ବିଷୟରେ ବୈଜ୍ଞାନିକ ସମ୍ମତ ଶିକ୍ଷା ପାଇବା ପାଇଁ, ଅଧିକରୁ ଅଧିକ ଜ୍ଞାନ ଆହରଣ କରିବା ପାଇଁ, ଅଧ୍ୟୟନ ପାଇଁ, ପ୍ରାଣନାଥଙ୍କର ଥିଲା ଦୁର୍ବାର ଜୀଗୀଷା, ପିପାସା । ଜୀବନରେ ସମାଜ ଓ ଜନସେବା ହିଁ ମୂଳବ୍ରତ ହେବ ବୋଲି ଦୃତ ଭାବରେ ଗ୍ରହଣ କଲାପରେ, ସବୁ ଜାଣିବା ପାଇଁ ତାଙ୍କର ଅଦମ୍ୟ ପିପାସା ପ୍ରାଣନାଥଙ୍କୁ ବନାରସର କାଶୀ ବିଦ୍ୟାପୀଠ ଏବଂ ଆଚାର୍ଯ୍ୟ ନରେନ୍ଦ୍ର ଦେବଙ୍କ ନିକଟକୁ ଟାଣି ନେଇଗଲା ।

 

ତାଙ୍କ ନିଜ ଭାଷାରେ ସେ ଲେଖିଛନ୍ତି, “ରାଜନୈତିକ କ୍ଷେତ୍ରରେ ଅଧିକ ଦକ୍ଷତା ସହିତ କାର୍ଯ୍ୟ ସମ୍ପାଦନା କରିବା ନିମନ୍ତେ, ରାଜନୀତି ଓ ଅର୍ଥନୀତି ବିଷୟରେ ଜ୍ଞାନ ଆହରଣ କରିବା ନିମନ୍ତେ ୧୯୩୦ ରେ ଜେଲ୍‍ରୁ ଫେରିବା ପରେ ୧୯୩୧ରେ ଶାନ୍ତି ସମୟରେ ଲେଖକ (ପ୍ରାଣନାଥ) ବନାରସର କାଶୀ ବିଦ୍ୟାପୀଠକୁ ଅଧ୍ୟୟନ ପାଇଁ ଗଲା ।”

 

“ଭାରତର ଅନ୍ୟତମ ମନୀଷୀ ଭଗବାନ ଦାସ, ବନାରସ ଠାରେ ସ୍ଵାଧୀନତାକାଂକ୍ଷୀ ଯୁବକ, ଯୁବତୀମାନଙ୍କର ଜ୍ଞାନାର୍ଜନ ପାଇଁ ଏକ ଜାତୀୟତାବାଦୀ ଶିକ୍ଷା ଓ ଜ୍ଞାନ ବିତରଣର କେନ୍ଦ୍ର ଭାବରେ ଗଢ଼ି ତୋଳିଥିଲେ କାଶୀ ବିଦ୍ୟାପୀଠ । ସେଠାରେ ଆଚାର୍ଯ୍ୟ ବା ଅଧ୍ୟକ୍ଷ ଥାଆନ୍ତି, ବୌଦ୍ଧଶାସ୍ତ୍ର ଓ ମାର୍କ୍ସବାଦୀ ତତ୍ତ୍ୱର ପଣ୍ଡିତ ଆଚାର୍ଯ୍ୟ ନରେନ୍ଦ୍ରଦେବ । କାଶୀ ବିଦ୍ୟାପୀଠରେ ସାରା ବିଶ୍ଵର ଇତିହାସ, ରାଜନୀତି, ଦର୍ଶନ, ଅର୍ଥନୀତି, ସମାଜବିଜ୍ଞାନ ଏବଂ ପ୍ରଗତିଶୀଳ ସଂସ୍କୃତି ସମ୍ବନ୍ଧରେ ତାତ୍ତ୍ୱିକ ଶିକ୍ଷା ପ୍ରଦାନ କରାଯାଉଥିଲା ।”

 

ପ୍ରାଣନାଥ ନିଜେ କାଶୀ ବିଦ୍ୟାପୀଠ ସମ୍ପର୍କରେ ଲେଖିଛନ୍ତି ଯେ,“ସାରା ଭାରତରେ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇଥିବା ଛାତ୍ରମାନଙ୍କ ପାଇଁ କାଶୀ ବିଦ୍ୟାପୀଠ ଏକ ପୁଣ୍ୟପୀଠ ଓ ଅପୂର୍ବ ସୁଯୋଗ ଥିଲା । କଂଗ୍ରେସ ମତାବଲମ୍ବୀ, ଆତଙ୍କବାଦୀ ତଥା କମ୍ୟୁନିଷ୍ଟ ମତାବଲମ୍ବୀମାନଙ୍କର ଏହା ଏକ ସମନ୍ଵୟ କ୍ଷେତ୍ର ହୋଇଥାଏ । ସେହି ସମୟରେ ସ୍ଵାଧୀନତା ସଂଗ୍ରାମକୁ ଅଧିକ ଶକ୍ତିଶାଳୀ ଓ ତ୍ୱରାନ୍ୱିତ କରିବା ପାଇଁ ନାନା ଚିନ୍ତା ଓ ଆଲୋଚନା କରୁଥାନ୍ତି । ସେହି ସମୟରେ ସେଠାରେ ଆମ୍ଭେମାନେ ଗୋଟିଏ “ୟଙ୍ଗ୍‍ କମ୍ୟୁନିଷ୍ଟ ଲିଗ୍‍” ଗଢ଼ି ମାର୍କ୍ସବାଦ ଓ ଲେନିନ୍‍ବାଦ ବିଷୟରେ ଅଧ୍ୟୟନ ଓ ଆଲୋଚନା କରୁଥିଲୁ । ସାଥି ଗୁରୁଚରଣ ପଟ୍ଟନାୟକ ସୋହି ଲିଗ୍‍ର ସମ୍ପାଦକ ଥିଲେ । ଉତ୍ତର ପ୍ରଦେଶର ସାଥି ଓଙ୍କାରନାଥ ଓ ଆନ୍ଧ୍ରର ବହୁସାଥୀ ସେହି ଲିଗ୍‍ର ସଦସ୍ୟ ଥିଲେ । ୧୯୩୧ ରେ ଲେଖକ କାଶୀ ବିଦ୍ୟାପୀଠରେ ଥିବା ସମୟରେ ସାଥି ଶରତ ପଟ୍ଟନାୟକ ଥିଲେ । ମାତ୍ର ୧୯୩୪ ବେଳକୁ ସେ ବିଦ୍ୟାପୀଠ ଅଧ୍ୟୟନ କାର୍ଯ୍ୟ ଶେଷକରି ଅନ୍ୟତ୍ର ଚାଲି ଆସିଥିଲେ । ଲେଖକ ୧୯୩୫ ମାର୍ଚ୍ଚ ମାସର ଅଧ୍ୟୟନ ଶେଷକରି ଫେରିଆସିବ ବାଟରେ, ଖଡ଼ଗପୁର ଠାରେ ୩ମାସ ରହି ରେଳବାଇ ଶ୍ରମିକ ସଙ୍ଗଠନ ସହ ସମ୍ପର୍କ ପ୍ରତିଷ୍ଠା କରିଥିଲା ।”

 

ପ୍ରାଣନାଥ ପ୍ରଥମଥର ପାଇଁ, କାଶୀ ବିଦ୍ୟାପୀଠରେ ୧୯୩୧ରୁ ୧୯୩୨ ମସିହା ପର୍ଯ୍ୟନ୍ତ ଏକବର୍ଷ ଅଧ୍ୟୟନ କଲାପରେ, ପୁଣି ଓଡ଼ିଶା ଫେରିଆସି ସ୍ୱାଧୀନତା ଆନ୍ଦୋଳନରେ ଯୋଗଦେଇ, ଜେଲ୍‍ଯାଇ, ପୁନର୍ବାର ୧୯୩୪ ମସିହାରୁ ୧୯୩୫ ପର୍ଯ୍ୟନ୍ତ କାଶୀ ବିଦ୍ୟାପୀଠରେ ଅଧ୍ୟୟନ ସମ୍ପୂର୍ଣ୍ଣକରି, “ଶାସ୍ତ୍ରୀ” ଉପାଧି ଧରି ଫେରିଛନ୍ତି । ପାଠକମାନଙ୍କ ଗୋଚରାର୍ଥେ ଜଣାଇବା ଉଚିତ ମଣୁଛି ଯେ, ଲାଲ୍‍ବାହାଦୂର ଭାରତର ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଏହି କାଶୀ ବିଦ୍ୟାପୀଠରୁ ହିଁ “ଶାସ୍ତ୍ରୀ” ଉପାଧି ପାଇଥିଲେ ଏବଂ ପ୍ରାଣନାଥ ଥିଲେ ତାଙ୍କର ଘନିଷ୍ଠ ସହାଧ୍ୟାୟୀ ।

 

ଉପରୋକ୍ତ ବିବରଣୀରୁ ସ୍ପଷ୍ଟ ଯେ ପ୍ରାଣନାଥ, କାଶୀ ବିଦ୍ୟାପୀଠକୁ ଦୁଇଥର ବର୍ଷେ ବର୍ଷେ ବ୍ୟବଧାନରେ ଯାଇ ଅଧ୍ୟୟନ କରିଥିଲେ । ପ୍ରଥମଥର ପାଇଁ ୧୯୩୧ରୁ ୧୯୩୨ ମଧ୍ୟଭାଗ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟଥର ୧୯୩୪ ମଧ୍ୟଭାଗରୁ ୧୯୩୫ ମସିହା ମଧ୍ୟଭାଗ ପର୍ଯ୍ୟନ୍ତ ଦୁଇବର୍ଷ ପାଇଁ ଅଧ୍ୟୟନ କରିଥିଲେ ଏବଂ “ଶାସ୍ତ୍ରୀ” ହୋଇଥିଲେ । ତାଙ୍କ ପୂର୍ବରୁ କାଶୀ ବିଦ୍ୟାପୀଠକୁ ଶ୍ରୀ ଶରତ ପଟ୍ଟନାୟକ ଏବଂ ତାଙ୍କ ପରେ ଶ୍ରୀ ଗୁରୁଚରଣ ପଟ୍ଟନାୟକ ସେଠାରେ ଅଧ୍ୟୟନ ପାଇଁ ଯାଇଥିଲେ ।

 

ପ୍ରାଣନାଥଙ୍କର ଜୀବନ ଓ ଜୀବନୀ ଗଭୀର ଭାବରେ ଅଧ୍ୟୟନ କଲେ ତାଙ୍କୁ ନଜାଣିଥିବା ଅନେକ ବିସ୍ମିତ ହେବେ । କାରଣ, ଯଦି ଦୁଇବର୍ଷ ଅଧ୍ୟୟନର ଆବଶ୍ୟକ ତେବେ ଜଣେ ଛାତ୍ର ଏକାଦିକ୍ରମେ ଅଧ୍ୟୟନ ନକରି ବର୍ଷକର ଅଧ୍ୟୟନ ସାରି ୧୯୩୨ ମଧ୍ୟଭାଗରୁ ୧୯୩୪ ମଧ୍ୟଭାଗ ପର୍ଯ୍ୟନ୍ତ ପଢ଼ିବା ଛାଡ଼ିଦେଲେ କାହିଁକି ଏବଂ ଓଡ଼ିଶା ଫେରିଆସିଲେ କାହିଁକି ?

 

ପ୍ରାଣନାଥଙ୍କ ବ୍ୟକ୍ତିତ୍ୱର ଏକ ଉଜ୍ଜ୍ଵଳ ଚିତ୍ର ହେଲା, ଦେଶର ସ୍ୱାଧୀନତା ସଂଗ୍ରାମରେ ଝାସଦେଇ ସାମ୍ରାଜ୍ୟବାଦୀ ଲୁଣ୍ଠନ, କୃଷକ, ଶ୍ରମିକମାନଙ୍କ ଉପରେ ହେଉଥିବା ସାମନ୍ତବାଦୀ ରାଜ୍ୟ-ରାଜୁଡ଼ାଙ୍କର ଅତ୍ୟାଚାର, ଶୋଷଣ କଷଣ ବିରୁଦ୍ଧରେ ଯେପରି ଅନମନୀୟ ଯୋଦ୍ଧାଥିଲେ ସେ, ସେହିପରି ଜ୍ଞାନାର୍ଜ୍ଜନ ପାଇଁ, ଅଧ୍ୟୟନ ପାଇଁ, ବିଶେଷକରି ବିଶ୍ଵର କ୍ରାନ୍ତିକାରୀ ଇତିହାସର ମୋଡ଼ ବଦଳାଇ ଦେଉଥିବା ବିପ୍ଲବୀମାନଙ୍କ ଇତିହାସ ଜାଣିବା ପାଇଁ ଥିଲା ତାଙ୍କର ଦୁର୍ବାର ପିପାସା ।

 

ସେତେବେଳେ ବିପ୍ଲବୀ ଯୋଦ୍ଧା ସୈନିକମାନଙ୍କୁ, ଜନଗଣଙ୍କର ସ୍ୱାର୍ଥ ସିଦ୍ଧିପାଇଁ ସଂଗ୍ରାମ ଏବଂ ବିପ୍ଲବର ତତ୍ତ୍ୱ ଓ କୌଶଳର ଶିକ୍ଷା ଦେବା ପାଇଁ ଥିଲା । ସାରା ପୃଥିବୀର ଅସଂଖ୍ୟ ଛୋଟ ବଡ଼ ଦେଶ ଯେଉଁମାନେ ସାମ୍ରାଜ୍ୟବାଦ; ଔପନିବେଶିକବାଦର କବଳରେ ନୀପିଡ଼ିତ ହୋଇ, ଭାରତବର୍ଷ ଭଳି ମୁକ୍ତି ସଂଗ୍ରାମର ରାହା ଖୋଜୁଛନ୍ତି, ସେ ଦେଶମାନଙ୍କର ସଂଗ୍ରାମର କାହାଣୀ, ରୁଷ ବିପ୍ଲବର କାହାଣୀ, ସକଳ ପ୍ରକାରର ପରାଧୀନତାର ଅର୍ଗଳରୁ ମୁକ୍ତି ପାଇବା ପାଇଁ ନାନା ମାର୍ଗ, ମାର୍କ୍ସଙ୍କର ଦ୍ଵନ୍ଦାତ୍ମକ ଐତିହାସିକ ବସ୍ତୁବାଦ, ରାଜନୈତିକ ଅର୍ଥନୀତି, ଆର୍ନ୍ତଜାତିକ ରାଜନୀତିର ନାନା ଘଟଣା, ଯାହା ଇତିହାସର ମୋଡ଼ ବଦଳାଇବା ପାଇଁ ଦିଗ୍‍ଦର୍ଶନ ଦେଉଥାଏ, ତଥା ସର୍ବୋପରି ସଂଗ୍ରାମରେ ଆର୍ନ୍ତଜାତିକ ସୌଭ୍ରାତୃତ୍ଵ ବା ଆର୍ନ୍ତଜାତୀୟତାବାଦ ଇତ୍ୟାଦି ଶିକ୍ଷା କରିବା ପାଇଁ ଏବଂ ସେ ସମ୍ପର୍କରେ ପୁସ୍ତକ ଆଦି ପାଠ କରିବା ପାଇଁ, କାଶୀ ବିଦ୍ୟାପୀଠ ହିଁ ଏକମାତ୍ର କେନ୍ଦ୍ର ଥିଲା ।

 

ଓଡ଼ିଶାର ଆକ୍ଷରିକ ଭାବରେ କମ୍ୟୁନିଷ୍ଟ ପାର୍ଟିର ପ୍ରଥମ (ତାହା ପୁଣି ଗୋପନୀୟ ପାର୍ଟିର) ସଭ୍ୟ କମ୍ରେଡ୍‍ ଗୁରୁଚରଣ ପଟ୍ଟନାୟକ, ମୃତ୍ୟୁର କିଛିଦିନ ପୂର୍ବରୁ ଏକ ବିବରଣୀରେ ଉଲ୍ଲେଖ କରିଛନ୍ତି ଯେ, (ଅଭିଯାନ ପତ୍ରିକା ଏବଂ ଳେଖକକୁ ପରେ ଇଣ୍ଟରଭ୍ୟୁରେ) – “ପ୍ରଥମେ ମୋତେ ପ୍ରାଣନାଥ ପଟ୍ଟନାୟକ କାଶୀ ନେଇଯାଆନ୍ତି । ମୁଁ କଲିକତା ୟୁନିଭର୍ସିଟିରେ ମାଟ୍ରିକ ପରୀକ୍ଷା ଦେବାକୁ ପଢ଼ାପଢ଼ି କରୁଥାଏ - ସେଥିପାଇଁ କଲିକତା ଯାଇ ଚିତ୍ତରଞ୍ଜନ ଆଭେନ୍ନ୍ୟୁରେ ଓଡ଼ିଶା ହୋମ ବୋଲି ଗୋଟିଏ ମେସ୍‍ ଥିଲା - ସଚ୍ଚୀରାଉତରାୟ ସେଇଠାରେ ଜଟିଆ, ଶଶାଙ୍କ ନାଁରେ ଲେଖିଛନ୍ତି “ଚିତ୍ରଗ୍ରୀବ” । ଏଣ୍ଟ୍ରାନ୍ସ ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉ ହେଉ ପ୍ରାଣନାଥବାବୁ ମୋତେ ବନାରସ ତୁରନ୍ତ ପଳାଇ ଆସି କାଶୀ ବିଦ୍ୟାପୀଠରେ ନାମ ଲେଖାଇବାକୁ କହିଲେ -ମୁଁ ମାଟ୍ରିକ ପରୀକ୍ଷା ବେଳେ ବନାରସ ଚାଲିଗଲି ।”

 

କାଶୀ ବିଦ୍ୟାପୀଠର ବୈଶିଷ୍ଟ୍ୟ ସମ୍ପର୍କରେ, ସାଥି ଗୁରୁଚରଣ ପଟ୍ଟନାୟକ, ଆହୁରି ସ୍ପଷ୍ଟତର କରିଦେଇଛନ୍ତି ତାଙ୍କର ନିମ୍ନୋକ୍ତ ବର୍ଣ୍ଣନାରେ-

 

“କାଶୀ ବିଦ୍ୟାପୀଠ ସେତେବେଳେ ସବୁ ପ୍ରକାର ସ୍ୱାଧୀନତା ସଂଗ୍ରାମୀମାନଙ୍କର କେନ୍ଦ୍ର ଥିଲା । ସତ୍ୟାଗ୍ରହୀ ହୁଅନ୍ତୁ ବା ହିଂସାତ୍ମକ ବିପ୍ଲବୀ ହୁଅନ୍ତୁ, ସମସ୍ତଙ୍କ ପାଇଁ ଶିକ୍ଷା ଓ ତାଲିମର କେନ୍ଦ୍ର ଥିଲା । ପ୍ରତିଷ୍ଠାତା ଭଗବାନ ଦାସ ଅତ୍ୟନ୍ତ ଉଦାରବାଦୀ ବ୍ୟକ୍ତି ଥିଲେ । ସେ ଏକ ହାତରେ ମନୁ, ଅନ୍ୟ ହାତରେ ମାର୍କ୍ସଙ୍କୁ ଧରିଥାନ୍ତି । ଜଣେ ପ୍ରଫେସର କ୍ଲାସରେ କମ୍ୟୁନିଜିମ୍‍ ପ୍ରଚାର କରୁଥାନ୍ତି ବୋଲି ଅଭିଯୋଗ ହେବାରୁ ସେ ଖୁଣ୍ଟ ଆଢ଼ୁଆଳରେ ଠିଆ ହୋଇ ତାଙ୍କ ଭାଷଣ ଶୁଣିଲେ ଏବଂ କହିଲେ, “ମୁଁ ଠିକ୍‍ ଏଇଆ ଚାହୁଁଛି - ଅବାଧରେ ସବୁ ମତବାଦର ଏଠାରେ ଆଲୋଚନା ହେଉ । ଶିକ୍ଷାରେ, ବିଦ୍ୟାରେ କୌଣସି ବାଧାବିଘ୍ନ ରହିବ ନାହିଁ । ସ୍ରୋତଭଳି ସବୁ ବହି ଚାଲିଥିବ । ସେଠାରେ ପ୍ରଫେସରମାନେ ଅତ୍ୟନ୍ତ ବିଦ୍ୱାନ ଥିଲେ । ଆଚାର୍ଯ୍ୟ ନରେନ୍ଦ୍ର ଦେବ ସର୍ବଶ୍ରେଷ୍ଠ ଥିଲେ । ତାଙ୍କ ପାଖରେ ବସିଲେ, ଆଲୋଚନା କଲେ ଜଣେ ଜ୍ଞାନୀ ହୋଇଯିବ । ଗୋଟିଏ ପ୍ରଶ୍ନ ତାଙ୍କୁ ପଚାରିଦେଲେ, ସେ ସମ୍ପର୍କରେ ସେ ଉତ୍ତର ଦେଇ ଚାଲିଥିବେ, ରେକର୍ଡ଼ ବାଜିଲା ପରି ସବୁକଥା କହିଚାଲିଥିବେ ।”

 

ସ୍ୱାଧୀନତା ପାଇଁ, ପରାଧୀନତାର ଶ୍ରୁଙ୍ଖଳାରୁ ଦେଶମାତୃକାକୁ ମୁକ୍ତ କରିବା ପାଇଁ, ସେତେବେଳର ଯୁବସମାଜ ପଥ କାହିଁ ? ପଥ କାହିଁ ? ଖୋଜି ହେଉଥିଲେ । ସେମାନଙ୍କ ମଧ୍ୟରୁ ଅନେକଙ୍କର ଚିନ୍ତନରେ ଦ୍ଵନ୍ଦ ଥିଲା, ମହାତ୍ମାଗାନ୍ଧୀଙ୍କର ପ୍ରଦର୍ଶିତ ମାର୍ଗ ହୁଏତ ସଫଳ ହେବନାହିଁ । ଏଣୁ କେହି କେହି ବାଛି ନେଇଥିଲେ ସଶସ୍ତ୍ର ସଂଗ୍ରାମର ପଥ ।

 

ରୁଷ ବିପ୍ଲବର ଯୁଗାନ୍ତକାରୀ ସଫଳତା, ସମଗ୍ର ପୃଥିବୀର କ୍ରାନ୍ତିକାମୀ ଜନଗଣଙ୍କର ଦୃଷ୍ଟି ସମକ୍ଷରେ ଏକ ନୂତନ ଦିଗନ୍ତ ଉଦ୍‍ଭାସିତ କଲା । ପ୍ରାଣନାଥଙ୍କ ପରି ଅସଂଖ୍ୟ ଯୁବକଙ୍କ ପାଇଁ ରୁଷ ବିପ୍ଲବର କ୍ରୀୟାନ୍ୱୟନକାରୀ ମହାମତି ଲେଲିନ୍‍, ଦ୍ରଷ୍ଟା କାର୍ଲମାର୍କ୍ସ ଓ ଏଙ୍ଗେଲ୍‍ସଙ୍କର ପ୍ରଦର୍ଶିତ ମାର୍ଗ ଏବଂ ବାର୍ତ୍ତା ହିଁ ଶ୍ରେୟ ହେଲା । ଏପରିକି ଶହୀଦ ଭଗତ ସିଂ ମଧ୍ୟ, ଫାଶୀ ପାଇବାର କେଇ ମୁହୂର୍ତ୍ତ ପୂର୍ବ ପର୍ଯ୍ୟନ୍ତ ଲେନିନ୍‍ଙ୍କର ଏକ ପୁସ୍ତକ ପାଠ କରୁଥିଲେ । ପ୍ରାଣନାଥ ମଧ୍ୟ ଦୃଢ଼ ନିଷ୍ପତ୍ତି ନେଇ ସେହି ପଥର ପଥୁକୀ ହେଲେ ।

 

ବନାରସ ରହଣୀ କାଳରେ ପ୍ରାଣନାଥ, ଜାତୀୟ ଆନ୍ଦୋଳନର ବହୁ ଅଗ୍ରଣୀ ଯୁବନେତା (ତତ୍କାଳର)ଙ୍କର ସଂସ୍ପର୍ଶରେ ଆସିଥିଲେ । ପରବର୍ତ୍ତୀ କାଳରେ ସମାଜବାଦୀ-ସାମ୍ୟବାଦୀ ଆନ୍ଦୋଳନର ବହୁ ପ୍ରମୁଖ ନେତା ମଧ୍ୟ କାଶୀ ବିଦ୍ୟାପୀଠକୁ ଆସୁଥିଲେ । ଏପରିକି, ପଣ୍ଡିତ ନେହେରୁ, ଜୟପ୍ରକାଶ, ଏସ୍. ଏ. ଡାଙ୍ଗେ ଆଦି କାଶୀ ବିଦ୍ୟାପୀଠ ଠାରେ ଅତିଥି ଅଧ୍ୟାପକ ଭାବରେ ବିଭିନ୍ନ ସମୟରେ, ସମାଜ-ବିଜ୍ଞାନ, ଇତିହାସ, ରାଜନୀତି ବିଜ୍ଞାନ, ଔପନିବେଶିକତାବାଦର ଇତିହାସ ଆଦି ସମ୍ପର୍କରେ କ୍ଲାସ ନେଉଥିଲେ । କାଶୀ ବିଦ୍ୟାପୀଠର ଗୁରୁ ଏବଂ ଛାତ୍ରମାନଙ୍କ ମଧ୍ୟରେ ସମ୍ପର୍କ ଅତି ନିବିଡ଼ ଥିଲା । ତାହା ଥିଲା କମ୍ରେଡରୀ ବା ଯୋଦ୍ଧା-ସମଯୋଦ୍ଧା ମଧ୍ୟରେ ଥିବା ସୌଭ୍ରାତୃତ୍ଵ ।

 

ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ, ୧୯୬୧ ମସିହାରେ, ଭୁବନେଶ୍ୱର ଆସିଥିଲେ ପି.ଇ.ଏନ୍‍. ସର୍ବଭାରତୀୟ ସମ୍ମିଳନୀର ଉଦ୍‍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ହୋଇ । ବର୍ତ୍ତମାନର ଓ.ୟୁ.ଏ.ଟି.ପରିସରରେ ପି.ଇ.ଏନ୍‍ ସମ୍ମିଳନୀ ମହାସମାରୋହରେ ଅନୁଷ୍ଠିତ ହେଉଥାଏ ଏବଂ ପୃଥିବୀ ପ୍ରସିଦ୍ଧ ବହୁ ଲେଖକ/ କବି ଔପନ୍ୟାସିକ ମଧ୍ୟ ଯୋଗଦେବାକୁ ଆସିଥାନ୍ତି-। ପ୍ରାଣନାଥ ପଟ୍ଟନାୟକ ସେବେର ଖୋର୍ଦ୍ଧାର ବିଧାୟକ ଏବଂ ବିଧାନ ସଭାରେ କମ୍ୟୁନିଷ୍ଟ ଦଳର ଦଳପତି । ଆଚାର୍ଯ୍ୟ ନରେନ୍ଦ୍ର ଦେବଙ୍କ କାଶୀ ବିଦ୍ୟାପୀଠରେ ଅଧ୍ୟୟନ କରୁଥିବା ସମୟରେ ପ୍ରାଣନାଥ ଗୁରୁ ଭାବରେ କିଛି ସମୟ ପାଇଁ ପାଇଥିଲେ ପଣ୍ଡିତ ନେହେରୁଙ୍କୁ । ସେହି ପରିଚୟର ଖିଅଧରି ଖୋର୍ଦ୍ଧା କଲେଜ ପ୍ରତିଷ୍ଠା ସମୟରେ ଅନ୍ୟତମ ମାର୍କ୍ସବାଦୀ ଗୁରୁ ଏବଂ ଐତିହାସିକ ଭାବରେ ପଣ୍ଡିତ ନେହେରୁଙ୍କର ଅକୃତ୍ରିମ ବନ୍ଧୁ ପ୍ରଫେସର ହୀରେନ ମୁଖର୍ଜୀଙ୍କ ସହାୟତାରେ, ଭିତ୍ତିପ୍ରସ୍ତର ପକାଇବାକୁ, ତତ୍କାଳର ସାଂସ୍କୃତିକ ବ୍ୟାପାର ଏବଂ ବୈଜ୍ଞାନିକ ବ୍ୟାପାର (ସାଇଣ୍ଟିଫିକ୍‍ ରିସର୍ଚ ଏଣ୍ଡ କଲଚରାଲ୍‍ ଆଫେୟାର୍ସର କେନ୍ଦ୍ର ମନ୍ତ୍ରୀ ପ୍ରଫେସର ହୁମାୟୁନ କବୀରଙ୍କୁ ଡାକି ଆଣିପାରିଥିଲେ ଏବଂ ପଣ୍ଡିତ ନେହେରୁଙ୍କ ଠାରୁ ଆଶୀର୍ବାଣୀ ଭାବରେ ଏକ ପତ୍ର ପାଇଥିଲେ-।) ଲେଖକ ସେତେବେଳେ ଛୋଟିଆ ଖୋର୍ଦ୍ଧା କଲେଜର ମାତ୍ର ଦୁଇବର୍ଷର ଅଧ୍ୟାପକ । ପି.ଇ.ଏନ୍‍ ସମ୍ମିଳନୀରେ ଏକ ନିମନ୍ତ୍ରଣ ଯୋଗାଡ଼ କରି, ଆମମାନଙ୍କୁ ସାଙ୍ଗରେ ଧରି ପ୍ରାଣନାଥ ସମ୍ମିଳନୀର ପହଞ୍ଚିଲେ । ସମ୍ମିଳନୀରେ ମୁଖ୍ୟ ଅତିଥିଙ୍କର ଅବସର କକ୍ଷରେ ପ୍ରବେଶକରି ପ୍ରାକ୍ତନ ଗୁରୁ, ଭାରତର ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କୁ ପ୍ରଣାମ ଜଣାଇଲେ । ଆମେ ମଧ୍ୟ ଅଭିଭୁତ ହୋଇ ପ୍ରଣାମ କଲୁ । ମୋର ଆଶଙ୍କା ଥିଲା, ଭାରତରେ ପ୍ରଧାନମନ୍ତ୍ରୀ କ’ଣ କେବେକାର, ସ୍ୱଳ୍ପ ସମୟର ଛାତ୍ର ଏବେର ବିଧାୟକ ପୁଣି କମ୍ୟୁନିଷ୍ଟ ବିଧାୟକ ପ୍ରାଣନାଥଙ୍କୁ ଚିହ୍ନିବେ ? ଆମମାନଙ୍କୁ ବିସ୍ମୟାଭିଭୁତ କରି, ପଣ୍ଡିତ ନେହେରୁ ହସ ହସ ମୁହଁରେ ପଚାରିଲେ - “ପ୍ରାଣନାଥ ହୋ ନାଁ ? କୈସେ ହୋ ? ତୁମ୍‍ହାରା କଲେଜ ଖୁଲଗୟା କି ନେହିଁ ? ଅବ୍ ତୁମ୍ ଏମ୍‍.ଏଲ୍‍.ଏ. ହୋ - ୱହି ଯୋ ଖୁରଧା ମେ ଛତିଶ ସାଲ ମେ ଭାଷଣ ଦେନେକେ ଲିଏ ଗୟାଁ ଥା, ତୁମ୍‍ହାରା ପ୍ରଚାର କରନେକେ ଲିଏ, ୱହି ଖୋର୍ଦ୍ଧା ଅବ୍ ଭି ତୁମ୍‍ହାରା କନ୍‍ଷ୍ଟିଚିଓନ୍ସି ହୈ ?” ଇତ୍ୟାଦି ।

 

ପ୍ରାଣନାଥ ତାଙ୍କୁ ଉତ୍ତର ଦେଲେ । କଲେଜଟିକୁ ଏକ ବିଶାଳ ବିଶ୍ୱବିଦ୍ୟାଳୟରେ ପରିଣତ କରି, ମୋତିଲାଲ ନେହେରୁ ୟୁନିଭର୍ସିଟି କରିବାର ତାଙ୍କର ସ୍ୱପ୍ନର କଥା ମଧ୍ୟ ଜଣାଇଲେ-। ପଣ୍ତିତ ନେହେରୁ ହସିଲେ ଏବଂ କେବଳ କହିଲେ, “ଅବ ତକ୍ ଆଗୟେ ତୋ ଆଗେ ଚଲ୍ ସକ୍‍ତେ ହୋ”।

 

ଏକଥାର ଅବତାରଣା କେବଳ କାଶୀ ବିଦ୍ୟାପୀଠରେ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଦୀକ୍ଷା ଓ ତାଲିମ୍‍ର ଗୁରୁ ଏବଂ ଛାତ୍ରମାନଙ୍କ ମଧ୍ୟରେ ଅକୃତ୍ରିମ କମ୍ରେଡରୀ ସମ୍ପର୍କର କଥା ବର୍ଣ୍ଣନା କରିବା ନିମନ୍ତେ, ଯାହା ସମ୍ପ୍ରତି ହୁଏତ ଅଚିନ୍ତନୀୟ ଏବଂ ଅଭାବନୀୟ ପ୍ରତେ ହୋଇପାରେ ।

 

ସେ ସମୟରେ ତଡ଼ିତ ଗତିରେ ଘଟିଯାଉଥିବା ଘଟଣାବଳୀର ସମ୍ୟକ ପରିଚୟ ନଜାଣିଲେ ପାଠକମାନେ ପ୍ରାଣନାଥ ଏବଂ ସମସାମୟିକ ଅନ୍ୟାନ୍ୟ ବିପ୍ଲବୀ ଯୁବ ମାନସର ରୂପ ଅନୁଧ୍ୟାନ କରିପାରିବେ ନାହିଁ । ପୂର୍ବରୁ ଉଲ୍ଲେଖ କରାଯାଇଛି ଯେ ଗାନ୍ଧୀ-ଇରଉଇନ୍ ଚୁକ୍ତି ଭିତ୍ତିରେ ଗାନ୍ଧିଜୀ ଦେଶବ୍ୟାପୀ ଚାଲିଥିବା ଆନ୍ଦୋଳନକୁ ପ୍ରତ୍ୟାହାର କରିନେବା ପରେ, ଯେଉଁ ନିସ୍ତରଙ୍ଗ, ହତାଶିଆ ଅବସ୍ଥା ସୃଷ୍ଟି ହେଲା, ସେହି ଶୂନ୍ୟକାଳରେ ପ୍ରାଣନାଥ ପୁନଶ୍ଚ କାଶୀ ବିଦ୍ୟାପୀଠକୁ ଅଧ୍ୟୟନ ପାଇଁ ଯାଇଥିଲେ ।

 

ଉଲ୍ଲେଖନୀୟ ଘଟଣାଗୁଡ଼ିକ ହେଲା, ପୂର୍ବ ବର୍ଣ୍ଣିତମତେ ୧୯୩୧ ମସିହା ଫେବୃୟାରୀ ୧୭ ତାରିଖରୁ ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ଗାନ୍ଧୀ - ଇରଉଇନ୍‍ ଆଲୋଚନା ଏବଂ ମାର୍ଚ୍ଚ ୫ ତାରିଖରେ ଗାନ୍ଧୀ - ଇରଉଇନ୍ ଚୁକ୍ତି ସମ୍ପାଦନ ପରେ ପରେ, ଚୁକ୍ତିରେ ସମସ୍ତ ଦମନମୂଳକ କାର୍ଯ୍ୟରୁ ନିବୃତ୍ତ ରହିବାକୁ ବ୍ରିଟିଶ ସରକାର ପ୍ରତିଶୃତି ଦେଇଥିଲେ ମଧ୍ୟ ସେହି ୧୯୩୧ ମାର୍ଚ୍ଚ ୨୩ ତାରିଖର ନିଶାର୍ଦ୍ଧରେ ଦୁନିଆ ଠାରୁ ଲୁଚାଇ ଗୋପନରେ ଶହୀଦ ଭଗତ ସିଂ, ଶୁକଦେବ ଓ ରାଜଗୁରୁଙ୍କୁ ଫାଶୀଖୁଣ୍ଟରେ ଝୁଲାଇ ଦେଇ, ସେମାନଙ୍କର ଶବ ଆତ୍ମୀୟସ୍ୱଜନମାନଙ୍କୁ ନଦେଇ ଶତଦ୍ରୂ ନଦୀରେ ଭସାଇ ଦିଆଗଲା - ଯାହା ଫଳରେ ସାରା ଦେଶରେ ବିଦ୍ରୋହାଗ୍ନି ଚରିଗଲା । ଗାନ୍ଧୀ-ଇରଉଇନ୍ ଚୁକ୍ତିରେ ମଧ୍ୟ ଦେଶସାରା ପ୍ରତିବାଦ ହେଲା ।

 

୧୯୩୧ ମସିହାରେ ଫେବୃୟାରୀ ୧୭ ତାରିଖରୁ ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ଗାନ୍ଧୀ-ଇରଉଇନ୍‍ ଆଲୋଚନା ଚାଲିଥିଲା । ମହାତ୍ମାଗାନ୍ଧୀ ନେହେରୁଙ୍କ ନେତୃତ୍ୱରେ ବାମପନ୍ଥୀ କଂଗ୍ରେସ ନେତାମାନେ ବ୍ୟଥିତ ହୋଇ ଉଠିଲେ ଏବଂ କଂଗ୍ରେସ କାର୍ଯ୍ୟକାରୀ କମିଟିର ଏହା ଆଲୋଚିତ ହେଲା ।

 

ଆଉ ଏକ ଦୁଃଖଦ ଘଟଣା ଘଟିଲା ଯାହା ଦେଶର ଯୁବମାନସକୁ ଦୋହଲାଇ ଦେଲା-ଏଲ୍ଲାହାବାଦର ଏକ ପାର୍କରେ ପୋଲିସ ସହିତ ସିଧାସଳଖ ଗୁଳି ବିନିମୟରେ ଇସ୍ପାତ ଠାରୁ ଶକ୍ତ ବିପ୍ଲବୀ ଯୋଦ୍ଧା ଚନ୍ଦ୍ରଶେଖର ଆଜାଦ ନିଜ ଗୁଳିରେ ଶହୀଦ ହେଲେ ଏବଂ ତାଙ୍କର ଏକାକୀ ବୀରତ୍ୱପୂର୍ଣ୍ଣ ସଂଗ୍ରାମ ଦେଶସାରା ଏକ ପକ୍ଷରେ ଗର୍ବର ତରଙ୍ଗ ଏବଂ ଅପର ପକ୍ଷରେ ଦେଶବ୍ୟାପୀ ଦାରୁଣ ବିଷାଦ ଓ ଶୋକ ସୃଷ୍ଟି କରିଥିଲା ।

 

ସେହି ସମୟର ଅନ୍ୟ ଏକ ପ୍ରମୁଖ ଏବଂ ବୈପ୍ଲବିକ ଘଟଣା ହେଲା, ଚଟ୍ଟଗ୍ରାମ ଅସ୍ତ୍ରାଗାର ଲୁଣ୍ଠନ ଯାହା ୧୯୩୦ର ୧୯୩୪ ପର୍ଯ୍ୟନ୍ତ ପରିବ୍ୟାପ୍ତ । ସ୍ୱାଧୀନତା ସଂଗ୍ରାମର ଇତିହାସରେ ମାଷ୍ଟରଦା” ନାମରେ ଖ୍ୟାତ, ସୂର୍ଯ୍ୟସେନଙ୍କ ଅଧ୍ୟକ୍ଷତାରେ ଚଟ୍ଟଗ୍ରାମ ରିପବ୍ଲିକାନ୍‍ ଆର୍ମି ନାମକ ସଙ୍ଗଠନ ଗଢ଼ାଯାଇ ବ୍ରିଟିଶ ବିରୁଦ୍ଧରେ ସଶସ୍ତ୍ର ସଂଗ୍ରାମ କରିବାର ସଂକଳ୍ପ ନିଆଗଲା-। ଚଟ୍ଟଗ୍ରାମକୁ ବ୍ରିଟିଶ କର୍ତ୍ତୃପକ୍ଷଙ୍କ କବଳରୁ ପ୍ରାୟ ମୁକ୍ତ କରି ନିଆଗଲା । ଦୁଇଟି ସରକାରୀ ଅସ୍ତ୍ର ଭଣ୍ତାର, ଟେଲି ଯୋଗାଯୋଗ, ରେଳଷ୍ଟେସନ, ଚଟ୍ଟଗ୍ରାମ ବନ୍ଦରକୁ ଦଖଲ କରିଦେଲେ ବିପ୍ଲବୀ ବାହିନୀ, ଅସ୍ତ୍ରାଗାର ଦାୟୀତ୍ୱରେ ଥିବା ମେଜର ଫେରୋଲ ଓ ଅନ୍ୟ ଦୁଇଜଣ ଜଗୁଆଳୀ ନିହତ ହେଲେ । ବିପ୍ଳବୀସେନାର ଘାଟି ଜଲାଲାବାଦ ପାହାଡ଼ ଉପରୁ ଏକ ବିଶାଳ ଜନସମାବେଶରେ, ମାଷ୍ଟର ଦା’ ଚଟ୍ଟଗ୍ରାମରେ ସ୍ୱାଧୀନ ସରକାର ଗଢ଼ାହେଲା ବୋଲି ଘୋଷଣା କଲେ ।

 

ଓଡ଼ିଶାର ପାଠକମାନେ ଗର୍ବିତ ହେବା ଉଚିତ ଯେ, ଚଟ୍ଟଗ୍ରାମ ଅସ୍ତ୍ରାଗାର ଲୁଣ୍ଠନର ବିପ୍ଲବୀ ବାହିନୀ ୫୮ ଜଣଙ୍କ ମଧ୍ୟରେ ଦୁଇଜଣ ଓଡ଼ିଆ ମଧ୍ୟ ଥିଲେ । ଜଣେ ବିପ୍ଲବୀ ଲୋକନାଥ ବଳ ଏବଂ ତାଙ୍କର ୧୪ ବର୍ଷ ବୟସର ସାନଭାଇ ଟେଗରା । କିଶୋର ଟେଗେରାଙ୍କ ଗୁଳିରେ ତିନିଜଣ ବ୍ରିଟିଶ ସୈନିକ ଆହତ ହୋଇଥିଲେ ।

 

ସ୍ୱାଧୀନତା ସଂଗ୍ରାମର ଏହି ଜ୍ଵାଳାମୟୀ, ଅଗ୍ନିଗର୍ଭ ଇତିହାସ ସେ ସମୟର ସମସ୍ତ ସ୍ୱାଧୀନତାକାଂକ୍ଷୀ ଯୁବପ୍ରାଣକୁ ଆଲୋଡ଼ିତ, ସ୍ପନ୍ଦିତ କରୁଥିଲା । ପ୍ରାଣନାଥ ମଧ୍ୟ ସେଥିରୁ ବାଦ ଯାଆନ୍ତେ କିପରି ?

 

୧୯୩୧ ସେପ୍ଟେମ୍ବରରୁ ଡିସେମ୍ବର ଯାଏ ଲଣ୍ଡନଠାରେ ଦ୍ୱିତୀୟ ଗୋଲ ଟେବୁଲ ବୈଠକ ବସିଲା । ଏହି ବୈଠକରେ ବିଶାଳ ଜାତୀୟ କଂଗ୍ରେସର, ଜଣେ ମାତ୍ର ପ୍ରତିନିଧି ଥିଲେ ମହାତ୍ମାଗାନ୍ଧୀ । ଗୋଲ ଟେବୁଲ ବୈଠକରେ ଭାରତୀୟ ପ୍ରତିନିଧିମାନେ ଐକ୍ୟବଦ୍ଧ ହୋଇ, ଭାରତର ଦାବୀ ଉପସ୍ଥାପିତ କରିବାକୁ ଗାନ୍ଧିଜୀଙ୍କର ନିବେଦନକୁ, ଲିଗ୍‍ନେତା ଆଗା ଗାଁ ବିରୋଧ କରି କଂଗ୍ରେସ ମୁସଲମାନମାନଙ୍କ ପ୍ରତିନିଧିତ୍ଵ କରେନାହିଁ ବୋଲି ଅଡ଼ି ବସିଲେ । ହିନ୍ଦୁ ମହାସଭା (ଯାହା ଭାରତୀୟ ଜନସଂଘ ଏବଂ ଏବେର ଭାଜପାରେ ରୂପାନ୍ତରିତ)ର ପ୍ରତିନିଧିମାନେ, ଶିଖ୍‍ ପ୍ରତିନିଧିମାନେ ଗାନ୍ଧିଜୀଙ୍କର ଐକ୍ୟ ଆହ୍ୱାନକୁ ଗ୍ରହଣ କଲେନାହିଁ । ବିଭାଜିତ ଭାରତୀୟ ପ୍ରତିନିଧିମାନଙ୍କର ରୂପ ଶ୍ରମିକ ଦଳର ବ୍ରିଟିଶ ପ୍ରଧାନମନ୍ତ୍ରୀ ମାକ୍‍ଡ଼ୋନାଲ୍ଡଙ୍କୁ ସୁହାଇଲା ଏବଂ ସେ ବୈଠକରେ ପ୍ରସ୍ତାବିତ ଭାରତ ସୁରକ୍ଷା ଆଇନ ଆଗତ କଲେ ।

 

ଗୋଲ ଟେବୁଲ ବୈଠକରୁ ଗାନ୍ଧିଜୀ ଖାଲି ହାତରେ ଫେରିଲେ । ସୁସ୍ପଷ୍ଟ ସ୍ମରଣ ନାହିଁ । ବ୍ରିଟିଶ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ବହୁଦିନ ପର୍ଯ୍ୟନ୍ତ ଗୀତଟିଏ ବୋଲା ହେଉଥିଲା ।”ଭଲା ଗୋଲ ଟେବୁଲ ପାଲା ଲାଗିଲାରେ-କାନ୍ଦି କାନ୍ଦି ଗାନ୍ଧି ବୁଢ଼ା ଫେରିଲାରେ”... ଇତ୍ୟାଦି ।

 

ପୂର୍ବରୁ କୁହାଯାଇଛି ଯେ, ଗାନ୍ଧିଜୀ ଗୋଲ ଟେବୁଲ ବୈଠକରୁ ଫେରି ୧୯୩୨ ଜାନୁୟାରୀ ୪ ତାରିଖରେ ବମ୍ବେ ବନ୍ଦରରେ ପହଞ୍ଚିବା ମାତ୍ରେ ତାଙ୍କୁ ଗିରଫ କରି ନିଆଗଲା । ଆଉ ଯେତେ ସବୁ ତୁଙ୍ଗନେତା ବାହାରେ ରହିଯାଇଥିଲେ ସେମାନେ ମଧ୍ୟ ଗିରଫ ହେଲେ । ଦେଶସାରା କଂଗ୍ରେସ କାର୍ଯ୍ୟାଳୟ, କଂଗ୍ରେସ ସମ୍ପତ୍ତି ଉପରେ ପ୍ରଚଣ୍ଡ ଆକ୍ରମଣ କରି ସେ ସବୁକୁ ବାଜ୍ୟାପ୍ତ କରାଗଲା । ଗିରଫଦାରୀର ସଂଖ୍ୟା ଦେଢ଼ଲକ୍ଷରୁ ଅଧିକ ହୋଇଗଲା ।

 

ପୁରୀ ସହର ଉପକଣ୍ଠ ବଳିଆପଣ୍ଡାଠାରେ ସର୍ବଭାରତୀୟ କଂଗ୍ରେସ ଅଧିବେଶନ କରାଯିବା ପାଇଁ ବ୍ୟାପକ ପ୍ରସ୍ତୁତି, (ପଣ୍ଡିତ ନୀଳକଣ୍ଠ ଦାସଙ୍କୁ ଅଭ୍ୟର୍ଥନା ସମିତିର ଅଧ୍ୟକ୍ଷ, ଆଚାର୍ଯ୍ୟ ହରିହର ଦାଶ ସମ୍ପାଦକ, ଡକ୍ଟର ମହତାବ ସେନାଧ୍ୟକ୍ଷ ଏବଂ ନବକୃଷ୍ଣ ଚୌଧୁରୀ ଉପସେନାଧ୍ୟକ୍ଷତ୍ୱରେ ଚାରିଆଡ଼େ କଂଗ୍ରେସ ସେବାଦଳ ଟ୍ରେନିଂ ପ୍ରଦାନ) ଫସର ଫାଟିଗଲା । କଂଗ୍ରେସ ବେଆଇନ ହୋଇଗଲା । ଗଦା ଗଦା କାଗଜ ପତ୍ର ପୋଡ଼ାଗଲା-ବାସନ କୁସନ, ଆସବାବପତ୍ର ନିଲାମ କରାଗଲା-ମୂଲ୍ୟବାନ ରେକର୍ଡ଼ ପତ୍ର ବିଭିନ୍ନ ସ୍ଥାନରେ ଲୁଚାଇ ରଖାଗଲା ।

 

ସାରାଦେଶରେ ପୁନଶ୍ଚ ଆନ୍ଦୋଳନର ଋଣଦୁନ୍ଦୁଭି ବାଜି ଉଠିଲା । ୧୯୩୨ ମସିହା ପ୍ରଥମାର୍ଦ୍ଧରେ ଦିଲ୍ଲୀଠାରେ ସର୍ବଭାରତୀୟ କଂଗ୍ରେସ ଅଧିବେଶନ ବସିଲା ଏବଂ ଏଥିପାଇଁ ଚତୁର୍ଦ୍ଦିଗକୁ ଗୋପନରେ ନିର୍ଦ୍ଦେଶ ପଠାଗଲା । ଅଧିକାଂଶ ନେତା ଜେଲରେ ରହିଥିଲେ ମଧ୍ୟ ଅନ୍ୟ ଯେଉଁମାନେ ଥିଲେ, ସେମାନେ ଦାୟିତ୍ୱ ନେଇ କାର୍ଯ୍ୟ କରୁଥାନ୍ତି ।

 

ଏଥରକ ପ୍ରାଣନାଥ, ୧୯୩୨ ମସିହାରେ ବନାରସରୁ ଫେରିବାକୁ ଏବଂ ଆନ୍ଦୋଳନରେ ଯୋଗଦେଇ ନେତୃତ୍ଵ ନେବାକୁ ବାଧ୍ୟ ହେଲେ । ବନାରସ କାଶୀ ବିଦ୍ୟାପୀଠରୁ ପୁନଶ୍ଚ ସଂଗ୍ରାମର ମଇଦାନକୁ ଫେରିଆସିବାର କଥା ବର୍ଣ୍ଣନା କରି ପ୍ରାଣନାଥଙ୍କର ଆଜୀବନ ସହକର୍ମୀ ଗତିକୃଷ୍ଣ ସ୍ୱାଇଁ ଲେଖିଛନ୍ତି, “ପ୍ରାଣନାଥ ବାବୁ ବିଦ୍ୟାପୀଠ ଛାଡ଼ି ପୁଣି ଆସି ଦୁର୍ଦ୍ଧଷ ବ୍ରିଟିଶ ସରକାର ବିରୁଦ୍ଧରେ ଲଢ଼େଇ ପାଇଁ ଆମ ନିକଟରେ ହାଜର ହେଲେ । ଆମେ ତାଙ୍କର ସାଙ୍ଗସାଥି କିଏ ସମାଲୋଚନା କଲୁ । ତାଙ୍କର ସେହି ହସ ହସ ମୁହଁ - ପିଲାଳିଆ ନରମ ସ୍ୱରରେ କହିଲେ, “ପାଠ ନପଢ଼ିଲେ, ପଥ ନଜାଣିଲେ, ଚାଲିବ କିପରି ? ମୁଁ ପରା ଲଢ଼େଇରେ ତମ ସାଙ୍ଗେ ଅଛି - ହୁକୁମ ଦିଅ - କ'ଣ କରିବାକୁ ହେବ - ସତ୍ୟାଗ୍ରହୀ ସଂଗ୍ରହ କରିବା, ପିକେଟିଂ କରି ଜେଲ୍ ଯିବାକୁ ସଙ୍ଗେ ସଙ୍ଗେ ତିଆର । ବାସ୍ତବିକ ପରବର୍ତ୍ତୀ କାଳରେ ଆମେ ଅନୁଭବ କଲୁ, ତାଙ୍କର ସେ ଜ୍ଞାନାର୍ଜ୍ଜନ, ନିଜ ପାଇଁ ନୁହେଁ ତାଙ୍କର - ଶହ ଶହ କର୍ମୀମାନଙ୍କୁ ଜେଲ୍‍ଖାନାରେ ଏବଂ ବାହାରେ କ୍ଲାସକରି ଶିକ୍ଷା ଦେବାରେ ଲାଗିଲା ଏବଂ ସେମାନଙ୍କୁ ସାମ୍ରାଜ୍ୟବାଦ ଓ ସାମନ୍ତବାଦ ବିରୁଦ୍ଧରେ ବିପ୍ଲବୀ ସୈନିକ ଭାବରେ ସଂଘବଦ୍ଧ କରିବାରେ ଲାଗିଲା ।”

 

ପ୍ରାଣନାଥ ବନାରସରୁ ଫେରିଲା ବେଳକୁ କଂଗ୍ରେସ ବେଆଇନ ହୋଇଥାଏ । କଂଗ୍ରେସର ସମସ୍ତ ଆନ୍ଦୋଳନାତ୍ମକ କାର୍ଯ୍ୟ ଗୋପନରେ ସଙ୍ଗଠନ କରିବାକୁ ପଡ଼ୁଥାଏ । ପୁରୀ ଜିଲ୍ଲାର ବହୁକର୍ମୀ ଓ ନେତା ଜେଲ୍‍କୁ ଯାଇଥିବାରୁ, ପ୍ରାଣନାଥ ପଟ୍ଟନାୟକ, ଗତିକୃଷ୍ଣ ସ୍ୱାଇଁ ଆନ୍ଦୋଳନ ଚଲାଇ ରଖିବା ପାଇଁ ଜିଲ୍ଲାର ନେତୃତ୍ୱ ନେଇ କାର୍ଯ୍ୟ କରୁଥାଆନ୍ତି । ଅଜ୍ଞାତବାସରେ କଂଗ୍ରେସ କାର୍ଯ୍ୟ ପରିଚାଳନା କରିବାକୁ ପଡ଼ୁଥିଲା ।

 

ବିଭିନ୍ନ ଅଞ୍ଚଳ ବୁଲି ସତ୍ୟାଗ୍ରହୀ ସଂଗ୍ରହ କରିବା, ସେମାନଙ୍କ ରହିବା ଓ ଖାଦ୍ୟପେୟର ବ୍ୟବସ୍ଥା କରିବା, କେଉଁଦିନ କେଉଁ ଦୋକାନ ଆଗରେ, ବିଦେଶୀ ବସ୍ତ୍ର, ଜିନିଷ ବର୍ଜ୍ଜନ ପାଇଁ ସତ୍ୟାଗ୍ରହ କରିବାକୁ ପଡ଼ିବ ତାହାର ତାଲିକା କରିବା, ଚାନ୍ଦା ଆଦାୟ କରିବା, ସମ୍ବାଦ ସରବହାର କରିବା ମୁଖ୍ୟ କାର୍ଯ୍ୟ ଥିଲା ନେତୃତ୍ୱର ।

 

ଗତିକୃଷ୍ଣ ସ୍ୱାଇଁ ଲେଖିଛନ୍ତି, “ସ୍ୱର୍ଗଦ୍ୱାରରେ ଅନ୍ୟ ଏକ କୋଠା ନିଆଯାଇ ସେଠାରେ ଲିଥୋ ମେସିନ୍‍ ରଖାଯାଇ ଲିଥୋ କାମ କରାଯାଉଥଲା । ଗୁରୁଚରଣ ପଟ୍ଟନାୟକ ଏହି ଲିଥୋ ଦାୟିତ୍ୱରେ ରହି, ସମସ୍ତ ଲେଖା ଲିଥୋ କରି ଗୁପ୍ତରେ ସବୁ ସ୍ଥାନକୁ ପଠାଉଥିଲେ ।” ସେ ପୁଣି ଲେଖିଛନ୍ତ- “ପୁଣି ଲକ୍ଷ୍ମୀ ମନ୍ଦିରରେ ଜଣକୁ ବ୍ରାହ୍ମଣ ବେଶରେ ବସାଇ ରଖାଯାଇଥିଲା । ଏହାଙ୍କ ନାମ ଅଗାଧୁ ମହାପାତ୍ର ବୋଲି ରଖାଯାଇଥିଲା ସେ ଲକ୍ଷ୍ମୀଙ୍କ ଦେଉଳରେ ସକାଳ ୯ଟାରୁ ରାତ୍ର ୧୨ ଟା ପର୍ଯ୍ୟନ୍ତ ବସି ମାଳା ଜପୁଥିଲେ । ତାଙ୍କୁ କାମ ଦିଆଯାଇଥିଲା, ସତ୍ୟାଗ୍ରହୀମାନେ କେଉଁଠାକୁ ଯିବେ, ତାଙ୍କୁ ନିର୍ଦ୍ଦେଶ ଦେବେ ଓ କର୍ମୀମାନଙ୍କ ଠାରୁ ଖବର ସଂଗ୍ରହ କରିବେ ।” ସ୍ୱାଧୀନତା ଆନ୍ଦୋଳନ ସମୟର ଏ କାହାଣୀ ଯେ କୌଣସି ଲୋମହର୍ଷଣକାରୀ ଉପନ୍ୟାସଠାରୁ ସ୍ୱାଦ୍ୟ ଏବଂ ରୋମାଞ୍ଚକର ।

 

ତୃତୀୟ ଅଧ୍ୟାୟ

ଖୋର୍ଦ୍ଧାରେ ଆନ୍ଦୋଳନର ଦାୟିତ୍ଵ

 

ପ୍ରାଣନାଥଙ୍କର ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କର ସାଥୀ ପର୍ଶୁରାମ ପଦାତିକରାୟ ବର୍ଣ୍ଣନା କରିଛନ୍ତି, “ଆମେ ଚାରିଜଣ ଯଥା ସର୍ବଶ୍ରୀ ପ୍ରାଣନାଥ ପଟ୍ଟନାୟକ, ଗତିକୃଷ୍ଣ ସ୍ୱାଇଁ, ବଳରାମ ପାଇକରାୟ ଓ ଲେଖକ ଏକତ୍ରିତ ହୋଇ ସତ୍ୟାଗ୍ରହୀ ସଂଗ୍ରହ କରିବା ପାଇଁ ଖୋର୍ଦ୍ଧା ସବ୍‍ଡିଭିଜନକୁ ପୁରୀଠାରୁ ଆସିଲୁ । ସତ୍ୟାଗ୍ରହୀ ଓ ଅର୍ଥ ସଂଗ୍ରହ କରିବା ପାଇଁ ପ୍ରାଣନାଥ ବାବୁ ଜାଆଁଳା ତରଫକୁ ଗତିବାବୁ ଆଉ ଗୋଟିଏ ପଟକୁ, ବଳରାମ ପାଇକରାୟ ଓ ମୁଁ ତାପଙ୍ଗ ଯାଇଥିଲୁ । ସମସ୍ତଙ୍କ ଭିତରେ କଥା ହୋଇଥିଲା- ତା’ ପରଦିନ ସନ୍ଧ୍ୟା ସୁଦ୍ଧା ସମସ୍ତେ ନିର୍ଦ୍ଦିଷ୍ଟ ଜାଗାରେ ପହଞ୍ଚିବା ପାଇଁ । ନିର୍ଦ୍ଦିଷ୍ଟ ଜାଗାଟି ଥିଲା-ଜଟଣୀ ଆରପଟେ ଦକ୍ଷିଣ ଲାଇନ କଡ଼ରେ ଥିବା ତାରେଶ୍ୱର ଦେବଙ୍କ ମନ୍ଦିର ଚଉରା ଓ କଇଁଆ ଗଛମୂଳେ । ତା’ ପରଦିନ ସେଇଠାରେ ପହଞ୍ଚିଲୁ । ଘୋର ବର୍ଷା ହେଉଥିବାରୁ ସେଠି ରହିନପାରି ଲାଇନ କଡ଼ରେ ଥିବା ଗ୍ୟାଙ୍ଗ କୁଲିଙ୍କ ଘରେ ଆଶ୍ରୟ ନେଲୁ । ଆଗରୁ ଶୁଣିଥାଉ ଯେ ପୁଲିସ ଆମକୁ ଆଶ୍ରୟ ନଦେବାକୁ ଓ ଦେଖିଲେ ତୁରନ୍ତ ପୋଲିସରେ ଖବର ଦେବାକୁ ଗ୍ୟାଙ୍ଗ କୁଲିମାନଙ୍କୁ କହିଥାଏ । ସେଥିପାଇଁ ମେଘ ଅନ୍ଧାରରେ ଯିଏ ଯେଉଁ ସମୟରେ ପହଞ୍ଚିଲା, ଅଲଗା ଗୋଟିଏ ଘର ଆଦରି ନେଇ ଭୂମି ଶଯ୍ୟାରେ ଭାଗ୍ୟକୁ ଆଦରି ଶୋଇ ପଡ଼ିଲୁ । ରାତି ନପାହୁଣୁ ଯାଇ ତାରେଶ୍ୱର ମନ୍ଦିର ବେଢ଼ାରେ ନିଜ ନିଜ କଥା ମାନ ପ୍ରକାଶ କଲୁ ।”

 

ସାଥୀ ବଳରାମ ପାଇକରାୟ ତାଙ୍କ ସ୍ମୃତିକଥାରେ ଲେଖିଛନ୍ତି, “ଡେଲାଙ୍ଗ ଠାରୁ ପଦବ୍ରଜରେ ବିଭିନ୍ନ ଗ୍ରାମମାନ ବୁଲି ପ୍ରାଣନାଥ ବାବୁଙ୍କ ସହ ଜଟଣୀ ନିକଟସ୍ଥ ତାରେଶ୍ୱର ମହାଦେବଙ୍କ ୨୨ ଗୁଣ୍ଠ ଭିତରେ ଡାଳପତ୍ରରେ କୁଡ଼ିଆ କରି ବସାବାନ୍ଧି ରହିଲୁ ।”

 

ଜଟଣୀ ରେଳଲାଇନ୍‍ର ଦକ୍ଷିଣ ଦିଗକୁ, ହରିପୁର ଗ୍ରାମ ନିକଟରେ ତାରେଶ୍ୱର ମନ୍ଦିର । ସେ ସମୟରେ ତାହା ଏକାନ୍ତ ନିର୍ଜ୍ଜନ ଥିଲା ଏବଂ ତା’ରି ପାଖାପାଖି ରେଳବାଇ ଗ୍ୟାଙ୍ଗ କୁଲିମାନଙ୍କର ଟୁଙ୍ଗୀଘରମାନ ହୋଇଥାଏ । ତାରେଶ୍ୱର ମନ୍ଦିର ସେ ଘଟଣାର ମୂକସାକ୍ଷୀ ଭାବରେ ଏବେ ମଧ୍ୟ ଦଣ୍ଡାୟମାନ ।

 

ପ୍ରାଣନାଥଙ୍କର ଅକୃତ୍ରିମ ବନ୍ଧୁ ସର୍ଦ୍ଦାର ଗତିକୃଷ୍ଣ ସ୍ୱାଇଁ ସେହି ସମୟର ବର୍ଣ୍ଣନା ଦେଇ ଲେଖିଛନ୍ତି- “ଆମେ ସବୁ ପ୍ରାୟ ୩ଜଣ କର୍ମୀ ଜଟଣୀ ଆସିଲୁ । ଜଟଣୀରୁ ବିଦେଶୀ ଲୁଗା କାରବାର ବନ୍ଦ କରିବାକୁ ହେବ । କେହି ପିଣ୍ଡା ଉପରକୁ ମଧ୍ୟ ଉଠାଇଦେଲେ ନାହିଁ, ସାହାଯ୍ୟ କରିବା ତ ଦୂରର କଥା । କେଉଁଠାରେ ରହିବୁ-ଶେଷକୁ ଜଟଣୀର ପ୍ରାୟ ଏକମାଇଲ ଦୂର ଦକ୍ଷିଣରେ ଗୋଟିଏ ମହାଦେବ ମନ୍ଦିର - ସେହି ମେଲା ବେଢ଼ାରେ ରହିଲୁ । ଗଛମୂଳେ ରୋଷେଇ ହୁଏ, ଗଛଡ଼ାଳରେ ଶିକାରେ ହାଣ୍ଡି ଟାଙ୍ଗି ଦେଉ । ପୋଲିସ କନେଷ୍ଟବଳ ଓ ହାକିମମାନେ ଆସି ହାଣ୍ଡି ଭାଙ୍ଗି ଦିଅନ୍ତି । ଶୀତ ବର୍ଷା ରାତିରେ କାହା ପିଣ୍ଡାରେ ମୁଣ୍ଡ ଗୁଞ୍ଜିଲେ ରାତି ଅଧରେ ପୁଲିସ ଆସି ଘଉଡ଼େଇ ଦିଅନ୍ତି । ସବୁ ଦୁଃଖକଷ୍ଟ ବେଳେ ପ୍ରାଣନାଥ ବାବୁଙ୍କ ହସ ହସ ମୁହଁରେ ନାନା ପ୍ରକାର ଗପ ଓ ଇତିହାସର କାହାଣୀ ଯୋଗୁଁ ମେଣ୍ଟିଯାଏ ।”

 

ଜଟଣୀ ବଜାରର ବଡ଼ ବଡ଼ ଗୋଦାମ/ବ୍ୟବସାୟୀ, ଯେଉଁମାନେ ସମଗ୍ର ପଶ୍ଚିମ ଓଡ଼ିଶାକୁ ସରଞ୍ଜାମ ସରବରାହ କରନ୍ତି, ସେହିପରି କେତେକ ବଡ଼ବଡ଼ିଆଙ୍କ ଦୋକାନ ଯଥା ତାର ମହମ୍ମଦ ନାନୁ ହୋସେନ୍‍, ରାଧାକ୍ରିଷ୍ଣାନ୍‍ ସୂରଜମଲ୍ଲଙ୍କ ଦୋକାନ ଆଗରେ ଦୁଇତିନିଜଣ ସତ୍ୟାଗ୍ରହୀ ପର୍ଶୁରାମ ପଦାତିକରାୟଙ୍କ ନେତୃତ୍ୱରେ ବିଦେଶୀ ଲୁଗା ଗୁଡ଼ାଏ ପୋଡ଼ିଦେଲେ । ପ୍ରାଣନାଥ ଭଲଲୋକୀ କରି, ବ୍ୟବସାୟୀମାନଙ୍କଠାରୁ ଆଉ ବିଦେଶୀ ଲୁଗା, ବିଦେଶୀ ସାମଗ୍ରୀ ବିକିବେ ନାହିଁ ବୋଲି ଲେଖାଇ ଆଣିଲେ । ପୁଲିସ ଏ ଖବର ଜାଣିଗଲା ବୋଲି ଜାଣିଲା ପରେ, ସତ୍ୟାଗ୍ରହୀମାନେ ସେ ସ୍ଥାନ ଛାଡ଼ି ଚାଲିଆସି ତାଙ୍କ ଆଶ୍ରୟସ୍ଥଳ ତାରେଶ୍ୱର ମନ୍ଦିର ବେଢ଼ାରେ ରହିଗଲେ । ମଜ୍ଜାର କଥା ହେଉଛି, ତାରେଶ୍ୱର ମନ୍ଦିରଟି ଏପରି ଦୋସମାଳୀରେ ଅବସ୍ଥିତ ଯେ, ଜଟଣୀ ଓ ଡେଲାଙ୍ଗ ଉଭୟ ଥାନା କିଏ ଆମକୁ ବନ୍ଦୀ କରବ ତାହା ସ୍ଥିର କରିପାରୁନଥାନ୍ତି ।

 

ଚାରି ପାଞ୍ଚଦିନ ପରେ ପୁଲିସ ବାଲାମାନଙ୍କର ଦୋହଲ ପଞ୍ଚଲ ଭାବରେ ପରିବର୍ତ୍ତନ ହେଲା ।

 

ଜଟଣୀ ବଜାରରୁ ସତ୍ୟାଗ୍ରହ କରୁଥିବା ସମୟରେ ପ୍ରଥମ ଦଫାରେ ପ୍ରାଣନାଥ ପଟ୍ଟନାୟକ, ଜଗନ୍ନାଥ ମହାନ୍ତି, ତା’ପର ଦଳରେ ଗତିକୃଷ୍ଣ ସ୍ୱାଇଁ, ପର୍ଶୁରାମ ପଦାତିକରାୟ, ବଳରାମ ପାଇକରାୟ ପ୍ରମୁଖ ୮/୧୦ଜଣ ଗିରଫ ହେଲେ । ଜଟଣୀ ଥାନାରେ ସେମାନଙ୍କୁ ରଖି ଖୋର୍ଦ୍ଧା କଚେରୀରେ ମାଜିଷ୍ଟ୍ରେଟଙ୍କ ଆଗରେ ପେଶ୍‍ କରାଗଲା । ପରେ ପରେ ବନ୍ଦୀମାନଙ୍କୁ ଖୋର୍ଦ୍ଧା ଜେଲ୍, ଖୋର୍ଦ୍ଧା ଜେଲ୍‍ରୁ ପୁରୀ ଜେଲ୍‍କୁ ନେଇ, ସେଠାରୁ ବିହାର ଓ ଓଡ଼ିଶା ଓ ପାଟନା କ୍ୟାମ୍ପ ଜେଲ୍‍କୁ ସ୍ଥାନାନ୍ତରିତ କରାଗଲା ।

 

କ୍ୟାମ୍ପ ଜେଲ୍ କ’ଣ ପାଠକମାନେ ସେ ସମ୍ପର୍କରେ ସମ୍ୟକ ଧାରଣା ନେବା ଆବଶ୍ୟକ । ବିହାର-ଓଡ଼ିଶା ସରକାର ପାଟଣା ସହର ପଶ୍ଚିମରେ ବାଙ୍କିପୁର ମୌଜାରେ ଗହୀର ବିଲରେ ତାରବାଡ଼ ଘେରାଇ ଉପରେ ଟିଣଛାତ ଦେଇ ଗୁଡ଼ିଏ ଶେଡ୍‍ ଆନ୍ଦୋଳନକାରୀ ବନ୍ଦୀମାନଙ୍କ ପାଇଁ ତିଆରି କରିଥିଲେ । ଗତିକୃଷ୍ଣ ସ୍ୱାଇଁ ନିଜ ଅଭିଜ୍ଞତାରୁ ଲେଖିଛନ୍ତି ଯେ, - ପାଟନା କ୍ୟାମ୍ପ ଜେଲରେ ଓଡ଼ିଶାରୁ ଏକ ହଜାରରୁ ଅଧିକ ଏବଂ ବିହାରରୁ ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ୍ୱ ବନ୍ଦୀ ହୋଇ ରହିଲେ । ଟିଣଛାତ ଥିବାରୁ ପ୍ରବଳ ଶୀତ ଓ ପ୍ରବଳ ଗରମ ଯୋଗୁଁ ଓଡ଼ିଶାର ବନ୍ଦୀମାନେ ବହୁ କଷ୍ଟ ପାଉଥିଲେ-ଓଡ଼ିଶାର ପ୍ରାୟ ୧୦/୧୨ ଜଣ ବନ୍ଦୀଙ୍କର ଏଠାରେ ମୃତ୍ୟୁ ଘଟିଥିଲା । କାରଣ ଜେଲ୍ କୋଠରୀର ଛାତ କେବଳ ଟିଣ ଛପର ନୁହେଁ, କାନ୍ଥ ମଧ୍ୟ ଟିଣ ଛପର । ତାତିକୁ ବା ଶୀତକୁ ସହ୍ୟ କରିବା ଅସମ୍ଭବ ।

 

ପର୍ଶୁରାମ ପଦାତିକରାୟଙ୍କ ସ୍ମୃତିଚାରଣରୁ ପ୍ରକାଶ ଯେ,“ପ୍ରାଣନାଥ ବାବୁ ପାଟନା କ୍ୟାମ୍ପ ଜେଲରେ ରହିଥିବା ସମୟରେ ତାଙ୍କ ଦେହରେ ବସନ୍ତ ବାହାରିଥାଏ-ସେ ଜେଲ୍‍ଖାନାରେ ଆମେମାନେ ଏକାଠି ରହିଥିବା ୨୧ ନମ୍ବର ୱାର୍ଡ଼ରେ ନରହି ଏକ ଅଲଗା ୱାର୍ଡ଼ରେ ରଖାଯାଇଥାନ୍ତି-।”

 

ବହୁ ସ୍ୱାଧୀନତା ସଂଗ୍ରାମୀ ଯେଉଁମାନେ ବିଦ୍ୟାଳୟ/ମହାବିଦ୍ୟାଳୟ ଛାଡ଼ି ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ, ସେମାନେ ଅକାତରରେ କୁହନ୍ତି, ଜେଲ୍ ଆମମାନଙ୍କର ବନ୍ଦୀଶାଳା ନୁହେଁ-ଶିକ୍ଷାଳୟ । ଏଇଠାରୁ ହିଁ ସାଧାରଣ ଶିକ୍ଷା ଓ ରାଜନୈତିକ ଶିକ୍ଷା ଲାଭ କରିଥାଉ । ପାଟଣା କ୍ୟାମ୍ପ ଜେଲରେ ଜଟଣୀରୁ ପ୍ରାଣନାଥ/ଗତିକୃଷ୍ଣଙ୍କ ସହିତ ପିକେଟିଂକରି ଜେଲ୍‍କୁ ଯାଇଥିବା ବଳରାମ ପାଇକରାୟ ଲେଖିଛନ୍ତି,“ଜେଲରେ ଆମ ଦିନକାଳ କେବଳ ହସ ଖୁସିରେ କଟେ ନାହିଁ, ପଢ଼ାପଢ଼ିରେ ଦିନ ଯାଏ । ସ୍ଥାନେ ସ୍ଥାନେ ବିଦ୍ୟାଳୟ ଖୋଲିଥାଏ । କେଉଁଠି ହିନ୍ଦୀ, କେଉଁଠି ଇଂରାଜୀ ପଢ଼ା ହେଉଥାଏ । ପ୍ରାଣନାଥ ବାବୁ ଓ ଗତିବାକୁ ମୋତେ ଓ କ୍ଷିତିଶଚନ୍ଦ୍ର ମହାପାତ୍ରଙ୍କୁ ମାଟ୍ରିକ କୋର୍ସ ପଢ଼ାଯାଉଥାନ୍ତି । ଇତିହାସ, ଭୂଗୋଳ ତଥା କଂଗ୍ରେସ ଇତିହାସ ଆମେ ତାଙ୍କରି ଠାରୁ ହାସଲ କରିଛୁ । ଗତିବାବୁ ଆଲଜେବ୍ରା, ଇଂରାଜୀ, ପ୍ରାଣନାଥବାବୁ ଇତିହାସ, କମ୍ପୋଜିସନ, ଟ୍ରାନ୍ସଲେସନ୍‍ ପଢ଼ାନ୍ତି । ସାପ୍ତାହିକ ପରୀକ୍ଷା କରାଉଥାନ୍ତି । ପ୍ରାଣନାଥ ବାବୁ ୧୮୮୫ରୁ କଂଗ୍ରେସ ଆରମ୍ଭ ହେବା ଦିନରୁ ୧୯୩୦ ସୁଦ୍ଧା କଂଗ୍ରେସ ଅଧିବେଶନରେ ସଭାପତି, ସ୍ଥାନର ନାମ, ଗୃହୀତ ପ୍ରସ୍ତାବ ବିଷୟରେ ଆମକୁ ବୁଝାଉଥାନ୍ତି । ସେ ଥିଲେ ଆମର ରାଜନୈତିକ ଗୁରୁ ।”

 

ଏହି ପାଟଣା କ୍ୟାମ୍ପ ଜେଲ୍‍ରୁ ଓଡ଼ିଶାର ସମାଜବାଦୀ ସାମ୍ୟବାଦୀ ଆନ୍ଦୋଳନର, ଯେଉଁ ପହିଲି ଚାରାଗଛଟି ଲଗା ହୋଇଥିଲା, ଜେଲ୍‍ରୁ ଫେରିଆସିଲା ପରେ ସ୍ୱାଧୀନତା ଆନ୍ଦୋଳନ, ଅନ୍ୟାନ୍ୟ ଆନ୍ଦୋଳନ, ପତ୍ରିକା ପ୍ରକାଶ ଆଦି ଚଳାଇବା ପାଇଁ ତଥା ସାଥୀମାନଙ୍କ ବିଚାର ରଖିବା ପାଇଁ, “ଗୋଟିଏ “Friend Society” (ବନ୍ଧୁ ସମାଜ) ଗଠନ କରିଥିଲୁ । ଏହି ବନ୍ଧୁ ସମାଜରେ, ପ୍ରାଣନାଥ ପଟ୍ଟନାୟକ, ଗଙ୍ଗାଧର ମିଶ୍ର (ରଣପୁର/ସାରଙ୍ଗଧରପୁର), ଜଗନ୍ନାଥ ମହାନ୍ତି, ଗୁରୁଚରଣ ପଟ୍ଟନାୟକ ଓ ମୁଁ ନିଜେ ରହିଥିଲୁ “ବୋଲି ସର୍ଦ୍ଦାର ଗତିକୃଷ୍ଣ ସ୍ୱାଇଁ ଲେଖିଛନ୍ତି । ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ନୂତନ ଯୁବଗୋଷ୍ଠୀ କିପରି ଏକତ୍ର ରହି ସ୍ୱାଧୀନତା ପାଇଁ ଏବଂ ଦେଶର ଗରୀବ ଜନସାଧାରଣଙ୍କ ସ୍ୱାର୍ଥ ହାସଲ ପାଇଁ କିପରି ଲଢ଼େଇ କରିବ । ପରେ ପରେ ଏଥିରେ ଗୋକୁଳ ମୋହନ ରାୟଚୁଡ଼ାମଣି, ବଳରାମ ପାଇକରାୟ, ଲୋକନାଥ ରାୟ, ପର୍ଶୁରାମ ପଦାତିକରାୟ ଆଦି ମଧ୍ୟ ସଭ୍ୟ ରହିଲେ ।

 

ଓଡ଼ିଶାର ତଥା ଭାରତବର୍ଷର ପ୍ରସିଦ୍ଧ ସୋସାଲିଷ୍ଟ ନେତା, ପ୍ରାକ୍ତନ ସାଂସଦ ସୁରେନ୍ଦ୍ରନାଥ ଦ୍ୱିବେଦୀ ଲେଖିଛନ୍ତି,“ଆଚାର୍ଯ୍ୟ ନରେନ୍ଦ୍ରଦେବ ଖାଲି ବୌଦ୍ଧଶାସ୍ତ୍ରରେ, ପଣ୍ତିତ ନଥିଲେ, ସେ ଥିଲେ ଜଣେ ପ୍ରଧାନ ମାର୍କ୍ସବାଦୀ । ମାର୍କ୍ସବାଦ ସମ୍ବନ୍ଧରେ ତାଙ୍କର ବିଶେଷ ଗବେଷଣା ଥିଲା ଏବଂ କାଶୀ ବିଦ୍ୟାପୀଠରେ ଛାତ୍ରମାନେ ତାଙ୍କଦ୍ୱାରା ପ୍ରଭାବିତ ହୋଇ ମାର୍କ୍ସବାଦ ଓ କମ୍ୟୁନିଜିମ୍ ଆଡ଼କୁ ଆକୃଷ୍ଟ ହେଉଥିଲେ । ପ୍ରାଣନାଥ ପଟ୍ଟନାୟକଙ୍କ ପରି ଏମିତି କାଶୀ ବିଦ୍ୟାପୀଠରୁ ବହୁ ଛାତ୍ର ବାହାରିଛନ୍ତି, ଯେଉଁମାନେ ଏବେର କମ୍ୟୁନିଷ୍ଟ ତଥା ସୋସାଲିଷ୍ଟ ଆନ୍ଦୋଳନର ମୁଖ୍ୟ ଭାଗ ଗ୍ରହଣ କରିଛନ୍ତି ।”

 

ପୂର୍ବରୁ ଉଲ୍ଲେଖ କରାଯାଇଛି, ୧୯୩୩ ମସିହା ମଇମାସ ବେଳକୁ ପାଟଣା କ୍ୟାମ୍ପ ଜେଲ୍‍ରୁ ଭାରି ଭାରି ହୋଇ ବନ୍ଦୀମାନଙ୍କୁ ମୁକ୍ତ କରାଗଲା ଏବଂ ପ୍ରାଣନାଥ ତଥା ତାଙ୍କର ଅନ୍ୟ ସାଥୀମାନେ ପୁରୀକୁ ଫେରିଲେ ।

 

ଗତିବାବୁଙ୍କର ବକ୍ତବ୍ୟ ହେଲା,“ପାଟଣା ଜେଲ୍‍ରୁ ଖଲାସ ହୋଇ ଆସିଲା ପରେ ୧୯୩୩ ରେ ପୁରୀ ଜିଲ୍ଲାବୋର୍ଡ଼ ନିର୍ବାଚନ ହେଲା । ପାଟନା କ୍ୟାମ୍ପ ଜେଲରେ ଗଠିତ ବନ୍ଧୁ ସମାଜ ତରଫରୁ ନିର୍ବାଚନ ପରେ ପରେ ପୁରୀରେ ଗୋଟିଏ National Hindu Hotel ବା ଜାତୀୟ ହିନ୍ଦୁ ଭୋଜନାଳୟ ପ୍ରତିଷ୍ଠା କଲୁ ।”

 

ପାଟଣା କ୍ୟାମ୍ପ ଜେଲ୍‍ରୁ ମୁକ୍ତ ପୁରୀ/ଖୋର୍ଦ୍ଧା ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀ ବଳରାମ ପାଇକରାୟ ଲେଖିଛନ୍ତି-“ପ୍ରାଣନାଥ ବାବୁ, ଗତିବାବୁ, ଗୋକୁଳ ମୋହନ ରାୟଚୁଡ଼ାମଣି, ଗଙ୍ଗାଧର ମିଶ୍ର, ପର୍ଶୁରାମ ପଦାତିକ ରାୟ, କ୍ଷିତିଶ ଚନ୍ଦ୍ର ମାହାପାତ୍ର, ଜଗନ୍ନାଥ ମହାନ୍ତି, ଚୈତନ୍ୟ ପ୍ରହରାଜ, ଲୋକନାଥ ରାମ ଏବଂ ମୁଁ (ବଳରାମ ପାଇକରାୟ) ପ୍ରଭୃତି ଦଳକଯାକଙ୍କୁ ମିଳିଥିବା ରାସ୍ତାଖର୍ଚ୍ଚ ଏକାଠିକରି ପୁରୀ କାଳିକା ଦେବୀ ସାହୀରେ ଗୋଟିଏ ଭଡ଼ାଘର ନେଇ ଏକତ୍ର ରହିଲୁ । ଏହି ଅବସ୍ଥାରେ ମାର୍କଣ୍ଡେଶ୍ୱର ସାହିର ରଘୁନାଥ ମିଶ୍ରଙ୍କ ଠାରୁ ଦୁଇଶହ ଟଙ୍କା କରଜ ଆଣି ବଡ଼ଦାଣ୍ଡରେ ଗୋଟିଏ ହୋଟେଲ ଖୋଲିଲୁ ।”

 

ପୁରୀର ଜଗନ୍ନାଥ ମହାନ୍ତି ଏହାର ମ୍ୟାନେଜର ବା ପରିଚାଳକ ରହିଲେ । ତାଙ୍କର ସହଯୋଗୀ ଭାବରେ ଚୈତନ୍ୟଚରଣ ପ୍ରହରାଜ ରହିଲେ । ହୋଟେଲ ପ୍ରତିଷ୍ଠାର ଉଦ୍ଦେଶ୍ୟ ହେଲା କର୍ମୀମାନେ ମାଗଣାରେ ଖାଇ କଂଗ୍ରେସ କାମ କରିବେ । କର୍ମୀମାନଙ୍କର ମାଗଣା ଖାଇବା ଓ ବାଟଖର୍ଚ୍ଚ ଏହି ହୋଟେଲ ଲାଭରୁ ଦିଆଯାଉଥିଲା । ସେ ହୋଟେଲରେ ସାଧା ମିଲ୍‍ ଛ’ ପଇସା, ମାଛମିଲ୍‍ ଦାମ ଦୁଇଅଣା ଧାର୍ଯ୍ୟ କରାଯାଇଥିଲା । କେବଳ ସ୍ୱାଧୀନତା ସଂଗ୍ରାମୀମାନେ ଏହି “ଜାତୀୟ ହିନ୍ଦୁ ହୋଟେଲ”ଟି କରିନଥିଲେ, ସେଥିସହିତ ଆଉ ଗୋଟିଏ ସିଲେଇ ଦୋକାନ କରାଯାଇଥିଲା । ଗଙ୍ଗାଧର ମିଶ୍ର ଓ ରାଧା ଶ୍ୟାମ ଦାସ ଏହାର ଦାୟିତ୍ୱରେ ଥିଲେ । ହୋଟେଲ ଓ ଦରଜୀ ଦୋକାନରେ ହିସାବ କିତାବ ଦେଖିବାର ଦାୟିତ୍ୱ ଗତିକୃଷ୍ଣ ସ୍ୱାଇଁଙ୍କ ଉପରେ ନ୍ୟସ୍ତ ଥିଲା ।

 

ପୁନଶ୍ଚ କାଶୀ ବିଦ୍ୟାପୀଠରେ ବର୍ଷେ :

ପୂର୍ବରୁ ଉଲ୍ଲେଖ କରିଛି କାଶୀ ବିଦ୍ୟାପୀଠରେ ଦୁଇବର୍ଷର ପାଠ୍ୟକ୍ରମରୁ ମାତ୍ର ବର୍ଷଟିଏ ସାରି, ପ୍ରାଣନାଥ ଫେରିଆସିଥିଲେ ସ୍ୱାଧୀନତା ସଂଗ୍ରାମରେ ଝାସଦେବାକୁ-ମହାତ୍ମାଗାନ୍ଧୀ ଗୋଲଟେବୁଲ ବୈଠକରୁ ଫେରି ବମ୍ବେ ଡେକ୍‍ରେ ପହଞ୍ଚିଲା ପରେ, ପୋଲିସ ଗିରଫ କରିବା ଏବଂ କଂଗ୍ରେସକୁ ବେଆଇନ କରି ହଜାର ହଜାରଙ୍କୁ ଗିରଫ କରିବା ଆଦି ଘଟଣା ପ୍ରାଣନାଥଙ୍କ ଚିତ୍ତକୁ ମଥିତ, ବ୍ୟଥିତ କରୁଥିଲା ।

 

ଜେଲ୍‍ରୁ ୩୦ ମଇରେ ମୁକ୍ତ ହୋଇ ପୁରୀରେ ସାଥୀମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱ ସମ୍ପର୍କରେ ବୁଝାଇ, ନ୍ୟାସନାଲ ହିନ୍ଦୁ ହୋଟେଲ ଏବଂ ଏକ ଦରଜୀ ଦୋକାନ ଖୋଲିବାରେ ସମସ୍ତ ସହାୟତା ଦେଇ ପ୍ରାଣନାଥ ଏବଂ ଓଡ଼ିଶାର ଅନ୍ୟତମ ବିପ୍ଲବୀ କମ୍ୟୁନିଷ୍ଟ ତଥା ଓଡ଼ିଶା ରାଜ୍ୟର ପ୍ରଥମ କମ୍ୟୁନିଷ୍ଟ ପାର୍ଟି ସଭ୍ୟ ଗୁରୁଚରଣ ପଟ୍ଟନାୟକ, ବନାରସ ଯାଇ କାଶୀ ବିଦ୍ୟାପୀଠରେ ଭର୍ତ୍ତି ହୋଇଗଲେ । ସେତେବେଳେକୁ ଭଗବତୀ ଚରଣ ପାଣିଗ୍ରାହୀ ପାଟଣାରେ ଏମ୍‍. ଏ. ଶ୍ରେଣୀରେ ଅଧ୍ୟୟନ କରୁଥାନ୍ତି ଏବଂ ସ୍ୱାଧୀନତା ସେନାନୀମାନଙ୍କ ସହିତ ତାଙ୍କର ଗଭୀର ସମ୍ପର୍କ ଥାଏ ।

 

ପ୍ରାଣନାଥ ବନାରସରେ ସେତେବେଳେ ମିଳୁଥିବା କିଛି ଶସ୍ତା ସିଲ୍‍କ କପଡ଼ା, ଶାଢ଼ୀ, ଚାଦର ବନାରସରୁ ଆଣି ବିକ୍ରି କରିବା ପାଇଁ ଦରଜୀ ଦୋକାନରେ ଦେଇଥିଲେ - ଭଗବତୀ ମଧ୍ୟ ସେହିପରି କିଛି ସିଲ୍‍କ କନା ପଠାଇଥିଲେ । ମୁଖ୍ୟତଃ ସାଥୀମାନଙ୍କର ଚଳିବା ପାଇଁ ଓ ଲଢ଼ିବା ପାଇଁ ଆଗ୍ରହୀ ପାଠକମାନଙ୍କ ଗୋଚରାର୍ଥେ ପ୍ରକାଶ କରିବାକୁ ଉଚିତ ମଣୁଛି ଯେ, ପ୍ରାଣନାଥ, ଗତିକୃଷ୍ଣ, ଗୋକୁଳ ମୋହନ ରାୟଚୁଡ଼ାମଣୀ, ଗଙ୍ଗାଧର ମିଶ୍ର, ପର୍ଶୁରାମ ପଦାତିକରାୟ, ବଳରାମ ପାଇକରାୟ, କ୍ଷିତିଶ ଚନ୍ଦ୍ର ମହାପାତ୍ର, ଜଗନ୍ନାଥ ମହାନ୍ତି, ଚୈତନ୍ୟ ପ୍ରହରାଜ, ଲୋକନାଥ ରାମ ଏବଂ ସର୍ବୋପରି ଭଗବତୀ ଚରଣ ପ୍ରାଣିଗ୍ରାହୀ ଏବଂ ଗୁରୁଚରଣ ପଟ୍ଟନାୟକ, ପୁରୀ ବଡ଼ଦାଣ୍ଡର ସଂଗ୍ରାମୀମାନଙ୍କ ଚଳିବା ପାଇଁ ଯେଉଁ ନ୍ୟାସନାଲ ହୋଟେଲ ନିର୍ମାଣ କରିଥିଲେ, ପାଟଣା କ୍ୟାମ୍ପ ଜେଲ୍‍ରୁ ୧୯୩୩ରେ ଫେରି, ତାହାର ପ୍ରଜ୍ଞାପନ ନବଯୁଗ ସାହିତ୍ୟ ସଂସଦର ମୁଖପତ୍ର “ଆଧୁନିକ”ର ପ୍ରଥମ ସଂଖ୍ୟା ମେ’ ୧୯୩୬ ରୁ ଶେଷସଂଖ୍ୟା ଅକ୍ଟୋବର ୧୯୩୬ ପର୍ଯ୍ୟନ୍ତ ସବୁ ସଂଖ୍ୟାର ମଲାଟ ପୃଷ୍ଠାରେ ପ୍ରକାଶ ପାଇଛି, ପ୍ରଜ୍ଞାପନଟି ଏହିପରି –

 

“ପୁରୀରେ ଏ ହୋଟେଲ ସୁବିଖ୍ୟାତ-ସୁନ୍ଦର ପରିଚାଳନା, ଏଠି ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ଗୁଡ଼ିକ ପରିଷ୍କାର ଓ ଶସ୍ତା । ପରିବେଷଣରେ ମାଆ ଭଉଣୀଙ୍କର ସ୍ନେହର ସୂଚନା ପାଇବ । ଯେତେବେଳେ ଯାହା ଅର୍ଡ଼ର ଦେବେ-ସମୟ ମୁତାବକ ଯୋଗାଇ ଦିଆଯିବ ।”

 

ସକାଳ ୭ଟା ଠାରୁ ରାତି ଗୋଟାଏ ଯାଏଁ ଏହା ଉନ୍ମକ୍ତ ଥାଏ । ଥରେ ପରୀକ୍ଷା କରନ୍ତୁ ।

 

ଚୈତନ୍ୟ ପ୍ରହରାଜ

ମ୍ୟାନେଜର

 

ଯାହା ସୂଚାଏ ଯେ ସ୍ୱାଧୀନତା ସଂଗ୍ରାମୀମାନେ ହୋଟେଲ କରି, ତା’ ଆୟରେ ଚଳିବା/ଖାଇବା ଏବଂ ସିଲେଇ କାମକରି ତା’ ଆୟରେ ଚଳିବା, ବିଚାର କରି ପାଟଣା କ୍ୟାମ୍ପ ଜେଲ୍‍ରୁ ୧୯୩୩ ମସିହା ମଇ ମାସରେ ଫେରିବା ପରେ ସ୍ଥାପନ କରାଯାଇଥିବା “ନ୍ୟାସନାଲ ହୋଟେଲ” ଏବଂ ଟେଲରିଂ ବା ଦରଜୀ ଦୋକାନ ୧୯୩୬ ଅକ୍ଟୋବର ପର୍ଯ୍ୟନ୍ତ ଥିଲା ।

 

ଚତୁର୍ଥ ଅଧ୍ୟାୟ

କଂଗ୍ରେସ ଭିତରେ କଂଗ୍ରେସ ସାମ୍ୟବାଦୀ କର୍ମୀ ସଂଘ ଓ କଂଗ୍ରେସ ସୋସାଲିଷ୍ଟ ପାର୍ଟି ଗଠନରେ ପ୍ରାଣନାଥଙ୍କ ଅବଦାନ

 

ଗୁରୁଚରଣ ପଟ୍ଟନାୟକଙ୍କୁ କାଶୀ ବିଦ୍ୟାପୀଠରେ ଅଧ୍ୟୟନ କରିବାକୁ ଛାଡ଼ି ପ୍ରାଣନାଥ ଓଡ଼ିଶା ଫେରିଲା ବେଳକୁ ଓଡ଼ିଶାରେ ତାଙ୍କ ସମଧର୍ମୀ ଯୁବଗୋଷ୍ଠୀଙ୍କ ମଧ୍ୟରେ ସମାଜବାଦୀ/ସାମ୍ୟବାଦୀ ଚିନ୍ତନ ଓ ପ୍ରଭାବ ନବକୃଷ୍ଣ ଚୌଧୁରୀ, ଭଗବତୀଚରଣ ପାଣିଗ୍ରାହୀଙ୍କ ନେତୃତ୍ୱରେ ସ୍ପଷ୍ଟ ହୋଇଗଲାଣି । ବନାରସ ଠାରେ କମ୍ରେଡ୍‍ ଗୁରୁଚରଣ ଅନ୍ୟ ବନ୍ଧୁମାନଙ୍କୁ ନେଇ “ୟଙ୍ଗ୍‍ କମ୍ୟୁନିଷ୍ଟ ଲିଗ୍” ବା ସାମ୍ୟବାଦୀ ସଂଘ ବୋଲି ଛୋଟିଆ ଗୋଷ୍ଠୀ ଗଠନ କରିଥିଲେ ସାରା ଦେଶର ସମଚିନ୍ତନର ଯୁବଗୋଷ୍ଠୀଙ୍କୁ ନେଇ ।

 

ପ୍ରାଣନାଥ ପଟ୍ଟନାୟକ ତାଙ୍କର ଏକ ଲେଖା “ସ୍ୱପ୍ନର ସାଫଲ୍ୟ”ରେ ଲେଖିଛନ୍ତି ଯେ, କଂଗ୍ରେସ ସୋସାଲିଷ୍ଟ ପାର୍ଟି ପ୍ରତିଷ୍ଠା ସମ୍ପର୍କରେ ଲେଖିଛନ୍ତି ଯେ,“ସେଦିନ ୧୯୩୫ ସାଲ ମାର୍ଚ୍ଚ ମାସର ଗୋଟିଏ ସୁପ୍ରଭାତ (ବାସ୍ତବରେ ତାହା ହେବ ୧୯୩୪ ସାଲ ମାର୍ଚ୍ଚ) ।” ବନାରସର କାଶୀ ବିଦ୍ୟାପୀଠର ଶାସ୍ତ୍ରୀ ଶିକ୍ଷା ସମାପ୍ତ କରି କଲିକତା ଦେଇ ପୁରୀ ଏକ୍ସପ୍ରେସ୍‍ରେ ଫେରୁଥାଏ । କଟକ ଷ୍ଟେସନ୍‍ରେ ଆକସ୍ମିକ ଭାବରେ ଭଗବତୀ ସଙ୍ଗେ ଦେଖା ହେଲା । ଦେଖିଲା ମାତ୍ରେ ସାଙ୍ଗେ ସାଙ୍ଗେ କୁଣ୍ତାଇ ପକାଇ କହିଲା- ଆଉ ଆମେ ତ ତୋ’ କଥା ଭାବୁଥିଲୁ ତୋ ପାଖକୁ ଚିଠି ଦେଇଥାନ୍ତୁ - ହଉ ଚାଲ କଥାବାର୍ତ୍ତା ହୋଇ ଟ୍ରେନ୍‍ରେ ଯିବା । ଟ୍ରେନ୍‍ରେ କ’ଣ କଥାବାର୍ତ୍ତା ହେଲା ସେ ବିଷୟରେ ଜାଣିବା ପାଇଁ ପାଠକମାନଙ୍କର ସ୍ଵାଭାବିକ ଇଚ୍ଛା ଜାତ ହେଉଥିବ !

 

“୧୯୩୦ ଗାନ୍ଧୀ - ୧୯୩୦ ଇରଉଇନ୍‍ ଚୁକ୍ତି ସରିଯାଇଥାଏ ଏବଂ ୧୯୩୦-୩୪ ଆନ୍ଦୋଳନ କ୍ରମଶଃ ମଉଳି ଯାଇଥାଏ । ତେଣୁ ସ୍ଵାଧୀନତା ସଂଗ୍ରାମର ଛୋଟ ବଡ଼ ସେନାପତିମାନେ ନିଜ ନିଜ କ୍ଷେତ୍ରରେ ଆପଣା ଶକ୍ତି ଚାହିଁ ଆନ୍ଦୋଳନ ବ୍ୟର୍ଥତାର କାରଣ ବିଶେଷଣ କରୁଥାନ୍ତି ଏବଂ ସ୍ଵାଧୀନତା ଲାଭର ବିଭିନ୍ନ ରାସ୍ତା ଓ ଉପାୟ ନିର୍ଦ୍ଧାରଣ କରିବାରେ ଲାଗିଥାନ୍ତି ।”

 

ସର୍ବଭାରତୀୟ କ୍ଷେତ୍ରରେ ପଣ୍ଡିତ ଜବାହରଲାଲ ନେହୁରୁଙ୍କ ଶୁଭେଛା ନେଇ ଆଚାର୍ଯ୍ୟ ନରେନ୍ଦ୍ର ଦେବ, ସମ୍ପୂର୍ଣ୍ଣନନ୍ଦ, ଜୟପ୍ରକାଶ, ମେହେର ଅଲି, ଅଶୋକ ମେହେଟା, ପି. ସୁନ୍ଦରାୟା ଓ ଇ. ଏମ୍‍. ଏସ୍‍. ନମ୍ବୁଦ୍ରିପାଦ ପ୍ରଭୃତିଙ୍କ ଚେଷ୍ଟାରେ ବିଭିନ୍ନ ପ୍ରଦେଶରେ ତଥା ସର୍ବଭାରତୀୟ କ୍ଷେତ୍ରରେ ଗୋଟିଏ “କଂଗ୍ରେସ ସୋସାଲିଷ୍ଟ ପାର୍ଟି” ଗଠନର ଉଦ୍ୟମ ଚାଲିଥାଏ ଏବଂ ସେହି ସମୟରେ ୧୯୩୫ ମଇ ମାସରେ ଆଚାର୍ଯ୍ୟ ନରେନ୍ଦ୍ରଦେବଙ୍କ ସଭାପତିତ୍ଵରେ ଗୟାଠାରେ ଏକ ସମ୍ମିଳନୀରେ “ନିଖିଳ ଭାରତ ସୋସାଲିଷ୍ଟ ପାର୍ଟି” ଗଢ଼ାହେଲା । ସେତେବେଳେ ଭାରତରେ ବ୍ରିଟିଶ ଏଜେଣ୍ଟମାନେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିକୁ ବେଆଇନ କରି ରଖିଥାନ୍ତି । ତେଣୁ ପ୍ରତ୍ୟକ୍ଷ ଭାବରେ କମ୍ୟୁନିଷ୍ଟ ପାର୍ଟି ଜରିଆରେ କାମ କରିବାର ସୁଯୋଗ ସୁବିଧା ନଥାଏ ।

 

ଏଠାରେ କଂଗ୍ରେସ ସୋସାଲିଷ୍ଟ ପାର୍ଟିର ଭୂମିକା ଓ ଦିଗ୍‍ଦର୍ଶନ ବିଷୟରେ ପଦେ ଅଧେ ଆଲୋଚନା ନକଲେ କଥାଟା ଅପୂର୍ଣ ରହିଯିବ । ଭାରତରେ ବ୍ରିଟିଶ ଶାସନ ବିରୁଦ୍ଧରେ ସ୍ଵାଧୀନତା ଲାଭ ପାଇଁ କଂଗ୍ରେସ ନେତୃତ୍ଵତରେ ଯେଉଁ ସଂଗ୍ରାମ ଚାଲିଥାଏ ତହିଁରେ ଟାଟା, ବିରଲା ଠାରୁ ଆରମ୍ଭ କରି କେତେକ କୋଟିପତି ଯେପରି ନିଜ ପଇସା ବଳରେ ସେମାନଙ୍କ ସଂକୀର୍ଣ୍ଣ ସ୍ଵାର୍ଥ ପାଇଁ କଂଗ୍ରେସ ନେତୃତ୍ଵ ବଜାୟ ରଖିବାକୁ ଚେଷ୍ଟା କରୁଥିଲେ, ଅନ୍ୟ ପକ୍ଷରେ ଏ ଦେଶର ଅଗଣିତ ନରନାରୀ, ବାଳକ, ଯୁବକ, ପ୍ରୌଢ଼, ବୃଦ୍ଧ, ଚାଷୀ, ମୂଲିଆ, ଶ୍ରମିକ, ଛାତ୍ର, ଦୋକାନୀ, ଛୋଟ ବ୍ୟବସାୟୀ ମଧ୍ୟ ସେହିପରି ସେମାନଙ୍କ ବିରାଟ ସ୍ଵାର୍ଥ ପାଇଁ ସଂଗ୍ରାମ ବଳରେ କଂଗ୍ରେସ ନେତୃତ୍ଵକୁ ଆଗେଇ ନେଇ ବ୍ରିଟିଶ ସରକାର ଠାରୁ ସ୍ଵାଧୀନତା ଛଡ଼ାଇ ଆଣିବା ପାଇଁ ଚେଷ୍ଟା କରୁଥିଲେ ।

 

ମାତ୍ର ପ୍ରଥମୋକ୍ତ ଶୋଷକ ଶ୍ରେଣୀ ସଂଖ୍ୟାଲଘୁ ହେଲେ ମଧ୍ୟ ଶ୍ରେଣୀଚେତନଶୀଳ ଓ ସଂଗଠିତ, ମାତ୍ର ଶେଷୋକ୍ତ ଶ୍ରେଣୀ ସଂଖ୍ୟା ଗରିଷ୍ଠ ହେଲେ ମଧ୍ୟ ଅଚେତନଶୀଳ ଓ ଅସଂଗଠିତ ।

 

କଂଗ୍ରେସର ୧୯୨୦-୨୧, ୧୯୩୦-୩୧, ୧୯୩୨-୩୪ ଆନ୍ଦୋଳନମାନଙ୍କରେ ଏହା ହିଁ ସ୍ପଷ୍ଟ ପରିଲକ୍ଷିତ ହୋଇଛି ଯେ ଏହି ସମସ୍ତ ସଂଗ୍ରାମରେ ଶେଷୋକ୍ତ ଶ୍ରେଣୀର ଲୋକ ଲକ୍ଷ ଲକ୍ଷ ସଂଖ୍ୟାରେ ଜେଲ୍ ଯାଇଥିଲେ ମଧ୍ୟ ଏବଂ ସ୍ଵାଧୀନତା ସଂଗ୍ରାମର ଅସଲ କଷାଘାତ ଖାଇଥିଲେ ମଧ୍ୟ ନିଜ ଶ୍ରେଣୀସ୍ଵାର୍ଥ ଓ ଦାବୀ ପ୍ରତି ଅଚେତନ ଥିବାରୁ ଅସଂଗଠିତ ଭାବରେ ଗୋଷ୍ଠୀଫଟା ହୋଇ ଲଢ଼ୁଥିଲେ।

 

“ଅନ୍ୟ ପକ୍ଷରେ ବ୍ରିଟିଶ ସରକାର ତା’ଦେହରେ ଆଘାତ ନ ଲଗାଇବା ପାଇଁ ଚାରି ସାଞ୍ଜୁ ପିନ୍ଧି ରହିଥାଏ । ମୋଗଲ ବନ୍ଦୀରେ ଜମିଦାର; ଗଡ଼ଜାତର ରାଜା-ମହାରାଜା, ଉପରେ କୋଟିପତି, ଭିତରେ ଅମଲାତାନ୍ତ୍ରିକ ଶାସନକଳ । ଏହି ଚାରି ସାଞ୍ଜୁ ଭେଦକରି ଟାଣମାଡ଼ ବସିଲେ ଯାଇ ବ୍ରିଟିଶ ସରକାର ଉପରେ ଆଘାତ ଲାଗିବ, ନଚେତ୍‍ ନାହିଁ । ମାତ୍ର ବିଗତ ସଂଗ୍ରାମମାନଙ୍କରେ ଲୋକଙ୍କ ମାଡ଼ ଏ ଦେଶରେ ବ୍ରିଟିଶ ସରକାରଙ୍କୁ ରକ୍ଷାକାରୀ ଏହି ସମସ୍ତ ଉପରୋକ୍ତ ଶ୍ରେଣୀ ଉପରେ ନବାଜି ଏଣେ ତେଣେ ବାଜୁଥିବାରୁ ପ୍ରତ୍ୟକ୍ଷ ଫଳ ଦେଉନଥାଏ । ତେଣୁ ଏ ଦେଶରେ ବ୍ରିଟିଶ ଉପରେ ଠିକଣା ମାଡ଼ ଦେବାପାଇଁ ଉପାୟ ନିର୍ଦ୍ଧାରଣ ଓ କର୍ମପନ୍ଥା ଗ୍ରହଣ ହିଁ ସ୍ଵାଧୀନତା ହାସଲର ଅସଲ ବାଟ-ଅନ୍ୟ ବାଟ ନୁହେଁ । ସେହି ବାଟ ନିର୍ଦ୍ଧାରଣ ଓ କାର୍ଯ୍ୟକରଣ ହିଁ “କଂଗ୍ରେସ ସୋସାଲିଷ୍ଟ ପାର୍ଟି” ଗଠନର ଅସଲ ଉଦ୍ଦେଶ୍ୟ । କଂଗ୍ରେସର ଗୋଟିଏ ଅଙ୍ଗରୂପେ ରହି ସେ ଦିଗରେ ସେ କେତେଦୂର ସଫଳ ବା ଅସଫଳ ହୋଇଛି ତାହା ହିଁ ବିଚାର୍ଯ୍ୟ ବିଷୟ ।”

 

“ଟ୍ରେନରେ ଭଗବତୀ ଯେଉଁ ଗୁରୁତ୍ୱପୂର୍ଣ୍ଣ କଥା ଆରମ୍ଭ କରିଥିଲା ଓ ଅନ୍ୟମାନେ ମୋତେ ଖୋଜୁଥିଲେ ବୋଲି କହୁଥିଲେ, ତାହାର ତାତ୍ପର୍ଯ୍ୟ ଅନେକେ ଅନୁମାନେ କରିନେବେଣି - ହଇରେ ପ୍ରାଣନାଥ - ବର୍ତ୍ତମାନ ଦେଶର ଯାହା ଅବସ୍ଥା ଓ ସଂଗ୍ରାମର ଯାହା କୌଶଳ, ସେଥିରେ ନବବାବୁ, ମାଳତୀଦେବୀ ପ୍ରଭୃତି ଆମେ ଭାବୁଛୁ ଯେ, ଆମ ଓଡ଼ିଶାରେ ଗୋଟିଏ କଂଗ୍ରେସ ସୋସାଲିଷ୍ଟ ପାର୍ଟି ଗଢ଼ିବା ପାଇଁ ଏବଂ ତୋତେ ସେଥିରେ ସଭାପତି କରିବା ପାଇଁ ଆମ୍ଭେମାନେ ଭାବିଛୁ । ତୁ ତ ବନାରସରେ ଥିଲୁ ଏବଂ ଆଚାର୍ଯ୍ୟ ନରେନ୍ଦ୍ରଦେବଙ୍କ ସହ ଏ ବିଷୟରେ ପ୍ରତ୍ୟକ୍ଷ କଥାବାର୍ତ୍ତା କରିଥିବୁ - ତୋର ମତ କ’ଣ ? ମୁଁ କହିଲି ହଁ, ମୋର ନରେନ୍ଦ୍ରଦେବଙ୍କ ସହ ଏ ବିଷୟରେ ବିଶେଷ ଆଲୋଚନା ହୋଇଛି ଏବଂ ମୁଁ ମଧ୍ୟ ସେହି ଦିଗରେ ଭାବୁଛି - ଇତ୍ୟାଦି ଇତ୍ୟାଦି ।”

 

“ସମୟ କ୍ରମେ ସେହି ୧୯୩୪ ମଇ ମାସରେ ଓଡ଼ିଶା କଂଗ୍ରେସ ସୋସାଲିଷ୍ଟ ପାର୍ଟି କଟକଠାରେ ଲେଖକଙ୍କ (ପ୍ରାଣନାଥ ପଟ୍ଟନାୟକ) ସଭାପତିତ୍ୱରେ ଗଠିତ ହେଲା । ପ୍ରଥମେ ଶ୍ରୀ ନବକୃଷ୍ଣ ଚୌଧୁରୀ ତା’ର ସମ୍ପାଦକ ହେଲା-ପରେ ଭଗବତୀ ତା’ର ସମ୍ପାଦକ ଦାୟିତ୍ୱ ନେଇଥିଲେ।”

 

“କୃଷକ, ଶ୍ରମିକ, ଛାତ୍ର, ଯୁବକ, ଗଡ଼ଜାତମାନଙ୍କର ଗଣ ଆନ୍ଦୋଳନ ପାଇଁ ଗୋଟିଏ ସଂଗଠିତ ରାଜନୈତିକ ଦଳର ଆବଶ୍ୟକତା ଯେ କେତେ ଅଧିକ ତାହାର ପ୍ରମାଣ ଏହି କ୍ଷେତ୍ରରେ ସ୍ପଷ୍ଟ ମିଳେ ।”

 

ପ୍ରାଣନାଥ ତାଙ୍କର ଉପଯୁକ୍ତ “ସ୍ଵପ୍ନର ସାଫଲ୍ୟ” ଆଲୋଚନାଟିରେ କଂଗ୍ରେସ - ସୋସାଲିଷ୍ଟ ପାର୍ଟି ବା କଂଗ୍ରେସର ବାମମାର୍ଗୀମାନଙ୍କର ଏକତା ଫଳରେ କିଭଳି ସଫଳତା ମିଳିଲା-। ତାହାର ଦୃଷ୍ଟାନ୍ତ ଦେବା ପାଇଁ ୧୯୩୬ ମାର୍ଚ୍ଚ ମାସରେ କଟକଠାରେ ମୋହନଲାଲ ଗୌତମଙ୍କ ସଭାପତିତ୍ଵରେ କୃଷକ ସଭା ଗଢ଼ାଯିବା ଏବଂ ତା’ର ପ୍ରଭାବରେ ଗାଁ ଗଣ୍ଡାରେ ଜମିଦାରୀ ପ୍ରଥା ଲୋପ ହେଉ, “ମଠ ଧନ କୋଠକର”, “ବେଠି-ବେଗାରୀ-ରୋସମ ପ୍ରଥା ଉଠିଯାଉ”, ଆହ୍ଵାନରେ ପ୍ରତ୍ୟକ୍ଷ ଆନ୍ଦୋଳନ ମାନ ଚାଲେ । ୧୯୩୬ ସେପ୍ଟେମ୍ବର ୧୫ ତାରିଖରେ, ଖୋର୍ଦ୍ଧାରେ ପ୍ରାଣନାଥଙ୍କ ନିଜ ଆହ୍ଵାନରେ ଆଠ ହଜାର ଲୋକଙ୍କର ବିଶାଳସଭା ହେବା - ଯାହାକୁ ପ୍ରାଣନାଥ ନିଜେ ଉଲ୍ଲେଖ କରିଛନ୍ତି, ବ୍ରିଟିଶ ହସ୍ତମୁଦିମହାଲ ଖୋର୍ଦ୍ଧାରେ ଏହା ଏକ ଅଭୂତପୂର୍ବ ଘଟଣା ବୋଲି ଗଞ୍ଜାମରେ ଗୋବିନ୍ଦ ପ୍ରଧାନ, ସାଧୁଚରଣ ମହାନ୍ତି ଆଦିଙ୍କର ନେତୃତ୍ୱରେ ଗଞ୍ଜାମ ରଇତ ଚାଷୀ ସଭା ଆନୁକୂଲ୍ୟରେ ବ୍ରହ୍ମପୁର ଠାରେ କୋଟିଏ ହଜାର ଜନତାଙ୍କର ସଭା ହେବା-ରଣପୁର ପ୍ରଜାମଣ୍ଡଳ ଆନ୍ଦୋଳନ ଏବଂ ପଲିଟିକାଲ ଏଜେଣ୍ଟ ବେଜେଲଗେଟ୍‍ ନିହତ ହେବା ଘଟଣା ୩୬-୩୭ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ପାର୍ଟିର ୩୯/୪୦ ପାର୍ଥୀଙ୍କର ବିଜୟ ଏବଂ ସେଥିରେ ବାମପନ୍ଥୀ ଭାବେ ଜଣାଶୁଣା ନବକୃଷ୍ଣ ଚୌଧୁରୀ, ପ୍ରାଣନାଥ ପଟ୍ଟନାୟକ ନିଜେ, ମୋହନ ଦାସ, ଗଞ୍ଜାମରେ ଗୋବିନ୍ଦ ପ୍ରଧାନ ଆଦିଙ୍କର ବିଜୟ ଲାଭ ସମ୍ଭବ ହୋଇଥିଲା, ଏହି କଂଗ୍ରେସ-ସୋସାଲିଷ୍ଟ ପାର୍ଟି ବା ଗୋଷ୍ଠୀ ଗଠନ ଯୋଗୁଁ ଢେଙ୍କାନାଳ, ନୀଳଗିରି, ନୟାଗଡ଼, ଆଠଗଡ଼ ଆଦିରେ ପ୍ରଜାମଣ୍ଡଳ ଗଠିତ ହୋଇ ରାଜୁଡ଼ା ଅତ୍ୟାଚାରୀ ଶାସନର ବିଲୋପ ସାଧନ ଇତ୍ୟାଦି ସେହି ଏକତାର ଫଳ । ସେହି ସମୟରେ ବୈଦ୍ୟନାଥ ରଥ, ଅନନ୍ତ ପଟ୍ଟନାୟକ, ବିଶ୍ଵନାଥ ପଶାୟତ, ତଥା ବିଜୟ ଚନ୍ଦ୍ର ଦାସଙ୍କ ନେତୃତ୍ୱରେ ଛାତ୍ର ଆନ୍ଦୋଳନ ଓ ରାମକୃଷ୍ଣ ପତିଙ୍କ ନେତୃତ୍ୱରେ ଯୁବ ଆନ୍ଦୋଳନ ଓଡ଼ିଶାରେ ଅଭୂତପୂର୍ବ ଜାଗରଣ ସୃଷ୍ଟି କଲା । ୧୯୩୯ ନଭେମ୍ବର ମାସରେ କଂଗ୍ରେସ-ସୋସାଲିଷ୍ଟି ପାର୍ଟିର ସର୍ବଭାରତୀୟ ସମ୍ପାଦକ ଜୟପ୍ରକାଶ ନାରାୟଣ ଓଡ଼ିଶା ଆସି ସୋସାଲିଷ୍ଟ ପାର୍ଟି ଗଠନକରି ତାହାର ଦାୟିତ୍ୱ ଏକକ ଭାବରେ ନବକୃଷ୍ଣ ଚୌଧୁରୀ ଉପରେ ଦାୟିତ୍ୱ ଦେଇଦେଲେ ।

 

ପ୍ରାଣନାଥ ନିଜେ ଲେଖିଛନ୍ତି,“୧୯୩୪ରେ ଆଚାର୍ଯ୍ୟ ନରେନ୍ଦ୍ରଦେବ, ସମ୍ପୂର୍ଣ୍ଣାନନ୍ଦ ଓ ଜୟପ୍ରକାଶଙ୍କ ନେତୃତ୍ଵରେ ଭାରତରେ କଂଗ୍ରେସ ସୋସାଲିଷ୍ଟ ପାର୍ଟିର ଜନ୍ମ ଏବଂ ଓଡ଼ିଶାରେ ଶ୍ରୀ ନବକୃଷ୍ଣ ଚୌଧୁରୀ, ମାଳତୀ ଚୌଧୁରୀ ସାଥୀ ଭଗବତୀଚରଣ ପାଣିଗ୍ରାହୀଙ୍କ ନେତୃତ୍ୱରେ ଓଡ଼ିଶା କଂଗ୍ରେସ-ସୋସାଲିଷ୍ଟ ପାର୍ଟିର ଜନ୍ମ । ୧୯୩୪ ମଇ ତା.୨୪ରେ ଗୟାଠାରେ ଆଚାର୍ଯ୍ୟ ନରେନ୍ଦ୍ରଦେବଙ୍କ ସଭାପତିତ୍ୱରେ ନିଖିଳ ଭାରତ କଂଗ୍ରେସ ସୋସାଲିଷ୍ଟ ପାର୍ଟିର ପ୍ରଥମ ସମ୍ମିଳନୀ ଏବଂ ୧୯୩୪ ଜୁନ୍‍ ୫ ତାରିଖରେ ଓଡ଼ିଶାରେ ଏହି ଲେଖକ (ପ୍ରାଣନାଥ)ଙ୍କ ସଭାପତିତ୍ଵରେ କଟକରେ ପ୍ରଥମ ଓଡ଼ିଶା କଂଗ୍ରେସ-ସୋସାଲିଷ୍ଟ ପାର୍ଟିର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଓଡ଼ିଶାରେ ୧୯୩୦-୩୪ ମଧ୍ୟରେ ଦୁଇ ଦୁଇଟି ଜାତୀୟ ଆନ୍ଦୋଳନରେ ଯୋଗଦେଇ, ବାରମ୍ଵାର ଜେଲ୍‍ଯାଇ, ମାଡ଼ ଖାଇଥିବା ବହୁ ଉତ୍ସାହୀ ଦେଶପ୍ରେମୀ ଯୁବକ ଏହି ସମ୍ମିଳନୀ ଓ ପାର୍ଟିରେ ଯୋଗ ଦେଇଥିଲେ ।”

 

କଟକ କାଠଯୋଡ଼ି ନଦୀ ଅପରପାର୍ଶ୍ଵରେ ସନ୍‍ସାଇନ୍‍ ପଡ଼ିଆରେ ପଡ଼ିଶା, ନବକୃଷ୍ଣ ଚୌଧୁରୀଙ୍କ ବାସଭବନରେ ୧୯୩୪ ଜୁନ୍‍ ୫ ତାରିଖ ଦିନ, କଂଗ୍ରେସ-ସାମ୍ୟବାଦୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।

 

ସାପ୍ତାହିକ “ସାରଥୀ” ପତ୍ରିକାର (ଜୁନ୍ ୧୯୩୪ ମସିହା, ପ୍ରଥମ ବର୍ଷ ୧୪ଶ ସଂଖ୍ୟା) ୧୪ଶ ସଂଖ୍ୟାରେ ଏହି କଂଗ୍ରେସ ସାମ୍ୟବାଦୀ ସମ୍ମିଳନୀ ବୈଠକ ସମ୍ପର୍କରେ ସମ୍ଵାଦ ନିମ୍ନଲିଖିତ ମତେ ପ୍ରକାଶ ପାଇଥିଲା ।

 

ଉତ୍କଳ କଂଗ୍ରେସ ସାମ୍ୟବାଦୀ ସମ୍ମିଳନୀରେ କଟକ, ପୁରୀ ବାଲେଶ୍ଵର, ଗଞ୍ଜାମ ସବୁ ଜିଲ୍ଲାରେ ପ୍ରତିନିଧିମାନେ ଯୋଗ ଦେଇଥିଲେ । ପୁରୀରୁ ସଭାପତି ଭାଇ ପ୍ରାଣନାଥ ପଟ୍ଟନାୟକଙ୍କ ଛଡ଼ା ଭାଇ ଗତିକୃଷ୍ଣ ସ୍ଵାଇଁ, ଭାଇ ଜଗନ୍ନାଥ ମହାନ୍ତି, ଭାଇ ରଘୁନାଥ ମିଶ୍ର, ଭାଇ ଗଙ୍ଗାଧର ମିଶ୍ର, ଭାଇ ମନମୋହନ, ଭାଇ ଗୁରୁଚରଣ, ଭାଇ ଗୋକୁଳ ମୋହନ ରାୟଚୁଡ଼ାମଣି, ପ୍ରଭୃତି, କଟକରୁ ଶ୍ରୀମତୀ ମାଳତୀଦେବୀ, ଭାଇ ସୁରେନ୍ଦ୍ର ଦ୍ଵିବେଦୀ, ଭାଇ ନବ ଚୌଧୁରୀ, ଭାଇ ମନମୋହନ ଚୌଧୁରୀ, ଭାଇ ନୃପେନ୍‍ ସେନ୍‍, ଭାଇ ଗୌରାଙ୍ଗଚରଣ ଦାସ, ଭାଇ ନଟବର ବସ୍ତିଆ ପ୍ରଭୃତି । ବାଲେଶ୍ଵରରୁ ଭାଇ ଗୌରଚନ୍ଦ୍ର ଦାସ, ଗଞ୍ଜାମରୁ ଭାଇ ଗୋବିନ୍ଦ ଚନ୍ଦ୍ର (ପ୍ରଧାନ), ଭାଇ ଦିବାକର ପଟ୍ଟନାୟକ ଆସିଥିଲେ । ଏହାଛଡ଼ା ବିଶିଷ୍ଟ ଦର୍ଶକ ରୂପେ ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ କୃପାସିନ୍ଧୁ ହୋତା, ପଣ୍ଡିତ ଲିଙ୍ଗରାଜ ମିଶ୍ର, ଶ୍ରୀ ରାଜକୃଷ୍ଣ ବୋଷ ଶ୍ରୀ ଯଦୁମଣି ମଙ୍ଗରାଜ, ଭାଇ ଲୋକନାଥ ସାହୁ, ଭାଇ ଶରତଚନ୍ଦ୍ର ପଟ୍ଟନାୟକ ପ୍ରଭୃତି ଉପସ୍ଥିତ ଥିଲେ ।”

 

୧୭ ତାରିଖ ଦିନ ସକାଳ ୮ଟା ସମୟରେ ପ୍ରାଣନାଥ ପଟ୍ଟନାୟକ ସଭାପତି ନିର୍ବାଚିତ ହେବା ପରେ, ସଭାପତିଙ୍କ ଆଦେଶ ମତେ ନବକୃଷ୍ଣ ଚୌଧୁରୀ ଗୋଟିଏ ପ୍ରାରମ୍ଭିକ ବିବୃତି ପାଠ କରିଥିଲେ । (ସାରଥୀ: ପ୍ରଥମ ବର୍ଷ : ୧୪ ଶ ସଂଖ୍ୟା: ଜୁନ୍‍ ୧୯୩୪ ମସିହା) ।

 

କଂଗ୍ରେସ-ସାମ୍ୟବାଦୀ ସମ୍ମିଳନୀର ଏହି ପ୍ରାରମ୍ଭ ଅଧିବେଶନରେ ସାମ୍ୟବାଦ ଆଡ଼କୁ ଦେଶକୁ ନେବା ପାଇଁ ଏବଂ ସେଥିନିମନ୍ତେ କୃଷକ, ଶ୍ରମିକ ବର୍ଗ ସମ୍ମିଳିତ ହୋଇ ଐକ୍ୟବଦ୍ଧ ସଂଗ୍ରାମ ପାଇଁ ରାଷ୍ଟ୍ରର ଅର୍ଥନୈତିକ ସ୍ଥିତି ପରିବର୍ତ୍ତନ କରାଇବା ଅଭିପ୍ରାୟରେ ଶାସନବିଧାନ ପ୍ରଣୟନ କରିବା ପାଇଁ ୪ଟି ପ୍ରସ୍ତାବ ନିଆଯାଇଥିଲା ।

 

“ପ୍ରଥମ ପ୍ରସ୍ତାବ: ଏହି ସମ୍ମିଳନୀ ଉପଲବ୍ଧି କରନ୍ତି ଯେ ଭାରତ ଜାତୀୟ ମହାସଭା (କଂଗ୍ରେସ) ଏକ ସାମ୍ୟବାଦ ମୂଳକ ସ୍ଵତନ୍ତ୍ର ରାଷ୍ଟ୍ର ପ୍ରତିଷ୍ଠା କରିବା ତାଙ୍କର ଲକ୍ଷ୍ୟ ବୋଲି ଘୋଷଣା କରିବା ଉଚିତ ଏବଂ ରାଷ୍ଟ୍ରୀୟ କ୍ଷମତା ଆୟତ୍ତ କରିବା ପରେ ଭାରତୀୟ ରାଷ୍ଟ୍ର ପାଇଁ ନିମ୍ନଲିଖିତ ରାଜନୈତିକ ସାମାଜିକ ଏବଂ ଅର୍ଥନୈତିକ ନୀତି ସମ୍ବଳିତ ଗୋଟିଏ ଶାସନ ବିଧାନ ପ୍ରଣୟନ କରିବା ପାଇଁ ଗୋଟିଏ କନ୍‍ଷ୍ଟିଚୁଏଣ୍ଟ ଆସେମ୍ବ୍ଲି ବ। ଜନସାଧାରଣ ପ୍ରତିନିଧି ସଭା ଆହ୍ଵାନ କରିବା କଂଗ୍ରେସର କର୍ତ୍ତବ୍ୟ ବୋଲି ଘୋଷଣା କରିବା ଉଚିତ । “ପ୍ରସ୍ତାବର ବିସ୍ତାରରେ ଉତ୍ପାଦନକାରୀ ଜନଗଣଙ୍କ ହାତକୁ ସମସ୍ତ କ୍ଷମତା ଅର୍ପଣ, ସମସ୍ତ ଶିଳ୍ପ ଉଦ୍ୟୋଗ, ଉତ୍ପାଦନ, ବଣ୍ଟନ ଓ ବିନିମୟ ରାଷ୍ଟ୍ରାୟତ୍ତ ହେବା ଏବଂ ଲୁହା, ତୁଳା, ଝୋଟ, ରେଳବାଇ, ଖଣି ପ୍ରଭୃତି ଓ ପ୍ରତି ଶିଳ୍ପଗୁଡ଼ିକ ସମାଜର ସମ୍ପତ୍ତିରେ ପରିଣତ କରାଯିବା ପାଇଁ, ବୈଦେଶିକ ବାଣିଜ୍ୟକୁ ରାଷ୍ଟ୍ରାୟତ୍ତ କରିବା ପାଇଁ, କୃଷକମାନଙ୍କୁ ଜମିର ପୁର୍ନବଣ୍ଟନ ପାଇଁ, ସୀମିତ ଭୋଟ ଅଧିକାର ନହୋଇ ସମସ୍ତ ପ୍ରାପ୍ତବୟସ୍କକୁ ଭୋଟାଧିକାର ଦେବା ଆଦି ପ୍ରସ୍ତାବରେ ରହିଥିଲା ।

 

ଲକ୍ଷଣୀୟ ଯେ, ଏମାନେ ସମସ୍ତେ କଂଗ୍ରେସ ଦଳର ହେଲେ ମଧ୍ୟ, କଂଗ୍ରେସକୁ ବା ମହାସଭାକୁ, ସାମ୍ୟବାଦୀ ମାର୍ଗରେ ଦେଶ ଚଳାଇବା ପାଇଁ, ପୁଞ୍ଜିବାଦୀ ମାର୍ଗ ପରିହାର କରିବା ପାଇଁ ପ୍ରଭାବିତ କରିବାକୁ ଏହି ସଂଗଠନ କାର୍ଯ୍ୟ ଆରମ୍ଭ କରିଥିଲା ।

 

ଏକ ପ୍ରସ୍ତାବରେ ପାଟନା ଠାରେ ସଙ୍ଗଠିତ କଂଗ୍ରେସ ସାମ୍ୟବାଦୀ ଦଳ ଗଠନକୁ ସ୍ଵାଗତ ଜଣାଇ, ରାଜ୍ୟର, “ଉତ୍କଳ ସାମ୍ୟବାଦୀ କର୍ମୀ ସଂଘ” ଏଥିରେ ସ।ମିଲ୍‍ ହେବାକୁ ଆହ୍ୱାନ ଦିଆଯାଇଥିଲା ।

 

ବିଶିଷ୍ଟ ସୋସାଲିଷ୍ଟ ନେତା ସୁରେନ୍ଦ୍ରନାଥ ଦ୍ଵିବେଦୀ “ନୂଆ ଦୁନିଆ” ପ୍ରାଣନାଥ ବିଶେଷାଙ୍କରେ ପ୍ରାଣନାଥଙ୍କ ସ୍ମୃତିଚାରଣ କରିବା ସଙ୍ଗେ ସଙ୍ଗେ “ସାରଥୀ” ସାପ୍ତାହିକ ପତ୍ରିକା ପ୍ରକାଶନ, କଂଗ୍ରେସ ସୋସାଲିଷ୍ଟ ଦଳ ଗଠନ ଆଦି ସମ୍ପର୍କରେ ଉଲ୍ଲେଖ କରିଥିଲେ, ଯେ “ଯେଉଁ ପ୍ରଥମ ସମାଜବାଦୀ ସଙ୍ଗଠନର ମୂଳପତ୍ତନ ଓଡ଼ିଶାରେ କଲୁ ତା’ର ନାମ ଦିଆଯାଇଥିଲା, “ଓଡ଼ିଶା କଂଗ୍ରେସ ସାମ୍ୟବାଦୀ କର୍ମସଂଘ” (Odisha Congress Communist Workers League) । ଆମେ ସବୁ ମାର୍କ୍ସଙ୍କ ଚିନ୍ତାଧାରାରେ ଏପରି ପ୍ରଭାବିତ ହୋଇଥିଲୁ ଯେ, ସେଥିରେ ଯେଉଁମାନେ ପ୍ରଥମ ଭିତ୍ତିସ୍ଥାପନ ବେଳେ ସଦସ୍ୟ ଥିଲେ, ଶପଥ ଗ୍ରହଣ କଲେ ଯେ, କେହି ନିଜର ବ୍ୟକ୍ତିଗତ ସମ୍ପତ୍ତି କରିବେ ନାହିଁ ଏବଂ ଯାହାର ଯାହା ଅଛି ତାହା ଏହି ସଂଘକୁ ଦାନ କରିବେ ।” “ସେତେବଳେ ମାଳତୀ ଦେବୀଙ୍କର ସେହି ଗହଣା ବିକି ଯାହା ଧନ ମିଳିଲା, ତାକୁଇ ପୁଞ୍ଜିକରି ପ୍ରଥମ ସମାଜବାଦୀ ସାପ୍ତାହିକ “ସାରଥୀ”ରେ ସାମ୍ୟବାଦ ସମ୍ପର୍କରେ ଲେଖାମାନ ପ୍ରକାଶ କରୁଥିଲେ ।”ନିଖିଳ ଭାରତ ସଂଗଠନର ଏକ ଶାଖା ଓଡ଼ିଶାରେ ଗଢ଼ା ହେବ କି ନାହିଁ । ଏହା ସ୍ଥିର କରିବା ଲାଗି ନବକୃଷ୍ଣ ଚୌଧୁରୀଙ୍କ ଘରେ ପ୍ରଥମେ ଏ ସମ୍ମିଳନୀ ବସିଥିଲା ଏବଂ କାଶୀ ବିଦ୍ୟାପୀଠରୁ ସଦ୍ୟ ପ୍ରତ୍ୟାଗତ ପ୍ରାଣନାଥ ହେଲେ ଏଥିର ସଭାପତି । ସଭାପତି ଭାବରେ ସେ ସମାଜବାଦ ଓ ଶ୍ରେଣୀ ସଂଘର୍ଷର ବିଶ୍ଳେଷଣ କରି ଯେଉଁ ଭାଷଣ ଲିଖିତ ଆକାରରେ ପାଠ କରିଥିଲେ, ତାହା କେଉଁଠି ଅଛି କି ନାହିଁ ମୋତେ ଜଣା ନାହିଁ । ବୋଧହୁଏ ତାହାର କିଛି ଅଂଶ ବା ପୁରା ଭାଷଣଟି ତତ୍‍କାଳୀନ “ସାରଥୀ” ପତ୍ରିକାରେ ପ୍ରକାଶ ପାଇଥିଲା । ତାକୁ ପଢ଼ିଲେ ଜଣାପଡ଼ିବ, କିଭଳି ସମାଜବାଦୀ ଓ କମ୍ୟୁନିଜିମ୍‍ ବିଷୟରେ ତାଙ୍କର ପ୍ରଗାଢ଼ ବିଶ୍ଵାସ ଓ ଜ୍ଞାନ ରହିଥିଲା ।

 

ସେହି କଂଗ୍ରେସ-ସୋସାଲିଷ୍ଟ ପାର୍ଟି ପକ୍ଷରୁ ତାହାର ମୁଖପାତ୍ର “କୃଷକ” ପ୍ରକାଶ ପାଇଲା । ଯାହା ଢେଙ୍କାନାଳ ପ୍ରଜାମଣ୍ଡଳ ଆନ୍ଦୋଳନର ସମ୍ଵାଦ ସରବରାହ କରିବାରେ, ଆନ୍ଦୋଳିତ ପ୍ରଜାମଣ୍ଡଳକୁ ମତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଭଗବତୀଚରଣ ପାଣିଗ୍ରାହୀ ହିଁ ଏହାର ମଧ୍ୟ ସମ୍ପାଦକ ଥିଲେ ।

 

ପୂର୍ବରୁ ଉଲ୍ଲେଖ କରିଛି, କଂଗ୍ରେସ - ସୋସାଲିଷ୍ଟ ଦଳର ନେତା ଭାବରେ ପ୍ରାଣନାଥ, ନବକୃଷ୍ଣ, ମୋହନଦାସ, ସେତେବେଳକୁ ୬୦ ଜଣିଆ ଓଡ଼ିଶା ବିଧାନ ପରିଷଦର ସଭ୍ୟ ହୋଇ ସାରିଥାନ୍ତି ଏବଂ ରାଜ୍ୟବ୍ୟାପୀ କୃଷକ ଆନ୍ଦୋଳନରେ, ରାଜା - ରାଜୁଡ଼ା ଶୋଷଣ କଷଣ ଅତ୍ୟାଚାରର ପେଣ୍ଠ ଉପରେ ଚରମ ଆଘାତ ହାଣି ପ୍ରଜାମଣ୍ଡଳ ଆନ୍ଦୋଳନମାନ ଉଗ୍ର ରୂପ ଧାରଣ କରିଥାଏ ।

 

ମୋଟାମୋଟି ଭାବରେ କଂଗ୍ରେସ- ଭିତରେ କାର୍ଯ୍ୟ କରୁଥିବା ବାମପନ୍ଥୀ କଂଗ୍ରେସ- ସାମ୍ୟବାଦୀ ଦଳ ଓଡ଼ିଶାରେ ତାଙ୍କ କାର୍ଯ୍ୟ ଅତ୍ୟନ୍ତ ସଫଳ ଭାବରେ କରିଥିଲେ । ଯାହାର ଦୃଷ୍ଟାନ୍ତ ଢେଙ୍କାନାଳ, ନୀଳଗିରି, ରଣପୁର, ଆଠଗଡ଼ ଆଦି ପ୍ରଜାମଣ୍ଡଳ ଆନ୍ଦୋଳନ, ବ୍ୟାପକ କୃଷକ ଆନ୍ଦୋଳନ, ତାତ୍ତ୍ଵିକ ପତ୍ରିକା “ସାରଥୀ” ଏବଂ ସମ୍ବାଦ ଓ ତଥ୍ୟ ପ୍ରକାଶନ ପାଇଁ “କୃଷକ” “ଆଗେଚାଲ” ଆଦି ପତ୍ରିକା ପ୍ରକାଶନ, ନିର୍ବାଚନରେ ବାମପନ୍ଥୀମାନଙ୍କର ବିଜୟ - ପୁଣି ଖାସମାହାଲ ଖୋର୍ଦ୍ଧାରୁ ପ୍ରାଣନାଥଙ୍କର ବିଜୟ ଇତ୍ୟାଦି ।

 

ମାତ୍ର ଏ ସମସ୍ତ ପରବର୍ତ୍ତୀ କାଳର ଘଟଣା । ପଛରେ କୁହାଯିବ ।

 

ଏହି ୧୯୩୪ ମସିହା, ପ୍ରାଣନାଥ ଶାସ୍ତ୍ରୀ ହୋଇ, ରାଜନୀତିରେ ମାର୍କ୍ସବାଦ, ବିଶ୍ୱଇତିହାସରେ ତାଲିମ ନେଇ ଫେରିବାବେଳ, ସମସାମୟିକ ସମୟର ଏକ ଘଟଣାବହୁଳ ଅଧ୍ୟାୟ ହେଲା ୧୯୩୪ ମସିହାର “ମଇ ଦିବସ”ରେ “ସାରଥୀ” ପ୍ରକାଶ ପାଉଥିବା ରାଧାନାଥ ଶତପଥୀଙ୍କ ଛାପାକାଳରୁ ଗୌରୀଶଙ୍କର ପାର୍କ ପର୍ଯ୍ୟନ୍ତ ଅଳ୍ପ କେତେଜଣ ସମାଜବାଦୀ ଗୋଷ୍ଠୀର ଲୋକ କଂଗ୍ରେସ ପତାକାଧରି ଜମିଦାରୀ ବିରୁଦ୍ଧରେ ଧ୍ଵନି ନେଇ ଯିବାଟା ବେଶ୍ କୌତୁହଳପୂର୍ଣ୍ଣ ହୋଇଥିଲା । ଇଏ ହେଲା ଓଡ଼ିଶାର ସର୍ବପ୍ରଥମ ମଇଦିବସ ପାଳନ । ଲୋକେ ଆଗରୁ ଶୁଣି ଆସୁଥିଲେ “ଭାରତ ମାତା କି ଜୟ - ମହାତ୍ମାଗାନ୍ଧୀ କି ଜୟ” । ମାତ୍ର ଶ୍ରମିକମାନଙ୍କୁ ଏକଜୁଟ ହେବାକୁ, “ଦୁନିଆର ମଜଦୁର ଏକ ହୁଅ”, ଆହ୍ୱାନ କରାଯିବାଟା କଟକ ସହରର ରାସ୍ତାରେ ଥିଲା ଏଇ ପ୍ରଥମ ।

 

ପଞ୍ଚମ ଅଧ୍ୟାୟ

ମହାନ ଜାତୀୟତାବାଦୀ କବି କୃଷ୍ଣମୋହନ ପଟ୍ଟନାୟକଙ୍କର ସୁକନ୍ୟା ମଞ୍ଜରୀ (ପ୍ରେମମଞ୍ଜରୀ)ଙ୍କର ପାଣି ଗ୍ରହଣ

 

ବିପ୍ଲବୀ ପ୍ରାଣନାଥଙ୍କ ଜୀବନର ନୂତନ ଅଧ୍ୟାୟ :

ଅତୀତର ଅବିଭକ୍ତ ପୁରୀଜିଲ୍ଲା ଏବର ଖୋର୍ଦ୍ଧାଜିଲ୍ଲାର ବାଲିପାଟଣା ଥାନାର ପ୍ରସିଦ୍ଧ ଗାଁଟିଏ ଚଣାହାଟ୍ଟା । ସେହି ଚଣାହାଟ୍ଟା ଗାଁର ଜମିଦାର ଚୌଧୁରୀ ପରିବାର, ଅତି ଖ୍ୟାତିସମ୍ପନ୍ନ ଏବଂ ସଂସ୍କୃତି ସମ୍ପନ୍ନ । ଉନବିଂଶ ଶତାଦ୍ଦୀର ଶେଷଭାଗରେ ଚୌଧୁରୀ ପରିବାର ନିଜର ଉଦ୍ୟମରେ ଗ୍ରାମର ମିଡ୍‍ଲ ଭର୍ଣ୍ଣାକୁଲାର ସ୍କୁଲଟିଏ ଏବଂ ଏକ ବାଳିକା ବିଦ୍ୟାଳୟ ସ୍ଥାପନା କରିଥିଲେ ।

 

ଚଣାହାଟ୍ଟାର ଆଖପାଖର ଗାଁଗୁଡ଼ିକ ମଧ୍ୟ ସୌଭାଗ୍ୟକୁ ଓଡ଼ିଶାର ବହୁପ୍ରସିଦ୍ଧ ବରପୁତ୍ର ମାନଙ୍କର ଜନ୍ମସ୍ଥଳୀ । ଚଣାହାଟ୍ଟା ପାଖକୁ ବିଶ୍ଵନାଥପୁର ଶାସନରେ ସ୍ଵପ୍ନେଶ୍ଵର ପାଣିଗ୍ରାହୀ ଏବଂ ତାଙ୍କ ପୁତ୍ର ଦିବ୍ୟସିଂହ, କାଳିନ୍ଦୀଚରଣ, ଭାଗବତୀଚରଣ ପାଣିଗ୍ରାହୀ, ନନ୍ଦିନୀ ଶତପଥୀ, ଚିନ୍ତାମଣୀ ପାଣିଗ୍ରାହୀ ଆଦିଙ୍କର ଜନ୍ମସ୍ଥଳୀ । ତା’ ପାଖକୁ ବାଗଲପୁର ଗାଁର ନ୍ୟାୟମୂର୍ତ୍ତି ରାଜକିଶୋର ଦାସଙ୍କର ଜନ୍ମ । ତା’ ପାଖ ଗାଁ ଭଅଁରାଙ୍ଗ, ପୂର୍ବତନ ବାଚସ୍ପତି ତଥା ପ୍ରସିନ୍ଧ ସମାଜବାଦୀ ଜନନାୟକ ରବିରାୟଙ୍କ ଜନ୍ମସ୍ଥଳ । ତା’ ପାଖକୁ କୁରୁଞ୍ଜିପୁର ସ୍ୱାମୀ ବିଚିତ୍ରାନନ୍ଦ ଦାସ, ଭୁବନାନନ୍ଦ ଦାସଙ୍କ ଗାଁ ।

 

ସ୍ୱାଧୀନଚେତା କବି କୃଷ୍ଣମୋହନ ପଟ୍ଟନାୟକଙ୍କର କନ୍ୟା ମଞ୍ଜରୀ ବା ପ୍ରେମ ମଞ୍ଜରୀଙ୍କୁ ପ୍ରାଣନାଥ ବିବାହ କରିଥିଲେ ।

 

ପାଠକମାନେ ବିସ୍ମିତ ହୋଇପାରନ୍ତି ଯେ, ଚଣାହାଟ୍ଟାର ପ୍ରସିଦ୍ଧ ଓ ବିତ୍ତଶାଳୀ ଚୌଧୁରୀ ପରିବାରର ସୁନ୍ଦରୀ କନ୍ୟା କୌଣସି ଚାକିରୀ ବାକିରି କରୁନଥିବା ବା ପ୍ରଚୂର ଭୂସମ୍ପତ୍ତିର ଅଧିକାରୀ ନଥିବା, ବେପାର/ଉପାର୍ଜ୍ଜନର ପନ୍ଥା ନଥିବା ବାରମ୍ବାର ଜେଲ୍ ଯାଉଥିବା ସ୍ୱାଧୀନତା ସଂଗ୍ରାମୀ ପ୍ରାଣନାଥ ପଟ୍ଟନାୟକଙ୍କୁ କିପରି ବିବାହ ଦେବାକୁ ରାଜିହେଲେ ? ପାଠକେ ଜାଣି ରଖିବା ଉଚିତ ଯେ, କୃଷ୍ଣମୋହନ ପଟ୍ଟନାୟକ ନିଜେ ସ୍ୱାଧୀନତା ସଂଗ୍ରାମୀ ଏବଂ କିଛିଦିନ ପାଇଁ କଲିକତାର “ଅନୁଶୀଳନ” ଉଗ୍ରପନ୍ଥୀ (ଟେରରିଷ୍ଠ) ସ୍ୱାଧିନତା ଆନ୍ଦୋଳନ ଆକାଂକ୍ଷୀ ଗୋଷ୍ଠୀ ସହିତ ମଧ୍ୟ ସାମିଲ ହୋଇଥିଲେ । ସେ ନିଜେ ଗୀତିକାର, ସ୍ୱର ସଂଯୋଜନାକାରୀ ଏବଂ ସଂଗୀତଜ୍ଞ । ୧୯୦୬ ମସିହା ଉତ୍କଳ ସମ୍ମିଳନୀ ଅଧିବେଶନରେ ବୋଲା ଯାଇଥିବା ଉଦ୍‍ବୋଧନୀ ସଙ୍ଗୀତର ରଚୟିତା ସେ । ସେ ସୁପ୍ରସିଦ୍ଧ ଗୀତଟି ହେଲା-

 

ଆଜି ସାଗରେ, ଭୂଧରେ, ପ୍ରାନ୍ତରେ, ଅମ୍ବରେ, ଶୁଭୁ ଉତ୍କଳର ଜୟଗୀତି

ଶିଶୁ ଦେଉ ତା’ର ଉଷାରୁଣ ବିଭା, ଦେଉ ଯୁବାଜନ ମଧ୍ୟାହ୍ନ ପ୍ରତିଭା,

ଜ୍ଞାନ ରଶ୍ମିଶେଷ ଦେଉ ପକ୍ଵକେଶ, ଭାଙ୍ଗୁ ସାଧନାର ମହାଭ୍ରାନ୍ତି ।

ଶରତ ସଜାଉ ଚାରୁ ପକ୍ଵଶାଳୀ, ବସନ୍ତ ବଜାଉ ଦୋଳ ଘଣ୍ଟାବଳୀ,

ଶୁଭାଶୀଷ ଘେନି ରବିଶଶୀ ବେନି, ଉଠନ୍ତୁ,ବୁଡ଼ନ୍ତୁ ନିତି ନିତି ।

 

ଚୌଧୁରୀ ହରେକୃଷ୍ଣ ପଟ୍ଟନାୟକ ଏବଂ ଚୌଧୁରୀ ଗୌରାଙ୍ଗଚରଣ ପଟ୍ଟନାୟକ ଦୁଇଭାଇ । ହରେକୃଷ୍ଣଙ୍କର ପୁତ୍ର ଜୟକୃଷ୍ଣ ପଟ୍ଟନାୟଙ୍କ ପୁତ୍ର ହେଉଛନ୍ତି ଓଡ଼ିଶାର ପ୍ରଖ୍ୟାତଯଶ। ସାମ୍ୟବାଦୀ କବି ଅନନ୍ତ ପଟ୍ଟନାୟକ ଏବଂ ତାଙ୍କ ସାନଭାଇ, ଓଡ଼ିଶାରେ କମ୍ୟୁନିଷ୍ଟ ପାର୍ଟିର ଅନ୍ୟତମ ପ୍ରତିଷ୍ଠାତା, ଓଡ଼ିଶାର ପ୍ରଥମ କମ୍ୟୁନିଷ୍ଠ, ସୁସାହିତ୍ୟିକ ଗୁରୁଚରଣ ପଟ୍ଟନାୟକ । ଜୟକୃଷ୍ଣଙ୍କର ଅନ୍ୟତମ ସାନଭାଇଙ୍କ ନାମ ମଧ୍ୟ କୃଷ୍ଣମୋହନ- ତାଙ୍କୁ ପୁରୀର ମୁକ୍ତାର ଆର୍ତ୍ତବନ୍ଧୁ ମହାନ୍ତି ପୁଅ କରି ନେଇଥିବାରୁ ତାଙ୍କ ନାମ କୃଷ୍ଣମୋହନ ମହାନ୍ତି ହୋଇଯାଇଥିଲା ଏବଂ ଚୌଧୁରୀ ଗୌରାଙ୍ଗ ଚରଣ ପଟ୍ଟନାୟକଙ୍କର ପୁତ୍ର ହେଉଛନ୍ତି କବି କୃଷ୍ଣମୋହନ ପଟ୍ଟନାୟକ ।

 

କୃଷ୍ଣମୋହନଙ୍କର ଅନ୍ୟ ପ୍ରସିଦ୍ଧ ଗୀତ ରଚନା ଯାହା ସାତ/ଆଠ ଦଶନ୍ଧି ଧରି ଓଡ଼ିଆ ପ୍ରାଣକୁ ଆଲୋଡ଼ିତ କରିଛି ତାହା ହେଲା, “ଯେ ଜାତି ବୋଇତ ଭସାଏ ସାତ ସମୁଦର ତେର ନଈରେ, ସେ ଜାତିକି ହତଭାଗା ବୋଲି,ଏତେ ଛାଡ଼ି ଅଛି କହିବ କେ ରେ ?”

 

ଓଡ଼ିଶାର ଜାତୀୟତାବାଦୀ କବି କାନ୍ତକବି ଲକ୍ଷ୍ମୀକାନ୍ତ, ବାଞ୍ଛାନିଧି, ଜାତୀୟ କବି ବୀରକିଶୋର ଆଦିଙ୍କର ଆଗୁଆ ତାଲିକାରେ କୃଷ୍ଣମୋହନଙ୍କର ନାମ ପଞ୍ଜିକୃତ । ବିପ୍ଳବୀ ଚେତନାରେ ଶାଣିତ କୃଷ୍ଣମୋହନ ସ୍ଵାଭାବିକ ଭାବରେ ଦେଶଭକ୍ତ ଯୋଦ୍ଧା/ବିପ୍ଳବୀଙ୍କୁ ଜାମାତା ରୂପରେ ସ୍ଵୀକାର କରିବାରେ କୌଣସି ବାଧା ତ ନଥିଲା - ବରଂ ସେତେବେଳର ବାମପନ୍ଥୀ ଯୁବଗୋଷ୍ଠୀର ଚେତନାର ଦିଗ୍‍ଦର୍ଶନ ନବକୃଷ୍ଣ ଚୌଧୁରୀ, ତାଙ୍କ ସହଧର୍ମିଣୀ ବିପ୍ଳବିଣୀ ମାଳତୀ ଚୌଧୁରୀ, ପୁତୁରା ବିପ୍ଳବୀ ବାବାଜୀ (ଅନନ୍ତ ପଟ୍ଟନାୟକ), ଗୁରୁଚରଣ ପଟ୍ଟନାୟକ ସର୍ବୋପରି ଭଗବତୀଚରଣ ପାଣିଗ୍ରାହୀ ଆଦିଙ୍କର ପ୍ରସ୍ତାବ ଯେପରି କବି କୃଷ୍ଣମୋହନଙ୍କ ପକ୍ଷରେ ଟାଳିବା କଷ୍ଟକର ଥିଲା, ଜୀବନସାରା ଦେଶ ପାଇଁ ସଂଗ୍ରାମ କରିବାର ଶପଥ, ପାଟଣା କ୍ୟାମ୍ପଜେଲରେ ନେଇଥିବା ପ୍ରାଣନାଥ ମଧ୍ୟ ତାଙ୍କ ସମ ଯୋଦ୍ଧାମାନଙ୍କର ବିଶେଷକରି ନବବାବୁ, ମାଳତୀଦେବୀ ଏବଂ ତାଙ୍କର ଅତିପ୍ରିୟ ବାଉ (ଗୁରୁଚରଣ), ଯାହାକୁ ସେ କାଶୀ ବିଦ୍ୟାପୀଠକୁ ନେଇଯାଇଥିଲେ ଏମାନଙ୍କ କଥା ଟାଳିଦେବା ଅସମ୍ଭବ ଥିଲା ।

 

ବିବାହ ପୂର୍ବର ଘଟନା ବର୍ଣ୍ଣନା କରିବା ପାଇଁ, ବିପ୍ଳବୀ ଜନନାୟକ, ସାହିତ୍ୟିକ ଗୁରୁଚରଣ ପଟ୍ଟନାୟକ ପରିହାସ କରି କହୁଥିଲେ,“ଖୁକୀ ଅପା (ମଞ୍ଜରୀ ଦେବୀ) ପାଇଁ ଯେତେ ଯୁଆଡ଼ୁ ପ୍ରସ୍ତାବ ଆସେ, ସବୁ ଭାଙ୍ଗି ଦେଉଥାଏ- କାରଣ ଆମର ଇଚ୍ଛା, ସେ ପ୍ରାଣନାଥଙ୍କୁ ବିବାହ କରୁ । ଏଥିପାଇଁ ପୂର୍ବରୁ ମଞ୍ଚ ସଜ୍ଜା କଲାପରି, କନ୍ୟାକୁ ମଧ୍ୟ ବୁଝାଇ ବୁଝାଇ, ଦେଶପ୍ରେମ, ଦେଶପ୍ରେମୀର ଜୀବନ ଇତ୍ୟାଦି କଥା କହି ପ୍ରସ୍ତୁତ କରିଥିଲୁ ।”

 

ପ୍ରାଣନାଥ ଓ ମଞ୍ଜରୀ ଦେବୀଙ୍କର ପରିଣୟର ନାଟକୀୟତା, ମୋ’ ଭାଷାରେ ବର୍ଣ୍ଣିବା ଅପେକ୍ଷା ସ୍ୱର୍ଗତଃ ମଞ୍ଜରୀ ଦେବୀଙ୍କ ନିଜ ଭାଷା, ନିଜ ବର୍ଣ୍ଣନା ଉଦ୍ଧାର କରିବା ଉଚିତ ବୋଲି ବିଚାରୁଛି । (ପ୍ରାଣନାଥ ବାବୁଙ୍କର ଅକାଳ ବିୟୋଗ ପରେ ପରେ, ତାଙ୍କ ଅମ୍ଳାନ ସ୍ମୃତି ଉଦ୍ଦେଶ୍ୟରେ ଏକ ସ୍ମରଣିକା ପ୍ରକାଶ କରିବା ପାଇଁ ୧୯୭୦ ମସିହାରେ ଶ୍ରୀମତି ମଞ୍ଜରୀ ଦେବୀଙ୍କୁ ନିଜ ଅଭିଜ୍ଞତା ସମ୍ବଳିତ ଲେଖାଟିଏ ପାଇଁ ଲେଖକ ଅନୁରୋଧ ଜଣାଇଥିଲା । ତାଙ୍କ ନାମ ଗୋପନ ରଖିବାର ଅଙ୍ଗୀକାର ଦେଇ, “କର୍ମ ମାତ୍ର ଧର୍ମ, କର୍ମ ହିଁ ଜୀବନ,”ଶୀର୍ଷକ ଲେଖାଟିରେ ତାଙ୍କର ଜୀବନର ସବୁଠାରୁ ମହାର୍ଘ, ଦୁର୍ମୁଲ୍ୟ, ଗୋପନୀୟ ଅଭିଜ୍ଞତାକୁ “ଶ୍ରୀ ....... ” ଛଦ୍ମନାମରେ ପ୍ରକାଶ ପାଇଁ ଦେଇଥିଲେ- ପ୍ରାଣନାଥ ଓ ମଞ୍ଜରୀ ଉଭୟଙ୍କର ବିୟୋଗ ପରେ, ଉଭୟଙ୍କୁ କ୍ଷମାମାଗି ମଞ୍ଜରୀ ଦେବୀଙ୍କ ଲେଖା, ତାଙ୍କ ନିଜର ଚମତ୍କାର ଭାଷା ଓ ଅଭିନବ ପ୍ରକାଶ ଭଙ୍ଗୀରେ ଉତ୍ତାରି ଦେଉଛି - ଏହା ଚୋରୀ ନୁହେଁ - ତାଙ୍କ ପ୍ରତି ତାଙ୍କର ଆବେଗ ପ୍ରତି ସମ୍ମାନ ଜ୍ଞାପନ) ।

 

ମଞ୍ଜରୀ ପଟ୍ଟନାୟକ ଲେଖିଥିଲେ,“୧୯୩୫ ମସିହା ଜୁନ୍‍ମାସ ୨୮ ତାରିଖ ଶନିବାର-। ଜଗନ୍ନାଥଙ୍କ ନେତ୍ରୋତ୍ସବ ସମୟ-। ଚଣାହାଟ୍ଟା ଜମିଦାର ବଂଶର ଦାଣ୍ଡ, ଶଙ୍ଖ ସାହାନାଇ ଆଦି ବାଦ୍ୟରେ ଉତ୍ସବ ମୁଖର ହେଇଉଠିଛି । ବର ଆସିବା ସମୟ ପାଖେଇ ଆସୁଛି । ଚାରିଆଡ଼େ ଥାଟପଟାଳୀ ପରି ଲୋକ । ସମ୍ଭ୍ରାନ୍ତ ଓ ଆଭିଜାତରେ ପୀଠସ୍ଥଳୀ ଚଣାହାଟ୍ଟା, ଚୌଧୁରୀ ବଂଶର ଅଲିଅଳି କନ୍ୟାଙ୍କର ଆଜି ବିବାହୋତ୍ସବ । ବହୁ ଦୂରଦୂରାନ୍ତରୁ ପ୍ରଜାପାଟକ ଆସୁଛନ୍ତି । ବାରିକ ଗୋଡ଼ ଧୋଇବାକୁ ପାଣିଧରି ପ୍ରସ୍ତୁତ । ଘର ଭିତରର ସ୍ତ୍ରୀ ଲୋକମାନେ ବର ଦେଖିବାକୁ ଦରଜା ଅନ୍ତରାଳରେ ରହି କୌତୁହଳାତ୍ମକ ଦୃଷ୍ଟିରେ ଚାହିଁଛନ୍ତି । ଏତିକିବେଳେ ଉତ୍ସବମୁଖର ଦାଣ୍ଡରେ ହଠାତ୍‍ ସୃଷ୍ଟି ହେଲା ଏକ ଆଲୋଡ଼ନ । ବରଙ୍କ ପାଇଁ ପଠାଯାଇଥିବା ସୁସଜ୍ଜିତ ପାଲିଙ୍କି ଫେରି ଆସିଛି, ଅଥଚ ବର ନାହାନ୍ତି । ଗାଁର କେତେ ରକ୍ଷଣଶୀଳ ଲୋକ କେତେପ୍ରକାର କଥା କହିବା ଆରମ୍ଭ କରିଦେଲେ । ବୁଝୁ ବୁଝୁ ଜଣାଗଲା, ମଣିଷ କାନ୍ଧରେ ବୋହୁଥିବା ପାଲିଙ୍କିରେ ନ ବସିବା ପାଇଁ ବରଙ୍କର ସେହି ଏକା ଜିଦ୍ । ତେଣୁ ପାଲିଙ୍କି ଫେରାଇ ଚାଲି ଚାଲି ଆସି ଗାଁ ଦାଣ୍ଡରେ ଜନଗହଳି ଭିତରେ ପହଞ୍ଚିଗଲେଣି ! ଚଣାହାଟ୍ଟା ଜମିଦାର ବଂଶର ଇତିହାସରେ ଏ ଏକ ନୂଆକଥା-। ଏହି ବିଷୟ ଆଲୋଚନା କରୁଥିବା ବେଳେ ବି ସମସ୍ତେ ମଝିରେ ମଝିରେ ବ୍ୟସ୍ତତାର ସହିତ ବରଙ୍କ ଆଗମନକୁ ପ୍ରତୀକ୍ଷା କରୁଥାନ୍ତି । ବାରିକ ଗୋଡ଼ ଧୋଇବାକୁ ବହୁ ସମୟ ଅପେକ୍ଷା କରି ଅଧୈର୍ଯ୍ୟ ହୋଇ ପଡ଼ିଲାଣି ।”

 

“ଏତିକିବେଳେ ଜଣେ ବୃଦ୍ଧା ହଠାତ୍‍ ପାଟିକରି ଉଠିଲେ-” “ସିଆଡ଼େ କ'ଣ ଅନାଉଛ ? ବର ପରା ଏଠାରେ ।” ସେତେବେଳକୁ ବର ଚାଲି ଚାଲି ଆସି ଦାଣ୍ଡ ଚାନ୍ଦିନୀ ଉପରେ ଉପସ୍ଥିତ । ମୁଣ୍ଡରେ ନାହିଁ ମୁକୁଟ, ବେକରେ ନାହିଁ ଫୁଲମାଳ, ଖଦଡ଼ ଧୋତି ପଞ୍ଜାବୀ ପରିହିତ ଜଣେ ଯୁବକ ଦୀର୍ଘ ସମୟ ଅପେକ୍ଷମାଣ ବାରିକ ହାତକୁ ପାଣି ଢାଳ ନେଇ, ନିଜେ ଗୋଡ଼ ଧୋଇ ତା’ହାତରୁ ଗାମୁଛା ନେଇ ନିଜେ ଗୋଡ଼ ପୋଛି ହସ ହସ ମୁହଁରେ ସମସ୍ତଙ୍କୁ ସମ୍ଭାଷଣ ଜଣାଇଲେ ।

 

ଶଙ୍ଖ, ହୁଳହୁଳି ବାଜି ଉଠିଲା । ବୈଦିକ କର୍ମ କର୍ମାଣି ଆରମ୍ଭ ହେଲା । ହାତଗଣ୍ଠି ପଡ଼ିବା ସମୟ ଉପସ୍ଥିତ । ଉଭୟ ପକ୍ଷରେ ପୁରୋହିତ ବେଦୀ ଉପରେ ବାଡ଼ୁଅ କର୍ମସାରି ବରକନ୍ୟାଙ୍କ ହାତଗଣ୍ଠି ପକାଇ ଚିରାଚରିତ ପ୍ରଥାରେ ପରସ୍ପର ମଧ୍ୟରେ କଳି ଓ ତର୍କ ଆରମ୍ଭ କରିଦେଲେ । ବିବାହର ପବିତ୍ର ପରିବେଶକୁ ନଷ୍ଟକରି ବେଦୀ ଉପରେ ଦୁଇପକ୍ଷ ପୁରୋହିତଙ୍କର ଲପରି ନିଷ୍ଫଳ ତର୍କ, ବିର୍ତକ ବରଙ୍କ ପକ୍ଷରେ ଅସହ୍ୟ ହୋଇଉଠିଲା । ପରିଶେଷରେ ସେ ନିଜେ ହାତଗଣ୍ଠି ଛିଣ୍ଡାଇ ଆଣିଲେ, ଯାହାକି ପୁରୋହିତଙ୍କର କରିବାର କଥା ।”

 

“ନିଜର କୋମଳମତୀ ବାଳିକା କନ୍ୟାକୁ ଗୋଟିଏ କଠୋର ବାସ୍ତବବାଦୀ ଦେଶସେବକ ହାତରେ ଟେକିଦେଇ ସେଦିନ ବାପ, ମାଆ, ସାଥୀ ସଙ୍ଗାତ, ଭାଇ ଭାଉଜ, ଆତ୍ମୀୟ ସ୍ଵଜନ ବିଦାୟ ନେଲେ । ପୂଜାରୀ ହାତରୁ କୁଳଦେବତା ରାଧାଗୋବିନ୍ଦଙ୍କ ଚରଣତୁଲସୀ ନେଇ ଆଷାଢ଼ର ସେହି ବର୍ଷଣ ମୁଖର ଅନ୍ଧକାର ରାତ୍ରୀରେ ସୁଆରୀ ବିଲ ଗହୀର ମାଡ଼ି ଆଗେଇ ଚାଲିଲା-। ବର ଓ ଅନ୍ୟାନ୍ୟ ବରଯାତ୍ରୀ ଭିନ୍ନ ରାସ୍ତାରେ ଭୁବନେଶ୍ୱର ଷ୍ଟେସନ ଅଭିମୁଖ ବିଦାୟ ନେଲେ । ଦେଢ଼ଶୁର, ଖୁଡ଼ୁତାଶୁର ପ୍ରଭୃତି ମାନ୍ୟାସ୍ପଦ ବରଯାତ୍ରୀମାନେ ବହୁକଷ୍ଟରେ ଅନ୍ୟ ଡବାରେ ପଶିଲେ-। କାରଣ ରଥଯାତ୍ରା ଉପଲକ୍ଷେ ସେଦିନ ଭୀଷଣ ଯାତ୍ରୀ ଭିଡ଼ । କନ୍ୟା ଓ ତାଙ୍କର ଦାସୀ ଅନ୍ୟ ଡବାରେ ବସିଗଲେ । କନ୍ୟାଙ୍କର ସୁବିଧା ଅସୁବିଧା ବୁଝିବାର ଦାୟିତ୍ୱ ପଡ଼ିଲା ବରଙ୍କ ଉପରେ । ଏହି ଅବସରରେ ନିଜ ଆଦର୍ଶରେ କନ୍ୟାଙ୍କୁ ଅନୁପ୍ରାଣିତ କରିବାର ଟିକେ ଚେଷ୍ଟା କଲେ ମନ୍ଦ କ’ଣ ? - ଗାଡ଼ି ଧୀରେ ଧୀରେ ପ୍ଲାଟଫର୍ମ ଛାଡ଼ିଲା । ଗୋଟିଏ ଗୋପବନ୍ଧୁ ଶ୍ରାଦ୍ଧ ସଂଖ୍ୟା “ସମାଜ” ଧରି ବର ଗାଡ଼ି ଉପରକୁ ଉଠିଗଲେ ଏବଂ କନ୍ୟାଙ୍କର ସମ୍ମୁଖ ବେଞ୍ଚରେ ବସି ଗୋପବନ୍ଧୁଙ୍କର ତ୍ୟାଗପୂତ ଜୀବନ ଉପରେ ଭାଷଣ ଦେଇ ଚାଲିଲେ । ଜୋଇଁଙ୍କର ଝିଅ ନିକଟରେ ଉପସ୍ଥିତ ହୋଇ ଏପରି ଅନର୍ଗଳ ଭାଷଣ ଦେଖି, ଦାସୀଟି ଦୁରେଇ ଯାଇ ଅନ୍ୟ ଆଡ଼କୁ ମୁହଁ ବୁଲାଇ ବସିଥାଏ । ଝିଅ ବିଚାରୀ ଦୂର ଦୂର କମ୍ପିତ ହୃଦୟରେ ପଛ ବୁଲାଇ ବାହାରକୁ ଚାହିଁ, କେବଳ ଚାଲିଯାଉଥିବା ଗଛଗୁଡ଼ିକୁ ନୀରବରେ ଅନାଇ ରହିଥାଏ ଓ ମଧ୍ୟେ ମଧ୍ୟେ ନିଜର ବନାରସି ଓଢ଼ଣୀର ପତଳା ଫାଙ୍କ ଦେଇ ବରଙ୍କୁ କଣେଇ କଣେଇ ଚାହିଁଦିଏ ।”

 

ଏହିପରି ଜୀବନର ପ୍ରତ୍ୟେକ ମଧୁମୟ ମୁହୂର୍ତ୍ତ ନିରସ ଓ ରୁକ୍ଷତାରେ ପରିଣତ ହୋଇଛି-। ଚିନ୍ତାରେ, କାର୍ଯ୍ୟରେ କର୍ମ ହିଁ ଥିଲା ତାଙ୍କର ଶ୍ରେଷ୍ଠ ବିଳାସିତା ।”

 

“ସେହି କର୍ମ ଭିତରେ ହିଁ ସେ ଆନନ୍ଦ ପାଉଥିଲେ । ଦୀର୍ଘ ଅତୀତର ନୀରବ ସାକ୍ଷୀ ସେହି ଗଛଗୁଡ଼ିକ ପ୍ରକୃତିର ଘାତ ପ୍ରତିଘାତରେ ପରିବର୍ତ୍ତିତ ପରିଣତି ଲାଭ କରିଥିବେ; ମାତ୍ର ବରଙ୍କର ପ୍ରକୃତିରେ କୌଣସି ପରିବର୍ତ୍ତନ ଘଟିନଥିଲା । ତାଙ୍କର ଅନ୍ତିମ ଯାତ୍ରା ପର୍ଯ୍ୟନ୍ତ । ଏହିପରି ଟ୍ରେନ୍‍ ମଧ୍ୟରେ ଜଣେ ବକ୍ତାଙ୍କର ଆଲୋଚନା, ଭାଷଣ, ଉପଦେଶ ଶୁଣି ଶୁଣି ଖଲ୍ଲିକୋଟ ଷ୍ଟେସନ ପହଞ୍ଚିଲା । ପ୍ରଥା ଅନୁସାରେ ସବୁ ବିଧିବିଧାନ ଚାଲିଲା । ବରଙ୍କର ମୁକୁଟ କନ୍ୟା ନିଜ ପିଠିରେ ବହନ କରି ନଇଁ ନଇଁ ଚାଲିଲେ । ବର ଖଦଡ଼ ଧୋତି ପଞ୍ଜାବୀ ପିନ୍ଧି ଓ ଖଦଡ଼ ଚାଦର କାନ୍ଧରେ ପକାଇ କନ୍ୟାଙ୍କ ପଛରେ ଚାଲିଥାନ୍ତି । ଦୁଇଜଣଙ୍କର ନୀତିଗତ ଯୋଗସୂତ୍ର କେତେଦୂର ଥିଲା କହିହେବ ନାହିଁ । କିନ୍ତୁ ଉତ୍ତରୀୟ ଯୋଗସୂତ୍ର ନିଶ୍ଚୟ ଥିଲା, ଯାହାକି ବରଙ୍କର ସ୍କନ୍ଧ ଓ କନ୍ୟାଙ୍କ ମସ୍ତକରେ ଶୋଭା ପାଉଥିଲା ।

 

ନବ ଦମ୍ପତ୍ତିଙ୍କର ଇପ୍‍ସିତ ମୁହୂର୍ତ୍ତଟି ପହଞ୍ଚିଲା । କିନ୍ତୁ ବର ସେହି ମଧୁ ମୁହୂର୍ତ୍ତରେ କନ୍ୟାଙ୍କ କାନରେ ଧୀରେ କହିଥିଲେ, “ଆମର ମିଳନ ସେବା ପାଇଁ, ସମ୍ଭୋଗ ପାଇଁ ନୁହେଁ ।” ଏତିକି କହି ସେ ଚାଲି ଯାଇଥିଲେ । ବହୁ ରାତି ପର୍ଯ୍ୟନ୍ତ ପରିବାରରେ ଖୋଜା ପଡ଼ିଥିଲା କିନ୍ତୁ ସେ ଅଦୃଶ୍ୟ !

 

ଆଜିକୁ ୩୫ ବର୍ଷ ତଳେ (ଶ୍ରୀମତି ମଞ୍ଜରୀ ଦେବୀ ତାଙ୍କ ଅଭିଜ୍ଞତାର କାହାଣୀ ପ୍ରାଣନାଥଙ୍କ ବିୟୋଗ ପରେ ପରେ ୧୯୭୦ ମସିହାରେ ହିଁ ଲେଖିଥିଲେ ।) ଏକ ଅଭିଜାତ ସାମନ୍ତ ପରିବାରକୁ ବରରୂପେ ଯାଇଥିବା ଯେଉଁ ଯୁବକ ଗତାନୁଗତିକ ରକ୍ଷଣଶୀଳ ସମାଜର ବିଧିବିଧାନ ଉପରେ ପ୍ରତି ପଦେ ପଦେ ପ୍ରଚଣ୍ଡ ଆଘାତ ହାଣିଥିଲେ, ସେଇ ହେଉଛନ୍ତି ସାମାଜିକ କୁସଂସ୍କାର, ଅର୍ଥନୈତିକ ବୈଷମ୍ୟାଦି ବିରୁଦ୍ଧରେ ଆଜୀବନ ବିଦ୍ରୋହୀ ସ୍ଵର୍ଗତଃ ପ୍ରାଣନାଥ ପଟ୍ଟନାୟକ । ସମାଜର ତଥାକଥିତ ରକ୍ଷଣଶୀଳ ବଡ଼ପଣ୍ଡାମାନଙ୍କର ଚକ୍ଷୁରେ ପ୍ରଶଂସିତ ନହେଲେ ମଧ୍ୟ ଯେ, ସେଦିନ ଜାମାତାଙ୍କ ସଂସ୍କାରମୁଖୀ, ପ୍ରଗତିଶୀଳ ବିଦ୍ରୋହାତ୍ମକ ମନୋଭାବକୁ ସ୍ୱାଗତକରି ଦୁଇଟୋପା ଆନନ୍ଦାଶ୍ରୁ ଢାଳି ଆଶୀର୍ବାଦ କରିଥିଲେ ସେ ହେଉଛନ୍ତି ପ୍ରାଣନାଥଙ୍କ ଶ୍ୱଶୁର ବିପ୍ଳବୀ କବି ସ୍ଵର୍ଗତଃ କୃଷ୍ଣମୋହନ ପଟ୍ଟନାୟକ । କନ୍ୟା ଓ ଜାମାତାଙ୍କୁ ଆଶୀର୍ବାଦ ଛଳରେ କୃଷ୍ଣମୋହନ ପଟ୍ଟନାୟକ ଲେଖିଥିଲେ -

 

କୋମଳେ କଠିନେ ଏ ଯେ ସମାବେଶ

ସତ୍ୟ ପିନ୍ଧେ ମାତ୍ର ସ୍ୱପ୍ନର ସୁବେଶ

ହୋମାନଳେ ଦୁହେଁ ଇନ୍ଧନ ଆହୁତି

ସାର୍ଥକତା ଲୋଡ଼େ ଗୋଟିଯାକ ସୃଷ୍ଟି

ନାହିଁ ଆଡ଼ମ୍ବର ନାହିଁ ସମାରୋହ

ନାହିଁ ସମାଜର ଅତିଷ୍ଠ ବିଦ୍ରୋହ

ରବିର ପ୍ରତିଭା ପଦ୍ମର ପ୍ରେରଣା

କର୍ମକ୍ଷେତ୍ରେ ଆଣୁ ବେନିଙ୍କ ଯୋଜନା

କର୍ମ ମାତ୍ର ଧର୍ମ କର୍ମ ହିଁ ଜୀବନ

କର୍ମକୁ ନବାନ୍ଧେ ଜନ୍ମ ବ। ମରଣ

ଫିଟିଯାଉ ପନ୍ଥା ଦିଶୁ ଲୋକସେବା

ସେବା ବିନା ନୋହେ, କାହାରିଟି କେକା

ସୁଖ ଦୁଃଖ ସିନା ବୁଦ୍ଧିର ବିକାର

ଆଲୋକର ମୂଲ୍ୟ ସମାନ ଛାୟାର

ହୀରାର ମୁକୁଟ କଣ୍ଟକର ବ୍ୟଥା

କୁଟୀର ଭୁଞ୍ଜଇ ରାଜ-ପ୍ରଫୁଲ୍ଲତା

ବାୟୁଦେବ ଖାଦ୍ୟ, ବ୍ୟୋମ ଦେବ ଆଶା

ମୁଖର ସାଗର ଶିଖାଇବ ଭାଷା

ଅକ୍ଷୟ ଅବାଧ ସେ ମହା କରୁଣା

ସାଧନାର ପଥେ ଝରୁ କୋଟିଗୁଣା

 

ପ୍ରାଣନାଥଜାୟା ମଞ୍ଜରୀ ଦେବୀଙ୍କର ଉପରୋକ୍ତ ଲେଖା, କେବଳ ତାଙ୍କର ଆବେଗ ପ୍ରକାଶ କରୁନାହିଁ - ପ୍ରାଣନାଥଙ୍କ ପ୍ରତି ତାଙ୍କର ଐକାନ୍ତିକ ଭଲ ପାଇବାକୁ ଏବଂ ତାଙ୍କ ପ୍ରତି ଗଭୀର ସମ୍ମାନବୋଧକୁ ତିଳେ ହେଁ ଗୋପନ ନକରି ଜନଗଣଙ୍କ ଆଗରେ ମୁକ୍ତ କରିଦେଇଛନ୍ତି-ସେଥିସହିତ ଜଣେ ସହଧର୍ମିଣୀର ଆତ୍ମାଭିମାନ ମଧ୍ୟ ଅତ୍ୟନ୍ତ ସ୍ପଷ୍ଟ ଭାବରେ ପ୍ରକାଶ ପାଇଛି ।

 

ବିବାହ ପୂର୍ବରୁ ପୁରୀରୁ ଆସି ସ୍ୱାଧୀନତା ସଂଗ୍ରାମୀ ପ୍ରାଣନାଥ ଏବଂ ତାଙ୍କର ସମଯୋଦ୍ଧା ସାଥୀମାନେ ପ୍ରଥମେ ଜଟଣୀ ରେଳଲାଇନ୍‍ ବାହାରେ ଗୋଟିଏ ମନ୍ଦିରବେଡ଼ାରେ ରହୁଥିଲେ । ନାନା ମଠ, ମନ୍ଦିର, ବଡ଼ ବଡ଼ ବାରଣ୍ଡା, ଗଛମୂଳରେ ପଲାକରି ରାତ୍ରିଯାପନ କରୁଥିଲେ । ବିବାହ ପରେ ତ ଆଉ ନବବଧୂଙ୍କୁ ଧରି ଗଛମୂଳେ, ମନ୍ଦିର ବେଢାରେ ଜୀବନଯାପନ କରିପାରିବେ ନାହିଁ । ଖୋର୍ଦ୍ଧାରେ ପ୍ରବେଶ ପଥ ଭାବରେ, ଜଟଣୀକୁ ହିଁ ବାଛିନେଲେ ପ୍ରାଣନାଥ ଏବଂ ସେଠାରେ ସୀତାରାମ ଛକ ନିକଟବର୍ତ୍ତୀ ଗୋଟିଏ ଘର ଉଡ଼ାନେଇ ମଞ୍ଜରୀ ଦେବୀଙ୍କୁ ଧରି ରହିଲେ । ସ୍ଵାଧୀନତା ଆନ୍ଦୋଳନର ଯୋଦ୍ଧା ପ୍ରାଣନାଥ, ବୈବାହିକ/ପାରିବାରିକ ଜୀବନର ଆଦ୍ୟରେ ଶ୍ରୀ ଫକୀର ହରିଚନ୍ଦନଙ୍କ ଲେଖନୀରେ-“ସରକାର ଆଡ଼ୁ ସମ୍ଭାବ୍ୟ ବିପଦ ଏଡ଼ାଇବା ପାଇଁ ସେ ଗାଁରେ ନରହି ଜଟଣୀରେ ଗୋଟିଏ ଗୁପ୍ତ ଭଡ଼ାଘରେ ରହି କଂଗ୍ରେସ ଆନ୍ଦୋଳନ ସହିତ ନିଜକୁ ସାମିଲ କରିଦେଲେ ।” ପ୍ରାଣନାଥ ବାବୁ ଡିମିରି ପରିବର୍ତ୍ତେ ଜଟଣୀର ସ୍ଥାୟୀ ବାସିନ୍ଦା ହୋଇଗଲେ । କିନ୍ତୁ ୧୯୫୦ ମସିହା ପର୍ଯ୍ୟନ୍ତ ତାଙ୍କ ଗାଁ ଡିମିରିରେ ନିଜ ଭାଇମାନଙ୍କ ସହିତ ବୈଷୟିକ ସମ୍ପର୍କ ଲାଗି ରହିଥିଲା । ଅର୍ଥାତ୍‍ ତାଙ୍କର ପୈତୃକ ଘରଡ଼ିହ ଓ ଜମିବାଡ଼ି ସବୁ ଭାଇମାନଙ୍କ କୋଠ ସମ୍ପତ୍ତି ଭାବରେ ରହିଥିଲା । ସେ ସମ୍ପତ୍ତି ସମ୍ପର୍କରେ ପ୍ରାଣନାଥ ବାବୁ କେବେ ମୁଣ୍ଡ ଖେଳାଉନଥିଲେ । କିମ୍ବା ସେଥିନେଇ ତାଙ୍କ ଭାଇମାନଙ୍କ ସହିତ କିଛିମାତ୍ର ସମସ୍ୟା ନଥିଲା-।” “୧୯୫୦ ମସିହାରେ ସବୁ ଭାଇମାନେ ପୈତୃକ ସମ୍ପତ୍ତିକୁ ଅପେକ୍ଷା ମତେ ବାଣ୍ଟି ନେଇଥିଲେ ଏବଂ ପରେ ପରେ ପ୍ରାଣନାଥ ବାବୁ ତାଙ୍କ ଭାଗ ସମ୍ପତ୍ତିକୁ ବିକ୍ରି କରିଦେଇଥିଲେ । ଶ୍ରୀ ହରିଚନ୍ଦନ ଆହୁରି ଏକ ତଥ୍ୟ ଉଲ୍ଲେଖ କରିଛନ୍ତି ଯେ, ଖୋର୍ଦ୍ଧାର ତତ୍‍କାଳୀନ ତହସିଲଦାର ନଟବର ପଟ୍ଟନାୟକ, ଉଦୟନାଥ ପଟ୍ଟନାୟକଙ୍କ ସ୍ତ୍ରୀ (ପ୍ରାଣନାଥଙ୍କର ଭାଉଜ)ଙ୍କର ମଉସା ଥିଲେ-। ସେ ଜଟଣୀରେ ପ୍ରାଣନାଥଙ୍କ ନାମରେ ଖଣ୍ଡିଏ ଅନାବଦୀ ଜାଗା ପଟ୍ଟା କରିଦେଇଥିଲେ । ଚଣାହାଟ୍ଟା ନିବାସୀ ସ୍ଵର୍ଗତଃ କବି କୃଷ୍ଣମୋହନ ପଟ୍ଟନାୟକଙ୍କ ସୁଯୋଗ୍ୟ କନ୍ୟା ମଞ୍ଜରୀଙ୍କ ସହ ପ୍ରାଣନାଥଙ୍କର ବିବାହ ସମ୍ପାଦିତ ହେବା ପରେ କୃଷ୍ଣମୋହନ ବାବୁଙ୍କ ଉଦ୍ୟମରେ ଜଟଣୀ ଜାଗା ଉପରେ ଘର ଖଣ୍ଡେ କରି ପ୍ରାଣନାଥ ବାବୁ ସପରିବାରେ ଅବସ୍ଥାନ କଲେ ।”

 

ଜଟଣୀ ପ୍ରଧାନ ରାସ୍ତା ଉପରେ ପେଟ୍ରୋଲ ପମ୍ପ କଡ଼କୁ ଛୋଟିଆ ଦୁଇତାଲା କୋଠାଟିଏ ପ୍ରାଣନାଥଙ୍କର ବାସଗୃହ ଥିଲା । ୧୯୫୦ ପରେ ଗାଁର ଜମିବାଡ଼ି ବିକ୍ରି କଲା ପରେ ତାହା, ଏକତାଲାରୁ ଦୁଇମହଲା ହୋଇଥିଲା - ତଳେ ଗୋଟିଏ ବଖରା, ରୋଷେଇ ଘର, ଦାଣ୍ଡ ଘର, ଉପରେ ଦୁଇବଖରା ଘର ଏତିକି ସମ୍ପତ୍ତି ଥିଲା । ତାହା ପୁଣି ସ୍ଵାଧୀନତା ପୂର୍ବରୁ ଠିକ୍‍ ବ୍ରିଟିଶ ସରକାର ବାଜ୍ୟାପ୍ତ କରିନେଇ ତାଲା ପକାଇ ଦେଇଥିଲେ । ପ୍ରାଣନାଥ ଜେଲରେ-ବାସଗୃହରେ ତାଲା ପଡ଼ିଲା - ମଞ୍ଜରୀ ଦେବୀ ପିଲାମାନଙ୍କୁ ଧରି ସାହସର ସହିତ ପିଲାଟିଏ କରି ରହିବା ପରି ରହିଛନ୍ତି । ଜୀବନ ଯୁଦ୍ଧରେ ହାରି ନାହାନ୍ତି । ପ୍ରାଣନାଥଙ୍କୁ ହିମ୍ମତ ଦେଇଛନ୍ତି ।

 

ଅଭାବ, ଅନାଟନ ଭିତରେ ଜଣେ ଯୋଦ୍ଧା ସେନାନାୟକଙ୍କର ସହଧର୍ମୀଣୀ, ସହଚାରିଣୀ, ଭାବରେ ମଞ୍ଜରୀ ଦେବୀ ପରିବାରର ଭାର ଧାରକରଜ ଭିତରେ ବୁଡ଼ି ମଧ୍ୟ ଆନନ୍ଦରେ ଯୁଦ୍ଧର ନିର୍ଭୀକ ସୈନିକ ଭାବରେ ଜୀବନଯୁଦ୍ଧରେ ଲଢ଼ି ଲଢ଼ି ଜିଣିଛନ୍ତି ! ହାରିନାହାନ୍ତି ।

 

ପ୍ରାଣନାଥ ଓ ମଞ୍ଜରୀଙ୍କର ଛଅ ପୁଅ । ପ୍ରଥମ ସନ୍ତାନ ଶ୍ରୀ ପ୍ରଭାସ ପଟ୍ଟନାୟକ, ଯାହାକୁ ଶ୍ରଦ୍ଧାରେ ଡାକନ୍ତି ଟୁଲୁ ବୋଲି । ୧୯୩୮ ନଭେମ୍ବରରେ ଜନ୍ମ । ତାଙ୍କ ତଳପୁଅ ଶ୍ରୀ ପ୍ରକାଶ ପଟ୍ଟନାୟକ, ଶ୍ରଦ୍ଧା ଦତ୍ତ ନାମ ଲୁଲୁ । ଶ୍ରଦ୍ଧେୟ ଲୁଲୁ (ପ୍ରକାଶ)ଙ୍କର ଜନ୍ମବେଳକୁ(୧୯୪୦ ଜୁନ୍‍ ୨୩) ପ୍ରାଣନାଥ ପଟ୍ଟନାୟକ ପୁରୀ ଜେଲରେ ବନ୍ଦୀ ଭାବରେ କାଳ କାଟୁଥିବା ବେଳେ, ପୁତ୍ର ଜନ୍ମର ସମ୍ବାଦ ପାଆନ୍ତି । ତୃତୀୟ ପୁତ୍ର ଭାରତ ବିଖ୍ୟାତ ଅର୍ଥନୀତିଜ୍ଞ ଶ୍ରୀ ପ୍ରଭାତ ପଟ୍ଟନାୟକ, ଡାକ ନାମ ଭୁଲୁ, ଜନ୍ମ ୧୯୪୫ ସେପ୍ଟେମ୍ବରରେ । ପ୍ରାରମ୍ଭରେ ଅକ୍ସଫୋର୍ଡ, କେମ୍ବ୍ରିଜ ଆଦି ବିଶ୍ଵବିଦ୍ୟାଳୟରେ ଅଧ୍ୟାପନା କଲାପରେ, ଜେ.ଏନ୍‍.ୟୁରେ ପ୍ରଫେସର ଭାବରେ ଯୋଗ ଦିଅନ୍ତି ଏବଂ ପରେ କେରଳ ସରକାରଙ୍କର ଅର୍ଥନୈତିକ ପରାମର୍ଶଦାତା ଭାବରେ କାର୍ଯ୍ୟରତ ଥିଲେ । ତାଙ୍କ ତଳପୁଅ ଶ୍ରୀ ପ୍ରଦୋଷ ପଟ୍ଟନାୟକଙ୍କର ଜନ୍ମ ୧୯୪୭ ମସିହା ଅକ୍ଟୋବର ମାସରେ । ଯିଏ ପିତା ପ୍ରାଣନାଥଙ୍କ ଛତ୍ରଛାୟା ତଳେ ବଢ଼ିଛନ୍ତି ଏବଂ ଓଡ଼ିଶାର ପ୍ରସିଦ୍ଧ ସାମ୍ବାଦିକ ତଥା ବାମପନ୍ଥୀ ନେତା । ରାଜ୍ୟ ପ୍ରାଣକେନ୍ଦ୍ର ଭୁବନେଶ୍ୱରର ବହୁ ଗଣସଙ୍ଗଠନ, ସାଂସ୍କୃତିକ ସଂଗଠନ ତଥା ପ୍ରାଣନାଥଙ୍କର ପ୍ରିୟ ପାର୍ଟି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସହିତ ଘନିଷ୍ଟ ଭାବରେ ସମ୍ପୃକ୍ତ । ତାଙ୍କ ଡାକ ନାମ କୁଲୁ । ବିଧାୟକ ପ୍ରାଣନାଥଙ୍କ ସହିତ ଖୋର୍ଦ୍ଧାର ବାଲ୍ୟକାଳ କଟାଇଛନ୍ତି ସେ । ପଞ୍ଚମ ପୁତ୍ର, ବିଶିଷ୍ଟ ରସାୟନ ବିଜ୍ଞାନୀ ଡକ୍ଟର ପ୍ରଦ୍ୟୋତ ପଟ୍ଟନାୟକ, ସ୍ୱାଧୀନତା ପରେ ୧୯୪୯ ସେପ୍ଟେମ୍ବରରେ ଜନ୍ମ । ସେତେବେଳକୁ ଜଟଣୀର ବାସଗୃହଟି ସରକାର ସିଲ୍‍ କରିଦେଇଥିବାରୁ ବାସୋପଯୋଗୀ ନଥିଲା । ଏଣୁ ପ୍ରାଣନାଥ ସରକାରୀ କ୍ଵାର୍ଟର ଭୁବନେଶ୍ଵରରେ ରହୁଥିଲେ । ପ୍ରଦ୍ୟୋତଙ୍କର ଜନ୍ମ ବେଳକୁ ପ୍ରାଣନାଥ କଂଗ୍ରେସୀ ସରକାରୀ ଜେଲରେ । ଷଷ୍ଠ ପୁତ୍ର ପଦୀପ୍ତ ଶ୍ରଦ୍ଧା ନାମ “ଦୀପୁ” ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ଖ୍ୟାତନାମା ଡାକ୍ତର ଏବଂ ସେଠାରେ ନାଗରିକତା ଗ୍ରହଣ କରିଥିଲେ । ଦୁର୍ଭାଗ୍ୟଜନକ ଭାବରେ, ଏ ଲେଖା ଲେଖିବା ଭିତରେ ଶ୍ରଦ୍ଧେୟ ପ୍ରଦୀପ୍ତ (ଦୀପୁ)ଙ୍କର ଆମେରିକାରେ ଅକାଳ ବିୟୋଗ ହୋଇଯାଇଛି

 

କୃଷ୍ଣମୋହନ ପଟ୍ଟନାୟକଙ୍କର ଜଣେ ବଶିଷ୍ଟ ବନ୍ଧୁ, ଓଡ଼ିଶାର ସ୍ଵନାମଧନ୍ୟ ନାଟକ, ରଙ୍ଗମଞ୍ଚ, ସଙ୍ଗୀତ କଳାଜଗତରେ ପ୍ରବାଦପୁରୁଷ କବିଚନ୍ଦ୍ର ନାଟ୍ୟାଚାର୍ଯ୍ୟ କାଳିଚରଣ ପଟ୍ଟନାୟକ, କୃଷ୍ଣମୋହନ, ପ୍ରାଣନାଥ ଓ ମଞ୍ଜରୀ ଦେବୀଙ୍କର ସ୍ମୃତିଚାରଣ କରି ଲେଖିଛନ୍ତି, “ସେ କୃଷ୍ଣମୋହନ ପଟ୍ଟନାୟକ । ଏ ନାଆଁ ସହିତ ମୋର କେତେଦିନୁ ପରିଚୟ ଥିଲା ନାନା ଭାବରେ । ଉତ୍କଳ ସମ୍ମିଳନୀର ଗୀତ ଲେଖକ କୃଷ୍ଣମୋହନ, ମାସିକ ପତ୍ରିକା “ମୁକୁର” ଗୀତଲେଖା ଏଇ କୃଷ୍ଣମୋହନଙ୍କର । କଲିକତା “ବନ୍ଦେ ମାତରମ୍‍” ଚହଳର ଜଣେ ନାମୀ କର୍ମୀ ଏଇ କୃଷ୍ଣମୋହନ ଆଜି ବି ଆଖିଆଗେ ନାଚି ଯାଉଛି ସେ ଚେହେରା - ହସଲଖା ମୁହଁ, ଭାବବୋଳା ଆଖି, ମହୁଭରା କଥା, ସୁସ୍ଥସବଳ ବପୁ, ସେ କୁଞ୍ଚୁକୁଞ୍ଚିଆ ବାଳ- ପାଖରେ ଠିଆ ହେଲାପରି ଲାଗୁଛି । “ମୋର ସେଇ ଚିର ଆକାଂକ୍ଷିତ ପ୍ରାଣର କୃଷ୍ଣମୋହନଙ୍କ ଜାମାତା ଥିଲେ ଆଧୁନିକ ଓଡ଼ିଶାର ଜଣେ ବିଖ୍ୟାତ ବିପ୍ଳବୀ, ପ୍ରଗତିବାଦୀ ନେତା ପ୍ରାଣନାଥ ପଟ୍ଟନାୟକ । କୃଷ୍ଣମୋହନଙ୍କ ଅଲିଅଳୀ କନ୍ୟା “ଖୁକୀ”(ମଞ୍ଜରୀ)କୁ ସେ ବିବାହ କରିଥିଲେ । ପିଲାଟି ଦିନରୁ ସୁଖ, ସମ୍ଭୋଗ ଭିତରେ ବଢ଼ିଥିଲେ ବି ମଞ୍ଜରୀ ଥିଲା ଖୁବ୍‍ ସ୍ଵାଧୀନା, ସାହସିନୀ ଆଉ ଜାତୀୟବାଦୀ । ଜମିଦାର ଘର ଝିଅ ହୋଇ ବି ସବୁ ପ୍ରକାର କୁସଂସ୍କାର, ଅନ୍ଧବିଶ୍ଵାସ ବିରୋଧରେ ଆଗୁଆ ହୋଇ ବାହାରୁଥିଲା - କିନ୍ତୁ ଜଣେ ଦେଶପାଗଳ ଆଦର୍ଶବାଦୀ ସ୍ଵାମୀର ହାତ ଧରିବା ପରେ ତା’ର ଜୀବନ ଯେ ଏତେ କଣ୍ଟକିତ, ସଂଘର୍ଷମୟ ହୋଇ ଉଠିବ, ସେକଥା ବୋଧହୁଏ କଳ୍ପନାରେ ସୁଦ୍ଧା ଭାବିନଥିବ ।” ଥରେ ନୁହେଁ, ଦୁଇଥର ନୁହେଁ, ଦଶ ଦଶଥର ସତ୍ୟାଗ୍ରହ ଆନ୍ଦୋଳନକରି ପ୍ରାଣନାଥ ବର୍ଷ ବର୍ଷ କାରାଗାରରେ କଟାଇବା ବେଳେ ଆଖିରେ ଭାସିଉଠେ ମଞ୍ଜରୀର ଦୟନୀୟ ଚିତ୍ର । କଟକରେ ଆମ ଦଳର ନାଟକ ପ୍ରଦର୍ଶନ ଚାଲିଥିବା ବେଳେ ଶୁଣିଲି - ବ୍ରିଟିଶ ପୁଲିସ ପ୍ରାଣନାଥଙ୍କୁ କଠିନ ରାଜଦ୍ରୋହ ମାମଲାରେ ଜଡ଼ିତ କରି ଗିରଫ କରିବା ସହିତ ଅନୁଗୁଳୁ ଜେଲ୍‍କୁ ପଠାଇ ଦେଇଛନ୍ତି ।” “ସାରା ଭାରତରେ ଜଣେ କଂଗ୍ରେସ ବିଧାୟକଙ୍କ ବିରୋଧରେ ରାଜଦ୍ରୋହ ଓ ଭାରତ ରକ୍ଷା ଆଇନ ଲାଗୁ କରାଯିବା ବୋଧହୁଏ ଏହା ପ୍ରଥମ । ସେତେବେଳେ ଏହି ଗିରଫଦାରୀକୁ ଜବାହାରଲାଲ, ଜୟପ୍ରକାଶ ନାରାୟଣଙ୍କ ଭଳି ନେତୃସ୍ଥାନୀୟ ବ୍ୟକ୍ତିମାନେ ନିନ୍ଦାକରି ଖବରକାଗଜରେ ବିବୃତି ଦେଇଥିବା ବିଷୟ ମନେପଡ଼ୁଛି । ଆଉଥରେ କାନରେ ବାଜିଲା ପୁଲିସ ପ୍ରାଣନାଥଙ୍କୁ ନିରାପତ୍ତା ବନ୍ଦୀରୂପେ ଘୋଷଣା କରି (୧୯୪୨ ଅଗଷ୍ଟ ବିପ୍ଲବ) ବ୍ରହ୍ମପୁର ଜେଲ୍‍କୁ ନେଇଛନ୍ତି । ତାଙ୍କ ଜଟଣୀ ଘରକୁ ସିଲ୍‍କରି, ମଞ୍ଜରୀ ଓ ତା’ର ଦୁଇଟି ଛୋଟ ଛୋଟ ଶିଶୁକୁ ବାହାର କରିଦେଇଛନ୍ତି । ମଞ୍ଜରୀର ସେ ସମୟର ଅବସ୍ଥା ଅନୁଭବୀ ବ୍ୟତୀତ ଆଉ କେହି ବିଶ୍ଵାସ କରିପାରିବେ ନାହିଁ । ତଥାପି ସେ ଭାଙ୍ଗିପଡ଼ିନଥିଲା, କିମ୍ବା ପୁଲିସର ନାଲି ଆଖିକୁ ତା’ର ତିଳେ ହେଲେ ଡର ନଥିଲା । ପ୍ରାଣନାଥ ଅଢ଼େଇବର୍ଷ ଜେଲରେ କଟାଇ ଯେଉଁଦିନ ଫେରିଲେ, ଘର ଖୋଲିଲା ବେଳକୁ ଛାତ ଭାଙ୍ଗି ପଡ଼ିଥିଲା । ନୂଆ ରାହାନେଇ ମୁଣ୍ଡ ଗୁଞ୍ଜିଥିଲେ ।

 

ବିବାହର ସର୍ବଶ୍ରେଷ୍ଠ ଆଶୀର୍ବାଣୀ ଓ ଉପହାର ସ୍ୱରୂପ ବିପ୍ଳବୀ ସଙ୍ଗୀତଜ୍ଞ କବି କୃଷ୍ଣମୋହନ ଦେଇଥିବା, କବିତା ଉପଢ଼ୌକନରେ ସମଗ୍ର ଭବିଷ୍ୟତ ଜୀବନର ପଥ ପ୍ରଦର୍ଶନ ଭାବରେ ବରକନ୍ୟା ପ୍ରାଣନାଥ ଓ ମଞ୍ଜରୀଙ୍କ ପାଇଁ ଯେଉଁ ଅମ୍ଳାନ ବାଣୀ “କର୍ମ ମାତ୍ର ଧର୍ମ କର୍ମ ହିଁ ଜୀବନ; କର୍ମକୁ ନବାନ୍ଧେ ଜନ୍ମ ବା ମରଣ”, ଆଜୀବନ ଉଭୟଙ୍କୁ ଆଲୋକବର୍ତ୍ତିକା ପରି ପଥପ୍ରଦର୍ଶନ କରିଛି ।

 

ଷଷ୍ଠ ଅଧ୍ୟାୟ

ଖୋରଧାରୁ ଲାଟସଭାକୁ ନିର୍ବାଚନରେ ପ୍ରାଣନାଥଙ୍କର ବିପୁଳ ବିଜୟ !

 

ଖୋରଧାର ଶତ-ସରଦାର ଶିର କର ଉନ୍ନତତର :

ଖୋରଧା ଥିଲା ଇଂରେଜ ଶାସନର ଖାସ୍‍ମାହାଲ ବା ହସ୍ତମୁଦି ମାହାଲ, ପ୍ରତ୍ୟକ୍ଷ ଶାସନାଧୀନ । ଅନ୍ୟ ଅଞ୍ଚଳମାନଙ୍କରେ ରଜା, ଜମିଦାର ମାଧ୍ୟମରେ ଶାସନ ପରୋକ୍ଷରେ ଇଂରେଜମାନେ ଚଳାନ୍ତି । ଖୋର୍ଦ୍ଧାରେ କିନ୍ତୁ ସିଧାସଳଖ । ସେଇଥିପାଇଁ ସରକାରୀ ଖାତାପତ୍ରରେ ଖୋରଧା ଜିଲ୍ଲା/ପରବର୍ତ୍ତୀ କାଳରେ ସବ୍‍ଡିଭିଜନକୁ କୁହାଯାଉଥିଲା ଖାସ୍‍ମାହାଲ । ସରବରାକାରମାନେ ଗାଁରେ ସରକାରଙ୍କର ଶାସନର ପ୍ରତୀକ ବା ମେରୁଖୁଣ୍ଟି ଥିଲେ । ଆଉ ତାଙ୍କ ପରେ ଖୋର୍ଦ୍ଧା ଏସ୍‍.ଡି .ଓ. ସ୍ୱୟଂ । ସେ ଥିଲେ ଶାସନର ସର୍ବାଧିପତି ଓ ହର୍ତ୍ତାକର୍ତ୍ତା ଦୈବ ବିଧାତା-। ଦୀର୍ଘଦିନ ଧରି ଅତ୍ୟାଚାର ଜର୍ଜରିତ ମଣିଷମାନେ ଏପରି ଭୟଭୀତ ଓ କାତର ହୋଇ ରହିଥିଲେ ଯେ, ଲୋକେ ଏସ୍‍.ଡି .ଓଙ୍କ ଯିବା ବାଟରେ ଯାଉନଥିଲେ, ବାଟ ଭାଙ୍ଗି ଅନ୍ୟ ଗଳିବାଟରେ, କନ୍ଦି ବିକନ୍ଦି ବାଟରେ ଚାଲିଯାଉଥିଲେ

 

୧୮୧୫/୧୭ର ପାଇକ ବିଦ୍ରୋହ ପରେ, ବିଶେଷ ଭାବରେ ବକ୍ସି ଜବବନ୍ଧୁ ଗୃହବନ୍ଦୀ ହୋଇ ବକ୍ସିବଜାରରେ ରହିଲା ପରେ, ମୁକୁନ୍ଦଦେବ ସନ୍ଧିକରି ବସିଲା ପରେ, ବ୍ରିଟିଶ ଶାସନ ସର୍ବାଗ୍ରେ ଉଦ୍ୟମ କରିଥିଲା ଖୋର୍ଦ୍ଧାର ପାଇକବୀର ସେନାନୀ, ଯେଉଁମାନେ ମଧ୍ୟ କୃଷକ, ସେମାନଙ୍କର ମେରୁଦଣ୍ଡ ଭାଙ୍ଗିଦେବା ପାଇଁ । ଖୋର୍ଦ୍ଧା ସରଜମିନ୍‍/ସରହଦ ଭିତରେ କୌଣସି ସଭା, ସମିତି, ଜମାଏତ ଆଇନକରି ନିଷିଦ୍ଧ କରାଯାଇଥିଲା - ସେହିପରି ନିଷିଦ୍ଧ କରାଯାଇଥିଲା ବେଣ୍ଟ ସହିତ ଛଅଇଞ୍ଚରୁ, ଅଧିକ ବଡ଼/ଲମ୍ବ ଛୁରୀ ବା ଖଣ୍ଡା ରଖିବା ଅପରାଧ ବୋଲି ଏବଂ ସେସବୁ ଅସ୍ତ୍ର ରାସ୍ତାରେ ଧରିଯିବା ଦଣ୍ଡନୀୟ ଥିଲା - ନିଷିଦ୍ଧ ଥିଲା । ଗାଁ ଗାଁରେ ଘରେ ଘରେ ତୀକ୍ଷ୍ଣଧାର ତରବାରୀ, ଖଡ୍ଗ, ତୀକ୍ଷ୍ଣଧାର ବର୍ଚ୍ଛା, ଭାଲ, ଧନୁତୀର, କଟାରୀ ଆଦି ସବୁ ପାଇକମାନେ ଆଟୁରେ, ବାରିପନ୍ଦାରେ, ପୋଖରୀରେ, ଛଣଗଦାରେ ଲୁଚେଇ ପକେଇଥିଲେ । କାଳେ ଗୋରା ପଲଟଣ ଆସି ଖୋଜି ବାହାର କରି ଦଣ୍ଡଦେବେ ! ଇଏ କେବଳ କାହାଣୀ ନୁହେଁ - ଖୋର୍ଦ୍ଧାର ଗାଁ ଗାଁରେ ବୁଲି, ଐତିହାସିକ ଅସ୍ତ୍ରଶସ୍ତ୍ରମାନଙ୍କର ରୂପ ଖୋଜିବା ପାଇଁ ଲେଖକ ନିଜେ ଉଦ୍ୟମ କରୁଥିବାବେଳେ ବର୍ଣ୍ଣିତ ସମୟର ବହୁକାଳ ପରେ ମଧ୍ୟ ବହୁ ଛଣଗଦାରୁ ଆଟୁ ସନ୍ଧିରୁ କଳଙ୍କିଲଗା ଶାଣିତ ଖଡ୍ଗ, କଳଙ୍କି ଲଗା ତରବାରୀ, ଭାଲ, ବର୍ଚ୍ଛା ଆଦିର ସନ୍ଧାନ ପାଇଥିଲା ।

 

ଗୋଟିଏ ବୀର, ଦୁଃସାହସୀ ଜାତିର ଅସ୍ଥିମଜ୍ଜାଗତ ବୀରତ୍ୱ ଶୌର୍ଯ୍ୟକୁ ଖଣ୍ଡବିଖଣ୍ଡିତ ହୀନପ୍ରଭ କରିଦେବା ପାଇଁ ଯେପରି ଏକ ପକ୍ଷରେ “ନିମକହାରାମୀ ଜାଗିରି”, “ଆନୁଗତ୍ୟ ଜାଗିରି”, ଆଦି ଦଲାଲମାନଙ୍କୁ ଦିଆଯାଇଥିଲା, ଏକଶ୍ରେଣୀର ମଣିଷଙ୍କୁ ଯେପରି ହିନବୀର୍ଯ୍ୟ କରିଦେଉଥିଲେ, ସେହିପରି ପ୍ରଚଣ୍ଡ ଅତ୍ୟାଚାର, ଦଣ୍ଡବିଧାନ, ନିପୀଡ଼ନ ଦ୍ୱାରା ବୀର ଜାତିଟାକୁ ଶତାବ୍ଦୀ ଧରି ନିର୍ବେଦ, ନିର୍ବାକ୍‍, ନିଶ୍ଚଳ କରି ରଖିଯାଇଥିଲା । ଜାତିଟାର ଧମନୀର ପ୍ରବାହ ସତେଯେପରି ନିସ୍ପନ୍ଦ ହୋଇଯାଇଥିଲା

 

ପ୍ରାଣନାଥ ଏବଂ ତାଙ୍କର ସମଯୋଦ୍ଧା ସାଥୀ ଗଣ, ଓଡ଼ିଶାର ଶାସନ କେନ୍ଦ୍ର, ଭୌଗୋଳିକ ଭାବରେ କେନ୍ଦ୍ର ଖୋର୍ଦ୍ଧାରେ ଯୁଗ ଯୁଗବ୍ୟାପୀ ଅତ୍ୟାଚାର-ନିପୀଡ଼ନ ଜନିତ ଜଡ଼ତା ନିଶ୍ଚେଷ୍ଟତାକୁ ନିର୍ବେଦ ମାନସିକତାକୁ ଯେପରି ଏକ ପ୍ରଚଣ୍ଡ ଧକ୍କାରେ ପରିବର୍ତ୍ତିତ କରିଦେଇ ସେମାନଙ୍କ ଭିତରେ ନବଜାଗୃତି ଆଣିଦେଇଥିଲେ, ସମ୍ଭବତଃ ତାହା ହିଁ ତାଙ୍କର ପ୍ରଦେଶ ପ୍ରତି, ଖୋର୍ଦ୍ଧା ପ୍ରତି, ସବୁଠାରୁ ଉଲ୍ଲେଖଯୋଗ୍ୟ ଅବଦାନ । ସର୍ବଶ୍ରେଷ୍ଠ ଦାନ ।

 

୧୯୩୫ ମସିହା ଭାରତ ଶାସନ (ଖସଡ଼ା) ଆଇନ ଅନୁସାରେ, ଭାରତର ପ୍ରଦେଶମାନଙ୍କୁ କେତେକାଂଶରେ ସ୍ୱାୟତ୍ତଶାସନ ଅଧିକାର ମିଳିଲା ଏବଂ ୧୯୩୬ ଏପ୍ରିଲ ପହିଲା ଦିନ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ବା ସ୍ୱୀକୃତି ପାଇଲା ପରେ, ୧୯୩୫ ଶାସନ ଆଇନ ଧାରା ଅନୁସରଣରେ ସୀମିତ କ୍ଷମତା ନେଇ ନିର୍ବାଚିତ ୬୦ ଜଣ ସଦସ୍ୟଙ୍କୁ ନେଇ ଲାଟସଭା ଗଠିତ ହେବ ବୋଲି ନିର୍ଦ୍ଧାରିତ ହେଲା ।

 

ସେହି ସୀମିତ ସ୍ଵାଧୀନତା ପାଇବାର ଶାସନ ଖସଡ଼ାରେ ଆହୁରି ଗୋଟିଏ ଭୟଙ୍କର ଧାରା ଥିଲା ଯେ, ପ୍ରାଦେଶିକ ଗଭର୍ଣ୍ଣରମାନଙ୍କୁ ଭିଟୋ କ୍ଷମତା ପ୍ରଦାନ କରାଯାଇଥିଲା-ଯେଉଁ ଭିଟୋ ବଳରେ ସଂଖ୍ୟାଗରିଷ୍ଠ ଜନପ୍ରତିନିଧିମାନଙ୍କ ଦ୍ୱାରା ଯେ କୌଣସି ବିଲ୍‍ ବା ପ୍ରସ୍ତାବକୁ ଗଭର୍ଣ୍ଣର ଅକାମୀ କରିଦେଇପାରିବେ !

 

ଏହି ସୀମିତ କ୍ଷମତା ପାଇଁ ନିର୍ବାଚନରେ ମଧ୍ୟ କଂଗ୍ରେସ ଏବଂ କଂଗ୍ରେସ ଭିତରେ ଓଡ଼ିଶାରେ ବୃଦ୍ଧି ପାଉଥିବା ବାମପନ୍ଥୀ ଚିନ୍ତନର ସମାଜବାଦୀ କଂଗ୍ରେସ ଦଳ ବିପୁଳ ସଂଖ୍ୟା ଗରିଷ୍ଠତାରେ ବିଜୟ ଲାଭ କଲେ । ଖୋର୍ଦ୍ଧାରୁ ପ୍ରାଣନାଥ, ତିର୍ତ୍ତୋଲରୁ ନବକୃଷ୍ଣ ଚୌଧୁରୀ, ଗଞ୍ଜାମରୁ ଗୋବିନ୍ଦ ପ୍ରଧାନ, ନିମାପଡ଼ା/ପୁରୀରୁ ମୋହନ ଦାସ ଆଦି ନିର୍ବାଚିତ ହେଲେ । ୧୯୩୭ ମସିହା ମାର୍ଚ୍ଚ ୨୭ ତାରିଖରେ ତତ୍କାଳୀନ ଗଭର୍ଣ୍ଣର ମନ୍ତ୍ରୀମଣ୍ଡଳ ଗଠନ କରିବାକୁ ନିର୍ବାଚିତ ନେତା ବିଶ୍ୱନାଥ ଦାଶଙ୍କୁ ଆମନ୍ତ୍ରଣ ଜଣାଇଲେ ମଧ୍ୟ, ବ୍ରିଟିଶ ଶାସନ ଗଭର୍ଣ୍ଣରଙ୍କ ଭିଟୋ ପ୍ରୟୋଗ କ୍ଷମତା ପ୍ରତ୍ୟାହାର କରିବାକୁ ପ୍ରତିଶୃତି ନପାଇଲେ ମନ୍ତ୍ରୀମଣ୍ଡଳ ଗଢ଼ିବେ ନାହିଁ ବୋଲି ପ୍ରତ୍ୟାଖ୍ୟାନ କରାଗଲା-ତେଣୁ କଂଗ୍ରେସ ବଦଳରେ ପାରଳାଖେମୁଣ୍ଡିର ରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କର ପ୍ରଧାନମନ୍ତ୍ରୀତ୍ୱରେ ପ୍ରଥମ ମନ୍ତ୍ରୀମଣ୍ଡଳ ଗଠନ କରାଗଲା । ପାରଳା ମହାରାଜା ବ୍ରିଟିଶ ସରକାରଙ୍କ ପ୍ରତି ଅନୁଗତ ଏବଂ କଂଗ୍ରେସର ବିରୋଧୀ ଥିଲେ-ମାତ୍ର ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦିଗରେ କୃଷ୍ଣଚନ୍ଦ୍ର ଗଜପତିଙ୍କର ଯଥେଷ୍ଟ ଅବଦାନ ଥିଲା । ଗଜପତି କୃଷ୍ଣଚନ୍ଦ୍ର ନାରାୟଣ ଦେବ, ପାରଳାଖେମୁଣ୍ଡି ମହାରାଜଙ୍କର ପ୍ରଧାନମନ୍ତ୍ରୀତ୍ୱରେ ୧୯୩୭ ଏପ୍ରିଲ ପହିଲା ଦିନ ବା ଅଲ୍‍ ଫୁଲ୍ସ ଡେ ଦିନ ସ୍ୱତନ୍ତ୍ର ଉତ୍କଳଦେଶ ଗଠିତ ହେବାର ଠିକ୍‍ ବର୍ଷକ ପରେ ସରକାର ଗଠିତ ହେଲା । ସେତେବେଳେ ପ୍ରାଦେଶିକ ସରକାରର ମୁଖ୍ୟଙ୍କୁ ପ୍ରଧାନମନ୍ତ୍ରୀ କୁହାଯାଉଥିଲା । ପ୍ରଧାନମନ୍ତ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ମନ୍ତ୍ରୀମଣ୍ଡଳରେ ବିଶିଷ୍ଟ ଆଇନଜ୍ଞ ଗୋରାଚାନ୍ଦ ପଟ୍ଟନାୟକ ରାଜସ୍ୱ ମନ୍ତ୍ରୀ ଏବଂ ଶ୍ରୀ ଲତିଫୁର ରହମନ୍‍ ଶିକ୍ଷାମନ୍ତ୍ରୀ ରୂପେ ଦାୟିତ୍ୱ ଗ୍ରହଣ କଲେ । ପାରଳା ମହାରାଜ କୃଷ୍ଣଚନ୍ଦ୍ର ଗଜପତିଙ୍କ ନେତୃତ୍ୱରେ ଗଠିତ ସରକାର ସଂଖ୍ୟା ଗରିଷ୍ଠ ନଥିଲେ-ଅପର ପକ୍ଷରେ କଂଗ୍ରେସ ଦଳର ବିପୁଳ ସଂଖ୍ୟ। ଗରିଷ୍ଠତା ଥିଲା । ସଂଖ୍ୟା ଗରିଷ୍ଠତା ଅଭାବରେ ଗଜପତି କୃଷ୍ଣଚନ୍ଦ୍ର ମନ୍ତ୍ରୀମଣ୍ଡଳ ବିଧାନସଭାର ସମ୍ମୁଖୀନ ହେବାକୁ ଭୟଭୀତ ଥିଲେ ଏବଂ କୌଣସି ବୈଧାନିକ ନିଷ୍ପତ୍ତି ନେଇ ନପାରିବା କାରଣରୁ କୌଣସି ବୈଧାନିକ କାର୍ଯ୍ୟ ସମ୍ପନ୍ନ କରିବା ଅସମ୍ଭବ ଥିଲା । ଏଣୁ ପାରଳା ମହାରାଜଙ୍କ ମନ୍ତ୍ରୀମଣ୍ଡଳ ଇସ୍ତଫା ଦେବାକୁ ବାଧ୍ୟ ହେଲା ।

 

ମାତ୍ର ନୂତନ ଓଡ଼ିଶାର ମନ୍ତ୍ରୀମଣ୍ଡଳ ଗଠନ ପୂର୍ବର କଥା । ବ୍ରିଟିଶ ସରକାର ୧୯୩୫ ମସିହା ଶାସନ ଖସଡ଼ା ବଳରେ ସୀମିତ କ୍ଷମତା ବା ଲିମିଟେଡ୍‍ ଫ୍ରାଞ୍ଚାଇଜ ଦେଇ ଯେଉଁ ନିର୍ବାଚନ କରାଇବାକୁ ଘୋଷଣା କଲେ, ସେ ନିର୍ବାଚନରେ କଂଗ୍ରେସ ଭାଗନେବାକୁ ସ୍ଥିର କଲା । ଓଡ଼ିଶା ଆସେମ୍ବ୍ଲି ପାଇଁ ଯେଉଁ ୬୦ଟି ସ୍ଥାନରେ ନିର୍ବାଚନ ହେବାର ସ୍ଥିର ହେଲା, ସେଥିରୁ ଗୋଟିଏ ହେଲା ଖୋର୍ଦ୍ଧା । ଯାହା ଖୋର୍ଦ୍ଧା, ଜଟଣୀ, ଚନ୍ଦକା ଓ ଭୁବନେଶ୍ୱରକୁ ନେଇ ଗଠିତ ।

 

କଂଗ୍ରେସ କମିଟିରେ ମଧ୍ୟ ବହୁ ବାଧା ପ୍ରତିବନ୍ଧକ ଆସିଲା ପ୍ରାଣନାଥ ପଟ୍ଟନାୟକଙ୍କୁ ପାର୍ଥୀ କରାଇବାକୁ । ପଣ୍ଡିତ ଗୋଦାବରୀଶ ମିଶ୍ର ଚାହୁଁଥିଲେ ସ୍ୱାମୀ ବିଚିତ୍ରାନନ୍ଦ ଦାସଙ୍କୁ ଛିଡ଼ା କରାଇବାକୁ । ଇଂରେଜ ସରକାର ତ ସିଧାସଳଖ ପାର୍ଥୀ ଛିଡ଼ା କରାଇପାରିବେ ନାହିଁ, ତେଣୁ କନିକା ରାଜାଙ୍କ ପକ୍ଷରୁ ପୁରୀର ନାମଜାଦା ଓକିଲ ବ୍ରହ୍ମାନନ୍ଦ ମହାନ୍ତି ଛିଡ଼ା ହେଲେ । ପାରଳା ମହାରାଜା ମଧ୍ୟ ତାଙ୍କର ମନୋନୀତ ପ୍ରାର୍ଥୀ ମଧୁସୂଦନ ମହାନ୍ତିକୁ ଠିଆ କରାଇଲେ ।

 

ଖୋର୍ଦ୍ଧାରେ ରହି ନିର୍ବାଚନ ପ୍ରଚାର କରିବା ଦୁଃସାଧ୍ୟ ଥିଲା । କାରଣ ପୂର୍ବରୁ ଉଲ୍ଲେଖ କରିଛି ଖୋର୍ଦ୍ଧା ବ୍ରିଟିଶ ଶାସନର ହସ୍ତମୁଦି ମାହାଲ ତ ଥିଲା ; ଲୋକେ ବ୍ରିଟିଶ ଶାସନର ପ୍ରତୀକ ଏସ୍‍.ଡି.ଓ ଙ୍କୁ ପ୍ରାଣାନ୍ତକ ଭୟ କରୁଥିଲେ ।

 

ଖୋର୍ଦ୍ଧାରେ ପ୍ରାଣନାଥଙ୍କର ନିର୍ବାଚନ ପ୍ରଚାରର ମୁଖ୍ୟ କାରପଟଦାର ଗୋକୁଳ ମୋହନ ରାୟଚୁଡ଼ାମଣି ଲେଖିଛନ୍ତି - “ସରବରାକାରମାନେ ଥିଲେ ଗାଁ ମାନଙ୍କରେ ସରକାରଙ୍କର ଖୁଣ୍ଟି ଆଉ ଏସ୍‍.ଡି.ଓ ଥିଲେ ହର୍ତ୍ତା, କର୍ତ୍ତା, ବିଧାତା । ଲୋକଙ୍କ ଭିତରେ ଥିଲା କୋକୁଆ ଭୟ । ପାଇକ ବିଦ୍ରୋହ ପରେ ପାଇକମାନଙ୍କର, ଖୋର୍ଦ୍ଧା ଚାଷୀଙ୍କର ମେରୁଦଣ୍ଡ ଭାଙ୍ଗି ଚୂନା କରି ଦିଆଯାଇଥିଲା । ଗୋପବନ୍ଧୁ ଦାସଙ୍କ ଗିରଫଦାରୀ ପରେ ୧୯୨୨ ଠାରୁ ସେଭଳି ବଡ଼ ଧରଣର ସଭା ଆଉ ଖୋର୍ଦ୍ଧାରେ ହୋଇନଥିଲା । ରାଧାଚରଣ ଦାସ ଏସ୍‍.ଡି.ଓ ଥିଲେ । ଲୋକେ ତାଙ୍କୁ ଏତେ ଡରୁଥିଲେ ଯେ, ଖୋର୍ଦ୍ଧା ବ୍ୟାଙ୍କ ଛକରେ (ଏବେ ଯେଉଁଠି ପ୍ରାଣନାଥଙ୍କର ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଦଣ୍ତାୟମାନ ହୋଇଛି) ଏସ୍‍.ଡି.ଓ. ଠିଆ ହୋଇଥିଲେ, ଲୋକେ ସେ ବାଟରେ ଯାଉନଥିଲେ ।

 

ସେ ସମୟର ଖୋର୍ଦ୍ଧାର ସ୍ଥିତି କଥା, ଗୋକୁଳମୋହନ ରାୟଚୁଡ଼ାମଣି ତାଙ୍କର ଅନ୍ୟ ଏକ ପୁସ୍ତକ, “ରକ୍ତସିକ୍ତ ଖୋର୍ଦ୍ଧା ମାଟିରେ ସଂଗ୍ରାମ,” ପୁସ୍ତକରେ ବିଶଦ ଭାବରେ ବର୍ଣ୍ଣନା କରି ଲେଖିଛନ୍ତି, “ଖୋରଧା ଲୋକଙ୍କର ଇଂରେଜ ସରକାରଙ୍କ ଏସ୍‍.ଡି.ଓ.ଙ୍କୁ କୋକୁଆ ଭୟ, ପୋଲିସର ନାଁ ଶୁଣିଲେ ପୋଖରୀ ଛୁଆଁ । ତେଣୁ ଆମକୁ (ପ୍ରାଣନାଥ ଓ ଗୋକୁଳମୋହନ) ରହିବା ପାଇଁ ବସା ଖଣ୍ଡେ ମିଳିଲା ନାହିଁ । ବସଷ୍ଟାଣ୍ଡ ପାଖରେ (ପୁରୁଣା ବସଷ୍ଟାଣ୍ଡ ଖୋର୍ଦ୍ଧା କ୍ଲବକୁ ଲାଗି ଏବଂ ଯେଉଁଠାରେ “ପ୍ରିୟା” ସିନେମା ହଲ ଛିଡ଼ା ହୋଇଛି) ଉଦୟନାଥ ମହାନ୍ତିଙ୍କର ଦୋକାନ ପିଣ୍ଡା ହେଲା ଆମର ଆଶ୍ରୟସ୍ଥଳୀ ଏବଂ ଖାଇବା ଯେନ ତେନ ପ୍ରକାରେଣ । ମଧୁବାବୁ ଏବଂ ଗୋପବନ୍ଧୁ ଦାସଙ୍କ ପ୍ରତି ଉଦୟନାଥ ମହାନ୍ତିଙ୍କ ଅଗାଧଭକ୍ତି ଏବଂ କଂଗ୍ରସ ପ୍ରତି ତାଙ୍କର ଗଭୀର ସହାନୁଭୂତି । ସେଥିପାଇଁ ଉଦୟନାଥ ବାବୁ ତାଙ୍କ ଦୋକାନ ପିଣ୍ଡାରେ ଆଶ୍ରୟ ଦେବାକୁ ଆମକୁ ଗୋପନରେ ଜଣାଇଦେଲେ ଏବଂ ପୋଲିସ ତାଙ୍କୁ ପଚାରିବାରୁ ସେ ଉତ୍ତର ଦେଲେ,ମୁଁ ଦୋକାନ ଦେଇଛି, ଦୋକାନରେ ଖରିଦଦାର ଆସିବେ, ଆଉ ରାତିରେ କେତେ ଭିକାରୀ ଆସି ଶୋଉଛନ୍ତି, ମୁଁ କ’ଣ ତାଙ୍କୁ ରାତିରେ ଜଗିଛି

 

ଗୋକୁଳମାହନ ରାୟଚୂଡ଼ାମଣି ପୁନଶ୍ଚ ଲେଖିଛନ୍ତି ଯେ, ତା’ଛଡ଼ା ମୁଁ (ଗୋକୁଳ ମୋହନ) ଓ ପ୍ରାଣନାଥ ବାବୁ ତ ଖୋର୍ଦ୍ଧାରେ ସଦାବେଳେ ରହୁନଥିଲୁ । ପାଦରେ ଚାଲିଚାଲି ଗାଁକୁ ଗାଁ ବୁଲୁଥିଲୁ-ସାଙ୍ଗରେ ମୁଢ଼ି, ନଡ଼ିଆ ଧରିଥାଉ । ଖରାବେଳେ ସେଥିରୁ ଖାଇଦେଉ । ଆଉ କେଉଁଠି କେଉଁ ଗାଁରେ ଭାତ ମଧ୍ୟ ମିଳିଯାଉଥିଲା । ଗାଁ ମାନଙ୍କରେ ସଭା କରୁଥିଲୁ ।

 

ପ୍ରାଣନାଥ ନିଜେ ବର୍ଣ୍ଣନା କରିଛନ୍ତି ଖୋର୍ଦ୍ଧା ଚାନ୍ଦମାରୀ ପଡ଼ିଆରେ ୧୯୩୭ ମସିହା ସେପ୍ଟେମ୍ବର ୧୫ ତାରିଖରେ ଏକ ବିରାଟ କୃଷକ ସମ୍ମିଳନୀ ବା ସଭା ସଙ୍ଗଠିତ କରାଇବା ସମ୍ପର୍କରେ । ପ୍ରାଣନାଥଙ୍କର ସ୍ୱହସ୍ତ ଲିଖିତ ସମ୍ଭବତଃ ନିର୍ବାଚନ ପାଇଁ ଲିଖିତ ଏକ ଲିଫଲେଟର ଅଂଶ ବିଶେଷ । ତାଙ୍କ ହସ୍ତାକ୍ଷରରେ ଲେଖାଟି ଏଠାରେ ଉଦ୍ଧାର କରୁଛି । “ସେତେବେଳେ ବ୍ରିଟିଶ ସରକାରର ଭୟରେ ଖୋର୍ଦ୍ଧାରେ ସଭା-ସମିତି କରିବା ପାଇଁ ଇଞ୍ଚେ ଜାଗା ବି ମିଳୁନଥିଲା ଓ ପୋଲିସର ବିନାନୁମତିରେ ସଭା ସମିତି କରିବା ମନା ଥିଲା । ନାନା କୌଶଳ ପ୍ରୟୋଗ କରି ୧୯୩୬ ସେପ୍ଟେମ୍ବର ୧୫ ତାରିଖରେ ଖୋର୍ଦ୍ଧା ଚାନ୍ଦମାରୀ ପଡ଼ିଆରେ ଆଠ ହଜାର ଲୋକଙ୍କର ଗୋଟିଏ ବିରାଟ କୃଷକ ସମ୍ମିଳନୀ ଗଢ଼ି ତୋଳିବା କଥା ଅନେକଙ୍କର ସ୍ମରଣ ଥିବ । ଏହା ହିଁ ଖୋର୍ଦ୍ଧାରେ, ବ୍ରିଟିଶ ସରକାର ଛାତି ଉପରେ ସର୍ବପ୍ରଥମ ଏବଂ ଏ ପର୍ଯ୍ୟନ୍ତ ସର୍ବ ବୃହତ ସଙ୍ଗଠିତ ଜନସମାବେଶ ।”

 

(ଲିଫ୍‍ଲେଟର ଏକାଂଶର ଜେରକ୍ସ କପି)

 

ପ୍ରାଣନାଥ ପଟ୍ଟନାୟକ ଲେଖକଙ୍କୁ ବହୁବାର କହିଥିଲେ ଯେ, ନିର୍ବାଚନରେ ଛିଡ଼ା ହେବାକୁ ବାହାରିଲା ବେଳକୁ ତାଙ୍କ ପାଖରେ ସର୍ବମୋଟ ପାଣ୍ଠି ଥିଲା ପାଞ୍ଚଅଣା ବା ଏବର ୩୫ ପଇସା ମାତ୍ର । ଏକଥା ଗୋକୁଳ ମୋହନ ରାୟଚୁଡ଼ାମଣି ମଧ୍ୟ ଲେଖିଛନ୍ତି ଓ କହିଛନ୍ତି । ଉପରୋକ୍ତ ଚାନ୍ଦମାରୀ ପଡ଼ିଆରେ ସଭାଟିଏ କରିବା ପାଇଁ ଦୁଇଟଙ୍କା ଆଠଣା ବ୍ୟୟକରି ଏକହଜାର ଲିଫଲେଟ ହଳଦିଆ କାଗଜରେ ଛପାଇଥିଲେ । ସେହି ପ୍ରଚାରପତ୍ର ଧରି ପ୍ରାଣନାଥ ଏବଂ ତାଙ୍କ ସାଥି ଗୋକୁଳମୋହନ -“କେବଳ ଖୋର୍ଦ୍ଧାଥାନା ନୁହେଁ, ଚନ୍ଦକା, ଜଟଣୀ, ଭୁବନେଶ୍ୱର ଗ୍ରାମମାନଙ୍କୁ ମଧ୍ୟ ଯାଇ, ଏହି ସଭା ପାଇଁ ଓ ପ୍ରାଣନାଥ ବାବୁଙ୍କୁ (କଂଗ୍ରେସକୁ) ଭୋଟ ଦେବା ପାଇଁ ବୁଝାଉଥିଲେ ।”
 

ନିର୍ବାଚନ ପ୍ରଚାର ପାଇଁ ସଜବାଜ ହେଲାବେଳେ ତ ଆଉ ଉଦୟନାଥ ମହାନ୍ତିଙ୍କ ଦୋକାନ ବାରଣ୍ଡାରେ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କ ଅଫିସ କରିବା ସମ୍ଭବ ନଥିଲା । ରାଧାବଲ୍ଲଭ ସାହିରେ କୃଷ୍ଣଚନ୍ଦ୍ର ଲାଲା ମହାଶୟ ନିର୍ବାଚନ ଶେଷ ପର୍ଯ୍ୟନ୍ତ ଦେଢ଼ ବା ଅଢ଼େଇ ଟଙ୍କାରେ ଭଙ୍ଗା ଦଦରା ଘରଟିଏ ଭଡ଼ାରେ ଦେଲେ - ସେଇ ହେଲା ନିର୍ବାଚନ ଅଫିସ ଏବଂ ସେହିଠାରେ ପ୍ରାଣନାଥ/ଗୋକୁଳମୋହନ ଏବଂ ନିର୍ବାଚନ ପ୍ରଚାର କରିବାକୁ ଆସୁଥିବା ଗୁରୁଚରଣ ପଟ୍ଟନାୟକ, ଅନନ୍ତ ପଟ୍ଟନାୟକ, ରଣପୁରର ଗଙ୍ଗାଧର ମିଶ୍ର, ବୋଲଗଡ଼ର ପର୍ଶୁରାମ ପଦାତିକ ରାୟ, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ଦାମୋଦର ମିଶ୍ର, ଓଳସିଂର ଲକ୍ଷ୍ମଣ ପଟ୍ଟନାୟକ, ରଘୁନାଥ ପଟ୍ଟନାୟକ ଇତ୍ୟାଦି କର୍ମୀ/ନେତାମାନେ ମଧ୍ୟ ଆସିଲେ ।

 

ନିର୍ବାଚନରେ ବଳିଷ୍ଠ ସହଯୋଗ ମିଳିଲା, ଓଳସିଂର ରଘୁନାଥ ପଟ୍ଟନାୟକ, ଲକ୍ଷ୍ମଣ ପଟ୍ଟନାୟକ (ପରବର୍ତ୍ତୀ କାଳରେ ବିଖ୍ୟାତ କମ୍ୟୁନିଷ୍ଟ ନେତା ଉଭୟେ) ନରଣଗଡ଼ର ଦଳବେହେରା ବଂଶର ରଘୁନାଥ, କାଳୀଚରଣ ଜଗଦେବ, ଚନ୍ଦକାର ଦାମୋଦର ମିଶ୍ର, ବ୍ରଜ ମହାନ୍ତି, ଅନନ୍ତ ଡେଙ୍ଗ, ଉପେନ୍ଦ୍ରନାଥ ଦାଶ, ଭୁବନେଶ୍ୱରର ରଘୁନାଥ ମହାପାତ୍ର ତଥା ସେତେବେଳର ଅଧିକାଂଶ ଯୁବକ ।

 

ଏହି ନିର୍ବାଚନ ପୂର୍ବରୁ ଖୋର୍ଦ୍ଧା ଅଞ୍ଚଳରେ ବ୍ରିଟିଶ ସରକାର ତଥା ବିଶେଷ ଭାବରେ ଏସ୍.ଡି.ଓଙ୍କ ଭୟରେ ସଭାସମିତି ୧୯୨୨ ପରେ ହୋଇନଥିଲା । ପ୍ରଥମ ସଭାଟି ଚାନ୍ଦମାରୀ ପଡ଼ିଆରେ ହେବାକୁ ଗଲାବେଳେ ତତ୍‍କାଳୀନ ଏସ୍‍.ଡି.ଓ ରାଧାଚରଣ ଦାସଙ୍କ ଠାରୁ ଡାକରା ଆସିଲା । ପ୍ରାଣନାଥ ଓ ଗୋକୁଳମୋହନ ତଲବ ପାଇ ପହଞ୍ଚିଲା ପରେ ଏସ୍‍.ଡି.ଓ ଧମକାଣ ଦେଇ କହିଥିଲେ, “ତମେମାନେ ମୋ’ ବିନାନୁମତିରେ ସଭା କରିପାରିବ ନାହିଁ, ସଭା ବନ୍ଦ କରିଦିଅ-

 

ପ୍ରାଣନାଥ ତାଙ୍କୁ କହିଲେ, “ଏ ଦେଶ, ଏ ମାଟି ଆମର -ଏ ମାଟି ଉପରେ ଆମ କଥା କହିବା ପାଇଁ କାହାର ଅନୁମତି ନେବୁ ନାହିଁ ।” ଗୋକୁଳମୋହନ କହିଲେ, “ଆମ କଥା ଆମ ସଭାରେ କହିବା ପାଇଁ ଆମକୁ କାହାରି ଅନୁମତି ଦରକାର ନାହିଁ ।”

 

ସଭାରେ ବକ୍ତୃତା ଦେବା ପାଇଁ, ଓଡ଼ିଶାର ଅନ୍ୟତମ ଶ୍ରେଷ୍ଠ ବାଗ୍ମୀ (ଯାହାଙ୍କ ସଭାରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତାଳିମାଡ଼ ହେଉଥାଏ - ହାସ୍ୟରୋଳ ହୋଇଥାଏ) ଯଦୁମଣି ମଙ୍ଗରାଜ, କଂଗ୍ରେସ ସୋସାଲିଷ୍ଟ ଗୃପର ନେତା ନବକୃଷ୍ଣ ଚୌଧୁରୀ, ମାଳତୀ ଚୌଧୁରୀ, ପ୍ରସିଦ୍ଧ ବାଗ୍ମୀ ପଣ୍ଡିତ ନୀଳକଣ୍ଠ ଦାସ, ମୋହନ ଦାସ, ରାଜକୃଷ୍ଣ ବୋଷ ଇତ୍ୟାଦି ଆସି ପହଞ୍ଚିଥାଆନ୍ତି ।

 

ଗୋକୁଳମୋହନ ଲେଖିଛନ୍ତି, “ସଭା ପୂର୍ବରୁ ଝିପିଝପି ବର୍ଷା ଲାଗି ରହିଥାଏ । ଆକାଶ ମେଘାଚ୍ଛନ୍ନ । ବହୁତ ପୋଲିସ ଆସି ରାସ୍ତା ଗଳିରେ ପଇଁତରା ମାରୁଥାନ୍ତି ।” ସମସ୍ତଙ୍କ ମନ ଭିତରେ ଆଶା ଓ ନିରାଶା । ସଭା ସମୟ ପାଖେଇ ଆସୁଥାଏ । ଖୋର୍ଦ୍ଧାର ଗଳିକନ୍ଦି ଲୋକଙ୍କ ଗହଳିରେ ପୁରି ଉଠୁଥାଏ । ଏ ଦୃଶ୍ୟ ଦେଖି ଲୋକଙ୍କ ମନରେ ଆଶା, ଆକାଂକ୍ଷା, ସାହସ ଓ ମନର ବଳ ବଢ଼ିଗଲା । ପ୍ରାୟ ୮/୧୦ ହଜାର ଲୋକ ସଭାରେ ଆସି ଠୁଳ ହୋଇଗଲେ ।

 

ସଭାରେ ବକ୍ତାମାନେ ଖୁବ୍‍ ଉତ୍ତେଜନାମୂଳକ ଭାଷଣ ଦେଲେ । ଏସ୍‍.ଡି.ଓ ଓ ପୋଲିସ ନୀରବ ଦର୍ଶକ ହୋଇ ଏହା ଦେଖୁଥାନ୍ତି । ଲୋକେ କହୁଥାନ୍ତି, “କେତେ ଧମକ ଚମକ ଦେଉଥିଲେ, କାହିଁକି ତୁନି ହୋଇ ବସିଛନ୍ତି ? ନେତାମାନେ ତ ଏତେ ଗାଳି ଦେଉଛନ୍ତି - କଡ଼ା କଡ଼ା କଥା କହୁଛନ୍ତି, କାହିଁ କିଛି ତ କରୁନାହାନ୍ତି ? କାହିଁ କିଛି ତ କରିପାରୁନାହାନ୍ତି ? ଏହା ଫଳରେ ଲୋକଙ୍କ ମନୋବଳ ଶତଗୁଣିତ ହୋଇଗଲା ଏବଂ ଭୟ ଛାଡ଼ି ଲୋକେ କଂଗ୍ରେସକୁ ଜୟଯୁକ୍ତ କରାଇବାକୁ ଅଣ୍ଟାଭିଡ଼ି ବାହାରିଲେ ଏବଂ ନିର୍ବାଚନରେ ଚାଷୀ ମୂଲିଆମାନଙ୍କର ପ୍ରିୟ ନେତା ପ୍ରାଣନାଥ ପଟ୍ଟନାୟକ ହିଁ ବିଜୟୀ ହେଲେ ।”

 

ସେ ନିର୍ବାଚନର ଏକ ପ୍ରମୁଖ ଘଟଣା ହେଲା, ପଣ୍ଡିତ ନେହେରୁ କଂଗ୍ରେସ ପ୍ରାର୍ଥୀମାନଙ୍କ ସପକ୍ଷରେ ସଭାମାନଙ୍କର ଭାଷଣ ଦେବାକୁ ଓଡ଼ିଶା ଆସିଲେ । ବୁଲି ବୁଲି ପୁରୀ, ସାକ୍ଷୀଗୋପାଳ, ପିପିଲି, ନିମାପଡ଼ା, ଡେଲାଙ୍ଗ, ଜଟଣୀ ଇତ୍ୟାଦି ସ୍ଥାନରେ ସଭା ସାରି ଜବାହାରଲାଲ ଖୋର୍ଦ୍ଧା ଆସି ସଭା କଲେ । ନିମାପଡ଼ାର ପ୍ରାର୍ଥୀ ମୋହନ ଦାସ, କଂଗ୍ରେସ-ସୋସାଲିଷ୍ଟ ପ୍ରାଣନାଥ, ନବକୃଷ୍ଣ ଚୌଧୁରୀ ଓ ଗଞ୍ଜାମରୁ ଗୋବିନ୍ଦ ପ୍ରଧାନ ଆଦି ସମସ୍ତେ ଲାଟସଭାକୁ ନିର୍ବାଚିତ ହେଲେ

 

ପଣ୍ଡିତ ଜବାହାରଲାଲ ନେହେରୁଙ୍କର ସଭା ପାଲଟଣ ପଡ଼ିଆରେ । ଅପର ପାର୍ଶ୍ଵରେ ବି.ଜେ.ବି. ସ୍କୁଲର ହଷ୍ଟେଲ ଏବଂ ଶେଷ ଅଂଶରେ ସେତେବେଳର ପ୍ରଧାନ ଶିକ୍ଷକ ବାଙ୍କନିଧି ପଟ୍ଟନାୟକଙ୍କ ବାସଗୃହ (ଏବେ ମଧ୍ୟ ବିଦ୍ୟମାନ) । ନେହେରୁଙ୍କର ସଭା ଚାଲିଥିବା ବେଳେ, ସଭାରେ ଭିଡ଼ ଜମାଇ ଶୁଣୁଥିବା ପିଲାମାନେ ହେଡ୍‍ମାଷ୍ଟରଙ୍କୁ ଦେଖିପକାଇ ଯିଏ ଯୁଆଡ଼େ କିଲିବିଲି ହୋଇ ପଳାଇବାକୁ ଲାଗିଲେ । ପଣ୍ଡିତ ନେହେରୁ ପିଲାଙ୍କର ଏପରି ଭୀତତ୍ରସ୍ତ ଭାବେ ପଳାଇବା ଦେଖି ପଚାରିଲେ, “ପିଲାମାନେ ଏପରି ପଳାଇଲେ, କାହିଁକି ?” “ପ୍ରଧାନ ଶିକ୍ଷକଙ୍କ ଭୟରେ” ବୋଲି ଶୁଣିବା ପରେ ନିର୍ଦ୍ଦେଶ ଦେଲେ, “ଏ ଅବସ୍ଥାର ପରିବର୍ତ୍ତନ ଯେପରି ଛ”ମାସ ଭିତରେ ହୁଏ ।”

 

ଓଡ଼ିଶାର ବିଖ୍ୟାତ ଶ୍ରମିକନେତା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଟ୍ରେଡ୍‍ୟୁନିୟନ ନେତା ସ୍ଵର୍ଗତଃ ଦୁର୍ଗାଚରଣ ମହାନ୍ତି, “ରାୟଗୁରୁ” ଛଦ୍ମନାମରେ ତାଙ୍କର ବ୍ୟକ୍ତିଗତ ଅଭିଜ୍ଞତା ବୋଳା ଅଭିନବ ବାସ୍ତବ ଘଟଣାର ଚିତ୍ର ସମ୍ବଳିତ ପୁସ୍ତକ “ଅଗ୍ନିପଥ”ରେ ଗୋଟିଏ କାହାଣୀ, “ଗୋକୁଳଦା” ପ୍ରାଣନାଥବାବୁଙ୍କ ଚାଟଶାଳୀରେ ଏହି ତାଲିମର ବର୍ଣ୍ଣନା ଦେଇ ଲେଖିଛନ୍ତି” ଖୋର୍ଦ୍ଧା ସହରର ଥାନା ପାଖରୁ ଅଫିମ ଦୋକାନ କଡ଼କୁ ଛୋଟ ଗଳିରେ ଖଣ୍ଡେ ଚାଳଘର । ଦୁଇବଖରା ବୋଇଲେ ବହୁତ ହେବ । ୧୯୩୬-୩୭ ମସିହାରେ ସେଠାରେ ରହୁଥିଲେ ୰ପ୍ରାଣନାଥ ପଟ୍ଟନାୟକ ଓ ଗୋକୁଳ ମୋହନ ରାୟଚୁଡ଼ାମଣି (ସମ୍ପ୍ରତି ସ୍ଵର୍ଗତଃ)ସକାଳ ୬ଟାରୁ ରାତି ପର୍ଯ୍ୟନ୍ତ ସଦାବେଳେ ଲୋକ ଯା’ ଆସ କରନ୍ତି । ସବୁ ସମୟରେ ଚର୍ଚ୍ଚା ଚାଲିଥାଏ । ପ୍ରାଣନାଥ ବାବୁ ଓ ଗୁରୁଚରଣ ବାବୁ ପ୍ରଭୃତି କାଶୀ ବିଦ୍ୟାପୀଠରୁ ଶିକ୍ଷା ଲାଭକରି ଆସିଥାଆନ୍ତି । ସେମାନେ ସେଠାରେ ସମାଜବାଦୀ ଦର୍ଶନ ଓ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇଛନ୍ତି ।”ସର୍ବହରାର ନେତୃତ୍ୱରେ ଋଷର ମହାନ ଅକ୍ଟୋବର ବିପ୍ଳବ ପରି ଭାରତରେ ଏକ ବିପ୍ଳବ ଜରିଆରେ ସ୍ୱାଧୀନତା ସାଙ୍ଗକୁ ଚାଷୀ-ମୂଲିଆର ରାଜ୍ୟ ପ୍ରତିଷ୍ଠା କରିବ ।” “ଖୋର୍ଦ୍ଧାର ଏଇ ଛୋଟ କୁଡ଼ିଆଘର ଏସବୁ ଆନ୍ଦୋଳନର ପ୍ରାଣକେନ୍ଦ୍ର ଥିଲା ।” ସେମାନେ କହୁଥିଲେ ଏଇସବୁ ଜନ ଆନ୍ଦୋଳନ ଓ ସଂଗ୍ରାମ ହେଲେ ହିଁ ସ୍ୱାଧୀନତା ସଂଗ୍ରାମ ଭିତରକୁ ବ୍ୟାପକ ଜନସାଧାରଣ ଆସିବେ । ବ୍ରିଟିଶ ଶାସନର ଚେରମୂଳ ଓପାଡ଼ି ଦିଆଯାଇପାରିବ-

 

ଜମିଦାର, ମଠ ମହନ୍ତ, ସର୍ବରାକାର, ଲାଞ୍ଚୁଆ, ରିସ୍‍ପତ୍ ଖୋର, ବ୍ରିଟିଶ ଦଳାଲ ଶ୍ରେଣୀଙ୍କର ସମସ୍ତ ପ୍ରାଣମୂର୍ଚ୍ଛା ଉଦ୍ୟମ ଏବଂ ବିତ୍ତ ଫୋପଡ଼ା, ସତ୍ତ୍ୱେ, ଖୋର୍ଦ୍ଧାର ଜନଗଣଙ୍କର ପ୍ରାଣର ମଣିଷ ପ୍ରାଣନାଥ ଖୋର୍ଦ୍ଧାର ଜଡ଼ତା, ନିର୍ବେଦତାକୁ ଭାଙ୍ଗି ମୋଟ ୫୦୦୦ ଭୋଟ ଭିତରୁ ୩୫୦୦ ଭୋଟପାଇ ଲାଟସଭାକୁ ନିର୍ବାଚିତ ହେଲେ । ବୟସ୍କ, ପ୍ରତିପତ୍ତି ସମ୍ପନ୍ନ କଂଗ୍ରେସ ବିରୋଧୀ ବ୍ରିଟିଶ ସରକାରୀ ସମର୍ଥିତ ପ୍ରାର୍ଥୀ ବ୍ରହ୍ମାନନ୍ଦ ମହାନ୍ତି ହାରିଗଲେ ।

 

ସମଯୋଦ୍ଧା ଗୋକୁଳମୋହନଙ୍କୁ କୁଣ୍ଢାଇଧରି ପ୍ରାଣନାଥ କହିଲେ, “ଗୋକୁଳି ଦାଦା ଦେଖିଲୁରେ, ଲୋକେ କେମିତି ଜବାବ୍ ଦେଲେ ?” “ଖୋର୍ଦ୍ଧାର ଜନଗଣ ପ୍ରାଣନାଥଙ୍କର ବିଜୟକୁ ଆପଣାର ବିଜୟ, ଖୋର୍ଦ୍ଧା ପାଇକର ବିଜୟ ବୋଲି ଗ୍ରହଣ କରିନେଇଥିଲେ ।

 

ନିର୍ବାଚନ ପରେ ଏକ ବିରାଟ ପାଟୁଆର/ଶୋଭାଯାତ୍ରା ଢୋଲ, ମହୁରୀ, ଶଙ୍ଖ, ମର୍ଦ୍ଦଳ, ଖୋଳ, କରତାଳ ଧରି ବାହାରିଲା । ଖୋର୍ଦ୍ଧାରେ ଛାତ୍ରସଂଘ ଗଢ଼ା ହେଲା ଏବଂ ମଜ୍ଜାର କଥା ରାୟବାହାଦୁର ବାଙ୍କନିଧି ପଟ୍ଟନାୟକଙ୍କ ବଡ଼ପୁଅ ମନମୋହନ ପଟ୍ଟନାୟକ କଂଗ୍ରେସ ପତାକାଧରି ଆଗେ ଆଗେ ଚାଲିଲେ । ସାନପୁଅ ଅଖିଳ ମୋହନ ପଟ୍ଟନାୟକ ମଧ୍ୟ ଯୋଗ ଦେଲେ । ଖୋର୍ଦ୍ଧାର ଜନଗଣଙ୍କର ନିସ୍ତରଙ୍ଗ ଜୀବନ ଚିନ୍ତନରେ ବ୍ରିଟିଶ ସାମ୍ରାଜ୍ୟବାଦର ଆଘାତରେ ନିଜକୁ ଭିତରକୁ ଗେଣ୍ଡାପରି ଖୋଳ ଭିତରକୁ ପୁରାଇ, ଲୁଚାଇ ଦେଇଥିବା ଖୋର୍ଦ୍ଧା ପାଇକଙ୍କର ଚେତନାରେ ଆମୂଳ ପରିବର୍ତ୍ତନ ସଂଘଟିତ ହୋଇଗଲା । ଲୋକେ ନିର୍ଭୟରେ ସଭା - ସମିତିରେ ଯୋଗଦେଲେ । ପାଗ ପଟୁଆର ଭିଡ଼ି ଖଣ୍ତା-ତରବାରୀ, ଢାଲ-ବର୍ଚ୍ଛା ଆଦିଧରି ପାଇକ ଆଖଡ଼ାମାନ ଚାଲିଲା । ଗାଁ ଗାଁରେ ଜାଗାଘର, ପାଇକ ଅଖାଡ଼ା ମାନ ଗଢ଼ି ହୋଇଗଲା ।

 

ପ୍ରାଣନାଥ ପଟ୍ଟନାୟକ ଜିନ୍ଦାବାଦ୍‍ ! ଇନ୍‍କିଲାବ୍ ଜିନ୍ଦାବାଦ୍‍ ! ଧ୍ୱନିରେ ଖୋର୍ଦ୍ଧାର ସହର, ବଜାର ଗଳି କନ୍ଦି ନିନାଦିତ ହୋଇଉଠିଲା । ସମଗ୍ର ଖୋର୍ଦ୍ଧା ସରହଦରୁ ତାହାର ପ୍ରତିଧ୍ୱନୀ ଝଙ୍କୃତ ହେଲା । ବରୁଣେଇ ଦରୀର ଯୁଗ ଯୁଗର ନିରବତା, ସ୍ଥବିରତା ସତେ ଯେପରି ଏକ ପ୍ରଚଣ୍ଡ ଆଘାତରେ ଭାଙ୍ଗିଗଲା ।

 

କଣାସ ଥାନାର ଡିମିରି ଗାଁର ଯୁବକ “ପାଣୁ” “ପାଣୁଆ” ଖୋର୍ଦ୍ଧାର ଅଗଣିତ ପାଇକମାନଙ୍କର ପ୍ରାଣର ନାଥ, ପ୍ରାଣନାଥ ହୋଇଉଠିଲେ ।

 

ସପ୍ତମ ଅଧ୍ୟାୟ

ଓଡ଼ିଶାରେ କୃଷକ, ଚାଷୀ-ମୂଲିଆ ସଂଗଠନର ପଥୀକୃତ୍‍ ପ୍ରାଣନାଥ

 

ପ୍ରସିଦ୍ଧ ବାମପନ୍ଥୀ କବି ଅନନ୍ତ ପଟନାୟକଙ୍କର ଗୋଟିଏ ଗୀତ, କେବଳ ପ୍ରାଣନାଥଙ୍କର ନୁହେଁ, ସାରା ରାଜ୍ୟର ମେହେନତି ମଣିଷ, ଚାଷୀ-ମୂଲିଆ-ଖେତ ମଜଦୁରଙ୍କର ପ୍ରାଣର ସଙ୍ଗୀତ ଭାବରେ ବୋଲା ହେଉଥିଲା-ଗୀତଟି ହେଲା-

 

ମୁଲକ ଯାକର ମାଲିକ ଚାଷୀ

ତୋଳିଧର ତୋର ପତାକା ଆସି

ତୋହରି ରକତେ ଲାଲ୍‍

ଚାଲରେ ଚାଲରେ ଚାଲରେ ।

 

ଢେଙ୍କାନାଳ, ନୀଳଗିରି, ରଣପୁର, ଆଠଗଡ଼ ଆଦିର ମାଲିକ-ଚାଷୀର, ନିଜର ହକ୍‍ ପାଇଁ ପ୍ରଜାମଣ୍ଡଳ ପତି, ପ୍ରାଣପାତ କରି ମୁକ୍ତି ପାଇଁ ସଂଗ୍ରାମ କରୁଥିଲେ ଏବଂ ପ୍ରାଣନାଥ ଓ ତାଙ୍କର ସାଥୀଗଣ ସେ ସଂଗ୍ରାମ ଲଢ଼େଇର ଅଗ୍ରଭାଗରେ ଥିଲେ । ସେତିକିବେଳେ, ଅନନ୍ତ ପଟ୍ଟନାୟକ ଓ ସଚ୍ଚୀ ରାଉତରା, ଦୁହିଁଙ୍କର ଚାରି ଚାରିଟି ବୋଲିବା ଗୀତ ବା କବିତା ଏକାଠି କରି “ରକ୍ତଶିଖା” ନାମ ଦେଇ ସଂକଳନ କରିଥିଲେ । ଲେଖକର ଭ୍ରମ ଥିଲା, “ରକ୍ତଶିଖା” କବିତା ବହିଖଣ୍ତିକ ନିମଚଉଡ଼ାର ଷ୍ଟାଣ୍ଡାର୍ଡ଼ ବୁକ୍‍ ମାର୍ଟର ମାଲିକ, ବିଶିଷ୍ଟ ଲେଖକ ନିଶାମଣି ତ୍ରିପାଠୀ ଛପାଇଥିଲେ ବୋଲି । ଏବେ ଦେଖିଲି ତାହା କଟକର (ଅଶ୍ୱିନୀ କୁମାର ଘୋଷ ନାଟ୍ୟକାରଙ୍କର ସାନଭାଇ ଅଜୟ ଘୋଷ ଏବଂ ତାଙ୍କ ପାଳିତ ପୁତ୍ର ସୁପ୍ରସିଦ୍ଧ ମଞ୍ଚାଭିନେତା ଶତାୟୁ ମାଷ୍ଟର କାଶୀନାଥ ସାହୁଙ୍କର) “ଶ୍ରୀ ପ୍ରେସ୍‍”ରେ ପ୍ରକାଶିତ ହୋଇଥିଲା ଏବଂ ତାହା ଆମ ରାଜ୍ୟର ସମ୍ଭବତଃ ଆମ ରାଜ୍ୟର ବାଜ୍ୟାପ୍ତ ହୋଇଥିବା ପ୍ରଥମ/ଏକତମ ପୁସ୍ତିକା । ସେ ପୁସ୍ତିକା ପ୍ରକାଶ କରିଥିବାରୁ କାଶୀନାଥ ସରକାରଙ୍କ ନିର୍ଦ୍ଦେଶରେ ଶ୍ରୀପ୍ରେସ୍‍ ବନ୍ଦକରି, ପରବର୍ତ୍ତୀ କାଳରେ ତାହାର ନୂଆ ନାମକରଣ କଲେ “ହରନାଥ ପ୍ରେସ୍‍” ।

 

ଉପରୋକ୍ତ ଗୀତ ବା କବିତା ସହିତ ପ୍ରାଣନାଥଙ୍କର ଦର୍ଶନ/ଜୀବନ ଗୋଟିଏ ସୂତ୍ରରେ ଗୁନ୍ଥିତ ବୋଲି ତାହାକୁ ଏଠାରେ ଉଲ୍ଲେଖ କରୁଛି ।

 

କବି ଅନନ୍ତ ପଟ୍ଟନାୟକ ଯିଏ ଭଗବତୀ ଚରଣ ପାଣିଗ୍ରାହୀ ତଥା ପ୍ରାଣନାଥଙ୍କର ସମସାମୟିକ ଏବଂ ଅନ୍ତରଙ୍ଗ ବନ୍ଧୁ ଏବଂ ପ୍ରାଣନାଥ ଜାୟା ମଞ୍ଜରୀଙ୍କର ଜ୍ୟେଷ୍ଠଭ୍ରାତା, ଭଗବତୀ ସଂଚୟନର “ମୁଖବନ୍ଧ ଭାବରେ ଯେଉଁ “ସ୍ମୃତିରୁ ଖିଏ” ଲେଖିଛନ୍ତି, ସେଥିରେ ସେ ସମସାମୟିକ ଘଟଣାବଳୀ ବର୍ଣ୍ଣନା କରିବାକୁ ଯାଇ ଲେଖିଛନ୍ତି ଯେ, “କଂଗ୍ରେସ ନିର୍ବାଚନ କାର୍ଯ୍ୟରେ ପଶିଲାରୁ ଆସେମ୍ଵ୍ଲିକୁ ନିର୍ବାଚିତ ହେଲେ ନବକୃଷ୍ଣ, ପ୍ରାଣନାଥ, ମୋହନଦାସ ପ୍ରଭୃତି । କଂଗ୍ରେସ ମନ୍ତ୍ରୀତ୍ୱ ନେବା ହେତୁ ଲୋକେ ନିର୍ଭୟରେ ସଭା-ସମିତିରେ ଯୋଗଦେଲେ । କୃଷକ ସଂଗଠନର ମୁଖପତ୍ର ଭାବେ ସାପ୍ତାହିକ “କୃଷକ” ଖୋର୍ଦ୍ଧାରୁ ପ୍ରକାଶିତ ହେବା ସ୍ଥିର ହେଲା ! ସେଥିରେ ସମ୍ପାଦକ ରହିଲେ ଭଗବତୀ । ପରିଚାଳନା ଦାୟିତ୍ୱରେ ରହିଲେ ଗୁରୁଚରଣ । ପୁରୀଜିଲ୍ଲାରେ ସେହି ଖୋର୍ଦ୍ଧାରେ ହିଁ ଆନ୍ଦୋଳନ ବ୍ୟାପକ ହେଲା । ସମାଜବାଦୀ ଆନ୍ଦୋଳନର ମୁଖ୍ୟସ୍ଥଳୀ ହୋଇଉଠିଲା ଖୋର୍ଦ୍ଧା ।”

 

“କୃଷକ ଆନ୍ଦୋଳନ କ୍ଷେତ୍ରରେ ସମାଜବାଦୀଙ୍କ ଆଗରେ ସଂଗ୍ରାମ ଥିଲା ତ୍ରିମୁଖୀ । କଂଗ୍ରେସ ଭିତରେ ଥାଇ ଜମିଦାର ଶ୍ରେଣୀୟ ନେତୃବୃନ୍ଦ ସହିତ ଲଢ଼ିବାକୁ ହେଉଥାଏ । କଂଗ୍ରେସ ବାହାରେ ବ୍ରିଟିଶ ବାୟୋନେଟ୍‍ରେ ସୁରକ୍ଷିତ ରାଜା, ଜମିଦାର, ମହନ୍ତ, ମହାଜନ, ସର୍ବରାକାର, ମୁସ୍ତାଦାର ପ୍ରଭୃତିଙ୍କ ବିରୁଦ୍ଧରେ ଛିଡ଼ାହେବାକୁ ପଡ଼ୁଥାଏ - ଶେଷରେ ସାମ୍ନା କରିବାକୁ ହେଉଥାଏ ବ୍ରିଟିଶ ଶାସକ ଗୋଷ୍ଠୀର ଅମଲାତନ୍ତ୍ରୀମାନଙ୍କୁ । ଜମିଦାରୀ ସର୍ବରାକାରୀ ରଦ୍ଦ ହେଉ-ଉଠିଯାଉ । “ମଠଧନ କୋଠକର” ପ୍ରଭୃତି ସ୍ଲୋଗାନ ସହିତ “ଇନ୍‍କିଲାବ୍ ଜିନ୍ଦାବାଦ୍‍” ଧ୍ୱନିତ ହେବାକୁ ଲାଗିଲା-

 

ଏ ସ୍ଲୋଗାନ୍‍ କିନ୍ତୁ ନିରୀହ ଡାହୁକ ଡାକ ନୁହେଁ । ଯୁଗ ଯୁଗର ସାମନ୍ତବାଦୀ ଅତ୍ୟାଚାର ଓ ଶୋଷଣ ବିରୁଦ୍ଧରେ ସେ ସବୁ ଥିଲା ବଜ୍ର ରଣହୁଙ୍କାର ।

 

ସୀମିତ ନିର୍ବାଚନରେ ବିଜୟ ଲାଭ କରିବାର ଅବ୍ୟବହିତ ପୂର୍ବରୁ ସାରା ପ୍ରଦେଶ ସ୍ତରରେ କୃଷକ ଆନ୍ଦୋଳନର ଯେଉଁ ମହାଜୁଆର ସୃଷ୍ଟି ହୋଇଥିଲା, ସେଥିରୁ ୧୯୩୬ ମସିହାର ଆଦ୍ୟ ଭାଗରେ କଟକଠାରେ ସର୍ବଭାରତୀୟ କୃଷକନେତା ମୋହନଲାଲ ଗୌତମଙ୍କ ସଭାପତିତ୍ୱରେ ପ୍ରଥମ କୃଷକ ସମ୍ମିଳନୀ ଅନୁଷ୍ଠିତ ହେଲା । ତାହା ପୂର୍ବରୁ ଲକ୍ଷ୍ନୌଠାରେ ସର୍ବଭାରତୀୟ କୃଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଥାଏ । ଓଡ଼ିଶାର ସଂଗଠିତ ପ୍ରାଦେଶିକ କୃଷକ ସମ୍ମିଳନୀର ସଭାପତି ହେଲେ ହରେକୃଷ୍ଣ ମହତାବ । କୃଷକ ସମ୍ମିଳନୀ ସଂଗଠିତ କରିବା ନିମନ୍ତେ ଯେଉଁ ଅଭ୍ୟର୍ଥନା ସମିତି ଗଠିତ ହୋଇଥିଲା, ତାହାର ଅଧ୍ୟକ୍ଷ କରାହେଲା ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କୁ । ପ୍ରାଣନାଥ ନିଜେ “ବିସ୍ମୃତିର ଗର୍ଭରୁ” ଲେଖାରେ ଲେଖିଛନ୍ତି ଯେ, “୧୯୩୫ ମାର୍ଚ୍ଚ ମାସରେ ଲେଖକ (ପ୍ରାଣନାଥ) ଅଧ୍ୟୟନ ଶେଷକରି ଫେରିଆସିବା ବାଟରେ ଖଡ଼ଗପୁରରେ ତିନିମାସ ରହି ରେଳବାଇ ଶ୍ରମିକ ସଙ୍ଗଠନ ସହିତ ସମ୍ପର୍କ ସ୍ଥାପନ କରିଥିଲା । ଓଡ଼ିଶାକୁ ଫେରିଆସି କୃଷକ ଆନ୍ଦୋଳନରେ ଲାଗିଲା ।”

 

ପ୍ରାଣନାଥ ଲେଖିଛନ୍ତି ଯେ,“ଓଡ଼ିଶାରେ କୃଷକ ସମ୍ମିଳନୀ ଅନୁଷ୍ଠିତ ହେବା ପରେ ପରେ ତାହା ପୁରୀ ଜିଲ୍ଲାର ନୟାହାଟ, ଖୋର୍ଦ୍ଧା, ପିପିଲି ଓ କଟକ ଜିଲ୍ଲାର ଅଣଖିଆ ପ୍ରଭୃତି ବିଭିନ୍ନ ସ୍ଥାନରେ କୃଷକ ସମ୍ମିଳନୀମାନ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ହଜାର ହଜାର କୃଷକ ଯୋଗ ଦେଇଥିଲେ । ସେଥିରେ “ଜମିଦାରୀ ପ୍ରଥା ଧ୍ୱଂସ ହେଉ”, “ଚାଷୀ ଜମି ପାଉ”, “ବେଠି ବେଗାରୀ ଉଠିଯାଉ”, “ସେସ୍‍ ଛାଡ଼ ହେଉ”, “ଗଛ ମାଛରେ ଚାଷୀର ଅଧିକାର ରହୁ” ଓ “ମଠଧନ କୋଠକର”, ପ୍ରଭୃତି ସ୍ଲୋଗାନଭଳି ବହୁ ରଣଧ୍ୱନି ରହିଥିଲା । ଏହି ସଭାମାନଙ୍କରେ ଚାଷୀମାନଙ୍କ ପ୍ରାଣରେ ଆଶା, ଆନନ୍ଦ ଭରିଯାଉଥିଲା । ତେଣୁ ସେମାନେ ହଜାର ହଜାର ସଂଖ୍ୟାରେ ଯୋଗ ଦେଉଥିଲେ । ଜାତୀୟ ଆନ୍ଦୋଳନ ତଥା ଏହିଚାଷୀ ଆନ୍ଦୋଳନ ଫଳରେ ୧୯୩୬-୩୭ ନିର୍ବାଚନରେ କଂଗ୍ରେସ ଭାରତରେ ଆଠଟି ପ୍ରଦେଶରେ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା ।”

 

କୃଷକ ସଭାର ନେତୃତ୍ୱରେ ଥିଲେ ସେତେବେଳେର ପ୍ରଖ୍ୟାତ ସର୍ବଭାରତୀୟ ବ୍ୟକ୍ତିଗଣ, ଯଥା: ବିଶ୍ୱବିଖ୍ୟାତ ମାର୍କ୍ସବାଦୀ ତଥା ବୌଦ୍ଧ-ବିଦ୍ୱାନ ମହାପଣ୍ଡିତ ରାହୁଳ ସାଂସ୍କୃତାୟନ, ଆଚାର୍ଯ୍ୟ ନରେନ୍ଦ୍ରଦେବ, ଇନ୍ଦୁଲାଲ ଯାଜ୍ଞିକ, ଇ.ଏମ୍‍.ଏସ ନମ୍ବୁଦ୍ରିପାଦ୍‍, ଜୟପ୍ରକାଶ ନାରାୟଣ, ଜେଡ୍‍.ଏ.ଅହମ୍ମଦ, ମୋହନଲାଲ ଗୌତମ, କେ.ଏମ୍‍. ଅସରଫ୍‍, ରାମ ମନୋହର ଲୋହିଆ, ଅବଦୁଲା ରସୁଲ, ସୋହନ ସିଂ ବାଖନା, ବଙ୍କିମ ମୁଖର୍ଜୀ, ନବକୃଷ୍ଣ ଚୌଧୁରୀ, ବାବା ଗୁରୁମୁଖ ସିଂ, ହର୍ଷଦେବ ମାଲବ୍ୟ ପ୍ରମୁଖ ଖ୍ୟାତନାମା ଜନନେତାଗଣ । ଅଖିଳ ଭାରତ କୃଷକ ସଭାର ଏମାନେ ହିଁ ଥିଲେ ଆଦ୍ୟ ପ୍ରତିଷ୍ଠାତା ।

 

ଏହି ନେତାମାନଙ୍କ ମଧ୍ୟରୁ ଓଡ଼ିଶାରେ କୃଷକସଭା ଗଠନ ନିମନ୍ତେ ମୋହନଲାଲ ଗୌତମ କଟକ ଟାଉନ୍‍ ହଲ ମିଟିଂରେ ଯୋଗ ଦିଅନ୍ତି ଓ ସଭାପତିତ୍ୱ କରନ୍ତି । ପରେ ପରେ ପୁରୀ ଗୁଣ୍ଡିଚା ବାଡ଼ିରେ ୧୯୩୭ ମସିହା ଅକ୍ଟୋବର ମାସରେ କୃଷକ ସଭାର ସମ୍ମିଳନୀ ଅନୁଷ୍ଠିତ ହୁଏ ଏବଂ ସହଜାନନ୍ଦ ସରସ୍ୱତୀ ଏଥିରେ ମଧ୍ୟ ଅଧ୍ୟକ୍ଷତା କରନ୍ତି ।

 

କହିବା ବାହୁଲ୍ୟ ମାତ୍ର ଯେ, ପୁରୀ ଗୁଣ୍ଡିଚା ବାଡ଼ିରେ ଏ ସମ୍ମିଳନୀର ଆୟୋଜକ ଥିଲେ ପ୍ରାଣନାଥ ଏବଂ ତାଙ୍କର ସମଯୋଦ୍ଧା ସାଥି ଗୋକୁଳମୋହନ, ପର୍ଶୁରାମ ପଦାତିକରାୟ, ଗଙ୍ଗାଧର ମିଶ୍ର, ଜଗନ୍ନାଥ, ଗତିକୃଷ୍ଣ ଆଦି ।

 

୧୯୩୭ ମସିହା । ପାଇକ ବିଦ୍ରୋହ ପରେ ପରେ ନାନା ଦମନ, ଅତ୍ୟାଚାର ଭିତରେ ପାଇକର ତରବାରୀ, ଖଣ୍ଡା ଇତ୍ୟାଦି ମାଟିତଳେ ସଙ୍ଗା ଉପରେ, ଛଣ ଭାଡ଼ିତଳେ ପୋତା ହୋଇରହିଥିଲା । ମନୋବଳ ଭାଙ୍ଗିଯାଇଥିବା ପାଇକମାନେ ଏକାଠି ହେଲେ, ପୁରୁଣା ଦିନର ରଣବାଦ୍ୟ ବାଜିଲେ, ସେମାନେ ବଳ ଓ ସାହସ ଫେରିପାଇବେ- ଏଇଥିପାଇଁ ପ୍ରାଣନାଥ ଏବଂ ତାଙ୍କର ସାଥୀମାନେ ଏକ ଯୁବ-ସମ୍ମିଳନୀ ଆହ୍ୱାନ କଲେ ।

 

ସେ ଏକ ଅଭୂତପୂର୍ବ ଦୃଶ୍ୟ । ପ୍ରତ୍ୟକ୍ଷଦର୍ଶୀ ଓ ଆୟୋଜକ ଗୋକୁଳମୋହନ ରାୟଚୁଡ଼ାମଣି ଲେଖିଛନ୍ତି, “ପ୍ରାୟ ଛଅ/ସାତ ହଜାର ଲୋକ ଖୋର୍ଦ୍ଧା ଦାଣ୍ଡରେ ଧାଡ଼ି ବାନ୍ଧି ଚାଲିଲେ । ସାମନାରେ ଆଗ କାଳର ଯୁଦ୍ଧବାଜା-ତା’ରି ତାଳେ ତାଳେ ନାଚି ଉଠୁଥାଏ, ଶୋଭାଯାତ୍ରାକାରୀ ମାନଙ୍କର ପାଦ ଆଉ ହାତରେ ଉଜ୍ଜ୍ୱଳ ଢାଲ ଓ ତରବାରୀ । ବୁଢ଼ାମାନଙ୍କ ମୁଣ୍ଡରେ କେଉଁ କାଳର ଓଡ଼ିଶା ମହାରାଜାମାନେ ଦେଇଥିବା ଗୌରବମଣ୍ଡିତ ପାଟର ପାଗ ଭିଡ଼ା ହୋଇଥାଏ । ଉତ୍ତରାଧିକାରୀ ସୂତ୍ରେ ବଡ଼ପୁଅ ତା’ର ହକଦାର ଭାବେ କେତେ ଯତ୍ନରେ ଗର୍ବର ସହିତ ଏହି ଅମୂଲ୍ୟ ସମ୍ପଦକୁ ପୋକ, ଅସରପା ଦାଉରୁ ରକ୍ଷା ନକରିଛି ? ଇଂରେଜ ସରକାର ବିରୁଦ୍ଧରେ ଏକତରଫା ଲଢ଼େଇରେ ସେ ଆଜି ବିଜୟୀ । ତା’ର ବିଜୟର ନିଶାଣ ଧରି ସେ ଚାଲିଛି ଆଗରେ । “ପାଇକ ବାଦ୍ୟ, ପାଇକ ଖେଳ ନୃତ୍ୟରେ ଖୋର୍ଦ୍ଧା ଉଛୁଳି ପଡ଼ୁଥାଏ ।” “ଇଂରେଜ ସରକାରର ଯେଉଁମାନେ ଏକାବେଳେକେ ପୋଷା କୁକୁର ପାଲଟି ଯାଇଥିଲେ, ନୈରାଶ୍ୟରେ ନିଶାରେ ଯେଉଁମାନେ ସମ୍ପୂର୍ଣ ଭାବରେ ଭୋଳା/ସ୍ତବ୍ଧ ହୋଇ ଯାଇଥିଲେ, ସେମାନେ ବଡ଼ ବଡ଼ ଆଖିକରି, “ଆଁ” କରି ଆବା କାବା ହୋଇ ଦୁଆର ମୁହଁରେ ଛିଡ଼ାହୋଇ ଦେଖୁଛନ୍ତି ।

 

ଏ ସମ୍ମିଳନୀର ସଭାପତି ହୋଇଥିଲେ କମ୍ରେଡ ଶରତ ପଟ୍ଟନାୟକ । ମୁଖ୍ୟ ଅତିଥି ଭାବରେ ଆସିଥିଲେ ବମ୍ବେରୁ ସୋଲି ବଟ୍‍ଲିୱାଲା । ଗୁରୁଜଙ୍ଗ (ଓଡ଼ିଶାର ସୁବିଖ୍ୟାତ ବିପ୍ଳବୀ କବି ସଚୀ ରାଉତରାଙ୍କ ଗାଁ) ଗାଁର ବିଶାଳ ଆମ୍ବତୋଟା ଭିତର ପଡ଼ିଆରେ ସମ୍ମିଳନୀ ହେଲା । ସମ୍ମିଳନୀ ପାଇଁ ଛାମୁଣ୍ଡିଆ କରି ଚାନ୍ଦୁଆ ବାନ୍ଧି ସଭାମଞ୍ଚ ହେଲା । ସଭାରେ ପ୍ରାଣନାଥ, ଅନନ୍ତ ପଟ୍ଟନାୟକ, ଗୋକୁଳ ମୋହନ ରାୟଚୁଡ଼ାମଣି, ବୈଦ୍ୟନାଥ ରଥ ଆଦି ଯୁବନେତାମାନେ ଉଦ୍‍ବୋଧନ ଦେଲେ । ବକ୍ତୃତାରେ ଅତୀତର ଗୌରବମୟ ଅଧ୍ୟାୟମାନ ଖୋଲା ହେଲା । ନୂଆଯୁଗର ନୂଆ ସଂଗଠନ ପାଇଁ ନୂଆ ସଂଗ୍ରାମର ଆହ୍ୱାନ ଦିଆଗଲା । ପ୍ରଚଣ୍ଡ ଉନ୍ମାଦନାରେ ଯୁବକ - ବୃଦ୍ଧ, ପ୍ରବୀଣ ତରୁଣ ଏକାକାର ହୋଇଗଲେ ।

 

ପାଇକମାନେ ଅସୀମ ସାହସିକତାପୂର୍ଣ୍ଣ ତରବାରୀ ଖେଳ କୌଶଳମାନ ଦେଖାଇଲେ-। ସମଗ୍ର ରାତିଟା ଆନନ୍ଦ ମୁଖର ହୋଇ ସଭାସ୍ଥଳରେ ହିଁ କଟିଗଲା ।

 

ଗୁରୁଜଂଗଠାରେ ଏହି ବିଶାଳ ଗଣ-ପାଇକ ସମାବେଶ, ଓଡ଼ିଶାରେ ରାଜନୌତିକ ଅବସ୍ଥାର ମୋଡ଼ ପାରିବର୍ତ୍ତନ କଲା । ରାଜନୈତିକ ଗତିଧାରାକୁ ବଦଲାଇ ଦେଲା ।

 

ପ୍ରାଣନାଥଙ୍କୁ ଖୋର୍ଦ୍ଧା ଓ ଖୋର୍ଦ୍ଧା ଭୂ-ଖଣ୍ଡର ଜନଗଣ ଆପଣେଇ ନେଲେ । ନିଜର କରିନେଲେ । ପ୍ରାଣନାଥ ମଧ୍ୟ ଖୋରଧା ତଥା ଖୋରଧାବାସୀଙ୍କର ନୟନର ମଣି ହୋଇଗଲେ । ମୃତ୍ୟୁ ପର୍ଯ୍ୟନ୍ତ ଖୋର୍ଦ୍ଧାର ସୁଖଦୁଃଖର ସାଥି ହୋଇଗଲେ !

 

Unknown

ଅଷ୍ଟମ ଅଧ୍ୟାୟ

ଗଡ଼ଜାତ ପ୍ରଜା ଆନ୍ଦୋଳନରେ ଅଂଶଗ୍ରହଣ ଢେଙ୍କାନାଳରେ ବାଜିରାଉତ ନିଧନ ଏବଂ ରଣପୁରରେ ବେଜେଲଗେଟ୍‍ ହତ୍ୟା

 

ବ୍ରିଟିଶ ସାମ୍ରଜ୍ୟର ଔପନିବେଶିକ ଶୃଙ୍ଖଳରୁ ଆମ ଦେଶର ମୁକ୍ତି ଓ ସ୍ଵାଧୀନତା ଲାଗି ଦୁଇଶହ ବର୍ଷର ସଂଗ୍ରାମର ଏକ ରୋମାଞ୍ଚକର ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ହେଉଛି ଗଡ଼ଜାତ ପ୍ରଜାମୁକ୍ତି ଆନ୍ଦୋଳନ । ୧୯୩୮-୩୯ ଠାରୁ ୧୯୪୬ ଦଶବର୍ଷକାଳ ଉନ୍ମାଦନାଭରା ଦେଶ/ପ୍ରଦେଶବ୍ୟାପୀ ଗଡ଼ଜାତ ପ୍ରଜା ଆନ୍ଦୋଳନ ଆମ ସ୍ୱାଧୀନତା ସଂଗ୍ରାମର ଏକ ଜାଜ୍ଜ୍ୱଲ୍ୟମାନ ରକ୍ତକ୍ଷୟୀ ସଂଗ୍ରାମର ପର୍ଯ୍ୟାୟ ।

 

୧୯୩୭ରେ ନିର୍ବାଚନ ପରେ ପରେ ରାଜନୈତିକ ଅନୁକୂଳ ପରିବେଶ ଭିତରେ ଡକ୍ଟର ପଟ୍ଟାଭି ସୀତାରାମାୟାଙ୍କ ଅଧ୍ୟକ୍ଷତାରେ ଦ୍ଵିତୀୟ ଐତିହାସିକ ଓଡ଼ିଶା ଗଡ଼ଜାତ ପ୍ରଜା ସମ୍ମିଳନୀ ବସିଲା ଏବଂ ସମସ୍ତ ବାଧା ପ୍ରତିବନ୍ଧକ ଏଡ଼ାଇ ୨୬ଟି ଗଡ଼ଜାତ ରାଜ୍ୟର ଶତାଧିକ ଗଣପ୍ରତିନିଧି କଟକ ସମ୍ମିଳନୀରେ ଉପସ୍ଥିତ ହୋଇଥିଲେ । ଏକ କାର୍ଯ୍ୟକାରୀ କମିଟି ପଟ୍ଟାଭି ସୀତାରାମାୟାଙ୍କୁ ସଭାପତି, ସାରଙ୍ଗଧର ଦାସଙ୍କୁ ସମ୍ପାଧକ ସହିତ ଢେଙ୍କାନାଳର ହରମୋହନ ପଟ୍ଟନାୟକ, ରଣପୁରର ଗଙ୍ଗାଧର ମିଶ୍ର, ଆଠଗଡ଼ର ରାଧାନାଥ ରଥ ଆଦିଙ୍କୁ ନେଇ ଗଠିତ ହେଲା ଏବଂ ଗଡ଼ଜାତମାନଙ୍କରେ ଚାଲିଥିବା ଅନ୍ଧାରୀ, ଏକଛତ୍ରବାଦୀ, ମନମୁଖୀ ଶାସନ ଉପରେ ତଦନ୍ତ କରିବାକୁ ଏକ ତଦନ୍ତ କମିଟି ହରେକୃଷ୍ଣ ମହତାବଙ୍କୁ ଚେୟାରମ୍ୟାନ୍‍, ଲାଲମୋହନ ପଟ୍ଟନାୟକ, ତଥା ହିନ୍ଦ ସେବକ ସମାଜର ପ୍ରଖ୍ୟାତ ନେତା ବଳବନ୍ତରାୟ ମେହେଟ୍ଟାଙ୍କୁ ଦେଇ ଗଠିତ ହୋଇଥିଲା । ରାଜନ୍ୟବର୍ଗ ତଥା ବ୍ରିଟିଶ ଶାସନ ପକ୍ଷରୁ ନାନା ବିରୋଧୀତା ସତ୍ତ୍ୱେ ସମସ୍ତ ଅତ୍ୟାଚାର, ଶୋଷଣ, ପୀଡ଼ନର ବର୍ଣ୍ଣନା ଦେଇ କମିଟିର ରିପୋର୍ଟଟି ପ୍ରକାଶ ପାଇଲା ।

 

ଅଖିଳ ଭାରତ ଗଡ଼ଜାତ ରାଜ୍ୟ ସମ୍ମିଳନୀରେ ଲୁଧିଆନା ଅଧିବେଶନରେ ସଭାପତି ପଣ୍ଡିତ ନେହେରୁ ଗଡ଼ଜାତ ପ୍ରଜାମାନଙ୍କର ସଂଗ୍ରାମ, ଭାରତୀୟ ସ୍ଵାଧୀନତା ସଂଗ୍ରାମର ଏକ ଅଂଶ ଏବଂ ଜାତୀୟ କଂଗ୍ରେସ ସହିତ ଏହାର ଘନିଷ୍ଠ ଯୋଗାଯୋଗ ରହିବ ବୋଲି କହିଲେ, ଯଦିଓ କଂଗ୍ରେସ ଭିତରେ ଏ ସମ୍ପର୍କରେ ଦୋ’ ଦୋ’ ପାଞ୍ଚ ଭାବ ଥିଲା । କଂଗ୍ରେସ ଭିତରେ ଥିବା ସୋସାଲିଷ୍ଟ ଏବଂ କମ୍ୟୁନିଷ୍ଟମାନେ କଂଗ୍ରେସ ସୋସାଲିଷ୍ଟ ପାର୍ଟି ନେତୃତ୍ୱରେ ରାଜା-ରାଜୁଡ଼ା, ସାମନ୍ତବାଦୀ ପ୍ରଥା ଗଡ଼ଜାତି ଅତ୍ୟାଚାରକୁ ସମୂଳେ ଲୋପ କରିବା ପାଇଁ ପୂର୍ଣ୍ଣ ଭାବରେ ସହଯୋଗ କରି ଆନ୍ଦୋଳନ ଚଳାଇଥିଲେ । ସେମାନେ ଗଡ଼ଜାତ ରାଜ୍ୟ ବାହାରୁ ଓ ଭିତରୁ ପ୍ରଜାମୁକ୍ତି ଆନ୍ଦୋଳନରେ ଅଂଶ ଗ୍ରହଣ କରିଥିଲେ ।

 

ଢେଙ୍କାନାଳର ରକ୍ତକ୍ଷୟୀ ପ୍ରଜା-ବିଦ୍ରୋହର ପ୍ରାକ୍‍କାଳରେ, ଢେଙ୍କାନାଳ ରାଜ୍ୟର ସୀମାନ୍ତ ଜେନାପୁର ଠାରେ ଏକ ବିରାଟ କୃଷକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ନିଜେ ପ୍ରାଣନାଥ ତାହାର ସ୍ମୃତିଚାରଣ କରି ଲେଖିଛନ୍ତି-“ସେହି ସମୟରେ ୧୯୩୮ ସେପ୍ଟେମ୍ବର (ପହିଲାଦିନ) ମାସରେ କଟକର ଜେନାପୁର ଠାରେ ଏକ ବିରାଟ କୃଷକ ସମ୍ମିଳନୀ ହୋଇଥିଲା । ସେ ସମ୍ମିଳନୀରେ ପ୍ରାୟ ପନ୍ଦର ହଜାର ଚାଷୀ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରେ ଅତ୍ୟନ୍ତ ଅତ୍ୟାଚାରିତ ଢେଙ୍କାନାଳର ବାରହଜାର ପ୍ରଜା ଯୋଗ ଦେଇଥିଲେ ।”

 

ସେହି ସଭାରେ ଯୋଗ ଦେବା ପାଇଁ ପ୍ରକାଶ ପାଇଥିବା ଲିଫଲେଟରେ ଘୋଷଣା କରାଯାଇଥିଲା, - “ଏ ସମାଜରୁ, ଏ ଦେଶରୁ ବ୍ରିଟିଶ ଶାସନ ଲୋପକରି, ଶୋଷଣ ବନ୍ଦକରି, ଚାଷୀ ମୂଲିଆଙ୍କ ହାତକୁ ଶାସନ ଫେରି ଆଣିବା ପର୍ଯ୍ୟନ୍ତ ଏ ଆନ୍ଦୋଳନ ଜାରି ରହିଥିବ; ଚାଷୀଶ୍ରେଣୀ ଚିତ୍କାର କରୁଥିବ-ପ୍ରାଣ ପଣେ ଲଢ଼େଇ ଚଳାଉଥିବ । ଆଜି ଚାଷୀଶ୍ରେଣୀର ପ୍ରତିନିଧି ସ୍ୱରୂପ ଭୋଟ ନେଇ ଯେଉଁ ମନ୍ତ୍ରୀମଣ୍ଡଳ ଗଠିତ ହୋଇଛି, ସେଥିରେ ଯଦି ବାସ୍ତବିକ କିଛି ନହେଲା, ପ୍ରଜାସ୍ଵତ୍ୱ ସଂଶୋଧନ ଆଇନ ଆଦି ସାଧାରଣ ଦାବୀ ଗୃହୀତ ନହେଲା, ତେବେ ସେ ମନ୍ତ୍ରୀମଣ୍ଡଳ ଭାଙ୍ଗିଦେବାକୁ ଚାଷୀ ବାଧ୍ୟ କରିବ । ପ୍ରଜାର ଜାଗ୍ରତ ଶକ୍ତି ତେଜରେ ଦେଶରୁ ଶାସନ ଶୃଙ୍ଖଳ ଛିନ୍ନ ହେବ, ଅତ୍ୟାଚର ହିଂସା ଲୋପ ହେବ, ଶାନ୍ତି ଓ ଶୃଙ୍ଖଳ। ସ୍ଥାପିତ ହେବ ।”

 

ଏହି ବିଶାଳ ଚାଷୀ ସମାବେଶକୁ ସଂବୋଧିତ କରିଥିଲେ, ଆବାହକ ନବକୃଷ୍ଣ ଚୌଧୁରୀ ଏମ୍‍.ଏଲ୍‍.ସି. ସାରଙ୍ଗଧର ଦାସ, ଭଗବତୀଚରଣ ପାଣିଗ୍ରାହୀ ଏବଂ ପ୍ରାଣନାଥ ପଟ୍ଟନାୟକ ଏମ୍.ଏଲ୍.ସି. ଗୌରାଙ୍ଗଚରଣ ଦାସ, ସୁରେନ୍ଦ୍ରନାଥ ଦ୍ୱିବେଦୀ, ମୋହନ ଦାସ ଏମ୍‍.ଏଲ୍‍.ସି, ପ୍ରାଣକୃଷ୍ଣ ପଢ଼ିଆରୀ ପ୍ରମୁଖ ।

 

ଢେଙ୍କାନାଳ ପ୍ରଜାମଣ୍ଡଳ ଆନ୍ଦୋଳନରେ ଅଂଶୀଦାର ଭାବରେ ପ୍ରାଣନାଥ ତାଙ୍କର ବିମୂର୍ତ୍ତ ଅଭିଜ୍ଞତା ବର୍ଣ୍ଣନା କରି ଲେଖିଛନ୍ତି,“ଯେଉଁଦିନ କଟକ ସହର ଟାଉନ୍‍ହଲରେ ଏକ ସାଧାରଣ ସଭାକରି ସାଥୀ ନବକୃଷ୍ଣ ଚୌଧୁରୀ ଓ ଭଗବତୀ ପାଣିଗ୍ରାହୀଙ୍କୁ ଢେଙ୍କାନାଳର ଦୁଇସୀମାରୁ ଦୁଇଜଣ ନେତା ଅନ୍ୟାନ୍ୟ ସତ୍ୟାଗ୍ରହୀଙ୍କ ନେତୃତ୍ୱନେଇ ପ୍ରବେଶ କରିବା ପାଇଁ ବିଦାୟ ଦେଇଥିଲୁ, ଲେଖକ (ପ୍ରାଣନାଥ) ସେ ସଭାରେ ସଭାପତି ଥାଇ ସେମାନଙ୍କୁ ଫଳମୂଳ ଦେଇ ବିଦାୟ କଲାବେଳେ, ଢେଙ୍କାନାଳ ରାଜାର ହୀନ ନୃଶଂସ ଅତ୍ୟାଚାର ଭିତରେ କି ଦମନଲୀଳା ସେମାନଙ୍କ ପ୍ରତି ପ୍ରୟୋଗ ହେବ ତାହା ହିଁ ସଭାଲୋକେ ଭାବୁଥାନ୍ତି । ସେହି ବନ୍ଧୁମାନେ ସେଦିନ ଯେଉଁ ଅସୀମ ଧୈର୍ଯ୍ୟ ଓ ବୀରତ୍ୱର ପଦକ୍ଷେପ ନେଲେ ତାହା ଏକ ଐତିହାସିକ ଘଟଣା ହୋଇ ଓଡ଼ିଶାର ଜାତୀୟ ଆନ୍ଦୋଳନ ଇତିହାସରେ ଲିପିବଦ୍ଧ ହୋଇ ରହିବ । ଦୁଇବନ୍ଧୁ ଦୁଇପଟୁ ପ୍ରବେଶ କଲାପରେ ଢେଙ୍କାନାଳରେ ଗିରଫ ହେଲେ, ମାତ୍ର ସେମାନଙ୍କୁ ଜେଲରେ ବନ୍ଦୀକରି ରଖିବାର ସାହସ ଢେଙ୍କାନାଳ ରାଜାର ନଥିଲା । ତେଣୁ ସେମାନଙ୍କୁ ଢେଙ୍କାନାଳ ପାର କରିଦେଇ କଟକକୁ ଫେରାଇ ଦିଆଗଲା । ପରେ ଅନ୍ୟତମ ସତ୍ୟାଗ୍ରହୀ ନେତା ସାଥୀ ଗୌରାଙ୍ଗଚରଣ ଦାସ ଢେଙ୍କାନାଳରେ ସତ୍ୟାଗ୍ରହ ପାଇଁ ପ୍ରବେଶ କରନ୍ତେ ତାଙ୍କ ଦଳର ସତ୍ୟାଗ୍ରହୀମାନଙ୍କୁ ମରଣାନ୍ତକ ମାଡ଼ଦେଇ ବିଦାୟ କରିଥିଲେ ।”

 

“ଆଉ ଗୋଟିଏ ଦିନର କଥା ମନେପଡ଼େ, ଯେଉଁଦିନ ଢେଙ୍କାନାଳ ରାଜାର ଅମାନୁଷିକ ଅତ୍ୟାଚାରରେ ଜର୍ଜରିତ ଢେଙ୍କାନାଳର ପଚାଶ ହଜାର ପ୍ରଜା ଢେଙ୍କାନାଳ ରାଜବାଟିର ଚାରିପଟେ ଘେରିରହି ରାଜା ଓ ରାଜବଂଶର ଅତ୍ୟାଚାରର ପ୍ରତିଶୋଧ ନେବା ନିମନ୍ତେ ରକ୍ତଶପଥ ନେଇ ରାଜବାଟି ଭାଙ୍ଗି ଖଣ୍ଡେ ଖଣ୍ଡେ ଇଟା/ପଥର ନେଇ ପ୍ରତିଶୋଧ ପିପାସା ପୂରଣ ପାଇଁ ଉଦ୍ୟତ ଥିଲେ ।” “ସାଥୀ ହରମୋହନ ପଟ୍ଟନାୟକ, ବ୍ରଜକିଶୋର ମହପାତ୍ର ଓ ବୈଷ୍ଣବ ପଟ୍ଟନାୟକ ପ୍ରଭୃତି ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ସାଥୀ ହରମୋହନ ପଟ୍ଟନାୟକ ଦୀର୍ଘଦିନ ଧରି କାରାଗାରରେ ସଢ଼ିଛନ୍ତି ତଥା ସାଥୀ ବୈଷ୍ଣବ ପଟ୍ଟନାୟକ ଗୁଳିମାଡ଼ରେ ଆହତ ହୋଇ ମୋଗଲ ବନ୍ଦୀ ଅଞ୍ଚଳରେ ଆଶ୍ରୟ ନେଇ ଆନ୍ଦୋଳନ ପରିଚାଳନା କରିଛନ୍ତି ।”

 

ଢେଙ୍କାନାଳ ପ୍ରଜାମଣ୍ଡଳ ଆନ୍ଦୋଳନର ସେହି ଦୁର୍ବାର ସଂଗ୍ରାମକୁ ନିଜ ସ୍ମୃତିରେ ସଜାଗ ରଖି ବିପ୍ଳବୀ ପ୍ରାଣନାଥ ଲେଖିଛନ୍ତି ଯେ,“ଆଉ ମଧ୍ୟ ଢେଙ୍କାନାଳର ବହୁ ଯୁବ ବନ୍ଧୁ ଢେଙ୍କାନାଳ ରାଜାର ଅତ୍ୟାଚାର ବିରୁଦ୍ଧରେ ନେତୃତ୍ୱ ନେଇଥିଲେ । ଢେଙ୍କାନାଳର ବାଜିରାଉତ, ଲକ୍ଷ୍ମଣ, ନଟ, ରଘୁ, ହୁରୁଷି ପ୍ରଭୃତିଙ୍କର ଶବ ଢେଙ୍କାନାଳ ରଜାର ବୁଲେଟ ଚୁମ୍ବନ କରି କଟକ ଦାଣ୍ଡରେ ଯେତେବଳେ ଶୋଇଥାନ୍ତି ସେ ଦିନର ଐତିହାସିକ ସ୍ମୃତି ଏବେ ମଧ୍ୟ ବହୁଲୋକଙ୍କ ମନକୁ ଲିଭି ନଥିବ ।”

 

କବି ବନ୍ଧୁ ଅନନ୍ତ ପଟ୍ଟନାୟକ ଏବଂ ରବି ଘୋଷ ଢେଙ୍କାନାଳ ଜେଲରେ ବନ୍ଦୀ ହୋଇ ରହିଥିବା ସମୟରେ ପ୍ରାଣନାଥ ପଟ୍ଟନାୟକ, ତତ୍କାଳୀନ କମ୍ୟୁନିଷ୍ଟ ପାର୍ଟିର ସମ୍ପାଦକ ପି.ସି.ଯୋଷୀଙ୍କ ସହିତ ବୈଦ୍ୟନାଥ ରଥଙ୍କୁ ନେଇ ବନ୍ଦୀଗୃହରେ ଅନନ୍ତଙ୍କୁ ଦେଖା କରିବାକୁ ଯାଇଥିବାର ଘଟଣାର ସ୍ମୃତିଚାରଣ କରି ପ୍ରାଣନାଥ ଲେଖିଛନ୍ତି, “ସାଥୀ ଅନନ୍ତ ପଟ୍ଟନାୟକ ଏବଂ ବୈଦ୍ୟନାଥ ରଥ ଦୁହେଁ ଏହି ଢେଙ୍କାନାଳ ପ୍ରଜାମଣ୍ଡଳ ଆନ୍ଦୋଳନରେ ସାହାଯ୍ୟ କରିବା ପାଇଁ ରାତ୍ରିରେ ଢେଙ୍କାନାଳ ଯାଉଥିବା ସମୟରେ ହାତିବାରିଠାରେ ରଜାର ଦଲାଲମାନଙ୍କ ଦ୍ୱାରା ଅନନ୍ତ ପଟ୍ଟନାୟକ ଗିରଫ ହେଲେ ଏବଂ ତା’ପରେ ରବି ଘୋଷ ଗିରଫ ହୋଇ ଢେଙ୍କାନାଳ ଜେଲରେ ଆବଦ୍ଧ ହୋଇ ରହିଲେ । (ବୈଦ୍ୟନାଥ ରଥ ଖସି ପଲାଇ ଆସି ଖବର ଦେଇଥିଲେ) । ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ତତ୍କାଳୀନ ସମ୍ପାଦକ କମ୍ରେଡ୍‍ ପି.ସି.ଯୋଷୀ, ଲେଖକ (ପ୍ରାଣନାଥ) ଓ ବୈଦ୍ୟନାଥ ରଥ, ଅନନ୍ତ ପଟ୍ଟନାୟକଙ୍କୁ ଦେଖା କରିବା ପାଇଁ ଢେଙ୍କାନାଳ ଯିବା ଦିନର ସ୍ମୃତି ଏବେ ମନେପଡ଼େ । ଢେଙ୍କାନାଳ ଜେଲରେ ଅନ୍ୟାନ୍ୟ ବନ୍ଦୀମାନଙ୍କ ସଙ୍ଗରେ ତାଙ୍କୁ ରଖିବାର ସାହସ ନପାଇ ରାଜା ତାଙ୍କୁ ଗୋଟିଏ ସ୍କୁଲ ହଷ୍ଟେଲରେ ଏକୁଟିଆ ବନ୍ଦୀକରି ରଖିବାର ଦେଖିଥିଲୁ । ସେହି ସମସ୍ତ ୩୦ ବର୍ଷରୁ ଉର୍ଦ୍ଧ୍ୱ ବର୍ଷ ନିଜର ସତେଜ ସ୍ମୃତି ଆଜି ବି ମନ ମଧ୍ୟରେ ନାଚିଯାଏ ।”

 

ଢେଙ୍କାନାଳ ପ୍ରଜା ଆନ୍ଦୋଳନ, କେବଳ ମୋଗଲବନ୍ଦୀ ଓଡ଼ିଶାବାସୀଙ୍କ ପାଇଁ ନୁହେଁ, ସାରା ଭାରତବର୍ଷରେ ମହାନ ଗଣସଂଗ୍ରାମ ଭାବରେ ପ୍ରତିଭାତ ହେଲା ଏବଂ ତାହାର ନାୟକ ରାଜାର ଗୁଳିରେ ବିଦ୍ଧ ହୋଇଥିବା ବୈଷ୍ଣବ ପଟ୍ଟନାୟକଙ୍କୁ ଜନଗଣ “ବୀର” ଉପାଧିଦେଇ ବୀରବୈଷ୍ଣବ ପଟ୍ଟନାୟକ ବୋଲି ସମ୍ମାନରେ ଡାକିଲେ ।

 

ତାଳଚେର ପ୍ରଜା ଆନ୍ଦୋଳନ ସମ୍ପର୍କରେ ପ୍ରାଣନାଥ ନିଜର ଅଙ୍ଗେନିଭା ଅନୁଭୂତି ବଖାଣି ଲେଖିଛନ୍ତି,“ତାଳଚେର ପ୍ରଜା ଆନ୍ଦୋଳନର ଇତିହାସ ଅବିସ୍ମରଣୀୟ । ତାଳଚେର ରାଜାର ଅମାନୁଷିକ ଅତ୍ୟାଚାରରେ ଜର୍ଜରିତ ହୋଇ ତାଳଚେରରେ ହଜାର ହଜାର ପ୍ରଜା ରାଜା ଓ ରାଜତନ୍ତ୍ରର ଅତ୍ୟାଚାରର ପ୍ରତିବାଦ କରି ଆବାଳ-ବୃଦ୍ଧ-ବନିତା ଘରଦ୍ୱାର ଛାଡ଼ି ମୋଗଲବନ୍ଦୀ ସୀମା ଅନୁଗୁଳ ଆଖପାଖରେ ଶୀତ, ଖରା, କାକରରେ ପଡ଼ିଥିବା କଥା ଏବେ ମଧ୍ୟ ମନେ ପଡ଼େ । ସେହିଦିନର ସେହି ଅବର୍ଣ୍ଣନୀୟ ଯନ୍ତ୍ରଣା ମଧ୍ୟରେ, ଗର୍ଭବତୀ ସ୍ତ୍ରୀ ଶିଶୁପ୍ରସବ କରିବା କଥା କଦାପି ମନରୁ ଭୁଲିହେବ ନାହିଁ । ଶ୍ରୀଯୁକ୍ତ ପବିତ୍ର ମୋହନ ପ୍ରଧାନ, ଶ୍ରୀ ମଦନ ମୋହନ ପ୍ରଧାନ ପ୍ରଭୃତି ଏଥିରେ ନେତୃତ୍ୱ ନେଇଥିଲେ ଏବଂ ଶିକ୍ଷିତ ଓ ବୁଦ୍ଧିଜୀବି ନେତା ଅଧ୍ୟାପକ ଶ୍ରୀନିବାସ ମିଶ୍ର ଓ ଅନ୍ୟମାନେ ଏହି ଯଜ୍ଞରେ ସାଧିମତେ ଘୃତ ଆହୂତି ଦେଇଥିଲେ । ସେହି ଏକା ସମୟରେ ଶ୍ରୀ ରାଧାନାଥ ରଥ ଶ୍ରୀ ବ୍ରଜକିଶୋର ପଟ୍ଟନାୟକ, ଗୋବିନ୍ଦଚନ୍ଦ୍ର ମିଶ୍ର ପ୍ରଭୃତିଙ୍କର ନେତୃତ୍ୱରେ ଆଠଗଡ଼ ପ୍ରଜା ଆନ୍ଦୋଳନ ଏବଂ ଶ୍ରୀ ମଧୁସୂଦନ ପଟ୍ଟନାୟକଙ୍କ ନେତୃତ୍ୱରେ ତିଗିରିଆରେ ପ୍ରଜା ଆନ୍ଦୋଳନ ହୋଇଥିଲା ।”

 

ଏହି ମହାନ ଘଟଣାବଳୀରେ ଅନୁପ୍ରେରିତ ଓ ଜାଗୃତ ହୋଇ କେନ୍ଦୁଝର, ଦଶପଲ୍ଲା, ନୀଳଗିରି, ବଡ଼ମ୍ବା, ନରସିଂହପୁର, ବୌଦ୍ଧ, ବାମଣ୍ଡା, ଷଡ଼ୈକଳା, ନୟାଗଡ଼, ବଣାଇ, ରଣପୁର, ଖଣ୍ଡପଡ଼ା ଆଦି ଗଡ଼ଜାତମାନଙ୍କରେ ରାଜା ଅତ୍ୟାଚାର ଦମନ ବିରୁଦ୍ଧରେ ପ୍ରତିରୋଧ ଓ ସଂଗ୍ରାମ କରିବା ପାଇଁ ପ୍ରଜାମଣ୍ଡଳ ମାନ ଗଠିତ ହୋଇଥିଲା । ସେଥିରୁ କିଞ୍ଚିତ ବର୍ଣ୍ଣନା କରି ପ୍ରାଣନାଥ “ବିସ୍ମୃତିର ଗର୍ଭରୁ” ବିବରଣୀରେ ଲେଖିଛନ୍ତି, “ସେହି ସମୟରେ ୧୯୩୮-୩୯ ରେ ପୁରୀ ଜିଲ୍ଲା ସୀମାକୁ ଛୁଇଁଥିବା ଗଡ଼ଜାତ ଅଞ୍ଚଳ, ନୟାଗଡ଼, ଖଣ୍ଡପଡ଼ା, ଦଶପଲ୍ଲା ଓ ରଣପୁରରେ ମଧ୍ୟ ରାଜତନ୍ତ୍ରର ଅତ୍ୟାଚାର ବିରୁଦ୍ଧରେ ପ୍ରଜାମଣ୍ତଳ ନେତୃତ୍ୱରେ ପ୍ରବଳ ଆନ୍ଦୋଳନ ହୋଇଥିଲା ।”
 

ପ୍ରାଣନାଥଙ୍କର ବର୍ଣ୍ଣିତ ଆଖି ଦେଖା, ଅଙ୍ଗେନିଭା ଅଭିଜ୍ଞତାମାନଙ୍କରୁ ପ୍ରକାଶ “ଖୋର୍ଦ୍ଧାକୁ ଲାଗିଥିବା ଛୋଟିଆ ରଣପୁର ଗଡ଼ଜାତରେ ରାଜାର ଓ ତା’ର ହୁକୁମ ତାଲିମ କରୁଥିବା ବରକନ୍ଦାଜମାନଙ୍କ ଅତ୍ୟାଚାରରେ ଜର୍ଜରିତ ପ୍ରଜାକୁଳ ଅତିଷ୍ଠ ହୋଇଯାଇଥିଲେ । ରଣପୁର ରାଜ୍ୟରେ ପ୍ରଜାର ଗଛରେ କଦଳୀ ପାଚିଲେ ତାହା ଯାଉଥିଲା ରାଜା ଉଆସକୁ-ଗାଈ ଦୁଧ, ପୋଖରୀର ମାଛ, ଗଛର ଫଳ ଉପରେ ରାଜାର ଅଧିକାର । ପକ୍ଷୀଘାତରେ ଆଣ୍ଠୁଠାରୁ ଚଳତ୍‍ଶକ୍ତିହୀନ ରାଜାର ପାରିଧୀ ପାଇଁ ଭେଣ୍ଡିଆ ଭେଣ୍ଡିଆ ଯୁବକମାନେ ବେଠିରେ ଯାଇ ଅଖିଆ, ଅପିଆ ବଣ ଜଙ୍ଗଲରେ ବୁଲୁଥିଲେ ଏବଂ ବାଘ, ଭାଲୁ ହାତରେ ଜୀବନ ହାରୁଥିଲେ । ରାଜାଘରର ଚୂନ ଘଣା ପାଇଁ ପଣ୍ଡା ମଇଁଷି ଓ ବଳଦ ସାଙ୍ଗରେ ଯେଉଁ ମଣିଷ ଯୋଚାହୋଇ ବିରାଟ ଅକର୍ମ ଶିଳା ପଥର ଚକକୁ ବୁଲାଉଥିଲା, ଉଆସର ବେଠି ଖଟି ଖଟି କୂର୍ମ ପାଲଟି ଯାଉଥିଲା । ରାଜାଘର ବରକନ୍ଦାଜର ମାଡ଼/ଛାଟ ଖାଇ ଖାଇ ପ୍ରଜାଙ୍କ ଦେହରେ ବିଣ୍ଡି ବସିଯାଉଥିଲା ।

 

୧୯୩୬ ମସିହାରେ ରାଜା ଅତ୍ୟାଚାରରେ ଜର୍ଜରିତ ପ୍ରଜାମାନଙ୍କୁ ଏକାଠିକରି ରଣପୁରକୁ ଲାଗିଥିବା ସାନପଦର ଗାଁରେ (ଗଙ୍ଗାଧର ପାଇକରାୟଙ୍କ ଗାଁ, ମଥୁରାମଙ୍ଗଳ, ମନବୋଧ ଚଉତିଶା ଆଦିର ସ୍ରଷ୍ଠା ଭକ୍ତକବି ଭକ୍ତଚରଣ ଦାସଙ୍କ ପୀଠସ୍ଥଳୀ) ରଣପୁର ପ୍ରଜାମଣ୍ଡଳ ସମ୍ମିଳନୀ ଅନୁଷ୍ଠିତ ହେଲା । ଏଥିରେ ନବକୃଷ୍ଣ ଚୌଧୁରୀ, ମାଳତୀ ଚୌଧୁରୀ, ପବିତ୍ର ମୋହନ ପ୍ରଧାନ, ପ୍ରାଣନାଥ ପଟ୍ଟନାୟକ, ଗୋକୁଳ ମୋହନ ରାୟଚୂଡ଼ାମଣି, ଗଙ୍ଗାଧର ପାଇକରାୟ, ବାଙ୍କନିଧି ସୁବୁଦ୍ଧି, ଗଙ୍ଗାଧର ମିଶ୍ର, ପର୍ଶୁରାମ ପଦାତିକରାୟ, ବନମାଳିରାମ, କୃପାସିନ୍ଧୁ ମିଶ୍ର, ରଘୁନାଥ ମହାନ୍ତି, ଦିବାକର ପରିଡ଼ା ପ୍ରମୁଖ ପ୍ରଜାମଣ୍ଡଳ କର୍ମୀ ଯୋଗଦେଇଥିଲେ ।

 

ରଣପୁର ରାଜାଙ୍କ ଦ୍ୱାରା ହେଉଥିବା ବେଠି, ଭେଟି, ରୋଶମ, ମାଗଣ ଆଦି ଅତ୍ୟାଚାର, ସମ୍ପଦ ଲୁଣ୍ଠନ ଏପରି ଶୀର୍ଷ ଅବସ୍ଥାରେ ପହଞ୍ଚିଲା ଯେ, ଅତିଷ୍ଠ ହୋଇ ପ୍ରଜାକୁଳ, ପ୍ରଜାମଣ୍ଡଳ ନେତୃତ୍ୱରେ ଗାନ୍ଧିଜୀଙ୍କ ଅହିଂସା ମାର୍ଗରେ ସତ୍ୟାଗ୍ରହ ଆଦି କରି ଏହାର ପ୍ରତିବାଦ / ପ୍ରତିରୋଧ କରିବାକୁ ଆଗେଇଲେ । ମାତ୍ର ରାଜାଙ୍କ ପକ୍ଷରୁ ହେଉଥିବା ଅକଥନୀୟ ଅତ୍ୟାଚାର ଏପରି ଭୟାବହ ହେଲା ଯେ, ନବଗଠିତ ପ୍ରଜାମଣ୍ଡଳର ସଭାପତିଙ୍କୁ ବନମାଳୀରାମଙ୍କୁ ସପରିବାରେ ରଣପୁର ଛାଡ଼ି କନ୍ଧ ନୂଆଗାଁରେ ବସବାସ କରିବାକୁ ହୋଇଥିଲା ।

 

ପ୍ରାଣନାଥ ପଟ୍ଟନାୟକ, ରଣପୁର ପ୍ରଜାମଣ୍ଡଳ ଆନ୍ଦୋଳନର ଶୀର୍ଷତମ ଦିନ ବା କ୍ଲାଇମାକ୍ସ ଦିନ ୧୯୩୯ ମସିହା ଜାନୁୟାରୀ ତା.୫ରିଖର ଘଟଣା ବର୍ଣ୍ଣନା କରି ଲେଖିଛନ୍ତି - “ସେଦିନ ୧୯୩୯ ଜାନୁୟାରୀ ୫ ତାରିଖ, ପୌଷ ପୂର୍ଣ୍ଣିମାର ଜ୍ୟୋସ୍ନାରାତି । ସେ ଦିନ ରଣପୁର ରାଜଦାଣ୍ଡରେ ପନ୍ଦର ହଜାର ପ୍ରଜା ରୁଣ୍ଡ ହୋଇଥିଲେ । ପଲିଟିକାଲ ଏଜେଣ୍ଟ ବେଜେଲଗେଟ୍‍ ଉପସ୍ଥିତ ହୁଅନ୍ତେ, ପ୍ରଜାମାନଙ୍କର ଅଶାନ୍ତି, ଅସନ୍ତୋଷ ଚରମସୀମାରେ ପହଞ୍ଚିଥିବାରୁ ତାଙ୍କର ସେହିଠାରେ ହତ୍ୟା ହୋଇଥିଲା ଏବଂ ତାଙ୍କ ଦେହରକ୍ଷୀ ସୁବେଦାରଙ୍କୁ ମରଣାନ୍ତକ ମାଡ଼ ହୋଇଥିଲା । ସ୍ଥାନୀୟ ପୋଲିସ ପ୍ରଜାବର୍ଗଙ୍କର ରୁଦ୍ରମୂର୍ତ୍ତି ଦେଖି ଛାନିଆ ହୋଇ ଜେଲ୍‍ଗେଟ୍‍ ଖୋଲି/ଭାଙ୍ଗି ପ୍ରଜାମଣ୍ଡଳର ନେତାମାନଙ୍କୁ ମୁକ୍ତ କରିଦେଲେ । ଏଥିପାଇଁ ଅବଶ୍ୟ ରଣପୁରର ପ୍ରଜାମାନଙ୍କୁ ଅସୀମ ତ୍ୟାଗ କରିବାକୁ ପଡ଼ିଛି । ରଣପୁରର ପ୍ରାୟ ଚାଳିଶି ହଜାର ପ୍ରଜା ରାଜ୍ୟ ଛାଡ଼ି ପିଲା କାବିଲାଙ୍କୁ ଧରି ମୋଗଲ ବନ୍ଦୀ ଅଞ୍ଚଳରେ ନାନା କଷ୍ଟରେ ପଡ଼ିରହିଛନ୍ତି ।

 

ରଣପୁରର ରକ୍ତବୋଳା ୧୯୩୯ ଜାନୁୟାରୀ ୫ତାରିଖରେ ଦିନଟିର କାହାଣୀ ପ୍ରାଣନାଥଙ୍କର ଅନ୍ତରର ସାଥୀ ଓ ସମଯୋଦ୍ଧା ଗୋକୁଳ ମୋହନ ରାୟଚୂଡ଼ାମଣୀଙ୍କ ରଚିତ “ଇତିହାସର ପଦକ୍ଷେପ”ର ରଣପୁରରେ ରଣକ୍ଷେତ୍ର ଅଧ୍ୟାୟରେ ରୋମାଞ୍ଚକର ବର୍ଣ୍ଣନା କରାଯାଇଛି-

 

“୧୯୩୯ ଜାନୁୟାରୀ ୫ତାରିଖ - ପୌଷ ପୂର୍ଣ୍ଣିମା । ରଣପୁର ରାଜନଅର ସାମନା ଖୋଲା ଜାଗାରେ ସଭା ହେବ । ଲହଡ଼ି ଭାଙ୍ଗିଲା ଭଳି ଗାଁ ଗଣ୍ଡା ଖାଲିକରି ଲୋକେ ସଭାକୁ ଆସୁଥାନ୍ତି । ସେହିଦିନ ପୁଣି ଭାରତର ବଡ଼ଲାଟ ଓଡ଼ିଶାଦେଇ ମାନ୍ଦ୍ରାଜ ଯାଉଥାନ୍ତି । ଏହି ସମୟରେ ତାଳଚେର ପ୍ରଜା ଆନ୍ଦୋଳନ ମଧ୍ୟ ଚରମ ଅବସ୍ଥାରେ ପହଞ୍ଚିଥାଏ । ରାଜାର ଅତ୍ୟାଚାରରୁ ରକ୍ଷା ପାଇବା ପାଇଁ ହଜାର ହାଜର ଲୋକ ପିଲାଛୁଆ ଧରି ଛୁଟିଥାନ୍ତି । ଏଣେ ରଣପୁରରେ ନିଆଁ ଲାଗିଗଲା । ବେଜେଲଗେଟ୍‍ ନୟାଗଡ଼ରୁ ରଣପୁର ଆସିଲେ । ଗଛକାଟି, ଶଗଡ଼ସବୁ ଛନ୍ଦାଛନ୍ଦିକରି ବାଟ ଉପରେ ପକାଇଦେଇ ଲୋକେ ରାସ୍ତା ଅବରୋଧ କରିଦେଇଥିଲେ-। ଯେପରିକି ପଲଟଣ ଓ ବେଜେଲଗେଟ୍‍ କେହି ସଭାକୁ ଆସିପାରିବେ ନାହିଁ । ରାସ୍ତା ଅବରୋଧ ହେବାର ଦେଖି ବେଜେଲଗେଟ୍‍ ରାଗରେ ଖୁନ୍‍ ହୋଇଗଲେ । ଗାଁ ଗଣ୍ଡାରେ ତ ଲୋକେ କେହି ନଥିଲେ - ବେଜେଲ୍‍ଗେଟ୍‍ଙ୍କ ଶରୀର ରକ୍ଷୀ ଦଳେ ସଶସ୍ତ୍ର ପୋଲିସ ଗାଁ ଭିତରକୁ ପଶି ୨ ଜଣ ଲୋକଙ୍କୁ ଡାକିଲେ ରାସ୍ତା ସଫା କରିବାକୁ । ସେମାନେ କିନ୍ତୁ ଶୁଣିଲେ ନାହିଁ ।”

 

“ରଣପୁରର ଲୋଧାଚୁଆଁ ଗାଁ ପରେ ବେଜେଲ୍‍ଗେଟ୍‍ଙ୍କ ଗାଡ଼ି ଗାଁ ଗାଁ ଜନଗଣଙ୍କ ଭିତରେ ଆଉ ଆଗେଇ ପାରିଲା ନାହିଁ । ବେଜେଲଗେଟ୍‍ ରାଗରେ ପାଚି ଲାଲ ହୋଇ ଗାଁ ଭିତରୁ ଲୋକଙ୍କୁ ଡାକି ଆଣିବାକୁ ପଠାଇଲେ । ଗାଁରେ ବୁଢ଼ାହଡ଼ା ଓ ସ୍ତ୍ରୀ ଲୋକମାନେ ବାକୀ ଥିଲେ--ପୋଲିସମାନେ ନାଥଭୋଳ ବୋଲି ଜଣେ ବୃଦ୍ଧଙ୍କୁ ଡାକି ଆଣିଲେ । ମାତ୍ର ସେ କିଛି ଉତ୍ତର ନଦେବାରୁ କ୍ରୋଧାନ୍ଧ ହୋଇ ବେଜେଲଗେଟ୍‍, ନିଜ ରିଭଲଭଲ୍‍ରୁ ଗୁଳି ଚଳାଇଲେ, ସେଥିରେ ବୁଢ଼ା ନାଥଭୋଳ ଟଳିପଡ଼ିଲେ । ପରେ ଆଉ ଜଣକୁ ଗୁଳି କଲେ । ସିଏ ମଧ୍ୟ ଟଳି ପଡ଼ିଲେ ।

 

ଗୋକୁଳ ମୋହନ ରାୟଚୂଡ଼ାମଣି ଲେଖିଛନ୍ତି, “ବେଜେଲଗେଟ୍‍ ରାସ୍ତା ସଫାକରି ରାଣପୁରରେ ପହଞ୍ଚିଲା ବେଳକୁ ସଭା ଆରମ୍ଭ ହୋଇଯାଇଥାଏ । ବେଜେଲଗେଟ୍‍ ଦୁଇଜଣଙ୍କୁ ଗୁଳିରେ ମାରି ଦେଇଛି ବୋଲି ଖବରଟା ପାଇ ଆଖପାଖର ଲୋକେ ଯେଉଁମାନେ ଥିଲେ, ସେମାନେ ଶଗଡ଼ରେ ପକାଇ ରଣପୁର ଗଡ଼ବାଟେ ପୁରୀ ଜିଲ୍ଲା ଟାଙ୍ଗୀ ଥାନା (ମୋଗଲ ବନ୍ଦୀ)ଡାକ୍ତରଖାନାକୁ ନେଇ ଚାଲିଲେ ।

 

“ସେତେବେଳକୁ ସଞ୍ଜ । ଶଗଡ଼ ଗାଡ଼ିକୁ ଟାଙ୍ଗୀକୁ ନଛାଡ଼ିବା ଜିଦ୍‍ରେ ଅଟକାଇବା ପାଇଁ ବେଜେଲଗେଟ୍‍ ନିଜେ ଦଳବଳ ଧରି ଆଗେଇ ଗଲେ । ଶଗଡ଼ ସେତେବେଳକୁ ଭଣ୍ଡାରୀସାହି ଭିତରକୁ ପଶିଗଲାଣି । ଭିତରେ ଜାମ୍ ହୋଇଗଲାଣି ଗଳି ରାସ୍ତା । ଅବସ୍ଥା ଅସମ୍ଭାଳ ଦେଖି ବେଜେଲଗେଟ୍‍ ବାହାରି ଆସିବାକୁ ଚେଷ୍ଟା କଲେ । ଲୋକେ ପାଟି କରୁଥାନ୍ତି, ସାହେବ, ଦି’ଟା ଲୋକଙ୍କୁ ମାରି ପକାଇଲା ।”

 

“ବେଜେଲଗେଟ୍‍ ଭାବିଲେ ପିସ୍ତଲରୁ ଗୁଳିକଲେ ସାମନାରୁ ଲୋକେ ପଳାଇବେ ଏବଂ ସେ ଭିଡ଼ ବାହାରକୁ ଚାଲି ଯାଇଥିବେ । ସେ ପିସ୍ତଲରୁ ଗୁଳି କଲେ - ତାଙ୍କ ସାମନା ଲୋକ ଦେହରେ ଯେମିତି ଗୁଳି ବାଜିଛି ସେ ପ୍ରାଣ ବିକଳରେ ବେଜେଲଗେଟ୍‍ଙ୍କ ହାତ ମାଡ଼ିଦେଇ ପିସ୍ତଲଟି ଛଡ଼ାଇନେଲା ଏବଂ ଲୋକେ ପାଖଆଖ ଘର ଚାଳିରୁ ରୁଅ ବାଉଁଶ ଟାଣିଆଣି ସାହେବକୁ ପିଟି ପକାଇଲେ । ସେ ପ୍ରାଣ ବିକଳରେ ଗୋଟାଏ ଘର ଭିତରକୁ ପଶିଯିବାକୁ ବାହାରିଲା ବେଳକୁ ଦାଣ୍ଡ ଦୁଆରେ ଠିଆ ହୋଇଥିବା ସ୍ତ୍ରୀଲୋକେ ଦୁଆର ବନ୍ଦ କରିଦେଲେ - ସାହେବର ହାତ ଚିପି ହୋଇଗଲା - ତାଙ୍କ ଦଳରେ ଯାଉଥିବା ଦୁଇଜଣ ସିପାହୀ ମଧ୍ୟ ଆହତ ହେଲେ ଏବଂ ଅନ୍ୟମାନେ ପ୍ରାଣ ବିକଳରେ କିଏ କୁଆଡ଼େ ଖସିଯାଇ ପ୍ରାଣରକ୍ଷା କଲେ ।”

 

ଭୀମବିକ୍ରମରେ ଆଗକୁ ମାଡ଼ିଆସି ଘେରିଗଲା ବେଳେ ମୟୁରଝାଲିଆ ଗାଁର ଭେଣ୍ଡିଆ ଯୁବକ ଅର୍ଜୁନ ରାଉତ ବେଜେଲଗେଟ୍‍ ସାହେବକୁ ଅଣ୍ଟା ପଛରୁ ଚାପି ଧରିଲା -ସାହେବ ପିସ୍ତଲରୁ ଗୁଳି ଫୁଟାନ୍ତେ ତାହା ଅର୍ଜୁନକୁ ବିଦ୍ଧ କଲା -ସାହେବ ଅର୍ଡ଼ର ଦେଲା ଫାୟାରିଙ୍ଗ କରିବାକୁ -ଫଳରେ ଲୋକମାନେ ଛତ୍ରଭଙ୍ଗ ଦେଇ ପଳାଇବେ । ଓଲଟା କଥା ହେଲା । ଜନଗଣ ପୋଲିସ କେଇଜଣଙ୍କ ହାତରୁ ବନ୍ଧୁକ ଝିଙ୍କିନେଲେ - ବେଜେଲଗେଟ୍‍ ସାହେବ ଉପରେ ଟେକା ପଥର, ରୁଅ, ବାଉଁଶରେ ମାଡ଼ ଚାଲିଲା । ଘରେ ପଶି ଆତ୍ମରକ୍ଷା କରିନପାରି ବେଜେଲଗେଟ୍‍ ପ୍ରାଣ ବିକଳରେ ବିମ୍ବାଧର ପାଢ଼ିଆରୀଙ୍କ ବାରଣ୍ଡାରେ ଥୁଆ ହୋଇଥିବା ଶଗଡ଼ ଚକ ପଛରେ ଲୁଚିବାକୁ ଉଦ୍ୟମ କଲାବେଳେ କୃଦ୍ଧ ଜନଗଣଙ୍କର ଅନ୍ଧାଧୁନିଆ ମାଡ଼ରେ ସେହିଠାରେ ତାଙ୍କ ପ୍ରାଣବାୟୁ ଉଡ଼ିଗଲା ।

 

ଜନଗଣ ରାଜନଅରକୁ ପଟୁଆରରେ ଯାଇ ବନ୍ଦୀମାନଙ୍କୁ ଖଲାସ କରିଦେଲେ । ଭୟରେ କାତର ରାଜା, ରାଜକର୍ମଚାରୀ ମାନେ ଜନଗଣଙ୍କର ବିକ୍ଷୋଭ ଦେଖି ପ୍ରତିବାଦ/ପ୍ରତିରୋଧ ଦୂରର କଥା, କୌଣସି ସାମାନ୍ୟତମ ବାଧା ମଧ୍ୟ ଦେଲେନାହିଁ । ଜେଲ୍ ଭିତରୁ ସବୁ ବନ୍ଦୀଙ୍କୁ ମୁକ୍ତ କରିଦେବାରେ ସହାୟତା କଲାପରି ନୀରବ ରହିଲେ ।

 

ପରେ ପରେ ରଣପୁରର ନରନାରୀ ନିଜମୁଣ୍ଡ ବଞ୍ଚାଇବା ପାଇଁ ପିଲାକବିଲା, ଯିଏ ଯାହା ପାରିଲା ବୁଜୁଳି ବାନ୍ଧିବା ପରି ବାନ୍ଧି ପାଖ ଆଖ ମୋଗଲ ବନ୍ଦୀ ଅଞ୍ଚଳର ଗାଁ ମାନଙ୍କୁ ଯାଇ ନିଜ ବନ୍ଧୁବାନ୍ଧୁବଙ୍କ ଘରେ, ପରିଚିତଙ୍କ ଘରମାନଙ୍କରେ ରହିଗଲେ । ସିକୋ, ହଜ, ଗଡ଼ମାଣିତ୍ରୀ, ପିଚୁକୁଳି, ସାନପଦର, ବୋଲଗଡ଼, ବେଗୁନିଆ, ଖୋର୍ଦ୍ଧା, ଟାଙ୍ଗୀ, ବାଣପୁର ଗାଁମାନଙ୍କରେ ରଣପୁରର ପଳାତକ ଜନଗଣଙ୍କର ଭିଡ଼ ଲାଗି ରହିଲା । ଗରିବ ଘରର ଲୋକେ ମଧ୍ୟ ତାଙ୍କ ଘରେ ଥିବା ମୁଠାଏ ଚାଉଳକୁ ରଣପୁରରୁ ଆସିଥିବା ଅଭ୍ୟାଗତ, ଅତିଥିମାନଙ୍କୁ ରୋଷେଇକରି ଖାଇବାକୁ ଦେବାକୁ କୁଣ୍ଠାବୋଧ କଲେ ନାହିଁ ।

 

ପ୍ରାଣନାଥ ନିଜେ ସେ ଦିନର ଲୋମହର୍ଷକାରୀ ଅଭିଜ୍ଞତା ନିଜ ଲେଖନୀରେ ବର୍ଣ୍ଣନା କରି ଲେଖିଛନ୍ତି, “ଆଜି ହୁଏତ ସେହି ଦୁର୍ଦ୍ଦିନର ଦୁରବସ୍ଥା ଅନେକ ଅନୁମାନ କରିପାରିବେ ନାହିଁ ; ମାତ୍ର ତାହା କେତେଦୂର ଭୟାବହ ଓ କଷ୍ଟସାଧ୍ୟ ଥିଲା, ତାହା ତଳ ଲିଖିତ ଗୋଟିଏ ଦିନର ଘଟଣାରୁ ଆଂଶିକ ଅନୁମାନ କରିହେବ । ବେଜେଲଗେଟ୍‍ ମୃତ୍ୟୁ ପରେ ପରେ, ସାତଦିନ ମଧ୍ୟରେ ଦିନେ ସନ୍ଧ୍ୟାବେଳେ ରଣପୁରର ଅବସ୍ଥା ଦେଖିବା ପାଇଁ, ନିଖିଳ ଭାରତ କୃଷକ ସଭାର ତତ୍କାଳୀନ ସଭାପତି ପ୍ରଫେସର ରଙ୍ଗା, ଶ୍ରୀ ନବକୃଷ୍ଣ ଚୌଧୁରୀ, ସୁରେନ୍ଦ୍ରନାଥ ଦ୍ଵିବେଦୀ ଓ ଲେଖକ (ପ୍ରାଣନାଥ ପଟ୍ଟନାୟକ) ଗୋଟିଏ କାରରେ ରଣପୁର ଯାଇଥିଲେ । ଚାନ୍ଦପୁରଠାରୁ ରଣପୁର ଗଡ଼ ପର୍ଯ୍ୟନ୍ତ ଯେତେ ଗ୍ରାମ ପଡ଼ିଲା, କୌଣସି ଗ୍ରାମରେ ଗୋଟିଏ ହେଲେ ଲୋକ ଦେଖିବାକୁ ପାଇଲୁ ନାହିଁ । କେବଳ ଗାଁ ଦାଣ୍ଡରେ ବୁଲୁଥିବା ଗୋରୁ ଗାଈ କେତୋଟି ଦେଖିଲୁ । ରଣପୁରରେ ପହଞ୍ଚି ଦେଖିଲୁ ଯେ, ବିଭିନ୍ନ ଅଞ୍ଚଳରେ ପଇଁତରା ମାରି ସୈନ୍ୟ ଫୌଜ ରାତ୍ରୀରେ ଗଡ଼କୁ ଫେରୁଥାନ୍ତି । ପଲିଟିକାଲ ଏଜେଣ୍ଟ ବେଜେଲ୍‍ଗେଟ୍‍ଙ୍କ ମୃତ୍ୟୁରେ ଛାନିଆ ହୋଇ ଆସିଷ୍ଟାଣ୍ଟ ପଲିଟିକାଲ ଏଜେଣ୍ଟ ମି.ବୁଡିନି (ସେତେବେଳେ ଅସ୍ଥାୟୀ ପଲିଟିକାଲ ଏଜେଣ୍ଟ ଥା’ନ୍ତି) ସେହି ରଣପୁରରେ ଅବସ୍ଥାନ କରି ଲୋକଙ୍କୁ ଭୟଭୀତ ଓ ଆତଙ୍କଗ୍ରସ୍ତ କରିବା ପାଇଁ ସୈନ୍ୟବାହିନୀକୁ ବିଭିନ୍ନ ଅଞ୍ଚଳରେ ନିୟୋଜିତ କରୁଥାନ୍ତି । ଆମେ ଯାହା ଦେଖିଲୁ ବୁଡିନି, ପ୍ରଜାଙ୍କୁ ଭୟଭୀତ କରିବା କାର୍ଯ୍ୟରେ ବ୍ୟାପୃତ ଥିବା ସମୟରେ ନିଜେ ଅଧିକ ଭୟଗ୍ରସ୍ତ ଥିବାର ଜଣାପଡ଼ିଲା । ଶତାଧିକ ସୈନ୍ୟ ଓ ବହୁ ପେଟ୍ରୋମାକ୍ସ ଆଲୋକମାଳା ଘେର ଭିତରେ ସେ ରହୁଥିଲେ । ତାଙ୍କ କଥାରୁ ଜଣାପଡ଼ିଲା ଯେ, ସେ ସମସ୍ତ ରଣପୁର ପୋଡ଼ିଜାଳି ଛାରଖାର କରିଦେବା ପାଇଁ ପ୍ରସ୍ତୁତ । ତାଙ୍କର ଏହି ମନୋଭାବ ବୁଝିବା ପରେ ଆମ୍ଭେମାନେ କଟକରେ ପ୍ରଜାଙ୍କ ପାଇଁ ଗୋଟିଏ ଡିଫେନ୍ସ କମିଟି ଗଢ଼ି ଏହି ମକଦମା ଲଢ଼ିବାର ଗୁରୁତ୍ୱ ଉପଲବ୍ଧିକରି ତଦନୁସାରେ କାର୍ଯ୍ୟ ବ୍ୟବସ୍ଥା କଲୁ ।

 

ଲେଖକ (ପ୍ରାଣନାଥ ପଟ୍ଟନାୟକ) ସେହି ଡିଫେନ୍ସ କମିଟିର ସେକ୍ରେଟାରୀ ରହିଲା । ସ୍ୱର୍ଗୀୟ ସାରଙ୍ଗଧର ଦାସଙ୍କ ସହ ସର୍ବଶ୍ରୀ ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ, ଭାଗିରଥୀ ମହାପାତ୍ର ପ୍ରଭୃତି ଏହି କମିଟିର ସଭ୍ୟ ଥିଲେ । ଏହି ଡିଫେନ୍ସ କମିଟି ତରଫରୁ କଟକର ଆଡଭୋକେଟ ହାଫିଜ ଅହମ୍ମଦ, ଦୀନବନ୍ଧୁ ସାହୁ, ଗଦାଧର ଦାସ, (ଜେନା) ପ୍ରଭୃତି ରଣପୁରରେ ମକଦ୍ଦମା ଲଢ଼ିଥିଲେ । ଆଡଭୋକେଟ ହାଫିଜ ଅହମ୍ମଦ ଏହି ମୋକଦ୍ଦମା ଲଢ଼ୁଥିବା ସମୟରେ କୋର୍ଟରେ ଟଳିପଡ଼ିଥିଲେ । ଏହି ଦଳ ସଙ୍ଗେ ୨୨.୦୨.୧୯୩୯ତାରିଖ ସନ୍ଧ୍ୟାରେ (ପ୍ରାଣନାଥ) ପ୍ରଥମ ଦିନ ରଣପୁର ଯାଇଥିଲେ । ମାତ୍ର ତାଙ୍କୁ ଗିରଫ କରି ଜଟଣୀରେ ରାତ୍ରିରେ ଛାଡ଼ି ଦିଆଯାଇଥିଲା ।

(ଅପର ପୃଷ୍ଠାର ସରକାରୀ ନିର୍ଦ୍ଦେଶରେ ଫଟୋକପି)

(ସରକାରଙ୍କର ଅଭିଲେଖାଗାରରୁ ସଂଗୃହୀତ ପୋଲିସ ରେକର୍ଡ଼ରୁ)

 

ରଣପୁର ପ୍ରଜାମଣ୍ଡଳ ଆନ୍ଦୋଳନର ସାର୍ବିକ ଉଦ୍ୟମ, ପ୍ରାଣନାଥଙ୍କ ଜୀବନରେ ଏକ ଗୁରୁତ୍ଵପୂର୍ଣ୍ଣ ଅଧ୍ୟାୟ ଏଣୁ ତାହାର ବିଶଦ ବିବରଣୀ, ଫଟୋକପି, ସହ ପ୍ରଦାନ କରୁଛୁ - କଂଗ୍ରେସ - ସୋସାଲିଷ୍ଟ ଏବଂ ବାମପନ୍ଥୀମାନେ ଯୋଜନାବଦ୍ଧ ଭାବେ ଏହା କରାଉଥିଲେ ।

 

କହିବା ବାହୁଲ୍ୟମାତ୍ର ଯେ, ସମଗ୍ର ରଣପୁର ପ୍ରଜାମଣ୍ଡଳ ଆନ୍ଦୋଳନ ଏବଂ ରକ୍ତକ୍ଷୟୀ ଗଣସଂଗ୍ରାମ ଆଦିକୁ ସଙ୍ଗଠିତ କରିବାରେ ପ୍ରମୁଖ ଭୂମିକା ଥିଲା ପ୍ରାଣନାଥଙ୍କର ଏବଂ ତାଙ୍କ ସହିତ ସମଗ୍ର କମ୍ୟୁନିଷ୍ଟ ପାର୍ଟି ଏବଂ କଂଗ୍ରେସ ସୋସାଲିଷ୍ଟ ପାର୍ଟିର, ଯେଉଁମାନେ ସମଗ୍ର ଗଡ଼ଜାତ ଅଞ୍ଚଳରେ କୃଷକ ଆନ୍ଦୋଳନ ତଥା କଡ଼ି ବା ଚେନଭଳି ପ୍ରଜା ଆନ୍ଦୋଳନ ଯୋଜନାବଦ୍ଧ ଭାବରେ ଗଢ଼ିତୋଳିବା ପାଇଁ ସଂଗଠିତ ଉଦ୍ୟମ କରିଥିଲେ ।

 

ପ୍ରଜାମଣ୍ଡଳ ଆନ୍ଦୋଳନର ବିଜୟ ହୋଇ ରାଜତନ୍ତ୍ରର ବିଲୋପ ହେଲା-ଜମିଦାରୀ ଉଠିଗଲା । କିନ୍ତୁ ସେଥିପାଇଁ ରଣପୁରର ଜନଗଣଙ୍କର ତ୍ୟାଗ ଆଜିସୁଦ୍ଧା ପ୍ରେରଣାଦାୟୀ ହୋଇରହିଛି - ରହିବ । ଆନ୍ଦୋଳନର ନେତା ପ୍ରାଣନାଥ ନିଜେ ଲେଖିଛନ୍ତି, “ହତ୍ୟା ମୋକଦ୍ଦମାରେ ଅଭିଯୁକ୍ତ ପ୍ରାତଃସ୍ମରଣୀୟ ରଘୁ ଦିବାକରଙ୍କୁ ଫାଶୀଖୁଣ୍ଟରେ ବଳି ଦିଆଯାଇଛି - ରଣପୁର ପ୍ରଜାମଣ୍ଡଳର ନେତା ସର୍ବଶ୍ରୀ ମଦନ ଦାସ, ମୁରଲିଧର ପଣ୍ଡା, ବ୍ରଜବନ୍ଧୁ ମିଶ୍ର, ଦୟାନିଧି ପରିଡ଼ା, ମାଗି ନାୟକ, ବାଙ୍କ, ନରସିଂହ, ଚିନ୍ତା ନାୟକ,ପ୍ରଭୃତିଙ୍କୁ ଯାବତ୍‍ ଜୀବନ କାରାଦଣ୍ଡ ମିଳିଛି । ସାଥୀ ଗଙ୍ଗାଧର ମିଶ୍ରଙ୍କୁ ରଣପୁରରୁ ନିର୍ବାସିତ ହେବାକୁ ପଡ଼ିଛି ।”

 

ପ୍ରାଣନାଥଙ୍କ ମତ ହେଲା“୧୯୩୮-୩୯ର ଗଡ଼ଜାତ ଆନ୍ଦୋଳନର ସର୍ବଭାରତୀୟ ଭୂମିକା ତଥା ଓଡ଼ିଶାର ଭୂମିକା ପରବର୍ତ୍ତୀ ଭାରତର ସ୍ୱାଧୀନତା ଆନ୍ଦୋଳନକୁ ବିଶେଷ ସାହାଯ୍ୟ କରିଥିଲା ।” ଏହି ସମସ୍ତ ସାମନ୍ତବାଦ ବିରୋଧୀ ଆନ୍ଦୋଳନ ଭାରତରେ କେବଳ ରାଜତନ୍ତ୍ର ଭାଙ୍ଗିବାରେ ସାହାଯ୍ୟ କରିନାହିଁ, ତାହା ପରେ ପ୍ରତିଷ୍ଠିତ ବ୍ରିଟିଶ ସାମ୍ରାଜ୍ୟବାଦକୁ ମଧ୍ୟ ଦୋହଲାଇ ଦେଇଥିଲା ।

 

ନବମ ଅଧ୍ୟାୟ

ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ : ରାଜଦ୍ରୋହ ମାମଲା ଓ ବନ୍ଦୀ ଜୀବନ

 

ସମଗ୍ର ପୃଥିବୀ ପାଇଁ ପ୍ରଚଣ୍ଡ ବିପଦ ଏବଂ ଦୁର୍ନିବାର ସଙ୍କଟ ଆଣି ୧୯୩୯ ମସିହାରେ ସେପ୍ଟେମ୍ବର ପହିଲାରେ ଦ୍ଵିତୀୟ ବିଶ୍ଵ ମହାସମର ଆରମ୍ଭ ହୋଇଗଲା । ସେପ୍ଟେମ୍ଵର ପହିଲାରେ ନାଜୀ ଜର୍ମାନୀ ଏବଂ ଫାସିଷ୍ଟ ଇଟାଲୀ (ହିଟଲର ଓ ମୁସୋଲିନୀ) ଏ ବିଶ୍ୱଯୁଦ୍ଧ ଆରମ୍ଭ କଲେ । ଧମକ ଦେଇ ହିଟଲର ଚେକୋସ୍ଲୋଭାକିଆ ଗ୍ରାସ କଲା ଏବଂ ଅପରପକ୍ଷରେ ଆଫ୍ରିକାନ୍‍ ଆବିସିନିଆକୁ ଇଟାଲୀ ଦଖଲ କରିନେଲା

 

ଦ୍ୱିତୀୟ ବିଶ୍ଵଯୁଦ୍ଧରେ ଭାରତରେ ବିଭିନ୍ନ ରାଜ୍ୟରେ ଗଢ଼ା ହୋଇଥିବା କଂଗ୍ରେସ ମନ୍ତ୍ରୀମଣ୍ତଳ, କଂଗ୍ରେସ ବା ଭାରତବର୍ଷର/ମନ୍ତ୍ରୀମଣ୍ଡଳ ମାନଙ୍କର ବିନା ଅନୁମତିରେ ଦେଶର ଶାସନ କରୁଥିବା ବ୍ରିଟିଶ ସରକାର ଜନସାଧାରଣଙ୍କର ମତାମତକୁ ଭୃକ୍ଷେପ ନକରି ଯେ ଜର୍ମାନୀ ଓ ଇଟାଲୀ ନେତୃତ୍ୱରେ ଗଠିତ “ଅକ୍ଷଶକ୍ତି” ବା “ଚକ୍ରଶକ୍ତି” ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବାରୁ ନଭେମ୍ବର ମାସରେ ବିଭିନ୍ନ ପ୍ରଦେଶର ମନ୍ତ୍ରୀମଣ୍ଡଳମାନେ ଇସ୍ତଫା ଦେଇଦେଲେ ଏବଂ ଆମ ରାଜ୍ୟର ନବଗଠିତ କଂଗ୍ରେସ ମନ୍ତ୍ରୀମଣ୍ଡଳ ମଧ୍ୟ ନଭେମ୍ବର ମାସରେ ଇସ୍ତଫା ଦେଇଦେଲା । ଓଡ଼ିଆ ସମେତ ସାରା ଦେଶବାସୀଙ୍କର ପ୍ରତିବାଦର ସ୍ୱର ପ୍ରତିଧ୍ଵନିତ ହୋଇଉଠିଲା ।

 

ପ୍ରାଣନାଥ ଏବଂ ତାଙ୍କର ସମଯୋଦ୍ଧା ସାଥୀମାନେ ନିଜ ନିଜ ଭିତରେ ବୈଠକ କରି ନିଷ୍ପତି ନେଲେ ଯେ ଖୋର୍ଦ୍ଧା ସବ୍‍ଡିଭିଜନ ସାରା ବୁଲି ସଭା ସମିତି କରି ଲୋକାଙ୍କୁ ଯୁଦ୍ଧ ବିରୋଧରେ ଇଂରେଜ ସରକାରଙ୍କୁ ସାହାଯ୍ୟ ନକରିବା ପାଇଁ ବୁଝାଇବାକୁ ହେବ ।

 

ଯୁଦ୍ଧ ଆରମ୍ଭ ହେବା ଦିନରୁ ସମଗ୍ର ଖୋର୍ଦ୍ଧାର ଗାଁ ଗହଳ, ସହର ବଜାର ବୁଲିବୁଲି ଯୁଦ୍ଧ ବିରୋଧୀ ଓ ସାମ୍ରାଜ୍ୟବାଦ ବିରୋଧୀ ତଥା ପୁଞ୍ଜିବାଦ ବିରୋଧୀ ବକ୍ତୃତା ଦେଇଥିବାରୁ ଶହ ଶହ ସଭା-ସମିତି କରିଥିବାରୁ ପ୍ରାଣାନାଥ ପଟ୍ଟନାୟକ, ଗୋକୁଳ ମୋହନ ରାୟଚୂଡ଼ାମଣି, ସାଧୁଚରଣ ମହାନ୍ତିଙ୍କୁ ବ୍ରିଟିଶ୍‍ ପୋଲିସ ଗିରଫ କରିନେଲା - ନଭେମ୍ବର ମାସର ଦିପାବଳୀ ଅମାବାସ୍ୟା ଦିନ ପ୍ରାଣନାଥଙ୍କୁ ଗିରଫ କରାଗଲା ଏବଂ ନଭେମ୍ବର ୧୧ ତାରିଖ ଦିନ ଗୋକୁଳ ମୋହନଙ୍କୁ ତା’ର କିଛି ଆଗରୁ ଖୋର୍ଦ୍ଧା ମାତା ମା’ ଚାଳିଆରେ ହୋଇଥିବା ପାର୍ଟି ଅଫିସ ଆଗରୁ ଗିରଫ କରାଗଲା ।

 

ଖୋର୍ଦ୍ଧା ଏସ୍‍.ଡ଼ି.ଓଙ୍କ କୋର୍ଟରେ ଏମାନଙ୍କର (ପ୍ରାଣନାଥ ପଟ୍ଟନାୟକ, ଗୋକୁଳମୋହନ ରାୟଚୂଡ଼ାମଣୀ, ସାଧୁଚରଣ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ମହାନ୍ତି ପ୍ରମୁଖ) ବିଚାର ଚାଲିଲା-। ମକଦ୍ଦମାର ସମସ୍ତ ବିବରଣୀ ମିଥ୍ୟା ଏବଂ ସରକାରଙ୍କ ପକ୍ଷରୁ ସଜାଇ ସୁଜାଇ କରାଯାଇଥିଲା ବେଳେ ପାର୍ଟି, ସାଥୀମାନେ ଏପଟେ ସ୍ଥିର କଲେ ଏ ମକଦ୍ଦମାକୁ ଖାଲି ଛାଡ଼ିନଦେବା ପାଇଁ, କାରଣ ଆଶଙ୍କା ଥାଏ, କଠୋର ଦଣ୍ଡ ଏପରିକି ପ୍ରାଣଦଣ୍ଡ, ଜାବତ୍‍ ଜୀବନ ଦଣ୍ଡ ଇତ୍ୟାଦି ହୋଇଯାଇପାରେ ।

 

ଏଥିପାଇଁ ରାଜ୍ୟ ପାର୍ଟି ପକ୍ଷରୁ ଏକ ପ୍ରତିରକ୍ଷା ବା ଡିଫେନ୍ସ କମିଟି ଗଢ଼ାଯାଇ ସେଥିରେ ଡକ୍ଟର ହରେକୃଷ୍ଣ ମହତାବ, ଭଗବତୀଚରଣ ପାଣିଗ୍ରାହୀ, ଗୁରୁଚରଣ ପଟ୍ଟନାୟକ, ଗଙ୍ଗାଧର ମିଶ୍ର, ଦାମୋଦର ମିଶ୍ର, ପର୍ଶୁରାମ ପଦାତିକରାୟ, ଗଙ୍ଗାଧର ପାଇକରାୟ ଆଦି ସଭ୍ୟ ରହିଲେ । ଏ କମିଟି ଖୋର୍ଦ୍ଧା ଆସି ନାମଜାଦା ଓକିଲମାନଙ୍କୁ ବାହାରୁ ଅଣାଇ ଆଲୋଚନା କଲେ ।

 

ସ୍ଵର୍ଗତଃ ନ୍ୟାୟମୂର୍ତ୍ତି ରାଜକିଶୋର ଦାସ ସେତେବେଳେ ଓକିଲାତି କରୁଥିଲେ । ସେ ପ୍ରାଣନାଥ, ଗୋକୁଳମୋହନ ଆଦିଙ୍କର ମକଦ୍ଦମା ଲଢ଼ିବାର ମୁଖ୍ୟ ଦାୟିତ୍ଵ ନେଲେ । ସ୍ୱର୍ଗତଃ ଜଷ୍ଟିସ୍‍ ରାଜକିଶୋର ଦାସ ତାଙ୍କ ରଚିତ “ଅନେକ ଦିନର ଅନେକ କଥା” ଶୀର୍ଷକ ଆତ୍ମଜୀବନୀରେ ଏହି ମକଦ୍ଦମାକୁ ତଥା ପ୍ରାଣନାଥଙ୍କ ବିଚାରକୁ ତାଙ୍କ ଜୀବନର ଏକ ବିଶିଷ୍ଟ ଉଲ୍ଲେଖଯୋଗ୍ୟ ଘଟଣା ଭାବରେ ସେଥିରେ ନିମ୍ନୋକ୍ତ ବର୍ଣ୍ଣନା କରିଛନ୍ତି ।

 

“ଇଂରେଜ ସରକାରଙ୍କ ବିରୁଦ୍ଧରେ ସାରା ଦେଶରେ ଆନ୍ଦୋଳନ ଚାଲିଥାଏ । ୧୯୩୯ ମସିହାର ଘଟଣା । ସେ ସମୟରେ ଖୋର୍ଦ୍ଧା ଅଞ୍ଚଳରେ ଚାଲିଥିବା କୃଷକ ଆନ୍ଦୋଳନ ଏକ ଜଟିଳ ପରିସ୍ଥିତି ସୃଷ୍ଟି କରିଥାଏ । ଏହି ଆନ୍ଦୋଳନର ନେତୃତ୍ୱ ନେଇଥାନ୍ତି ବିଶିଷ୍ଟ ସମାଜ ସେବୀ ତଥା ସ୍ୱାଧିନତା ସଂଗ୍ରାମୀ ସ୍ୱର୍ଗତଃ ପ୍ରାଣନାଥ ପଟ୍ଟନାୟକ, ଗୋକୁଳ ମୋହନ ରାୟଚୂଡ଼ାମଣି ଏବଂ ସାଧୁଚରଣା ମହାନ୍ତି ପ୍ରମୁଖ ।”

 

ପ୍ରାଣନାଥ ପଟ୍ଟନାୟକ ତା ୧୯.୧୦.୧୯୩୯ ରିଖରେ ହାଟସାହିଠାରେ ଏକ ସଭାରେ ବକ୍ତୃତା ଦେଇଥିଲେ । ସେତେବେଳେ ଭାରତୀୟ ଜାତୀୟ କଂଗ୍ରେସ ଯୁଦ୍ଧକୁ ନୀତିଗତ କାରଣରୁ କେତକ ଭାବରେ ବିରୋଧ କରୁଥିଲେ । ସେହି ଯୁଦ୍ଧ ବିରୋଧୀ ନୀତିକୁ ଜନସାଧାରଣଙ୍କୁ ବୁଝାଇବା ପାଇଁ ବିଭିନ୍ନ ସ୍ଥାନରେ ସଭା ସମିତିମାନ ପ୍ରାୟତଃ ଅନୁଷ୍ଠିତ ହେଉଥିଲା । ପ୍ରାଣନାଥ ବାବୁ ସଭାରେ ଏହି ମର୍ମରେ ବକ୍ତୃତା ଦେଇଥିଲେ । ରାଜଦ୍ରୋହରେ ଲିପ୍ତ ବୋଲି ତାଙ୍କ ବିରୁଦ୍ଧରେ ଅଭିଯୋଗ କରାଯାଇଥିଲା । ସରକାରଙ୍କ ତରଫରୁ ଯେଉଁମାନେ ତାଙ୍କ ବକ୍ତୃତାର ରିପୋର୍ଟ ଲେଖୁଥିଲେ । ସେମାନେ ତାଙ୍କ ବିରୁଦ୍ଧରେ ସାକ୍ଷ୍ୟ ଦେଲେ । ପ୍ରାଣନାଥ ବାବୁ ରାଜଦ୍ରୋହ ଅଭିଯୋଗକୁ ଦୃଢ଼ତାର ସହିତ ଅସ୍ୱୀକାର କରିବା ସଙ୍ଗେ ସଙ୍ଗେ କହିଥିଲେ ଯେ, ସଭାରେ ସେ କେବଳ ଜାତୀୟ କଂଗ୍ରେସର ଯୁଦ୍ଧ ବର୍ଜ୍ଜନ ନୀତିକୁ ଲୋକଙ୍କୁ ବୁଝାଉଥିଲେ । ତାଙ୍କ ସପକ୍ଷରେ ସାକ୍ଷ୍ୟ ଦେଇଥିଲେ । ତତ୍‍କାଳୀନ ଜାତୀୟ କଂଗ୍ରେସ କାର୍ଯ୍ୟକାରୀ କମିଟିର ସଭ୍ୟ ଡକ୍ଟର ହରେକୃଷ୍ଣ ମହତାବ ଓ ଜିଲ୍ଲା ସମ୍ପାଦକ ସ୍ୱର୍ଗତଃ ଲାଲ ବିହାରୀ ଦାସ । ସେମାନଙ୍କ ସାକ୍ଷର ମର୍ମ ଥିଲା, କଂଗ୍ରେସ ଯୁଦ୍ଧ ସମ୍ପର୍କରେ ଯେଉଁ ନୀତି ଗ୍ରହଣ କରିଥିଲା; ପ୍ରାଣନାଥ ବାବୁ ତାହା ହିଁ ସଭାରେ ଲୋକମାନଙ୍କୁ ବୁଝାଇଥିଲେ ।

 

“ପ୍ରାଣନାଥ ବାବୁ ପ୍ରମୁଖ ଏତେ ଲୋକପ୍ରିୟ ଥିଲେ ଯେ, ଖୋର୍ଦ୍ଧା କୋର୍ଟରେ କେଶ୍‍ ବିଚାର ହେଉଥିବା ବେଳେ ହଜାର ହଜାର ଲୋକ ସେଠାରେ ରୁଣ୍ଡ ହେଉଥିଲେ । ସ୍ଵର୍ଗତଃ ଭଗବତୀ ପାଣିଗ୍ରାହୀ ଏ ସମସ୍ତ ମୋକଦ୍ଦମାରେ ମୋତେ ସାହାଯ୍ୟ କରୁଥିବାରୁ ମୋ’ ସହିତ ଯିବା ଆସିବା କରୁଥିଲେ । ଦିନେ ଏପରି ଭିଡ଼ ହେଲା ଯେ, ମୋ’ ପକ୍ଷେ କଚେରୀ ଭିତରକୁ ଯିବା କଷ୍ଟସାଧ୍ୟ ହୋଇପଡ଼ିଲା । କ୍ଷୀଣକାୟ ଭଗବତୀ ବାବୁ ଗୋଟିଏ ଚେୟାର ଉପରେ ଛିଡ଼ାହୋଇ ରହସ୍ୟ କରି କହିଲେ, “ଭାଇମାନେ ଯାତ୍ରା ଦେଖିବାକୁ ଆସିଛ । ହେଲେ ଯିଏ ଯାତ୍ରା କରିବେ, ତାଙ୍କୁ ତା ବାଟ ଛାଡ଼ୁନାଁ, ଯାତ୍ରା କ’ଣ ଦେଖିବ ?” ଏଇକଥା ଶୁଣି ଲୋକମାନେ ଦୁଇ ପାଖରେ ଛିଡ଼ା ହୋଇ ଆମକୁ ବାଟ ଛାଡ଼ିଦେଲେ । ଭଗବତୀ ବାବୁ ମୋତେ କହିଲେ “ଦେଖିଲେ ?” ସରକାର ସିନା ଆମ କଥା ଶୁଣୁନାହାନ୍ତି, ଲୋକେ ଠିକ୍‍ ବୁଝିଛନ୍ତି । ଆଉ ଆମେ ତାଙ୍କୁ ବୁଝାଇଦେଲେ ସରକାର ଆମକୁ ବାନ୍ଧି ପକାଉଛନ୍ତି ।”

 

“ଉକ୍ତ ମକଦ୍ଦମା ଖୋର୍ଦ୍ଧାର ତତ୍‍କାଳୀନ ଏସ୍‍.ଡ଼ି.ଓ ଶ୍ରୀ କେ .ରମଣ, ଆଇ.ସି.ଏସ୍‍.ଙ୍କ କୋର୍ଟରେ ପଡ଼ିଥିଲା । ସେ ୨୫.୧୧.୧୯୪୧ ତାରିଖରେ ପ୍ରାଣନାଥ ବାବୁଙ୍କୁ ତିନୋଟି ଦଫାରେ ଛ’ମାସ କରି ମୋଟ ଅଠର ମାସ (ଦେଢ଼ ବର୍ଷ) ଜେଲ୍ ଓ ଜୋରିମାନା ଦଣ୍ଡାଦେଶ ଦେଇଥିଲେ ।”

 

ସାଧୁଚରଣଙ୍କୁ ବର୍ଷେ, ଗୋକୁଳ ମୋହନଙ୍କୁ ବର୍ଷେ କରି ଦଣ୍ଡାଦେଶ ହେଲା । ନ୍ୟାୟମୂର୍ତ୍ତି ରାଜକିଶୋର ଦାସ ଆହୁରି ଉଲ୍ଲେଖ କରିଛନ୍ତି ସେତେବେଳେ ପୁରୀ ଓ ଗଞ୍ଜାମ ଜିଲ୍ଲା ପାଇଁ ଜଣେ, ମାତ୍ର ସେସନ୍ସ ଜଜ୍‍ ଥାଆନ୍ତି ଶ୍ରୀ ରମେଶ ଚନ୍ଦ୍ର ମିତ୍ର । ସେଦିନ ସେ ପୁରୀକୁ ସର୍କିଟ କୋର୍ଟ କରିବାକୁ ଆସିଥାନ୍ତି । ରମଣ ସାହେବ ରାୟ ଦେବା ଦିନ ମୁଁ ସଙ୍ଗେ ସଙ୍ଗେ ପୁରୀ ଯାଇ ନିଜେ ଟାଇପକରି ଶ୍ରୀ ମିତ୍ରଙ୍କ ପାଖରେ ସେ ବୁଲୁଥିବା ବେଳେ ସମୁଦ୍ର କୂଳକୁ ଯାଇ ଅପିଲ ଦାଖଲ କଲି ଓ ଷ୍ଟେ’ ଅର୍ଡ଼ର ଆଣିଲି ।

 

“ପରବର୍ତ୍ତୀ ଅବସ୍ଥାରେ ଏ ମକଦ୍ଦମା ପରିଚାଳନା କ୍ଷେତ୍ରରେ ବ୍ରହ୍ମପୁରରେ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ତଥା ସମାଜସେବୀ ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏବଂ ପୂର୍ବତନ ମନ୍ତ୍ରୀ ସ୍ଵର୍ଗତଃ ମାନ୍ଧାତା ଗୋରାଚାନ୍ଦ ପଟ୍ଟନାୟକ ସହାୟତା କରିଥିଲେ ।” ନିରଞ୍ଜନ ପଟ୍ଟନାୟକ ଶ୍ରୀମତୀ ଜୟନ୍ତୀ ପଟ୍ଟନାୟକଙ୍କ ପିତା ଏବଂ ଶ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଶ୍ୱଶୁର । ସ୍ଵର୍ଗତଃ ନ୍ୟାୟମୂର୍ତ୍ତି ରାଜକିଶୋର ଦାସଙ୍କର ଆତ୍ମଜୀବନୀ “ଅନେକ ଦିନର ଅନେକ କଥା”ର ପ୍ରକ୍ଷିପ୍ତ ଅଂଶକୁ ଉଦ୍ଧାର କରିବାର ପ୍ରମୁଖ ଉଦ୍ଦେଶ୍ୟ, ପ୍ରାଣନାଥଙ୍କର ଜୀବନର ଏକ ଅଧ୍ୟାୟ ପାଠକମାନଙ୍କର ସମକ୍ଷରେ ଉନ୍ମୋଚନ କରିବା ନୁହେଁ, ଖୋର୍ଦ୍ଧା ମୁଲକ ସାରା ପ୍ରାଣନାଥ ଓ ତାଙ୍କର ସମଯୋଦ୍ଧା ସାଥୀମାନେ ଗଣସଂଗ୍ରାମ ଭିତରେ ଜନଗଣଙ୍କର କେତେ ଆପଣାର ହୋଇଉଠିଥିଲେ, ଜନପ୍ରିୟ ହୋଇଉଠିଥିଲେ, ତାହାର ପ୍ରତ୍ୟକ୍ଷରୂପ ଦର୍ଶାଇବାକୁ ।”

 

ଜଷ୍ଟିସ୍‍ ଦାସ ତାଙ୍କର ନିଜ ଜୀବନରେ ଆଉ ଠାଏ ପ୍ରାଣନାଥଙ୍କ ସମ୍ପର୍କରେ ଉଲ୍ଲେଖ କରିଛନ୍ତି ଏବଂ ତାଙ୍କର ଚରିତ୍ରର ଏକ ବିଶିଷ୍ଟ ଦିଗ ସମ୍ପର୍କରେ ଆଲୋକପାତ କରିଛନ୍ତି । ତାଙ୍କ ଭାଷାରେ “ରାଜନୈତିକ ପ୍ରତିପତ୍ତି ଅପେକ୍ଷା ଆଦର୍ଶକୁ ଯେଉଁ ନେତା ମାନେ ଉଚ୍ଚସ୍ଥାନ ଦିଅନ୍ତି, ସେମାନଙ୍କ ମଧ୍ୟରେ ସ୍ଵର୍ଗତଃ ପ୍ରାଣନାଥ ପଟ୍ଟନାୟକ ଅନ୍ୟତମ । କ୍ଷମତାର ଲାଳସା ତାଙ୍କର ଆଦୌ ନଥିଲା । ୧୯୩୦ ରୁ ୧୯୪୨ମଧ୍ୟରେ ଜଣେ ସ୍ୱାଧୀନତା ସଂଗ୍ରାମୀ ଭାବରେ ସେ ଦଶଥର କାରାବରଣ କରିଥିଲେ । ପରିବାରର ମୋହ ତାଙ୍କ ବିପ୍ଳବାତ୍ମାକ କାର୍ଯ୍ୟକଳାପରେ ବାଧା ସୃଷ୍ଟି କରିପାରିନଥିଲା । ସେ ଥିଲେ ଜଣେ ସଚ୍ଚା ଦେଶପ୍ରେମୀ, ସତ୍ୟାଗ୍ରହୀ ତଥା ଜନସେବକ । ୧୯୩୭ ମସିହାରେ କଂଗ୍ରେସ ତରଫରୁ ନିର୍ବାଚନରେ ଜୟଯୁକ୍ତ ହୋଇ ଓଡ଼ିଶା ବିଧାନସଭାରେ ସଭ୍ୟ ହୋଇଥିଲେ ଏବଂ ମୁଖ୍ୟତଃ ଦୀନ ଦରିଦ୍ର ମଳିମୁଣ୍ଡିଆଙ୍କର ଆର୍ଥିକ ତଥା ସାମାଜିକ ଉନ୍ନତି ଦିଗରେ ସର୍ବଦା ଚେଷ୍ଟିତ ଥିଲେ । ସେ ଭଲ ପାଉଥିଲେ ମଣିଷକୁ ଏବଂ ତାଙ୍କର ଧର୍ମ ଥିଲା କର୍ମ । ରୋଗୀ ଦୁଃଖୀଙ୍କ ସେବା କରିବାଲାଗି ସେ ଗରିବର ଜୀବନଯାପନ କରୁଥିଲେ । ଟିକିଏ ହେଲେ ଅହଙ୍କାର ନାହିଁ । ସବୁବେଳେ ହସ ହସ ମୁହଁ, କି ବିରାଟ ବ୍ୟକ୍ତିତ୍ୱ ସତେ ।”

 

“ନିଜ ନୀତିରେ ସେ ସବୁବେଳେ ଅଟଳ ଓ ନିର୍ଭୀକ ଥିଲେ; ତେଣୁ ତାଙ୍କୁ ଅର୍ଥ, ଯଶ, କ୍ଷମତା ଓ ପ୍ରତିପତ୍ତିର ଲାଳସା ସ୍ପର୍ଶ କରିନଥିଲା ।”

 

ଏଥିପୂର୍ବରୁ ଉଲ୍ଲେଖ କରିଛି ଯେ, ଡିଫେନ୍ସ କମିଟି ପକ୍ଷରୁ ହୋଇଥିବା ସମସ୍ତ ଉଦ୍ୟମ ଏବଂ ପ୍ରତିରକ୍ଷା ନିମନ୍ତେ ପ୍ରାଣମୂର୍ଚ୍ଛା କାର୍ଯ୍ୟ କରୁଥିବା ରାଜକିଶୋର ଦାସ, ଭୂତପୂର୍ବ ରାଜସ୍ୱମନ୍ତ୍ରୀ ମାନ୍ଧାତା ଗୋରାଚାନ୍ଦ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକ ମାନଙ୍କର ଅଙ୍କୁଣ୍ଠ ସାହାଯ୍ୟ ସହଯୋଗ ସତ୍ତ୍ଵେ ଏହି ମକଦ୍ଦମାରେ ପୂର୍ବ ପ୍ରାୟୋଜିତ ଭାବେ ମିଥ୍ୟା ପ୍ରମାଣ ବଳରେ ପ୍ରାଣନାଥ, ଗୋକୁଳମୋହନ, ପୂର୍ଣ୍ଣ ମହାନ୍ତି ପ୍ରମୁଖଙ୍କୁ ଜେଲ୍ - ଦଣ୍ଡାଦେଶ ହୋଇଗଲା । ଜାମିନରେ ଆସି ହାଇକୋର୍ଟରେ ଅପିଲ କରାଗଲା । ସେଥିରେ ବିଚାରାଧିନ ଥିବା ସମୟରେ ଭୋଗ କରିଥିବା ସମୟକୁ ଦଣ୍ଡାଦେଶ ସହିତ ମିଶାଇ ପ୍ରାଣନାଥ, ଗୋକୁଳ ମୋହନଙ୍କୁ ୨ ବର୍ଷ (ସେଥିରୁ ବନ୍ଦୀଶାଳରେ ବିଚରାଧୀନ କାଳର ବନ୍ଦୀତ୍ଵ କାଳ ଫେଡ଼ି ଦିଆଯିବ) ଅନ୍ୟମାନଙ୍କୁ ୧ ବର୍ଷ ଦଶମାସ ଦଣ୍ଡାଦେଶ ହୋଇଗଲା ।

 

ପ୍ରାଣନାଥ ପଟ୍ଟନାୟକ ଏବଂ ଗୋକୁଳମୋହନ ଓ ସାଧୁଚରଣ ମହାନ୍ତିଙ୍କୁ ବିପଜ୍ଜନକ ଆସାମୀ ଭାବରେ ବ୍ରିଟିଶ ସରକାର ଗ୍ରହଣ କରି ସେମାନଙ୍କୁ ଅନୁଗୁଳ ଜେଲ୍‍କୁ ପଠାଇଦେଲେ ଏବଂ ଅନୁଗୁଳ ଜେଲରେ ଏକ ସ୍ୱତନ୍ତ୍ର ଖୁଆଡ଼ ବା ୱାର୍ଡ଼ରେ ଏମାନଙ୍କୁ ରଖାଗଲା । ପୁଣି ଗୋରା ସୁପରିନଟେଣ୍ଡେଣ୍ଟଙ୍କ ତତ୍ତ୍ୱାବଧାନରେ ତଥା ବିଶେଷ କଡ଼ା ପହରାରେ ରଖାଗଲା ।

 

ସୁଦୀର୍ଘ ଏକବର୍ଷ କାଳ ଜେଲ୍‍ର କଠୋର ଜୀବନକୁ ରୁଟିନ୍‍ ବନ୍ଧା କାମ ଭିତରେ ନିଜର ସାଥୀ ଗୋକୁଳ ମୋହନ ଏବଂ ସାଥୀ ସାଧୁଚରଣ ମହାନ୍ତିଙ୍କ ସହିତ ବିତାଇଲେ ପ୍ରାଣନାଥ ।

 

ପ୍ରାଣନାଥ ଏବଂ ତାଙ୍କର ସାଥୀମାନେ ଜେଲରେ ଥିବାବେଳେ ଖବରକାଗଜରୁ ଜାଣିଲେ ଯେ, ଓଡ଼ିଶାରେ “କମ୍ୟୁନିଷ୍ଟ ଷଡ଼ଯନ୍ତ୍ର ମକଦ୍ଦମା’ ଆରମ୍ଭ ହୋଇଛି ଏବଂ ସେଥିରେ ସାଥୀ ଭଗବତୀଚରଣ ପାଣିଗ୍ରାହୀ, ସାଥୀ ଗୁରୁଚରଣ ପଟ୍ଟନାୟକ, ସାଥୀ ଅନନ୍ତ ପଟ୍ଟନାୟକ,ସାଥୀ ବିଜୟଚନ୍ଦ୍ର ଦାସ, ସାଥୀ ଦୁର୍ଗାଚରଣ ମହାନ୍ତି, ସାଥୀ ରାମଚନ୍ଦ୍ର ମିଶ୍ର, ସାଥୀ ବୈଦ୍ୟନାଥ ରଥ, ସାଥୀ ବନମାଳୀ ଦାସ, ସାଥୀ ଶରତ ପଟ୍ଟନାୟକ, ସିଦ୍ଧେଶ୍ଵର ମହାନ୍ତି ଓ ଗଣେଶ୍ୱର ମହାନ୍ତି ଷଡ଼ଯନ୍ତ୍ର ମାମଲାରେ ଗିରଫ ହୋଇଛନ୍ତି । ୧୯୪୦ ମସିହା ଜୁଲାଇ ୧୧ ତାରିଖରେ ଏମାନେ ଗିରଫ ହୋଇଛନ୍ତି ।

 

ଜେଲରେ ଷ୍ଟେଟ୍ସମ୍ୟାନ ଖବରକାଗଜରୁ ଏ ସମ୍ବାଦ ପଢ଼ି, ଲକ୍ଷ୍ମୀନାରାୟଣ ମିଶ୍ର କହିଲେ, ଯାହାହେଉ ଓଡ଼ିଶାରେ ପୁଅ ଅଛନ୍ତି ! ଓଡ଼ିଆ ଜାତି ହୀନବୀର୍ଯ୍ୟ ନୁହେଁ ଏବଂ ଖୁସିରେ କୁରୁଳି ଉଠିଲେ ।

 

ପ୍ରାଣନାଥ ପଟ୍ଟନାୟକ ସେତେବେଳେ ଅନୁଗୁଳରୁ ଆସି ପୁରୀ ଜେଲରେ । ଉଦ୍‍ଗବେଗ ଓ ଉତ୍‍କଣ୍ଠା ସହିତ କମ୍ୟୁନିଷ୍ଟ ଷଡ଼ଯନ୍ତ୍ର ମକଦ୍ଦମାର ଖବରାଖବର ରଖିବାକୁ ଚେଷ୍ଟା କରୁଥାନ୍ତି, କାରଣ ଜେଲ୍ ଭିତରକୁ ଯେଉଁ ଖବରକାଗଜ ବନ୍ଦୀମାନଙ୍କ ପାଇଁ ଦିଆଯାଏ, ସେଥିରୁ କମ୍ୟୁନିଷ୍ଟମାନଙ୍କ କଥା, ଆନ୍ଦୋଳନର କଥା ଇତ୍ୟାଦିକୁ କାଟି ଦିଆଯାଇଥାଏ ।

 

ପୂର୍ବରୁ ଉଲ୍ଲେଖ କରାଯାଇଛି ଯେ, କମ୍ୟୁନିଷ୍ଟ ଷଡ଼ଯନ୍ତ୍ର ମକଦ୍ଦମାରେ ଭଗବତୀ, ଗୁରୁଚରଣ, ଅନନ୍ତ ପଟ୍ଟନାୟକ (କବି) ବୈଦ୍ୟନାଥ ରଥଙ୍କୁ ସବୁ ମିଶାଇ ଦୁଇବର୍ଷ କାରାଦଣ୍ଡାଦେଶ ଏବଂ ବିଜୟ ଚନ୍ଦ୍ର ଦାସ, ଶରତ ପଟ୍ଟନାୟକଙ୍କୁ ୬ ମାସ ଲେଖାଏଁ, ବନମାଳୀ ଦାସଙ୍କୁ ୯ ମାସ ଜେଲ୍‍ଦଣ୍ଡ ହୋଇଥିଲା । ଏମାନଙ୍କୁ ଅନୁଗୁଳ ଜେଲରେ ରଖାଗଲା । ସେତେବେଳେ ହୁଏତ ଅନୁଗୁଳ ଜେଲ୍‍କୁ ଅପେକ୍ଷାକୃତ ନିରାପଦ ବିଚାର କରାଯାଉଥିଲା ।

 

ପୁରୀ ଜେଲରେ ପ୍ରାଣନାଥ ଥିଲାବେଳେ ତାଙ୍କ ଜୀବନର ଏକ ଦୁଃଖଦ ଘଟଣା ଘଟିଲା-। ୧୯୪୦ମସିହା ମାର୍ଚ୍ଚ ୨୩ ତାରିଖ ଦୋଳପୂର୍ଣମୀର ଦିନ ପ୍ରାଣନାଥଙ୍କର ଶ୍ୱଶୁର ମଞ୍ଜରୀ ଦେବୀଙ୍କର ପିତା ଜାତୀୟ କବି କୃଷ୍ଣମୋହନ ପଟ୍ଟନାୟକଙ୍କ ଦେହାନ୍ତ ହେଲା । ବ୍ରିଟିଶ ଶାସନ କଳ ପ୍ରାଣନାଥଙ୍କୁ ଏ ଦୁଃଖାବହ ପରିସ୍ଥିତିରେ ପତ୍ନୀ ମଞ୍ଜରୀଙ୍କ ପିତାଙ୍କର ମୃତ୍ୟୁରେ ସାନ୍ତ୍ୱନା ଦେବାପାଇଁ ଶୋକଜ୍ଞାପନ କରିବା ପାଇଁ ମଧ୍ୟ ଅନୁମତି ମିଳିନଥିଲା । ଇଂରେଜ ସରକାର ପାରୋଲରେ ଯିବା ପାଇଁ ଦରଖାସ୍ତକୁ ନାମଞ୍ଜୁର କରିଦେଲେ ।

 

ଦଶମ ଅଧ୍ୟାୟ

ସୁଦୀର୍ଘ ଜେଲ୍ ଜୀବନ ଓ ସେହି ଜେଲ୍ କୋଠରୀ ଭିତରେ ଶିକ୍ଷାପ୍ରାପ୍ତି ତଥା ଶିକ୍ଷାଦାନ

 

ପ୍ରାଣନାଥ ତାଙ୍କ ନିଜର ନିର୍ବାଚନ ପାଇଁ ଲିଫଲେଟଟିଏ ଚିଠା କଲାବେଳେ, ଲେଖିଥିଲେ ଯେ, ଜୀବନର ଯୌବନର ସୁଦୀର୍ଘ ୧୧ ବର୍ଷ ସମୟ ବ୍ରିଟିଶ ସାମ୍ରାଜ୍ୟବାଦୀ ଜେଲ୍‍ରୁ ଆରମ୍ଭକରି ସ୍ଵାଧୀନତା ପରେ ପୁଞ୍ଜିବାଦୀ କଂଗ୍ରସ ଜେଲ୍ ଭିତରେ ବିତାଇଥିଲେ -ଅତୀତରେ ସ୍ୱାଧୀନତା ସଂଗ୍ରାମରେ ଭାଗୀଦାର ହୋଇ କଂଗ୍ରେସ ଶାସନରେ ଶୋଷଣ-କଷଣ ଅତ୍ୟାଚାର, କ୍ଷୁଧା, ଅନାଟନ ବିରୁଦ୍ଧରେ ଲଢ଼ିବା ପାଇଁ ଭାଗଚାଷୀଙ୍କୁ ତାଙ୍କ ହକ୍‍ଦେବା ପାଇଁ ଲଢ଼ି ।

 

ଉତ୍ତୀର୍ଣ୍ଣ କୈଶୋରରେ ସ୍ୱ।ଧିନତା ଆନ୍ଦୋଳନର ହାତଖଡ଼ି ଧରିଲାବେଳେ ୧୯୩୦ମସିହା, ୧୯୩୧ ମସିହା, ୧୯୩୨, ୧୯୩୯ ରାଜଦ୍ରୋହ ମାମଲା, ବ୍ୟକ୍ତିଗତ ସତ୍ୟାଗ୍ରହ କରି ୧୯୪୦ ମସିହାରେ, ଅଗଷ୍ଟ ବିପ୍ଳବ ଆରମ୍ଭ ହେଲାପରେ ୧୯୪୨ ମସିହାରେ, ଭାଗଚାଷୀ ଆନ୍ଦୋଳନର ନେତୃତ୍ୱ ନେଇ ୧୯୪୫-୧୯୪୬ରେ, ଦରବୃଦ୍ଧି ବିରୋଧରେ ଖାଦ୍ୟ ଆନ୍ଦୋଳନରେ ସାମିଲ ହୋଇ ୧୯୬୪ ମସିହାରେ ଏବଂ ଏଖରାଜାତ ମାହାଲ ଆନ୍ଦୋଳନ ନେତୃତ୍ୱ ନେଇ ୧୯୬୬ ମସିହାରେ ପ୍ରାଣନାଥ ବାରମ୍ବାର ଜେଲ୍ ଯାଇଛନ୍ତି । ହସି ହସି ଜେଲ୍‍କୁ ଯାଇଛନ୍ତି - ଫେରିଛନ୍ତି - ପୁଣି ଜେଲ୍‍କୁ ଯାଇଛନ୍ତି । ଜେଲ୍ ଭିତରେ ତାଙ୍କର ଜୀବନର/ଯୌବନର ବର୍ଷ ପରେ ବର୍ଷ, ମାସ ପରେ ମାସ ବିତିଯାଇଛି ।

 

୧୯୪୭ ମସିହାରେ ସ୍ୱାଧୀନତା ପ୍ରାପ୍ତି ପରେ ମଧ୍ୟ କଳାଶାସକଙ୍କ ଜେଲରେ ବର୍ଷ ବର୍ଷଧରି ବିତାଇଛନ୍ତି ପ୍ରାଣନାଥ । ସ୍ୱାଧୀନତା ପ୍ରାପ୍ତି ପରେ ମଧ୍ୟ ଏହି ବାରଣୀୟ ସ୍ୱାଧୀନତା ସଂଗ୍ରାମୀଙ୍କର ଜେଲ୍‍ଯାତ୍ରାର ଅନ୍ତ ହୋଇନାହିଁ ।

 

ବନ୍ଦୀ ଜୀବନ ଆରମ୍ଭ କରିଥିଲେ ୧୯୩୦ ମସିହାରେ ବାଲେଶ୍ୱର ଥାନାହାଜତ ଓ କାରାଗାରରେ । ପରେ ପରେ ବାରମ୍ବାର ପୁରୀ ଜେଲ୍, ଅନୁଗୋଳ ଜେଲ୍, ଖୋର୍ଦ୍ଧା ଜେଲ୍‍ହାଜତ ସବୁଠାରୁ ଅଧିକ ସମୟ ବ୍ରହ୍ମପୁର ସେଣ୍ଟ୍ରାଲ ଜେଲ୍, କେତେବେଳେ ବିହାରର ହଜାରିବାଗ କ୍ୟାମ୍ପ ଜେଲରେ -

 

ଆମ୍ଭମାନଙ୍କ ଆଗରେ କହିଲାବେଳେ ସଗର୍ବରେ ଛାତି ଫୁଲାଇ ଜେଲ୍ ଜୀବନ ତଥା କାରାବରଣର କାହାଣୀମାନ ଶୁଣାନ୍ତି ପ୍ରାଣନାଥ । ଦେଶମାତୃକାକୁ ମୁକ୍ତ କରିବା ପାଇଁ, ଶୃଙ୍ଖଳ ଛିନ୍ନ କରିବା ପାଇଁ ଏତେ ବର୍ଷ ସେ ସାମ୍ରାଜ୍ୟବାଦୀ ଜେଲରେ ବିତାଇଛନ୍ତି - ଜେଲ୍‍କୁ ଶିକ୍ଷାକେନ୍ଦ୍ର ଭାବରେ କ୍ୟାଡର ବିଲ୍‍ଡ଼ିଂ ବା ତିଆରି ସ୍ଥାନ ଭାବରେ ରୂପାନ୍ତରିତ କରିଛନ୍ତି ।

 

ପ୍ରାକ୍‍-ସ୍ୱାଧୀନତା କାଳରେ ପ୍ରାଣନାଥ ଅଧିକ ବର୍ଷ ବିତାଇଛନ୍ତି ବ୍ରହ୍ମପୁର ସେଣ୍ଟ୍ରାଲ ଜେଲରେ । ତାଙ୍କ ସମଯୋଦ୍ଧା ସାଥୀ ମନମୋହନ ମିଶ୍ର ଲେଖିଛନ୍ତି, “ପ୍ରାଣନାଥ ବାବୁଙ୍କ ସହିତ ସହବନ୍ଦୀ ଭାବରେ ବ୍ରହ୍ମପୁର ଜେଲରେ ମୋର ସର୍ବମୋଟ ୫ ବର୍ଷରୁ ଉର୍ଦ୍ଧ୍ୱକାଳ କଟିଛି । “ସେତେବେଳେ ବ୍ରହ୍ମପୁର ଜେଲ୍‍ଖାନା ଥିଲା ଓଡ଼ିଶାର ପ୍ରାୟ ସମସ୍ତ ମୁଖ୍ୟ ରାଜନୈତିକ ନେତା ଓ କର୍ମୀମାନଙ୍କର ମିଳନ ପୀଠ । ସେମାନଙ୍କ ଭିତରେ କଂଗ୍ରେସ, ସୋସାଲିଷ୍ଟ, କମ୍ୟୁନିଷ୍ଟ, କୃଷକ,ଗାନ୍ଧୀବାଦୀ ସବୁ ମତବାଦର ତାତ୍ତ୍ଵିକ ଓ ଚିନ୍ତାବିଦ୍‍ ଥିଲେ ।

 

“ବ୍ରହ୍ମପୁର ଜେଲରେ ଆମେ ପ୍ରାୟ ପାଞ୍ଚଶହ ରାଜନୈତିକ କର୍ମୀ - ସମସ୍ତେ ଅଟକ ଆଇନରେ ଆବଦ୍ଧ । “ଏଠାରେ ରାଜନୈତିକ ବ୍ୟକ୍ତିଙ୍କର ଏକ ଅପୂର୍ବ ସମାହାର ହୋଇଥିଲା । ରାଜନୀତିର ବିଭିନ୍ନ ଗୋଷ୍ଠୀ ଏବଂ ମତବାଦର ମଣିଷ ରହିଥିଲେ । ନରମ ଭାବଧାରାର ଶ୍ରୀ ରାଧାନାଥ ରଥ, ଶ୍ରୀ ନିତ୍ୟାନନ୍ଦ କାନୁନ୍‍ଗୋ, ପଣ୍ଡିତ ଲିଙ୍ଗରାଜ ମିଶ୍ର, ବିଶ୍ୱନାଥ ଦାସ ଏବଂ ଭାଗିରଥୀ ମହାପାତ୍ରଙ୍କ ସହ ମଧ୍ୟମପନ୍ଥୀ ଉମାଚରଣ ପଟ୍ଟନାୟକ ମଧ୍ୟ ଥିଲେ । ଖାଣ୍ଟି ଗାନ୍ଧୀବାଦୀ ଗୋପ ଚୌଧୁରୀ, ଆଚାର୍ଯ୍ୟ ହରିହର ଓ ପଣ୍ଡିତ କୃପାସିନ୍ଧୁ ହୋତା ପ୍ରମୁଖ । କଂଗ୍ରେସର ଭକ୍ତ ପ୍ରାଣକୃଷ୍ଣ ପଢ଼ିଆରୀ, ଶ୍ରୀ ବିନୋଦ କାନୁନ୍‍ଗୋ ପ୍ରଭୃତି ମଧ୍ୟ ଥିଲେ।”

 

ଏକଥା କହିଛନ୍ତି, ପ୍ରାଣନାଥଙ୍କର ଜଣେ ସହବନ୍ଦୀ ଏବଂ ପରବର୍ତ୍ତୀ ସମମୟରେ ଆସିକାର ବିଧାୟକ ଏବଂ କମ୍ୟୁନିଷ୍ଟ ପାର୍ଟିର ବିଧାୟକ ଦଳର ତଥା ରାଜ୍ୟ କମିଟିର ସଦସ୍ୟ କମ୍ରେଡ୍‍ ହରି (ହର) ଦାସ ବ୍ରହ୍ମପୁର ଜେଲ୍‍ର ଅଭିଜ୍ଞତା ତାଙ୍କ ଆତ୍ମଜୀବନୀ “ଗପନୁହେଁ”ରେ ବଖାଣିଛନ୍ତି;“ଚରମପନ୍ଥୀ ଦୁଇ ଶାଖାରେ ବିଭକ୍ତ । ବାମପନ୍ଥୀ କମ୍ୟୁନିଷ୍ଟ ବୈଦ୍ୟନାଥ ରଥ, ରାମକୃଷ୍ଣ ପତି, ବିଜୟଚନ୍ଦ୍ର ଦାସ, ମୋହନ ଦାସ, ପ୍ରାଣନାଥ ପଟ୍ଟନାୟକ, ଗୋବିନ୍ଦଚନ୍ଦ୍ର ମାହାନ୍ତିଙ୍କ ସହିତ ଜୟପ୍ରକାଶଙ୍କ ଭାବଧାରରେ ଅନୁପ୍ରାଣିତ ସୋସାଲିଷ୍ଟ ସୁରେନ୍ଦ୍ର ଦ୍ୱିବେଦୀ, ବିଶ୍ୱନାଥ ପାଣ୍ଡିତ, ରବୀନ୍ଦ୍ର ମୋହନ ଦାସ, ପ୍ରବୀଣ ସାମ୍ବାଦିକ ଚନ୍ଦ୍ରଶେଖର ମହାପାତ୍ର, ଜୟକୃଷ୍ଣ ମହାନ୍ତି, ଉପେନ୍ଦ୍ର ମହାନ୍ତି ରହିଥାନ୍ତି । ସୁବାସ ବୋଷଙ୍କ ଦଳରୁ ବିଭୂଧେନ୍ଦୁ ମିଶ୍ର, ବଳରାମ ମହାନ୍ତି, ଯୁଗଳ କିଶୋର ପାଣିଗ୍ରାହୀ ଏବଂ ରବିଘୋଷ ମଧ୍ୟ ଥାଆନ୍ତି । ସୋସାଲିଷ୍ଟ ସହ ଏମାନଙ୍କ ସହଯୋଗ ଥାଏ ।”

 

“ନବକୃଷ୍ଣ ଚୌଧୁରୀ ଗାନ୍ଧୀ କେମ୍ପରେ ରହନ୍ତି । କିନ୍ତୁ ତାଙ୍କ କାର୍ଯ୍ୟ ଜୟପ୍ରକାଶ ପନ୍ଥାଶ୍ରୟୀ ଏବଂ ଚିନ୍ତା କମ୍ୟୁନିଷ୍ଟ ରୁଷିଆର ଧାରାରେ ଥିବା ପରି ମନେ ହୁଏ । ସେ ଏପରି ତିନିଗୋଡ଼ିଆ ହେଲେ ମଧ୍ୟ ତାଙ୍କ ପ୍ରତି ଅନ୍ୟମାନଙ୍କର ବିଶେଷ ସମ୍ମାନ ଥାଏ । ଆଉ ଦଳେ ଯୁବକ ଦୁର୍ଗାଚରଣ ମହାନ୍ତି, ନରସିଂହ ତ୍ରିପାଠୀ, ରାମଚନ୍ଦ୍ର ରାମ, ଶୈଲେନ ମହାପାତ୍ର, ମନମୋହନ ମିଶ୍ର, ଦୁଃଶାସନ ଜେନା ଆଦି ମଧ୍ୟ ରହିଥାଆନ୍ତି । ଏମାନେ ଚରମ ପଦବାଚ୍ୟ ବା କମ୍ୟୁନିଷ୍ଟ ଶିବିରର ମଣିଷ । ଏଠାରେ ବିରେନ୍‍ ମିତ୍ର ଥାଆନ୍ତି । ସେ ଛାତ୍ର ଫେଡ଼େରେସନ୍‍ରୁ କମ୍ୟୁନିଷ୍ଟମାନଙ୍କ ସହ ସହଯୋଗ କରି ବ୍ରହ୍ମପୁର ଜେଲ୍‍କୁ ଯାଇଥିଲେ ମଧ୍ୟ ନବଚୌଧୁରୀଙ୍କ ପ୍ରଭାବରେ କମ୍ୟୁନିଷ୍ଟଙ୍କ ସହ ରହୁନଥାନ୍ତି । ଏପରି ବିଚକ୍ଷଣ କର୍ମୀଙ୍କ ସହ କେତେକ ଉଦାସୀ ଏବଂ ନିରୀହ, ନିର୍ମାୟା ଚାଷୀ ମଧ୍ୟ ରହିଥାଆନ୍ତି । ବିଭିନ୍ନ ରାଜନୈତିକ ଚିନ୍ତା ଏବଂ କର୍ମଧାରାରେ ଥିବା ମଣିଷଗୁଡ଼ିକ ଏକାଠି ହେବା ଏକ ଚରମ ବୈଚିତ୍ର୍ୟପରି ମନେ ହେଉଥିଲା ।”

 

ଏମାନଙ୍କ ସହିତ ବ୍ରହ୍ମପୁର ଜେଲରେ ସେତେବେଳେ ଥାଆନ୍ତି, ଜାତୀୟ କବି ବୀରକିଶୋର ଦାସ, କବି ଓ ସାହିତ୍ୟିକ ଶ୍ରୀ ନିତ୍ୟାନଦ ମହାପାତ୍ର, କୋରାପୁଟର ରାଧାକୃଷ୍ଣ ବିଶ୍ୱାସରାୟ, ବାଗଲପୁରର ଗୌରାଙ୍ଗ ଚରଣ ଦାସ, କବି ମନମୋହନ ମିଶ୍ର ଏବଂ ପାପଡ଼ାହାଣ୍ଡିର ଆଦିବାସୀ ବୀର ଲକ୍ଷ୍ମଣ ନାୟକ, ଯାହାଙ୍କୁ ଜଣେ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଥିବାର ମିଥ୍ୟା ଅପରାଧରେ ଫାଶୀ ଦିଆଯାଇଥିଲା ।

 

ବ୍ରହ୍ମପୁର ସେଣ୍ଟ୍ରାଲ ଜେଲ୍ କାହିଲାବେଳେ ପାଠକମାନେ ଏବେକାର ବିଶାଳ ଆୟତନର କୋଠାଘର, ମୋଜାଇକ୍‍ ଚଟାଣ, ଚିକ୍‍ଚିକ୍‍ ମାରୁଥିବା ପୋର୍ସିଲିନ୍‍ ପାଇଖାନା, ୱାର୍ଡ଼ମାନଙ୍କର ବିଜୁଳୀ, ପଙ୍ଖା,ନଳପାଣି ଆଜି କଥା କଳ୍ପନା କରିପାରନ୍ତି - ସେଥିପାଇଁ ତତ୍‍କାଳର ଜେଲ୍‍ବନ୍ଦୀ ତଥା ପରବର୍ତ୍ତୀ କାଳରେ ସେହି ଜେଲ୍ ଭିତରୁ ହିଁ କମ୍ୟୁନିଷ୍ଟ ପାର୍ଟିରେ ଯୋଗଦାନ କରି ବିଶିଷ୍ଟ ନେତାରେ ପରିଣତ ହୋଇଥିବା ଆସିକାର ହରିଦାସଙ୍କୁ ଉଦ୍ଧୃତ କରୁଛି ।

 

“ଜେଲ୍‍ଖାନାରେ ନଅଟି ଲମ୍ବା ଚାଳଘର । ନଅନମ୍ବର ଘରଟି ଦୁଇଭାଗ “କ” ଓ “ଖ” । କମ୍ୟୁନିଷ୍ଟ ଗୋଷ୍ଠୀ ଏହି ନଅ ନମ୍ବରରେ “ଖ” ଭାଗରେ ଥାଆନ୍ତି । ଏଣୁ ପରିହାସରେ ଏମାନଙ୍କୁ “ନଖ” ବୋଲି କୁହାଯାଏ ।” ଏହି ଜେଲ୍‍ଘର ଗୁଡ଼ିକର ନିର୍ମାଣ ସମ୍ପର୍କରେ ହରିହର ଦାସ ଉଲ୍ଲେଖ କରିଛନ୍ତି ଯେ, “ଅତୀତରେ ପାରଳାଖେମୁଣ୍ଡିରେ ପ୍ରାଣ-ସଉରାଙ୍କ ଭିତରେ ଗଣ୍ଡଗୋଳ ବେଳେ ବହୁଲୋକ ଗିରଫ ହେଲେ - ସେମାନେ ରହିବା ପାଇଁ ୯ ଧାଡ଼ି ଚାଳଘର ନିର୍ମିତ ହୋଇଥିଲା । ଆମେ ସବୁ ସେଇ ଚାଳଘରେ ରହିଲୁ ।”

 

ବ୍ରହ୍ମପୁର ଜେଲ୍ ଜୀବନ ଏବଂ ଓଡ଼ିଶାର ସ୍ୱାଧୀନତା ଆନ୍ଦୋଳନର ସମସ୍ତ ଅଗ୍ରଗାମୀ ସାଥୀ/ନେତାଙ୍କର ଜୀବନ ବୈଚିତ୍ର୍ୟମୟ ଭାବରେ ଗୁମ୍ଫିତ ବୋଲି ଏବଂ ପ୍ରାଣନାଥଙ୍କର ଆଦ୍ୟ ଯୌବନର ସୁଦୀର୍ଘ ସମୟ ଏହି ବ୍ରହ୍ମପୁର ଜେଲ୍‍ର ତାଳତାଟି ଘେରା କଚାଘର ଭିତରେ କଟିଛି, ବିକାଶ ଲାଭ କରିଛି ବୋଲି ପ୍ରାଣନାଥଙ୍କ ଜୀବନ କଥା କହିଲାବେଳେ ବ୍ରହ୍ମପୁର ଜେଲ୍‍ର କାହାଣୀ ବର୍ଣ୍ଣିବାର ଆବଶ୍ୟକତା ଅଛି ।

 

୧୯୪୨ ଅଗଷ୍ଟ ପରେ ନାଟକୀୟ ଭାବରେ, ତତ୍‍ପୂର୍ବରୁ କିଞ୍ଚିତ ବ୍ୟବଧାନରେ ମହାତ୍ମାଗାନ୍ଧୀଙ୍କ ନିର୍ଦ୍ଦେଶରେ ଖୋର୍ଦ୍ଧାଠାରେ ବ୍ୟକ୍ତିଗତ ସତ୍ୟାଗ୍ରହ କରି ପ୍ରଥମେ ପୁରୀ ଜେଲ୍ ଏବଂ ପରେ ପରେ ବ୍ରହ୍ମପୁର ଜେଲରେ - ଜେଲ୍‍ରୁ ମୁକ୍ତ ହେବାର ଠିକ୍‍ ପରେ ପରେ ପୁନର୍ବାର ଜେଲ୍ ଯିବାର ଅଭିଜ୍ଞତା ସାରାଦେଶରେ ଆଉ କାହା ଜୀବନରେ ହୁଏତ ଘଟିନଥିବ । ୧୯୪୨ ଅଗଷ୍ଟ ୯ କ୍ରାନ୍ତି ଦିବସରେ ବିଶାଳ କୃଷକ ସଭାର ଆହ୍ଵାନକରି ସାରାପ୍ରଦେଶରୁ ତଥା ବିଶେଷକରି ଖୋର୍ଦ୍ଧା/ନୟାଗଡ଼/ରଣପୁର/ବାଣପୁର/ଚିଲିକା/ଚନ୍ଦକା ଭିତରୁ ସହସ୍ର ସଂଖ୍ୟାରେ ଚାଷୀ ଯାଇ କଟକଠାରେ ପହଞ୍ଚି ପୋଲିସ ନିଷେଧାଶରୁ ଚାଷୀ ସମାବେଶ ନହୋଇପାରିଲେ ମଧ୍ୟ ଚାନ୍ଦିନୀଚୌକ ଛକରେ କମ୍ୟୁନିଷ୍ଟ ପାର୍ଟି ଦପ୍ତର ଖୋଲିସାରି ଜଟଣୀରେ ବାସଗୃହକୁ ମଞ୍ଜରୀ ଏବଂ ଶିଶୁ ସନ୍ତାନମାନଙ୍କ ନିକଟରେ ପହଞ୍ଚି ରାତିଟିଏ ବିତାଇବାର ସୁଯୋଗ ପାଇ ତା’ ପରଦିନ ପ୍ରାଣନାଥ ପୁନଶ୍ଚ ଅଟକ ବନ୍ଦୀ ଭାବରେ ବ୍ରହ୍ମପୁର ଜେଲ୍‍କୁ ପ୍ରେରିତ ହୋଇଛନ୍ତି ।

 

ବ୍ରହ୍ମପୁର ଜେଲରେ ସେହି ସମୟ କାଳରେ ଅନେକ ବିଚିତ୍ର ଘଟଣା ସଙ୍ଗଠିତ ହୋଇଯାଇଛି । କାଶୀ ବିଦ୍ୟାପୀଠରୁ “ଶାସ୍ତ୍ରୀତ୍ତ୍ୱ ପାଇଥିବା ପ୍ରାଣନାଥ ସମାଜବାଦ, ସମାଜବିଜ୍ଞାନ ଓ କମ୍ୟୁନିଷ୍ଟ ସମ୍ପର୍କରେ ଯଥାର୍ଥରେ ଶାସ୍ତ୍ରୀ ଥିଲେ । ସହବନ୍ଦୀ ତଥା ଆମ ରାଜ୍ୟର ଅନ୍ୟତମ ଶ୍ରେଷ୍ଠ ବାଗ୍ମୀ, କବି ମନମୋହନ ମିଶ୍ର ଲେଖିଛନ୍ତି,“ପ୍ରାଣନାଥ ବାବୁଙ୍କ କମ୍ୟୁନିଷ୍ଟ ତତ୍ତ୍ୱଜ୍ଞାନ ସମ୍ବନ୍ଧରେ ସମସ୍ତେ ଯଥେଷ୍ଟ ଅଭିହିତ ଥିଲେ । ତାଙ୍କୁ ଆମେ ଇତିହାସରେ ତାରିଖ ଓ ଘଟଣାର ଜଣେ ରେଫରେନ୍ସ ଏନ୍‍ସାଇକ୍ଲୋପେଡ଼ିଆ ବୋଲି ଥଟ୍ଟା କରୁଥିଲୁ । ଫରାସୀ ବିପ୍ଳବ, ରୁଷବିପ୍ଳବ ଓ ତାହା ପୂର୍ବରୁ ଚାଟିଷ୍ଟ ବିପ୍ଳବ, ଇଟାଲୀର ଗାରିବାଲ୍‍ଡି ଇତ୍ୟାଦିଙ୍କର ଇତିହାସର ଘଟଣା ଓ ତାରିଖ ତାଙ୍କର ନଖ ଦର୍ପଣରେ ଥିଲା ।”

 

ପୂର୍ବରୁ ଉଲ୍ଲେଖ କରିଛି ପ୍ରାଣନାଥ ପଟ୍ଟନାୟକ, ବିଜୟଚନ୍ଦ୍ର ଦାସ, ମୋହନ ଦାସ, ରାମକୃଷ୍ଣ ପତି, ମନମୋହନ ମିଶ୍ର ଆଦି ଜଣାଶୁଣା କମ୍ୟୁନିଷ୍ଟମାନେ ତଥା ତାଙ୍କସହ ଶୈଲେନ ମହାପାତ୍ର, କୃଷକନେତା ସାଧୁଚରଣ ମହାନ୍ତି, ଜେଲ୍ ଖୁଆଡ଼ର “ନ” (ଖ) ରେ ରହୁଥାଆନ୍ତି ଏବଂ ସେମାନେ ଧାରାବାହିକ ସଭା ସମିତି, ଦିବସ ପାଳନ, ରାଜନୈତିକ କ୍ଲାସ କରୁଥାନ୍ତି ।

 

ହରିହର ଦାସ ତାଙ୍କ ଜୀବନୀରେ ଲେଖିଛନ୍ତି,“ମୁଁ ତ ନ(ଖ) କମ୍ୟୁନିଷ୍ଟ ଆସ୍ଥାନ ଆଗରେ ଠିଆହୋଇ ଘଣ୍ଟାଘଣ୍ଟା ଧରି ଆଲୋଚନା ଶୁଣେ ।” ମୋହନ ଦାସ ଏବଂ ତାଙ୍କ ସାଥୀ ପ୍ରାଣନାଥଙ୍କ ବିଷୟରେ ଉଲ୍ଲେଖ କରନ୍ତି ଯେ, “ଏହାଙ୍କ ରାଜନୀତି ବିଶ୍ଳେଷଣ ସରଳ ଓ ସୁଖବୋଧ୍ୟ-

 

ପ୍ରାଣନାଥଙ୍କର ବ୍ରହ୍ମପୁର ଜେଲ୍‍ବାସ ମଧ୍ୟରେ, ଓଡ଼ିଶାର ଗଣ-ସଂଗ୍ରାମର ଦୁଇଟି ବିଶେଷ ଘଟଣା, ଯାହା ପ୍ରାଣନାଥଙ୍କ ପାଇଁ ମର୍ମନ୍ତୁଦ ଓ ହୃଦୟ ବିଦାରକ ତାହା ଘଟିଲା । କୋରାପୁଟର (ଏବର ନବରଙ୍ଗପୁର) ପାପଡ଼ାହାଣ୍ଡିର ଆଦିବାସୀ ବିପ୍ଳବୀ ଜନନେତା ସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ମଣ ନାୟକଙ୍କୁ ୧୯୪୩ ମସିହା ମାର୍ଚ୍ଚ ୨୯ ତାରିଖରେ ସେହିଠାରେ ଫାଶୀଦଣ୍ଡ ପ୍ରଦାନ କରାଗଲା । ୧୯୪୩ ମାର୍ଚ୍ଚ ୨୯ ତାରିଖ ଭୋର ୪ଟାରେ ତାଙ୍କର ଆତ୍ମୀୟ ସ୍ୱଜନ, ଜ୍ଞାତି କୁଟୁମ୍ବ ବ୍ରହ୍ମପୁର ଜେଲରେ ଥିବା ସ୍ୱାଧୀନତା ବନ୍ଦୀ ସେନାନାୟକ ରାଜବନ୍ଦୀମାନଙ୍କୁ ଖବର ନଦେଇ ଫାଶୀମଞ୍ଚରେ ଝୁଲାଇ ଦିଆଯାଇଥିଲା । ତାଙ୍କ ନିଧନର ପୂର୍ବଦିନ ସଂଧ୍ୟାରେ ତାଙ୍କର ସମଯୋଦ୍ଧା ସାଥୀ ସଦାଶିବ ତ୍ରିପାଠୀ (ପରବର୍ତ୍ତୀ କାଳର ମୁଖ୍ୟମନ୍ତ୍ରୀ), ରାଧାକୃଷ୍ଣ ବିଶ୍ୱାସରାୟ (ସ୍ୱାଧୀନତା ପରର ପ୍ରଥମ ମନ୍ତ୍ରୀମଣ୍ଡଳ ସଦସ୍ୟ), ରାଧାମୋହନ ସାହୁ ଅନୁମତି ନେଇ କାରାର ଅନ୍ଧାରୁଆ କୋଠରୀରେ ନିର୍ଭୀକ ଭାବରେ ଅବିଚଳିତ ହୋଇ ବସିଥିବା ଫାଶୀ ଆସାମୀ ଲକ୍ଷ୍ମଣ ନାୟକଙ୍କ ସହିତ ଆଲୋଚନା କରିଥିଲେ ଏବଂ ଶେଷ ଦର୍ଶନ କରିଥିଲେ ବିପ୍ଳବୀଙ୍କୁ । ସନ୍ଧ୍ୟାବେଳକୁ ବ୍ରହ୍ମପୁର ଜେଲ୍ ସାରା ସମସ୍ତ ରାଜବନ୍ଦୀଙ୍କୁ ନେଇ ସାଧାରଣ ସଭା ଅନୁଷ୍ଠିତ ହେଲା ଏବଂ ବଡ଼ିଭୋରରୁ ଫାଶୀମଞ୍ଚକୁ ଯାଉଥିବା ଲକ୍ଷ୍ମଣ ନାୟକଙ୍କ ପ୍ରତିପଦପାତ ସହିତ ତାଳ ମିଳାଇ “ଲକ୍ଷ୍ମଣ ନାୟକ ଅମର ରହେ” “ଶହୀଦ ଲକ୍ଷ୍ମଣ ନାୟକ ଜିନ୍ଦାବାଦ, ଇନ୍‍କିଲାବ ଜିନ୍ଦାବାଦ ଧ୍ୱନୀରେ ବ୍ରହ୍ମପୁର ସହରର ନିଦ୍ରାଭଙ୍ଗ ହେଲା ଗଗନ ପବନ ମଥିତ କରୁଥିବା ଧ୍ୱନୀମାନଙ୍କରେ ।

 

ଏହି ବ୍ରହ୍ମପୁର ଜେଲରେ ଥିଲାବେଳେ ପ୍ରାଣନାଥଙ୍କ ଜୀବନର ସବୁଠାରୁ ଭୟଙ୍କର ଦୁଃଖଦ ଘଟଣା ଘଟିଗଲା । ପ୍ରାଣନାଥଙ୍କର ସବୁଠାରୁ ପ୍ରିୟସାଥୀ, ଯାହାଙ୍କୁ ରାଜ୍ୟ କମ୍ୟୁନିଷ୍ଟ ପାର୍ଟିର ସମ୍ପାଦକତ୍ୱରେ ଏବଂ ତା’ ପୂର୍ବରୁ କଂଗ୍ରେସ ସୋସାଲିଷ୍ଟ ଦଳର ସମ୍ପାଦକ ଭାବରେ ବରଣ କରିଥିଲେ ପ୍ରାଣନାଥ, ଓଡ଼ିଶାର ନବଯୁଗର ନିର୍ମାତା, ନବଯୁଗ ସାହିତ୍ୟର ପ୍ରତିଷ୍ଠାତା, ସାମ୍ୟବାଦୀ ଆନ୍ଦୋଳନରେ ପଥୀକୃତ, ଦାସୋତ୍ତର ଓଡ଼ିଶାର ସମସ୍ତ ଗଣସଂଗ୍ରାମର ଅଗ୍ରଣୀ ଦୀପଶିଖା, ସାଥୀ ଭଗବତୀଚରଣ ପାଣିଗ୍ରାହୀଙ୍କର ୧୯୪୩ ଅକ୍ଟୋବର ୨୩ ତାରିଖ ଦିନ ଅକାଳ ମୃତ୍ୟୁ ଘଟିଲା ।

 

ସେହି ଜେଲରେ ଭଗବତୀଙ୍କର ଵିୟୋଗରେ ତାଙ୍କ ଶ୍ରାଦ୍ଧସଭା ପାଳିତ ହୁଏ । ଭଗବତୀ ୧୯୪୩ ଦୁର୍ଭିକ୍ଷ ବେଳେ ଗଞ୍ଜାମ ଜିଲ୍ଲାର ଶେରଗଡ଼ ଆସି ସେଠାରୁ ଫେରିଲାବେଳେ ବାଟରେ ଶୁଖିଲା ବରା, ପିଆଜି ଆଦି ଖାଇ ଅମାଶୟ ଏବଂ ପରେ ମହାମାରୀରେ ଆକ୍ରାନ୍ତ ହୋଇ ଦୁର୍ଭାଗ୍ୟଜନକ ଭାବରେ ସାଲାଇନ ଅଭାବରେ ପ୍ରାଣତ୍ୟାଗ କଲେ । ତାଙ୍କର ଶ୍ରଦ୍ଧାଞ୍ଜଳି ସଭାରେ ଭଗବତୀଙ୍କର ସହଯୋଗୀ ସାଥୀ, ନବକୃଷ୍ଣ ଚୌଧୁରୀ, ରବିଘୋଷ, ବିରେନ୍‍ ମିତ୍ର ଆଦି ସମସ୍ତେ ଯୋଗ ଦିଅନ୍ତି । ଏପରିକି-ବନ୍ଦୀଶାଳାରେ ଥିବା ସର୍ବପୂଜ୍ୟ ଆଚାର୍ଯ୍ୟ ହରିହର ମଧ୍ୟ ଆସି ଯୋଗଦିଅନ୍ତି । ପ୍ରାଣକୃଷ୍ଣ ପଢ଼ିଆରୀ ମଧ୍ୟ ଯୋଗ ଦିଅନ୍ତି ।

 

ବ୍ରହ୍ମପୁର ଜେଲରେ ପ୍ରାଣନାଥଙ୍କର ସହବନ୍ଦୀ ହୋଇ ରହିଥିବା ଜାତୀୟ କବି ବୀରକିଶୋର ଦାସ ପ୍ରାଣନାଥଙ୍କର ସ୍ମୃତିଚାରଣ କରି ଲେଖିଥିଲେ - “ମୁଁ ବ୍ରହ୍ମପୁର ଜେଲରେ ଅବିଚାର ବନ୍ଦୀ ହୋଇ ରହିଲି । ପ୍ରାଣନାଥ ମଧ୍ୟ ସେହିପରି ବିନା ବିଚାରରେ ବନ୍ଦୀ ହୋଇଥାନ୍ତି । ମୋର ପୋଡ଼ୁହାଷ୍ଟମୀ ବନ୍ଧୁଙ୍କ ସମ୍ପର୍କ ନେଇ ମଞ୍ଜରୀ ମୋର ନାତୁଣୀ । ସେହି ହିସାବରେ ପ୍ରାଣନାଥ ବାବୁଙ୍କୁ ମୁଁ ନାତି ବୋଲି ଡାକେ । ସେ ମୋତେ ଅଜା ବୋଲି ଡାକନ୍ତି । ତାଙ୍କ ସହିତ ଥଟ୍ଟା ତାମସା ଚାଲେ । ମୁଁ ଦିନେ କହିଲି,-ତମେ ଦଳେ ଜାଲକଟା, ମାଛ । କଂଗ୍ରେସକୁ ଗଢ଼ିଲ, କଂଗ୍ରେସ ଛାଇତଳେ ବଢ଼ିଲ, କଂଗ୍ରେସ ପାଇଁ ସଢ଼ିଲ, ପରେ ତାକୁ ଛାଡ଼ିଦେଲ ?” ସେ ହସିହସି କହନ୍ତି - “ଅଜା, ତମେ ଦେଖିବ ଜାଲରେ ଜମା ମାଛ ଆଉ ରହିବେ ନାହିଁ । ଖାଲି ଶେଷକୁ କଙ୍କଡ଼ା, ଗେଣ୍ଡା, ଶାମୁକା ହିଁ ରହିବେ । ଜାଲ ଉଠାଇଲା ବେଳକୁ ସବୁ ଶୂନ୍ୟ-ମାତ୍ର ତୁମେ ଜଣେ ପୁରୁଣା ଠକ, ତମେ ପରା “ମୋହନ ବେଣୁ”ରେ ଲେଖିଥିଲ-

 

“ଅସହ୍ୟ ଧରାରେ ଧନୀ ଅତ୍ୟାଚାର

ଅଳସେ ବିଳାସେ ଦେଶ ହାହାକାର

ଚାଷୀର ରକତ ମୂଲିଆର ଝାଳ

ଅଳପ ବେତନ ଦାସ ଅଶ୍ରୁଜଳ

ସବୁ ହୁତାଶାନ ପରି ଜଳୁଛି ।”

 

ତମେ ଆମମାନଙ୍କୁ ଉଦ୍ଦେଶ୍ୟକରୀ ଯେଉଁ ଗୀତ ଲଖିଛ -କମ୍ୟୁନିଷ୍ଟ ନହୋଇଥିଲେ ମଧ୍ୟ ଆମମାନଙ୍କ ପାଇଁ ଲେଖିଛ -ଯାହା ଆମ୍ଭ ସଭାରେ ବୋଲାହୁଏ ।

 

ତମେ କେତେଜଣ,ଜୀବନକୁ ପାଣି ଛଡ଼ାଇ ନଦେଲେ ଚଳିବ କି ?

ଦଧୀଚିର ହାଡ଼ ଉଜାଡ଼ି ନଦେଲେ ଜଗତର ଭାଗ୍ୟ ଫେରିବ କି ?

 

ଶେଷ ଯବନିକା ହେଲାଣି ପତନ,

ବଦଳି ଯିବ ଏ ଶୋଷଣ ଶାସନ ।

 

ଶୋଷଣ ନୀତିର ବତୀ ନିଭି ଆସେ, ଜଳାଇଲେ ଦୀପ ଜଳିବ କି ?

 

ଧନୀ, ମହାଜନ, ରାଜା ଜମିଦାର, ତ୍ୟାଗ ମାଳଧରି ହୋଇଲେ ବାହାର (ତାଙ୍କ) ଗେରୁଆ ବସନ, ମଧୁର ବଚନ, ଶୁଣି ନିଜ ନୀତି ଭୁଲିବ କି ?

 

ଏକାଦଶ ଅଧ୍ୟାୟ

ଲଙ୍ଗଳ ଚୋର ପ୍ରାଣନାଥ ଏବଂ ସାରା ରାଜ୍ୟରେ ଭାଗଚାଷୀ ଆନ୍ଦୋଳନର ଜୁଆର

 

ପ୍ରାଣନାଥ ଏବଂ ଅନ୍ୟାନ୍ୟ ସ୍ୱାଧୀନତା ସଂଗ୍ରାମୀ ଗଣ, ବ୍ରହ୍ମପୁର ଜେଲ୍‍ରୁ ଖଲାସ ହୋଇ ମୁକ୍ତ ଜୀବନକୁ ଫେରିଲା ବେଳକୁ ୧୯୪୫ ମସିହା ସରିଆସୁଥାଏ । ଜେଲରେ ଥାଇ, ପ୍ରାଣନାଥ ଓ ତାଙ୍କର ସମଯୋଦ୍ଧା ସାଥୀମାନେ ୧୯୪୩ ମସିହା ଦୁର୍ଭିକ୍ଷର ଯେଉଁ ଭୟାବହ କାହାଣୀ ଶୁଣିଥିଲେ, ସବୁଠାରୁ ପ୍ରିୟ ସାଥୀ ଭଗବତୀଙ୍କର ଜୀବନାବସାନର କାହାଣୀ ଶୁଣିଥିଲେ, ଜେଲ୍‍ରୁ ଫେରିଲା ପରେ ମଧ୍ୟ ଦେଖିଲେ ଯେ, ସେହି ଦୁର୍ଭିକ୍ଷ/ମନ୍ଵନ୍ତର, ଖାଦ୍ୟାଭାବ, ପାନୀୟ ଜଳର ଅଭାବ, ଦାରିଦ୍ର୍ୟ, ବ୍ୟାଧି ଆଦିର କଳାଛାଇରେ ଓଡ଼ିଶା କାନ୍ଦୁଛି ।

 

ସେତେବେଳକୁ ବଙ୍ଗଳାରେ ମନ୍ଵନ୍ତର ଚେତନଶୀଳ ଜନଗଣ, ସୁବିଧାଭୋଗୀ ଜମିଦାର, ମଠମହନ୍ତ, କୃତ୍ରିମ ଦୁର୍ଭିକ୍ଷ ସୃଷ୍ଟି କରିବା ଫଳରେ କିପରି ଲକ୍ଷ ଲକ୍ଷ ମଣିଷଙ୍କର ଅକାଳ ମୃତ୍ୟୁ ଘଟିଲା ତାହା ପ୍ରାଣନାଥ ଓ ତାଙ୍କର ସାଥୀମାନେ ଜାଣିଥାନ୍ତି । ସେଠାରେ ଜମି ମାଲିକଙ୍କ ବିରୁଦ୍ଧରେ ବ୍ୟାପକ ଭାବେ ଚାଲିଥିବା “ତେଭାଗା” ଆନ୍ଦୋଳନ କିପରି ସମଗ୍ର ବଙ୍ଗ ପ୍ରଦେଶରେ ସଂଚରିତ ହୋଇଗଲା, ତାହା ମଧ୍ୟ ଜାଣିଥିଲା ଲଙ୍ଗଳ ଯା’ର ଜମି ତା’ର ଭାଗଚାଷୀ, ଖେତ ମଜଦୁର ପାଇଁ ମନ୍ତ୍ର ପରି କାମ କଲା ।

 

ପ୍ରାଣନାଥ ତାଙ୍କର ସଥୀଗଣ ତଥା ଓଡ଼ିଶାର କମ୍ୟୁନିଷ୍ଟ ପାର୍ଟି ମଧ୍ୟ ଓଡ଼ିଶାର ଯୁଗ ଯୁଗ ଧରି ଶୋଷିତ ଚାଷୀକୁଳଙ୍କୁ ସାମନ୍ତବାଦୀ ଶୋଷଣ, କଷଣ ଅତ୍ୟାଚାରରୁ ମୁକ୍ତ କରିବା ପାଇଁ ଆନ୍ଦୋଳନ ବ୍ୟାପକତର କଲେ । ରଣପୁର, ନୟାଗଡ଼, ଆଠଗଡ଼, ଆଦି ପ୍ରଜା ଆନ୍ଦୋଳନ ମାଧ୍ୟମରେ ସଂଗଠିତ ହୋଇଥିଲା, ତାହା ଏବେ ତେଭାଗା (ବା ତିନିଭାଗ ଫସଲରୁ ଦୁଇଭାଗ ଜମି ମାଲିକର ଭାଗେ ଭାଗଚାଷୀର) ଆନ୍ଦୋଳନରୁ ସୂତ୍ରଧରି ଗାଏଁ ଗାଏଁ ଚରିଗଲା । ତାହା ଜମିଦାର, ଜମି ଠୁଳ କରିଥିବା ବଡ଼ ବଡ଼ ଚାଷୀ, ମଠର ମହନ୍ତମାନଙ୍କ ବିରୁଦ୍ଧରେ ସଂଗଠିତ ଗଣସଂଗ୍ରାମ ରୂପନେଲା । ପ୍ରାଣନାଥ ଓ ତାଙ୍କ ସଥୀଗଣଙ୍କ ନେତୃତ୍ୱରେ ମାନ୍ଦ୍ରାଜ ପ୍ରେସିଡେନ୍ସି ଅଧୀନରେ ଥିବା ଗଞ୍ଜାମ/ପାରଳାଖେମୁଣ୍ଡି ଜିଲ୍ଲା ମାନଙ୍କରେ ଏହା ମୁସ୍ତାଦାରୀ ପ୍ରଥା ବିରୁଦ୍ଧରେ ଗଣସଂଗ୍ରାମର ରୂପନେଲା ।

 

ଖାସମାହାଲ ଭାବରେ ଖୋର୍ଦ୍ଧା ବ୍ରିଟିଶ ସରକାରଙ୍କ ଖାସ ବା ପ୍ରତ୍ୟକ୍ଷ ଶାସନାଧିନ ଥିବାରୁ ଏଠାରେ ଜମିଦାର ନଥିଲେ ମଧ୍ୟ ବାଇଶିଜଣ ଭୂମ୍ୟାଧିକାରୀ ହଜାର ହଜାର ଏକର ଜମିର ମାଲିକ ଥିଲେ । ସେମାନେ ଜମିଦାରଙ୍କ ପରି ଚାଷୀଙ୍କୁ ଜମି ଭାଗଚାଷ ପାଇଁ ଦିଅନ୍ତି ଏବଂ ସେ ବାବଦରେ ଚାଷୀଙ୍କ ଠାରୁ ଫସଲର ଅଧାଅଧି ନେବାର ବିଧି ଥାଏ । ମାତ୍ର ଏହା ବ୍ୟତୀତ, ଖଳାଲିପା, ମାପୁଣୀ, ପାଉତି ଖର୍ଚ୍ଚ, ଖଜଣା ବାବଦରେ ମଧ୍ୟ ନିଅନ୍ତି । ଫଳରେ ଫସଲ ଦୁଇ - ତୃତୀୟାଂଶ ଏହିପରି ଭାବରେ ଜମି ମାଲିକ ନେଇଯାଏ ।

 

ପ୍ରାଣନାଥନଙ୍କର ଅନ୍ୟତମ ସମଯୋଦ୍ଧା, ଓଳସିଂର ସ୍ଵର୍ଗତଃ ରଘୁନାଥ ପଟ୍ଟନାୟକ, ତତ୍‍କାଳର ସ୍ଥିତି ସମ୍ପର୍କରେ ସୂଚାଇବାକୁ ଲେଖିଥିଲେ ଯେ,“ସେତେବେଳେ ଖୋରଧା ସବ୍‍ଡିଭିଜନର ଅଧିକାଂଶ ଜମି କେତେଜଣ ବଡ଼ ବଡ଼ ଜମି ମାଲିକଙ୍କ ହାତରେ ଠୁଳ ଥିଲା ।

 

ଜମିରୁ ଅଧାଭାଗ କଳେଇ ବ୍ୟତୀତ, ଜମି ମାଲିକ ପକ୍ଷରୁ ଧାନ କାଟିଯିବା ଲୋକ ମାଣେ ଜମିରୁ ଗୋଟିଏ ବାହାଙ୍ଗୀ ପୁଆ କଳେଇ ଆଣୁଥିଲା । ଯାହାକି ୪ ସେରିଆ (ଗୌଣୀ)ରେ, ଅଢ଼େଇରୁ ୩ ଗୌଣୀ (ଧାନ)ହେବ । ଧୂଳିଭାଗ ବ୍ୟତୀତ ସଞ୍ଚା ବା ନିର୍ଦ୍ଦିଷ୍ଟ ପରିମାଣର ଧାନର ବ୍ୟବସ୍ଥା ଥିଲା - ଏସବୁ ଚାଷୀ ମହାଜନ ଖଳାରେ ଦାଖଲ କରୁଥିଲେ । ଏ ସଞ୍ଚା ଆଦାୟ ବେଳେ ଚାଷୀଠାରୁ ମାଗୁଣୀ, ସମିଆ (ଗୁମାସ୍ତା ଖର୍ଚ୍ଚ) ସୁକ୍‍ତି ଆଦି ଭରଣକେ ପ୍ରାୟ ୫ ଗୌଣୀ ଅଧିକ ଧାନ ମହାଜନ ନେଉଥିଲା । ପ୍ରାଣନାଥ ବାବୁ ୧୯୩୧ ମସିହାରେ ଖୋର୍ଦ୍ଧା ଥାନା ନଂ ୯ ୟୁନିୟନରୁ କଂଗ୍ରେସ -ସୋସାଲିଷ୍ଟ ଟିକେଟର ଏବଂ ଶିବାଜୀ (ପଟ୍ଟନାୟକ) ବାପା କୃପାସିନ୍ଧୁ ପଟ୍ଟନାୟକ ସଚ୍ଚା କଂଗ୍ରେସ ଟିକେଟ୍‍ରେ ପ୍ରାଦେଶିକ କଂଗ୍ରେସ କମିଟି ସଭ୍ୟପଦ ପାଇଁ ପ୍ରାର୍ଥୀ ହୋଇଥିଲେ । ଓଳସିଂରେ ଭୋଟ ହୋଇଥିଲା । ପ୍ରାଣବାବୁଙ୍କ ପ୍ରଚାର ପାଇଁ ନବବାବୁ, ମାଳତୀ ଚୌଧୁରୀ ଆସିଥିଲେ । ପ୍ରାଣବାବୁ ଜିତିଥିଲେ । ତେଣୁ ଖୋର୍ଦ୍ଧାର ୯ ନମ୍ବର ୟୁନିୟନ (ମଳିପଡ଼ାରୁ ଓଳସିଂହ ଛଣଗିରି ପର୍ଯ୍ୟନ୍ତ) ସେ ପ୍ରଥମେ ଚାଷୀର ଏହି ବେଆଇନ ପାଉଣା ବିରୁଦ୍ଧରେ ଆନ୍ଦୋଳନ କଲେ ଓ ଜିଣିଲେ । ତେଣୁ ୧୯୪୫ ବେଳକୁ ପାଞ୍ଚ ଭାଗୁଆ (ଚାଷୀର ୩ ଭାଗ ଜମିମାଲିକ ୪ ଭାଗ)ଆନ୍ଦୋଳନ ଆରମ୍ଭ ହେଲା । ଏ ଆନ୍ଦୋଳନ ବନାଗ୍ନିପରି ବହୁ ଜାଗାକୁ ବ୍ୟାପିଗଲା ।”

 

“୧୯୪୫ ରୁ ଆମେ ଆରମ୍ଭ କଲୁ ୫ ଟା କଳେଇରୁ ଚାଷୀର ୩ଟା, ମହାଜନର ୨ଟା ଏଥିପାଇଁ ଆନ୍ଦୋଳନ ହେଲା । ମହାଜନ ଅତ୍ୟାଚାର ଓ ମଦନ ଆରମ୍ଭ କଲା ।” ଆମର ଧ୍ୱନି ହେଲା, ଲଙ୍ଗଳ, ଯା”ର, ଜମି ତା’ର, ମଠ ମହନ୍ତଙ୍କ ପାଇଁ ସ୍ଲୋଗାନ ହେଲା, “ମଠଧନ କୋଠକର” ଏ ସମ୍ପତ୍ତି ମଠ ମହନ୍ତଙ୍କର ବାପଅଜା ସମ୍ପତ୍ତି ନୁହେଁ - କୋଠର ସମ୍ପତ୍ତି । ସମସ୍ତଙ୍କର ।

 

“୧୯୪୫ ମସିହା ଫସଲକଟା ପରେ, ମଳିପଡ଼ା ମଠର ମହନ୍ତ, ଜମି ଚାଷ କରୁଥିବା କବାରୀ (ଶଅର) ମାନଙ୍କୁ ସେମାନେ ଚାଷ କରୁଥିବା ଧୂଳି ଭାଗ ଜମିରୁ ବେଦଖଲ କରିବା ପାଇଁ କେତେକ ଖଣ୍ଡାୟତ ହଳିଆଙ୍କୁ ପଠାଇଲେ ।”

 

ସେମାନେ (କବାରୀ ମାନେ) ଜୀବନ ବିକଳରେ ପ୍ରାଣନାଥ ବାବୁଙ୍କୁ ପଚାରିଲେ କ’ଣ କରିବାକୁ ହେବ, ଏବଂ ଖବର ଦେଲେ ଯେ, (ସେଠାରେ) ସେମାନେ ୧୦/୧୫ ଜଣ ହଳ କରୁଛନ୍ତି । ପ୍ରାଣନାଥ ବାବୁ ସେମାନଙ୍କୁ କହିଲେ,ତମେ ସମସ୍ତେ ମିଶି ହଳ ଫିଟାଇଦେଇ, ବଳଦଙ୍କୁ ହୁରୁଡ଼ାଇ ଦିଅ । ତା’ ପରେ ଲଙ୍ଗଳ ମୁଣ୍ଡା ସବୁ ନେଇ ଚିରି ଜାଳିଦେଲେ ।

 

ଲକ୍ଷ୍ମଣ ପଟ୍ଟନାୟକ (ସ୍ଵର୍ଗତଃ ସୁବିଖ୍ୟାତ ଜନନେତା ଲକ୍ଷ୍ମଣ ପଟ୍ଟନାୟକ) ମୁଁ (ରଘୁନାଥ ପଟ୍ଟନାୟକ) ଓ ପ୍ରାଣନାଥ ବାବୁଙ୍କ ସମେତ ୧୧ଜଣ କବାରୀଙ୍କୁ ଲଙ୍ଗଳ ଚୋରୀ କେଶ୍‍ରେ ପୋଲିସ ଆରେଷ୍ଟ କରି ଜେଲ୍‍କୁ ନେଲା । ଏ ଖବର ପାଇ କୃଷକ ସଭା ସଭାପତି ସାଧୁଚରଣ ମହାନ୍ତି ସକାଳ ୯ଟାରେ ପହଞ୍ଚି ଜେଲରେ ଆମକୁ ଦେଖାକଲେ । ଅନ୍ୟାନ୍ୟ କେଶ୍‍ରେ ଗିରଫ ହେବା ପୂର୍ବରୁ, ଖୋର୍ଦ୍ଧାର ଯଦୁମଣି ମୁକ୍ତାର (ଯଦୁମଣି ପଟ୍ଟନାୟକ)ଙ୍କ ସହିତ ମୋହନ ଦାସ କଥାବାର୍ତ୍ତା କରି କୋର୍ଟରେ ହଜାର ହେବା ପୂର୍ବରୁ ଜାମିନ୍‍ରେ ନେଇ ଆସିଲେ । ଜାମିନ୍‍ରେ ଆସି ଆମେ ୧୧ ଜଣ କବାରୀ ଓ ପ୍ରାଣନାଥ ବାବୁ ସେ ଲଙ୍ଗଳ ଚୋରୀ କେଶ୍‍ ଲଢ଼ୁଥିଲୁ । ଏହି ଲଙ୍ଗଳଚୋରୀ ମକଦ୍ଦମା, ପ୍ରାଣନାଥ ଓ ଆମମାନଙ୍କ ଉପରୁ ୧୯୪୭ ଅଗଷ୍ଟ ୧୫ ତାରିଖ, ସ୍ୱାଧୀନତା ଦିବସରେ ସରକାର ଉଠାଇନେଲେ ।”

 

ଏ ଲଙ୍ଗଳ ଚୋରୀ କେଶ ଏବଂ ପ୍ରାଣନାଥ ଏବଂ ତାଙ୍କର ସାଥୀ ରଘୁନାଥ ପଟ୍ଟନାୟକ, ଲକ୍ଷ୍ମଣ ପଟ୍ଟନାୟକଙ୍କ ସହିତ ୧୧ଜଣ କାବାରୀ (ଶଅର) ଚାଷୀ ୧୯୪୬ ଜାନୁୟାରୀ ମାସରେ ଗିରଫହୋଇ ପାର୍ଟି ନିଷ୍ପତ୍ତି ଅନୁସାରେ ଜାମିନରେ ଆସିଥିଲେ । ପରେ ପରେ ଏହି ଭାଗଚାଷୀ ଆନ୍ଦୋଳନ କେବଳ ଖୋର୍ଦ୍ଧାରେ ନୁହେଁ, ସାରା ପ୍ରଦେଶରେ ବନାଗ୍ନି ପରି ବ୍ୟାପିଗଲା । ପ୍ରାଣନାଥଙ୍କର “ଲଙ୍ଗଳ ଚୋର” “ଲୋଟା ଚୋର” ପଦବୀଟା ଜନ ଦରବାରରେ, ଲୋକମୁଖରେ “ରାୟବାହାଦୁର” କିମ୍ବା ଏବର ପଦ୍ମବିଭୂଷଣ, ପଦ୍ମଶ୍ରୀ ପାରି ଏକ ଖେତାବୀ ସମ୍ମାନରେ ପରିଣତ ହୋଇଗଲା । ଲଙ୍ଗଳ ଚୋର ବୋଲି ଅସମ୍ମାନରେ ନୁହେଁ, ସମ୍ମାନସୂଚକ ଏକ ଉପାଧି ପରି ଲୋକେ କହିଲେ ।

 

ଜମିଦାର/ମହନ୍ତ, ଜମିମାଲିକମାନଙ୍କର ଅତ୍ୟାଚାର, ଶୋଷଣ, କଷଣ, ଲୁଣ୍ଠନ କେବଳ ଖାସମାହାଲ ଖୋର୍ଦ୍ଧାରେ ନୁହେଁ, ସାରା ଓଡ଼ିଶାରେ ପରିବ୍ୟାପ୍ତ ଥିଲା । ପ୍ରଜା/ଭାଗଚାଷୀ/ଚାଷୀକୂଳ ଏ ଅତ୍ୟାଚାରରେ ଅତିଷ୍ଠ ହୋଇ ତ୍ରାହି ତ୍ରାହି ଡାକ ଛାଡ଼ୁଥିଲେ । ସେ ସମୟର ସ୍ଥିତି ସମ୍ପର୍କରେ ସମ୍ୟକ ଧାରଣା ନଥିଲେ, ପ୍ରାଣନାଥ କାହା ବିରୁଦ୍ଧରେ କି ଅତ୍ୟାଚାରର ଅବସାନ ପାଇଁ ଲଢ଼ୁଥିଲେ, ତାହା ଏବେର ଜଣେ ପାଠକ ବୁଝିପାରିବନାହିଁ ।

 

ଗାଁ ଦାଣ୍ଡରେ ଜମିଦାରଙ୍କ ଘର ସମ୍ମୁଖରେ, ଗୋଡ଼ରେ ଚଟି କି ଜୋତା ପିନ୍ଧି, ଛତା ମୁଣ୍ଡରେ ଧରି, କେହି ଯିବା ନିଷିଦ୍ଧ ଥିଲା । କେବଳ ଜମିଦାର ନୁହେଁ ତାଙ୍କ ଗୁମାସ୍ତା, ଲାଠିଆଳ, ବରକନ୍ଦାଜମାନଙ୍କର ଜୁଲୁମ ମଧ୍ୟ ସାଧାରଣ ମଣିଷଙ୍କୁ ଅଶେଷ ଅସହ୍ୟ ଯାତନା, ଯନ୍ତ୍ରଣା ଦେଉଥିଲା ।

 

ଚାଷୀ/ପ୍ରଜାର ବାରିରେ ପୋଖରୀ ଥିଲେ, ଗଛ ଥିଲେ, ତା’ଉପରେ ତା’ର ଅଧିକାର ନଥିଲା -ଜମିଦାର କର୍ମଚାରୀ/ପିଆଦମାନେ ତା’ପୋଖରୀରୁ ମାଛ ମାରି ନେଉଥିଲେ - ଗଛରୁ ଫଳ ତୋଳି ନେଉଥିଲେ । ଜମିଦାରଙ୍କ ଅନୁମତି/ଆଦେଶ ବିନା କେହି ପ୍ରଜା ନିଜ ପୁଅ ଝିଅର ବାହାଘର କରିପାରୁନଥିଲେ । ଏଥିପାଇଁ ଜମିଦାରଙ୍କୁ ସଲାମୀ ଦେଇ ଅନୁମତି ଆଣିବାକୁ ପଡ଼ୁଥିଲା-। ପ୍ରଜାମାନେ ବେଠି ଖଟିବା, ବିଲଚାଷ (ଭାଗ ନେଇଥିବା ଜମି ବାହାରେ ଥିବା ଜମିଦାରଙ୍କ ନିଜସ୍ୱଜମି), ଧାନକଟା, ଘରଛପର ପାଳଗଦା ଜଗିବା, ସବାରୀ/ପାଲିଙ୍କି କାନ୍ଧେଇବା ଆଦି କରିବାକୁ ବାଧ୍ୟ ହେଉଥିଲେ । କୌଣସି ପ୍ରଜା ବେଠି/ଭେଟି (ଦଶହରା-ସୁନିଆଁରେ, ପର୍ବପର୍ବାଣୀ ବେଳେ ମାଗଣାରେ ଜମିଦାର କଚିରୀରେ ଭେଟି/ଉପହାର ଦିଆଯାଉଥିଲା)ରେ ଅବହେଳା କଲେ, ଅମାନ୍ୟ କଲେ ଆର୍ଥିକ ଦଣ୍ଡ (ଦଣ୍ଡ ଶାରୀରିକ/ଆର୍ଥିକକୁ ଦଣ୍ଡ କୁହାଯାଉଥିଲା)ରେ ଦଣ୍ଡିତ ହେବାକୁ ପଡ଼ୁଥିଲା । ଅଧିକ ଖଜଣା ନିଆଯାଇ, ଅଳ୍ପ ପଇସାର ପାଉତି କଟାଯାଉଥିଲା-ଖଜଣା ଆଦାୟବେଳେ ଆଦାୟକାରୀ କର୍ମଚାରୀ, ବରକନ୍ଦାଜ, ପିଆଦା ଚାକର ଆଦିଙ୍କ ଖାଇବା ପିଇବା ବାବଦ ଖର୍ଚ୍ଚ ପ୍ରଜାଙ୍କ ଠାରୁ ଆଦାୟ କରାଯାଉଥିଲା ।

 

ଚାଷୀଙ୍କୁ ନିଜ ଗାଡ଼ିରେ ଧାନ ବୋହି ଜମିମାଲିକ ଘରକୁ ଆଣିବାକୁ ପଡ଼ୁଥିଲା । ଜମିଦାରଙ୍କ ଖମାରୀ ଧାନ ମାପିବ । ତା’ର ମାଗୁଣୀ ହେଲା ଧାନ ଭରଣକରେ ୪ସେରିଆରେ ଦୁଇ ଗୌଣୀ, ଗୁମାସ୍ତା, ଯିଏ କାଗଜପତ୍ର କରିବ, ସେ ସମିଆ ଏକ ଗୌଣୀ, ଧାନ ଶୁଖିଯିବ ବୋଲି ଜମିଦାର ଶୁକ୍ତି ଭାବରେ ଦୁଇଗୌଣୀ ଧାନ ନେବେ । ଏତକ ମୋଟ ଫସଲ ଉତ୍ପାଦାନରୁ ଯିବ ।

 

ଜମି ଖର୍ଦ୍ଦି ବା ବିକ୍ରି କରିବାକୁ ଗଲାବେଳେ, ଜମି ମାଲିକର ନାଁ ପରିବର୍ତ୍ତେ, ଯେଉଁ ଚାଷୀ ଜମି ଖର୍ଦ୍ଦି କରିଥିବ ସେ ପ୍ରଜା ନାଁ ଜମିଦାରଙ୍କ କାଗଜପତ୍ରରେ ଦରଜ କରିବାକୁ, ଦାଖଲଖାରଜ ଫିସ୍‍ ଓ ଖାତା ଫିଟା ଫିଜ୍‍ ଦେବାକୁ ପଡ଼ୁଥିଲା । ପାଉଣା ନଦେଲେ ଜମି, ନୂଆ ମାଲିକ ନାମରେ ଜମି ରେକର୍ଡ଼ ନରହି ସେହି ପୁରୁଣା ମାଲିକ ନାଆଁରେ ରହୁଥିଲା ।

 

ଜମିଦାର ବା ତାଙ୍କ କର୍ମଚାରୀ, ପିଆଦାମାନେ ତାଙ୍କ କାର୍ଯ୍ୟର କେହି ବିରୋଧ କଲେ, ବେଠିରେ ନଗଲେ, ଭେଟି ନଦେଲେ ସେମାନଙ୍କୁ କଚିରୀକୁ ଅଣାଯାଇ, ଗଛରେ ବାନ୍ଧି କୋରଡ଼ାରେ ମାଡ଼ ଦିଆଯାଉଥିଲା । କମ୍ବଳ ଘୋଡ଼ାଇଦେଇ ଲଙ୍କା ଧୂଆଁ ଦିଆଯାଉଥିଲା । ମୁଣ୍ଡରେ ପଥର ମୁଣ୍ଡାଇ ଖରାରେ ଠିଆ ହବାକୁ ବାଧ୍ୟ କରୁଥିଲା । ସେମାନଙ୍କୁ ଧୋବା, ବାରିକ, ଦିଅଁ, ଦେଉଳ ବାଛନ୍ଦ କରାଯାଉଥିଲ । ଧାନ/ଚୂଡ଼ା କୁଟିବା ଢିଙ୍କିକୁ ଉଠାଇ ନିଆଯାଉଥିଲା । ପାଖ ଜଙ୍ଗଲକୁ ପତର କାଠକୁଟା ଗୋଟାଇ ଆଣିବାକୁ ଯାଉଥିବା ଗରିବ, ଦଳିତ ଘରର ଝିଅମାନଙ୍କୁ କଚିରୀକୁ ଟେକିନେଇ ସେମାନଙ୍କୁ ଲଙ୍ଗଳା କରି ଦୀର୍ଘ ସମୟ ଛିଡ଼ା ହୋଇ ରହିବାକୁ ପଡ଼ୁଥିଲା--ପାଶବିକ ଅତ୍ୟାଚାର ବି ହେଉଥିଲା ।

 

ଏଥିପାଇଁ ସ୍ୱାଧୀନତା ଆନ୍ଦୋଳନର ଏକ ଅଂଶ ଭାବରେ, ଜମିଦାରମାନଙ୍କର ଅତ୍ୟାଚାର, ବର୍ବରତା ବିରୁଦ୍ଧରେ ସ୍ୱର ଉତ୍ତୋଳନ ନକଲେ ଲୋକେ ସେମାନଙ୍କ ବନ୍ଧନରୁ ଖସି ଆସିପାରିବେ ନାହିଁ । ଏଣୁ ଇଂରେଜ ସରକାର ବିରୁଦ୍ଧରେ ଲଢ଼ିବାର ଏକ ଅସ୍ତ୍ର ଭାବରେ, ବ୍ରିଟିଶ ସରକାରର ଶାସନପୁଷ୍ଟ ଗାଁ ଗହଳର ଜମିଦାରମାନଙ୍କରେ ଶୋଷଣ/କଷଣ/ଅତ୍ୟାଚାର/ଲୁଣ୍ଠନ ବିରୁଦ୍ଧରେ ଲଢ଼ିବା ପାଇଁ ଯୋଜନାମାନ ହେଲା ଏବଂ କୃଷକ ସଭା ଗାଁଏ ଗାଁଏ ଗଢ଼ିଉଠିଲା । କୃଷକ ଆନ୍ଦୋଳନ ବଢ଼ି ବଢ଼ି ଚାଲିଲା ।

 

ଏ ଆନ୍ଦୋଳନ ସାରା ରାଜ୍ୟର ଅସଂଗଠିତ ଭାଗଚାଷୀ, ଭୂମିହୀନ ମୂଲିଆ, ଗରୀବ ଚାଷୀ, ଖେତ ମୂଲିଆମାନଙ୍କ ଭିତରେ ତଡ଼ିତ୍‍ ପ୍ରବାହ ସୃଷ୍ଟି କଲା -ଏହି ତଡ଼ିତ୍‍ ପ୍ରବାହର ମୂଳ କେନ୍ଦ୍ରବିନ୍ଦୁ ଥିଲେ ସାଥୀ ପ୍ରାଣନାଥ ପଟ୍ଟନାୟକ ।

 

ଗୋବିନ୍ଦ ପ୍ରଧାନ “ବର୍ବର ମୁସ୍ତାଦାରୀ ପ୍ରଥାର ନଗ୍ନ ସ୍ୱରୂପ” ପ୍ରଦର୍ଶିତ କରିବାକୁ ଲେଖିଥିଲେ,“ଚାଷୀ ବର୍ଷଯାକ ତା’ର ପିଲା କାବିଲାଙ୍କୁ କ୍ଷେତରେ ଲଗାଇ, ବିହନ ବୁଣି ଯାହା ଫସଲ ଆଦାୟ କରିବ, ସେଥିରୁ ଅଧାଭାଗ ଜମିଦାର ନେବ । ସେହି ଅଧାଭାଗକୁ ନଗଦ ଆକାରରେ ଦୁଇ/ତିନି ବର୍ଷ ପାଇଁ ଯିଏ ଗୁତ୍ତା ବା କଂଣ୍ଟ୍ରାକ୍ଟ ନିଏ, ତାକୁ ମୁସ୍ତାଦାର କୁହାଯାଏ । ସେ ମୁସ୍ତାଦାର ଗୁତ୍ତା ନେଇ ଚାଷୀକୁ ନାନା ପ୍ରକାର ହଇରାଣ କରେ । ତା’ର ଉଦାହରଣ ସ୍ୱରୂପ ଚାଷୀ ଯାହା ଫସଲ ଉପୁଜାଇଥିବ, ମୁସ୍ତାଦାରର ବିନା ଅନୁମତିରେ ଅମଳ କରିପାରିବ ନାହିଁ । ମୁସ୍ତାଦାରର ହୁକୁମ ନମିଳିଲେ ଧାନ କାଟି ପାରିବନାହିଁ । ତା’ର ସ୍ତ୍ରୀପିଲାମାନେ ବିଲରେ ଥିବା ଗୋଟିଏ ଶିଂସା ଧାନ ସୁଦ୍ଧା ନେଇପାରିବେ ନାହିଁ । କେବଳ ସେତିକି ନୁହେଁ, ଚାଷୀର ସ୍ତ୍ରୀ, ଝିଅମାନେ ଧାନ ଧରି ଚାଲିଯାଇଥିବା ନାମରେ ଲୁଗାପଟା ଖୋଲି ତାଙ୍କର ଇଜ୍ଜତ ନିଅନ୍ତି-ଏପରିକି ଖାଇବା କଂସା ବାସନ ମଧ୍ୟ ଖୋଜା ହୁଏ । ଏଣେ ଧାନ ପାଚି ବିଲରେ ଝଡ଼ି ପଡ଼ିବା ଉପରେ । ଚାଷୀ ମୁଠାଏ ଖାଇବାକୁ ନପାଇ ଭୋକରେ ଧାନ ଜାଗିଛି ଅଥଚ ମୁସ୍ତାଦାରମାନଙ୍କର ମଉଜ ମଜଲିସ କରି ସମୟ ନାହିଁ, ଧାନ କଟା ହୋଇପାରୁନାହିଁ - ଏହା ଥିଲା ଦେହ ସୁହା ଘଟଣା ।”

 

“ପ୍ରତ୍ୟେକ ଗ୍ରାମରେ ୫୦ ରୁ ୧୦୦ କିମ୍ବା ତା’ଠାରୁ ଅଧିକ ଏକର ଜମି ହେତା, ଖେଟା, ବଂଜର ଇନାମ ଜମି ନାଁରେ ଜମିଦାରମାନଙ୍କର ନିଜ ଚାଷ ଜମି ବୋଲି ନାମକୁ ମାତ୍ର ଥିଲା । ଏ ଜମିଗୁଡ଼ିକ ରୟତମାନେ ପୁରୁଷାନୁକ୍ରମିକ ଚାଷକରି ଜମିଦାରମାନଙ୍କୁ ଭାଗ ଦେଇ ଆସୁଥିଲେ । ମୁସ୍ତାଦାରୀ ବିରୋଧ ସାଙ୍ଗକୁ ଜମିଦାରମାନେ ଏହି ଜମିଗୁଡ଼ାକୁ ଚାଷୀଙ୍କଠାରୁ ଛଡ଼ାଇ ନେଇ ଧନୀ ମୁସ୍ତାଦାରମାନଙ୍କୁ ବିକ୍ରି କରିଦେବାର ଉଦ୍ୟମ କଲେ । ଅନ୍ୟ ପକ୍ଷରେ ରୟତ ସଭା ବସି ନିଷ୍ପତ୍ତି ନେଲା ଯେ ଚାଷୀମାନେ ଜମି ଛାଡ଼ିବେ ନାହିଁ ।”

 

“ଚାଷୀ ମୂଲିଆଙ୍କ ଏହି ଆନ୍ଦୋଳନରେ ଜମିଦାର, ମୁସ୍ତାଦାର ଓ ସେମାନଙ୍କର ଦଲାଲ୍‍ ଟାଉଟରମାନେ ଆତଙ୍କିତ ହୋଇଉଠିଲେ ।” “ ଗଞ୍ଜାମ ଜିଲ୍ଲା ବିଶେଷକରି ଶେରଗଡ଼ ଅଞ୍ଚଳରେ ଚାଷୀ-ମୂଲିଆମାନେ “ଦ୍ଵିତୀୟ ତେଲେଙ୍ଗାନା” କରିଦେଲେଣି କହି ଚାଷୀମୂଲିଆ, ଗାଁର କାରିଗର ଏବଂ ଏମାନଙ୍କର ନେତାଙ୍କ ଉପରେ ପ୍ରଚଣ୍ଡ ଆକ୍ରମଣ ଚଳାଇ ସରକାର, ରୟତସଭାକୁ ବେଆଇନ୍‍ ସ୍ତରକୁ ଆଣିଲେ ଏବଂ ଗଞ୍ଜାମ ଜିଲ୍ଲା ତଥା ତାକରଡ଼ା ଓ ଆଖପାଖ ଅଞ୍ଚଳର ରୟତ ନେତା, କମ୍ୟୁନିଷ୍ଟ ନେତା, କର୍ମୀ ଓ ଆଗୁଆ ଚାଷୀମାନଙ୍କ ଉପରେ ଗିରଫ ପରୱାନା ବାହାରକରି, ସେମାନଙ୍କୁ ଧରିବା ପାଇଁ, ଗାଁ ଗାଁରେ ପୁଲିସ ଏବଂ ମିଲିଟାରୀ ଫୌଜ ପଶି ୱାରେଣ୍ଟ, ଜବତ ଇତ୍ୟାଦି କରିଚାଲିଲେ । ଶେରଗଡ଼ ଠାରେ ଜିଲ୍ଲା କଲେକ୍ଟର, ଉଚ୍ଚ ପୋଲିସ କର୍ମକର୍ତ୍ତା, ପୋଲିସ ଏବଂ ମିଲିଟାରୀ ଫଉଜ ଛାଉଣୀ ପକାଇ ଏହି ଆକ୍ରମଣ ଚଲାଉଥାନ୍ତି । ଏହି ଆକ୍ରମଣ ଓ ଦମନ ବିଷୟ ଜିଲ୍ଲା ସାରା ରୟତ ଆନ୍ଦୋଳନ ଅଞ୍ଚଳକୁ ବ୍ୟାପିଗଲା ଏବଂ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ତଥା ନିକଟତମ ଜମିଦାରୀ ଅଞ୍ଚଳରୁ ଦମନ ଅତ୍ୟାଚାରର ପ୍ରତିବାଦ ଜଣାଇ ପ୍ରତିଦିନ ହଜାର ହଜାର ସଙ୍ଗଠିତ ଚାଷୀ ମୂଲିଆ ତାକରଡ଼ାକୁ ଆସୁଥିଲେ ଏବଂ ଚାଷୀନେତା ଓ କର୍ମୀମାନଙ୍କୁ ଗିରଫ ଓ ଘର ଜବତର ପ୍ରତିବାଦ ଜଣାଉଥିଲେ । ଏହା ୧୯୪୮ ମଇ, ୨୧,୨୨,୨୩ ତିନିଦିନ ଧରି ଚାଲିଲା ।”

 

ପ୍ରାଣନାଥ ଏବଂ ତାଙ୍କର ସମଯୋଦ୍ଧା ସାଥୀମାନେ ସୁରୁ କରିଥିବା ଭାଗଚାଷୀ, ନାମମାତ୍ରଚାଷୀ, ରଇତ, ଜମିଦାର ବିରୋଧୀ, ମୁସ୍ତାଦାରୀ ବିରୋଧୀ, ମଠ/ମହନ୍ତ ବିରୋଧୀ ରାଜ୍ୟବ୍ୟାପୀ ଆନ୍ଦୋଳନର ପ୍ରବାହମାନ ଜୁଆରର ଶୀର୍ଷ ବା କ୍ଲାଇମାକ୍ସ ଦୃଶ୍ୟରେ, ତାକରଡ଼ା ଗାଁରେ ବାରବରଷର ବାଳୁତ ହେମ ବାଉରାଣୀ ସହିତ ଛଅଜଣ ପୁଲିସର ଥ୍ରୀନଟଥ୍ରୀ ବାୟୋନେଟ୍‍ ଗୁଳିରେ ଜୀବନ ବଳିଦାନ ଦେବା ଏବଂ ପଚାଶ ଜଣାରୁ ଉର୍ଦ୍ଧ୍ୱ ଆହତ/ଗୁରୁତର ଆହତ ହେବା ଯେଉଁମାନଙ୍କ ମଧ୍ୟରୁ କେଇଜଣ ସାଥୀ ଏବେ ମଧ୍ୟ ସେ କାହାଣୀ ବୟାନ କରିବାକୁ ତାକରଡ଼ା ଗାଁ ପାଖ ଆଖରେ ଜୀବିତ ଅଛନ୍ତି । ଜମିଦାରୀ/ରୟତ ପ୍ରଥା ନାହିଁ -କିନ୍ତୁ ମଣିଷ ଛାତିର ଦେହର କ୍ଷତ ଲିଭିନାହିଁ କି ଶୋଷଣ କଷଣର ଅନ୍ତ ହୋଇନାହିଁ ।

 

ଦ୍ୱାଦଶ ଅଧ୍ୟାୟ

ସମାଜବାଦୀ: କର୍ମଯୋଗୀ ପ୍ରାଣନାଥ

 

ଗୋଟିଏ ବସାଘର ଅଳ୍ପ ପଇସାରେ ଭଡ଼ାନେଇ, ପ୍ରାଣନାଥ ପଟ୍ଟନାୟକ ତାଙ୍କ ସାଥୀ ଗୋକୁଳ ମୋହନ ରାୟଚୂଡ଼ାମଣି, ପର୍ଶୁରାମ ପଦାତିକରାୟ, ନିରଞ୍ଜନ ଜଗଦେବ, ଚନ୍ଦକାର ଅନନ୍ତ ତେଙ୍ଗ, ସାରଙ୍ଗଧରପୁର (ରଣପୁର)ର ଗଙ୍ଗାଧର ମିଶ୍ର ଇତ୍ୟାଦି ଏକାଠି ରହିଥାନ୍ତି କୁଦିଆରୀରେ । ଜଟଣୀ ଆରପଟକୁ ଗୋଟିଏ ବଡ଼ ଗାଁ, ରେଳବାଇ କଲୋନୀ ଥିବା ଗାଁ ହେଲା କୁଦିଆରୀ । ପୂର୍ବରୁ ଉଲ୍ଲେଖ କରିଛି, ୧୯୩୫ ଶାସନ ଖସଡ଼ା ଅନୁସାରେ ସୀମିତ ଫ୍ରାନଚାଇଜ ବା ଶାସନ କ୍ଷମତା ପ୍ରାପ୍ତି ହିସାବରେ ୬୦ ଜଣିଆ ଓଡ଼ିଶା ବିଧାନସଭା ପାଇଁ ଏକମାତ୍ର ଶ୍ରମିକ ଆସନରେ ଛିଡ଼ା ହୋଇଥାନ୍ତି କମ୍ୟୁନିଷ୍ଟ ପ୍ରାର୍ଥୀ କମ୍ରେଡ୍‍ ବୈଦ୍ୟନାଥ ରଥ । ସାରା ପ୍ରଦେଶର ଯେଉଁଠି ଶିଳ୍ପଶ୍ରମିକ ବା ଅନ୍ୟ ଶ୍ରମିକ ଅଛନ୍ତି ସେମାନେ ଭୋଟ ଦେଇ ବିଧାନସଭାକୁ ଜଣେ ପ୍ରତିନିଧି ପଠାଇବେ । ରେଳବାଇ ଶ୍ରମିକମାନଙ୍କ ବ୍ୟତୀତ ଜଟଣୀର ଯାଜୋଡ଼ିଆ ଧାନକଳ, କାଳୁଖାଁ ବରଫକଳ ଇତ୍ୟାଦିର ଶ୍ରମିକମାନଙ୍କର ଭୋଟକୁ ମଧ୍ୟ ସଂଗ୍ରହ କରିବା ଏମାନଙ୍କର ଲକ୍ଷ୍ୟ ।

 

ପ୍ରାଣନାଥ, ଖୋର୍ଦ୍ଧା/ଜଟଣୀ ଅଞ୍ଚଳକୁ ନିଜର କର୍ମକ୍ଷେତ୍ର ଭାବରେ ଆଦରି ନେଇଥାନ୍ତି । ଖୋର୍ଦ୍ଧା ପରେ ପରେ ଜଟଣୀ, ହରିପୁର, ବାଟରେ କାକୁଡ଼ିଆ ନଈ, ତା’ଆଗକୁ ରେଞ୍ଚ, ନିମାପଡ଼ା, ଗୋପ, କାକଟପୁର, ଇତ୍ୟାଦି ଅଞ୍ଚଳର ଚାଷୀ ଆନ୍ଦୋଳନ ଏମାନଙ୍କ ଦ୍ୱାରା ନିୟୋଜିତ ପ୍ରଭାବିତ ।

 

ବାଟରେ ପଡ଼ୁଥିବା କାକୁଡ଼ିଆ ଗାଁରେ ଦୟାନଦୀରେ ବନ୍ଧ ନଥିବାରୁ ବର୍ଷ ପରେ ବର୍ଷ ବଢ଼ି ଆସିଲେ, କାକୁଡ଼ିଆ ମୌଜା ଏବଂ ଆଖ ପାଖ ଗାଁର ସବୁ ଫସଲ, ପନିପରିବା ଚାଷ, ଧାନଚାଷ ପୁରାପୁରି ଧୋଇଯାଏ । ଲୋକେ ଶ୍ରମ କରନ୍ତି-କିନ୍ତୁ ଫସଲ ପାଆନ୍ତି ନାହିଁ ।

 

ପ୍ରାଣନାଥ, ସାଧୁଚରଣ ମହାନ୍ତି, ଗୋକୁଳ ମୋହନ ଆଦି ନିଷ୍ପତ୍ତି ନେଲେ, ଯଦି କାକୁଡ଼ିଆ ଗାଁ ପଛପଟେ, ଆନିକଟ୍‍ ପରି ଗୋଟାଏ ବନ୍ଧ ପକାଯାଇପାରନ୍ତା, ସେ ଅଞ୍ଚଳର ଲୋକେ ବଢ଼ିଦାଉରୁ ବଞ୍ଚିଯାଆନ୍ତେ । ଫସଲ ମଧ୍ୟ ପାଆନ୍ତେ । ବିଧାନସଭା ନିର୍ବାଚନରେ କମ୍ୟୁନିଷ୍ଟ ପ୍ରାର୍ଥୀ ବୈଦ୍ୟନାଥ ରଥ ଜିଣିଲା ପରେ ପ୍ରାଣନାଥ ଓ ତାଙ୍କ ସାଥୀଗଣ ଲୋକଙ୍କ ଠାରୁ ଚାନ୍ଦା ଆଦାୟ କରିକରି, ଲୋକଙ୍କୁ ଶ୍ରମଦାନ ଦେବାକୁ ଆଗେଇ ଆସିବାକୁ ପ୍ରେରଣା ଦେଇ କାମ ଆରମ୍ଭ କରିବା ପାଇଁ ସ୍ଥିର କଲେ । ପ୍ରାଣନାଥ ଏ କାମର ନେତୃତ୍ଵ ନେବାର ସ୍ଥିର ହେଲା । ଲୋକେ ଏ କାମରେ ଆଗ୍ରହ ସହକାରେ ଆଗଭର ହେଲେ । ବାଧା ଆସିଲା ସରକାରଠାରୁ ସରକାର ଏକ ପକ୍ଷରେ ଏଥିପାଇଁ ଅନୁମତି ଦେଉନଥାନ୍ତି -ଏଣେ ଅନୁମତି ନନେଇ ବନ୍ଧ ବାନ୍ଧିଲେ ଦଣ୍ଡନୀୟ ଅପରାଧ ବୋଲି କହୁଥାନ୍ତି ।

 

କାକୁଡ଼ିଆ ମୌଜାପାଖର କେତକୀଘାଇ ବନ୍ଧ ନିର୍ମାଣ କଥା, ସେତେବେଳେ କୁଦିଆରୀ ସ୍କୁଲରେ ପଢ଼ୁଥିବା ସାହିତ୍ୟିକ ସ୍ଵର୍ଗତଃ ନରସିଂହ ନନ୍ଦ ସ୍ମରଣକରି ପ୍ରାଣନାଥଙ୍କ ସମ୍ପର୍କରେ ତାଙ୍କ ଅଭିଜ୍ଞତା ଲେଖିଛନ୍ତି-

 

“କୁଦିଆରୀ (ଜଟଣୀ) ମାଇନର ସ୍କୁଲରେ ମୁଁ ଷଷ୍ଠଶ୍ରେଣୀରେ ପଢ଼ୁଥାଏ-କାକୁଡ଼ିଆ-କେତକୀ ଝର ଘାଇ ବନ୍ଧ ପାଇଁ ସାହାଯ୍ୟ ସଂଗ୍ରହ ଓ ଆଖପାଖ ଗାଁ ଲୋକଙ୍କୁ ସଚେତନ କରିବାକୁ କୁଦିଆରୀ ଗାଁର ପଥର ଚକଡ଼ା ହରିହରକ୍ଲବ ପାଖରେ ଗୋଟିଏ ଘରେ ସେ ବସା କରିଥାନ୍ତି । ସାଥୀରେ ତାଙ୍କର ଅନେକ ସହକର୍ମୀ । ଟିଣ ଚୁଙ୍ଗାଟିରେ ସ୍ଲୋଗାନ ଦେଇ ଦେଇ “କେତକୀ ଘାଇ” ପାଇଁ ସାହାଯ୍ୟ ମାଗୁଥାନ୍ତି । ଚାଉଳ, ଟଙ୍କା ପଇସା ଯିଏ ଯାହା ଦେଉଥିଲେ ସଂଗ୍ରହ କରୁଥାନ୍ତି । ପରିଶେଷରେ ଦୟାନଦୀ ଉପରେ କେତକୀ ଝର ପାଣିକୁ ଅଟକାଇବାକୁ ଲୋକେ ମିଶି, ପ୍ରାଣନାଥଙ୍କର ନେତୃତ୍ଵରେ ଆନିକଟଟିଏ ତିଆରି କରିଦେଲେ ।”

 

ପ୍ରାଣନାଥଙ୍କର ସହ ଯୋଦ୍ଧା ଗୋକୁଳ ମୋହନ ରାୟଚୂଡ଼ାମଣି ତାଙ୍କ ରଚିତ “ରକ୍ତସିକ୍ତ ଖୋର୍ଦ୍ଧା ମାଣିରେ ସଂଗ୍ରାମ”ରେ ଉଲ୍ଲେଖ କରିଛନ୍ତି,“କାକୁଡ଼ିଆର ପଛପଟେ ଗୋଟାଏ ବନ୍ଧ ଆନିକଟ ପରି ପକାଇଲେ ସେମାନେ ବନ୍ୟା କବଳରୁ ରକ୍ଷା ପାଇବା ସଙ୍ଗେ ସଙ୍ଗେ ଫସଲ ମଧ୍ୟ ପାଆନ୍ତେ ବୋଲି କହିଲେ । ପ୍ରାଣନାଥ ବାବୁଙ୍କ ନେତୃତ୍ଵରେ ବିଧାନସଭା ନିର୍ବାଚନ ପରେ ପରେ ଆମେ ସେ ଗାଁକୁ ଗଲୁ - ସେ କାମ ହାତକୁ ନେଲୁ । ଲୋକଙ୍କ ପାଖରୁ ଚାନ୍ଦା ଆଦାୟ କରି କରି ବନ୍ଧକାମ ଆରମ୍ଭ କଲୁ ।” ସ୍ଵର୍ଗତଃ ରାୟଚୂଡ଼ାମଣି ଏ ସମ୍ପର୍କରେ ତାଙ୍କ ରଚିତ ଇତିହାସର ପଦକ୍ଷେପରେ ଲେଖିଛନ୍ତି ।

 

“ସରକାରଙ୍କର ପ୍ରତିବନ୍ଧକ ସତ୍ତ୍ୱେ ଲୋକେ ଆନିକଟ ଧରଣର ପଥରବନ୍ଧ ପକାଇଦେଲେ । ଏହି ବନ୍ଧ ଫଳରେ ଲୋକେ ବାଲିଚର ହୋଇ ପଡ଼ିଥିବା ଶହଶହ ଏକର ଜମିକୁ ଉଠିଆ କଲେ ଏବଂ ପ୍ରଚୂର ଫସଲ ପାଇଲେ । କାକୁଡ଼ିଆ ମୌଜା ଉପରେ ଦୟାନଦୀର କେତକୀ ବନ୍ଧ ଆଜି ମଧ୍ୟ ପ୍ରାଣନାଥଙ୍କର ଜନସେବାର କାହାଣୀ କହି ଦଣ୍ଡାୟମାନ । ଅଞ୍ଚଳର ଏବର ଯୁବାପୀଢ଼ି ସେ କାହାଣୀ, ସେ ଅଭିଜ୍ଞତା ବିସ୍ମୃତ ହୋଇଗଲେଣି । ବୟସ୍କ ବୁଢ଼ାବୁଢ଼ା ମଣିଷମାନେ, ଯେଉଁମାନେ ସେତେବେଳର କାକୁଡ଼ିଆ ବନ୍ଧରେ ବୋଝେ, ମାଟି ମୁଣ୍ଡରେ ବୋହି ପକାଇଥିଲେ, ସେମାନେ ପ୍ରାଣନାଥଙ୍କୁ ଶ୍ରଦ୍ଧା ଓ ସମ୍ମାନର ସହିତ ଏବେ ମଧ୍ୟ ସ୍ମରଣ କରନ୍ତି ।

 

ପ୍ରାଣନାଥ ଏବଂ ତାଙ୍କର ସମଯୋଦ୍ଧା ସାଥୀମାନଙ୍କର ସମାଜସେବା ତଥା ଚାଷୀ କୃଷିଭିତ୍ତିକ କାରିଗରମାନଙ୍କର ଜୀବନଜୀବିକାମାନ ଉନ୍ନତ କରିବା ନିମନ୍ତେ ଆଉ ଏକ ଶ୍ରେଷ୍ଠ ଅବଦାନ ହେଲା, ଖୋର୍ଦ୍ଧା ଅଞ୍ଚଳର ବୁଣାକାରମାନଙ୍କର ସମବାୟ ତଥା ଗଣ ସଙ୍ଗଠନ । କୌଣସି କୌଣସି ଅଞ୍ଚଳରେ ଏକ ବିଶେଷ ପ୍ରକାର ଶିଳ୍ପର ସମଷ୍ଟିଗତ ଭାବରେ ଅଭିବୃଦ୍ଧି ସାଧିତ ହେଲା ପରି,ଖୋର୍ଦ୍ଧାର ଚତୁଃସୀମା ମଧ୍ୟରେ ବିଶେଷ ଭାବରେ ଲୁଙ୍ଗି ଏବଂ ଗାମୁଛା ବୁଣାଯାଉଥିଲା ଏବଂ ଓଡ଼ିଆର ତଥା ଓଡ଼ିଶା ବାହାରେ ଖୋର୍ଦ୍ଧାର ଲୁଙ୍ଗିର, ଗାମୁଛାର ବହୁଳ ପ୍ରସାର ଲାଭ କରୁଥିଲା । ସାଧାରଣ ବୁଣାଳୀ/କାରିଗରମାନେ ସମ୍ବଳ ଅଭାବରେ, ସୂତା କିଣିବା, ସୂତା ରଙ୍ଗ କରିବା, ତା’ପରେ ତନ୍ତକୁ ଆଣି ତାକୁ ବୁଣିବା ପାଇଁ ବହୁ ଆର୍ଥିକ ଶୋଷଣର ସମୁଖୀନ ହେଉଥିଲେ । ସୂତା, ରଙ୍ଗ ଏପରିକି ତନ୍ତ କିଣିବା ପାଇଁ-ମହାଜନମାନଙ୍କ ଠାରୁ ଚଢ଼ା ସୁଧରେ ଋଣ କରିବାକୁ ପଡ଼ୁଥିଲା ଏବଂ ଶେଷରେ ସୁଧମୂଳ ଅସୁଲ ନନେଇପାରି ସର୍ବସ୍ୱାନ୍ତ ହୋଇଯାଉଥିଲେ -ସେମାନଙ୍କ ତନ୍ତ ମହାଜନ ଜବତ କରିନେଉଥିଲା । ପରେ “ଅମୁକ ଲୁଙ୍ଗି ଫ୍ୟାକ୍‍ଟ୍ରି” ନାମରେ ସେହି ତନ୍ତ ମହାଜନର ଲୁଙ୍ଗି କାରଖାନାରେ କାମ କରେ ।

 

ଜଟଣୀ, ଖୋର୍ଦ୍ଧା, ବେଗୁନିଆ ଠାରୁ ରଗଡ଼ି (ବାଂକୀ ତୁଳସୀପୁର ରାସ୍ତାରେ) ପର୍ଯ୍ୟନ୍ତ ତଥା ଅପରପଟେ ତିରିମଲ୍ଲ, ତରାବୋଇ ଆଦି ବ୍ୟାପକ ଅଞ୍ଚଳରେ । ବୁଣାକୁ ନେଇ ବଞ୍ଚିଥିବା ବୁଣାକାରମାନଙ୍କୁ ସଂଗଠିତକରି ମହାଜନ ଦାଉରୁ ରକ୍ଷା କରିବାର ଶାଣିତ ହତିଆର (ଏକତା ଓ ସଂଗଠନ) ଟେକିଦେଇ, ସୂତା/ରଙ୍ଗ ଓ ଟଙ୍କା ଦେବା ପାଇଁ “ବୁଣାକାର ସଂଘ” ଏବଂ ସମବାୟ ସମିତି ସବୁ ଗଠନ କରାଇଲେ । ଖୋର୍ଦ୍ଧା ଅଞ୍ଚଳର ଅଗଣନ ବୁଣାକାର ଓ ରଙ୍ଗଣୀମାନେ ମହାଜନ ଶୋଷଣ ଅତ୍ୟାଚାରରୁ ରକ୍ଷା ପାଇଲେ ଏବଂ ନିଜର ବୁଣାକଳାର ବିସ୍ତାର କରାଇଲେ ।

 

ଆଜି ମଧ୍ୟ “ଖୋର୍ଦ୍ଧା ବୁଣାକାର ସଂଘ” ତଥା “ଖୋର୍ଦ୍ଧା ହସ୍ତତନ୍ତ ସମବାୟ ସମିତି” ମାନ ପ୍ରାଣନାଥଙ୍କର ସୂତ୍ର ବହନକରି ଜୀବନ୍ମତ ଅବସ୍ଥାରେ ରହିଛି । କେତେକ ଅଞ୍ଚଳରେ “ହାଣ୍ଡଲୁମ” ସହିତ ପାୱାରଲୁମ୍‍ମାନ ଖୋର୍ଦ୍ଧା ଅଞ୍ଚଳରେ ଏବେ ମଧ୍ୟ ସେ ଦିନର ସ୍ମୃତି ବହନ କରି ରହିଛି । ବଢ଼ି ଉଠିଥିବା ଲୁଙ୍ଗି କାରଖାନା ଏବଂ ଲୁଙ୍ଗି ଦୋକାନ ସବୁ କ୍ରମଶଃ ଅନ୍ୟ ଜିନିଷ ଦୋକାନରେ ରଖିବା ଫଳରେ ଖୋର୍ଦ୍ଧା ଲୁଙ୍ଗି ଶିଳ୍ପର ପ୍ରାୟ ବିଲୟ ଘଟିଛି ।

 

ଖୋର୍ଦ୍ଧା ମାଟିରେ, ଓଡ଼ିଶାର ସାମାଜିକ/ଅର୍ଥନୈତିକ ସ୍ଥିତିର ପରିବର୍ତ୍ତନ ପାଇଁ ଯେପରି ଆରମ୍ଭ ହୋଇଥିଲା, ଭାଗଚାଷୀ ଆନ୍ଦୋଳନ; ସେହିପରି ଭାବେ କାକୁଡ଼ିଆ ବନ୍ଧ/ପଟିଆ ବନ୍ଧ ଇତ୍ୟାଦି ସହିତ, ଗଠନମୂଳକ ସମବାୟ ଆନ୍ଦୋଳନ ମଧ୍ୟ ଚାଲୁହୋଇଥିଲା ।

 

ଜଟଣୀରେ ହାଇସ୍କୁଲଟିଏ ନଥିବାରୁ, ପ୍ରାଣନାଥ ପଟ୍ଟନାୟକ ନିଜେ ନେତୃତ୍ୱ ନେଇ, ଜଟଣୀ ହାଇସ୍କୁଲ ପ୍ରତିଷ୍ଠା କରିଥିଲେ । ସ୍କୁଲଟି ଚାଲୁଥିଲା, ଉତ୍ତରାୟଣୀ ମନ୍ଦିର ସମ୍ମୁଖସ୍ଥ ପ୍ରାଥମିକ ବିଦ୍ୟାଳୟରେ । (ଏବେ ତାହା ନୋଡ଼ାଲ ଉ.ପ୍ରା.ବିଦ୍ୟାଳୟ ଭାବରେ ନାମିତ ଓ ପରିଚିତ ।) ବିଦ୍ୟାଳୟଟି ଆରମ୍ଭ କଲାବେଳେ, ପ୍ରାଣନାଥ ନିଜେ ସେଠାରେ କ୍ଲାସ ନେଇଥାନ୍ତି । ସେହି ଜଟଣୀ ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ତାଲିମପ୍ରାପ୍ତ ଶିକ୍ଷକ ନଥିବାରୁ, ସୁପ୍ରସିଦ୍ଧ ମାର୍କ୍ସବାଦୀ ନେତା ଏବଂ ପ୍ରବୀଣ ଶିକ୍ଷକ, ପ୍ରାଣନାଥଙ୍କର ସାଥୀ ଦୋସର ବିଜୟଚନ୍ଦ୍ର ଦାସଙ୍କୁ ବରଣ କଲାଭଳି ପ୍ରଧାନ ଶିକ୍ଷକ କରିଆଣିଲେ । ତତ୍‍ପୂର୍ବରୁ ବିଜୟ ବାବୁ ବାଣପୁର ଗୋଦାବରୀଶ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ । ପ୍ରାଣନାଥ ମଧ୍ୟ ସେଠାରେ ଶିକ୍ଷାଦାନ କଲେ ।

 

ଆମ ରାଜ୍ୟର ଜଣେ ବିଶିଷ୍ଟ କବି ଓ ସାହିତ୍ୟ ସଙ୍ଗଠକ ତଥା କର୍ମଚାରୀନେତା ସ୍ୱର୍ଗତଃ ନରସିଂହ ନନ୍ଦ, ପ୍ରାଣନାଥଙ୍କର ସ୍ମୃତିଚାରଣ କରି ଲେଖିଥିଲେ,“ତା’ପରେ ୧୯୪୯ ରେ ନୂଆ ଜଟଣୀ ହାଇସ୍କୁଲରେ ପାଠ ପଢ଼ିଲି । ସେତେବେଳକୁ ନୂଆ ନୂଆ ଜଟଣୀ ହାଇସ୍କୁଲ ଆରମ୍ଭ କରିଥାନ୍ତି ପ୍ରାଣନାଥ ବାବୁ । ନୂଆ ଗାଁ ଉତ୍ତରାୟଣୀ ମନ୍ଦିର ସାମ୍ନା ପ୍ରାଥମିକ ବିଦ୍ୟାଳୟରେ ସେତେବେଳେ ସ୍କୁଲ କ୍ଲାସ ଚାଲିଥାଏ । ପ୍ରାଣନାଥ ବାବୁ ନିଜେ କ୍ଲାସ ନେଇ ପଢ଼ାଉଥାଆନ୍ତି । ତାଙ୍କରି ଉଦ୍ୟମରେ ଷଣ୍ଡପୁର ଟାଙ୍ଗୀରେ ନୂଆ ହାଇସ୍କୁଲ ଘର ତିଆରି ହୋଇସାରିବା ପରେ ୧୯୫୦ ରେ ଆମେ ନୂଆ ଘରକୁ ଗଲୁ ।” “ଓଡ଼ିଶା ଭୂଇଁରେ ଯେ କୌଣସି ଲୋକ ତାଙ୍କ କର୍ମପ୍ରବଣତାକୁ ପ୍ରତ୍ୟକ୍ଷ କରିଥିବ, ତାଙ୍କ ବିଶାଳ ବ୍ୟକ୍ତିତ୍ୱର ଶୀତଳ ସ୍ପର୍ଶ ଅନୁଭବ କରିଥିବ, ତାଙ୍କ ମହାନତାକୁ ଅବଶ୍ୟ ମର୍ମେ ମର୍ମେ ଉପଲବ୍ଧି କରିଥିବ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।”

 

ପ୍ରାଣନାଥ ଓ ତାଙ୍କର ସାଥୀମାନେ, ଜଟଣୀର ଷଣ୍ଢପୁର ଟାଙ୍ଗୀରେ ଜାଗାନେଇ ହାଇସ୍କୁଲ ଘର ସ୍ଥାପନ କରିଥିଲେ ଏବଂ ତାହା ଆଜି ମଧ୍ୟ ପ୍ରାଣନାଥ ଉଚ୍ଚ ଇଂରାଜୀ ବିଦ୍ୟାଳୟ ଭାବରେ ଷଣ୍ଢପୁର ଟାଙ୍ଗୀରେ ଦଣ୍ଡାୟମାନ ହୋଇ ତାଙ୍କ ସ୍ମୃତି ବହନକରି ଠିଆ ହୋଇଛି ।

 

ତ୍ରୟୋଦଶ ଅଧ୍ୟାୟ

ନିର୍ବାଚନ ମକଦ୍ଦମାରେ ବିଜୟୀ ହୋଇ ୧୯୫୭ ନିର୍ବାଚନରେ ବିଧାନସଭାରେ ପ୍ରାଣନାଥ

 

୧୯୫୭ ନିର୍ବାଚନରେ ପ୍ରାଣନାଥ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରୁ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ପ୍ରାର୍ଥୀ ବନମାଳୀ ପଟ୍ଟନାୟକଙ୍କୁ ପରାଜିତ କରି ବିଧାନସଭାକୁ ନିର୍ବାଚିତ ହେଲେ ।

 

ପ୍ରାଣନାଥ ପଟ୍ଟନାୟକଙ୍କ ନିର୍ବାଚନ ଅସିଦ୍ଧ କରିବାକୁ ଟ୍ରିବ୍ୟୁନାଲ୍‍ରେ ପରାଜିତ ପ୍ରାର୍ଥୀ ବନମାଳୀ ପଟ୍ଟନାୟକ କରିଥିବା ଅପିଲ ବିରୁଦ୍ଧରେ ପ୍ରାଣନାଥଙ୍କ ସପକ୍ଷରେ ଗଙ୍ଗାଧର ରଥ କିପରି ଆଡଭୋକେଟ ଭାବେ ନିଯୁକ୍ତ ହୋଇଥିଲେ, ତାହା ନିଜ ଭାଷାରେ ବର୍ଣ୍ଣନା କରି ଶ୍ରୀଯୁକ୍ତ ଗଙ୍ଗାଧର ରଥ ନିମ୍ନମତେ ଉଲ୍ଲେଖ କରିଛନ୍ତି ।

 

“ପ୍ରାଣନାଥ ପଟ୍ଟନାୟକ ଓଡ଼ିଶାରେ କମ୍ୟୁନିଷ୍ଟ ପାର୍ଟିର ଅନ୍ୟତମ ପ୍ରତିଷ୍ଠାତା । ୧୯୩୭ ସାଧାରଣ ନିର୍ବାଚନରେ ଯେଉଁ ତିନିଜଣ ଅଗ୍ରଗାମୀ କଂଗ୍ରେସ ନିକଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ, ସେମାନେ ହେଲେ କଟକର ନବକୃଷ୍ଣ ଚୌଧୁରୀ, ନିମାପଡ଼ାର ମୋହନ ଦାସ ଓ ଖୋର୍ଦ୍ଧାର ପ୍ରାଣନାଥ ପଟ୍ଟନାୟକ । ଏ ତିନିଜଣ ଏମ୍‍.ଏଲ୍‍.ଏ ଏବଂ ଶ୍ରୀମତୀ ମାଳତୀ ଚୋଧୁରୀ ପଣ୍ଡିତ ପ୍ରାଣକୃଷ୍ଣ ପଢ଼ିଆରୀ, ଗୌରାଙ୍ଗ ଚରଣ ଦାସ ଓ ସାଧୁଚରଣ ମହାନ୍ତି ପ୍ରମୁଖ ଓଡ଼ିଶାରେ କୃଷକ ଆନ୍ଦୋଳନର ଶୁଭ ଦେଇଥିଲେ । ପଣ୍ଡିତ ପଢ଼ିଆରୀଙ୍କ ବ୍ୟତୀତ ଅନ୍ୟ ସମସ୍ତେ ପ୍ରଥମେ କଂଗ୍ରେସ ସମାଜବାଦୀ ଦଳର ସଭ୍ୟ ଥିଲେ । ଭଗବତୀଚରଣ ପାଣିଗ୍ରାହୀଙ୍କ ନେତୃତ୍ୱରେ ଅନନ୍ତ ପଟ୍ଟନାୟକ, ଗୁରୁଚରଣ ପଟ୍ଟନାୟକ ଓ ପ୍ରାଣନାଥ ପଟ୍ଟନାୟକ ପ୍ରମୁଖ ବହୁ ଯୁବକର୍ମୀ ସେ କାଳର ବେଆଇନ କମ୍ୟୁନିଷ୍ଟ ପାର୍ଟିର ସଦସ୍ୟ ହେଲେ । ପ୍ରାଣନାଥ ପଟ୍ଟନାୟକ ବ୍ରହ୍ମପୁର ଜେଲ୍‍ରୁ ଖଲାସ ହେବା ପରେ, ୧୯୫୨ ମସିହା ସାଧାରଣ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ମାଧବଚନ୍ଦ୍ର ରାଉତରାୟଙ୍କ ଠାରୁ ହାରି ଯାଇଥିଲେ । କିନ୍ତୁ ୧୯୫୭ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ବନମାଳୀ ପଟ୍ଟନୟକଙ୍କୁ ପରାସ୍ତକରି ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବୟସରେ ସେ ମୋ’ ଠାରୁ ପ୍ରାୟ ପନ୍ଦରବର୍ଷ ବଡ଼ । ୧୯୫୭ ମସିହା ଜୁନ୍‍ ଶେଷ କିମ୍ବା ଜୁଲାଇ ଆରମ୍ଭରେ ଦିନେ ସକାଳେ ହଠାତ୍‍ ସେ ଆମ ଘରେ ପହଞ୍ଚିଲେ । ହାତରେ ଥିବା ନିର୍ବାଚନ ଟ୍ରିବ୍ୟୁନାଲ୍‍ ଅଫିସରୁ ମିଳିଥିବା ନୋଟିସ ଓ ତାଙ୍କ ବିରୁଦ୍ଧରେ ଫାଇଲ ହୋଇଥିବା ଇଲେକ୍‍ସନ୍ ପିଟିସନ୍‍ର ଏକକିତା ନକଲ । ତାଙ୍କ କେସ୍‍ର ଦାୟୀତ୍ୱ ନେବା ପାଇଁ ସେ ମୋତେ ଅନୁରୋଧ କଲେ ।

 

ନିର୍ବାଚନ ମୋକଦ୍ଦମାରେ ସେ କାଳରେ ମୁଖ୍ୟତଃ ବରିଷ୍ଠ ଆଡଭୋକେଟମାନେ ନିଯୁକ୍ତ ହେଉଥିଲେ । କାରଣ ଏପରି କେସ୍‍ ଚଳାଇବା ପାଇଁ ଲୋକ ପ୍ରତିନିଧି ନିର୍ବାଚନ ଆଇନରେ ଗଭୀର ପ୍ରବେଶ ଆବଶ୍ୟକ । ତା’ଛଡ଼ା ଦେୱାନୀ କାର୍ଯ୍ୟବିଧି ଆଇନ ଓ “ପ୍ରମାଣ” ଆଇନରେ ମଧ୍ୟ ମଧ୍ୟ ବ୍ୟୁତ୍ପତ୍ତିର ପ୍ରୟୋଜନ । କାରଣ ନିର୍ବାଚନ ମୋକଦ୍ଦମାରେ ବିଚାର ପଦ୍ଧତି ଦେୱାନୀ କାର୍ଯ୍ୟବିଧି ଆଇନ ଦ୍ୱାରା ନିୟନ୍ତ୍ରିତ ହୁଏ । ଏଣେ ଏ ପ୍ରକାର ମୋକଦ୍ଦମାରେ “ଅବୈଧ ଆଚରଣ” ସଂକ୍ରାନ୍ତୀୟ କେତେକ ପ୍ରକାର ଅଭିଯୋଗ ଆସିପାରେ, ଯାହା କେବଳ ଫୌଜଦାରୀ ଅଭିଯୋଗ ପରିପୂର୍ଣ୍ଣ ବିଶ୍ୱାସଯୋଗ୍ୟ ପ୍ରମାଣ ଉପରେ ଗ୍ରହଣୀୟ ହୁଏ । ସେତେବେଳୁ ମୋର ଓକିଲାତିରେ ଆୟୁ ମାତ୍ର ଦୁଇବର୍ଷ । ମୁଁ ମଧ୍ୟ କମ୍ୟୁନିଷ୍ଟ ସଙ୍ଗଠନ ସହିତ ସମ୍ପୃକ୍ତ ନଥାଏ । ଅଥଚ, ଏ ପ୍ରକାର ସଙ୍ଗୀନ ମୋକଦ୍ଦମାରେ ମୋତେ ଆଡଭୋକେଟ ନିଯୁକ୍ତ କରିବାକୁ ପ୍ରାଣନାଥ ପଟ୍ଟନାୟକ ଯେ ଆଗେଇ ଆସିଲେ, ସେଥିରେ ମୁଁ ସ୍ତମ୍ଭୀଭୂତ ହୋଇ ପଡ଼ିଲି । ଏ ଅକିଞ୍ଚନ ଉପରେ ତାଙ୍କର ଆସ୍ଥା ଦେଖି ମୋ’ ଆଖିରେ ଲୁହ ଆସିଲା । ପ୍ରାଣନାଥ ବାବୁ ଅବଶ୍ୟ ତା’ ଦେଖିପାରିନଥିଲେ । କିଛି ସମୟ ନୀରବ ରହି ମୁଁ କେବଳ ଏମିତି କହିଲି, “ହଁ ମୁଁ ଦାୟିତ୍ୱ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛି, ଯଦି କେସ୍‍ ପରିଚାଳନାର ସମସ୍ତ ଦାୟିତ୍ୱ ମୋ’ ଉପରେ ନ୍ୟସ୍ତ ହୁଏ ।” ଏବେ ଭାବୁଛି, ଜଣେ ବୟସ୍କ ଲୋକଙ୍କ ଆଗରେ ଏପରି ଦାମ୍ଭିକତା ଦେଖାଇବା ବୋଧହୁଏ ଉଚିତ ନଥିଲା ।

 

“ଖୋର୍ଦ୍ଧା କେଶ୍‍ର ସାକ୍ଷୀ ଜମାନ ବନ୍ଦୀ ଶେଷ ହେବା ପରେ ଦୁଇ ତିନି ଦିନ ବ୍ୟବଧାନରେ ଜବାବ ସୁଆଲ ଆରମ୍ଭ ହେଲା । ଉଭୟ ପକ୍ଷର ବାଦାନୁବାଦ ଶୁଣିବା ପରେ ରାୟ ପାଇଁ ମୋକଦ୍ଦମା ମୁଲତବି ରହିଲା । ପ୍ରାୟ ଦଶ ପନ୍ଦର ଦିନ ପରେ ଦିନେ “ସମାଜ”ର ସନ୍ଧ୍ୟା ସଂସ୍କରଣରେ ପଢ଼ିଲି, ଖୋର୍ଦ୍ଧା ନିର୍ବାଚନ ମୋକଦ୍ଦମାର ରାୟ ପ୍ରକାଶ ପାଇଛି । ବନମାଳୀ ପଟ୍ଟନାୟକଙ୍କ ଆବେଦନ ମଞ୍ଚୁର ହୋଇଅଛି ଓ ପ୍ରାଣନାଥଙ୍କ ନିର୍ବାଚନ ଅସିଦ୍ଧ ଘୋଷିତ ହୋଇଛି । ମୋ’ ଭିତରେ ବିଦ୍ରୋହର ଦାବାନଳ ଜଳିବାକୁ ଆରମ୍ଭ କଲା । ସାରାରାତି ମୁଁ ଶୋଇ ପାରିଲି ନାହିଁ-। ମନେହେଲା ନ୍ୟାୟ ବିଚାରର ଏକ ପ୍ରହସନ ମଧ୍ୟ, ଦୁନିଆର ସମସ୍ତ ଅନ୍ୟାୟ ପ୍ରାଣନାଥଙ୍କ ଉପରେ ଚାପି ଦିଆଯାଇଛି । ଅସତ୍ୟ ଅଭିଯୋଗ ଉପରେ ଜନତାର ରାୟକୁ ବିଚାରପତି ବାତିଲ କରିଦେଇଛନ୍ତି ।”

 

“ଦୁଇଦିନ ପରେ ପ୍ରାଣନାଥ ବାବୁ ରାୟ ନକଲ ଧରି କଟକରେ ପହଞ୍ଚିଲେ । ଦୁଃଖରେ ସେ ଭାଙ୍ଗିପଡ଼ିଥିଲେ ମଧ୍ୟ ଅନ୍ୟାୟର ପ୍ରତିକାର ପାଇଁ ଦୃଢ଼ ପରିକର । ରାୟର ନକଲ ପଢ଼ି ମୁଁ ଅନୁଭବ କଲି ହାଇକୋର୍ଟରେ ଅପିଲ କଲେ ଟ୍ରାଇବ୍ୟୁନାଲଙ୍କ ନିଷ୍ପତ୍ତି ଖାରଜ ହୋଇଯିବ । ଏହି ସମୟରେ ବ୍ରହ୍ମପୁରର ପ୍ରବୀଣ ଆଡଭୋକେଟ ମୋର ବନ୍ଧୁ ସନ୍ନ୍ୟାସୀ ରାଓ ଅନ୍ୟ କାମରେ କଟକ ଆସିଥିଲେ । ପାର୍ଲାମେଣ୍ଟ ସଦସ୍ୟ ବିଜୟ ଚନ୍ଦ୍ର ଦାସଙ୍କର ସେ ଘନିଷ୍ଠ ବନ୍ଧୁ ଓ ସେହି ସୂତ୍ରରେ ତାଙ୍କ ସହିତ ବିଶେଷ ପରିଚୟ । ୧୯୫୨ ମସିହାରେ ପାରଳାଖେମୁଣ୍ଡି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ବିଜୟଚନ୍ଦ୍ର ଦାସଙ୍କର ବିରୁଦ୍ଧରେ ଦାୟର କରିଥିବା ନିର୍ବାଚନ ମୋକଦ୍ଦମାରେ ସେ ବିଜୟଚନ୍ଦ୍ର ଦାସଙ୍କ ଆଡଭୋକେଟ ଅନ୍ଧ ବାରିଷ୍ଟର ସାଧନଗୁପ୍ତଙ୍କର ସହଯୋଗୀ ଥିଲେ । ଆମେ ତାଙ୍କୁ ରାୟ ନକଲ ଓ ହାଇକୋର୍ଟ ଅପିଲ ପାଇଁ ପ୍ରସ୍ତୁତ କରିଥିବା ଗ୍ରାଉଣ୍ଡର ନକଲ ଦେଖାଇଲୁ । ସେ ମୋ’ ସହିତ ଏକମତ ହେଲେ ଯେ ଅପିଲରେ ଜୟଲାଭ କରିବାର ଆଶା ଖୁବ ଉଜ୍ଜ୍ୱଳ । ପ୍ରାଣନାଥ ବାବୁ କାଗଜପତ୍ର ଧରି ଅବସରପ୍ରାପ୍ତ ପ୍ରଧାନ ବିଚାରପତି ବୀରକିଶୋର ରାୟଙ୍କ ସହିତ ପରାମର୍ଶ କଲେ-। ସେ ମଧ୍ୟ ଅନୁରୂପ ମତ ଦେଲେ । ତାଙ୍କ ମନ ବୋଧହୁଏ ମାନିଲା ନାହିଁ । ଦିନେ କାଗଜପତ୍ର ଧରି କଲିକତା ଚାଲିଲେ, ହାଇକୋର୍ଟ ଅପିଲ ପାଇଁ ସ୍ନେହାଂଶୁ ଆଚାର୍ଯ୍ୟଙ୍କୁ ନିଯୁକ୍ତ କରିବା ନିମନ୍ତେ-। ଦୁଇମାସ ପର୍ଯ୍ୟନ୍ତ ତାଙ୍କ ସହିତ ଆଉ ସାକ୍ଷାତ ନାହିଁ । କଲିକତାରେ କ’ଣ ଆଲୋଚନା ହେଲା ଜଣାନାହିଁ -୧୯୫୮ ମସିହା ଫେବୃୟାରୀ ମାସରେ ଅପିଲ ବିଚାର ପାଇଁ ଲିଷ୍ଟରେ ବାହାରିଲା । ଶୁଣାଣିର ଦୁଇଦିନ ଆଗରୁ ଦିନେ ସନ୍ଧ୍ୟାରେ ଫାଇଲ କାଖରେ ଜାକି ହସ ହସ ମୁହଁରେ ପ୍ରାଣନାଥ ବାବୁ ଆମ ଘରେ ପହଞ୍ଚିଲେ । ସାଙ୍ଗରେ ଥିଲେ ଲକ୍ଷ୍ମଣ ପଟ୍ଟନାୟକ । ତାଙ୍କର ଅନୁରୋଧ ମୋତେ ହାଇକୋର୍ଟରେ ଆର୍ଗୁମେଣ୍ଟ କରିବାକୁ ହେବ ।”

 

ସେ ବର୍ଷ ଇଲେକ୍‍ସନ୍‍ ଅପିଲ୍‍ଗୁଡ଼ିକର ବିଚାର ପାଇଁ ଚିଫ୍‍ଜଷ୍ଟିସ୍‍ ଆର୍‍.ଏଲ୍‍ ନରସିଂହମ୍‍ ଓ ଜଷ୍ଟିସ୍‍ ପି.ଭି.ବି. ରାଓଙ୍କୁ ନେଇ ଏକ ସ୍ୱତନ୍ତ୍ର ବେଞ୍ଚ ଗଠିତ ହୋଇଥାଏ । ମୋର ଓକିଲାତି ଜୀବନର ପରମାୟୁ ସେତେବେଳକୁ ମାତ୍ର ତିନିବର୍ଷ । କିନ୍ତୁ ଏହି କେସ୍‍ର ସଫଳତା ମୋ’ ପାଇଁ ଥିଲା ଗୁରୁତ୍ୱପୂର୍ଣ୍ଣ । ଆତ୍ମବିଶ୍ୱାସ ଉପରେ ଭରସା ରଖିବାକୁ ଏହା ପରେ ମୁଁ କେବେ କୁଣ୍ଠିତ ହୋଇନାହିଁ ।”

 

“ମୁଁ ତିନିଦିନ ଆର୍ଗୁମେଣ୍ଟ କରିଥିଲି । ବନମାଳୀ ପଟ୍ଟନୟକଙ୍କ ଆଡଭୋକେଟ କୁନି ଭାଇନା (ବିବୁଧେନ୍ଦ୍ର ମିଶ୍ର) ଦୁଇଦିନ ଜବାବ ଦେଲେ । କିନ୍ତୁ ମୁଁ ଅନୁଭବ କଲି, ପ୍ରଥମ ଦିନର ପନ୍ଦର ମିନିଟ୍‍ ମଧ୍ୟରେ କେସ୍‍ର ଭାଗ୍ୟ ନିର୍ଣ୍ଣିତ ହୋଇଛି ।”

 

ପ୍ରାୟ ପନ୍ଦରଦିନ ପରେ ହାଇକୋର୍ଟଙ୍କ ରାୟ ପ୍ରକାଶିତ ହେଲା । ପ୍ରାଣନାଥ ପଟ୍ଟନାୟକଙ୍କର ଅପିଲ ମଞ୍ଜୁର ହେଲା । ମୁଖ୍ୟ ଜଜ୍‍ମେଣ୍ଟଟି ଲେଖିଥିଲେ ଜଷ୍ଟିସ୍‍ ବାଳକୃଷ୍ଣ ରାଓ । ବିଭିନ୍ନ ବିବାଦୀୟ ପ୍ରଶ୍ନ ଉପରେ ନିଷ୍ପତ୍ତି ଦେଇ ସେ ଲେଖିଥିଲେ ଯେ, ପ୍ରଚାରପତ୍ରର ଉଲ୍ଲିଖିତ ମାଧବ ରାଉତରାୟଙ୍କୁ ଉତ୍କୋଚ ଦେବା ଅଭିଯୋଗ ମିଥ୍ୟା ବୋଲି ପ୍ରମାଣିତ ହୋଇନାହିଁ । ପ୍ରଚାର ପତ୍ରଟି କମ୍ୟୁନିଷ୍ଟ ପାର୍ଟି ପ୍ରକାଶ କରିଥିବା ଅଭିଯୋଗର ସତ୍ୟତା ପ୍ରମାଣ କରିବାକୁ ଆବେଦନକାରୀ ସମର୍ଥ ହୋଇନାହାନ୍ତି । ନିର୍ବାଚନ ଟ୍ରାଇବ୍ୟୁନାଲଙ୍କ ରାୟ ତ୍ରୁଟିପୂର୍ଣ୍ଣ ଓ ପ୍ରାଣନାଥ ପଟ୍ଟନାୟକଙ୍କ ନିର୍ବାଚନ ଆଇନ ଅନୁଯାୟୀ ଅସିଦ୍ଧ ନୁହେଁ ।

 

ଚିଫଜଷ୍ଟିସ୍‍ ନରସିଂହମ୍‍ ମଧ୍ୟ ରାଓଙ୍କ ସହିତ ଏକମତ ହୋଇ ଗୋଟିଏ ସଂକ୍ଷିପ୍ତ ମନ୍ତବ୍ୟରେ ଲେଖିଥିଲେ ଯେ, ବିବାଦୀୟ ପ୍ରଚାରପତ୍ରରେ ଉଲ୍ଲିଖିତ ଉତ୍କୋଚ ଅଭିଯୋଗ କଂଗ୍ରେସ ଦଳର ସମାଲୋଚନା, ବନମାଳୀ ପଟ୍ଟନାୟକଙ୍କ ବ୍ୟକ୍ତିଗତ ଆଚରଣର ସମାଲୋଚନା ନୁହେଁ । ଏଣୁ ଲୋକପ୍ରତିନିଧି ନିର୍ବାଚନ ଆଇନର ୧୨୩ ଧାରା ଏ କ୍ଷେତ୍ରରେ ପ୍ରଯୁଜ୍ୟ ନୁହେଁ ।

 

ଏହି ସୁଦୀର୍ଘ ରାୟଟି ୧୯୫୮ ମସିହାରେ ସୁପ୍ରସିଦ୍ଧ ଆଇନପତ୍ରିକା ଏ.ଆଇ.ଆର୍‍ରେ ପ୍ରକାଶିତ ହୋଇଛି ।

 

କେବଳ ନିର୍ବାଚନ ବୈତରଣୀ ନୁହେଁ, ନିର୍ବାଚନ ଟ୍ରିବ୍ୟୁନାଲ୍‍, ହାଇକୋର୍ଟରେ ଲଢ଼େଇରେ ଜିତାପଟ ପାଇ, ପ୍ରାଣନାଥ ପରିଶେଷରେ ବିଧାନସଭାକୁ ପ୍ରବେଶ ଅଧିକାର ପାଇଲେ-

 

୧୯୫୭ ଠାରୁ ୧୯୬୧ ପର୍ଯ୍ୟନ୍ତ ବିଧାସଭାରେ କମ୍ୟୁନିଷ୍ଟ ପାର୍ଟିର ସବୁଠାରୁ ଅଧିକ ସଂଖ୍ୟକ ବିଧାୟକ ନିର୍ବାଚିତ ହୋଇଥିଲେ ।

 

ପ୍ରାଣନାଥଙ୍କୁ ପାର୍ଟି ବିଧାନସଭା ଦଳର ଦଳପତି ଭାବରେ ସର୍ବସମ୍ମତିକ୍ରମେ ନିର୍ବାଚିତ କଲା । କେବଳ କମ୍ୟୁନିଷ୍ଟ ବିଧାୟକ ଦଳର ନୁହେଁ, ସମଗ୍ର ଓଡ଼ିଶା ବିଧାନସଭାର ବିରୋଧୀ ଦଳମାନଙ୍କର ସର୍ବମାନ୍ୟ ନେତା ଥିଲେ ପ୍ରାଣନାଥ । ଏପରିକି ସରକାରୀ ଦଳର ବିଧାୟକ ଗଣ ମଧ୍ୟ ପ୍ରାଣନାଥଙ୍କୁ ସମ୍ମାନ ଦେବା ସହିତ ତାଙ୍କର ବକ୍ତବ୍ୟମାନଙ୍କର ନିର୍ଦ୍ଦେଶାବଳୀକୁ କାର୍ଯ୍ୟରେ ରୂପାୟନ କରିବା ପାଇଁ ଉଦ୍ୟମ କରୁଥିଲେ । ସମସ୍ତେ ସ୍ୱୀକାର କରୁଥିଲେ ଯେ, ଜନଗଣଙ୍କର ଜୀବନଜୀବିକାର ସମସ୍ୟାମାନଙ୍କର ଅଧ୍ୟୟନ ଏବଂ ଗଭୀର ଅନୁଧ୍ୟାନ ପ୍ରାଣନାଥ ଏବଂ ତାଙ୍କର ସମଯୋଦ୍ଧା କମ୍ୟୁନିଷ୍ଟ ସାଥୀମାନଙ୍କ ବ୍ୟତୀତ ଆଉ କାହାରି ନାହିଁ । ଏଣୁ ବସ୍ତୁତଃ ବିଧାନସଭାର ବିରୋଧୀ ଦଳପତି ଭାବରେ ତାଙ୍କୁ ମାନ୍ୟ କରାଯାଉଥିଲା ।

 

କମ୍ୟୁନିଷ୍ଟ ପାର୍ଟି ତଥା ପ୍ରାଣନାଥଙ୍କ ପାଇଁ ଜନଗଣଙ୍କ ଦାବୀ ହାସଲ କରିବା କ୍ଷେତ୍ରରେ,ବିଧାନସଭା ଏକ ଶାଣିତ ହତିଆର ଭାବରେ ବିଚାର କରାଯାଉଥିଲା । ଜନଗଣଙ୍କୁ ଦେଇଥିବା ଅଙ୍ଗୀକାରକୁ, ସେମାନଙ୍କର ଜୀବନ-ଜୀବିକାର ଦାବିକୁ ବିଧାନସଭାରେ ଉପସ୍ଥାପିତ କରିବା ପରମ କର୍ତ୍ତବ୍ୟ ଭାବରେ, ସଂକଳ୍ପଭାବେ କମ୍ୟୁନିଷ୍ଟମାନଙ୍କର ତତ୍କାଳର ବିଧାନସଭା ଦଳପତି, ପ୍ରାଣନାଥ ଗ୍ରହଣ କରୁଥିଲେ ।

 

ଏହି ସଂକଳ୍ପକୁ ରୂପାୟିତ କରିବା ପାଇଁ ବିଧାନସଭା ଆରମ୍ଭରେ ପ୍ରାଣନାଥ ଏକ ସର୍ବଦଳୀୟ ପ୍ରସ୍ତାବ ଓଡ଼ିଶାରେ ବିଚ୍ଛିନ୍ନାଞ୍ଚଳ ହୋଇ ରହିଯାଇଥିବା ଷଢ଼ୈକଳା-ଖରସୁଆଁ ମିଶ୍ରଣ ପାଇଁ ଆଗତ କରିଥିଲେ । ସୀମା ଆନ୍ଦୋଳନର ପଟ୍ଟଭୂମିରେ ବିଧାନସଭାରେ କମ୍ୟୁନିଷ୍ଟ ଦଳର ଦଳପତି ପ୍ରାଣନାଥ, ବିଧାନସଭା ଅଧିବେଶନର ଆରମ୍ଭଦିନ ଏହି ପ୍ରସ୍ତାବ ଆଗତ କରିଥିଲେ ଏବଂ ତାହା ସର୍ବସମ୍ମତ ପ୍ରସ୍ତାବ ଭାବରେ ବିଧାନସଭାରେ ଗୃହୀତ ହୋଇଥିଲା ।

 

ଷଢ଼ୈକଳା-ଖରସୁଆଁ ତଥା ବିଚ୍ଛିନ୍ନାଞ୍ଚଳ ଓଡ଼ିଶାରେ ମିଶ୍ରଣ ପ୍ରସଙ୍ଗକୁ ଅତ୍ୟନ୍ତ ଗୁରୁତ୍ୱ ପ୍ରଦାନ କରୁଥିଲେ ପ୍ରାଣନାଥ ଏବଂ କମ୍ୟୁନିଷ୍ଟ ପାର୍ଟି । ଏଣୁ ୧୮ ଫେବୃଆରୀ ୧୯୬୦ ତାରିଖରେ ବିଧାନସଭାରେ ରାଜ୍ୟପାଳଙ୍କ ଭାଷଣ ପ୍ରସଙ୍ଗରେ, କମ୍ୟୁନିଷ୍ଟ ପାର୍ଟିର ନେତା ଭାବରେ ଆଲୋଚନା କରି ପୁନଶ୍ଚ ପ୍ରାଣନାଥ ଉଲ୍ଲେଖ କରିଥିଲେ ଯେ, “ଆଜି ଗଭର୍ଣ୍ଣରଙ୍କ ଭାଷଣ ଉପରେ ଆଲୋଚନା କଲାବେଳେ ଷଢ଼ୈକଳା-ଖରସୁଆଁ ଓ ଅନ୍ୟାନ୍ୟ ବିଚ୍ଛିନ୍ନ ଉତ୍କଳ ଅଞ୍ଚଳ ସମ୍ପର୍କରେ ତାଙ୍କ ଭାଷଣରେ କୌଣସି ଉଲ୍ଲେଖ ନଥିବାରୁ ଜଣାପଡ଼ୁଛି ଯେ, ସରକାର ସେ ନୀତି ଛାଡ଼ି ସାରିଲେଣି । ସେ ଦିଗରେ ତାଙ୍କର ମୁଣ୍ଡବ୍ୟଥା ହେଉନାହିଁ ୧୯୫୮ ରେ ଏହି ଗଭର୍ଣ୍ଣର ତାଙ୍କ ଭାଷଣରେ କହିଥିଲେ, “ସ୍ୱ।ଧୀନତା ଲାଭ ପରେ ଆମ୍ଭେମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ରାଜ୍ୟ ପୁନର୍ଗଠନ ଜନିତ ଗୁରୁତର ବିବାଦ ଆମ ଆଗରେ ଦେଖାଦେଇଥିଲା । କିନ୍ତୁ ଆସ୍ତେ ଆସ୍ତେ ୧୯୫୮ ପରେ ୧୯୫୯ ବଜେଟ୍‍ ଭାଷଣରେ ଚୁପ୍‍ । ବର୍ତ୍ତମାନ ସ୍ପଷ୍ଟ ନୀରବ । ଯେତେବେଳେ ଏ ପ୍ରଶ୍ନ ଉଠିଛି, ମୁଖ୍ୟମନ୍ତ୍ରୀ (ଡ଼ାଃ ମହତାବ ତତ୍‍କାଳୀନ ମୁଖ୍ୟମନ୍ତ୍ରୀ) କହିଛନ୍ତି ଯେ, ଘରୋଇ ଭାବରେ ଏକଥା କେନ୍ଦ୍ରମନ୍ତ୍ରୀଙ୍କ ସାଙ୍ଗରେ, ବିହାର ମନ୍ତ୍ରୀମାନଙ୍କ ସାଙ୍ଗରେ ଆଲୋଚନା କରୁଛନ୍ତି । ଘରୋଇ ବିଭାଗ ମନ୍ତ୍ରୀ (କେନ୍ଦ୍ର ଗୃହମନ୍ତ୍ରୀ ଥିଲେ ଗୋବିନ୍ଦ ବଲ୍ଲଭ ପନ୍ଥ ଏବଂ ସେ ଓଡ଼ିଶା, ଆସିବା ବେଳେ ବିରାଟ ଛାତ୍ର ଆନ୍ଦୋଳନ ହୋଇଥିଲା ।)” ଏଠାରେ କହିଗଲେ,“ସୀମା କମିଶନ ଯେଉଁ ନିଷ୍ପତ୍ତି କରିଛନ୍ତି ସେଇଟା ଫାଇନାଲ ନୁହେଁ । ତା’ର ପୁନର୍ବିଚାର ହେବ ।”କିନ୍ତୁ ତଦନ୍ତକୁ ଗଲାପରେ ମନ୍ତ୍ରୀଗାଦିରେ ବସି ଉତ୍ତର ଦେବାକୁ ଯାଇ ସେ କହିଛନ୍ତି ଯେ,“ତା’ର ନିଷ୍ପତ୍ତି ଶେଷ ହୋଇଯାଇଛି ଓ ତାକୁ ଆଉ ଉଠାଇବାର ପ୍ରଶ୍ନ ନାହିଁ । ଏଣୁ ଏହି (ବିଧାନ) ସଭାର ଦାୟିତ୍ୱ ବଢ଼ିଯାଇଛି ।”

 

ଉଲ୍ଲେଖ କରିବା ଉଚିତ ଯେ, ତତ୍‍କାଳର ଅନ୍ୟ କୌଣସି ବିଧାନସଭା ଦଳ, ଭାରତ ସରକାରଙ୍କ ପକ୍ଷରୁ ପ୍ରେରିତ ଖାଦ୍ୟଶସ୍ୟ ଅନୁସନ୍ଧାନ କମିଟି ସମ୍ମୁଖରେ ଏଭଳି ଯୋଜନାବଦ୍ଧ ପ୍ରସ୍ତାବ ଦେଇନଥିଲେ । ପ୍ରାଣନାଥ ପଟ୍ଟନାୟକ, ଓଡ଼ିଶାର ଜନଜୀବନ ସହିତ ବିଶେଷକରି ଦଳିତବର୍ଗଙ୍କ ସହିତ ଶୋଷିତଙ୍କ ସହିତ ଲଢ଼େଇ ଭିତରେ ନିବିଡ଼ ଭାବରେ ଜଡ଼ିତ ଥିଲେ ଏବଂ ସେହି ଗଣସଂଗ୍ରାମମାନଙ୍କ ମଧ୍ୟରୁ ଜନସମସ୍ୟାମାନଙ୍କ ଉପରେ ଗଭୀର ଅନୁଶୀଳନ, ଅଧ୍ୟୟନ କରିବା ସହିତ ଅନ୍ୟାନ୍ୟ ସାଥୀମାନଙ୍କ ସହ ଆଲୋଚନା କରି ତାହାର ନିର୍ଯ୍ୟାସ ତାଙ୍କ ବିଧାନସଭା ବକ୍ତବ୍ୟ ଭିତରେ କିମ୍ବା କମିଟି/କମିଶନଙ୍କ ସମ୍ମୁଖରେ ଉପସ୍ଥାପିତ ହେଉଥିଲା ।

 

କେନ୍ଦ୍ର କମିଟିକୁ ପ୍ରଦତ୍ତ ସ୍ମାରକପତ୍ରରେ ତଥା ବିଧାନସଭା ଗୃହରେ କୃଷି-ଜଳସେଚନ ଉପରେ ବକ୍ତବ୍ୟ ରଖିଲାବେଳେ, ସେ କହିଥିଲେ ଯେ,“ଓଡ଼ିଶାର କୃଷି ଉତ୍ପାଦନ ଓ ଚାଷ ଜମିର ପରିମାଣ କମି କମି ଯାଉଛି । ୧୯୨୧ ସାଲରେ ଏକକୋଟି ୨୯ ଲକ୍ଷ ଏକର ଚାଷଜମି ଆବାଦ ହେଉଥିବାବେଳେ ୧୯୫୧ ବେଳକୁ ତାହା କମି କମି ଆସି ଏକ କୋଟି ୨୧ ଲକ୍ଷ ଏକର ହୋଇଛି । ୧୯୧୮ ସାଲରେ ମାଣ ପିଛା ୧୭ ମହଣ ଧାନ ଓ ୧୬ ସେଲ ହାରାହାରି ଅନ୍ୟ ଫସଲ ମିଳୁଥିଲା । ତାହା ବର୍ତ୍ତମାନ କମି କମି ହାରାହାରି ୧୦ ମହଣରୁ ୧୩ ମହଣ ଭିତରେ ପହଞ୍ଚିଲାଣି ।”

 

ବିଧାନସଭାରେ ରାଜ୍ୟର ଜଳସେଚନ ସମ୍ପର୍କରେ ପାର୍ଟିରେ ସ୍ପଷ୍ଟ ମତାମତ ଉପସ୍ଥାପିତ କରି ଦଳପତି ପ୍ରାଣନାଥ, ରାଜ୍ୟପାଳଙ୍କ ଅଭିଭାଷଣରେ ଧନ୍ୟବାଦ ପ୍ରସ୍ତାବରେ ୧୮.୦୨.୬୦ ତାରିଖରେ କହିଥିଲେ ଯେ, “ଦ୍ଵିତୀୟ ପଞ୍ଚବାର୍ଷିକ ଯୋଜନାରେ ମିଡ଼ିୟମ ଇରିଗେସନ୍‍ ଉପରେ ଜୋର ଦିଆଯାଇଥିଲା ଏବଂ ସେ ବାବଦରେ ପାଞ୍ଚବର୍ଷ ପାଇଁ ୫ କୋଟି ୧୦ ଲକ୍ଷ ଟଙ୍କା ରଖାଯାଇଥିଲା - କିନ୍ତୁ ଏକ କୋଟି ଖର୍ଚ୍ଚ ଜାଗାରେ ୧୬/୧୭ରେ ୧ ଲକ୍ଷ ୫୬ ହଜାର, ୫୭-୫୮ରେ ୮ ଲକ୍ଷ ୫୮/୫୯ରେ ୩ ଲକ୍ଷ ଟଙ୍କା ରଖାଯାଇଥିଲେ ମଧ୍ୟ ୨୩ ଲକ୍ଷ ଟଙ୍କା ହୋଇଥିଲା । ମୁଁ ଦେଖୁଛି, ଖୁବ୍‍ ବେଶୀହେଲେ ୧୩୦ ଲକ୍ଷ ଟଙ୍କା ଅର୍ଥାତ୍‍ ୪ ଭାଗରୁ ଭାଗେ ଖର୍ଚ୍ଚ ହୋଇପାରିବ କି ନାହିଁ ସନ୍ଦେହ ! ଅତଏବ ଜଳସେଚନ କୃଷି ଉତ୍ପାଦନରେ ପ୍ରଧାନ ସାହାଯ୍ୟକାରୀ ହେବ ଏହି ଯେଉଁ ମୂଳଲକ୍ଷ୍ୟ ୨ୟ ପଞ୍ଚବାର୍ଷିକ ଯୋଜନାରେ ଥିଲା ଯେ ଅଧିକ ଉତ୍ପାଦନ ହେଲେ ବେକାରୀ ସମସ୍ୟା ଦୂରୀଭୂତ ହେବ-ଲୋକେ ଭରପୂର ଖାଇବାକୁ ପାଇବେ ଓ ବିଦେଶରୁ ଖାଦ୍ୟଶସ୍ୟ ଆଣିବାକୁ ପଡ଼ିବ ନାହିଁ, ସେ ଲକ୍ଷ୍ୟ ପଣ୍ଡ ହେଲା ।”

 

୧୯୬୦ ମସିହା ଆଦ୍ୟରେ ଓଡ଼ିଶାରେ ଶିଳ୍ପ ବିକାଶ ପ୍ରସଙ୍ଗରେ ପ୍ରାଣନାଥଙ୍କର ବକ୍ତବ୍ୟ ଏବେ ମଧ୍ୟ ପ୍ରଣିଧାନ ଯୋଗ୍ୟ । “ଭାରୀ ଇଣ୍ଡଷ୍ଟ୍ରି ବା ମିଡ଼ିୟମ ଇଣ୍ଡଷ୍ଟ୍ରି ବିଷୟରେ ଆମ ସରକାର କହିବେ । ଆମେ ପ୍ରାଇଭେଟ୍‍ ସେକ୍ଟର ଓ ସେଣ୍ଟ୍ରାଲ ସେକ୍ଟରଙ୍କୁ ତାହା ଦେଇଦେଇଛୁ - ସେମାନେ କହିବେ, ଆମର ସେ ଦାୟିତ୍ୱ ନାହିଁ । ଯେଉଁ ମଧ୍ୟମ ଧରଣର ଇଣ୍ଡଷ୍ଟ୍ରି କଥା କୁହାଯାଉଛି ସେଥିରେ ଆମର ପୁରା ଦାୟିତ୍ୱ ନାହିଁ । ତଥାପି ଯାହା (ଇଣ୍ଡଷ୍ଟ୍ରି) ହୋଇଛି, ସେଥିରେ ଆମେ କଞ୍ଚା ମାଟିରିଆଲ ଦେଉଛେ - ଏହି ସବୁ କମ୍ପାନୀ ତାଙ୍କ ହେଡ୍‍ ଅଫିସ ଦିଲ୍ଲୀ, କଲିକତା ଓ ବମ୍ବେରେ ରଖିଲେ । ଯାହା ଫଳରେ ଆମେ ସେଲ୍‍ ଟିକସ ହରାଉଛେ - ଇନ୍‍କମ୍‍ ଟାକ୍ସ ଯାହା ପାଇଥାନ୍ତେ ତାହା ମଧ୍ୟ ହରାଇଲେ । ତା’ ଛଡ଼ା ଓଡ଼ିଶା ଲୋକଙ୍କୁ ସେ ସବୁ କମ୍ପାନୀରେ କିପରି ଚାକିରୀ ମିଳିପାରିବ ସେ ବିଷୟରେ ଆମ ସରକାର କିଛିଚୁକ୍ତି କରିନାହାନ୍ତି । ଆମ ରାଜ୍ୟ ଟଙ୍କା ପାଉନାହାନ୍ତି କି ଚାକିରୀ (କାମ) ପାଉନାହାନ୍ତି ! ଅଥଚ ସେ ସବୁ କମ୍ପାନୀମାନଙ୍କ ପାଇଁ ଆମ ରାଜ୍ୟର ବହୁତ ଆର୍ଥିକ କ୍ଷତି ହେଉଛି ସାଧାରଣ ଲୋକଙ୍କ ଧନରୁ ଧନୀ ଲୋକଙ୍କୁ ଦେଇ ଲୋକଙ୍କ ତ୍ୟାଗ ଉପରେ ଅଶେଷ ବୋଝ ଲଦାଯାଉଛି ।”

 

“ତାର ପ୍ରମାଣ ସ୍ୱରୂପ, ଏଣେ ରାଜସ୍ୱ ବୃଦ୍ଧି ପାଇଁ ଆଳୁ, ପିଆଜ, ଜାଳେଣି କାଠ, ମୁଗ, ବିରି, ତେଲ ଉପରେ ନୂଆ ବିକ୍ରିକର ବଢ଼ି ଚାଲିଛି ।”

 

ସୁଦୀର୍ଘ ଅର୍ଦ୍ଧ ଶତାବ୍ଦୀ ପୂର୍ବେ ପ୍ରାଣନାଥ ବିଧାନସଭାରେ ଓଡ଼ିଶାର ବନ୍ୟା ପ୍ରତିକାର ସମ୍ପର୍କରେ ମତାମତ ଉପସ୍ଥାପିତ କରି କହିଥିଲେ ଯେ,“ବନ୍ୟାର ନିୟନ୍ତ୍ରଣ ସରକାରଙ୍କର ପ୍ରଥମ କର୍ତ୍ତବ୍ୟ । ଏହାକୁ ଜାତୀୟ ଯୋଜନା ହିସାବରେ ପ୍ରଥମ ସ୍ଥାନ ଦେବା କଥା । ବିଗତ ବାରବର୍ଷ ଭିତରେ ଆଉ କୌଣସି କମିଟି ବସିନାହିଁ । ଯାହା ଦେଖାଯାଉଛି, ପ୍ରତି ୫ ବର୍ଷରେ ଗୋଟିଏ ଗୋଟିଏ ବଡ଼ ବନ୍ୟା ହେଉଛି । ୫ ବର୍ଷ ତଳେ ଦଳେଇ ଘାଇ ଭାଙ୍ଗିଥିଲା । ବର୍ତ୍ତମାନ ପୁଣି ବଢ଼ି ହେଲା । ତା’ଛଡ଼ା ଛୋଟବଡ଼ ବଢ଼ିମାନ ଲାଗି ରହିଛି । ତେଣୁ ସରକାର ଯଦି ପ୍ରଥମେ ଏ ବଢ଼ିର ସ୍ଥାୟୀ ପ୍ରତିକାର ପାଇଁ ଦୃଷ୍ଟି ଦେଇଥାନ୍ତେ - ତେବେ ଏତେ ଜାତୀୟ ସମ୍ପତ୍ତି କ୍ଷତି ହୋଇନଥାନ୍ତା । ସରକାରଙ୍କ ଉଦାସୀନତା ଓ ଅପାରଗତା ଯୋଗୁଁ ଆଜି ପର୍ଯ୍ୟନ୍ତ ତାହା ହୋଇପାରିନାହିଁ । ବନ୍ୟାର କୌଣସି ସ୍ଥାୟୀ ଯୋଜନା ବ୍ୟବସ୍ଥା ନଥିବାରୁ କିମ୍ବା ଏକ୍ସପର୍ଟ କମିଟି ଯେଉଁ ସୁପାରିଶ କରୁଛନ୍ତି, ତାହାକୁ ପୁରାପୁରି କାର୍ଯ୍ୟକାରୀ ନକରି ଯେଉଁଟା ସୁଖ ଲାଗିଲା, ନିଜକୁ କରିବାକୁ ଯେଉଁଟା ସୁବିଧା ହେଲା, ଯେତେବେଳେ ଯାହା କରିବାକୁ ଇଣ୍ଟରେଷ୍ଟେଡ୍ ପାର୍ଟି କହିଲା, ତାକୁ କାର୍ଯ୍ୟକାରୀ କରୁଥିବାରୁ ଫଳରେ କ୍ଷତି ବେଶୀ ହେଉଛି । ଦୟା, ଭାର୍ଗବୀର ପାଣି ଯାହା ଚିଲିକାରେ ପଡ଼ୁଛି, ଭଲ ଭାବରେ ଖଲାସ ହୋଇପାରୁନଥିବାରୁ ନଦୀ କୂଳରେ ଥିବା ଗାଁ ସବୁରେ ବାରମ୍ବାର ବନ୍ଧ ଭାଙ୍ଗୁଛି । ତେଣୁ ଚିଲିକା ଜଳ ଯେଉଁ ବାଟଦେଇ ସମୁଦ୍ରକୁ ଯାଏ, ତାକୁ ଯଦି ଭଲକରି ପରିଷ୍କାର ଭାବେ ଖୋଳା ନଯାଏ, ନଦୀବନ୍ଧକୁ ସେ ଅନୁସାରେ ଉଚ୍ଚ କରାନଯାଏ, ତେବେ ଆହୁରି ବନ୍ୟା ସେ ଅଞ୍ଚଳରେ ହେବ - ଅର୍ଥାତ୍‍ ବନ୍ୟା ନଥିବା ଅଞ୍ଚଳରେ ଗୋଟିଏ କୃତ୍ରିମ ବନ୍ୟା ହେବ ।”

 

ପ୍ରାଣନାଥଙ୍କର ବିଧାନସଭା ସଦସ୍ୟତା ସମୟରେ ୧୯୬୦ ସେପ୍ଟେମ୍ବର ମାସର ଏକ ବିଶେଷ ଘଟଣା ହେଲା କେନ୍ଦୁଝର ବଡ଼ବିଲର ସିରାଜୁଦ୍ଦିନ ଖଣି ମାଲିକଙ୍କର ଗୁରୁଡ଼ା ଖଣି ଅଞ୍ଚଳରେ ଆଦିବାସୀ ଶ୍ରମିକମାନଙ୍କ ଉପରେ ଘଟିଥିବା ତଥା ଶ୍ରମିକମାନଙ୍କର ଝିଅ, ବୋହୂମାନଙ୍କ ଉପରେ ଘଟିଥିବା ପାଶବିକ ବର୍ବର ଅତ୍ୟାଚାରର ଘଟଣା, ଯାହାକୁ ପ୍ରାଣନାଥ ନିଜେ ପାଦରେ କିଛି ଅଞ୍ଚଳ ଚାଲିଚାଲି, ଗୁଣ୍ଡାମାନଙ୍କର ଅତ୍ୟାଚାର ବଳୟ ଭେଦ କରି, ଆଖିଦେଖା ଅଭିଜ୍ଞତା ପ୍ରେସ୍‍ ସମ୍ମିଳନୀରେ ବିବରଣୀ ଆକାରରେ ଦେଇ ଲେଖିଥିଲେ ଯେ, “ଗୁରୁଡ଼ାର ଖଣି ଅଞ୍ଚଳ ଆଜି ଜନମାନବ ଶୂନ୍ୟ ହୋଇଯାଇଛି ଏବଂ “ଦେଖଇ ନେତ୍ର ଯାହା ଚଉଦିଗରେ - ସେ ସର୍ବର ଅଟଇ ମୁଁ ଅଧିଶ୍ୱର” ରୀତିରେ ସିରାଜୁଦ୍ଦିନ ତା’ର ମୁଷ୍ଟିମେୟ ଭଡ଼ାଟିଆ ଓ ଦଲାଲ୍‍ମାନଙ୍କ ସହିତ ସେଠି ମହା ମଉଜରେ ଢେଙ୍କାନାଳି ଶାସନ ଚଳାଇ ଯାଉଛି ।”

 

ସ୍ତ୍ରୀ ଲୋକଙ୍କ ଉପରେ ପାଶବିକ ଅତ୍ୟାଚାରର ବର୍ଣ୍ଣନା କରି, ସେ ଲେଖିଥିଲେ,“ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ପରେ ମୋର ବିଶ୍ୱାସ ହେଉଛି ଯେ, ସ୍ତ୍ରୀ ଲୋକଙ୍କ ଉପରେ ସେଠାରେ ଯେଉଁ ପାଶବିକ ଅତ୍ୟାଚାର ହେଉଛି, ତାହା ଅକଥନୀୟ । ଯେଉଁଠି ସ୍ୱାମୀ ଗିରଫ ହୋଇ ଜେଲରେ ଅଛି (୮୦ ଜଣ ଶ୍ରମିକଙ୍କୁ ଏବଂ ଶ୍ରମିକ ନେତା ହରିବନ୍ଧୁ ବେହେରାଙ୍କୁ ପୋଲିସ ଗିରଫ କରିନେଇଥିଲେ), ସ୍ତ୍ରୀ ଏକାକୀ ରହିଛି, ଅଥବା କେଉଁଠି ଅବିବାହିତା ଆଦିବାସୀ ଝିଅମାନେ ରହିଛନ୍ତି, ସେଠାରେ ପୁଲିସ ଓ ମାଲିକର ଦଲାଲମାନେ ରାତି ଅଧରେ ସେମାନଙ୍କୁ ଜବରଦସ୍ତି ଟାଣିଦେଇ ପାଶବିକ ଅତ୍ୟାଚାର କରିଛନ୍ତି । କେତେକ ସ୍ତ୍ରୀଲୋକ ମୋତେ ଲିଖିତ ଷ୍ଟେଟମେଣ୍ଟ ବି ଦେଇଛନ୍ତି ।”

 

ତା.୨୪/୧୦/୧୯୬୦ ରିଖରୁ ଆରମ୍ଭ ହୋଇଥିବା ବିଧାନସଭା ଅଧିବେଶନରେ ପ୍ରାଣନାଥ ବଡ଼ବିଲ୍‍ରେ ସିରାଜୁଦ୍ଦିନ ମାଇନ୍ସରେ ଶ୍ରମିକମାନଙ୍କ ଉପରେ, ବିଶେଷକରି ନାରୀ (ଶ୍ରମିକ) ମାନଙ୍କ ଉପରେ ହୋଇଥିବା ବର୍ବର ଅତ୍ୟାଚାର ସମ୍ପର୍କରେ ଏକ ମୁଲତବି ପ୍ରସ୍ତାବ ଆଗତ କରିଥିଲେ । “ନୂଆଦୁନିଆ”ର ନଭେମ୍ବର ତା.୪ରିଖ ୧୯୬୦ ସଂସ୍କରଣରେ ପ୍ରକାଶିତ ହୋଇଥିଲା,“ସିରାଜୁଦ୍ଦିନ ଖଣିରେ ଶ୍ରମିକମାନଙ୍କ ଉପରେ ଅତ୍ୟାଚାର, ପୋଲିସର ଅପାରଗତା ସେଠାରେ ଶାନ୍ତି ଶୃଙ୍ଖଳା ରକ୍ଷାର ପ୍ରହସନ ସମ୍ବନ୍ଧରେ ପ୍ରାଣନାଥ ପଟ୍ଟନୟକଙ୍କର ମୁଲତବି ପ୍ରସ୍ତାବଟି ଅଗ୍ରାହ୍ୟ ହେଲା ସତ, ମାତ୍ର ଠିକ୍‍ ପରେ ପରେ ପ୍ରତ୍ୟକ୍ଷଦର୍ଶୀମାନଙ୍କର ବିବରଣୀ ଓ ନିର୍ଯାତିତା ଆଦିବାସୀ ରମଣୀମାନଙ୍କର କରୁଣ କାହାଣୀ ଦେଶବାସୀଏ ଶୁଣି, ଏ ସମ୍ପର୍କରେ ଖଣି ମାଲିକ ପ୍ରେମୀ ମୁଖ୍ୟମନ୍ତ୍ରୀ କି ପ୍ରକାର ବିଚାର ବିଭାଗୀୟ ତଦନ୍ତ କରାଇବେ, ତାହା ଦେଖିବାକୁ ଚାହିଁ ବସିଛନ୍ତି ।”

 

Unknown

ଚତୁର୍ଦ୍ଦଶ ଅଧ୍ୟାୟ

ଓଡ଼ିଆ ପ୍ରଗତିଶୀଳ ସାହିତ୍ୟକୁ ପ୍ରାଣନାଥଙ୍କ ଅବଦାନ

 

ପ୍ରାଣନାଥ ଏବଂ ତାଙ୍କର ପ୍ରଧାନ ସମଯୋଦ୍ଧା ସାଥୀ ଓ ଭଗବତୀଚରଣ ପାଣିଗ୍ରାହୀ, ଗୁରୁଚରଣ ପଟ୍ଟନାୟକ, ଅନନ୍ତ ପଟ୍ଟନାୟକ ତଥା ତାଙ୍କର ଅସଂଖ୍ୟ ସମଯୋଦ୍ଧା କମ୍ରେଡ୍‍ଗଣ, ସମସ୍ତେ ଗଭୀର ଭାବରେ ବିଶ୍ୱାସ କରୁଥିଲେ ଏବଂ ଆସ୍ଥା ସ୍ଥାପନ କରୁଥିଲେ ଯେ, “ସାହିତ୍ୟ ପାଇଁ ସାହିତ୍ୟ” ନୁହେଁ ସମାଜକୁ ପ୍ରଗତିପଥରେ ଆଗେଇ ନେବାପାଇଁ ପରିବର୍ତ୍ତନ କରିବା ପାଇଁ ସାହିତ୍ୟ ଏକ ଶାଣିତ ହତିଆର ।

 

୧୯୩୬ ମେ” ମାସରେ ନବଯୁଗ ସାହିତ୍ୟ ସଂସଦର ମୁଖପାତ୍ର “ଆଧୁନିକ” ପ୍ରକାଶ ପାଏ ଏବଂ ସେଥିରେ ସେହି ପ୍ରଥମ ସଂଖ୍ୟାରେ ପ୍ରକାଶ ପାଇଥିବା “ନିଜକଥା”ରେ ଭଗବତୀଚରଣ ପାଣିଗ୍ରାହୀ ଉଲ୍ଲେଖ କରିଥିଲେ, ଉଭୟ ଚିନ୍ତା-ରାଜ୍ୟରେ ଓ କର୍ମକ୍ଷେତ୍ରରେ ଏ ଯେଉଁ ବିପ୍ଳବର ସୂତ୍ରପାତ ହେଉଛି । ତାହା ଅଧିକାଂଶଙ୍କର ଅଗୋଚରରେ ହିଁ ହେଉଛି । ଜନସାଧାରଣଙ୍କୁ ଏ ଦିଗରେ ସଚେତନ କରିବା ଓ ତାହା ଗ୍ରହଣ କରିବା ଲାଗି ପ୍ରସ୍ତୁତ କରିବାକୁ ସଙ୍କେତ ଦେବା ଏହାର ଅଭିପ୍ରାୟ । ଏହି ପରିବର୍ତ୍ତନ ଅବଶ୍ୟ ଆସିବ । ସବୁ ଅବସ୍ଥାରେ ପ୍ରତିମୁହୂର୍ତ୍ତରେ ପରିବର୍ତ୍ତନର ଧାରା ପ୍ରବାହିତ ହେଉଛି । ଏହି ଧାରାର ସ୍ରୋତ କେତେବେଳେ ପ୍ରଖର ବା ଶିଥିଳ ଗତି ଧରିଛି । ଏହା ସାଧାରଣତଃ ଶିଥିଳ ଗତିରେ ପ୍ରବାହିତ ହେଉଥାଏ । ଶେଷରେ ଏପରି ଏକ ସମୟ ଆସେ ଯେତେବେଳେ ଦୁଇକୂଳ ଉଛୁଳି ଉଠେ । ଗତି ଅତ୍ୟନ୍ତ ପ୍ରଖର ହୁଏ, ସବୁ ବାଧାବନ୍ଧକୁ ଅତିକ୍ରମ କରି ଏହା ଚତୁର୍ଦ୍ଦିଗ ପ୍ଳାବିତ କରିଦିଏ । ଯୁଗ ପରିବର୍ତ୍ତନର ଏହି ମୁହୂର୍ତ୍ତ ବର୍ତ୍ତମାନ ଉପସ୍ଥିତ ।

 

ସେତେବେଳକୁ କଂଗ୍ରେସ ସାମ୍ୟବାଦୀ କର୍ମୀ ସଂଘ ତଥା ପରବର୍ତ୍ତୀ କାଳର କଂଗ୍ରେସ ସୋସାଲିଷ୍ଟ ପାର୍ଟି ଗଢ଼ାହୋଇ ସାରିଲାଣି । ସାହିତ୍ୟ ସମାଲୋଚକ ଓ ଗବେଷକ ଡକ୍ଟର ବିଜୟ କୁମାର ଶତପଥୀଙ୍କର ମତାମତ ପୂର୍ବରୁ ମଧ୍ୟ ଉଲ୍ଲେଖ କରିଛି ଯେ, “ଏକ ନବଯୁଗର ଆବାହନ ପାଇଁ ଯେଉଁ ବୌଦ୍ଧିକ ପ୍ରସ୍ତୁତି ୧୯୩୦ ମସିହା ପରେ ଓଡ଼ିଶାରେ ଆରମ୍ଭ ହୋଇଥିଲା, ତା’ର ଫଳଶ୍ରୂତି ଥିଲା ଯଥାର୍ଥରେ ଏହି “ସାରଥୀ” ପତ୍ରିକା । “ସାରଥୀ” ସାପ୍ତାହିକ ପତ୍ରିକା ଭାବରେ ୧୯୩୪ ମସିହା ମାର୍ଚ୍ଚ ମାସରୁ ପ୍ରକାଶିତ ହୁଏ । ଏହାର ପ୍ରଧାନ ସମ୍ପାଦକ ନବକୃଷ୍ଣ ଚୌଧୂରୀ ଥିଲେ ମଧ୍ୟ ସମ୍ପାଦକ ଭାବରେ ଶ୍ରୀମତୀ ମାଳତୀ ଚୌଧୂରୀ ବୋଲି ପ୍ରକାଶ ପାଇଥିଲା । କାରଣ, ବସ୍ତୁତଃ ତାଙ୍କରି ପ୍ରେରଣାରେ ତାଙ୍କର ଗହଣା-ଗାଣ୍ଠି ବିକା ଟଙ୍କାରେ “ସାରଥୀ”ର ମୁଦ୍ରଣ ସମ୍ଭବ ହୋଇଥିଲା ।

 

ପ୍ରାଣନାଥଙ୍କର ବହୁ ତତ୍ତ୍ୱ ଓ ତଥ୍ୟମୂଳକ ପ୍ରବନ୍ଧ “ସାରଥୀ” ପୃଷ୍ଠାରେ ଏପରିକି “କଂଗ୍ରେସ ସାମ୍ୟବାଦୀ କର୍ମୀ ସମ୍ମିଳନୀ” ଯାହା ୧୯୩୪ ଜୁନ୍‍ ମାସରେ ପ୍ରାଣନାଥଙ୍କର ସଭାପତିତ୍ୱରେ ଅନୁଷ୍ଠିତ ହୁଏ, ତାହା ପୂର୍ବରୁ ମଧ୍ୟ ପ୍ରାଣନାଥଙ୍କର ନିବନ୍ଧ “ସାରଥୀ” ପୃଷ୍ଠାରେ ମିଳେ । “ସାରଥୀ” ସାପ୍ତାହିକର ପ୍ରଥମ ବର୍ଷ ଷଷ୍ଠ ସଂଖ୍ୟା ଏପ୍ରିଲ ୧୬ ତାରିଖ ୧୯୩୪ ମସିହାରେ “ସମାଜରେ କାହାର ସ୍ଥାନ କେତେ ଉଚ୍ଚରେ ?” ପ୍ରାଣନାଥଙ୍କର ସାମ୍ୟବାଦୀ ତତ୍ତ୍ୱ ସନ୍ନିହିତ ପ୍ରବନ୍ଧ ପ୍ରକାଶ ପାଏ । ସମାଜବାଦୀ ସୋଭିଏତ୍‍ ଋଷରେ ସେତେବେଳେ ସଂଗଠିତ ହୋଇଥିବା କମ୍ୟୁନ ବା କୋଠଚାଷର ବୈଶିଷ୍ଟ୍ୟ ସମ୍ପର୍କରେ ତାହା ସମ୍ବବତଃ ପ୍ରଥମ ପ୍ରବଦ୍ଧ । ସେଥିରେ ସେ ଲେଖିଥିଲେ - “ଯେଉଁ ସମାଜରେ ସବୁଠାରୁ ମୂଲ୍ୟବାନ ବସ୍ତୁର ଅନାଦର ଏବଂ ସବୁଠାରୁ ଉପକାରୀ ଜାତି ଚାଷୀର ଅନାଦର - ସେ ସମାଜ କେତେ କାଳ ତିଷ୍ଠି ରହିପାରିବ ?” “ସମାଜବାଦୀ ସମାଜର ଚାଷୀ/କୃଷକର ସ୍ଥାନ ସବୁଠାରୁ ଉଚ୍ଚରେ ବୋଲି ପ୍ରତିପାଦିତ କରିବା ପାଇଁ ପ୍ରାବନ୍ଧିକ ପ୍ରାଣନାଥ ଲେଖିଥିଲେ - “ଜଗତରେ କେବଳ ଋଷରେ ସାମ୍ୟବାଦୀ ସରକାର ଅର୍ଥାତ୍‍ ମୂଲିଆ-ମଜଦୁର ସରକାର । ସେ ଦେଶରେ ଯେତେ ଜମି ଅଛି ସବୁତିକ ରାଜ୍ୟର ବୋଲି ଘୋଷଣା କରାଯାଇଛି । ଯେଉଁମାନେ ଚାଷ କରିବାକୁ ଇଚ୍ଛା କରନ୍ତି, ସେମାନେ ଗାଁ ଗାଁ ହୋଇ ଦଳବଦ୍ଧ ଭାବରେ ଚକଡ଼ା ଚକଡ଼ା କରି (କଲେକ୍ଟିଭ ଫାର୍ମ) ବୈଜ୍ଞାନିକ ଉପାୟରେ ଜମି ଚାଷ କରନ୍ତି । ହଳ ବଳଦଠାରୁ ଆରମ୍ଭ କରି ଯେତେ ଯାହା ଲୋଡ଼ା, ସେତେ ସରକାର ଯୋଗାଏ । କୃଷକମାନେ ଫସଲ ଆୟଦକରି ନିଜ ନିଜର ଯେତେ ଶସ୍ୟ ଆବଶ୍ୟକ, ସେତକ ରଖିନିଅନ୍ତି । ବାକୀ ବଳକା ଶସ୍ୟତକ ସରକାରଙ୍କୁ ଫେରାଇ ଦିଅନ୍ତି ।” ଏଥିରେ ଚାଷୀର ସ୍ଥାନ ସବା ଉଚ୍ଚରେ ବୋଲି ସେ ପ୍ରତିପାଦନ କରିଛନ୍ତି ।

 

ଏହାପୂର୍ବରୁ “ସାରଥୀ” ପତ୍ରିକାର ୧ମ ବର୍ଷ ୧୪ଶ ସଂଖ୍ୟା ଜୁନ୍‍ ତା, ୧୮ରିଖ ୧୯୩୪ ସଂଖ୍ୟାରେ ଜୁନ୍‍ ୧୭ତାରିଖରେ ଅନୁଷ୍ଠିତ ହୋଇଥିବା, “ଉତ୍କଳ ସାମ୍ୟବାଦୀ କର୍ମୀ ସମ୍ମିଳନୀ”ର ସଭାପତି ଭାବରେ ପ୍ରାଣନାଥଙ୍କର ଲିଖିତ ଅଭିଭାଷଣଟି ପ୍ରକାଶିତ ହୋଇଥିଲା । ଏହି ଅଭିଭାଷଣରେ ସେ କହିଥିଲେ, “ପୁଞ୍ଜିପତିମାନେ ଏକାଠି ମିଳି ବଡ଼ବଡ଼ ନଦୀ, ନାଳ, ବଣ, ଜଙ୍ଗଲ, ପର୍ବତ, ଆକାଶ, ପାତାଳ, ପୃଥିବୀ ସମସ୍ତ ଅଧିକାର କରି ନେଉଛନ୍ତି । ଯଦ୍ୱାରା କି ଅନ୍ୟମାନେ ସ୍ଥାନ ପାଇବେ ନାହିଁ । ସେହି ସବୁ ଜାତୀୟ ସମ୍ପତ୍ତି ଯଦି ଜାତି ତରଫରୁ ବ୍ୟବହୃତ ହୁଅନ୍ତା, ଜାତିର ବ୍ୟବସାୟରେ ଲାଗନ୍ତା, ତେବେ ମାନବ ଜାତି ପ୍ରଶସ୍ତ ଉନ୍ନତ ଓ ବିଶାଳ ହୁଅନ୍ତା । ବର୍ତ୍ତମାନ କିନ୍ତୁ ସବୁ ଲାଭତକ କେତେଜଣଙ୍କ ଘରକୁ ଯାଉଛି ।”

 

“ସାରଥୀ”ର ୧ମ ବର୍ଷ ୧୫ଶ ସଂଖ୍ୟା ଜୁଲାଇ ତା.୨ରିଖ ୧୯୩୪ ମସିହାରେ, ପ୍ରାଣନାଥଙ୍କର ଅନ୍ୟ ଏକ ପ୍ରବନ୍ଧ “ଆମ ଦେଶ ଜଗତରୁ ବାହାରେ ନୁହେଁ”ରେ ସେ ଆର୍ନ୍ତଜାତିକ ସ୍ତରର ତତ୍କାଳର ମାନ୍ଦା ଅର୍ଥନୀତି ପୃଥିବୀର ଅନ୍ୟାନ୍ୟ ଦେଶ ସହିତ ଆମ ଦେଶକୁ ମଧ୍ୟ ପ୍ରଭାବିତ କରୁଛି ବୋଲି ସୂଚନା ଦେଇ ଚମତ୍କାର ଭାଷାରେ ଲେଖିଛନ୍ତି ଯେ,“ଆମ ଘର ବାରି ବାଇଗଣ, ଖଜୁରୀ କୋଳି, ନଡ଼ିଆ ଚଅଁର ସବୁ ଯେ ଆମେରିକା, ଜର୍ମାନୀ, ଇଂଲଣ୍ଡ ବଜାରର ଦରଦାମ ଅନୁସାରେ ମୂଲ୍ୟ ହୁଏ - ଏକଥା ଭାବିଲେ ଚାଲିବ ନାହିଁ । ତେଣୁ ଭାରତର ଅବସ୍ଥା ବଡ଼ ବଡ଼ ଧନୀ ଓ ବଡ଼ ବଡ଼ ବ୍ୟବସାୟୀମାନେ ନିଜର ସ୍ୱାର୍ଥ ଏବଂ ସୁବିଧା ପାଇଁ ହାତରେ ରଖି ଚଳାଉଛନ୍ତି । ଆମକୁ ତଦନୁସାରେ କାଠ ପିତୁଳା ଭଳି ନାଚିବାକୁ ପଡ଼ୁଛି ଓ ପଡ଼ୁଥିବ । ସ୍ୱଳ୍ପକାଳ ବଞ୍ଚିଥିବା “ସାରଥୀ” ବ୍ୟତୀତ ସେହି ସମୟରେ ପ୍ରାଣନାଥଙ୍କର ବହୁ ନିବନ୍ଧ ମିଳେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ସମ୍ପାଦିତ ମାସିକ “ନବଭାରତ”ରେ ।”

 

“ନବଭାରତ” ପତ୍ରିକାଗୁଡ଼ିକର ପୁରୁଣା ସଂଖ୍ୟାମାଙ୍କରୁ ଆମେ ପ୍ରାଣନାଥଙ୍କର ନିମ୍ନୋକ୍ତ ଲେଖାଗୁଡ଼ିକ ପାଉ । ନବଭାରତରେ ୧୩୪୨ ସାଲ ମେଷ ମାସର ସଂଖ୍ୟାରେ (ଏପ୍ରିଲ-ମେ ୧୯୩୬ରେ “ସାମ୍ୟବାଦୀ ରୁଷ୍‍-ଅନ୍ଧାର ଅତୀତ” “ମକର : ୧୩୪୨ (ଆଶ୍ଵିନ-କାର୍ତ୍ତିକ) ୧୩୩୬ ଅକ୍ଟୋବର- ନଭେମ୍ବର ସଂଖ୍ୟାରେ “ଲୋକଶକ୍ତି ଏବଂ ରାଜନୀତି” “କନ୍ୟା : ୧୩୪୨ ସଂଖ୍ୟାରେ ପ୍ରକାଶିତ ହୋଇଛି “ସାମ୍ୟବାଦ-କାଳ୍ପନିକ ନାଁ ବୈଜ୍ଞାନିକ”, ନବଭାରତ ତୁଳା ୧୩୪୨: (୧୩୩୬/୩୭ ସେପ୍ଟେମ୍ବର/ଅକ୍ଟୋବର) ସଂଖ୍ୟାରେ ପ୍ରକାଶ ପାଇଛି, ପ୍ରାଣନାଥଙ୍କର ନିବନ୍ଧ “ସମାଜ ପ୍ରଗତି”, ନବଭାରତର ମେଷ ୧୩୪୩: ସଂଖ୍ୟାରେ (ବୈଶାଖ, ୧୯୩୩) ପ୍ରକାଶ ପାଇଥିଲା ତାଙ୍କର ନିବନ୍ଧ “ଅର୍ନ୍ତରାଷ୍ଟ୍ରୀୟ ରାଜନୀତିରେ ବ୍ରିଟେନର ନୀତି ଓ ଗତି” ସେହିପରି ୧୩୪୩: କକଡ଼ା, ମାସର (ଶ୍ରାବଣ/ଜୁଲାଇ-ଅଗଷ୍ଟ)ରେ ପ୍ରକାଶ ପାଇଥିଲା, “ଲୋକ ପ୍ରତିନିଧି ସଭା ପାଇଁ ଦଳ ଗଠନ” “ଶୀର୍ଷକ ପ୍ରବନ୍ଧ । “ନବଭାରତ” ବା “ସାରଥୀ” ବ୍ୟତୀତ ପ୍ରାଣନାଥଙ୍କ ବହୁ ଲେଖା “ମୁକ୍ତିଯୁଦ୍ଧ”, “କୃଷକ” (କଂଗ୍ରେସ ସୋସାଲିଷ୍ଟ ପାର୍ଟିର ମୁଖପତ୍ର ଏବଂ ପରେ ପ୍ରଜା-ସୋସାଲିଷ୍ଟ ପାର୍ଟିର ମୁଖପତ୍ର) ଆଦିରେ ପ୍ରକଶ ପାଇଥିଲା ଏବଂ ଏହି ପ୍ରବନ୍ଧଗୁଡ଼ିକ ଆନ୍ତର୍ଜାତିୟ ତଥା ଜାତୀୟ ଅର୍ଥନୀତି, ସମାଜନୀତି, ରାଜନୀତି ସମ୍ପର୍କରେ ତାଙ୍କର ଗଭୀର ମନନଶୀଳତା ଓ ଅଧ୍ୟୟନ ପ୍ରତିପାଦିତ କରେ ।

 

“ଦ୍ଵନ୍ଦାତ୍ମକ ଓ ଐତିହାସିକ ବସ୍ତୁବାଦ” “(Dilectic & Historical meterialism)ର ଛାତ୍ର ପ୍ରାଣନାଥ ତାଙ୍କର “ଲୋକଶକ୍ତି ଓ ରାଜନୀତି” ପ୍ରବନ୍ଧରେ (ମକର : ୧୩୪୨ ଜାନୁୟାରୀ-ଫେବୃୟାରୀ ୧୯୩୫) ନବଭାରତରେ ଲେଖିଛନ୍ତି ଯେ,“ଅତୀତର ବାସ୍ତବିକତା ବର୍ଣ୍ଣନାରେ ହିଁ କେବଳ ଇତିହାସର ପୂର୍ଣ୍ଣତା ଫୁଟେନାହିଁ - ମାନବ ପ୍ରକୃତିର ଭାବୀ ଅସ୍ପଷ୍ଟ ଚିନ୍ତା ଏବଂ କାର୍ଯ୍ୟଧାରାକୁ ସ୍ପଷ୍ଟ ରୂପ ଦେବାରେ ହିଁ ଇତିହାସର ବାସ୍ତବିକ ରମଣୀୟତା ଫୁଟିଉଠେ । ଯେ କୌଣସି ଦେଶର ଇତିବୃତ୍ତ ଗବେଷଣା କଲେ ଦେଖାଯିବ ଯେ, ସ୍ପଷ୍ଟ ବା ଅସ୍ପଷ୍ଟ ରୂପରେ ହେଉ, ମାନବ ସମାଜରେ ଏକ ନୀତି ଏବଂ ଏକ ପ୍ରବୃତ୍ତି ବିଶେଷରୂପେ କାର୍ଯ୍ୟ କରୁଅଛି । ଅର୍ଥନୀତି ହିଁ ପ୍ରତ୍ୟେକ ଯୁଗରେ ଏବଂ ପ୍ରତ୍ୟେକ କ୍ଷେତ୍ରରେ ପ୍ରାଧାନ୍ୟ ଲାଭ କରିଚାଲିଛି । ଏହି ଅର୍ଥନୀତି ପଛରେ ଶ୍ରେଣୀ ସଂଘର୍ଷ ପ୍ରକାଶ୍ୟ ଭାବରେ ବା ଚୋରୀ ଛପା ଭାବରେ ନିଶ୍ଚୟ ନାଁ ରହିଛି । ଏହି ଶ୍ରେଣୀ ସଂଘର୍ଷ ରାଜନୀତିର ଧାରା ଚଳାଇ ଚାଲିଛି । ଲୋକଶକ୍ତି ହିଁ ସେହି ରାଜନୀତିକୁ ଜନ୍ମ ଦେଇଛି ଏବଂ ଲାଲନପାଳନ କରି ବଢ଼ାଇଛି ଏବଂ ସେହି ରାଜନୀତି ସେହି ସମାଜର ପରିପୁଷ୍ଟକାରୀ ଅଙ୍ଗ - ଶିକ୍ଷା, ସାହିତ୍ୟ, କଳା, ସଂସ୍କୃତି, ସଙ୍ଗୀତ, ସଂସ୍କାର, ଏପରିକି ଭୂଗୋଳ, ଖଗୋଳ, ଗଣିତ, ବିଜ୍ଞାନର ଗତିଧାରା ନିୟନ୍ତ୍ରିତ କରି ଚାଲିଛି ।”

 

“ଆଧୁନିକ” ପ୍ରକାଶ ପାଇବା ପୂର୍ବରୁ ୧୯୩୫ ସେପ୍ଟେମ୍ବର/ଅକ୍ଟୋବର ମାସ, “ନବଭାରତ” ୧୩୪୨ କନ୍ୟା (ଭାଦ୍ରବ-ଆଶ୍ୱିନ) ସଂଖ୍ୟାରେ ପ୍ରକାଶିତ ତାଙ୍କର ପ୍ରବନ୍ଧ “ସାମ୍ୟବାଦ-କାଳ୍ପନିକ ନା ବୈଜ୍ଞାନିକ” ଆଜି ମଧ୍ୟ ନିଜର ଉପଯୋଗୀତା ହରାଇନାହିଁ । ସେଥିରେ ପ୍ରାଣନାଥ ଆରମ୍ଭ କରିଥିଲେ,“ସାମ୍ୟବାଦ” ଶବ୍ଦ ଆଜିକାଲି ଏତେ ପ୍ରଚଳିତ ଯେ ଅନେକ ଲୋକ ତାକୁ ନିଜ ଇଚ୍ଛା ଓ ଅବସ୍ଥାନୁସାରେ ଅର୍ଥ କରିନିଅନ୍ତି । ଏବଂ ସାମ୍ୟବାଦ ନାମ ଉଚ୍ଚାରିବା ଏବଂ ନିଜକୁ ସାମ୍ୟବାଦୀ ବୋଲି ପରିଚୟ ଦିଆଯିବା କଥାଟା ଆଜିକାଲି ଗୋଟାଏ ଫେଶନ ହୋଇପଡ଼ିଛି ।” ସାମ୍ୟବାଦ ଶଦ୍ଦର ଅର୍ଥ “ଆର୍ଥିକ ସମତା’ - ଅର୍ଥାତ୍ ସାମଜ ମଧ୍ୟରେ ସମସ୍ତଙ୍କର ସମାନ ଆର୍ଥିକ ସୁବିଧା ରହିବା ଆବଶ୍ୟକ । ଏ ଭାବଟା କେତେକ ଧନୀ ଜମିଦାରଙ୍କୁ ଯୁଗେ ଯୁଗେ ଅସମ୍ଭବ ଏବଂ କାଳ୍ପନିକ ପରି ଜଣାପଡ଼ୁଛି । ଏ ଦୁନିଆ ଏତେ ଦୂରେ ଆଗେଇ ଗଲେ ସୁଦ୍ଧା ଆଜି ବି ସେମାନଙ୍କୁ ସେହିପରି ଜଣାପଡ଼ୁଛି । ଆହୁରି ମଧ୍ୟ ସମାଜ ମଧ୍ୟରେ ଏହି ଆର୍ଥିକ ସୁବିଧା ପାଇବାର ରାସ୍ତା ଦେଖାଇବାକୁ ଯାଇ କିଏ କେତେ ପ୍ରକାରେ ପ୍ରକୃତ ରାସ୍ତା ଭୁଲି କାଳ୍ପନିକ ରାସ୍ତା ଦେଖାଇ ଲୋକମାନଙ୍କୁ ଭୁଲ ରାସ୍ତାରେ ଚଳାଇ ସାମ୍ୟବାଦ ପ୍ରତିଷ୍ଠାକୁ ଅସମ୍ଭବ ଓ କାଳ୍ପନିକ କରାଇ ଦେଇଛନ୍ତି ।”

 

“ନବଭାରତ”ର ତୁଳା ୧୩୪୨ ସଂଖ୍ୟା - (୧୯୩୫/୩୬, ଅକ୍ଟୋବର-ନଭେମ୍ବର)ରେ ପ୍ରାଣନାଥଙ୍କର ଚମତ୍କାର ନିବନ୍ଧ “ସମାଜ ପ୍ରଗତି” ପ୍ରକାଶ ପାଇଥିଲା । ଉକ୍ତ ନିବନ୍ଧରେ ପ୍ରାଣନାଥ ସମାଜର ସବୁ କ୍ଷେତ୍ରରେ ପରିସ୍ଫୁଟ ହେଉଥିବା ଦ୍ୱନ୍ଦ୍ୱ ବା ବୈପରିତ୍ୟର କଥା ବର୍ଣ୍ଣନା କରି ସମାଜର ପ୍ରଗତିର ବାସ୍ତବ ସ୍ଥିତି ଓ ଦୁଃସ୍ଥିତିର କଥା ଉଲ୍ଲେଖ କରି କହିଛନ୍ତି ଯେ, “ଆଜିର ମନୁଷ୍ୟ ସମାଜ ଯେତେଦୂର ବିଶାଳ, ସେତେଦୂର ସଂକୀର୍ଣ୍ଣ; ଯେତେ ଉନ୍ନତ ତତୋଧିକ ଅବନତ; ଯେତେଦୂର ମାନବିକତାମୟ, ତତୋଧିକ ପାଶବିକତାପୂର୍ଣ୍ଣ; ସମାଜର ରକ୍ଷାକାରୀ ରାଜନୈତିକ ଓ ଆର୍ଥିକ କ୍ଷେତ୍ର ଯେତେଦୂର ସରଳ ତତୋଧିକ ପାଗଳତାପୂର୍ଣ୍ଣ; ଯେତେଦୂର ଆଦର୍ଶମୟ ତତୋଧିକ ଘୃଣାବ୍ୟଞ୍ଜକ; ଯେତେଦୂର ଆଶାପୂର୍ଣ୍ଣ ତତୋଧିକ ନୈରାଶ୍ୟମୟ ହୋଇପଡ଼ିଛି ।” “ଯେଉଁ ସମାଜରେ ଯେ ଯେତେ ଟଙ୍କା ଗରୀବ ନିରୀହ କୃଷକଙ୍କଠାରୁ ଆଦାୟ କରି ସବୁଠାରୁ କମ ପେସ୍‍କିସ୍‍ ଦେଇପାରେ ସେ ସେତେବଡ଼ ଜମିଦାର ; ଯେଉଁ ସମାଜରେ ଯେ ଯେତେ ଲାଲ ଆଖି ଦେଖାଇ ଓ ସଙ୍ଗୀନ ମୁନ ଚଢ଼ାଇ ଯେତେବେଶୀ ଲୋକଙ୍କୁ କର କବଳିତ କରିପାରେ ସେ ସେତେବଡ଼ ରାଜା ; ଯେଉଁ ସମାଜରେ ଯେ ଯେତେ ଲୋକଙ୍କ ତଣ୍ଟିଚିପି ଧନ ଜମାଇ ପାରେ ସେ ସେତେ ବଡ଼ ଲୋକ ଓ ତାହାର ବେଶୀ ଆଦର ଓ ଅଧିକାର - ସେ ସମାଜର ଆର୍ଥିକ ପ୍ରଗତି କେଉଁଠାରେ ? ଯେଉଁ ସମାଜରେ ଶିକ୍ଷା ଓ ସ୍ୱାସ୍ଥ୍ୟ କାଳେ ଅଧିକ ଦୂର ପଳାଇଗଲେ ଧରିହେବ ନାହିଁ ବୋଲି ଦଉଡ଼ି ଲଗାଇ ଛଡ଼ାଯାଏ । ଶତକଡ଼ା ୬/୭ ଶିକ୍ଷିତ ଏବଂ ଜଣପ୍ରତି ଟ. o୧ - ୪(ପାଞ୍ଚଣା ଚାରିପାହୁଲା) ଖର୍ଚ୍ଚ ହୁଏ, ଯେଉଁ ସମାଜରେ ସ୍ୱାସ୍ଥ୍ୟ ପ୍ରାବଲ୍ୟ ଯୋଗୁଁ ଲୋକମାନଙ୍କର ହାରାହାରି ଜୀବନକାଳ ୨୩ ବର୍ଷ ୫/୮ ଦିନ । ଯେଉଁ ସମାଜରେ ଲୋକମାନଙ୍କୁ ଜଗି ରଖିବାକୁ ୩୫ କୋଟି ଲୋକଙ୍କ ପାଇଁ ୭୦ କୋଟି ଟଙ୍କା ଖର୍ଚ୍ଚ ହୁଏ, ସେ ସମାଜର ଉନ୍ନତି ତ “ଗାଁ ପରିମଳ ଧୋବା ତୁଠରୁ” ଜଣାପଡ଼େ ।”

 

ନିଜର ଜୀବଦ୍ଦଶାରେ ପ୍ରାଣନାଥ, କେବେହେଲେ ନିଜକୁ ସାହିତ୍ୟିକ, ପ୍ରାବନ୍ଧିକ ଭାବରେ ପ୍ରତିପାଦିତ କରିବାକୁ ଚେଷ୍ଟା କରିନାହାନ୍ତି । ମାର୍କ୍ସବାଦ, ସମାଜବାଦ ତରାଜୁରେ ବା କଷଟିପଥରରେ ସାହିତ୍ୟକୁ ତଉଲିବା, ପରୀକ୍ଷା କରି, ସମାଜବାଦୀ ବାସ୍ତବାନୁଗ ସାହିତ୍ୟ କ’ଣ ତାହା ଜଣେ ସାହିତ୍ୟ ଆଲୋଚକ/ସମାଲୋଚକ ଭାବରେ ପ୍ରତିପାଦିତ କରିବା ତାଙ୍କର କର୍ତ୍ତବ୍ୟ ବୋଲି ସେ ବିଚାରି ଥିଲେ ଏବଂ ସେହି ଦିଗରେ ହିଁ ତାଙ୍କର ଲେଖନୀ ସେ ନିୟୋଜିତ କରିଥିଲେ ।

 

ପ୍ରାଣନାଥଙ୍କର ସର୍ବଶ୍ରେଷ୍ଠ ସାହିତ୍ୟ ଆଲୋଚନାତ୍ମକ କୃତି “ଆସନ୍ତାକାଲିର ସାହିତ୍ୟ” ପୁସ୍ତକ ଯାହା ହିଁ କେବଳ ପୁସ୍ତକାକାରରେ ପ୍ରକାଶିତ ହୋଇଛି, ଏବଂ ତାହାର ପ୍ରଥମ ସଂସ୍କରଣ କଲିକତାରୁ ତାଙ୍କର ମୃତ୍ୟୁକାଳୀନ ଅସୁସ୍ଥାବସ୍ଥାରେ ୧୯୭୦ ବେଳକୁ ପ୍ରକାଶିତ କରାଇଥିଲେ । ପରବର୍ତ୍ତୀ କାଳରେ ୨୦୦୪ ମସିହାରେ “ବିଦ୍ୟାପୁରୀ” ପକ୍ଷରୁ ତାହାର ଦ୍ୱିତୀୟ ସଂସ୍କରଣ ପ୍ରକାଶ ପାଇଛି - ଯଦିଓ ଉକ୍ତ ଗ୍ରନ୍ଥରେ “ପ୍ରଥମ ପ୍ରକାଶ ୨ ଅକ୍ଟୋବର ୨୦୦୪” ବୋଲି ଲେଖାଯାଇଛି ।

 

ପ୍ରାଣନାଥଙ୍କର “ଆସନ୍ତା କାଲିର ସାହିତ୍ୟ” ଗ୍ରନ୍ଥ ସମ୍ଭବତଃ ଓଡ଼ିଶା ସାହିତ୍ୟ ସମୂହକୁ ମାର୍କ୍ସବାଦୀ/ବସ୍ତୁବାଦୀ ସାହିତ୍ୟରେ ମୂଲ୍ୟାଙ୍କନ କରାଯାଇ ମାର୍କ୍ସବାଦୀ - ପ୍ରଗତିଶୀଳ ସାହିତ୍ୟ କ’ଣ, ତାହା ସମ୍ପର୍କରେ ଓଡ଼ିଆ ଭାଷାରେ ଏକ ବିରଳ ପୁସ୍ତକ ।

 

“ଆସନ୍ତାକାଲିର ସାହିତ୍ୟ”ର ମୁଖବନ୍ଧରେ ପ୍ରାଣନାଥ ନିଜେ ଲେଖିଛନ୍ତି ଯେ “ଆସନ୍ତା କାଲିର ସାହିତ୍ୟ ହିଁ ପ୍ରଗତିଶୀଳ ସାହିତ୍ୟର ସ୍ୱରୂପ, ଯାହାକି ବିଗତକାଲିର ସାହିତ୍ୟ ଓ ଆଜିର ସାଧାରଣ ସାହିତ୍ୟଠାରୁ ସ୍ୱତନ୍ତ୍ର ଏବଂ ଆମ ସମାଜରେ ତାହାର ସ୍ୱତନ୍ତ୍ର ଭୂମିକା ଅଛି ।” ପୁନଶ୍ଚ ଉକ୍ତ ମୁଖବନ୍ଧରେ (ଯାହାକୁ ସେ “କୃତଜ୍ଞତା ଜ୍ଞାପନ” ଶୀର୍ଷକରେ ଲେଖିଛନ୍ତି) ପ୍ରାଣନାଥ ତାଙ୍କ ସାହିତ୍ୟ ସୃଷ୍ଟିରେ ଆଧ୍ୟେୟ ଭାବରେ ଉଲ୍ଲେଖ କରିଛନ୍ତି ଯେ, “ସାଧାରଣତଃ ଆମ ସାହିତ୍ୟିକମାନେ ସାହିତ୍ୟକୁ ସାଧାରଣ ଦୃଷ୍ଟିରେ ଦେଖିଥାନ୍ତି । ଯଦିଚ ତାହାର ଅର୍ନ୍ତନିହିତ ପ୍ରାଣକେନ୍ଦ୍ର ସମାଜରେ ଅନ୍ୟତ୍ର ରହିଛି । ତେଣୁ ତାହାକୁ ପ୍ରକଟ ନ କରିଥିବାରୁ ଏହି ଲେଖାଗୁଡ଼ିକ ସ୍ୱତଃ ଓ ସ୍ୱାଭାବିକ କୌତୁହୁଳ ସୃଷ୍ଟି କରିବାର କଥା । ଏ କ୍ଷେତ୍ରରେ ସାହିତ୍ୟର ପ୍ରାଣକେନ୍ଦ୍ର - ରାଜନୀତିକ, ସାମାଜିକ ଓ ଅର୍ଥନୀତିକ ବିଭାବକୁ ବିଶେଷ ଭାବରେ ବିଶ୍ଳେଷଣ ଓ ପ୍ରକଟନ କରାଯାଇଛି । ତାହା ହିଁ ଏହାର ବିଶେଷତ୍ୱ ।”

 

“ଆସନ୍ତାକାଲିର ସାହିତ୍ୟ”ରେ ସନ୍ନିବେଶିତ ନିବନ୍ଧ ଛଅଟି ୧୯୫୫ ମସିହାରେ ଧାରାବାହିକ ଭାବରେ କଲିକତାରୁ ତତ୍‍କାଳରେ ପ୍ରକାଶ ପାଉଥିବା ଏବଂ ବହୁଳ ପ୍ରସାରିତ ମାସିକ ସାହିତ୍ୟ ପତ୍ର “ଆସନ୍ତାକାଲି”ରେ ଧାରାବାହିକ ଭାବେ ପ୍ରକାଶ ପାଇଥିଲା । ପ୍ରାଣନାଥଙ୍କ ନିଜ ଭାଷାରେ ଏହି ପୁସ୍ତକର ଶେଷ ଦୁଇ ତିନୋଟି ଅଧ୍ୟାୟ ଯଥା “ଶ୍ରମ ହିଁ ସଂସ୍କୃତିର ମୂଳଭିତ୍ତି”, “କଳା ଓ ସାହିତ୍ୟର ମୌଳିକ ଉତ୍ସ” ତଥା “ଆଜିର ସାହିତ୍ୟର ବିଶ୍ୱଜନିତ ଆଭିମୁଖ୍ୟ” ଇତ୍ୟାଦି ସେ ରୋଗଶଯ୍ୟାରେ ଲେଖିଛନ୍ତି ।

 

ମାର୍କ୍ସବାଦୀ-ଲେନିନ୍‍ବାଦୀ ତତ୍ତ୍ୱରେ ପ୍ରଶିକ୍ଷିତ ଚିନ୍ତାନାୟକ ପ୍ରାଣନାଥ, ସାହିତ୍ୟକୁ ବିଶ୍ଳେଷଣ କରି ଦର୍ଶାଇଛନ୍ତି ଯେ, ମାର୍କ୍ସବାଦୀ ଚିନ୍ତନରେ “ଶ୍ରମ ହେଉଛି ସକଳ ସୃଷ୍ଟି, କଳା, ସ୍ଥାପତ୍ୟ, ସାହିତ୍ୟ ଆଦିର ମୂଳକଥା । ବିଭିନ୍ନ ସମାଜରେ ବିଦ୍ୟାମାନ ସଂସ୍କୃତି ଓ ସାହିତ୍ୟକୁ ସେ ଯୁଗରେ ଥିବା ଉତ୍ପାଦନ ପ୍ରଣାଳୀ ଓ ଉତ୍ପାଦନ ସମ୍ପର୍କ, ସମ୍ପୃକ୍ତ ସମାଜର ସମସ୍ତ ପ୍ରକାର ରାଜନୀତିକ ଅନୁଷ୍ଠାନ, କଳା, ସାହିତ୍ୟ ଓ ସଂସ୍କୃତିର ଜନ୍ମଦାତା ।” “ସାମାଜିକ ଉତ୍ପାଦନ ପଦ୍ଧତି ଓ ଉତ୍ପାଦନ ସମ୍ପର୍କ ସମ୍ପୃକ୍ତ ସମାଜର ସମସ୍ତ ପ୍ରକାର ରାଜନୈତିକ ଅନୁଷ୍ଠାନ, କଳା, ସାହିତ୍ୟ ଓ ସଂସ୍କୃତିର ଜନ୍ମଦାତା । ସେହି ଉତ୍ପାଦନ ପ୍ରଣାଳୀ ଆଦିମ କମ୍ୟୁନିଜିମ୍‍ ସମାଜରୁ ସମାଜବାଦୀ ସମାଜ ପର୍ଯ୍ୟନ୍ତ କ୍ରମଶଃ ବଢ଼ି ଚାଲିଛି । ସେହି ଦ୍ଵନ୍ଦବାଦ (Dilectics) ଦ୍ୱାରା ପ୍ରାଥାମିକ ସମାଜରୁ ସମାଜବାଦୀ ସମାଜ ପର୍ଯ୍ୟନ୍ତ ରାଜନୀତିକ ଅନୁଷ୍ଠାନ, କଳା, ସାହିତ୍ୟ ଓ ସଂସ୍କୃତି ଉତ୍ତରୋତ୍ତର ବୃଦ୍ଧି ପାଇଛି । ସାମାଜିକ ଉତ୍ପାଦନ କ୍ଷେତ୍ରରେ ଉପାଦନ ଯନ୍ତ୍ର ଓ ସାଧନ (ଜମି, ଭୂମି ଓ ଅନ୍ୟାନ୍ୟ ପ୍ରାକୃତିକ ସମ୍ପଦ) ଓ ତାହାର ବ୍ୟବହାରକାରୀ ଲୋକଙ୍କର ନିଜ ନିଜ ମଧ୍ୟରେ ଥିବା ସମ୍ପର୍କ ଏହି ଦ୍ଵନ୍ଦ୍ୱବାଦ ଦ୍ୱାରା ବଦଳୁଛି ।”

 

“ପ୍ରଭୁ-ଦାସ ସମାଜରୁ ସମାଜବାଦୀ ସମାଜ ପର୍ଯ୍ୟନ୍ତ ଏହି ସାମାଜିକ ଉତ୍ପାଦନ ପଦ୍ଧତି ଯେପରି ବଢ଼ି ବଢ଼ି ଶେଷରେ ସମାଜବାଦ ଅବସ୍ଥାରେ ଉତ୍ପାଦନ ଯନ୍ତ୍ର ଓ ସାଧନ ବ୍ୟକ୍ତିବିଶେଷ ଓ ଗୋଷ୍ଠୀ ବିଶେଷଙ୍କ ହାତରୁ ସମସ୍ତ ପ୍ରକାର ଗଣ ଅଧିକାରକୁ ଆସିଛି ଏବଂ ଉତ୍ପାଦନକାରୀ ଓ ଉତ୍ପାଦନ ଯନ୍ତ୍ରର ମାଲିକଙ୍କ ସମ୍ପର୍କ ଛିନ୍ନ ହୋଇଛି, ସେହିପରି କଳା, ସାହିତ୍ୟ, ସଂସ୍କୃତି ସେହି ଅନୁପାତରେ ବ୍ୟକ୍ତିବିଶେଷ ଓ ଗୋଷ୍ଠୀ ବିଶେଷଙ୍କ ହାତରୁ ଗଣ ହାତକୁ ଆସିଛି । ତେଣୁ ସମାଜବାଦୀ ସମାଜରେ ସମସ୍ତ ଉତ୍ପାଦନ ଯନ୍ତ୍ର ଓ ସାଧନର ମାଲିକ ଯେପରି ଜନସାଧାରଣ-କଳା, ସାହିତ୍ୟ, ସଂସ୍କୃତିର ମାଲିକ ସେହିପରି ଜନସାଧାରଣ । ବ୍ୟକ୍ତି ବା ଗୋଷ୍ଠୀବିଶେଷ ନୁହଁନ୍ତି । ତେଣୁ ସମାଜବାଦୀ ସମାଜର କଳା, ସାହିତ୍ୟ ଓ ସଂସ୍କୃତିର ରୂପରେଖ ଗଣକଳା, ଗଣସାହିତ୍ୟ ଓ ଗଣସଂସ୍କୃତି ଏଥିରେ ସନ୍ଦେହ ନାହିଁ ।

 

ଲେଖକ “ଆସନ୍ତା କାଲିର ସାହିତ୍ୟ”ରେ ରୂପ ନିର୍ଣ୍ଣୟ କରିବା ସଙ୍ଗେ ସଙ୍ଗେ ତାହାର କର୍ତ୍ତବ୍ୟ ନିର୍ଦ୍ଦେଶ କରି କହିଛନ୍ତି ଯେ -“ସମାଜର ଜନସାଧାରଣଙ୍କ ସୁଖ-ଦୁଃଖ, ଘାତ-ପ୍ରତିଘାତ, ପ୍ରାଣର ସ୍ପନ୍ଦନତା ଓ ଆବେଗକୁ ସାହିତ୍ୟ ନିଶ୍ଚୟ ବଳିଷ୍ଠ, ବେଗବାନ ରୂପ ଓ ଅଗ୍ରାଧିକାର ଦେବ ଏଥିରେ ସନ୍ଦେହ ନାହିଁ ଏବଂ ସାମାଜିକ ଅବସ୍ଥାର ନିଖୁଣ, ନିପୁଣ ସମ୍ବେଦନଶୀଳ, ଆଶାବାଦୀ ପ୍ରତିଛବି ଅଙ୍କନ କହିବ ଏକଥା ମଧ୍ୟ ସତ୍ୟ । ସାହିତ୍ୟ, ସମାଜର ଅଗ୍ରଦୂତ ଭାବରେ ସମାଜର ଏକ ସମୁଜ୍ଜ୍ୱଳ ଭବିଷ୍ୟତ ସୃଷ୍ଟି କରିବାରେ ସହାୟକ ହେବ । ସମାଜର ପଚା, ସଢ଼ା ଅଂଶ ଭାଙ୍ଗି ଓ ବଦଳାଇ ନୂତନ ସୁନ୍ଦର କର୍ମକୁଶଳ ସମାଜ ଗଢ଼ିବା ପାଇଁ ଜନସାଧାରଣଙ୍କର ଯେଉଁ ଅନ୍ତର୍ନିହିତ ଆଶା ଆକାଙ୍‍କ୍ଷା ପ୍ରକାଶ ପାଉଛି ତାକୁ ବାସ୍ତବ ରୂପ ଦେବାରେ ସାହିତ୍ୟ ଦିଗ ନିର୍ଣ୍ଣୟ କରିବ । ସାହିତ୍ୟ, ସାମନ୍ତବାଦୀ, ସଂକୀର୍ଣ୍ଣ ପୁଞ୍ଜିବାଦୀ, ନୂତନ-ଉପନିବେଶବାଦୀ, ଫାଶୀବାଦୀ ଓ ସାମ୍ରାଜ୍ୟବାଦୀ ଶୋଷଣ ଓ ଚିନ୍ତାଧାରା ବିରୋଧରେ ଅନବରତ ସଂଗ୍ରାମ ଚାଲୁ କରିବାରେ ବଳିଷ୍ଠ ପଦକ୍ଷେପ ନେବ । ଗଣତନ୍ତ୍ର, ସ୍ୱାଧୀନତା, ଜାତୀୟମୁକ୍ତି ଓ ବିଶ୍ୱଶାନ୍ତି ପ୍ରତିଷ୍ଠା ଦିଗରେ ସଠିକ ଚିନ୍ତାଧାରା ଓ କର୍ମଚାରୀ ଯୋଗାଇବାରେ ଛାମୁଆ ବାହିନୀର ମୁଖ୍ୟ ଭୂମିକା ନେବ । ସର୍ବୋପରି ମାର୍କ୍ସବାଦୀ ଦୃଷ୍ଟିକୋଣରୁ ଚିନ୍ତାଧାରା ଯୋଗାଇ ବୈଜ୍ଞାନିକ ସମାଜବାଦ ପ୍ରତିଷ୍ଠାର ପୁରୋଧା ହେବ-। ଏହା ହିଁ ଏକ ପ୍ରଗତିଶୀଳ ସାହିତ୍ୟ ରଚନାର ପ୍ରଧାନ ଓ ମୌଳିକ ବିଷୟବସ୍ତୁ ।

 

“ଆସନ୍ତା କାଲିର ସାହିତ୍ୟ”ରେ ସନ୍ନିବେଶିତ ପ୍ରବନ୍ଧଗୁଡ଼ିକ ବ୍ୟତୀତ, ପ୍ରାଣନାଥ ନିଜର କର୍ମମୟ ଜୀବନରୁ ସାମାନ୍ୟ ଅବସର ସମୟରେ ସାହିତ୍ୟ ଆଲୋଚନା କରିଛନ୍ତି ଏବଂ ତାଙ୍କ ନିକଟରେ ପଡ଼ିଥିବା ଖାତାମାନଙ୍କରେ ବିଭିନ୍ନ ସମୟରେ ଅଧା ବା ପୂର୍ଣ୍ଣ ଲେଖା ସବୁ ଲେଖିଥାନ୍ତି । ଓଡ଼ିଆ ସାହିତ୍ୟର ତଥା ବାମପନ୍ଥୀ କମ୍ୟୁନିଷ୍ଟ ଆନ୍ଦୋଳନର ଦୁର୍ଭାଗ୍ୟ ଯେ, ପ୍ରାଣନାଥ ଏବଂ ତାଙ୍କର ସମଯୋଦ୍ଧା ସାଥୀମାନେ ଯେଉଁ ସମସ୍ତ ସାହିତ୍ୟ/ଆଲୋଚନା ମାନ ସୃଷ୍ଟି କରିଥିଲେ, ଯେଉଁଗୁଡ଼ିକ ସମସାମୟିକ ପତ୍ରପତ୍ରିକାରେ ପ୍ରକାଶିତ ହୋଇଥିଲା, ସେଗୁଡ଼ିକ ମଧ୍ୟ ଅଦ୍ୟାବଧି ଏକତ୍ର ସଂକଳିତ ହୋଇନାହିଁ । ଫଳରେ ପରବର୍ତ୍ତୀ ପୀଢ଼ିର ପାଠକଗଣ, ଗବେଷକଗଣ ସେ ସମସ୍ତ ସୃଷ୍ଟିର ସୌରଭ ପ୍ରାପ୍ତିରୁ ବଞ୍ଚିତ ହେଉଛନ୍ତି । “ସାରଥୀ”, “ନବଭାରତ”, ମୁକ୍ତିଯୁଦ୍ଧ ନୂଆଦୁନିଆ, ସମାବେଶ ଆଦିର ବିଭିନ୍ନ ବାର୍ଷିକ ସଂଖ୍ୟାମାନଙ୍କରେ ପ୍ରାଣନାଥଙ୍କର ପ୍ରକାଶ ପାଇଥିବା ବହୁ ମୂଲ୍ୟବାନ ପ୍ରବନ୍ଧ ଯାହା ଗବେଷକମାନଙ୍କୁ ଖୋରାକ ଯୋଗାଉଛି ଏବଂ ତଥ୍ୟ ଦେଉଛି, ସେଗୁଡ଼ିକର ଏକତ୍ର ସଂକଳନ ପ୍ରକାଶ ପାଇନାହିଁ । ଏହା ହୁଏତ ବାମପନ୍ଥୀ ଆନ୍ଦୋଳନର ସବୁଠାରୁ ବଡ଼ ଦୁର୍ବଳତା - ମାତ୍ର ସମଗ୍ର ଓଡ଼ିଶା ଜାତି ମଧ୍ୟ ସେଗୁଡ଼ିକର ତତ୍ତ୍ୱ, ତଥ୍ୟ, ଆଲୋଚନାରୁ ବଞ୍ଚିତ ହେଉଛନ୍ତି । ସେହିପରି ଏକ ପ୍ରବନ୍ଧ କମ୍ୟୁନିଷ୍ଟ ପାଟିର ମୁଖପତ୍ର “ନୂଆଦୁନିଆ”ର ୫୦ ତମ ଭଗବତୀ ବିଶେଷାଙ୍କରେ “ବିସ୍ମୃତିର ଗର୍ଭରୁ” ଶୀର୍ଷକରେ ପ୍ରକାଶିତ ହୋଇଥିଲା କିମ୍ବା ଗଡ଼ଜାତ ପ୍ରଜା ଆନ୍ଦୋଳନରେ ଭଗବତୀଙ୍କ (କଂଗ୍ରେସ ସୋସାଲିଷ୍ଟ ପାର୍ଟି ଓ କମ୍ୟୁନିଷ୍ଟ ପାର୍ଟି) ନେତୃତ୍ୱରେ କମ୍ୟୁନିଷ୍ଟ ପାର୍ଟିର ଭୂମିକା ଉପରେ ତାଙ୍କର ତଥ୍ୟମୂଳକ ନିବନ୍ଧ “ସ୍ୱପ୍ନର ସାଫଲ୍ୟ” ଏବଂ ସେଇପରି ଅପ୍ରକାଶିତ ଏକ ପ୍ରବନ୍ଧ “ସାହିତ୍ୟରେ ମୂଲ୍ୟବୋଧ” ଆଦି ପୁସ୍ତକାକାରରେ ସଂକଳିତ ହୋଇନାହିଁ । ଏଠାରେ ତାଙ୍କର ସ୍ଵହସ୍ତରେ ଲିଖିତ “ସାହିତ୍ୟର ମୂଲ୍ୟବୋଧ” ଶୀର୍ଷକ ଅପୂର୍ଣ୍ଣ ପ୍ରବନ୍ଧର ଅଂଶ ପରବର୍ତ୍ତୀ ଅଧ୍ୟାୟରେ ପ୍ରାଣନାଥଙ୍କ ହସ୍ତାକ୍ଷରରେ ସନ୍ନିବେଶିତ କରୁଛୁ ।

 

ପ୍ରାଣନାଥଙ୍କର ସାହିତ୍ୟ କୀର୍ତ୍ତିର ଆଉ ଏକ ନିଦର୍ଶନ ହେଲା, ଚିନ୍ତାମଣି ମିଶ୍ରଙ୍କ ସମ୍ପାଦିତ “ନବଜୀବନ” ମାସିକ ପତ୍ରିକାରେ, ଆଦିବାସୀ ଜନଜୀବନ ଉପରେ ତାଙ୍କର ନିବନ୍ଧଗୁଡ଼ିକ-। ସେହି “ନବଜୀବନ”ର ୫ମ ବର୍ଷ ୭ମ ସଂଖ୍ୟା/୮ମ ସଂଖ୍ୟାରେ, କେନ୍ଦୁଝର ସୂୟା ମେଳିରେ ଧରଣୀଧରଙ୍କ ନେତୃତ୍ଵ ଏବଂ ପଣ୍ତିତ ଗୋଦାବରୀଶଙ୍କ କବିତା ଭିତ୍ତିରେ ତତ୍‍କାଳରେ କେନ୍ଦୁଝରରେ ଦେୱାନ ଥିବା ଫକୀର ମୋହନଙ୍କ ଚକ୍ରାନ୍ତ ଫଳରେ କିପରି ବିଦ୍ରୋହ ଧୂଳିସାତ୍ ହୋଇଯାଇଥିଲା, ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ପରେ ଡକ୍ଟର ମାୟାଧର ମାନସିଂ ଅଯଥାରେ ବାମପନ୍ଥୀ/କମ୍ୟୁନିଷ୍ଟ ଆଲୋଚକ ପ୍ରାଣନାଥଙ୍କୁ ତିକ୍ତ ସମାଲୋଚନା କରିଥିଲେ । ବସ୍ତୁତଃ ଭୂୟାଧରଣୀ ଯେ କେନ୍ଦୁଝରକୁ ମୁକ୍ତ କରିବା ପାଇଁ ବିଦ୍ରୋହ କରିଥିଲେ, ତାହା ଦୁର୍ଭାଗ୍ୟଜନକ ଭାବରେ ଇତିହାସର ଗୌରବ ବହନ କରିପାରିନାହିଁ । ପ୍ରାଣନାଥ ତାହା ହିଁ ଆଲୋଚନା କରି ଦର୍ଶାଇଥିଲେ । ତାହା ହିଁ ତାଙ୍କର ଅନ୍ୟତମ ଶ୍ରେଷ୍ଠ ଅବଦାନ ଯାହା ଅଦ୍ୟାବଧି ଅପ୍ରକାଶ୍ୟ ହୋଇ ରହିଛି ।

 

ପଞ୍ଚଦଶ ଅଧ୍ୟାୟ

ସାହିତ୍ୟର ମୂଲ୍ୟବୋଧ ମୂଲ୍ୟାୟନରେ ପ୍ରାଣନାଥ ଏବଂ ପ୍ରାଣନାଥନଙ୍କର ସାହିତ୍ୟପ୍ରୀତି

 

ସାହିତ୍ୟରେ ମୂଲ୍ୟବୋଧ ନିର୍ଣ୍ଣୟ କରିବା କଷ୍ଟକର ଯେତିକି ସହଜ ମଧ୍ୟ ସେତିକି । ସାହିତ୍ୟର ମୂଲ୍ୟବୋଧର ମୂଳସୂତ୍ର ହେଉଛି ତାହାର ପ୍ରଗତିଶୀଳ ସମାଜ ଗଠନ ଓ ଲୋକ କଲ୍ୟାଣ ସାଧନର ଭୂମିକା, ଯେଉଁ ସାହିତ୍ୟ ଯେତେ ପରିମାଣରେ ଏହି ଭୂମିକାର ପରିପୂରଣ କରେ ; ସେହି ସାହିତ୍ୟ ସେହି ପରିମାଣରେ ସାମାଜିକ ସାହିତ୍ୟ ବା ଲୋକ ସାହିତ୍ୟ ଭାବରେ ଆଦର ପାଏ ଓ ଯୁଗସାହିତ୍ୟ ଭାବରେ ଆଖ୍ୟାତ ହୁଏ । ତେଣୁ ଏହି ମୂଳସୂତ୍ର ବୁଝିପାରିଲେ ଯେ କୌଣସି ସ।ହିତ୍ୟ ପ୍ରଗତିଶୀଳ ବା ପ୍ରତିକ୍ରିୟାଶୀଳ ଅଥବା ମିଶ୍ରିତ ସାହିତ୍ୟ, ତାହା ସହଜରେ ଅନୁଭବୀୟ । “ସମାଜର ଏକ ନିର୍ଦ୍ଧିଷ୍ଟ ଅବସ୍ଥାରେ ସମ୍ପୃକ୍ତ ସମାଜକୁ ଚାଲୁ ରଖିବାକୁ ଚାହେଁ-କେତେକ ସମୟରେ ତାହାର ପରିବର୍ତ୍ତନ ଲୋଡ଼େ । ଅନ୍ୟ କେତେକ ସମୟରେ ମଧ୍ୟ ମିଶ୍ରିତ ସାହିତ୍ୟ ରୂପ ନିଏ । ତେଣୁ ତାହାରି ସ୍ଥାନ ବା ଆଦର ମଧ୍ୟ ତଦନୁରୂପ ହୁଏ । ଏହି ସମସ୍ତ ସାମାଜିକ ଅବସ୍ଥା ନିର୍ଣ୍ଣୟ ଓ ତହିଁରେ ସମ୍ପୃକ୍ତ ସାହିତ୍ୟର ଭୂମିକା ନିର୍ଣ୍ଣୟ ଉପରେ ସାହିତ୍ୟର ମୂଲ୍ୟବୋଧ ନିର୍ଣ୍ଣୟ କରେ । ଏହା ହିଁ ସାହିତ୍ୟର ମୂଲ୍ୟବୋଧ (ନିର୍ଣ୍ଣୟର) ମୁଖ୍ୟ ଉପାୟ । ସେହି ଦୃଷ୍ଟିରୁ ବିଚାର କଲେ ଏକ ହଜାର ବର୍ଷ ତଳର ଲିଖିତ ସାହିତ୍ୟ ଆଜିର ସାହିତ୍ୟ ସଙ୍ଗେ ସମାନ ହୋଇନପରେ; ମାତ୍ର ତାହା ଯଦି ତତ୍‍କାଳୀନ ସମାଜର ଅଗ୍ରଗତିରେ ସାହାଯ୍ୟ କରିଛି ଆଜିର ସମାଜର ଅଗ୍ରଗତିର ପ୍ରଶ୍ନ ନୁହେଁ-ଆଜିର ଲୋକ ଆବଶ୍ୟକତାଠାରୁ ବହୁ ପଛରେ ପଡ଼ିଲେ ମଧ୍ୟ ତତ୍‍କାଳୀନ ସମାଜର ଆଲୋକବର୍ତ୍ତିକା ରୂପେ କାମ କରିଛି ଓ ଆଦର ପାଇଛି ତେବେ ତାହା ନିଶ୍ଚୟ ପ୍ରଗତିଶୀଳ ସାହିତ୍ୟ ରୂପେ ଆଦର ପାଇବା ଏଥିରେ ସନ୍ଦେହ ନାହିଁ । ସେହି ଦୃଷ୍ଟିରୁ ଯେଉଁ ଅତୀତ ସାହିତ୍ୟ ଶହ ଶହ ବା ହଜାର ବର୍ଷତଳେ ଜନସାଧାରଣଙ୍କ ଉପରେ ରାଜାର ଜୁଲୁମ ବ୍ୟକ୍ତିଗତ ଅତ୍ୟାଚାର ଓ ଶୋଷଣକୁ ନିନ୍ଦା ଓ ନାପସନ୍ଦ କରିଛି ସାମାଜିକ ଅନ୍ୟାୟର ବିରୋଧ କରିଛି, ନୂତନ ସାମାଜିକ ଅବସ୍ଥାର ରୂପରେଖ ଦେଇଛି ତାହା ଆଜିର ସାହିତ୍ୟର ସମତୁଲ ନହେଲେ ମଧ୍ୟ ସେତେବେଳର ଅବସ୍ଥାକୁ ଚାହିଁ ନିଶ୍ଚୟ ପ୍ରଗତିଶୀଳ ଓ ଯୁଗେ ଯୁଗେ ସାହିତ୍ୟ କ୍ଷେତ୍ରରେ ଉଚ୍ଚଆସନ ପାଇବ ଏଥିରେ ସନ୍ଦେହ ନାହିଁ ।

 

ପ୍ରାଣନାଥ ନିଜ ହସ୍ତାକ୍ଷରରେ ଲେଖିଥିଲେ :

ପ୍ରାଣନାଥଙ୍କ ପାଇଁ “ସାହିତ୍ୟ କେବେହେଲେ ସାହିତ୍ୟ ପାଇଁ ନୁହେଁ” - “ଜୀବନ ପାଇଁ”, ମଣିଷ ପାଇଁ ବୋଲି ସେ ଦୃଢ଼ଭାବରେ ବିଚାର କରି, ସେଇ ଚିନ୍ତନକୁ ତାଙ୍କ ସମସାମୟିକ ତଥା ପ୍ରାଚୀନ ସାହିତ୍ୟ ମାନଙ୍କର ପ୍ରଚୁର ଉଦ୍ଧୃତ ଦେଇ ପ୍ରତିପାଦିତ କରିଛନ୍ତି । ପ୍ରାଣନାଥଙ୍କର ସାହିତ୍ୟ ଅଧ୍ୟୟନ ବା ସାହିତ୍ୟ ଚର୍ଚ୍ଚା କୃଷକ, ଚାଷୀ-ମୂଲିଆ-ମଜଦୂର ଆନ୍ଦୋଳନର ଚିନ୍ତନ ଠାରୁ ସ୍ୱତନ୍ତ୍ର ନଥିଲା । ଓଡ଼ିଆ ପ୍ରଗତିଶୀଳ ସାହିତ୍ୟର ମୂଲ୍ୟାୟନ ପାଇଁ, ଅବବୋଧ ପାଇଁ ତାଙ୍କର “ଆସନ୍ତା କାଲିର ସାହିତ୍ୟ” ହିଁ ଏକ ଶ୍ରେଷ୍ଠ କଷଟି ପଥର । ତାଙ୍କର ପରବର୍ତ୍ତୀ କାଳରେ ସାହିତ୍ୟର ମାର୍କ୍ସବାଦୀ ଅଧ୍ୟୟନ ତାଙ୍କର ସମସାମୟିକ ଭଗବତୀ, ଗୁରୁଚରଣଙ୍କ ବ୍ୟତୀତ ତାଙ୍କର ପରପୁରୁଷଙ୍କ ମଧ୍ୟରୁ କେହି କରିନାହାନ୍ତି ।

 

ନିଜକୁ ସାହିତ୍ୟକ ବୋଲି କେବେହେଲେ ଅଧିକାର ଦାବୀ କରିନଥିବା ପ୍ରାଣନାଥନଙ୍କର ସାହିତ୍ୟ, ସାହିତ୍ୟାନୁଷ୍ଠାନ ପ୍ରତି ଅନୁରାଗ ଅପରିସୀମ ଥିଲା । ଏବର ପ୍ରାଣନାଥ ତଥା ଅତୀତର ଖୋର୍ଦ୍ଧା କଲେଜରେ କଲେଜର ସାହିତ୍ୟ ପରିଷଦର ସାଧାରଣ ସଭା ବା ବାର୍ଷିକ ସଭା ଅନୁଷ୍ଠିତ ହେଲାବେଳେ ସାହିତ୍ୟିପ୍ରୀତି ଯୋଗୁଁ ପ୍ରାଣନାଥ ତାଙ୍କର ସମସ୍ତ ରାଜନୈତିକ ଦାୟୀତ୍ୱ ବା କର୍ମ ଛାଡ଼ି, ଉକ୍ତ ଛାତ୍ର ସତ୍ତାମାନଙ୍କରେ ଯୋଗ ଦିଅନ୍ତି ଏବଂ ଛାତ୍ରଛାତ୍ରୀ/ଅଧ୍ୟାପକ ଗଣଙ୍କୁ ବିସ୍ମିତ କରି ଆଲୋଚନାରେ ସାଧାରଣ ଦର୍ଶକ ଭାବରେ ଭାଗନେଇ ଆଲୋଚନା କରିଥାନ୍ତି-। ତାଙ୍କ ପରାମର୍ଶରେ ସାହିତ୍ୟର ପରିସର ବ୍ୟାପକ କରିବା ପାଇଁ, ସାହିତ୍ୟ ପରିଷଦ/ସାହିତ୍ୟ ସମାଜ ମାନଙ୍କର ବୈଠକ, କେବଳ କଲେଜ ପରିସରରେ ନୁହେଁ,କେବେ କେବେ ଜଟଣୀ ଠାରେ, କେବେ ଖୋର୍ଦ୍ଧା କ୍ଲବଠାରେ ଅନୁଷ୍ଠିତ ହୋଇଥିଲା, ସାର୍ବଜନୀନ ସାହିତ୍ୟ ସଭା ପରି ।

 

ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ମହାବିଦ୍ୟାଳୟରେ ସାହିତ୍ୟ, ପ୍ରବନ୍ଧ ପ୍ରତିଯୋଗିତା ପ୍ରାୟତଃ ହୋଇଥାଏ । ପ୍ରାଣନାଥଙ୍କ ପାରମର୍ଶ ଓ ଦିଗଦର୍ଶନରେ ଖୋର୍ଦ୍ଧା (ପ୍ରାଣନାଥ) କଲେଜରେ ଦ୍ୱିତୀୟ ବର୍ଷ (୧୯୬୦ ମସିହା) ପରଠାରୁ ଆନ୍ତଃ ମହାବିଦ୍ୟାଳୟ ପ୍ରବନ୍ଧ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥାଏ ଏବଂ ଏବର ବହୁ ବିଶିଷ୍ଟ ସାହିତ୍ୟିକ, ସମାଜସେବୀ, ଉକ୍ତ ପ୍ରବନ୍ଧ ପ୍ରତିଯୋଗୀତାରେ ଭାଗ ନେଇଥିବା ସ୍ୱୀକାର କରନ୍ତି । ସେଇଭଳି, ପ୍ରାଣନାଥଙ୍କ ନିର୍ଦ୍ଦେଶ ଓ ତତ୍ତ୍ୱାବଧାନରେ ଅଭାବ ସତ୍ତ୍ୱେ ଆର୍ଥିକ ସହାୟତାରେ ଆନ୍ତଃ ମହାବିଦ୍ୟାଳୟ ସଙ୍ଗୀତ ପ୍ରତିଯୋଗୀତା, ଆନ୍ତଃ ମହାବିଦ୍ୟାଳୟ ତର୍କ, ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ସଙ୍ଗଠିତ ହୋଇଥାଏ । ସାହିତ୍ୟ ଓ ସଂସ୍କୃତି ପ୍ରତି ତାଙ୍କର ଅପରିସୀମ ପ୍ରୀତି ଓ ଆଦର ଥିଲା ।

 

୧୯୬୯/୭୦ ମସିହାରେ ଖୋର୍ଦ୍ଧା କଲେଜର ଦଶବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରାଣନାଥ ନିର୍ଦ୍ଦେଶ ଦେଲେ ଏକ ଦଶବର୍ଷ ପୂର୍ତ୍ତି ସମାରୋହ କରିବା ପାଇଁ ଏବଂ ସେଥିପାଇଁ ଓଡ଼ିଶାର ବହୁ ପ୍ରାତଃ ସ୍ମରଣୀୟ ବରପୁତ୍ରମାନଙ୍କର ଜୀବନୀ ସଂକଳନ କରି ତଥା କଲେଜକୁ ରୂପଦେବାରେ ଖୋର୍ଦ୍ଧାର ଜନଗଣ ତଥା ତାଙ୍କ ସମଯୋଦ୍ଧା ସାଥୀମାନଙ୍କର ଅପରିମେୟ କଷ୍ଟସାଧ୍ୟ କାର୍ଯ୍ୟ ବର୍ଣ୍ଣନା କରି ଏକ ଇତିହାସ ସଂକଳିତ ଉକ୍ତ ସ୍ମରଣିକାରେ ପ୍ରକାଶ କରାଇବାକୁ । ଉକ୍ତ ପତ୍ରିକା ତାଙ୍କର ଲେଖା, ଓଡ଼ିଶାରେ ବୀର ବରପୁତ୍ର ବକ୍ସି ଜଗବନ୍ଧୁ, ଜୟୀରାଜଗୁରୁ, ପିଣ୍ଡିକି ବାହୁବଳେନ୍ଦ୍ର, କୃପାସିନ୍ଧୁ ପାଟଶାଣୀ, ତାପଙ୍ଗ ଦଳବେହେରା ଆଦିଙ୍କର ଜୀବନୀ ତଥା କଲେଜ ଗଠନର ଇତିହାସ ବହନ କରି ପ୍ରକାଶ ପାଇଲା ।

 

ସେହି ସମୟରେ ପ୍ରାଣନାଥ, ଭଗ୍ନ ଶରୀରରେ ମଧ୍ୟ ୧୯୬୮-୬୯ ପଡ଼ିଥିବା ମରୁଡ଼ିର ଦଶପଲା, ଗଣିଆ, ନୂଆଗାଁ ଆଦି ବ୍ୟାପକ ଅଞ୍ଚଳରେ ହୋଇଥିବା ଭୟାବହ ମରୁଡ଼ିରେ ଜନଗଣଙ୍କର ଅବସ୍ଥା ପର୍ଯ୍ୟବେକ୍ଷଣ କରିବାକୁ ସମସ୍ତଙ୍କ ବାରଣ ସତ୍ତ୍ୱେ ପ୍ରାୟ ଦୁଇଶହ କିଲୋମିଟର ପଦଯାତ୍ରା କରିଥିଲେ ଏବଂ ସେହି ପଦଯାତ୍ରା ସମୟରେ ମଧ୍ୟ ସେ ତାଙ୍କ ପ୍ରିୟ ସୃଷ୍ଟି କଲେଜ କଥା ନଭୁଲି ଗଞ୍ଜାମ ଜିଲ୍ଲାର ହୁମାର, ବୀରଭଦ୍ର ପଲେଇଙ୍କ ପୁତ୍ର ତାଙ୍କ ସାଥି ବିକ୍ରମ ପଲେଇଙ୍କ ପାଖରେ ପହଞ୍ଚି, କଲେଜର ଏକ ପ୍ରକୋଷ୍ଠ ବୀରଭଦ୍ର ପଲେଇଙ୍କ ନାମରେ ନାମିତ କରିବାକୁ ତାଙ୍କ ଠାରୁ ଦଶହଜାର ଟଙ୍କା ମାଗଣ କରି ଆଣିଥିଲେ ଏବଂ ସେଇ ସମୟରେ ଅକସ୍ମାତ ହେଉଥିବା ଝଡ଼ ବର୍ଷା ରାତିରେ ହୁମାର ବୀରଭଦ୍ର ହାଇସ୍କୁଲ ହଷ୍ଟେଲରେ ରହି, କଲେଜରେ ନବନିର୍ମିତ ବିଲଡିଂର ପ୍ରବେଶ ପଥରେ ଏକ କବିତାର ପଙ୍‍କ୍ତି ରଖିବାକୁ ମାର୍ବଲ ଫଳକ କରି ସେଥିରେ ଉତ୍‍କୀର୍ଣ୍ଣ କରିବାକୁ, ଲେଖକଙ୍କ (ମୋ) ନିକଟକୁ ଏକ ଇନ୍‍ଲାଣ୍ଡରେ ଲେଖି ପଠାଇଥିଲେ । ତାଙ୍କ ହସ୍ତାକ୍ଷରରେ ମୂଳପୃଷ୍ଠାରେ ଉକ୍ତ ପଙ୍‍କ୍ତିଟି ପ୍ରଦାନ କରୁଛୁ ।

 

 

 

 

ଉକ୍ତ ପଙ୍‍କ୍ତିଟି ହେଲା-

 

(ଖୋର୍ଦ୍ଧା କଲେଜର ପ୍ରବେଶ ପଥରେ ଥିବା କବିତାଟି ସ୍ୱର୍ଗତଃ ପଟ୍ଟନାୟକଙ୍କ ନିଜ ହସ୍ତାକ୍ଷରରେ ।)

 

ପ୍ରାଣନାଥ କଲେଜର ମୁଖ୍ୟ ପ୍ରବେଶ ପଥରେ ଏହି ପଙ୍‍କ୍ତିଟି ଉତ୍‍କୀର୍ଣ୍ଣ ହୋଇ ରହିଛି-

 

ଷୋଡ଼ଶ ଅଧ୍ୟାୟ

ପ୍ରାଣନାଥଙ୍କର ମାନସପୁତ୍ର ଖୋର୍ଦ୍ଧା ପ୍ରାଣନାଥ ମହାବିଦ୍ୟାଳୟ

 

ଖୋର୍ଦ୍ଧା ସେତେବେଳେ ପୁରୀ ଜିଲ୍ଲା ଭିତରେ ଗୋଟିଏ ଉପଜିଲ୍ଲା ବା ସବ୍‍ଡିଭିଜନ ଥିଲା । ସମଗ୍ର ପୁରୀଜିଲ୍ଲା, ଯାହା ସମ୍ପ୍ରତି ଖୋର୍ଦ୍ଧା ଓ ପୁରୀ ଭାବରେ ବିଭାଜିତ ହୋଇ ଦୁଇଟି ଜିଲ୍ଲାରେ ପରିଣତ ହୋଇଛି, ସେ ଭୂଖଣ୍ଡରେ ଉଚ୍ଚଶିକ୍ଷା ପାଇବା ପାଇଁ, ନୟାଗଡ଼/ଦଶପଲ୍ଲା, ବାହାଡ଼ାଝୋଲା ଠାରୁ, ଏପଟେ ବାଲୁଗାଁ/ବାଣପୁର ଟପି ଗଞ୍ଜାମ ସୀମାନ୍ତ ଧରି, ପୂର୍ବପଟେ ନିମାପଡ଼ା ଗୋପ କୋଣାର୍କ, ପୁରୀ ମହୋଦଧି ତଟ ପର୍ଯ୍ୟନ୍ତ ପରିବ୍ୟାପ୍ତ ଅଞ୍ଚଳରେ ପୁରୀର (ସାମନ୍ତ ଚନ୍ଦ୍ରଶେଖର କଲେଜ) ପୁରୀ କଲେଜ ହିଁ ଏକମାତ୍ର କଲେଜ ଥିଲା ।

 

ପୁରୀରୁ କଟକ ଆଡ଼େ ଆସିଲେ, କଟକ ରେଭେନ୍ସା କଲେଜ ଏବଂ ୧୯୪୩/୪୪ ମସିହାରୁ ସ୍ଥାପିତ ଖ୍ରୀଷ୍ଟ କଲେଜ ଓ ଷ୍ଟୁଆର୍ଟ ବିଜ୍ଞାନ କଲେଜ (ଘରୋଇ କଲେଜ) ଦୁଇଟି ଥିଲା । ଗଞ୍ଜାମ ଜିଲ୍ଲା ଯାହା ସ୍ୱାଧୀନତା ପୂର୍ବରୁ ମାନ୍ଦ୍ରାଜ ପ୍ରେସିଡେନ୍ସି ଅଧୀନରେ ଥିଲା, ସେ ଅଞ୍ଚଳରେ ରେଭେନ୍ସା କଲେଜ ଠାରୁ ମଧ୍ୟ ପୁରୁଣା, ଖଲ୍ଲିକୋଟ ରାଜାଙ୍କ ବଦାନ୍ୟତାରେ ନିର୍ମିତ ବ୍ରହ୍ମପୁରସ୍ଥ ଖଲ୍ଲିକୋଟ କଲେଜ ଚାଲୁଥିଲା ।

 

ସେତେବେଳର ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ସଂଖ୍ୟା ମଧ୍ୟ ବର୍ତ୍ତମାନର ସ୍ଥିତି ସହିତ ତୁଳନୀୟ ନୁହେଁ । ତଥାପି ଯେଉଁ ସଂଖ୍ୟକ ବାଳକ ବାଳିକା ମାଧ୍ୟମିକ ବିଦ୍ୟାଳୟ ଅତିକ୍ରମ କରିବାର ସୁଯୋଗ ପାଉଥିଲେ, ସେମାନଙ୍କ ପାଇଁ ଉଚ୍ଚଶିକ୍ଷା ପାଇବା ପ୍ରାୟତଃ ଅସମ୍ଭବ ଥିଲା । କାରଣ ଚାଷୀ, ନିମ୍ନମଧ୍ୟବିତ୍ତ ଘରର ପିଲାମାନଙ୍କୁ ଅର୍ଥଦେଇ ହଷ୍ଟେଲରେ ରଖାଇ, ସେ ଖର୍ଚ୍ଚ ତୁଲାଇ କଲେଜରେ ପଢ଼ାଇବା ଅତ୍ୟନ୍ତ ବ୍ୟୟସାପେକ୍ଷ ଓ କଷ୍ଟସାଧ୍ୟ ଥିଲା । ଦଶପଲ୍ଲା, ନୟାଗଡ଼, ଖୋର୍ଦ୍ଧା, ବାଣପୁର, ଚିଲିକା, ଭୁବନେଶ୍ଵର ଅଭ୍ୟନ୍ତର ଅଞ୍ଚଳରୁ ବିତ୍ତସମ୍ପନ୍ନ ପରିବାରର ବା ସରକାରୀ କର୍ମଚାରୀଙ୍କ ପୁଅମାନେ କଲେଜରେ ପଢ଼ିବାର ସ୍ୱପ୍ନକୁ ସାର୍ଥକ କରିପାରୁଥିଲେ । ଝିଅମାନଙ୍କ ପକ୍ଷରେ, ସେମାନେ ପୁରୀ ସହରର ନହୋଇଥିଲେ ଅନ୍ୟଆଡ଼ୁ ଆସି କଲେଜରେ ପଢ଼ିବା ସାତ ସାପନ ଥିଲା । ହଜାର ହଜାର ପିଲା ମାଟ୍ରିକର ଉର୍ଦ୍ଧ୍ୱକୁ ଶିକ୍ଷା ଲାଭ ପାଇଁ ଯାଇପାରୁନଥିଲେ ।

 

ଏହା ଫଳରେ, ଜନଗଣଙ୍କର ଭବିଷ୍ୟତ ବଂଶଧରଙ୍କୁ ଉଚ୍ଚଶିକ୍ଷା ଦେବାର ଅଭିଳାଷ, କ୍ରମଶଃ ଏକ ଆବେଗମୟ ଆନ୍ଦୋଳନରେ ସାରା ଖୋର୍ଦ୍ଧା ସରହଦ ବା ନିର୍ବାଚନ ମଣ୍ଡଳୀ ସାରା ଚରିବୁଲୁଥିଲା । ସେତେବେଳର ରାଜନୈତିକ -ଦଳ କହିଲେ କଂଗ୍ରେସ ଓ କମ୍ୟୁନିଷ୍ଟ ଦଳ ଏବଂ କଂଗ୍ରେସ ସମର୍ଥିତ ସ୍ୱାଧୀନ -ବିଶେଷକରି ବନମାଳୀ ପଟ୍ଟନାୟକ, ମାଧବ ଚନ୍ଦ୍ର ରାଉତରାୟ ଏବଂ ପ୍ରାଣନାଥ ପଟ୍ଟନାୟକମାନେ ହିଁ ଜନଗଣଙ୍କ ସମକ୍ଷରେ ଅଙ୍ଗୀକାରବଦ୍ଧତା ପ୍ରକଟ କରୁଥିଲେ, ଖୋର୍ଦ୍ଧାରେ କଲେଜଟିଏ କରିବା ପାଇଁ ।

 

ଏଥିପାଇଁ ଅତୀତରେ ବହୁ ଉଦ୍ୟମ ହୋଇ ଅର୍ଥ ସଂଗ୍ରହ ହୋଇଥିଲେ ମଧ୍ୟ ନାନା କାରଣରୁ ତାହା ସଫଳ ରୂପ ନେଇ ପ୍ରାଣନାଥ ଖୋର୍ଦ୍ଧାର ନବନିର୍ବାଚିତ ବିଧାୟକ ଭାବରେ ୧୫.୦୫.୫୭ ତାରିଖରେ, ଖୋର୍ଦ୍ଧାର ବିଶିଷ୍ଟ ଓକିଲ, ଡାକ୍ତର, ସମାଜସେବୀ, ରାଜନୈତିକ କର୍ମୀ, ବ୍ୟବସାୟୀ, ପ୍ରାକ୍ତନ ବିଧାୟକ, ସାମ୍ବାଦିକ, ପ୍ରଧାନ ଶିକ୍ଷକ, ବିଭିନ୍ନ ଅଞ୍ଚଳର ସରପଞ୍ଚମାନଙ୍କୁ ନେଇ ଏକ ବୈଠକ ଡାକି, ସେଥିରେ ପ୍ରସ୍ତାବିତ ଖୋର୍ଦ୍ଧା କଲେଜ କମିଟି ଗଠିତ କରାଇଥିଲେ ।

 

ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଛି ଯେ,“ଖୋର୍ଦ୍ଧା ଜନସାଧାରଣଙ୍କର ଏହି ପ୍ରତିନିଧିମୂଳକ ସଭା ଗଭୀର ଭାବରେ ଅନୁଭବ କରୁଛନ୍ତି ଯେ, ଖୋର୍ଦ୍ଧାରେ ଗୋଟିଏ କଲେଜ ନିତାନ୍ତ ଦରକାର । ଏତଦ୍ୱାରା ଖୋର୍ଦ୍ଧାବାସୀଙ୍କର ଶିକ୍ଷା ଓ ସଂସ୍କୃତି ଗତ ଅଭିବୃଦ୍ଧି ହେବ ଏବଂ ଯୁଗୋପଯୋଗୀ ଉଚ୍ଚଶିକ୍ଷା ପ୍ରାପ୍ତିର ପଥ ପରିଷ୍କାର କରିବ । ଅତୀତରେ ଏ ଦିଗରେ କେତେବାର ଚେଷ୍ଟା କରାଯାଇଛି । ସେହି ଅତୀତର ଶିକ୍ଷା ଓ ଅନୁଭୂତିକୁ ସମ୍ବଳକରି ଏହି ସଭା ପ୍ରସ୍ତାବ କରୁଅଛି ଯେ, ୧୯୫୮ ଜୁଲାଇ ମାସରେ ଖୋର୍ଦ୍ଧାରେ ଗୋଟିଏ କଲେଜ ପ୍ରତିଷ୍ଠା କରାଯାଉ ।”

 

ପରେ ପରେ ତା/୨୧.୦୫.୧୭ ରିଖରେ ଶ୍ରୀ ମାଧବ ରାଉତରାୟଙ୍କ ସଭାପତିତ୍ୱରେ ପ୍ରସ୍ତୁତି କମିଟି ବୈଠକ ବସି ନିଷ୍ପତ୍ତି ନେଇ, “ଏହି କମିଟି ସର୍ବସମ୍ମତିକ୍ରମେ ପ୍ରସ୍ତାବ କରୁଛନ୍ତି ଯେ, ନିମ୍ନଲିଖିତ କର୍ମକର୍ତ୍ତା ନିର୍ବାଚିତ ହୁଅନ୍ତୁ -ସଭାପତି : ଏସ୍‍ଡିଓ ଖୋର୍ଦ୍ଧା, ଉପ-ସଭାପତି : ଶ୍ରୀ ଗଙ୍ଗାଧର ପାଇକରାୟ, ସାଧାରଣ ସମ୍ପାଦକ : ଶ୍ରୀ ପ୍ରାଣନାଥ ପଟ୍ଟନାୟକ, ସହକାରୀ ସମ୍ପାଦକ ଚନ୍ଦ୍ର ରାଉତରାୟ, କୋଷାଧ୍ୟକ୍ଷ : ଡାକ୍ତର ପ୍ରାଣକୃଷ୍ଣ ମହାପାତ୍ର, ଶ୍ରୀ ଦିବ୍ୟସିଂହ ପଟ୍ଟନାୟକ ହିସାବ କିତାବ ଯାଞ୍ଚ କରିବେ ।”

 

କଲେଜ ଖୋଲିବା ପାଇଁ ସମସ୍ତ ପ୍ରସ୍ତୁତିପର୍ବ ସାରିଲା ପରେ, ଏପରିକି କେତେକ ଅଧ୍ୟାପକ/ଅଧ୍ୟକ୍ଷ ନିଯୁକ୍ତି ହେଲାପରେ ଶ୍ରେଣୀ ଆରମ୍ଭ କରିବାର ବିଜ୍ଞପ୍ତି ବଣ୍ଟାହେଲା । ଠିକ୍‍ ସେତିକିବେଳେ ଅକସ୍ମାତ୍‍ ରାଜ୍ୟ ସରକାରଙ୍କ ପକ୍ଷରୁ ବକ୍ସିଜଗବନ୍ଧୁ ବିଦ୍ୟାଧର ପରିସରରେ କଲେଜ ଖୋଲା ଯିବାକୁ ଅନୁମତି ଦିଆଯାଇପାରିବ ନାହିଁ ବୋଲି ଜଣାଇ ଦିଆଗଲା । ଖୋର୍ଦ୍ଧାବାସୀଙ୍କର ଅଭିମାନ ଭରା ଅଭିଯୋଗ ରାଜ୍ୟର ମୁଖ୍ୟମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଜଣାଗଲା । କାରଣ ସେହିବର୍ଷ ଖୋଲିଥିବା ଅଧିକାଂଶ କଲେଜ ପ୍ରଥମେ ସ୍କୁଲ ପରିସରରେ ଖୋଲାଯାଇ ପରେ ପରେ ନିକଟସ୍ଥ ବିଲ୍‍ଡିଂକୁ ସ୍ଥାନାନ୍ତରିତ ହୋଇଥିଲା । ମାତ୍ର, ବିରୋଧୀ ଦଳର ବିଧାୟକ ପ୍ରାଣନାଥଙ୍କ ଅଞ୍ଚଳ ବୋଲି ଖୋର୍ଦ୍ଧା ପାଇଁ ବିପରୀତ ଆଚରଣ କରାଗଲା । ଡକ୍ଟର ମହତାବଙ୍କର ତା.୧୯ ଜୁଲାଇ ୧୯୫୮ର ବା ୨୧ ଜୁଲାଇର ପତ୍ର “ନିର୍ଦ୍ଦେଶକଙ୍କୁ ଦୋଷ ଦେଇ ଲାଭାନାହିଁ-କଲେଜ ଖୋଲିବା ପାଇଁ ସ୍କୁଲ କାମରେ ବାଧା ସୃଷ୍ଟି କରାଯାଇ ପାରିବ ନାହିଁ-ଏଣୁ ଉଦ୍ୟମ କରି ଆସନ୍ତା ବର୍ଷ ଯଦି କଲେଜ ଖୋଲି ପାରିବା ସମ୍ଭବ ହେବ !” ପାଇଁ ପ୍ରସ୍ତୁତି କମିଟି ତଥା ଖୋର୍ଦ୍ଧାର ଅଧିବାସୀ ଜିଦ୍‍ରେ ବରୁଣେଇ ଟାଙ୍ଗରରେ ୭୫ ଏକର ଜମି ଲିଜ୍‍ ନେଇ କଲେଜର ନିଜସ୍ୱ ଗୃହ ନିର୍ମାଣ ଆରମ୍ଭ କଲେ ।

 

ରାଜ୍ୟସରକାରଙ୍କର ବିରୋଧିତା ସତ୍ତ୍ୱେ ପ୍ରାଣନାଥ ତାଙ୍କର ସହଯୋଗୀମାନଙ୍କ ସହିତ ବରୁଣେଇ ପାଦ ଦେଶରେ, ଏକଦା ପାଇକ ବିଦ୍ରୋହ ସଂଗ୍ରାମରେ, ଶତ ଶତ ପାଇକଙ୍କ ପଦପାତରେ ଖଡ୍‍ଗ ଝନତ୍‍କାରରେ ମୁଖରିତ ଟାଙ୍ଗରା କଙ୍କରିଳ ଭୂଇଁରେ, ଖୋର୍ଦ୍ଧା କଲେଜ ପ୍ରତିଷ୍ଠା କରାଇବା ପାଇଁ ସଂକଳ୍ପକରି ପ୍ରାଣନାଥଙ୍କର ଦୀକ୍ଷାଗୁରୁ ଲୋକସଭାରେ ତତ୍‍କାଳରେ କମ୍ୟୁନିଷ୍ଠ ଦଳପତି, ପ୍ରଧାନମନ୍ତ୍ରୀ ନେହେରୁଙ୍କର ଅକୃତ୍ରିମ ବନ୍ଧୁ, ସୁପ୍ରସିଦ୍ଧ ଐତିହାସିକ ପ୍ରଫେସର ହୀରେନ୍‍ ମୁଖର୍ଜୀଙ୍କ ଜରିଆରେ ସେତେବେଳର କେନ୍ଦ୍ରର ବୈଜ୍ଞାନିକ ବ୍ୟାପାର ବିଭାଗ ଏବଂ ସାଂସ୍କୃତିକ ସମ୍ପର୍କ ବିଭାଗ ରାଷ୍ଟ୍ରମନ୍ତ୍ରୀ ସୁପ୍ରସିଦ୍ଧ ଲେଖକ, ସ୍ତମ୍ଭକାର ପ୍ରଫେସର ଡକ୍ଟର ହୁମାୟୁନ କବୀରଙ୍କୁ ଆମନ୍ତ୍ରଣ ଜଣାଇ ରାଜ୍ୟ ସରକାରଙ୍କ ସହଯୋଗ ନପାଇଲେ ମଧ୍ୟ କଲେଜର ଭିତ୍ତିପ୍ରସ୍ତର ତାଙ୍କ କରକମଳରେ ପକାଇବା ପାଇଁ ଭୁବନେଶ୍ଵର ବିମାନ ବନ୍ଦରରୁ ସିଧାସଳଖ ଖୋର୍ଦ୍ଧାରେ ଥିବା ଏକମାତ୍ର କନାହୁଡ଼୍‍ ଲାଗିଥିବା ପୁରୁଣାକାଳିଆ ଗାଡ଼ିଟିରେ ବରୁଣେଇ ପାଦଦେଶକୁ ଆଣିଲେ । ପ୍ରଫେସର ହିମାୟୁନ୍‍ କବୀର ତା.୨୮ ଜାନୁୟାରୀ ୧୯୫୯ ମସିହା ଅପରାହ୍ନ ୫ ଘଣ୍ଟା ବେଳେ ସ୍ୱକରକମଳରେ କଲେଜର ଭିତ୍ତିପ୍ରସ୍ତର ଏକ ସଂକ୍ଷିପ୍ତ ସମାରୋହରେ ପକାଇଲେ । ମୁଖ୍ୟମନ୍ତ୍ରୀ ଡକ୍ଟର ମହତାବ ଉକ୍ତ ଉତ୍ସବରେ ସଭାପତିତ୍ୱ କରିବାର ଥିଲେ ମଧ୍ୟ ସେ ଉପସ୍ଥିତ ରହିଲେ ନାହିଁ । ପ୍ରଫେସର କବୀର କଲେଜର ଭିତ୍ତିପ୍ରସ୍ତର ପକାଇବା ପରେ ପରେ ସେହି ଗାଡ଼ିଟିରେ ପୁନଶ୍ଚ ଭୁବନେଶ୍ଵର ବିମାନ ବନ୍ଧରକୁ ଯାଇ ଅପେକ୍ଷମାଣ ବିମାନରେ ଦିଲ୍ଲୀ ଫେରିଯାଇଥିଲେ ।

 

ଭିତ୍ତିପ୍ରସ୍ତର ପଡ଼ିଥିବା ଜାନୁୟାରୀ ତା.୨୮ରିଖ ଦିନଟିକୁ କଲେଜର ଫାଉଣ୍ଡେସନ୍‍ ଦିବସ ବା ପ୍ରତିଷ୍ଠା ଦିବସ ରୂପେ ପ୍ରତିବର୍ଷ ପ୍ରାଣନାଥଙ୍କ ନିର୍ଦ୍ଦେଶରେ ପାଳନ କରାଯାଉଛି ।

 

ଉଲ୍ଲେଖ କରିବାକୁ ଉଚିତ ମଣୁଛି ଯେ, ପ୍ରାଣନାଥ ତାଙ୍କ ମାନସପୁତ୍ର କଲେଜଟିକୁ ସ୍ଥାପନ କରିବା ପାଇଁ ତତ୍‍କାଳର ଶାସକ ଦଳ ଏବଂ ଖୋରଧାର ବିତ୍ତ/ବିଭବଶାଳୀ ବ୍ୟକ୍ତିମାନଙ୍କଠାରୁ ଯେପରି ସହାୟତା/ସାହାଯ୍ୟ ପାଉନଥିଲେ, ତା’ଠାରୁ ଅଧିକ ସଂଖ୍ୟକ ବ୍ୟକ୍ତିଙ୍କଠାରୁ ବିଶେଷ କରି ଯେଉଁମାନେ ନିଜକୁ ବୁଦ୍ଧିଜୀବୀ ବୋଲାନ୍ତି, ଶିକ୍ଷିତ, ପାଠପଢ଼ୁଆ ବୋଲି ପରିଚିତ ଦିଅନ୍ତି ତାଙ୍କ ପ୍ରତିଷ୍ଠାର ପରିଚୟ ଦେବାକୁ, ତାଙ୍କ ଠାରୁ ପ୍ରବଳ/ତୀବ୍ର ବିରୋଧୀତା ପାଉଥିଲେ । ଅପର ପକ୍ଷରେ ସମଗ୍ର ଖୋରଧା ଉପଜିଲ୍ଲା, ଏବର ସମଗ୍ର ଜିଲ୍ଲାର ଜନଗଣ, ସାଧାରଣ ମଣିଷଙ୍କ ଠାରୁ ଅକୁଣ୍ଠ ସାହାଯ୍ୟର ପ୍ରସାରିତ ହସ୍ତ ପାଉଥିଲେ ।

 

ବରୁଣେଇ ପାହାଡ଼ ତଳର ବିସ୍ତୀର୍ଣ୍ଣ ପ୍ରାନ୍ତର ଯାହା ବହୁଦିନ ପର୍ଯ୍ୟନ୍ତ ପୂର୍ବର ବୁଦୁବୁଦିକିଆ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା, ସେଠାରେ ପ୍ରାଣନାଥ କଲେଜର ଏବର ହଷ୍ଟେଲ ହୋଇଥିବା ଘରର ନିଅଁ ପଡ଼ି, ପଥରର ତିନି, ଚାରୋଟି ହଲ ଓ ଅର୍ଦ୍ଧ ନିର୍ମିତ ଆଉ କେଇ ବଖରା ଘରେ, ଯେଉଁଥି ଭିତରୁ ଗୋଟିଏ ମାତ୍ର ଘରେ କବାଟ/ଚଉକାଠ, ଝରକା ଆଦି ଲାଗିଥିଲା ଏବଂ ପଲସ୍ତରା ହୋଇଥିଲା । ସେହିଠାରେ ହିଁ ୧୯ ଜୁଲାଇ ୧୯୫୯ ତାରିଖ ଦିନ ଖୋର୍ଦ୍ଧା କଲେଜ (ଏବର ପ୍ରକାଣ୍ଡ ପ୍ରାଣନାଥ ମହାବିଦ୍ୟାଳୟ ଅଟେ) ଉଦ୍‍ଘାଟିତ ହେଲା । ସେଦିନ ଓଡ଼ିଶା ଶାସନରେ ମାତ୍ର ତିନିଜଣ ମନ୍ତ୍ରୀ ଥାଆନ୍ତି-ମନ୍ତ୍ରୀମଣ୍ଡଳ ନୂଆକରି ଗଠିତ ହୋଇଥାଏ -ଡକ୍ଟର ମହତାବ ମୁଖ୍ୟମନ୍ତ୍ରୀ, ଗଣମନ୍ତ୍ର ପରିଷଦର ମୁଖ୍ୟ ରାଜା ରାଜେନ୍ଦ୍ର ନାରାୟଣ ସିଂଦେଓ ଉପମୁଖ୍ୟମନ୍ତ୍ରୀ ଏବଂ ରାଧାନାଥ ରଥ ଅନ୍ୟତମ ମନ୍ତ୍ରୀ ରୂପେ ଶପଥ ନେଇଥାନ୍ତି ।

 

ପ୍ରାଣନାଥ ପଟ୍ଟନାୟକ ଏହି ତ୍ରିମୂର୍ତ୍ତୀଙ୍କୁ କଲେଜ ଉଦ୍‍ଘାଟନ ଉତ୍ସବକୁ ଆଣିଲେ । ମହାସମାରୋହରେ ବ୍ୟାଣ୍ଡବାଜା, ଢୋଲ ମହୁରୀ ବଜାଇ ଅତିଥିମାନଙ୍କୁ ମଞ୍ଚକୁ ଅଣାଗଲା ଓ କଲେଜ ଉଦ୍‍ଘାଟିତ ହେଲା । ସାରା ଖୋର୍ଦ୍ଧା ଉପଜିଲ୍ଲାରୁ ବାଣପୁର ଠାରୁ ନୟାଗଡ଼ ପର୍ଯ୍ୟନ୍ତ ଅଞ୍ଚଳରୁ ଆମନ୍ତ୍ରିତ ହୋଇ ବହୁବ୍ୟକ୍ତି ଆସି ଏହି ମହାନ୍‍ ଘଟଣାରେ ଯୋଗଦେଲେ । ଅନେକେ ବିସ୍ମିତ ହେବେ ଯେ, କଲେଜ ପାଇଁ ହୋଇଥିବା ଚାନ୍ଦା/ଦାନ ଇତ୍ୟାଦି ସବୁ ମିଶାଇ ମୋଟରେ ୨୫ ହଜାର ଟଙ୍କା ହୋଇଥିଲା ଏଂବ ଜଣେ ବ୍ୟକ୍ତି ବାରିଷ୍ଟର ବୀରେନ୍ଦ୍ର ମୋହନ ପଟ୍ଟନାୟକଙ୍କ ମାଧ୍ୟମରେ ୧୦,୦୦୦ ଟଙ୍କା ଦାନ ଦେଇଥିଲେ । ବାକୀ ସବୁ ୫/୧୦/୫୦୦/୧୦୦୦/୨୦୦୦ ଟଙ୍କାର ଦାନ-ଅର୍ଥାତ୍‍ ସାଧାରଣ ମଣିଷଙ୍କ ଦାନ । ବଦାନ୍ୟତାରେ ପ୍ରାଣନାଥ ତାଙ୍କ କଲେଜକୁ ବାଧା ପ୍ରତିବନ୍ଧକ ଅତିକ୍ରମ କରାଇ ଠିଆ କରାଇଥିଲେ-

 

ଖୋର୍ଦ୍ଧାଠାରେ ନୂଆ ଅର୍ଦ୍ଧନିର୍ମିତ ବିଲ୍‍ଡିଂରେ ୧୧୨ ଜଣ ଛାତ୍ରଛାତ୍ରୀଙ୍କୁ ଏବଂ ଅଧ୍ୟକ୍ଷଙ୍କୁ ମିଶାଇ ମୋଟ ୬ଜଣ ଅଧ୍ୟାପକ, ଦୁଇଜଣ କିରାଣୀ, ଦୁଇଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ, ଜଣେ ଝାଡ଼ୁଦାରଙ୍କୁ ନେଇ ଜୁଲାଇ ୧୯ ତାରିଖ ୧୯୫୯ ମସିହାରେ ଅପରାହ୍ନରେ ମହାସମାରୋହରେ ପୂର୍ବବର୍ଣ୍ଣିତମତେ ଖୋର୍ଦ୍ଧା କଲେଜ (ଏବର ପ୍ରାଣନାଥ (ଅଟୋ) ମହାବିଦ୍ୟାଳୟ) ଉଦ୍‍ଘାଟିତ ହେଲା ।

 

ଉଲ୍ଲେଖ କରିବା ବାହୁଲ୍ୟମାତ୍ର ଯେ ସେହି ଜୁଲାଇ ୧୯ ତାରିଖ ୧୯୫୯ ମସିହା, ଲେଖକ (ମୁଁ ନିଜେ) ଅନ୍ୟ କେଇଜଣ ସାଥୀଙ୍କ ସହିତ କଲେଜରେ ଅଧ୍ୟାପକ ଭାବରେ ଯୋଗ ଦିଏ ।

 

୧୯୫୯ ମସିହା ଜୁଲାଇ ୧୯ ତାରିଖ ଠାରୁ ଆରମ୍ଭ ହୋଇଥିବା ଗୋଟିଏ ମାତ୍ର ପ୍ରି-ୟୁନିଭରସିଟି ଶ୍ରେଣୀକୁ ନେଇ ମାତ୍ର ୧୧୨ ଜଣ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରୁଥିବା ଛୋଟିଆ କଲେଜଟି ପ୍ରାଣନାଥଙ୍କର ଅସୀମ ସ୍ୱପ୍ନକୁ ସକାରକରି (ଯଦିଓ ତାଙ୍କର ଆଦର୍ଶ, ନୀତିକୁ ବିସ୍ମୃତ ହୋଇ) ସମ୍ପ୍ରତି ଏକ ବିଶାଳ ଅଟୋନୋମସ୍‍ (ସ୍ୱୟଂଶାସିତ) ମହାବିଦ୍ୟାଳୟରେ ପରିଣତ ହୋଇ, କଳା, ବିଜ୍ଞାନ, ବାଣିଜ୍ୟ ପର୍ଯ୍ୟନ୍ତ ଉପାଧି ଶିକ୍ଷା ନିମନ୍ତେ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ଗର୍ଭରେ ଧରି ଦୁଇଶହ ଜଣାରୁ ଅଧିକ ପାଖାପାଖି ଅଧ୍ୟାପକ/ଅଧ୍ୟାପିକା କର୍ମଚାରୀଙ୍କୁ ନେଇ ଆମ ରାଜ୍ୟର ତଥା ସାରା ଦେଶର ଏକ ନାମଜାଦା ମହାବିଦ୍ୟାଳୟରେ ପରିଣତ ହୋଇଛି ।

 

ପ୍ରାଣନାଥଙ୍କ ଅନ୍ତେ, ନାନା ବିରୋଧୀତା ସତ୍ତ୍ୱେ କଲେଜଟି ତାହାର ସ୍ୱାପ୍ନିକ ସ୍ରଷ୍ଟା ପ୍ରାଣନାଥଙ୍କ ନାମ ବହନ କରି ପ୍ରାଣନାଥ ମହାବିଦ୍ୟାଳୟ ନାମରେ ନାମିତ ହୋଇ ସଗର୍ବରେ ଛିଡ଼ା ହୋଇଛି ।

 

ଚଲାପଥରେ ଆଗକୁ ଆଗକୁ ଚାଲିଗଲା ପରେ ଯେପରି ଛାଡ଼ି ଆସିଥିବା, ଅତିକ୍ରମ କରିଥିବା ଦୂରପଥ ଆଖିରେ ଆଉ ଦିଶେନା, ସେହିପରି ପ୍ରାଣନାଥ କଲେଜର ସୃଷ୍ଟି ବିକାଶ, ଅଭିବୃଦ୍ଧିରେ ପ୍ରାଣନାଥ ଏବଂ ତାଙ୍କର ସହକର୍ମୀ ସାଥିମାନେ ଆଦର୍ଶଗତ ଆର୍ଥିକ ଭାବରେ ପ୍ରତି ପଦେ ପଦେ ଯେଉଁ ବାଧା ପ୍ରତିବନ୍ଧକର ସମ୍ମୁଖୀନ ହୋଇଛନ୍ତି, କେତେବେଳେ ହତାଶ ହୋଇ ଥକିଯାଇ ବସିପଡ଼ିଛନ୍ତି, ସେକଥା ହୁଏତ ଆଉ କେହି ମନେ ପକେଇବେ ନାହିଁ ।

 

କଲେଜ ଖୋଲିନଥାଏ-ଅଧ୍ୟାପକ/ଅଧ୍ୟକ୍ଷ ନିଯୁକ୍ତି ହୋଇନଥାଏ-ସେତେବେଳେ ପ୍ରାଣନାଥ ନିଜ ହାତରେ ଚିଠାକରି ଲେଖିଥିଲେ ଗଭର୍ଣ୍ଣିଂବଡି ପ୍ରସ୍ତାବ ଭାବରେ, କଲେଜର ପାଠାଗାର ଦେଶର ମହାନ ସ୍ୱାଧୀନତା ସଂଗ୍ରାମୀ ଦେଶମାତୃକା ପାଇଁ ଜୀବନ ବଳିଦାନ ଦେଇଥିବା “ଜୟୀ ରାଜଗୁରୁ”ଙ୍କ ନାମରେ ଜୟୀ ରାଜଗୁରୁ ପାଠାଗାର ଭାବରେ ନାମିତ ହେବ ।

 

ଗୋଟିଏ ହଲ୍‍ ଦେଶର ମହାନ ସଂଗ୍ରାମୀ “ଅବଦୁଲ କାଲାମ ଅଜାଦ” (ସ୍ୱାଧୀନ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ)ଙ୍କ ନାମରେ ନାମିତ ହେବ-ଗୋଟଏ ଗୋଟିଏ ପ୍ରକୋଷ୍ଠ ଉତ୍କଳମଣି ଗୋପବନ୍ଧୁ, ଡକ୍ଟର ପ୍ରାଣକୃଷ୍ଣ ପରିଡ଼ା ଆଦିଙ୍କ ନାମରେ ନାମିତ ହେବ ।

 

ଓଡ଼ିଶା ରାଜ୍ୟରେ କୃଷକ ଆନ୍ଦୋଳନ, ଭାଗଚାଷୀ ଆନ୍ଦୋଳନର ପଥିକୃତି ପ୍ରାଣନାଥ ଗାଁ ଗାଁ ବୁଲି ମଣିଷଙ୍କର ଦାରିଦ୍ର୍ୟ, ପରିବାରର ଭୋକ, ଶୋଷ, ଅର୍ଦ୍ଧାହାର ଅନାହାରର ରୂପକୁ ପ୍ରତ୍ୟକ୍ଷ କରିଥିଲେ ଏବଂ ଅଙ୍ଗେ ନିଭାଇଥିଲେ - ଏଣୁ କେବଳ ଖୋର୍ଦ୍ଧା ସବ୍‍ଡିଭିଜନ (ଏବର ଜିଲ୍ଲା) ନୁହେଁ, ସାରା ପୁରୀ ଜିଲ୍ଲା ଏବଂ ତା’ବାହାରୁ ମଧ୍ୟ ଗରୀବ ମେଧାବୀ ଛାତ୍ର, ଯେଉଁମାନଙ୍କର ବାପା/ଦାଦା ସ୍ୱାଧୀନତା ଆନ୍ଦୋଳନର କର୍ମୀ ଥିଲେ କିମ୍ବା କମ୍ୟୁନିଷ୍ଟ ପାର୍ଟିରେ କର୍ମୀ/ନେତା ଥିଲେ, ସେମାନଙ୍କୁ ସେଇ ଗାଁ ଅଞ୍ଚଳରୁ ତାଙ୍କ ହାତରେ ଚିଠା ଖଣ୍ଡେ ଲେଖିଦେଇ, ତାଙ୍କୁ ନାମଲେଖା ଖର୍ଚ୍ଚ କମାଇ ଦେଇ ବା ଛାଡ଼କରି ନାଁ ଲେଖାଇ ଦେବାରେ ସହାୟତା କରିବାକୁ, ଲେଖି ପଠାଉଥିଲେ । ଏପରି ଅସଂଖ୍ୟ ଛାତ୍ର, ଶିକ୍ଷାଲାଭ ସାରି ଜୀବନ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇଥିବା କଥା ଲେଖକର ପ୍ରତ୍ୟକ୍ଷ ଅଭିଜ୍ଞତା ।

 

ପ୍ରାଣନାଥ ମାର୍କ୍ସବାଦୀ ଭାବରେ ଜାଣିଥିଲେ ଯେ “ଶିକ୍ଷା ହିଁ ମାନବ ସମ୍ବଳ ବିକାଶର ପ୍ରଧାନ ହେତୁ -ଶିକ୍ଷା ବିନା ଦେଶର ସମାଜର ବିକାଶ ସାଧନ ସମ୍ଭବ ନୁହେଁ -ଏଥିପାଇଁ ସେ ଜଟଣୀରେ ହାଇସ୍କୁଲ, ଖୋର୍ଦ୍ଧାରେ କଲେଜ ପ୍ରତିଷ୍ଠା କରିଥିଲେ । ତାଙ୍କର କିନ୍ତୁ ସ୍ୱପ୍ନ ଥିଲା, ସେ ନିଜେ ଶିକ୍ଷା ଲାଭ କରିଥିବା ବାରାଣସୀର “କାଶୀ ବିଦ୍ୟାପୀଠ” ଭଳି ସମାଜବାଦୀ ଶିକ୍ଷାର କେନ୍ଦ୍ରଟିଏ ପ୍ରତିଷ୍ଠା କରିବାକୁ, ଯାହା ପରବର୍ତ୍ତୀ କାଳରେ ଏକ ବିଶାଳ ବିଶ୍ଵବିଦ୍ୟାଳୟରେ ରୂପାୟିତ କରିବା ପାଇଁ ଦିଲ୍ଲୀରେ ସ୍ଥାପିତ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ଜେ.ଏନ୍‍.ୟୁ. ପରି ଖୋର୍ଦ୍ଧା ଠାରେ/ଓଡ଼ିଶାରେ ମୋତିଲାଲ୍‍ ନେହୁରୁ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ।

 

ପ୍ରାଣନାଥ ମାନସ ସନ୍ତାନ “ମୋତିଲାଲ୍‍ ନେହୁରୁ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ସମ୍ପର୍କରେ ପ୍ରସ୍ତୁତ କରିଥିବା ଚିଠା ଡକୁମେଣ୍ଟରେ ସେ ଲେଖିଥିଲେ, “।t shall be a National Institution, after the name of great Motilal, like Tagore’s Shantiniletan . Malvyayi’s Hindu University, or other National Institutes of the type, but keeping pace with development of the modern science and scientific education. The motto of this “Motilal Nehru University” shall be “Ya Vimuktaye Sa Shiksha” (ଯା” ବିମୁକ୍ତୟେ ସା ଶିକ୍ଷା)-

 

ସେହି ନଥିରେ ଓଡ଼ିଶାରେ କାହିଁକି ମୋତିଲାଲ ବିଶ୍ଵବିଦ୍ୟାଳୟ ହେବ ? ଅଧ୍ୟାୟରେ ଶିକ୍ଷାର ଆଦର୍ଶ ଓ ଆଧ୍ୟେୟ ଭାବରେ ଉଲ୍ଲେଖ କରିଛନ୍ତି ଯେ,- There is not a single residential university in Orissa, which can guide and educate students in an unit with all the branches of knowledge and its teaching curriculum, with a view to develop the younger generation of our province to take port in socialistic developments with ulter grief it must be mentioned here that, university education has become certificate producing machine by its ulter utilitarian type and which must be changed by any means and mostly by adopting not only science education,but also Scientific education, Science education is not proper scientific educat।on as sometimes it does not give scientific out look to the pupils in certatin cases. With all these in its view, national university should be set up to bring a revival in educational system.

 

ଏ ନଥି ପ୍ରାଣନାଥ ପଟ୍ଟନାୟକଙ୍କର ନିଜସ୍ୱ ହସ୍ତାକ୍ଷରରେ ନିଜସ୍ୱ ସନ୍ତକରେ ପ୍ରସ୍ତୁତ କରାଯାଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଭାରତର ପ୍ରଧାନମନ୍ତ୍ରୀ, ଦେଶର ଶିକ୍ଷାମନ୍ତ୍ରୀ ଆଦିଙ୍କୁ ପ୍ରଦାନ କରାଯାଇଥିଲା । ପରବର୍ତ୍ତୀ କାଳରେ ମଧ୍ୟ ପ୍ରାଣନାଥଙ୍କ ନାମିତ କଲେଜର ଦଖଲକାରମାନେ ପ୍ରାଣନାଥଙ୍କର ଏ ସ୍ୱପ୍ନ ସମ୍ପର୍କରେ କେବେ ହେଲେ ଚିନ୍ତା କରିଥିବାର ଜଣାନାହିଁ । ଦେଶର ବହୁ ଚିନ୍ତାନାୟକଙ୍କର ସ୍ୱପ୍ନ/ଚିନ୍ତା ଯେପରି ଅକାଳରେ ମିଳାଇଯାଏ ଏହା ସେହିପରି ଜନଚକ୍ଷୁ ଅନ୍ତରାଳରେ ରହିଯାଇଛି ।

 

ଶିକ୍ଷାବିତ୍ ପ୍ରାଣନାଥଙ୍କର ଶିକ୍ଷା ଚିନ୍ତନର ପ୍ରତିଫଳନ କେବଳ ସ୍କୁଲ /କଲେଜ ପ୍ରତିଷ୍ଠା କରିବାରେ ବା ତାହାକୁ ପରିଚାଳନା କରିବାର ସୀମିତ ନଥିଲା । ଓଡ଼ିଶା ରାଜ୍ୟର ଅଗଣିତ ଗାଁଗହଳର ଗରୀବ ମଣିଷଙ୍କ ପିଲାମାନେ, ଶୋଷିତ ବର୍ଗ ମଣିଷର ପିଲାଏ, ଦଳିତ, ହରିଜନ ପିଲାଏ ଶିକ୍ଷାର ଆଲୋକ ବିଶେଷକରି ଉଚ୍ଚଶିକ୍ଷାର ଆଲୋକ ଯେପରି ପାଇପାରିବେ ସେଥିପାଇଁ ସେ ଅହରହ ଚିନ୍ତା କରୁଥିଲେ । ତାଙ୍କର ମନରେ ଥିଲା, ଗରୀବ ପରିବାରର ପିଲାଟିଏ, ଯାହା ଘରେ ଭଲକରି ଦି'ମୁଠା ଖାଇବାକୁ ମଧ୍ୟ ଦିଓଳି ମିଳେନାହିଁ,ସିଏ ଯେତେ ସର୍ବନିମ୍ନ ହେଲେ ମଧ୍ୟ କଲେଜରେ ପଢ଼ିବାର ବ୍ୟୟ,କଲେଜ ଫି,ପରୀକ୍ଷା ଫି,ହଷ୍ଟେଲରେ ରହିବ ପାଇଁ ମେସଖର୍ଚ୍ଚ ବ୍ୟୟ ବହନ କରିପାରିବ କିପରି ? କଲେଜରେ ଫ୍ରି ଷ୍ଟୁଡେଣ୍ଟସିପ ଦେଇ ଛାଡ କରିଦେଲେ ଏ ସମସ୍ୟାର ସମାଧାନ ହେବନାହିଁ । ଅନ୍ୟ କିଛି ବ୍ୟବସ୍ଥା କରିବା ଦରକାର ।

 

ଶିକ୍ଷାର ବ୍ୟବସାୟୀକରଣ ଯୁଗରେ ଏକଥା କାହାରି ମନକୁ ଆସିବ ନାହିଁ ।

 

ଏ ସମ୍ପର୍କରେ ପ୍ରାଣନାଥଙ୍କର ଶିକ୍ଷାଗୁରୁ, ତତକାଳର ବିଶ୍ଵବିଦ୍ୟାଳୟ କୁଳପତି ଡକ୍ଟର ପ୍ରାଣକୃଷ୍ଣ ପରିଜା ଏବଂ ତତ୍‍କାଳର ଶିକ୍ଷା ନିର୍ଦ୍ଦେଶକ (ପ୍ରଥମେ ସ୍ୱର୍ଗତଃ ବାମାଚରଣ ଦାସ ଏବଂ ତତପରେ ଡକ୍ଟର ସଦାଶିବ ମିଶ୍ର) ପ୍ରାଣନାଥଙ୍କର ସହଧ୍ୟାୟୀ ଡକ୍ଟର ସଦାଶିବ ମିଶ୍ରଙ୍କ ସହିତ ଏହା ଆଲୋଚନା କଲାପରେ,ଡକ୍ଟର ପରିଜା ପରାମର୍ଶ ଦେଇଥିଲେ ଯେ,ଗରିବ ଛାତ୍ରଛାତ୍ରୀଙ୍କ ପାଇଁ “Earn while you learn” ବା ଶିକ୍ଷାଲାଭ କରିବା ସଙ୍ଗେ ସଙ୍ଗେ ଏପରି କୌଣସି ବୃତ୍ତି ଗ୍ରହଣ କରି ରୋଜଗାର କରିବାର ବ୍ୟବସ୍ଥା କରିବା ଆବଶ୍ୟକ । ଏହି ଅନୁକ୍ରମେ ସେମାନେ ପରାମର୍ଶ ଦେଇଥିଲେ,କଲେଜର ଆନୁସଙ୍ଗିକ ଭାବରେ ଗୋଟିଏ ସ୍କୁଲ କରାଇବାକୁ, ସ୍କୁଲରେ,ଜଣେ ଯୋଗ୍ୟ ବୟସ୍କ ପ୍ରଧାନ ଶିକ୍ଷକ ଏବଂ ସଂସ୍କୃତ ପଣ୍ଡିତ ତଥା ଚତୁର୍ଥଶ୍ରେଣୀ କର୍ମଚାରୀଙ୍କୁ ନିଯୁକ୍ତ କିରିବାର ବ୍ୟୟ ସଂଗ୍ରହକରି, ଅନ୍ୟସବୁ ଶିକ୍ଷକ ପାଦରେ ବିଜ୍ଞାନ ବା କଳାଶ୍ରେଣୀର ଗରୀବ ଛାତ୍ରଛାତ୍ରୀ ଯେଉଁମାନେ ଶିକ୍ଷାଦାନ କରିବା ପାଇଁ ସମର୍ଥ,ସେମାନଙ୍କୁ ମାସିକ ୫୦ ଟଙ୍କା ଲେଖାଏଁ ଭତ୍ତା ଦେଇ ଆର୍ଥିକ ସହାୟତା ମିଳନ୍ତା ଏବଂ ଅନେକଗୁଡ଼ିଏ ଗରୀବ ବଳକ ବାଳିକା ମଧ୍ୟ ଶିକ୍ଷା ଲାଭ କରିପାରନ୍ତେ ।

 

ସେହି ଅନୁକ୍ରମେ କଲେଜ ଗଭର୍ଣ୍ଣିଂବାଡ଼ିରେ ନିଷ୍ପତ୍ତି ହୋଇ କଲେଜ ସନ୍ନିକଟରେ 'ଜୟୀ ରାଜଗୁରୁ ହାଇସ୍କୁଲ 'ଖୋଲାଗଲା । ଗଭର୍ଣ୍ଣିଂବଡି ଏହାକୁ ଗ୍ରହଣ କରି ନିମ୍ନୋକ୍ତ ପ୍ରସ୍ତାବ କରି ଜୟୀ ରାଜଗୁରୁ ନାମ .....

 

As there ।s already one H।gh School of Khurda ।n the name of the other patr।ot।c Hero “Buxi Gopabandhu”, the other counterpart of Jayee Rajguru, this school should be named after the later, name to be known as Jayee Rajguru HE School, khurda.

 

ପ୍ରାଣନାଥଙ୍କର ସହପାଠୀ ଏବଂ ପରବର୍ତ୍ତୀ ଜୀବନରେ ଓଡ଼ିଶାର ଶିକ୍ଷା ନିର୍ଦେଶକ ଏବଂ ଉତ୍କଳ ବିଶ୍ଵବିଦ୍ୟାଳୟର କୁଳପତି ଡକ୍ଟର ସଦାଶିବ ମିଶ୍ର, ପ୍ରାଣନାଥଙ୍କ ସ୍ମୃତିଚାରଣ କରିବା ଅବସରରେ ଏହି ବିଦ୍ୟାଳୟ ତଥା ଉଲ୍ଳେଖକରି ଲେଖିଥିଲେ ଯେ,** “ଠାରେ କଲେଜରେ ତାଙ୍କୁ ଗୋଟିଏ ପରାମର୍ଶ ଦେଇଥିଲି । ସମସ୍ତେ କହୁଛନ୍ତି ଛାତ୍ରମାନେ କାମକରି ଶିଖନ୍ତୁ । ପାଠପଢା ସାଙ୍ଗରେ ରୋଜଗାର ଲାଗି କ୍ଷେତ୍ର ମିଳିବ ଆବଶ୍ୟକ । ପରାମର୍ଶ ଦେଇଥିଲି -କଲେଜ ପାଖରେ ଗୋଟିଏ ହାଇସ୍କୁଲ ରହୁ । ସେଠାରେ ମାତ୍ର ଜଣେ ପ୍ରଧାନ ଶିକ୍ଷକ ରହନ୍ତୁ । ଏ ଦେଶରେ ଅନେକ ଛାତ୍ର ଅଭାବଗ୍ରସ୍ତ । କେତେକ ଛାତ୍ର ଏ ସ୍କୁଲ ରେ ଶିକ୍ଷକତା କରନ୍ତୁ ଏବଂ ସେଥିଲାଗି ତାଙ୍କୁ ଉପଯୁକ୍ତ ପାରିଶ୍ରମିକ ଦିଆଯାଉ । ଏ ପରାମର୍ଶ ଶିକ୍ଷକତା ଅନେକ ଜାଗାରେ ଦେଇଥିଲି । ପ୍ରାଣନାଥ ବାବୁଙ୍କ ମନକୁ ପାଇଲା । ସେ ଏହିପରି ଗୋଟିଏ ସ୍କୁଲ ପ୍ରତିଷ୍ଠା କଲେ । ତାଙ୍କର ଶିକ୍ଷାକ୍ଷେତ୍ରରେ ବିଶେଷ ଆଗ୍ରହ ଥିଲା । କୌଣସି ନୂଆ ପ୍ରଣାଳୀ ବା ପନ୍ଥା ଗ୍ରହଣ କରିବା ପାଇଁ ସେ ବରାଦର ଉତ୍ସୁକ ଥିଲେ । ଉଦ୍ୟମ ଲାଗି ସେ ସର୍ବଦା ପ୍ରୟାସୀ ଥିଲେ ।”

 

ଦୁର୍ଭାଗ୍ୟଜନକ ଜୟୀ ରାଜଗୁରୁ ହାଇସ୍କୁଲର ପଶ୍ଚାଦପଟରେ ପ୍ରାଣନାଥ, ଡକ୍ଟର ସଦାଶିବ ମିଶ୍ର ଆଦିଙ୍କର ମାନସିକତା ଆଦି ବିସ୍ତୃତ ପ୍ରାଣନାଥଙ୍କ ନାମ ମଧ୍ୟ ବିଦ୍ୟାଳୟରୁ ପ୍ରାୟ ବିଲୁପ୍ତ ହୋଇଗଲାଣି ।

 

ଅନ୍ତିମ ସମୟରେ, ସେହି ବିଦ୍ୟାଳୟ ପରିସରରେ ହିଁ ତାଙ୍କର ଦେହାନ୍ତ ହେବ ସେଇଠାରେ ସେ ମାଟିରେ ମିଶିବେ ଏହା କାମନା କରିଥିଲେ, ଯାହା ହୁଏତ ସଫଳ ହୋଇପାରିଲା ନାହିଁ । ପ୍ରାଣନାଥଙ୍କର ଅଶେଷ ସାମାଜିକ ସଂଗ୍ରାମକୁ ଖୋରଧାବାସୀ ଭୁଲିଗଲେଣି ହୁଏତ-ମାତ୍ର ପ୍ରାଣନାଥ ନାମ ବହନକରି, ତାଙ୍କର ମାନସ ପୁତ୍ର କଲେଜଟି, ଯୁଗ ଯୁଗାନ୍ତର ପାଇଁ ସାରା ପ୍ରଦେଶରେ ଦେଶରେ ତାଙ୍କୁ ଅବିସ୍ମରଣୀୟ କରି ରଖିଛି ଓ ରଖିବା ।

 

ସପ୍ତଦଶ ଅଧ୍ୟାୟ

ପ୍ରାଣନାଥଙ୍କର ରୁଷିଆ ଯାତ୍ରା

 

୧୯୬୪ ମସିହାର ମଧ୍ୟ ଭାଗ । ପ୍ରାଣନାଥ ସାପ୍ତାହିକ ସମ୍ବାଦପତ୍ର 'ନୂଆ ଦୁନିଆ’ ର ସମ୍ପାଦକ ଥାନ୍ତି । ଦିଲ୍ଲୀର ବହୁଳ ପ୍ରଚାରିତ ତତ୍ୱ/ତଥ୍ୟ ଓ ସମ୍ବାଦ ପତ୍ରିକା ନିଉଏଜ ଦପ୍ତରରୁ ଖବର ଆସିଲା, 'ନୂଆ ଦୁନିଆ' ର ସମ୍ପାଦକ ପି[ରାବଣନାଥଙ୍କୁ ସୋଭିଏତ ୟୁନିୟନ ର ସର୍ବାଧିକ ପ୍ରଚାରିତ ସୈନିକ ସମ୍ବାଦ ପତ୍ର 'ପ୍ରଭଦା' ପକ୍ଷରୁ ଭାରତୀୟ ସାମ୍ବାଦିକ ଦଳ ସହିତ ସୋଭିଏତ ଦେଶର ସାମ୍ବାଦିକତା ସମ୍ବାଦପତ୍ର ତଥା ବିକାଶ ଦେଖିବା ପି[ଆଇନ ଭ୍ରମଣ ପାଇଁ ଆମନ୍ତ୍ରଣ । “ଯାତ୍ରା ଦେଖା ଓ କଦଳୀ ବିକା” ଏକାଠି ହେବ ନ୍ୟାୟରେ ପ୍ରାଣନାଥ ବିଚାରିଲେ ଏହି ସୁଯୋଗରେ ପ୍ରାଣନାଥ ଭୋଗୁଥିବା ଆର୍ଥ୍ରାଇଟିସ ବା ଗଣ୍ଠିବାତ ଏବଂ ଆନ୍ତ୍ରିକ ବେମାର ଇତ୍ୟାଦି ମଧ୍ୟ ଚିକତ୍ସା କରିଆସିବେ । କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ସେହି ମର୍ମରେ ସୋଭିଏତ ସରକାରଙ୍କୁ ଲେଖାଗଲା, କାରଣ ସେ ଏବଂ ଅନ୍ୟାନ୍ୟ ସାମ୍ବାଦିକଗଣ ରାଷ୍ଟ୍ର ଆମନ୍ତ୍ରଣରେ ଯାଉଥିଲେ,ଏବଂ ସିଆଡ଼ୁ ଉତ୍ତର ଆସିଲା ଯେ 'ପ୍ରଭଦା' ସମ୍ବାଦପତ୍ର ରେ ଆମନ୍ତ୍ରଣ ରେ ବିଭିର୍ଣ୍ଣ ଅଞ୍ଚଳକୁ ଯିବା ଆସିବା ତାଙ୍କୁ ଆଉ ଅଧିକ କିଛିଦିନ ରଖି କ୍ରମିୟା ସାନ୍ନିକଟବର୍ତ୍ତୀ କୃଷ୍ଣ ସାଗର ବା ବ୍ଳ।କସି କୋଷ୍ଟ ର ସାନ୍ନିକଟବର୍ତ୍ତୀ ସାନାଟୋରିୟମରେ ଚିକତ୍ସା କେନ୍ଦ୍ରକୁ ନଆସିବା ଏବଂ ପ୍ରଭଦା ଏ ଦାୟିତ୍ୱ ବାହନ କରିବେ ଏଣୁ 'ସ୍ୱାଗତମ' ।

 

ନୂଆଦିଲ୍ଲୀରେ ଆନ୍ତର୍ଜାତିକ ବିମାନବନ୍ଦରକୁ ଏରୋପ୍ଲେନର ଉଡ଼ାଣ ରାତି ଦୁଇଟାବେଳେ ଉଡ଼ିବାକୁ ଉଠେ ଏବଂ ମସ୍କୋର ବିମାନବନ୍ଦରରେ ଅବତରଣ କଲାବେଳକୁ ମସ୍କୋ ସହରରେ ଜାଙ୍ଗୁଲୁ ଜାଙ୍ଗୁଲୁ ରାତି ପହୁଥାଏ । ଏରୋପ୍ଲେନ ବିମାନମାନକୁ ଦିଲ୍ଲୀର ମସ୍କୋ ୬୦୦୦ ମାଇଲ ବ୍ୟବଧାନ ଉଡ଼ିଯିବ ପାଇଁ ଛଅ ଘଣ୍ଟା ଲାଗେ । ମାତ୍ର ଭାରତୀୟ ଓ ମସ୍କୋ ସମୟର ଦୁଇଘଣ୍ଟାର ବ୍ୟବଧାନ ପାଇଁ ମସ୍କୋର ଭୋର ଛଟା ବାଜିବା ବେଳକୁ ଏରୋପ୍ଲେନ ବିମାନ ବିମାନବନ୍ଦରରେ ଭୂମି ସ୍ପର୍ଶ କରେ । ଭାରତୀୟ ସାମୟରେ ଆଠଟା/ସାଢ଼େ ଆଠଟା ବେଳେ ପହଂଚିବା କଥା-ଭୋର ଛଅଟାରେ ପହଞ୍ଚେ । ମସ୍କୋ ଆକାଶରେ ସେ ପର୍ଯ୍ୟନ୍ତ ସକାଳର ଆଲୋକ ପଡ଼ିନଥାଏ । ମସ୍କୋ ସହରାବର ଆଲୋକମାଳା ଲିଭିନଥାଏ ।

 

ଯେଉଁ ପ୍ରତିନିଧି ଦଳରେ ପ୍ରାଣନାଥ ସୋଭିଏତ ୟୁନିୟନକୁ 'ପ୍ରଭଦା' ସମ୍ବାଦପତ୍ରର ଆମନ୍ତ୍ରଣ କ୍ରମେ ଯାଇଥିଲେ, ତାହା ଭାରତବର୍ଷ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ ଡେଲିଗେସନ ଥିଲା । କାରଣ ପ୍ରତିନିଧି ଦଳରେ ଭାରତବର୍ଷର ଆଠଟି ରାଜ୍ୟର କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ପ୍ରକାଶ ପାଉଥିବା ଦୈନିକ ବା ସାପ୍ତାହିକ ସମ୍ବାଦପତ୍ରର ସମ୍ପାଦକ ଥିଲେ ଏବଂ ଏମାନେ ଅଧିକାଂଶ ସମ୍ପୃକ୍ତ ରାଜ୍ୟପାର୍ଟୀର ପଦାଧିକାରୀ/ନେତା ମଧ୍ୟ ଥିଲେ । ପ୍ରତ୍ୟକେ ସୁଲେଖକ ଥିଲେ ଏବଂ ଭାରତବର୍ଷର ସୁବିଖ୍ୟାତ କମ୍ୟୁନିଷ୍ଟ ନେତା ଗାନ ମଧ୍ୟ ଥିଲେ ।

 

ସେମାନଙ୍କୁ ପାଛୋଟି ନେବାକୁ ଦୁଇଜଣ ଦ୍ୱିଭାଷିଣୀଙ୍କ ସହିତ କମସୋମଲସ୍କାୟା ପ୍ରଭଦା (ଯୁବଗଣଙ୍କ ପାଇଁ ପ୍ରଭଦା) ଏବଂ ମସ୍କୋ ଆଞ୍ଚଳିକ ‘ପ୍ରଭଦା’ର ବାର୍ତ୍ତା ସମ୍ପାଦକ ବିମାନ ବନ୍ଦରକୁ ଆସିଥିଲେ ଏବଂ ବିମାନ ବନ୍ଦରର ଚେକିଙ୍ଗ, ପାସପୋର୍ଟ ଦେଖା ଆଦି ନ୍ୟୁନତମ ଆନୁସଙ୍ଗିକ କାର୍ଯ୍ୟକ୍ରମ ସାରି ଏୟାରପୋର୍ଟର ବହିରାଦେଶରେ ଅପେକ୍ଷାମାଣ ଦୁଇଟି ଗାଡ଼ିରେ ପ୍ରତିନିଧି ବର୍ଗ ଏବଂ ତୃତୀୟ ଗାଡ଼ିରେ ଅଭ୍ୟର୍ଥନା ପାଇଁ ଆସିଥିବା କର୍ମକର୍ତ୍ତା ମସ୍କୋ ଅଭ୍ୟନ୍ତରର ‘ହୋଟେଲ ରୁଷିଆ’କୁ ଅଗ୍ରସର ହେଲେ । କମ୍ୟୁନିଷ୍ଟ ପାର୍ଟିର ନିଜସ୍ଵ ହୋଟେଲ ବା ‘ହୋଟେଲ ରସା’ରେ ଏମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ କରାଯାଇଛି । ‘ହୋଟେଲ ରସା’ରେ ପହଞ୍ଚିବା ପରେ ସାଦର ସ୍ୱାଗତ ଜଣାଇବାକୁ ଆସିଥିବା ପ୍ରଭଦା ସମ୍ବାଦପତ୍ରର କର୍ମକର୍ତ୍ତାମାନେ-ସ୍ଵ।ସିବୋ ବା ଧନ୍ୟବାଦ ଜଣାଇ, ପୁଣି ବ୍ରେକଫାଷ୍ଟ ଟେବୁଲର ପ୍ରାତଃଭୋଜନ ବେଳେ ଦେଖାହେବ କହି ସେ ପର୍ଯ୍ୟନ୍ତ ଅର୍ଥାତ ସକାଳ ୮.୩୦ ଟା ବା ୯ଟା ପର୍ଯ୍ୟନ୍ତ ରେଷ୍ଟ୍‍ ନିଅନ୍ତୁ କହି ଚାଲିଗଲେ । ଦ୍ଵିଭାଷିଣୀମାନେ ଲାଉଞ୍ଜରେ ବସିରହିଲେ, କାଳେ ଅତିଥି ଦଳର କେହି କୌଣସି ଅସୁବିଧାର ସମ୍ମୁଖୀନ ହେବେ ବୋଲି ।

 

ମଧ୍ୟାହ୍ନ ଭୋଜନ ଟେବୁଲରେ ବସିବା ବେଳେ ଭାରତୀୟ ସାମ୍ବାଦିକ ଡେଲିଗେସନର ରହଣୀ ଦିନମାନଙ୍କ ପାଇଁ ପ୍ରତିଦିନର ସମୟ ସାରଣୀ ସହିତ କାର୍ଯ୍ୟକ୍ରମ ବା ପୋଗ୍ରାମ ସମସ୍ତଙ୍କୁ ଧରାଇ ଦିଆଗଲା । ସେହିଦିନ ମଧ୍ୟାହ୍ନ ଭୋଜନ ପରେ ପରେ ପ୍ରଥମ କାର୍ଯ୍ୟକ୍ରମ 'ପ୍ରଭଦା' କାର୍ଯ୍ୟାଳୟକୁ ଯାଇ ସମ୍ପାଦକ ତଥା ସମ୍ପାଦନା ମଣ୍ଡଳୀଙ୍କ ସହିତ ଆଲୋଚନା ସାରିବା ପରେ ‘ପ୍ରଭଦା’ କାଯ୍ୟଳୟରେ ବିଭିନ୍ନ ପ୍ରକାରର ସମ୍ପାଦିକ (ଫଟୋ, ଯୁବସମ୍ବାଦ ନାରୀ ବିଭାଗ, ଯୁଦ୍ଧ ବିଭାଗ, ବିଶ୍ୱଶାନ୍ତି-ନିରସ୍ତ୍ରୀକରଣ ବିଭାଗ,ଅନ୍ତର୍ଜାତୀୟ ବିଭାଗ, ବାଣିଜ୍ୟ, ବିଜ୍ଞାନ, କୃଷି ଆଦି ବିଭିନ୍ନ ବିଭାଗ ଓ ବିଭବ) ମାନଙ୍କ କାର୍ଯ୍ୟ ପର୍ଯ୍ୟାଲୋଚନା, ପ୍ରେସ୍‍ର କାର୍ଯ୍ୟ ପ୍ରଣାଳୀ ସର୍କୁଲେସନ ଆଦି ସବୁ ବିଷୟରେ ସବିଶେଷ ଆଲୋଚନା ପରେ ସାୟାହ୍ନ ବା କଞ୍ଚା ସଂଜରେ, ପାର୍ଟି ତଥା ନୃତ୍ୟଗୀତର ଅସାରର କାର୍ଯ୍ୟସୂଚୀ ଥିଲା । ମସ୍କୋର ହାଡ଼ଭଙ୍ଗା ଶୀତ ପ୍ରକୋପରୁ ରକ୍ଷା ପାଇବା ପାଇଁ ପ୍ରତିନିଧି ଦଳର ସମସ୍ତଙ୍କୁ ପ୍ରଭଦା ପକ୍ଷରୁ ଗୋଟିଏ ଗୋଟିଏ ଓଭର କୋଟ ଉପହାର ଦିଆଯାଇଥିଲା । ଯେଉଁ ଲାଲ ରଙ୍ଗର ବେକମୋଡ଼ା ଶ୍ୱେଟର ବା ପୁଲ୍‍ଭରକୁ ଦୀର୍ଘଦିନ ଧରି ପ୍ରାଣନାଥ ବ୍ୟବହାର କରୁଥିଲେ ।

 

ପ୍ରାଣନାଥ ତାଙ୍କର ବହୁ ଇପ୍‍ସିତ ମସ୍କୋ/ସୋଭିଏତ୍‍ ୟୁନିୟନ ପରିଦର୍ଶନ ଓ ପରିଭ୍ରମଣ ଆରମ୍ଭ କଲେ । ଲାଲ୍‍ଚୌକର ପ୍ୟାରେଡ୍‍ସ୍କେୟାର ଭିତରେ, କ୍ରେମଲିନ୍‍ ପ୍ରାସାଦକୁ ଲାଗି ରହିଥିବା ଲେନିନ୍‍ ମାସୋଲିୟମ ବା ମହାନ୍‍ ଲେନିନ୍‍ଙ୍କର ଶବାଗାରରୁ । ଲେନିନ୍‍ଙ୍କର ଶବଦେହ ନାନା ବୈଜ୍ଞାନିକ ଉପଚାରରେ, ମାସୋଲିୟମରେ ଏକ କାଚ ଘୋଡ଼ଣୀ ଭିତରେ ସଜୀବ ଭଳି ଶାୟିତ ଅବସ୍ଥାରେ ସୁରକ୍ଷିତ ଥିଲା । ଏବେ ମଧ୍ୟ ଅଛି । ସମଗ୍ର ପୃଥିବୀର ଦୂରଦୂରାନ୍ତର ଦେଶମନଙ୍କରୁ ଦଳିତ, ଶୋଷିତ, ନିର୍ଯ୍ୟାତିତ ମଣିଷର ମୁକ୍ତିତୀର୍ଥ ଓ ପ୍ରତୀକ, ଦେବତା ଭଳି ସୂଚିତ ଲେନିନ୍‍ଙ୍କୁ ଦର୍ଶନ କରିବା ନିମନ୍ତେ । ରେଡସ୍କୋୟାର ଆରମ୍ଭରୁ ପ୍ରଲମ୍ବିତ ଧାଡ଼ି ଭିତରେ ପ୍ରାଣନାଥ ଏବଂ ତାଙ୍କର ସହକର୍ମୀ ସାମ୍ବାଦିକ ସାଥିମାନେ ଧାଡ଼ିରେ ଧାଡ଼ିରେ ଆଗେଇ, ଶବଗୃହ ଭିତରେ ପ୍ରବେଶ କରି ନିର୍ନିମେଷ ନୟନରେ ଗାର୍ଡ଼ ଅଫ୍‍ ଅନର ଦେଇ ଠିଆ ହୋଇଥିବା ସନ୍ତି ୪ ଜଣଙ୍କୁ ତଥା ଶବାଗାର ଚାରିପଟେ ଚାହିଁ ଚାହିଁ ପଦବ୍ରଜରେ ଅତିକ୍ରମ କଲେ । ସେ ମୁହୂର୍ତ୍ତରେ ପ୍ରାଣନାଥଙ୍କର ମନର ପରଦାରେ, ସାରା ଦୁନିଆର ମଜଦୁର ଦଳିତ, ମଥିତ ପାଇଁ ମହାସଂଗ୍ରାମର ନାୟକ ଓ ମହାନ୍‍ ଲେନିନ୍‍ଙ୍କର ଯୋଦ୍ଧାରୂପ ଓ ଯୁଦ୍ଧର ଚିତ୍ରମାନ ଫୁଟି ଉଠୁଥିଲା-ମନରେ ଭାସିଯାଉଥିଲା । ସାଥି ଭଗବତୀଙ୍କର ଗୀତର ପଦଟିଏ-

 

“ମନ ଚାହାଁରେ .....ମନ ଚାହାଁରେ; ରୁଷିଆ ଦେଶକୁ ଚାହାଁରେ.....

ରୁଷିଆ ଦେଶରେ ବସିଛି ଲେନିନ୍‍ ଟେକିଦେଇ ଅଛି ବାହାରେ.........”

 

ମସ୍କୋରେ ରହଣୀ ଭିତରେ ପ୍ରାଣନାଥ, ତାଙ୍କ ସହିତ ଆସିଥିବା ଭାରତୀୟ ସାମ୍ବାଦିକ ସାଥିମାନେ ଏବଂ ଭାରତ ବାହାରୁ ଅନ୍ୟ ଦେଶମାନଙ୍କରୁ ଆସିଥିବା ଯଥା ଲାଟିନ ଆମେରିକାନ ଦେଶର ଚିଲି, କ୍ୟୁବା, ଭେନେଜୁଏଲାରେ ୟୁରୋପର ବୁଲ୍‍ଗେରିଆ, ଚେକୋସ୍ଲୋଭାକିଆ ତଥା ଆଫ୍ରିକାର କଂଗୋ, ସେନେଗାଲ ଆଦି ରାଷ୍ଟ୍ରର ଆଗନ୍ତୁକ ସାଥୀମାନଙ୍କ ସହିତ ବିସ୍ମୟାଭିଭୂତ ହୋଇ ମସ୍କୋ ବିଶ୍ୱବିଦ୍ୟାଳୟ, ପାଲେସ ଅଫ୍‍ ପାୟୋନିୟର୍ସ, ଦ୍ୱିତୀୟ ବିଶ୍ୱଯୁଦ୍ଧ ପାଇଁ ଉତ୍ସର୍ଗୀକୃତ ମ୍ୟୁଜିୟମ୍‍, ଯେଉଁଠାରେ ବିଶାଳ ଏକ ମନୁମେଣ୍ଟ ଭାବରେ ଜଣେ ରୁଷୀୟ ଯୋଦ୍ଧା ଗୋଟିଏ ନିଷ୍ପାପ ଶିଶୁକୁ କୋଳରେ ସୁରକ୍ଷା ଦେବା ପାଇଁ ଜାକିଧରି ନିଜର ଉନ୍ମୁକ୍ତ ତରବାରୀ ମୁକ୍ତକରି ଧରିଛି ଏବଂ ଫାସିବାଦର ସନ୍ତକ ଏକ ବିଶ୍ୱାଳ 'ସ୍ୱସ୍ତିକ'କୁ ଉଦ୍ୟତ ଦୃପ୍ତ ପାଦପାତରେ ଚୂର୍ଣ୍ଣବିଚୂର୍ଣ୍ଣ କରି ଦେଉଥିବାର ମନୁମେଣ୍ଟରେ ରୂପାୟିତ ହୋଇଛି । ତଳେ ଲେଖା, ଆମେ ନୁହେଁ-ଫାଶୀବାଦ ନାଜିବାଦର କବର ଖୋଳି, ଆମେ ଆମ ଭବିଷ୍ୟତ ସାମାଜକୁ, ମଣିଷକୁ ରକ୍ଷା କରିବୁ । ପ୍ରାଣନାଥ ଦେଖିଲେ ବିଶ୍ୱପ୍ରସିଦ୍ଧ ଔପନାସିକ ଲିଓ ଟଲଷ୍ଟୟଙ୍କର ମସ୍କୋ ବାସଭବନରେ ଯାହା ତାଙ୍କରି ସମୟରୁ ସେହିପରି ସୁରକ୍ଷିତ ହୋଇ ରହିଛି । ତାଙ୍କର ପଢ଼ା ଟେବୁଲରେ ମହାତ୍ମା ଗାନ୍ଧୀଙ୍କର ପ୍ରେରିତ “ହରିଜନ” ପତ୍ରିକାର କେଇଟି ସଂଖ୍ୟା, କାଚ ତଳେ ସେ ଯେପରି ଥିଲା ସେହିପରି ସୁରକ୍ଷିତ ହୋଇ ରହିଛି, ୟୁରୋପ ସାରା ଲେଖକମାନେ ତାଙ୍କ ପାଖକୁ ଆସୁଥିଲେ, ଟଲଷ୍ଟୟଙ୍କ କନ୍ୟା ମେରୀ ଟଲଷ୍ଟୟଙ୍କ ଆଗନ୍ତୁକ ପ୍ରସିଦ୍ଧ ଲେଖକ ସାଥୀମାନଙ୍କର ଦସ୍ତଖତ ଗୋଟିଏ କଳାକନାରେ ନେଇ ତାକୁ କ୍ରୋଡେଟରେ ସିଲେଇ କରିଛନ୍ତି । ତାହା ଖଣ୍ଡେ କାଚତଳେ ପ୍ରଦର୍ଶିତ ହୋଇଛି - ସମୟ ଅଭାବରୁ କିନ୍ତୁ ଟଲଷ୍ଟୟଙ୍କର ଜମିଦାରିରେ ଥିବା ଘର “ୟସ୍‍ନାୟା ପଲ୍ୟାନା”କୁ ଯାଇପାରିଲେ ନାହିଁ । ମସ୍କୋରେ ସପ୍ତାହେ ଉପରେ ବିତାଇ, ପ୍ରାଣନାଥଙ୍କୁ ଏବଂ ତାଙ୍କ ସାଥୀମାନଙ୍କୁ ମସ୍କୋରୁ ଲେନିନ୍‍ ଗ୍ରାଡ଼କୁ ଯାଉଥିବା “ରେଡ୍‍ ଆରୋ ଏକ୍ସପ୍ରେସ” ଟ୍ରେନଯୋଗେ 'ଲେନିନ୍‍ଗ୍ରାଡ଼୍‍ ନେଇଯାଇଥିଲେ । ସେଠାରେ ବିଶ୍ୱପ୍ରସିଦ୍ଧ ସାଲିଟକୋଉ ସାରିଚନ ପାଠାଗାର ଯାହାକୁ ୨ୟ ବିଶ୍ୱଯୁଦ୍ଧର ବୋମାବର୍ଷଣ ଭିତରେ ମଧ୍ୟ ସୁରକ୍ଷିତ କରି ରଖାଯାଇଛି-ଦେଖିଲେ, ଯେଉଁଠାରେ ମହାନ ଲେନିନ୍‍ ମୁକ୍ତିର ସନନ୍ଦ ସମ୍ବିଧାନ ପାଠ କରିଥିଲେ-ଦେଖିଲେ ଜାର୍‍ଙ୍କର ପ୍ରାସାଦ-ଅକ୍ଟୋବର ବିପ୍ଳବ ପୂର୍ବରୁ ଆଘାତ ଆରମ୍ଭ କରିବାକୁ ସୂଚନା ଦେଇଥିବା 'କ୍ରୁଇଜ୍‍ ଅରୋରା' ଜାହାଜ ଏ ପଯ୍ୟନ୍ତ ସେଇଠାରେ ଜଗତବାସୀଙ୍କ ପାଇଁ ସୁରକ୍ଷିତ ହୋଇ ରହିଛି - ପ୍ରବଳ ପରାକ୍ରାନ୍ତ 'ଜାର୍‍'ମାନଙ୍କ ଠାରୁ ଦଳିତ ସଂଗଠିତ, ଐକ୍ୟବଦ୍ଧ ସର୍ବହରାମାନଙ୍କର କ୍ଷମତା ଦଖଲର ଆରମ୍ଭର ସୂଚନା ଦେଇ ।

 

ପୁଞ୍ଜିବାଦର ପ୍ରଚଣ୍ଡ ଆଘାତରେ ଏବଂ ହୁଏତ ନିଜର ତ୍ରୁଟି ଫଳରେ ବିଘଟିତ ହୋଇଯାଇଥିବା ସୋଭିଏତ ୟୁନିୟନର ସବୁଠାରୁ ଦର୍ଶନୀୟ ସ୍ଥାନ; ବିଶେଷକରି ପ୍ରାଣନାଥଙ୍କ ପରି ଆମ ଦେଶର କୃଷକ/କୃଷି ଆନ୍ଦୋଳନର ଜଣେ ପଥିକୃତଙ୍କ ପାଇଁ ଥିଲା ସୋଭିଏତ ୟୁନିୟନ ସାରା ବିସ୍ତାରିତ ହୋଇ ରହିଥିବା 'କୋଠ ଖମାର” ବା କଲେକ୍ଟିଭ ଫାର୍ମ-ଯାହା ସାମଗ୍ର ସୋଭିଏତ ୟୁନିୟନର ବିଭିନ୍ନ ୟୁନିୟନ ବା ଦେଶର କୃଷକ ସମାଜର ସାର୍ବିକ ମୁକ୍ତି ଆଣିଦେଇଥିଲା ଏବଂ ସେମାନଙ୍କର ଜୀବନର ମାନକୁ ରୋଜଗାରକୁ ବହୁଗୁଣିତ କରିଥିଲା-ଅପରପକ୍ଷରେ ସମଗ୍ର ରାଷ୍ଟ୍ରର କୃଷି ଉତ୍ପାଦନ, ବିଶେଷ କରି ଶୀତପ୍ରଧାନ ବରଫାଚ୍ଛନ୍ନ ଦେଶର ଗହମ (ମୁଖ୍ୟ ଖାଦ୍ୟଶସ୍ୟ) ଉତ୍ପାଦନ ବହୁଗୁଣିତ କରିଥିଲା । ସେଠାରେ ସମସ୍ତଙ୍କ ପାଇଁ ଖାଦ୍ୟ, ବାସଭବନ, ରୋଜଗାର, ଏକ ସାମାଜିକ ଅଧିକାର ଭାବରେ, ସମ୍ଭିଧାନିକ ଅଧିକାର ଭାବରେ ସ୍ୱୀକୃତ ହୋଇ ସଫଳ ଭାବେ କାର୍ଯ୍ୟକାରୀ ହେଲା । -ଭବିଷ୍ୟତ ବଂଶଧର ଶିଶୁ ପ୍ରତି ଅସମ୍ଭବ ଧ୍ୟାନ ଦିଆଯିବାର ଦେଖିଲେ ପ୍ରାଣନାଥ-ସେଠାରେ କୁହାଯାଇଥିଲା “ଆମ ଦେଶରେ ଏକ ଶ୍ରେଣୀର ପୁଞ୍ଜିପତି ଅଛନ୍ତି-ସେମାନେ ଆମ ଦେଶର ଶିଶୁ ।”

 

ଦେଶକୁ ଫେରିଯାଇ ବିଶେଷ କରି ତାଙ୍କ ପ୍ରିୟ ଖୋର୍ଦ୍ଧା ଅଞ୍ଚଳରେ କିପରି ନିଜର ଏ ଲୋଭନୀୟ ଅଭିଜ୍ଞତାର କାହାଣୀ କହି ନିଜର ଜୀବନ ବଳିଦାନ ଦେଇ ବି ମଣିଷକୁ ଐକ୍ୟବଦ୍ଧ କରି ଅଭିବୃଦ୍ଧ ସାଧନର ସାଫଲ୍ୟ ପାଇବାକୁ ଶିକ୍ଷାଦେବେ, ଏଥିପାଇଁ ପ୍ରାଣନାଥ ବିଚଳିତ ହୋଇଉଠିଲେ ।

 

ସୋଭିଏତ ୟୁନିୟନରେ ରହଣିର ଶେଷ ପ୍ରାୟ ପନ୍ଦର ଦିନ, ପୂର୍ବ ନିର୍ଦ୍ଧାରିତ ମତେ ପ୍ରାଣନାଥଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷଣ ପାଇଁ ବିଶେଷ କରି ଆର୍ଥରାଇଟିସ ଇତ୍ୟାଦି ପାଇଁ ଅନ୍ୟାନ୍ୟ ପ୍ରତିନିଧିବର୍ଗଙ୍କ ଠାରୁ ଅଲଗା କରି ନେଇ, କୃଷ୍ଣସାଗର ବା ବ୍ଲାକ୍‍ସି ସନ୍ନିକଟବର୍ତ୍ତୀ ସାନାଟୋରିୟମକୁ ନିଆଗଲା । ସେଠାରେ କୃଷ୍ଣସାଗର ଉପକୂଳରେ ଚିକତ୍ସା ପାଇବା ସଙ୍ଗେ ସଙ୍ଗେ, ବାୟୁ/ପରିବେଶ ପରିବର୍ତ୍ତନ, ସେଠାରେ ଥିବା ଖୋର୍ଦ୍ଧାର ଅଟ୍ରିଭଳି ଉଷ୍ଣ ପ୍ରସ୍ରବଣରେ ଆଣ୍ଠୁ ପର୍ଯ୍ୟନ୍ତ ବୁଡ଼ାଇ ବସିବା, ହାତ ବୁଡ଼ାଇବା, ସେ ବାଷ୍ପ ଗ୍ରହଣ କରିବା ଇତ୍ୟାଦି କରାଇ କ୍ରିମିୟା ସହରର ଚିକିତ୍ସକମାନେ ନର୍ସମାନେ ତଥା ସମଗ୍ର ସାନାଟୋରିୟମ ପ୍ରାଣନାଥଙ୍କୁ ସମ୍ପୂର୍ଣ ଚଙ୍ଗା କରିଦେଇ ବିଦାୟଦେଲେ ।

 

ବିଦାୟ ନେଲାବେଳେ ସୋଭିଏତ ଭୂମିକୁ ଆଭୂମି ପ୍ରଣାମ କରି ପ୍ରାଣନାଥ ମନେ ମନେ ଆଉଡ଼ାଉଥିଲେ ନୂତନ ସମାଜର ନୂତନ ସୃଷ୍ଟିର କାହାଣୀକୁ ପରିବର୍ତ୍ତିତ ମଣିଷ ସମାଜର କାହାଣୀକୁ କିପରି ସେ ସବୁସାଥୀମାନଙ୍କ ସମ୍ମୁଖରେ, ଭାଗଚାଷୀ ଆନ୍ଦୋଳନର ସବୁ ଲଢ଼େଇ ଭିଡ଼େଇର ସାଥୀମାନଙ୍କ ଆଗରେ ଉପସ୍ଥାପିତ କରି ସେମାନଙ୍କୁ ଅନୁପ୍ରାଣୀତ/ପ୍ରଚୋଦିତ କରିପାରିବେ ।

 

ଅନ୍ତିମ ଅଧ୍ୟାୟ

ପ୍ରାଣନାଥଙ୍କ ଶେଷଯାତ୍ରା

 

୧୯୭୦ ମସିହାର ସର୍ବଶ୍ରେଷ ପଦଯାତ୍ରା ପୂର୍ବରୁ ପଶ୍ଚିମ ଓଡ଼ିଶା ବିଶେଷ କରି କଳାହାଣ୍ଡିରେ ପଡ଼ିଥିବା ନିଦାରୁଣ ମରୁଡ଼ି ବେଳେ ନିଜର ଶରୀର କଥା ପଛକୁ ପକାଇଦେଇ ପ୍ରାଣନାଥ ୧୯୬୬ ମସିହାରେ ଫୁଲବାଣୀ, କଳାହାଣ୍ଡି, ବଲାଙ୍ଗୀର, ଜିଲ୍ଲାର ଅଗମ୍ୟ ଗାଁମାନଙ୍କୁ ଟିଟିଲାଗଡ଼ ବା ଯାହାକୁ ଖରାଦିନେ ତତଲାଗଡ଼ ବୋଲି କୁହନ୍ତି, ସେଠାରୁ ଅଦୂରବତ୍ତୀ ସିନ୍ଧେକେଲାର ମରୁଡ଼ି ପ୍ରପୀଡ଼ିତ ଅଞ୍ଚଳ, “ଶୁଖା” ଅଞ୍ଚଳ ସବୁ ନିଦାଘର ପ୍ରଚଣ୍ଡ ରୋଦ୍ରତାପ ୪୫ ଡିଗ୍ରୀ ରୁ ଅଧିକ ତାତିକୁ ବେଖାତିର କରି ଅଞ୍ଚଳର କମ୍ରେଡ୍‍ ମାନଙ୍କୁ ଧରି ବୁଲୁଛନ୍ତି । କଳାହାଣ୍ଡିର ମା’ ଛୁଆକୁ ବିକିବାର କାହାଣୀକୁ ନିଜ ଆଖିଦେଖା ଅଭିଜ୍ଞତାକୁ ଆଣି ସାମ୍ବାଦିକ ସମ୍ମିଳନୀରେ ପ୍ରାଣନାଥ ହିଁ ପ୍ରଥମେ ବଖାଣିଥିଲେ ।

 

ପ୍ରାଣନାଥଙ୍କର ପଶ୍ଚିମ ଓଡ଼ିଶା ବିଶେଷ କରି ବଲାଙ୍ଗୀର (ବରଗଡ଼କୁ ପଛପଟୁ ଲାଗିଛି) ଏବଂ ତା ପାଖକୁ ଲାଗି ଏବର ନୂଆପଡ଼ା ୧୯୬୬ ମସିହାର କଳାହାଣ୍ଡି ଅଞ୍ଚଳରେ ପଦଯାତ୍ରା ସମ୍ପର୍କରେ ପ୍ରତ୍ୟକ୍ଷ ଅଭିଜ୍ଞତା ବର୍ଣ୍ଣନା କରି ବରଗଡ଼ର ଜନନାୟକ କମ୍ରେଡ୍‍ ୰ ଲେଙ୍ଗୁ ମିଶ୍ର ଲେଖିଥିଲେ, “ପାଣି, ଦହି କିଛି ଖାଉନ ଖାଉନ କହେଲେ, ବର୍ତ୍ତମାନ ସମୟରେ ସୁନ୍ଦରଗଡ଼, ସମ୍ବଲପୁର, କଳାହାଣ୍ଡି, ବଲାଙ୍ଗୀର ଆଦି ଅଞ୍ଚଳରେ ଲୋକଙ୍କ ଅବସ୍ଥା ଯେତିକି ଖରାପ ତା’ଠୁଁ ଶିଶୁ ଛାତ୍ରଆଦିଙ୍କ ଅବସ୍ଥା ଉଦ୍‍ବେଗଜନକ । କାନ୍ଦିବା ହସିବା ବଳ ଦିନକୁ ଦିନ କ୍ଷୀଣ ହେଉଛି । ଦେଶର ଛାତ୍ର ସମ୍ପଦ, ଯୁବ, ଶିଶୁ ସମାଜକୁ ଆତଙ୍କଶୂନ୍ୟ ଜୀବନଯାପନ, ନିରାପତ୍ତା ପାଇଁ ଚିନ୍ତା ନକଲେ ଆଉ ରକ୍ଷା ନାହିଁ । ଆମେ କମ୍ୟୁନିଷ୍ଟ ନିରବ ରହିବା କିପରି ? ତୁମକୁ ତ୍ୟାଗ କଷ୍ଟ ଉଠାଇବାକୁ ହେବ । ନ ଉଠାଇଲେ ଲୋକଙ୍କ ଶିଶୁ ଛାତ୍ରଙ୍କ ଅବସ୍ଥା ସମ୍ଭାଳି ହେବ ନାହିଁ । କହି କହି ହାତର ଆଙ୍ଗୁଠି, ପାପୁଲି ପାଦ ସବୁକୁ ବହୁଥର ଫୁଟାଇ ପକେଇଲେ । “ଆମର ପରେ ତମେମାନେ ଏହି ଦାୟିତ୍ୱ ନନେଲେ ଆଉ କିଏ ନେବା ? କିଏ କାହାକୁ କହିବାର ସବୁତକ ତ ଦେଖୁଛି- ଏଣୁ ସବୁବେଳେ ଯେଉଁଠି ଅନ୍ୟାୟ, ଦୁର୍ନୀତି, ଶୋଷଣ, ମାରଣ ରହିଲା, ଦେଖିଲା କାହାକୁ ଅପେକ୍ଷା କରିବା ଦରକାର ପଡ଼ୁନାହିଁ-ସେଠି ସଙ୍ଗେ ସଙ୍ଗେ ସଂଗ୍ରାମ ଚାଲୁ କରିଦେବାର ଅଛି-ନହେଲେ ତ୍ରାହି ତ୍ରାହି । ଅନ୍ୟ ଉପାୟ ନାହିଁ, କହିଲ ? ୟେ ହା ଅନ୍ନ ହା’ ମରଣ, ହା’ ହତାଶ ସର୍ବହରା ଅଞ୍ଚଳକୁ ଯାଆନ୍ତୁ ଓ ସରକାରଙ୍କୁ ନାକେଦମ କରନ୍ତୁ । ଏକଥା ତାଙ୍କ ଭାଷାରେ “ଖରା ଚଟ ଚଟ ଦୁଇପ୍ରହର ବେଳରେ ଘଟିଥିଲା ସାଥି ଲେଙ୍ଗୁ ମିଶ୍ର ପ୍ରାଣନାଥଙ୍କ ମୁହଁର ଭାଷା ଉତ୍ତାରି ଆଣିଛନ୍ତି- ନିଜେ ତାଙ୍କ ନିର୍ଦ୍ଦେଶରେ ହୋଇ ମୃତ୍ୟୁ ପର୍ଯ୍ୟନ୍ତ କାମରେ ଲାଗିଛନ୍ତି ।”

 

ଏବେକାର ଓଡ଼ିଶାର ଶାସକ ଦଳ କିମ୍ବା କେନ୍ଦ୍ରର ଶାସନ କରୁଥିବା ଦଳ, ଏପରିକି ଶାସନ କ୍ଷମତା ଠାରୁ ବହୁ ଦୂରରେ ଥିବା ରାଜନୈତିକ ଦଳର ନେତୃବୃନ୍ଦ କେହି ପ୍ରଚଣ୍ଡ ରୌଦ୍ରତାପରେ ଗାଁକୁ ଗାଁ ପଦଯାତ୍ରା କରି ମଣିଷଙ୍କ ପାଖରେ ପହଞ୍ଚିବାର କଳ୍ପନା ମଧ୍ୟ କରିବେ ନାହିଁ । ମରୁଡ଼ି ଦେଖିବାକୁ ଗଲାବେଳେ ମଧ୍ୟରେ ସରକାରରେ ଥିଲାବେଳେ ହେଲିକପ୍ଟରରେ ନହେଲେ ଶୀତତାପ ନିୟନ୍ତ୍ରିତ କରୁଥିଲେ । ଅଏସ କରୁଥିବା ବା ଲକ୍‍ଜରୀ କାର୍‍/ଗାଡ଼ି ନହେଲେ କଳାହାଣ୍ଡି/ ଫୁଲବାଣୀ / ବଲାଙ୍ଗୀର/ ସମ୍ବଲପୁର ଗସ୍ତରେ ଯିବାକୁ କେହି ବାହାରିବେ ନାହିଁ ।

 

ମନେ ପଡ଼ୁନାହିଁ, ମେ କିମ୍ବା ଜୁନ୍‍ ମାସ । ପ୍ରାଣନାଥ ଖୋର୍ଦ୍ଧା ସବ୍‍ଡିଭିଜନ୍‍ ସାରା ଅର୍ଥାତ ସେପଟେ ଚିଲିକା/ ବାଣପୁର ଠାରୁ ଏପଟେ ନୟାଗଡ଼ ପର୍ଯ୍ୟନ୍ତ-ଆରପଟେ ମେଣ୍ଢାଶାଳ, ଛତାବର, ଚନ୍ଦକା ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳ ସମ୍ପ୍ରତି ଯାହା ଖୋର୍ଦ୍ଧା ଜିଲ୍ଲା ଭାବରେ ଖ୍ୟାତ (ଭୁବନେଶ୍ଵରକୁ ବାଦଦେଇ) ସେ ସମଗ୍ର ଅଞ୍ଚଳଯାକ ଗାଁ କୁ ଗାଁ ପଦଯାତ୍ରା କରି ବୁଲିବେ । ସମଗ୍ର ଅଞ୍ଚଳ ମରୁଡ଼ି ପ୍ରପୀଡ଼ିତ ଲୋକେ ଖାଦ୍ୟାଭାବରେ ଡହଳ ବିକଳ ହେଉଛନ୍ତି । ଖୋର୍ଦ୍ଧା ସାରା, ବୋଲଗଡ଼-ବେଗୁନିଆ, ଦାରୁଠେଙ୍ଗ ଚନ୍ଦକା, ଟାଙ୍ଗୀ, ରଣପୁର, ସବୁ ପ୍ରାୟ ଏକ ଫସଲ ଜମି- ଜଳସେଚନ ପାଇଁ ବର୍ଷା ହିଁ ଏକମାତ୍ର ସହାୟ । ଦୁଇବର୍ଷ ଧରି ଅନାବୃଷ୍ଟି ପଡ଼ିଥିବାରୁ ଫସଲ ହୋଇନାହିଁ । ବିଲ-ଫାଟି ଆଁ କରିଛି । ବାହାରୁ ଆସୁଥିବା ଧାନ/ଚାଉଳ ଉପରେ ନିର୍ଭର କରି ବଞ୍ଚିବାକୁ ହେଉଥିଲା । ପ୍ରାଣନାଥ ତାଙ୍କ ପାର୍ଟି ସାଥୀମାନଙ୍କୁ ଧରି ଗାଁ କୁ ଗାଁ ପଦଯାତ୍ରାରେ ବୁଲି ବୁଲି ବାଟରେ କାହା ବାରଣ୍ଡାରେ ଅବା ସ୍କୁଲ ଘର ପିଣ୍ଡାରେ ରାତ୍ରୀଯାପନ କରି-ଗାଁ ମାନଙ୍କରେ ସ୍ତ୍ରୀ ଲୋକମାନେ ଯେଉଁ ଖାଦ୍ୟ ରାନ୍ଧି ଦେଉଥିଲେ ତାକୁଇ ଖାଇ ପଦଯାତ୍ରା କରିଥିଲେ । ପ୍ରାୟ ୨୫୦ ମାଇଲ ବୁଲୁଥିଲେ ।

 

ଏ ପ୍ରଚଣ୍ଡ ଉଦୁଉଦିଆ ଖରାରେ ଉପର ତାତି ତଳ ତାତିରେ ପ୍ରାଣନାଥଙ୍କର ଏ “ଲଙ୍ଗମାର୍ଚ୍ଚ” (ଅନେକ ଏ ଅନ୍ତିମ ପଦଯାତ୍ରାକୁ ଲଙ୍ଗମାର୍ଚ୍ଚ ବୋଲି ହିଁ ଉଲ୍ଲେଖ କରିଛନ୍ତି) ବା ସର୍ବଶେଷ ପଦଯାତ୍ରା ତାଙ୍କ ପ୍ରିୟ ଖୋର୍ଦ୍ଧା ମାଟିର ଜନଗଣଙ୍କୁ ଶେଷ ଥର ପାଇଁ ଭେଟିଯିବାକୁ ହୁଏତ ଉଦ୍ଦିଷ୍ଟ ଥିଲା ।

 

ଖୋର୍ଦ୍ଧା ଏକଫସଲି ଜମିକୁ ଜଳସେଚିତ କରାଇବାକୁ, ମରୁଡ଼ିକୁ ହରାଇଦେବାକୁ ବାଙ୍କୀଠାରୁ ମହାନଦୀରେ ଆନିକଟ କରାଇ ମହାନଦୀର ଜଳଧାରାକୁ ଶୁଖିଲା ରଣନଈ ବାଟରେ ପକାଇ, ମଲାଗୁଣି ବା ମନ୍ଦାକିନୀରେ ପକାଇବାକୁ, ଖୋର୍ଦ୍ଧସାରା ପୁରା ରହିଥିବା ବୁଣାକାର ରଙ୍ଗଣୀ ମାନଙ୍କର ଲୁଗା/ ଲୁଙ୍ଗି ବୁଣା ଚଳାଇ ରଖିବାକୁ, ଅବାରିତ ଭାବରେ ସମବାୟ ଜରିଆରେ ସୁତା, ଛଣି ସୁତା ଯୋଗାଇବାକୁ ବୁଣାଯାଇଥିବା ଲୁଙ୍ଗି, ଲୁଗା, ଗାମୁଛା ତନ୍ତୁବାୟ ସମିତି ଜରିଆରେ କେନ୍ଦ୍ରୀୟ ଭାବରେ ମାର୍କେଟିଂ କରାଇବାକୁ, ଚାଷୀକୁ ପାଣିଦେବାକୁ, ମରୁଡ଼ି ଅଞ୍ଚଳର ଖଜଣା, ଜଳକର, ପିଲାଙ୍କର ଦରମା/ପରୀକ୍ଷା ଫି ଛାଡ଼ କରାଇବାକୁ ସରକାରଙ୍କର ଚେଇଁ ଶୋଇବା ଭାଙ୍ଗିବାକୁ ନ ହେଲେ ଜନ ଆନ୍ଦୋଳନର ଗଢ଼ି ତୋଳିବା ଏବଂ ସେଥିପାଇଁ ଜନତାଙ୍କୁ ଜନତାକୁ ଜାଗରିତ କରାଇବା ହିଁ ତାଙ୍କର ରୋଗାକ୍ରାନ୍ତ ଦେହରେ, ଆଣ୍ଠୁ ଦରଜ ଭିତରେ ପ୍ରଧାନ କର୍ତ୍ତବ୍ୟ ଥିଲା, ଦିନକୁ ୬ ମାଇଲ ବା ୧୦ କିଲୋମିଟର ପାର୍ଥ ଚାଲିବ - ସଞ୍ଜ ବୁଡ଼ିଲେ ଯେଉଁ ଗାଁରେ ପହ୍ନଞ୍ଚିବେ, ସେଠାରେ ସଭା କରିବା କାହା ଓଳିର, କାହା ବାରଣ୍ଡାରେ, ଗାମୁଛା ପାରି ଶୋଇଯିବା ଏବଂ ଗାଁର ଝିଅ-ବୋହୂମାନଙ୍କ ଯାହା ଦିଇଟା ଖାଇବାକୁ କରିଥିବେ ତାକୁ ଖାଇ ତା’ ପରଦିନ ପୁଣି ବାଟ ଚାଲିବ, ଗାଁ କୁ ଗାଁ ଧାନ ବିଲର ଶୁଖିଲା ଚେହେରା ଦେଖିବା ମଣିଷର ଆର୍ତ୍ତ କାହାଣୀ ପ୍ରତ୍ୟକ୍ଷ କରି ସମବେଦନା ଜଣାଇବା ।

 

ଏଇ ବାଟଚାଲି ଭିତରେ ପ୍ରାଣନାଥଙ୍କର ଦେହ କ୍ରମଶଃ ଖରାପ ହୋଇ ଯାଉଥିଲା । ଗୋଟାଏ ପଟେ ଯୁବାକ ଦିନରୁ ବହନ କରିଥିବା, ଅନଶନ ଇତ୍ୟାଦି କରି କରି ବଢ଼ିଯାଇଥିବା ପେଟ ବେମାରୀ-ତା ସାଙ୍ଗକୁ ରୁମାଟଏଡ଼ ଅର୍ଥାରାଇଟସ ବା ତରିବର ଆଣ୍ଠୁ ଗଣ୍ଠି ବାତ । ତାଙ୍କ ପାଦ ତ କେହି ତେଲ ଲଗାଇ ମୋଦି ଦେଉନଥିଲେ । ନିଜେ ନିଜେ କବେ କେବେ ନିଜ ଗୋଡ଼ରେ ଟିକେ ତେଲ ମାଲିସ କରିଦିଅନ୍ତି ସେ - ତାଙ୍କର ଆଦ୍ୟ ଜୀବନର ରାଜନୈତିକ ସାଥି ବୈଦ୍ୟନାଥ ରଥ ତାଙ୍କ ବିୟୋଗ ପରେ ପଦଟିଆ ଲେଖିଛନ୍ତି, “ଅଖିଆ ଅପିଆ ଖଟି ଖଟି ପ୍ରାଣନାଥ ବାବୁଙ୍କର ସ୍ୱାସ୍ଥ୍ୟ ଭାଙ୍ଗି ଯାଇଥିଲା । ତାର ପରିଣତି ଯାହା ହେବାର ହେଲା” ଗାଳ୍ପିକା ତଥା ଆଡ଼ଭୋକେଟ ଅଖିଳ ମୋହନ ପଟ୍ଟନାୟକ ଲେଖିଥିଲେ “ସେ ପାନ ସିଗାରେଟ କି ଚାହା, କଫି ମଧ୍ୟ ପିଉନଥିଲେ । ଅଥଚ ଭାଗ୍ୟରେ ପରିହାସ ଯେ ଅସୁସ୍ଥ ଅବସ୍ଥାରେ ତାଙ୍କୁ ପରୀକ୍ଷା କରିଥିବା ଡାକ୍ତର ମାନଙ୍କ ମତରେ ତାଙ୍କ ଶରୀରର ଲିଭର, କୀଡୀନ ପ୍ରଭୃତି ପ୍ରଦାନ ଓ ଅକାମି ହୋଇପଡ଼ିଲଥିଲା । ସେ ନିଜ ଶକ୍ତି ଅପେକ୍ଷା ଅଧିକ ପରିଶ୍ରମ କରି ନିଜର ଆୟୁ ତିଳ ତିଳ କରି କ୍ଷୟ କରୁଥିଲେ ଏଥିରେ ସନ୍ଦେହର ଅବକାଶ ନାହିଁ ।”

 

ପ୍ରାୟ ଏକମାସ ଧରି ଲଗାତାର ଭାବରେ ପଦଯାତ୍ରା ଫଳରେ ପ୍ରାଣନାଥ କ୍ରମଶଃ ଆବାସ ହୋଇଉଠିଲେ - ମନୋବଳ କିନ୍ତୁ ପୂର୍ବପରି ଅନମନୀୟ ଥାଏ । ଭାଙ୍ଗିପଡ଼ିବ ଲୋକ ସିଏ ନୁହନ୍ତି । ତାଙ୍କ ଦେହ ଖରାପ କଥା ସେ ନାଁ ତାଙ୍କର ସହଧର୍ମିଣୀ ମଞ୍ଜରୀ ଦେବୀଙ୍କୁ କିମ୍ବା ନିତି ନିତି ଦେଖା ହୋଇଥିବା ପରିଚର୍ଯ୍ୟ କରିଥିବା ଆମମାନଙ୍କୁ ମଧ୍ୟ କହୁନଥିଲେ - କେବଳ ତାଙ୍କର ମୁଁହରେ ଲାଖି ରହିଥିବା ହଂସାରୁ ଖିଏ ଛାଡ଼ି ଦିଅନ୍ତି ।

 

ସେଦିନରେ ବାର, ତାରିଖ ମନେ ନାହିଁ । ପ୍ରାଣନାଥ ବାବୁଙ୍କ ସହିତ ସଂଯୁକ୍ତ କଲେଜ ପିଅନ, ପ୍ରଫୁଲ ଆସନ୍ନ ସଂଧ୍ୟାରେ ହଠାତ ଆସି କହିଲେ, ସାର ଶୀଘ୍ର ଆସନ୍ତୁ - ପ୍ରାଣା ବାବୁ ଡାକୁଛନ୍ତି - ସିଏ ଆନନଙ୍କ ସହିତ କଥାଭାଷା ହୋଇ କୁଆଡ଼େ ଯିବେ । ଲେଖକର ବାସଗୃହ ଠାରୁ ପ୍ରାଣନାଥଙ୍କ ଆବାସସ୍ଥଳୀ ଅତିବେଶୀରେ ଦୁଇଫର୍ଲଗ ବାଟ । ଆସି ପହ୍ନଞ୍ଚି ଦେଖେ, ପ୍ରାଣନାଥ ତାଙ୍କ ସତରଞ୍ଜି ....ହୋଇଥିବା ଫେଡ଼ିଙ୍ଗ ଉପରେ ଟିଣ ସୁଟକେଶଟିଏ ଥୋଇ କୁଆଡ଼େ ଯିବା ପାଇଁ ବାହାରିଛନ୍ତି - କହିଲେ ‘ଟିକେ କଲିକତା ଯାଇ ବୁଲି ଅସିବ। ଲେଖକ ତାଙ୍କୁ ପ୍ରଶ୍ନ କରିଥିଲେ ଯେ, - କଲିକତା କାହିଁକି ଯାଉଛନ୍ତି ଆପଣ ? ପାର୍ଟି କାର୍ଯ୍ୟରେ ତ ନୁହେଁ - ‘ହେଲେ ମୁଁ ଜାଣିଥାନ୍ତି - କୁଆଡ଼େ ଯିବେ ? ସେ ତାଙ୍କର ସେହି ସଂକ୍ରାମକ ହସ ହସିଦେଇ କହିଲେ - ପିଲା କହୁଛନ୍ତି ବାପା, ତମେ ଆସି କଲିକତାରେ ବଡ଼ ବଡ଼ ଡାକ୍ତର ଏବଂ ଡାକ୍ତରଖାନାରେ ସବୁ ଏକଜାମିନ କରାଇଦିଅ-। ଜୀବନସାରା ତ ତାଙ୍କମାନଙ୍କ ପାଖରେ ରହିନାହିଁ ପ୍ରଭାସ (ତାଙ୍କର ଜେଷ୍ଠ ପୁତ୍ର ଏବଂ ଲେଖକଙ୍କର ସମବୟସୀ ଏବଂ ସମ୍ଭବତଃ ବ୍ୟାଚମେଟ) ଙ୍କ ଘରେ ଯାଇ ୭/୮ ଦିନ ରହିଗଲେ, ତାଙ୍କ ମନବୋଧ ହୋଇଯିବ - ମୁଁ କଲିକତାରେ ବିଷ୍ଣୁବାବୁଙ୍କ (ବିଷ୍ଣୁଚରଣ ପଣ୍ଡା ଗାୟକ-ସୋଭିଏତ ଦେଶର ସହସମ୍ପାଦକ ଏବଂ ପ୍ରେସ୍‍ ମାଲିକ) ପର୍ସରେ ‘ଆସନ୍ତା କାଲିର ସାହିତ୍ୟ’ର ଲେଖାଗୁଡ଼ାକ ଚାପିଦେବି - ତମେ ତାର ପ୍ରଥମ ଏବଂ ଶେଷ ଅଂଶ ଗୁଡ଼ାକ ଲେଖି ପଠାଇଦେବ -ଯୋଉଠି ଯାହା ସଂଶୋଧନ ଦରକାର କରିଦେଇ ପଠାଇବ । ଦିନ କେଇଟାରେ ତାଙ୍କ ମନ ବୁଝିଗଲେ ଆମେ ଆମର ଫେରିଆସିବ ନାହିଁ ?” ଲେଖକର ହୃଦବିଧା ହେଉନଥିଲା ଏ କଥାଗୁଡ଼ାକ । ପ୍ରାଣନାଥ ବାବୁ ସଜ ହେଉଥିଲେ, ତାଙ୍କର ସତରଞ୍ଜିରେ କନ୍ଥା, ତକିଆ ବାନ୍ଧି ଏବଂ ଗୋଟିଏ ସୁଟକେଶରେ ଲୁଗାପଟା ନେଇ ବିଚାରିଥିଲା ଯେ, କିଛି ଗୋପନ କରୁଛନ୍ତି କି ? ସେଇ ରାତିରେ ଟ୍ରେନରେ ତାଙ୍କ ପାଇଁ ରିଜର୍ଭେସନ ହୋଇଥିଲା - ସିଏ ଖୋର୍ଦ୍ଧାରୁ ଯାଇ ଭୁବନେଶ୍ୱରରେ ମଞ୍ଜରୀ ମହଲରେ (ତାଙ୍କ ୟୁନିଟ-୩ ଘର ସେତେବେଳକୁ ହୋଇସାରିଲାଣି ଏବଂ ଲେଖକଙ୍କୁ କହି ‘ମଞ୍ଜରୀ ମହଲ’ ବୋଲି ବୋର୍ଡ଼ଟିଏ କରି ଘର ଉପରେ ମାରିଦେଇଥିଲେ) ପ୍ରାଣନାଥ ରାତ୍ରିଭୋଜନ ସାରି ଷ୍ଟେସନରୁ କଲିକତା ଯିବେ । ଭୁବନେଶ୍ୱର ଘରପାଇଁ କିଛି କଦଳୀ ଓ ଦିନଭାଇଙ୍କର ଦୋକାନରୁ ଅଢ଼େଇ ଶହ ଛେନା ପ୍ୟାକେଟ କରି ପ୍ରଫୁଲ୍ଲ ଦେଇଗଲେ ।

 

ଖୋର୍ଦ୍ଧାରେ ପୁରୁଣା ବସଷ୍ଟାଣ୍ଡ ଯେଉଁଟା ତାଙ୍କ ବସାଘର ଠାରୁ (ଆଡ଼ଭୋକେଟ ସୁରେନ୍ଦ୍ର ପଟ୍ଟନାୟକ ଝାଟିମାଟିର ଲମ୍ବା ଧାଉଟିଆ ଘରଟି)ଏକଦମ ପାଖ । ପ୍ରଫୁଲ୍ଲ ବକ୍ସ ଇତ୍ୟାଦି ରାହିଲଏ-ମୁଁ ପ୍ୟାକେଟ ଗୋଟାଏ ଦିଟା ଧରିଲି-ପ୍ରାଣନାଥ ବାବୁ ବସଷ୍ଟାଣ୍ଡରୁ ଆସି କଟକଗାମୀ କୌଣସି ସାନ୍ଧ୍ୟ ବସ୍‍ରେ ବସିଗଲେ-ଖୋର୍ଦ୍ଧା ପେଟ୍ରୋଲ ପମ୍ପ ସମ୍ମୁଖରେ ଯେଉଁ ଚାଳିଆ ଘରେ ପ୍ରାଣନାଥ ତାଙ୍କର ଶେଷ ଜୀବନ ବିତାଇଥିଲେ-ଯେଉଁଠିକି ଆଉ ଫେରି ନାହାନ୍ତି, ସେ ଘରର ମାଲିକ, ଆଡ଼ଭୋକେଟ ସୁରେନ୍ଦ୍ର ମୋହନ ପଟ୍ଟନାୟକ ନିଜେ ଲେଖିଛନ୍ତି,“ଶେଷ ଜୀବନରେ ମୋର ଗୋଟେ କୁଡ଼ିଆ ଘରେ ରହି କଲେଜରେ ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିବା ହେତୁ, ସେଇ ସ୍ମୃତି ବିଜଡ଼ିତ ଘରଟି ମୋ’ ପକ୍ଷରେ ଗର୍ବର ବସ୍ତୁ ହୋଇ ରହିବ ।”

 

ପ୍ରାଣନାଥଙ୍କର ବଡ଼ପୁଅ ପ୍ରଭାସ ପଟ୍ଟନାୟକ ପ୍ରସିଦ୍ଧ ନାମଜାଦା କମ୍ପାନୀର ଇଞ୍ଜିନିଅର-। ରହିଥାନ୍ତି କଲିକତାରେ ସବୁଠାରରୁ ସାହେବି ଅଞ୍ଚଳ ବା ପୋଷପଡ଼ା ଲାଣ୍ଡ୍ସ ଡାଉନ୍‍ କୋର୍ଟର ଏକ ଭିଲାରେ । ହାଓଡ଼ା ଷ୍ଟେସନକୁ ବାପାଙ୍କ ଶୁଶ୍ରୁଷା କରିବା ପାଇଁ ପୁଅ, ବୋହୁ ଏବଂ ପ୍ରଭାସରଙ୍କର ଛୋଟ ପୁଅଟି ଟାକ୍ସିରେ ଆସି ପାଛୋଟି ନେଲେ ।

 

ପ୍ରାଣନାଥଙ୍କର ଜୀବନର ଏକ ତୃତୀୟାଂଶ କଟିଥିଲା ଜେଲରେ କାଳ କୋଠରୀ ଭିତରେ କଏଦୀମାନଙ୍କ ସାଙ୍ଗରେ । ବଗଡ଼ା ଚାଉଳର ଭାତ, ଘସିଫଡ଼ା ପରି ରୁଟି ସରସର ବୋହିଯାଉଥିବା ହଳଦୀ ବର୍ଣ୍ଣରେ ଡ଼ାଲିରୂପକ ପାଣି - କଳମ ଶାଗ, କଖାରୁ, ଲାଉ କି ଆଉ କିଛି ପରିବାର ମିଶ୍ରିତ ଘାଣ୍ଟରେ ଯୌବନ ବିତିଥିଲା । ଓଡ଼ିଶାର ଗାଁ ଗହଳରେ ମଣିଷ ଯେଉଁମାନଙ୍କର ଓଳିଆ ଜାଳିଲେ ଆର ଓଳିକୁ ଚୁଲି ଜଳେ ନାହିଁ, ଅଭାବ ନିଷ୍କରୁଣ ଦାରିଦ୍ର୍ୟ/ଅଭାବ ଅନାଟନ ଭିତରେ ବି ଯେଉଁମାନଙ୍କର ଅନାବିଳ ସ୍ନେହବୋଳା ସେ ବଗଡ଼ା ଭାତ ଖାଇଥିବା ପ୍ରାଣନାଥ କାହା ଓଳି ପଣ୍ଡା, ବାରଣ୍ଡାରେ ଅବା ଖୋର୍ଦ୍ଧାରେ ଗୁଣ ଅଜାର ମେସରେ ମାଟି ଝାଟିର କୁଡ଼ିଆ ଘରେ ଖଟଟିଏ ପକାଇ ଆଜୀବନ ରହୁଥିବା ଏବଂ ଅଧା ଜୀବନ ପଦଯାତ୍ରା କରି କରି ବୁଲି ବୁଲି ଦାରିଦ୍ର୍ୟର ପୀଡ଼ନ କ’ଣ ତାହା ଅଙ୍ଗେନିଭାଇ କାହା ବାରଣ୍ଡାରେ ସ୍କୁଲ ଘର ପିଣ୍ଡାରେ ଶୋଇ ଶୋଇ ଖୋର୍ଦ୍ଧାରୁ ବାହାରି ଆସିଲା ବେଳେ ଯେଉଁ ଝାଟି ମାଟିର କୁଡ଼ିଆ ଘରର ଜୀବନର ସମ୍ଭୋଗ ଭିତରୁ କଲିକତାର ସାହେବି ପଦା । ଡ଼ାଉନ କୋର୍ଟର ଭିଲାର ପହଞ୍ଚି ସେଠାକାର ଚଳଣି ପ୍ରାଣନାଥ ବାବୁଙ୍କୁ ସୁହାଇଲା ନାହିଁ

 

ପୁଅ-ବୋହୁ ତାଙ୍କ ପାଇଁ ସଜାଇଥିବା କୋଠରୀଟିର ପଡ଼ିଥିବା ଡନଲପ ପିଲୋ ଗଦି ଉପରେ ପ୍ରାଣନାଥ ତାଙ୍କର ନିଜର ମଇଳା ମସିହା ସତରଞ୍ଜିଟି ପକାଇଦେଇ ଗାମୁଛା ଫିଟାଇ ଶୋଇ ଗଲେ ।

 

ନିଜର ସ୍ନେହର ବଡ଼ପୁଅ, ବୋହୁ, ତାଙ୍କୁ ଚିକିତ୍ସା ପାଇଁ ସର୍ବଶ୍ରେଷ୍ଠ ଡାକ୍ତରମାନଙ୍କ ଦ୍ୱାରା ପରୀକ୍ଷିତ କରାଇବା ପାଇଁ କିଛିଦିନ ଦୁଃଖ ଦୈନିର ହିନିମାନିଆ ଜୀବନରୁ ସଂଭୋଗର ଜୀବନର ସ୍ୱାଦ ଚଖାଇବା ପାଇଁ ସମ୍ପୂର୍ଣ୍ଣ ସୁସ୍ଥ କରିସାରି ଖୋର୍ଦ୍ଧା/ଭୁବନେଶ୍ୱର/ଓଡ଼ିଶାକୁ ଫେରାଇବା ପାଇଁ ଚାଁହୁଥିଲେ, ହେଲେ କେତେକ ଜଙ୍ଗଲିକ ସୁଗନ୍ଧିତ ଫୁଲକୁ ତା ପରିବେଶରରୁ ଓପାଡ଼ି ଆଣି ରଙ୍ଗବୋଳା ସୁଦୃଶ୍ୟ କୁଣ୍ଡରେ ରୋପଣ କଲେ, ସେ ଗୁଳ୍ମ/ଫୁଲ ସୁଗନ୍ଧ ବିତରିତ କରିବା ଦୂରେଥାଉ ଯେପରି କ୍ରମଶଃ ଝାଉଁଳିଯାଏ-ମରିଯାଏ । ନିଜ ପରିବେଶ ବାହାରେ ଉଧାଏ ନାହିଁ, ପ୍ରାଣନାଥଙ୍କ ସେଇ ଅବସ୍ଥା ହିଁ ହେଲା ।

 

ଲେଖକ ସେତେବେଳେ ଅଖିଳ ଭାରତ ବିଶ୍ୱବିଦ୍ୟାଳୟ ଓ କଲେଜ ଶିକ୍ଷକ ସଂଘର ସାଧାରଣ ସମ୍ପାଦକ ପଦକୁ ନିର୍ବାଚିତ ହୋଇଥାଏ ଏବଂ କର୍ତ୍ତବ୍ୟ ଅନୁରୋଧରେ ବିଭିନ୍ନ ପ୍ରଦେଶକୁ ବିଶେଷକରି ଦିଲ୍ଲୀକୁ ଯିବାକୁ ପଡ଼ୁଥାଏ ।

ପ୍ରାଣନାଥଙ୍କର କଲିକତା ରହଣି କାଳରେ ନିଜର କାମର ଚାପରେ ତଥା ପ୍ରାଣନାଥଙ୍କର ଅକୃତ୍ରିମ ସାଥି ଗୁରୁଚରଣଙ୍କର ତାଗିଦା ଯୋଗୁଁ ଦିଲ୍ଲୀ ପାଟଣା ଆଦି ଯିବା ବାଟରେ ଲେଖକ ସବୁଠାରୁ ଅଧିକ ଥର ପାଇଁ ପ୍ରାଣନାଥଙ୍କୁ ଭେଟିଛି ଏବଂ ଦେଖିଛି, ପ୍ରାଣନାଥ କିପରି ନିଜର ପରିବେଶରେ ସ୍ଥିତି ରକ୍ଷା ପାଇଁ ସୁସଜ୍ଜିତ ଖଟ ଉପରେ ସତରଞ୍ଜିତ ବିଛାଇ ମୁଣ୍ଡ ଉପରେ ମୁତ୍ରପାତ୍ର ଭଳି ଟିଣ ପାତ୍ରଟିଏ ରଖି ଓଡ଼ିଆ ଖବରକାଗଜ ସମାଜ, ନୂଆଦୁନିଆ, ଗୋଟିଏ ଦୁଇଟି ଇଂରାଜୀ କାଗଜ ଫିଟାଇ ପଢ଼ୁଛନ୍ତି ।

 

ଦ୍ୱିତୀୟ ତୃତୀୟ ଥର ସାକ୍ଷାତ ବେଳେ ଖବରକାଗଜ ଛାଁ କୁ ଛାଁ ପଢ଼ିବା କମି ଆସିଲା - ନିଜ ହାତ ଅବଶ ଏବଂ ଆର୍ଥରାଇଟିସ ଯୋଗୁଁ ଅଚଳ ଭଳି ହୋଇଯାଇଥିବାରୁ କେବଳ ଆଙ୍ଗୁଠି ମଝିରେ କଲମ ଧରାଇଦେଲେ ଦସ୍ତଖତଟି କରନ୍ତି - ମାତ୍ର ଲେଖିପାରନ୍ତି ନାହିଁ । ଲାଣ୍ଡସ୍‍ଡାଉନ୍‍ କୋର୍ଟରେ ପ୍ରଭାସ ପଟ୍ଟନାୟକ ଏବଂ ବୋହୁ ଘରେ ସ୍ଵାଚ୍ଛନ୍ଦ୍ୟ ଓ ପରିଚର୍ଯ୍ୟ ଭିତରେ ରହିଲେ ମଧ୍ୟ୍ୟ ପ୍ରାଣନାଥଙ୍କ ମନ, ହୃଦୟ ଖୋର୍ଦ୍ଧା, ଓଡ଼ିଶାର ଗାଁ ଗାହଲରେ ତାଙ୍କର ଗରିବ ସାଥୀମାନଙ୍କ ପାଖରେ ଲାଖି ରହିଥିଲା । କଥାରେ କହନ୍ତି ବେଙ୍ଗ ପେଟରେ ଘିଅ ଯାଏ ନାହିଁ ।

 

ଲେଖକ ଆଖି ଆଗରେ ଏବେ ବି ଭାସିଯାଉଛି, ବୃନ୍ଦାବନ ପିଲାଟିର ଚିଠିଟିକୁ ଥର ଥର ହାତରେ ଶଯ୍ୟା ଉପରେ ଧରି ସେ ଯେପରି ପ୍ରଚଣ୍ଡ କ୍ରୋଧ ପ୍ରକଟ କରୁଥିଲେ - “ଗରୀବ ପିଲାଟି କଥା ବୁଝିଲା ନାହିଁ, ସିଏ ଚାରିଟଙ୍କା ଖର୍ଚ୍ଚ କରିପାକାଇଲା ? ତାର ଅଭାବ ମୋଚନ କରିପାରିଲା ନାହିଁ ?” ଏବଂ ହାତ ନ ଚାଲୁଥିବାବେଳେ ଦୁଇ ଆଙ୍ଗୁଠି ସନ୍ଧିରେ କଲମ ଧରି ଥର ଥର ହାତରେ ପି. ପଟ୍ଟନାୟକ ବୋଲି ଦସ୍ତଖତଟିକୁ କଲେଜ ଯୁଗ୍ମ ସମ୍ପାଦକଙ୍କ ନିକଟକୁ କାର୍ଯ୍ୟାନୁଷ୍ଠାନ ପାଇଁ ପଠାଇଦେବାର ଦୃଶ୍ୟ ।

 

୧୯୭୦ ସେପ୍ଟେମ୍ବର ମାସର ଶେଷବେଳକୁ ଲେଖକର ବିଶ୍ୱବିଦ୍ୟାଳୟ କଲେଜ ଶିକ୍ଷକ ସଂଘର ସମ୍ମିଳନୀ ବା କାର୍ଯ୍ୟ ନିର୍ବାହିକା ସମିତି ଦିଲ୍ଲୀରେ ଡାକିଥିବା ହେତୁ ଦିଲ୍ଲୀ ଯିବାର ଥାଏ - ଫେରିଲା ବାଟରେ କଲିକତାରେ ଦିନେ ଦୁଇଦିନ ରହି ପ୍ରାଣନାଥଙ୍କୁ ରୋଗଶଯ୍ୟାରେ ଦେଖା କରିବାକୁ ସ୍ଥିରକରି କଲିକତାରେ ଓହ୍ଲାଇ ଖୋଜି ଖୋଜି ସାଥି ଯଦୁନାଥ ଷଡ଼ଙ୍ଗୀଙ୍କୁ ସାଥୀରେ ନେଇ ହାସପାତାଳରେ ପହଞ୍ଚିଲା ଲେଖକ । ଡାକ୍ତରଖାନାର ଗୋଟିଏ ପ୍ରକୋଷ୍ଠରେ ଦୁଇଟି ବେଡ଼୍‍ - ଅପର ବେଡ଼୍‍ଟିରେ ଗୋଟିଏ ବାଳକ ଅପରେସନ ହୋଇ ପଡ଼ିଛି । ଗୋଟିକରେ ବେଡ଼୍‍ ସହିତ ପ୍ରାୟ ଏକାକାର ହୋଇ ମିଶିଯାଉଥିବା ସମ୍ପୂର୍ଣ୍ଣ ଭାବରେ ଶେଥା ପଡ଼ିଯାଇଥିବା ଶୀର୍ଣ୍ଣକାୟ କଙ୍କାଳସାର ପ୍ରାଣନାଥ ପଡ଼ିଛନ୍ତି - ତାଙ୍କର କିଡନି ଅପରେସନ ହୋଇଛି - କାଥେଡ୍ରାଲ ଟିଉବ ଲାଗିଛି ମୂତ୍ରନଳୀରେ । ପରିସ୍ରା ବୋତଲଟିଏ ଝୁଲୁଛି । ତାଙ୍କୁ ପ୍ରଣାମ ଜଣାଇଲୁ । ଏ ରୂପ ଦେଖିବି ବୋଲି ମୁଁ ଆଶା କରିନଥିଲି । କାରଣ, ହସି ହସି ଶହ ଶହ ମଣିଷଙ୍କୁ ଭେଟିବାକୁ ଶହ ଶହ ମାଇଲ ପଦଯାତ୍ରା କରି ଆସୁଥିବା ମଣିଷଟି ଭୀଷ୍ମଙ୍କର ଶରଶଯ୍ୟା ଭଳି, ଶରଶଯ୍ୟାରେ ଶାୟିତ ଦେଖିବି ବୋଲି କଳ୍ପନା ମଧ୍ୟ କରିନଥିଲି । ଦେଖିଲି ତାଙ୍କର ସେ ସଦାବେଳର ଅମ୍ଲାନ ହସ ଶୁଖିଯାଉଛି - ଦେଖିଲା ମାତ୍ରେ ଆଖିକୋଣରେ ତାଙ୍କର ଜକେଇ ଆସିଲା ୨ବିନ୍ଦୁ ଲୁହ । କହି ପକେଇଲେ-“ପାଖରେ ଦେଖିଲ କୋଉଠି କି ଖାଦ୍ୟ ମିଳିବ-ବୋହୂ ଗୋଟିଏ ନୂଆ ଗାଡ଼ି କିଣିଛନ୍ତି-ଟ୍ରାଫିକରେ ସମ୍ଭବତଃ ଡେରୀ ହେଉଛି, ମୋତେ ଭାରୀ ଭୋକ ହେଲାଣି ।” ସେ ସ୍ଥାନ ସହିତ ମୁଁ ସମ୍ପୂର୍ଣ୍ଣ ଭାବରେ ଅପରିଚିତ-କୋଉଠି କ’ଣ ମିଳେ ଜାଣେନା-ହସ୍‍ପିଟାଲ ବାରଣ୍ଡାରେ ଦେଖିଲି ବନ୍‍ ପାଉରୁଟି (ପାଓଭାଜି) ବିକ୍ରି ହେଉଛି - ଅଦୂରରେ କ୍ଷୀର ମିଳୁଛି । ଏଣୁ ୩/୪ ଟା ବନ୍‍ ପାଉରୁଟି-ଅଢ଼େଇଶ କ୍ଷୀର ଗୋଟାଏ ଓଳି ଭଳି ମାଟିପାତ୍ରରେ ନେଇ ତାଙ୍କୁ ଦେଖାଇବାରୁ-ଉଠି ବସିବାକୁ ଚେଷ୍ଟା କଲେ କିନ୍ତୁ ପାରିଲେ ନାହିଁ । ଆମେ ବେକ ତଳୁଧରି ଟେକିବାରୁ ପଛପଟେ ବେଡ଼ଟାକୁ ଟେକିଦେଇ ବସାଇବାରୁ ବସିଲେ । ସେତିକି ବେଳେ ପରିଚର୍ଯ୍ୟକାରିଣୀ ନର୍ସ ମଧ୍ୟ ପହଞ୍ଚିଲେ ଏବଂ ତାଙ୍କ ଜଙ୍ଘ ଉପରେ ଗୋଟିଏ ଟେବୁଲ ଭଳି ଟ୍ରେ ଥୋଇ, ତା’ ଉପରେ ସେ ବନ୍‍ ପାଉରୁଟି ଏବଂ କ୍ଷୀର, ପତ୍ର ଓ ପାଣି ରଖିଦେଲେ । ପାଉରୁଟି ଛିଣ୍ଡାଇବାକୁ ତାଙ୍କୁ ବୋଧହୁଏ କଷ୍ଟ ହେଉଥିଲା - ଯଦୁବାବୁ ଛିଣ୍ଡାଇ ଟୁକୁରା କରିଦେବାରୁ ତାକୁଇ କ୍ଷୀରରେ ବୁଡ଼ାଇ ବୁଡ଼ାଇ ଚାକୁଲେଇ ଖାଇଲେ । ପାଣି ପିଇଲେ ।

 

ତା’ପରେ କାନ୍ଦ କାନ୍ଦ ସ୍ୱରରେ ମୋ’ ହାତଧରି କହିଲେ, “ତମେ ଫେରିଯାଇ ବାଉକୁ କହି (ଗୁରୁଚରଣ ପଟ୍ଟନାୟକ) ୧୫ ତାରିଖ ସୁଦ୍ଧା ଗୋଟାଏ ଗାଡ଼ିଧରି ଆସି ମୋତେ ସେଥିରେ ପକାଇ ନେଇଯାଅ । ମୁଁ ଫେରିଯାଇ କଲେଜରେ ମୋ’ ବଖରାରେ ରହିବି-ଲିଙ୍ଗରାଜକୁ କହି ସଫା କରାଇଦେବ ଯଦି ମରିବି, ତେବେ ମୋ’ ସାଙ୍ଗ, ସାଥୀ, ଆତ୍ମୀୟ, ସୋଦର ସମସ୍ତଙ୍କୁ ଦେଖି ଦେଖି ତମମାନଙ୍କ ଗହଣରେ ମରିବି ନାହିଁ - ଏ ବିଦେଶରେ ବିଭୂଇଁରେ ମରିବି କାହିଁକି?”

 

ମୋର ମନେ ହେଉଥିଲା, ଅସଂଖ୍ୟ ଯୁଦ୍ଧର ମହାନାୟକ, ଜୀବନର ଏକ ତୃତୀୟାଂଶ ବ୍ରିଟିଶ ଓ କଂଗ୍ରେସ ଜେଲ୍‍ରେ ବିତାଇଥିବା ଅଗଣନ ମଣିଷଙ୍କର ପ୍ରାଣର ପ୍ରିୟ ମଣିଷଟି କେତେ ନିଃସହାୟ ସତେ ? ବ୍ୟାକୁଳ ଭାବରେ ତାଙ୍କର ପ୍ରିୟ ଓଡ଼ିଶା ଭୂଇଁକୁ ଖୋର୍ଦ୍ଧାର ଜନଗଣଙ୍କ ପାଖକୁ ଫେରିଯିବାକୁ ଲୁହ ଛଳ ଛଳ ଆଖିରେ କହୁଛନ୍ତି ।

 

ପ୍ରାଣନାଥଙ୍କର ଶେଷ ଇଚ୍ଛା ଥିଲା ଓଡ଼ିଶା ଫେରିଆସିବେ । ତାଙ୍କ ପ୍ରିୟ ଖୋର୍ଦ୍ଧା କଲେଜରେ ତାଙ୍କ ପାଇଁ ଥିବା ପ୍ରକୋଷ୍ଠରେ ଖଟିଆ ପକାଇ ଶୋଇବେ-ନୀଳ ବରୁଣେଇ ଉପରେ ମେଘ ଚାରୁଥିବାର ଦୃଶ୍ୟ ଦେଖିବେ ପିଲାଏ ତାଙ୍କ ପାଖକୁ ଆସିବାର ସୁଯୋଗ ପାଇବେ-ତାଙ୍କରି ଗହଣରେ ଖୋର୍ଦ୍ଧାର ମଣିଷ ଯେଉଁମାନଙ୍କ ପାଇଁ ସମଗ୍ର ତାରୁଣ୍ୟ ବିତାଇଛନ୍ତି ତାଙ୍କରି ଭିତରେ ହିଁ ବିଲୀନ ହୋଇଯିବେ । ଯଦି ଜୀବନ ଯାଏ, ସେଇମାନଙ୍କ ସାଙ୍ଗରେ ସେମାନଙ୍କ ଭିତରେ ହିଁ ଯିବ ।

 

୧୯୭୦ ଅକ୍ଟୋବର ମାସର ୫ ତାରିଖ ରାତି ୧୦ ଟା ବା ସାଢ଼େ ଦଶଟା ବେଳେ ଲେଖକର ଖୋର୍ଦ୍ଧାର ଘର ନମ୍ବରର ଫୋନ ବାଜି ଉଠିଲା । ଜଣେ କିଏ ସମ୍ବାଦ ଦେଲେ “ପ୍ରାଣନାଥ ବାବୁ ଚାଲିଗଲେ । ପ୍ରଥମେ କଥାଟାକୁ ଗ୍ରହଣ କରାଯିବା ଓ ବିଶ୍ୱାସ କରାଯିବା ସମ୍ଭବ ନଥିଲା । ମାତ୍ର ଆଉ ସେ ନମ୍ବରରୁ କୌଣସି ଜବାବ ଆସିଲା ନାହିଁ । ସେତେବେଳେ ମୋବାଇଲର ପ୍ରଚଳନ ନ ଥାଏ । ପାଖାପାଖି ଅଧଘଣ୍ଟାଏ କି ୨୦/୨୫ ମିନିଟ ପରେ ଖୋର୍ଦ୍ଧାର ଆଡ଼ଭୋକେଟ ରଞ୍ଜିତ ରାୟଙ୍କ ଘରୁ ଫୋନ ଆସିଲା ଏବଂ ଅନ୍ୟମାନଙ୍କୁ ମଧ୍ୟ କହିଦେବାକୁ ରଞ୍ଜିତ ରାୟଙ୍କ ବାସଭବନରୁ ଖବର ଆସିଲା ଯେ “ପ୍ରାଣନାଥ ବାବୁ ଚାଲିଗଲେ-ଆପଣ ସମସ୍ତଙ୍କୁ ଖବର ଦେଇଦିଅନ୍ତୁ ।” ବିସ୍ମୟ, ଅବିଶ୍ୱାସ, ହତାଶାର ବ୍ୟୁହ କାଟି, ଲେଖକ ସଜାଗ ହୋଇ କଟକକୁ, ପାର୍ଟି ଅଫିସକୁ, ଡାକ୍ତର ପ୍ରାଣକୃଷ୍ଣ ମହାପାତ୍ରଙ୍କୁ କଲେଜର ଅନ୍ୟ ସମସ୍ତଙ୍କୁ ଖୋର୍ଦ୍ଧାରେ ତାଙ୍କର ଜଣାଶୁଣା ସମସ୍ତଙ୍କୁ ଏ ଦୁଃଖାନ୍ତ ବିୟୋଗର ସମ୍ବାଦ ଦେବାକୁ ପଡ଼ିଲା ।

 

ମୃତ୍ୟୁର ପୂର୍ବ ସନ୍ଧ୍ୟାରେ ତଥ୍ୟ ଦେଇ ବର୍ତ୍ତମାନର ରାଜ୍ୟସଭା ସଦସ୍ୟ ବୈଷ୍ଣବ ପରିଡ଼ା ଲେଖିଛନ୍ତି- “ମୁଁ ପ୍ରାୟ ପ୍ରତିଦିନ ଦେଖା କରୁଥାଏ । ସେଦିନ କାହିଁକି କେଜାଣି କ୍ଷୀଣ କଣ୍ଠରେ କହିଲେ - ବୈଷ୍ଣବ କାଲି ଟିକିଏ ବେଳସୁ ଆସିବ । ବାଉକୁ (ଗୁରୁଚରଣ ପଟ୍ଟନାୟକ) ଅବନୀକୁ (ଅବନୀ କୁମାର ବରାଳ) ଚିଠି ଦି ଖଣ୍ଡ ଲେଖିବା । ହଁ ଆସିବି ବୋଲି କହି ସେଦିନ ଟିକେ ସହଜ ଫେରିଆସିଲି । ମନକୁ ମୋର ପାପ ଛୁଇଁଲା । କାଳେ କ’ଣ ଗୋଟାଏ ଘଟିଯିବ କି ?” “ପରଦିନ ସକାଳୁ ମୋର ପ୍ରତିବେଶୀ ଖବର ଦେଲେ - ପ୍ରାଣନାଥ ବାବୁ ଆଉ ନାହାନ୍ତି - ରାତ୍ରିରେ କିଏ ଜଣେ ଆସିଥିଲେ ଖବର ଦେବାକୁ ” “କଲିକତାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରିବାକୁ ହେବ ।”

 

ନାଁ ଓଡ଼ିଶାକୁ ତାଙ୍କ ମରଦେହ ନେଇଯିବାକୁ ହେବ । ପ୍ରଥମେ ସ୍ଥିର କଲି ପଶ୍ଚିମବଙ୍ଗ କମ୍ୟୁନିଷ୍ଟ ପାର୍ଟି ନେତୃତ୍ୱଙ୍କ ସହିତ ଆଲୋଚନା କରିବି-ତା’ ପରେ ଓଡ଼ିଶା ପାର୍ଟିକୁ ଜଣାଇବାକୁ ପଡ଼ିବ । କଲିକତା ବଡ଼ ବଜାରସ୍ଥ ପାର୍ଟି ଅଫିସରେ ଏ ଦୁଃସମ୍ବାଦ ଶୁଣି ସମସ୍ତେ ମର୍ମାହତ ହୋଇପଡ଼ିଲେ-ପ୍ରଭାସ ବାବୁଙ୍କ ସହିତ ଆଲୋଚନା କରି ସବୁ କରିବାକୁ ହେବ ।” ତାଙ୍କ ଘରେ ପହଞ୍ଚି ମୁଁ ଯାହା ଦେଖିଛି ଓ ଶୁଣିଛି, ସେଥିରେ ମୋ’ ଘଟିକା ଶୁଖିଗଲା । ମୋ’ ମନର ସମସ୍ତ କଳ୍ପନା ଧୂଳିସାତ୍‍ ହୋଇଗଲା । ଗତ ରାତ୍ରିରେ ସେମାନେ ତାଙ୍କ ଶବକୁ କଲିକତାରେ (ନିମତଲା ଘାଟ)ରେ ଦାହ କରିଦେଇଥିଲେ । ଦାରୁଣ ଦୁଃଖରେ ମୋ’ ଛାତି ବିଦାରି ହୋଇଗଲା । ସାରା ଓଡ଼ିଶାର ଲକ୍ଷ ଲକ୍ଷ ଲୋକଙ୍କର ନେତା, ଆତ୍ମୀୟ, ସାଥୀ, ମହାଯୋଦ୍ଧା ଅତି ଆପଣାର । ଲୁହ ଢାଳି ଶେଷ ବିଦାୟ ଜଣାଇବାକୁ ଓଡ଼ିଶାର ଲକ୍ଷ ଲକ୍ଷ ଜନତା ଅଶ୍ରୁଦର୍ପଣ କରି ତାଙ୍କର ମରଦେହକୁ ସମ୍ମାନ ଜଣାଇବାରେ ବଞ୍ଚିତ ହେଲେ ।

 

“ଶେଷକୁ ସ୍ଥିର ହେଲା ତାଙ୍କର ଚିତାଭସ୍ମ ଭୁବନେଶ୍ୱର ଯିବ ଓ ସେଠାରୁ ଏକ ଗଣ ଶୋଭାଯାତ୍ରାରେ ନିଆଯିବ ଖୋର୍ଦ୍ଧାକୁ । ମୋ’ ଆଖିରୁ ୨ବିନ୍ଦୁ ଲୁହ ଝରି ପଡ଼ିଲା । ନିଜକୁ ସାନ୍ତ୍ଵନା ଦେଲି-ଜୀବନକୁ ଯିଏ ତିଳ ତିଳ କାରି ଜନ୍ମଭୂମିର ସେବାରେ ସମାଜର କୋଟି ନିୟୁତ ଦଳିତ ନିଷ୍ପେଷିତଙ୍କ ସେବାରେ ଅର୍ପଣ କରିଛନ୍ତି, ତାଙ୍କୁ ଲୋକେ ଭୁଲିପାରିବେ ନାହିଁ । ଜନମାନସରେ ସେ ଚିର ଅମ୍ଲାନ ଅମର ହୋଇ ରହିବେ । ସ୍ଵୟଂ ଇତିହାସ ତାଙ୍କୁ ମନେ ରଖିବା କରଣ ସେ ଇତିହାସରେ ନାୟକ ।”

 

ପ୍ରାଣନାଥଙ୍କର ସବୁଠାରୁ ଶ୍ରଦ୍ଧାସ୍ପଦ ସାଥୀ, ବନ୍ଧୁ ଗୁରୁଚରଣ ପଟ୍ଟନାୟକ, ଯିଏ ପ୍ରଚଣ୍ଡ ଆଗ୍ରହରେ ତାଙ୍କ ଓଡ଼ିଶା ପ୍ରତ୍ୟାବର୍ତ୍ତନ ପାଇଁ ଅପେକ୍ଷା କରୁଥିଲେ ଏବଂ ଆୟୋଜନ କରିଥିଲେ ଗାଡ଼ିରେ ନେଇ ଆସିବାକୁ ତାଙ୍କର ହୃଦୟ କମ୍ରେଡଙ୍କ ବିୟୋଗରେ କରଡ଼ି ହୋଇଗଲା - କଲିକତାରେ ତାଙ୍କର ପ୍ରିୟଜନ, ପ୍ରିୟଭୂଇଁ, ପ୍ରିୟ ମାଟିରୁ ଦୂରରେ, ଜନଗଣଙ୍କୁ ଲୁଚାଇ ରାତିର ଅନ୍ଧକାରର ଭିତରେ ତାଙ୍କ ପାରି ଜଣେ ମହ।ନାୟକଙ୍କର ଶବଦାହ କରିଦିଆଯାଇଥିବା ତାଙ୍କୁ ପ୍ରଚଣ୍ଡ ଭାବରେ ମର୍ମାଘାତ କରିଥିଲା ଏବଂ ତାଙ୍କର ଭଉଣୀ ପ୍ରାଣନାଥଙ୍କର ସହଧର୍ମିଣୀ ମଞ୍ଜରୀ ପଟ୍ଟନାୟକଙ୍କ ନିକଟକୁ ଗଭୀର ଆବେଗ ଓ ପ୍ରଚଣ୍ଡ ଅଭିମାନଭରା ଚିଠିଟିଏ ଲେଖିଲେ-”୧୯୩୦ରୁ ୧୯୭୦, ୪୦ ବର୍ଷର ଏତେ କଥା ଯେ ସେଗୁଡ଼ାକ ପ୍ରତି ପଦେ ପଦେ ଆଘାତ କରୁଛନ୍ତି । ସେ (ପ୍ରାଣନାଥ) ମୋ’ ଜୀବନକୁ ଗଢ଼ିବାରେ ବହୁ ପରିମାଣରେ ସାହାଯ୍ୟ କରିଛନ୍ତି ।” କଲିକତାରେ ଯେଉଁ ଦୁଇଦିନ ତାଙ୍କ ପାଖରେ ବସି ରହିଲି, ତା ମୋତେ ଆହୁରି ଦୁର୍ବଳ କରିଦେଇଛି । କାରଣ ସତେ ଯେପରି ସେ ନିଜର ଆସନ୍ନ ମୃତ୍ୟୁର ଇସାରା ପାଇଁ ତାଙ୍କର ହୃଦୟଟା ମେଳିଦେଇଥିଲେ ମୋ’ ଆଗରେ । ତାହା ପୁରାପୁରି ବ୍ୟକ୍ତିଗତ ବିଷୟ ଜଣେ କେବଳ ନିଜକୁ ତାଙ୍କରି ଅବସ୍ଥାରେ ରଖିଲେ ତା ବୁଝିପାରେ

 

“ସବୁଠାରୁ ବଡ଼ ଅବଶୋଷ ଯେ ତାଙ୍କର ମୃତ ଶରୀର, ତାଙ୍କର କର୍ମକ୍ଷେତ୍ର, ତାଙ୍କର ଲୋକମାନଙ୍କ ନିକଟକୁ ଆସିପାରିଲା ନାହିଁ । ଯିଏ ଶହ ଶହ, ହଜାର ଲୋକଙ୍କ କାନ୍ଧରେ ଯାଇଥାନ୍ତେ, ସେ ଅଜ୍ଞାତ ଭାବରେ ଗଲେ । ସେ ଯେଉଁ ଆଦର୍ଶ ପାଇଁ ପ୍ରାଣପାତ କରି ଆସିଲେ ତାର ପତାକା ଖଣ୍ଡେ ବି ତାଙ୍କ ପାଖରେ ରହିପାରିଲା ନାହିଁ । ମୁଁ ସମ୍ବାଦ ପାଇଁ ବୁଝିଲା ବେଳକୁ ସବୁ କାମ ଶେଷ ହୋଇଯାଇଥିଲା । ସମସ୍ତଙ୍କ ଚକ୍ଷୁରେ ତାଙ୍କ ଜୀବନର ମୂଲ୍ୟ, ତାଙ୍କର ମହତ୍ୱ ସମାନ ନୁହେଁ । ସେ ନିଜର ସ୍ମୃତି ରକ୍ଷା ଲାଗି ଯଥେଷ୍ଟ କର୍ମ କରିଯାଇଛନ୍ତି । ମଣିଷର ନିଜର କାର୍ଯ୍ୟ ତାକୁ ଜିଆଇଁ ରଖେ, ପ୍ରାଣନାଥ ବାବୁଙ୍କ କର୍ମ ତାଙ୍କୁ ଚିରଦିନ ବଞ୍ଚାଇ ରଖିବ ।”

 

ପ୍ରାଣନାଥଙ୍କର ବିୟୋଗରେ ତାଙ୍କର ଅମ୍ଲାନ ସ୍ମୃତିଚାରଣ ପରେ ସାରା ଓଡ଼ିଶା ତଥା ଓଡ଼ିଶା ବାହାରେ ଶୋକର ଉଚ୍ଛ୍ଵାସ ଖେଳିଗଲା । କଲିକତାରେ ୨୪ ବି ଡାକ୍ତର ସୁରେଶ ସରକାର ରୋଡ଼ରେ ପ୍ରବାସୀ ଓଡ଼ିଆଙ୍କ ଶୋକସଭା ହେବା ସଙ୍ଗେ ସଙ୍ଗେ ‘ସମାଜ ', ‘ପ୍ରଜାତନ୍ତ୍ର’, ‘ମାତୃଭୂମି’, ‘ନୂଆଦୁନିଆ’ ଆଦି ପତ୍ରପତ୍ରିକାମାନଙ୍କରେ ପ୍ରାଣନାଥ ବିଶେଷ ସଂଖ୍ୟା ବାହାରିଲା । କଟକଠାରେ ଭୈରବଚନ୍ଦ୍ର ମହାନ୍ତିଙ୍କ ଅଧକ୍ଷତାରେ ଜଷ୍ଟିସ ହରିହର ମହାପାତ୍ର, ଶ୍ରୀହର୍ଷ ମିଶ୍ର, ବିଶ୍ୱନାଥ ପଣ୍ଡିତ, ବିନୋଦ କାନୁନଗୋ, ଅଦ୍ଵେତ ବଲ୍ଳଭ ରାୟ, ଅନନ୍ତ ପଟ୍ଟନାୟକ, ରାମକୃଷ୍ଣ ପତି, ଗୁରୁଚରଣ ପଟ୍ଟନାୟକ, ପ୍ରମୁଖ ଶତାଧିକ ନରନାରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସମ୍ବଲପୁର, ବ୍ରହ୍ମପୁର, ପୁରୀ ଜିଲ୍ଲାର ଅଧିକାଂଶ ମୁକାମରେ ଶୋକସଭା ମାନ ଅନୁଷ୍ଠିତ ହେଲା । ଖୋର୍ଦ୍ଧା କଲେଜରେ ଛାତ୍ରଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକାଗଣ ପ୍ରାଣନାଥଙ୍କ ଚିତାଭସ୍ମ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସଙ୍ଗେ କଲେଜକୁ ତାଙ୍କ ନାମରେ ନାମିତ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରିଥିଲେ ।
 

୧୯୦୫ ମସିହା ନଭେମ୍ବର ୧୬ ତାରିଖ ଦିନ ଡ଼ିମିରି ଗାଁରେ ଯେଉଁ ଶିଶୁଟି କୁଆଁ କୁଆଁ ରାବ କରି ଭୂମିଷ୍ଠ ହୋଇଥିଲା-ବାପା-ମା’-ଭାଇ-ଭଉଣୀ ଆତ୍ମୀୟସ୍ୱଜନଙ୍କ ମୁହଁରେ ହସ ଫୁଟାଇ ଦେଇ କାନ୍ଦିକାନ୍ଦି ଚିତ୍କାରକରି ଘର ଫଟାଇ ନିଜର ଅସ୍ତିତ୍ୱ ଜାହିର କରିଥିଲେ, ସାରା ଓଡ଼ିଶାରେ ନିଆଁ ହୁଳାଟିଏ ଭଳି, ଆଲୋକ ବର୍ତ୍ତିକା ଜାଳି ଜାଳି ଅଗଣନ ଦଳିତ, ମଥିତ, ଶୋଷିତ, ଅତ୍ୟାଚାରିତ ମଣିଷଙ୍କ ମୁହଁରେ ହସ ଫୁଟାଇ ନିଜେ ଅଶେଷ ଯନ୍ତ୍ରଣା ବହନ କରି ଲକ୍ଷକୋଟି ମଣିଷଙ୍କୁ ଯାତନାରୁ ମୁକ୍ତକରି ଉଦ୍ଧାର କରି ୧୯୭୦ ମସିହା ଅକ୍ଟାବର ୫ ତାରିଖ ଦିନ ବିଳମ୍ବିତ ସନ୍ଧ୍ୟା ବା ରାତ୍ରିର ପ୍ରଥମ ପହରରେ କଲିକତା ମହାନଗରୀରେ ଗଙ୍ଗାନଦୀର ଜଳଧାରାରେ ମିଶିଗଲା । ଓଡ଼ିଶାର କୃଷକ ଆନ୍ଦୋଳନ, ଭାଗଚାଷୀ ଆନ୍ଦୋଳନ,ଏଖରାଜାତମାହାଲ ଆନ୍ଦୋଳନ, ଗୋତି ମୁକ୍ତି ଆନ୍ଦୋଳନ, ଜମିଦାରୀ ଉଚ୍ଛେଦ ଆନ୍ଦୋଳନ, ପ୍ରଜାମଣ୍ଡଳ ଆନ୍ଦୋଳନମାନଙ୍କର ବୀର, ମହାନ ଯୋଦ୍ଧା ମହାନାୟକ ପିତାମହ ଭୀଷ୍ମଙ୍କ ପରି ଶରଶଯ୍ୟାରେ ଶୋଇଗଲେ । ଅନାଗତ ଶୁଭଦିନକୁ ଅପେକ୍ଷା କରି ଯେବେ ସାରା ଦୁନିଆର ମଣିଷ ଏକ ହୋଇ ମୁକ୍ତି ପାଇଁ ଯୁଦ୍ଧରେ ଅବତୀର୍ଣ୍ଣ ହେବେ, ସେବେ ହୁଏତ ଶରଶର୍ଯ୍ୟାର ଶାୟିତ ମହାନାୟକ ପୁଣି ଅସ୍ତ୍ର ଧରିବେ ।